Commit 299900cd authored by Nayan Ranjan Paul's avatar Nayan Ranjan Paul

Upload New File

parent 8b6f5a7b
ମାଦଳାପାଞ୍ଜିର ସାହିତ୍ୟିକ ମୂଲ୍ୟ
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୯, ୨୦୧୧
ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା →
କାଶ୍ମୀରର ‘ରାଜରଙ୍ଗିଣୀ’, ଆସାମର ‘ବୁରୁଂଜି’ ଏବଂ ସିଂହଳର ‘ଧାତୁବଂଶ’ ପରି ‘ମାଦଳାପାଞ୍ଜି’ ଓଡ଼ିଶାରେ ରାଜତ୍ବ କରୁଥିବା ବିଭିନ୍ନ ରାଜବଂଶର କେବଳ ଇତିହାସଗ୍ରନ୍ଥ ନୁହେଁ ଏହା ଓଡ଼ିଶା ଜାତୀୟ ଜୀବନର ମର୍ମଗାଥା ।
ଖ୍ରୀଷ୍ଟୀୟ ଦ୍ବାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ଇତିବୃତ୍ତ ମିଳିଥାଏ ମାଦଳାପାଞ୍ଜିରୁ ।
ରାଜା ଓ ଜଗନ୍ନାଥଙ୍କୁ ଏକତ୍ର କରିବାର ପ୍ରଚେଷ୍ଟା ହେଉଛି ମାଦଳାପାଞ୍ଜି ।
ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନ କିମ୍ବଦନ୍ତୀ ପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି ।
ଓଡ଼ିଆ ଗଦ୍ୟ ସାହିତ୍ୟର ବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର ।
ମାଦଳାପାଞ୍ଜିର ନାମକରଣ ସଂପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ ।
୧୯୧୯ ମସିହାରେ ଐତିହାସିକ ମଦନମୋହନ ଚକ୍ରବର୍ତ୍ତୀ ଲେଖିଥିଲେ ‘ମୁଦଲ ଅର୍ଥ ବନ୍ଦ କରିବା’ ।
ତାଙ୍କ ମତରେ ମୁଦଲ – ମୁଦଳା – ମାଦଳା ଶବ୍ଦର ଉତ୍ପତ୍ତି ହୋଇଛି ।
୧୯୨୭ ମସିହାରେ ରମାପ୍ରସାଦ ଚନ୍ଦ ‘ଓଡ଼ିଶା ଇତିହାସ’ରେ ମାଦଳା ସଂପର୍କରେ ଲେଖିଛନ୍ତି ‘ମର୍ଦ୍ଦଳ’ ଜାତୀୟ ଏକ ବାଦ୍ୟ ଶବ୍ଦରୁ ମାଦଳାର ଉତ୍ପତ୍ତି ।
ତାଙ୍କ ମତରେ ମର୍ଦ୍ଦଳ – ମଦ୍‌ଦଳ – ମଦଳ – ମଦଳା – ମାଦଳା ଏହିପରି ହୋଇଛି ।
ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ମତରେ ‘ପାଂଜି’ ଲେଖିସାରିବାପରେ ଲିଖନକାରମାନେ ଏହାକୁ ମର୍ଦ୍ଦଳାକାରରେ ବାନ୍ଧୁଥିଲେ ଏବଂ ମୁଦଦେଇ ଶ୍ରୀମନ୍ଦିରରେ ରଖୁଥିଲେ, ତେଣୁ ଏହାକୁ ମାଦଳାପାଞ୍ଜି କୁହାଯାଏ ।
ଭିନ୍ନଭିନ୍ନ ମତାମତ ମଧ୍ୟରେ ଅଧ୍ୟାପକ କୃଷ୍ଣଚନ୍ଦ୍ର ଷଢଙ୍ଗୀଙ୍କ ମତ ଅଧିକ ଯଥାର୍ଥ ମନେହୁଏ ।
ତାଙ୍କ ମତରେ ‘ମଦଳା’ ଆଭିଧାନିକ ଅର୍ଥ ଅପୂର୍ଣ୍ଣ ବା କାନ୍ତିଆ ।
ଶ୍ରୀଜଗନ୍ନାଥ ଅସଂପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ ।
ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ ।
ଶ୍ରୀଜଗନ୍ନାଥ ଅସଂପୂର୍ଣ୍ଣ ହୋଇଥିବାରୁ ତାଙ୍କୁ ମାଦଳା କୁହାଯାଏ ।
ମାଦଳାପାଞ୍ଜିକୁ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ଲିଖନ ହୋଇଥିବାରୁ ଏହାକୁ ‘ମାଦଳାପାଞ୍ଜି’ କହିବା ଯଥାର୍ଥ ।
ମାଦଳାପାଞ୍ଜି ଏକ ସାହିତ୍ୟିକ ସୃଷ୍ଟି ନୁହେଁ ବା ଏହାର ନିର୍ଦ୍ଧିଷ୍ଟ ଲେଖକ ନାହାଁନ୍ତି ।
ଅର୍ଦ୍ଧଶିକ୍ଷିତ ରାଜକର୍ମଚାରୀଙ୍କ ଦ୍ବାରା ଏହା ଲିଖିତ ହୋଇଆସୁଛି ।
ଏମାନେ ସ୍ବତଃ ଲେଖିନାହାଁନ୍ତି ଲେଖିବା ପାଇଁ ଗଜପତି ରାଜାଙ୍କ ଦ୍ବାରା ନିଯୁକ୍ତି ପାଇଛନ୍ତି ।
ଲିଖନକାରମାନେ ବଂଶାନୁକ୍ରମେ ପାଂଜି ଲେଖିଆସୁଛନ୍ତି ।
ଏମାନେ ତିନିଭାଗରେ ବିଭକ୍ତ ଯଥା (୧) ଦେଉଳକରଣ (୨) ତିଢାଉକରଣ (୩) କୋଷ୍ଠକରଣ ।
ଦେଉଳକରଣଙ୍କ ଲିଖିତ ପାଂଜି ଶ୍ରୀଜଗନ୍ନାଥ ମନ୍ଦିରରେ, ଚଢାଉକରଣ ଦ୍ବାରା ଲିଖିତ ପାଂଜି ରାଜନଅରରେ ଓ କୋଷ୍ଠକରଣଙ୍କ ଦ୍ବାରା ଲିଖିତ ପାଂଜି ପାଂଜିକାର ଗୃହରେ ରହୁଥିଲା ।
ଅନ୍ୟକେତେକ ଗବେଷକଙ୍କ ମତରେ ଦେଉଳକରଣମାନେ ଶ୍ରୀଜଗନ୍ନାଥ ମନ୍ଦିରର ପର୍ବପର୍ବାଣୀ ତଥା ନୀତି ସଂପର୍କରେ ଲେଖୁଥିଲେ ଓ ତଢାଉକରଣମାନେ ଓଡିଶାର ରାଜାଙ୍କର ରାଜ୍ୟଶାସନ ଓ କୀର୍ତ୍ତିକଳାପର ଧାରାବାହିକ ବିବରଣୀ ଲିପିବଦ୍ଧ କରୁଥିଲେ ।
ଓଡିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି ।
ପାଂଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଂଗ ପ୍ରଧାନ ।
ଏସବୁ ଗଳ୍ପ ଓଡିଶାର ପୁରପଲ୍ଲୀରେ ବହୁଳ ପ୍ରଚଳିତ ।
ଏଥିରେ ସତ୍ୟତା ନଥିଲେହେଁ ଏଥିରେ ଅର୍ନ୍ତନିହିତ ଥିବା ସାମାଜିକ ଆନନ୍ଦବୋଧ ଓ ନୀତିଶିକ୍ଷା ତଥା ଧାର୍ମିକ ବିଶ୍ବାସକୁ କେବେହେଲେ ଅସ୍ବୀକାର କରାଯାଇନପାରେ ।
ପାଂଜିର ଥିବା କେତୋଟି କାହାଣୀ ପ୍ରଦତ୍ତ ହେଲା”
ଚୁଡଗଙ୍ଗଙ୍କ ସମ୍ବନ୍ଧରେ ଏକ କାହାଣୀ:-
” ଏ ରାଜା ବ୍ରାହ୍ମଣମାନଙ୍କୁ ପଚାରିଥିଲେ ।
ଯଉ ଫଳ ଉପୁଯାଇ ସେ ଫଳ ଖାଇ କି ନଖାଇ ।
ତହିଁକି ବ୍ରାହ୍ମଣେ ବୋଇଲେ ଯେ ଫଳ ଉପୁଯାଇ ସେ ଫଳ ଖାଇ ।
ସେଠାରୁ ରାଜା ଝିଅଙ୍କ ସଂଗେ ଅଙ୍ଗସଙ୍ଗ ହେଲେ ।
ସେ ଝିଅ ଗର୍ଭବାସ ହେଲେ ।
ତହିଁ ସକାସୁଁ ସେ କଥା ପ୍ରଘଟ ହେଲା ସେଠାରୁ ରାଜା ବ୍ରାହ୍ମଣଙ୍କୁ ପଚାରିଲେ ତହିଁକି ବ୍ରାହ୍ମଣମାନେ କହିଲେ ‘ତୁମ୍ଭେ ଝିଅ ସଂଗେ ଅଙ୍ଗସଙ୍ଗ ହେଲ ।
ଏକଥା ଗର୍ହିତ ହେଲା ।
ଏକଥା ଉଚିତ ନୁହଁ ।
ତହିଁକି ରାଜା ପଚାରିଲେ ଏଥିକି ପ୍ରାଶ୍ଚିତ ।
ତହିଁକି ବ୍ରାହ୍ମଣ କହିଲେ ‘ଦୁଇ ମାଠିଆ ପାଣି ଘେନି ଚାଲିଯିବ, ତାହା ଗୋଡରୁ ଯେଉଁଠାରେ ରୁଧିର ଜାତ ହେବ ସେଇଠାରେ ଚାରିବାହି ଆୟତନରେ ପୋଖରୀ ଖୋଳାଯିବ ।
ମଧ୍ୟରେ ଦୀପିଦଣ୍ଡି ହେବ ।
ତହିଁ ଭିତରେ ସେ ଝିଅ ରହିବ ।
କାହାରି ମୁଖ ନ ଚାହିଁବ ।
ଏମନ୍ତ ଯେ ସେ ତାହାଙ୍କ ବିହକ ରହି ।
ତୁମ୍ଭ ଉପସ୍ଥ କଟାହୋଇ ଦୁମ ହୋଇଯିବ ।
ତେବେ ସେ ତହିଁରେ ଦୋଷଯିବ ।
ସେଠାରୁ ସେ ରାଜା ଏହା ଶୁଣି ଝିଅଙ୍କ ହାତରେ କାଖରେ ପାଣି ଦୁଇ ମାଠିଆ ଦେଇ ଚଳାଇଲେ ।
ଏ ଝିଅଙ୍କୁ ଏ ରୂପେ ଚଳାଇଲା ବେଳକୁ ରାଜ୍ୟଲୋକେ ଶୁଣି ବହୁତ ଉପହାସ କଲେ ।
ରାଜା ବଡ ସଂକୋଚ ପାଇଲେ ଝିଅକୁ ନଅରକୁ ନେଲେ ।
ଏ ଉତ୍ତାରୁ ଝିଅଙ୍କୁ ଯେଉଁଯାଏ ବୁଲାଇଲେ ରକତ ଗୋଡରୁ ବହିନଥିଲା ।
ସୀମାନ୍ତ ଘେନି ପୋଖରୀ ଦିପଦଣ୍ଡି କଲେ ।
ଦିପଦଣ୍ଡି କରି ଝିଅକୁ ଆଣି ତହିଁରେ ରଖିଲେ ।
ରାଣୀମାନେ ରାଜାଙ୍କ ମୁଣ୍ଡଛେଚି ମାଇଲେ ସେଇଦିନୁ ପୋଖରୀ କୌଶଲ୍ୟାଗଙ୍ଗ ହୋଇଲା ।
ଏହି କିମ୍ବଦନ୍ତୀରେ ତତ୍‌କାଳୀନ ବ୍ରାହ୍ମଣମାନଙ୍କର କଥା କିପରି ରାଜା ଗ୍ରହଣ କରୁଥିଲେ ଏହା ମାତ୍ର ଉଦାହରଣ ।
ଏତଦ୍‌ବ୍ୟତୀତ ପାପପୁଣ୍ୟର ବିଚାର ଗଳ୍ପରେ ପରିଲକ୍ଷିତ ହୋଇଥାଏ ।
ସେହିପରି ଗଜପତି କପିଳେନ୍ଦ୍ରଙ୍କ ସଂପର୍କରେ ପାଞ୍ଜିରେ ବହୁ କାହାଣୀ ଦୃଷ୍ଟିଗୋଚର ହୋଇଥାଏ ।
ସେଥିମଧ୍ୟରୁ କପିଳା ମୁଣ୍ଡ ଉପରେ ସାପ ଫଣା ଟେକି ଛାଇକୁ ପ୍ରତିରୋଧ କରିବା ଏବଂ ସେ ରାଜା ହେବା କାହାଣୀଟି ହେଉଛି – ‘କପିଳ ଗଛମୂଳେ ଶୋଇଅଛନ୍ତି ମୁହଁରେ ଖରା ପଡିଲାକୁ ନାଗସାପ ଫଣା ଟେକିଅଛି ।
ଏମନ୍ତ ଦେଖି କପିଳ କି ବ୍ରାହ୍ମଣ ଉଠାଇ ଦେଖିଲେ କିଛି ଆପଦ ନାହିଁ ।
ସେ ଦିନୁ ବ୍ରାହ୍ମଣ କପିଳଠାରେ ବଡ ସୁଖ କରିଥାଇ ।
ଥୋକାଏ ଦିନ ଉତ୍ତାରେ ବ୍ରାହ୍ମଣ ଘରୁ କପିଳ ବାହାର ହୋଇ ତେରାଟିଆଙ୍କ ସଙ୍ଗେ ସାଙ୍ଗ ହୋଇ ଚୋରି କଲେ ।
ପୁଣି ଥୋକାଏ ଦିନ ଉତ୍ତାରୁ ଭିକାରି ହୋଇ ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ମାଗି ଖାଆନ୍ତି ।
ଏମନ୍ତରେ ରାଜା ବିମ୍ବଳାଇଙ୍କଠାରେ ଦେଖି ବୋଇଲେ ତୁମ୍ଭେ କି ଲୋକ ।
କପିଳ କହିଲେ ଆମ୍ଭେ ସୂର୍ଯ୍ୟବଂଶୀ ରାଉତ ।
ଏଥକୁ ରାଜା କହିଲେ ଆମ୍ଭଠାରେ ଚାକର ରହ ।
ଏଥକୁ କପିଳ ରାଉତ ଚାକର ରହିଲେ ।
ଥୋକାଏ ଦିନ ଉତ୍ତାରୁ ପରମେଶ୍ବର କପିଳ ରାଉତଙ୍କୁ ରାଜା କରି ଆଜ୍ଞା ଦେଲେ ।
ମାଦଳାପାଞ୍ଜିକୁ ବିଶ୍ଳେଷଣ କଲେ ଅନେକ କିମ୍ବଦନ୍ତୀ ଓ କାହାଣୀ ଉପଲବ୍‌ଧ ହୋଇଥାଏ ।
କିମ୍ବଦନ୍ତୀ ଓ କାହାଣୀ ସଂଯୋଗରେ ଏହାର ଐତିହାସିକ ମୂଲ୍ୟ କ୍ଷୁର୍ଣ୍ଣ ହେଲେହେଁ ସାହିତ୍ୟିକ କଳାତ୍ମକତା ପରିଲକ୍ଷିତ ହୋଇଥାଏ ।
ଓଡିଆ ଗଦ୍ୟ ସାହିତ୍ୟ ବିକାଶରେ ମାଦଳାପାଞ୍ଜିର ସ୍ଥାନ ସ୍ବତନ୍ତ୍ର ।
ଡକ୍ଟର ସୁନୀତ କୁମାର ଚାଟାର୍ଜୀଙ୍କ ମତରେ ଖୁଟିନାଟି ବ୍ୟାପାରରେ ଭୁଲଭ୍ରାନ୍ତି ଦୋଷତ୍ରୁଟି ଥାକିଲେ ଓ ପାଂଜିତେ ଅନ୍ତତଃ ମଧ୍ୟଯୁଗର ଉଡିୟା ଗଦ୍ୟର ମୂଲ୍ୟବାନ ନିଦର୍ଶନ ଲିଖିତ ହୋଇଛି ତାହା ସ୍ବୀକାର କରିତୟେ ।
’ ଯଥାର୍ଥରେ ଓଡିଆ ଗଦ୍ୟ ସାହିତ୍ୟ ବିକାଶ ଆଲୋଚନାରେ ମାଦଳାପାଞ୍ଜି ନିଜର ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ।
ମାଦଳାପାଞ୍ଜିରେ ତିନିପ୍ରକାର ଭାଷା ପରିଲକ୍ଷିତ ହୁଏ ।
ଯଥା (୧) ସାଧାରଣ ଭାଷା (୨) ମୁଦଲଭାଷା (୩)ଘୋଷଣାଭାଷା ।
ସାଧାରଣ ଭାଷା ସରଳ ଓ ସୁବୋଧ ।
ମୁଦଲର ଭାଷା ସଂସ୍କୃତ ଶଦ୍ଦ ବହୁଳ ।
ଏହାର କାବ୍ୟ ଯଥେଷ୍ଟ ଦୀର୍ଘ ଓ ଜଟିଳ ।
ଘୋଷଣାଭାଷା କେତେକ କ୍ଷୁଦ୍ର ବାକ୍ୟର ସମ୍ମିଶ୍ରଣ ।
ଏହା ବ୍ୟତୀତ ପୂଜାବିଧି, ଚିଠି ଓ ପରୱାନାର ଭାଷା ସ୍ବତନ୍ତ୍ର ।
ମାଦଳାପାଞ୍ଜି କୌଣସି ନିର୍ଦ୍ଧିଷ୍ଟ ଭାଷା ଶୈଳୀକୁ ଅନୁସରଣ କରିନାହିଁ ।
ବିଭିନ୍ନ ଲିଖନକାରଙ୍କଦ୍ବାରା ବିଭିନ୍ନ ସମୟରେ ଲିଖନ କରାଯାଇଥିବାରୁ ଏହାର ଭାଷାରେ ଶୈଳୀଗତ ପାର୍ଥକ୍ୟ ପରିଲକ୍ଷିତ ହେବା ସ୍ବାଭାବିକ ।
ଅଳଙ୍କାର ସଂଯୋଜନା କ୍ବଚିତ ପରିଲକ୍ଷିତ ହୋଇଥାଏ ।
ପରବର୍ତ୍ତୀ କାଳରେ ଓଡିଆ ସାହିତ୍ୟରେ ମାଦଳାପାଞ୍ଜିର ପ୍ରଭାବ ସ୍ପଷ୍ଟ ।
ବହୁକାବ୍ୟ ନାଟକ ଉପନ୍ୟାସରେ ମାଦଳାପାଞ୍ଜି ବର୍ଣ୍ଣିତ କାହାଣୀକୁ ନେଇ ସୃଷ୍ଟି ହୋଇଛି ।
ଓଡିଆ ଲୋକ ସାହିତ୍ୟ ଦିଗରୁ ମାଦଳାପାଞ୍ଜି ସ୍ବତନ୍ତ୍ର ଆଲୋଚନା ଆବଶ୍ୟକ ।
ଓଡିଆ ପୁରପଲ୍ଲୀରେ ଅଦ୍ୟାବିଧି ନିତେଇ ଧୋବଣୀ, କାଉଁରୀ ମନ୍ତ୍ର, ଗୁଣିଗାରେଡି ପ୍ରଭୃତି ଲୋକକଥା ପ୍ରଚଳିତ ।
ପୁରୁଷୋତ୍ତମଙ୍କ ‘କାଞ୍ଚକାବେରୀ କାବ୍ୟ’ର କଥାବସ୍ତୁ ମାଦଳାପାଞ୍ଜିରୁ ସଂଗୃହୀତ କାଞ୍ଚିରୁ ଗଣେଶ ଶ୍ରୀକ୍ଷେତ୍ର ଆସିବା, ସାନବିପ୍ର ବଡବିପ୍ର କଥା, ମାଣିକ ଗଉଡୁଣୀ କଥା ଓ ଛେରା ପହରା ପ୍ରସଙ୍ଗ ଇତ୍ୟାଦି ଏହି କାବ୍ୟରେ ବର୍ଣ୍ଣିତ ।
ବଳରାମଦାସଙ୍କ ଜଗମୋହନ ଛାନ୍ଦ, ଚକ୍ରପାଣି ପଟ୍ଟନାୟକଙ୍କ ଗୁଣ୍ଡିଚା ଚାମ୍ପୁର କଥାବସ୍ତୁ ଉପରେ ମାଦଳାପାଞ୍ଜିର ପ୍ରଭାବ ପରିଲକ୍ଷିତ ହୋଇଥାଏ ।
କୃପାସିନ୍ଧୁ ଦାସଙ୍କ ଚତୁର୍ଦ୍ଧାମୂର୍ତ୍ତି ଜଗନ୍ନାଥ ଦାସଙ୍କ ନିତ୍ୟନୀଳାଦ୍ରି ବିଳାସ ଓ ଦାରୁବ୍ରହ୍ମ ଗୀତାରେ ସେବାଉପାସନା ପ୍ରସଙ୍ଗ, ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପ୍ରଭୃତି ମାଦଳାପାଞ୍ଜିର ଅନୁରୂପ ।
ମାଗୁଣି ଦାସ, ଦାମୋଦର ଦାସ ଓ ନୀଳାମ୍ବର ଦାସଙ୍କ ଦେଉଳ ତୋଳାରେ ବର୍ଣ୍ଣିତ ଗାଲମାଧବ ପ୍ରସଂଗ ପାଞ୍ଜିର ଅନୁସରଣରେ କରାଯାଇଛି ।
ସେହିପରି ଚାନ୍ଦଦାସ ଗୋପୀଚନ୍ଦନ କାବ୍ୟରେ ବର୍ଣ୍ଣିତ ରାମଚନ୍ଦ୍ରଦେବଙ୍କ ଅଭିନବ ଇନ୍ଦ୍ରଦ୍ୟୁମ୍ନ ପ୍ରସଙ୍ଗ ପାଂଜିର ଅନୁରୂପ ।
ସପ୍ତଦଶ ଶତାଦ୍ଦୀରେ ଜଗନ୍ନାଥ ନାରାୟଣ ଦେବଙ୍କ ଲିଖିତ ଗଙ୍ଗାଯାତ୍ରା ବିବରଣୀରେ ଶ୍ରୀଜଗନ୍ନାଥଙ୍କୁ ପାତାଳି ପାଇଁ ନିଆଯାଇଥିବା ଗତିପଥର ସ୍ଥାନ ବର୍ଣ୍ଣନା ଅବିକଳ ପାଞ୍ଜିରେ କରାଯାଇଛି ।
କବିବର ରାଧାନାଥ ରାୟ ‘ପାର୍ବତୀ’ କାବ୍ୟରେ ଚୋଡଗଙ୍ଗ ଦେବ ଓ କୌଶଲ୍ୟାଙ୍କର ଯେଉଁ ଅବୈଧ ପ୍ରଣୟର ବର୍ଣ୍ଣନା କରିଛନ୍ତି ସେଥିପାଇଁ ସେ ପାଂଜି ଉପରେ ନିର୍ଭରଶୀଳ ।
ରାଧାନାଥ ‘ଚିଲିକା’ କାବ୍ୟରେ ରକ୍ତବାହୁ ପ୍ରସଙ୍ଗ ମାଦଳାପାଞ୍ଜିର ଅବଲମ୍ବନରେ ଲିଖିତ ଗଜପତି ପୁରୁଷୋତ୍ତମ ଦେବଙ୍କ ସହ କାଞ୍ଚିରାଜ ଜେମାଙ୍କ ବିବାହ ବିବାଦ ପ୍ରସଙ୍ଗରେ କାଞ୍ଚିଯୁଦ୍ଧରେ ଶ୍ରୀଜଗନ୍ନାଥ ଓ ବଳଭଦ୍ର କଳାଘୋଡା ଓ ଧଳାଘୋଡା ଚଢିଯିବା, ମାଣିକ ଗଉଡୁଣୀଠୁ ଦୁହେଁ ଦହିଖାଇବା ପାଞ୍ଜି ବର୍ଣ୍ଣିତ କହାଣୀ ।
ପାଂଜିବର୍ଣ୍ଣିତ କାହାଣୀକୁ ଅନୁସରଣ କରି ରାମଶଙ୍କର ରାୟ ‘କାଞ୍ଚିକାବେରୀ’ ନାଟକ, ଗୋଦାବରୀଶ ମିଶ୍ର ପୁରୁଷୋତ୍ତମ ଦେବଙ୍କ ନାଟକ ଓ କାଳୀ ଚରଣ କାଞ୍ଚିଅଭିଯାନ ନାଟକ ଲିଖିତ ଓ ପାଠକ ଆଦିଙ୍କ ଦ୍ବାରା ଆଦୃତ ।
ଗୋଦାବରୀଶଙ୍କ ମୁକୁନ୍ଦଦେବ ଓ ଅଶ୍ବନୀକୁମାର କଳାପାହାଡ ନାଟକରେ ମୂଳ ଘଟଣା ପାଂଜିକୁ ଅନୁସରଣ କରିଛି ।
ସୁରେନ୍ଦ୍ର ମହାନ୍ତି ଅତ୍ୟାଧୁନିକ ଯୁଗରେ ‘ନୀଳଶୈଳ’ ଓ ‘ନୀଳାଦ୍ରି ବିଜୟ’ ଉପନ୍ୟାସ ଶ୍ରୀଜଗନ୍ନାଥଙ୍କୁ କେନ୍ଦ୍ରକରି ରଚିତ ।
ଦ୍ବିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ମୁସଲମାନ ଆକ୍ରମଣରୁ ଶ୍ରୀଜଗନ୍ନାଥଙ୍କୁ ରକ୍ଷାକରିବା ପାଇଁ ଚିଲିକାରେ ଲୁକାୟିତ ଭାବରେ ରହିବା ଓ ପରେ ରତ୍ନସିଂହାସନରେ ବିଜେହେବାର ଘଟଣାକୁ ନେଇ ଏ ଦୁଇ ଉପନ୍ୟାସ ରଚିତ ।
ପାଂଜି ବର୍ଣ୍ଣିତ କିମ୍ବଦନ୍ତୀକୁ ସୁରେନ୍ଦ୍ର ମହାନ୍ତି ବିଷୟବସ୍ତୁ ରୂପେ ଗ୍ରହଣ କରିଛନ୍ତି ।
ପର୍ଯ୍ୟାଲୋଚନା କଲେ ଜଣାଯାଏ ଆଜିପର୍ଯ୍ୟନ୍ତ ମାଦଳାପାଞ୍ଜି ଓଡିଆ ସାହିତ୍ୟର ବିଭିନ୍ନ ଦିଗକୁ ପ୍ରଭାବିତ କରିଆସିଛି ।
ମାଦଳାପାଞ୍ଜିର ପ୍ରଭାବରେ ଓଡିଶାରେ ଅନେକ ଗୁଡିଏ ପାଞ୍ଜି ଦେଖାଯାଏ ।
ଜଗନ୍ନାଥ ମହାପ୍ରଭୁ ଓ ଠାକୁର ରାଜାଙ୍କ ଉପରେ ମାଦଳାପାଞ୍ଜି ରଚିତ ହୋଇଥିବାରୁ ଉତ୍କଳରେ ଏହା ସର୍ବତ୍ର ସୁପରିଚିତ ସହ ପ୍ରଭାବ ବିସ୍ତାର କରିବା ସ୍ବାଭାବିକ ।
ମାଦଳାପାଞ୍ଜିର ଅନୁକରଣରେ ‘କଳାହାଣ୍ଡିମାଦଳା’, ‘କେଉଁଝରମାଦଳା’ ରଚିତ ।
ଏହା ବ୍ୟତୀତ ଗୋପୀନାଥ ମିଶ୍ରଙ୍କ ପଟିଆ ରାଜାଙ୍କ ବଂଶାବଳୀ, ସୂର୍ଯ୍ୟମଣି ଚ୍ୟାଉ ପଟ୍ଟନାୟକଙ୍କ ‘ଘୁମୁସୁର ଭଟ୍ଟ ବଂଶାବଳୀ’ ପଦ୍ମନ ସିଂହଙ୍କ ‘ନାଗବଂଶ ରଚିତ’ ଫକୀର ଚଇନଙ୍କ ‘ଚଇନଙ୍କ ଚକଡା’ ମାଦଳାପାଞ୍ଜି ପ୍ରଭାବରେ ରଚିତ ।
ମାଦଳାପାଞ୍ଜିକୁ ସାହିତ୍ୟ ରୂପେ ଗ୍ରହଣ ନକଲେହେଁ ଅତୀତ ଘଟଣାବଳୀର ଲିପିବଦ୍ଧ କରିବାର ପ୍ରଥମ ପ୍ରୟାସ ।
ଏଥିରେ ଅନେକ ସାହିତ୍ୟିକ କଥାବସ୍ତୁର ଐତିହାସିକ ତଥ୍ୟ ରହିଛି ।
ପାଂଜି ବର୍ଣ୍ଣିତ ଅନେକ ଅଦ୍ଭୁତ କାହାଣୀ ମଧ୍ୟ ପାଠକକୁ ଆନନ୍ଦ ପ୍ରଦାନ କରିଥାଏ ।
ମାଦଳାପାଞ୍ଜି ସମ୍ପର୍କରେ ଏତିକି କୁହାଯାଇପାରେ ପାଞ୍ଜିକାରଗଣ ଯଥାର୍ଥତଃ ସାହିତ୍ୟିକ ନହେଲେହେଁ ସେମାନଙ୍କର କଳ୍ପନା ବିକାସିତା ଓ କାହାଣୀ ବର୍ଣ୍ଣନାର କଳା ଆଜି ପର୍ଯ୍ୟନ୍ତ ଓଡିଆ ସାହିତ୍ୟିକମାନଙ୍କୁ ପ୍ରଭାବିତ କରିଥିବାରୁ ଏହାର ସାହିତ୍ୟିକ ଅବଦାନକୁ ଅସ୍ବୀକାର କରାନଯାଇପାରେ ।
ଏବଂ ମାୟାଧର ମାନସିଂହଙ୍କ ମତ ହେଲା ‘ଛିନ୍ନ-ବିଚ୍ଛିନ୍ନ ଭାବରେ ଆମେ ପାଞ୍ଜିର ପୃଷ୍ଠାମାନଙ୍କରୁ ପ୍ରାଚୀନ ଓଡିଶାର କେତୋଟି ସାମାଜିକ ଚିତ୍ରାବଳୀ ପାଉ ତାହାହିଁ ବୋଧହୁଏ ଏହି ଗ୍ରନ୍ଥର ଏକମାତ୍ର ସାହିତ୍ୟିକ ମୂଲ୍ୟ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment