Commit 30d8aada authored by Nayan Ranjan Paul's avatar Nayan Ranjan Paul

Upload New File

parent 238afad9
ସାହିତ୍ୟିକମାନେ ସର୍ବଦା ସମାଜର ପରିବର୍ତ୍ତନ ଦିଗରେ କାର୍ଯ୍ୟ କରିଛନ୍ତି
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ମେ ୯, ୨୦୧୧
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ ଏବଂ ସାରସ୍ବତ ସମ୍ମାନ ପ୍ରଦାନ ସମାରୋହ
ରାଉରକେଲା: ରାଉରକେଲାର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦର ୪୦ତମ ବାର୍ଷିକୋତ୍ସବ, ସମ୍ବର୍ଦ୍ଧନା ସଭା, ପୁସ୍ତକ ଉନ୍ମୋଚନ ଓ କବିତା ପାଠିତ୍ସବ ଗତକାଲି ଅନୁଷ୍ଠିତ ହୋଇଯାଇଛି ।
ଅନୁଷ୍ଠାନର ସେକ୍ଟର-୭ ସ୍ଥିତ ସଂସଦ ଭବନ ଠାରେ ଆୟୋଜିତ ଉତ୍ସବରେ ରାଉରକେଲାର ବହୁ ବିଶିଷ୍ଟ କବି, ସାହିତ୍ୟିକ, ବୁଦ୍ଧିଜୀବୀ ଏବଂ ଅନୁଷ୍ଠାନ ସଦସ୍ୟସଦସ୍ୟାଗଣ ଏଥିରେ ଯୋଗ ଦେଇଥିଲେ ।
ଯୋଗାଣ ମନ୍ତ୍ରୀ ସାରଦା ନାୟକ, ରଘୁନାଥପଲ୍ଲୀ ବିଧାୟକ ସୁବ୍ରତ ତରାଇ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ ।
ଉତ୍ସବରେ ସାହିତ୍ୟ ସଂସଦର ମୁଖପତ୍ର ସ୍ତବକ ର ବାର୍ଷିକ ସଙ୍କଳନକୁ ଯୋଗାଣ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।
ଏହା ସହିତ କବି ନୃସିଂହ ବିଶ୍ବାଳଙ୍କ ଜହ୍ନି ଫୁଲ ଠୋ ଠା, ସୁରେନ୍ଦ୍ର ପାଢୀଙ୍କର ସକାଳର ସୁରୂଜ, ନିତ୍ୟାନନ୍ଦ ନାୟକଙ୍କ ରାହୁଗ୍ରସ୍ତ ସୂର୍ଯ୍ୟ, ତ୍ରିଲୋଚନ ମଥାନଙ୍କର ଆମ ଠିକଣା, ଶଙ୍କର ପ୍ରସାଦ ପତିଙ୍କ କବିତା କଦମ୍ବ, ମନସ୍ବିନୀ ଦାସଙ୍କର ଏବଂ ପ୍ରଥମ ଓ ବ୍ରଜ ବିହାରୀ ଦାସଙ୍କ ଲିପି ବୁଝିଗଲା ପୁସ୍ତକକୁ ଅତିଥିଗଣ ଉନ୍ମୋଚିତ କରିଥିଲେ ।
ସହରର ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ର ଓ କବି ଭଗବାନ ଚନ୍ଦ୍ର ରାଉତଙ୍କୁ ସେମାନଙ୍କର ସାମଗ୍ରିକ କୃତି ନିମନ୍ତେ ଚଳିତ ବର୍ଷ ଇସ୍ପାତ ସାହିତ୍ୟ ସଂସଦର ସର୍ବୋଚ୍ଚ ସମ୍ମାନ ବ୍ୟାସକବି ପୁରସ୍କାର ସହିତ ମାନପତ୍ର ଏବଂ ଉପଢ଼ୌକନରେ ସମ୍ମାନିତ କରାଯାଇଥିଲା ।
ଏହା ବ୍ୟତୀତ ଅନ୍ୟନ୍ୟ ସାରସ୍ବତ ସମ୍ମାନରେ ମୋଟ ୯ ଜଣ ସାହିତ୍ୟିକଙ୍କୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ କରାଯାଇଥିଲା ।
ଶେଷରେ ଏକ ମନୋଜ୍ଞ କବିତାପାଠ ଉତ୍ସବରେ ୩୦ରୁ ଊର୍ଦ୍ଧ କବି କବିତା ପାଠ କରିଥିଲେ ।
ମ୍ୟୁଜିକ୍ ସର୍କଲର ବାସନ୍ତିକା ସାହିତ୍ୟ ସମାରୋହ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ମେ ୬, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
MUSIC_CIRCLEରାଉରକେଲା: ସହରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ମ୍ୟୁଜିକ୍ ସର୍କଲ ପକ୍ଷରୁ ବାସନ୍ତିକା ସାହିତ୍ୟ ସମାରୋହ-୨୦୧୧ ଏବଂ ବହୁଭାଷୀ କବି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଯୋଗ ଦେଇ ଏହିପରି ବହୁ ଭାଷାଭାଷୀ କବି ସମ୍ମେଳନ ମାଧ୍ୟମରେ ବିଭିନ୍ନ ଭାଷାର ସାହିତ୍ୟିକମାନଙ୍କ ମଧ୍ୟରେ ଭାବର ଆଦାନ ପ୍ରଦାନ ବୃଦ୍ଧି ହୋଇପାରିବ ବୋଲି କହିଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ଭାବେ ଡ଼.ଆଦିକନ୍ଦ ସାହୁ “ପ୍ରେମ ଓ ବସନ୍ତ” ଉପରେ ଆଲୋଚନା କରି ଯେ କୌଣସି ମନ୍ତ୍ର ପାଠ ଠାରୁ ଅଧିକ ପବିତ୍ର ହେଉଛି ପ୍ରେମ ।
ପ୍ରେମ ହିଁ ମଣିଷର ଭାଗ୍ୟପଥକୁ ବଦଳାଇବା ସହ ଆଗକୁ ଯିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଥାଏ ବୋଲି କହିଥାଏ ।
ସମ୍ମାନିତ ବକ୍ତା ଭାବେ କବି ରାଜୀବ ପାଣି ପ୍ରେମ ମାଧ୍ୟମରେ ଜୀବନର ଶୁଦ୍ଧିକରଣ ହୋଇଥାଏ ବୋଲି କହିଥିଲେ ।
ପ୍ରାରମ୍ଭରେ ମ୍ୟୁଜିକ ସର୍କଲ୍‌ର ସାଧାରଣ ସମ୍ପାଦିକା ଅଳକା ଚାନ୍ଦ ସାହିତ୍ୟ, ନୃତ୍ୟ, ସଂଗୀତ ତଥା ନାଟକ ହେଉଛି ଆନୁଷ୍ଠାନର ଆତ୍ମା ବୋଲି ଅଭିହିତ କରିଥିଲେ ।
ସଭାପତି ଦେବେନ୍ଦ୍ର ନାରାୟଣ ପତି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଅନୁଷ୍ଠାନର ବାର୍ଷିକ ପତ୍ରିକା “ବାସନ୍ତିକା” କୁ ଅତିଥିଗଣ ଉନ୍ମୋଚିତ କରିଥିଲେ ।
ପରେ ଆୟୋଜିତ କବି ସମ୍ମିଳନୀରେ ଡ.କୃପାସିନ୍ଧୁ ନାୟକ, ଶୈଲେନ୍ ଭଟ୍ଟାଚାର୍ଯ୍ୟ, ଡ.ମଧୁସୂଦନ ସାହା, ତ୍ରିନାଥ ସିଂହ, ସସ୍ମିତା ନାଥ, ସନ୍ତୋଷ ଶ୍ରୀବାସ୍ତବ, ଅଙ୍ଗୁରବାଳା ପରିଡା, ରାଧୁ ମିଶ୍ର, ଗ୍ୟାସ ଅଞ୍ଜୁମ, ରାମଗୋପାଳ ବାନାର୍ଜୀ, ଶ୍ୟାମ ସୋମାନି ପ୍ରମୁଖ, ଶ୍ୟାମ୍‌ଲାଲ୍ ସିଂହଲପ୍ରମୁଖ କବିତା ପାଠ କରିଥିଲେ ।
କବିତା ଆସରକୁ ବ୍ୟଙ୍ଗକବି ରାଧୁ ମିଶ୍ର ଓ ଅଙ୍ଗୁରବାଳା ପରିଡା ସଂଯୋଜନା କରିଥିଲେ ।
ଶେଷରେ କଣ୍ଠଶିଳ୍ପୀ ସଂଗ୍ରାମ ପତି ଓ ତପନ କୁମାର ନାୟକ ସଂଗୀତ ପରିବେଷଣ କରିଥିଲେ ।
ଓଡ଼ିଶା ଲେଖିକା ସଂସଦର କବିତା ଆସର
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ମେ ୬, ୨୦୧୧
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ରାଉରକେଲା: ଓଡ଼ିଶା ଲେଖିକା ସଂସଦ ସୁନ୍ଦରଗଡ଼ ଶାଖା ରାଉରକେଲା ପକ୍ଷରୁ ସ୍ଥାନୀୟ ମ୍ୟୁଜିକ୍‌ ସର୍କଲ ପରିସରରେ କବି ବିଦ୍ୟୁତ୍‌ପ୍ରଭା ଦେବୀଙ୍କ ଜୀବନାଦର୍ଶ ଉପରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି ।
ଆସର ଆରମ୍ଭରେ ଅଧ୍ୟାପିକା କଳ୍ପନା ଭୂୟାଁ କବିଙ୍କ ଜୀବନୀ ତଥା ଆଦର୍ଶ ଉପରେ ଏକ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ ।
ମୁଖ୍ୟବକ୍ତା ଭାବେ ଡ.ଆଦିନନ୍ଦ ସାହୁ ବିଦ୍ୟୁତ୍‌ପ୍ରଭା ଦେବୀ ସଂସାର ଜଞ୍ଜାଳରେ ବାନ୍ଧି ହୋଇ ମଧ୍ୟ ସାହିତ୍ୟକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ଏବଂ ତାଙ୍କ ରଚିତ ଅନେକ ପଲ୍ଲୀ କବିତା ଏବେ ମଧ୍ୟ ଲୋକମାନଙ୍କ ମାନସପଟରେ ଲିପିବଦ୍ଧ ହୋଇ ରହିଛି ବୋଲି କହିଥିଲେ ।
ଲେଖିକା ସଂସଦ ସୁନ୍ଦରଗଡ଼ ଶାଖାର ଆବାହିକ ଅଳକା ଚାନ୍ଦ ବର୍ତ୍ତମାନର କର୍ପୋରେଟ୍‌ ସଂସ୍କୃତିରେ ମଣିଷ ଜୀବନ ଭାରି ନିସଙ୍ଗ ହୋଇପଡୁଛି, ଯେଉଁଥି ପାଇଁ ମଣିଷ ଅଧିକ ଭାବେ ଜୀବନବାଦୀ ହେବା ଅପେକ୍ଷା ଭୋଗବାଦୀ ହୋଇପଡୁଛି ବୋଲି କହିଥିଲେ ।
ଏହି ଅବସରରେ ଆୟୋଜିତ କବିତା ଆସରରେ ସ୍ନେହଲତା ନାୟକ, ରାଜୀବ ପାଣି, ସୁନୀଲ ମହାନ୍ତି, ମୀନକେତନ ପଶାୟତ, ଡ.କିଶୋରୀ ଦାସ, ନିର୍ମଳା ମହାପାତ୍ର, ଡ.ଗୀତାଞ୍ଜଳି ପତି, ହିମାଂଶୁ ସାହୁ, ନମିତା ପାଇକରାୟ, କଳ୍ପନା ଭୂୟାଁ, ତ୍ରିଲୋଚନ ସ୍ବାଇଁ, ସବ୍ୟସାଚୀ ନାୟକ ପ୍ରମୁଖ କବିତା ପାଠ କରିଥିଲେ ।
ଆମେ ଓଡିଆର ବାର୍ଷିକୋତ୍ସବ ଓ ବିଷୁବମିଳନ – ୨୦୧୧ ଅନୁଷ୍ଠିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୨୬, ୨୦୧୧
ମୂଳ ପୃଷ୍ଠା → ସାହିତ୍ୟ ଜଗତ ଖବର →
ଭୁବନେଶ୍ବର: ଓଡିଆ ଭାଷା, ସାହିତ୍ୟସଂସ୍କୃତି ଓ ସ୍ବାଭିମାନର ବିକାଶ ମଞ୍ଚ “ଆମେ ଓଡିଆ”ର ଷଷ୍ଠ ବାର୍ଷିକୋତ୍ସବ ଏବଂ ବିଷୁବ ମିଳନ-୨୦୧୧ ସୂଚନା ଭବନଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଚିତ୍ରକର ଏବଂ ସାହିତ୍ୟିକ ଡ.ଦୀନନାଥ ପାଠୀ ଏବଂ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ଏବଂ ଦୈନିକ ଖବର ର ସମ୍ପାଦକ ଅଧ୍ୟାପକ ବିଶ୍ବରଞ୍ଜନ, ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର୍‌ ଦେବୀପ୍ରସାଦ ରାୟ ଯୋଗଦେଇଥିଲେ ।
ମୁଖ୍ୟ ଅତିଥି ଡ.ପାଠୀ ଓଡିଆ ରୂପେ ପରିଚୟ ସୃଷ୍ଟି କରିବାକୁ ହେଲେ ପ୍ରତ୍ୟେକ ଓଡ଼ିଆ ନିଜ ଘରେ ନିଜର ପ୍ରିୟ କବି, ଲେଖକ କିମ୍ବା ଚିତ୍ରକରଙ୍କ ବହି ସମେତ ଭାଗବତ, ରାମାୟଣ ଓ ଗୀତଗୋବିନ୍ଦ ଆଦି ରଖିବାକୁ ଆହ୍ବାନ ଦେଇ ଏହା କରିପାରିଲେ ନିଜକୁ ଜଣେ ଓଡିଆ ରୂପେ ପ୍ରତିପାଦିତ କରିବା ସହିତ ଜାତିର ବିକାଶ ହେବ ବୋଲି କହିଥିଲେ ।
ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଡ.ଦୀନନାଥ ପାଠୀଙ୍କୁ “ଆମ ଓଡିଆ” ସମ୍ମାନ ଏବଂ ସାରସ୍ବତ ସମ୍ମାନରେ ପ୍ରଫୁଲ୍ଲ କୁମାର ରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଓଡିଶାର ରୀତିନୀତି ଉପରେ ଆଧାରିତ ଅନୁଷ୍ଠାନର ମୁଖପତ୍ର “ସ୍ବାଭିମାନ” ଏବଂ ଡ.ଗଙ୍ଗାଧର ନାୟକଙ୍କ କବିତା ସଙ୍କଳନ “ସମୟାନ୍ତର”କୁ ଏହି ଅବସରରେ ଅତିଥିଗଣ ଉନ୍ମୋଚିତ କରିଥିଲେ ।
ଶେଷରେ ଓଡିଶାର କଳା ଓ ସଂସ୍କୃତି ଉପରେ ପର୍ଯ୍ୟବେଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ସମଗ୍ର କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଭାପତି ରବିନାରାୟଣ ସେନାପତି, ସମ୍ପାଦକ ଡ.ଗଙ୍ଗାଧର ନାୟକ ଏବଂ ଡ.ବୈରାଗୀ ଚରଣ ପଟ୍ଟନାୟକ ସଂଚାଳନ କରିଥିଲେ ।
ପ୍ରାଚୀନ ପୁସ୍ତକଗୁଡିକର ପୁର୍ନମୁଦ୍ରଣ ହେବା ଆବଶ୍ୟକ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ମାର୍ଚ୍ଚ୍ ୫, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
କଟକ : ପୁସ୍ତକ ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ ।
ସବୁ ଜାଗାରେ, ସବୁ ସମୟରେ, ସବୁ ପରିସ୍ଥିତିରେ ପୁସ୍ତକକୁ ବ୍ୟବହାର କରିହେବ ।
ମଣିଷ ଜୀବନରେ ପୁସ୍ତକର କୌଣସି ବିକଳ୍ପ ନାହିଁ ।
କଟକର ଐତିହାସିକ ବାଲିଯାତ୍ରା ପଡିଆଠାରେ କଟକ ପୁସ୍ତକମେଳାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ଏ ମତ ପ୍ରଦାନ କରିଛନ୍ତି ।
କଟକ ପୁସ୍ତକମେଳାକୁ ଉଦ୍‌ଘାଟନ କରିଛନ୍ତି ଓଡ଼ିଆ ସାହିତ୍ୟଜଗତର ଖ୍ୟାତନାମା କବି ରମାକାନ୍ତ ରଥ ।
ଶ୍ରୀ ରଥ ଏହି ଅବସରରେ ପ୍ରାଚୀନ ପୁସ୍ତକର ପୁର୍ନମୁଦ୍ରଣ ଉପରେ ଗୁରୁତ୍ବ ଦେବା ସହିତ ପୁସ୍ତକର ରାଜଧାନୀ କଟକରେ ନ୍ୟାସ୍‌ନାଲ ବୁକ୍‌ ଟ୍ରଷ୍ଟ ଏ ପ୍ରକାର ଏକ ପୁସ୍ତକମେଳା ଆୟୋଜନ କରିଥିବାରୁ ତାହାର ପ୍ରଶଂସା କରିଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ଅମୀୟ କୁମାର ପଟ୍ଟନାୟକ ।
ଶ୍ରୀ ପଟ୍ଟନାୟକ ପୁସ୍ତକକୁ ମାନବଜାତିର ଇତିହାସର ନିର୍ଭୁଲ ଦଲିଲ ଭାବେ ବର୍ଣ୍ଣନା କରିବା ସହିତ ପୁସ୍ତକ ମଣିଷର ଚେତନାର ବିକାଶରେ ସହାୟକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟତମ ଅତିଥି ଏନବିଟିର ନିର୍ଦ୍ଦେଶକ ସତୀଶ କୁମାର ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଏନିବିଟି ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସିଛି ଓ ଆଗାମୀ ଦିନରେ ଏହି ଧାରାକୁ ଅବ୍ୟାହତ ରଖିବ ବୋଲି ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ଉତ୍ସବରେ ମୁଖ୍ୟବକ୍ତା ପ୍ରଫେସର ଦାଶରଥୀ ପ୍ରସାଦ ଦାସ ପୁସ୍ତକମେଳାର ଆବଶ୍ୟକତା ତଥା ଗୁରୁତ୍ବଉପରେ ମତବ୍ୟକ୍ତ କରିଥିଲେ ।
ପୁସ୍ତକମେଳା କମିଟିର ସଂଯୋଜକ ତଥା ରାଜ୍ୟ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ଉକ୍ଟର ବିଜୟାନନ୍ଦ ସିଂହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହିତ ଓଡ଼ିଆ ଭାଷା ସାହିତ୍ୟର ବିକାଶରେ କଟକର ଗୁରୁତ୍ବପୂର୍ଣ୍ଣ ଭୂମିକା ସଂପର୍କରେ ଅବତାରଣା କରିଥିଲେ ।
ପୁସ୍ତକମେଳାର ଭାରପ୍ରାପ୍ତ ଅଧିକାରୀ ତଥା ଏନବିଟିର ଓଡ଼ିଆ ବିଭାଗର ସଂପାଦକ ଡକ୍ଟର ପ୍ରମୋଦ କୁମାର ସର୍‌ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।
ଏହି ଅବସରରେ ପୁସ୍ତକ ପ୍ରକାଶ ଓ ବିକ୍ରେତା ସଂଘ ପକ୍ଷରୁ ଏନବିଟିର ନିର୍ଦ୍ଦେଶକ ସତୀଶ କୁମାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
କଟକର ଜିଲ୍ଲାପାଳ କିଶୋର କୁମାର ମହାନ୍ତି ସ୍ବାଗତଭାଷଣ ପ୍ରଦାନ କରିଥିବା ବେଳେ ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘର ସଭାପତି କୃଷ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ଏବର୍ଷ କଟକ ପୁସ୍ତମେଳାର ସର୍ବମୋଟ ୧୧୦ଟି ଷ୍ଟଲ ଖୋଲାଯାଇଛି ।
ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ପାଇବେ କବି ସୀତାକାନ୍ତ ମହାପାତ୍ର
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୨୫, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
କଟକ : ୨୦୧୦ ମସିହା ନିମନ୍ତେ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଦ୍ବାରା ପ୍ରତିଷ୍ଠିତ ମର୍ଯ୍ୟାଦାଜନକ ‘ସାହିତ୍ୟଭାରତୀ’ ସମ୍ମାନ ବିଶିଷ୍ଟ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ପାଇବେ ।
ଆଧୁନିକ ଓଡ଼ିଆ କାବ୍ୟ କବିତା ଜଗତରେ ଅନନ୍ୟ ପ୍ରତିଭାଧାରୀ ସୀତାକାନ୍ତ ପ୍ରାୟ ଏକ ଶହ ପୁସ୍ତକ ରଚନା କରିସାରିଛନ୍ତି ।
ତାଙ୍କର ପୁସ୍ତକ ଗୁଡିକ ଭିତରେ ‘ଦୀପ୍ତି ଓ ଦ୍ୟୁତି’, ‘ଅଷ୍ଟପଦୀ’ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ‘ଶବ୍‌ଦର ଆକାଶ’ (କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ), ‘ସମୁଦ୍ର’, ‘ଚିତ୍ରନଦୀ’, ‘ଭାରତବର୍ଷ’ ପରି କବିତାଗ୍ରନ୍ଥ ସହିତ ‘ସମୟର ଆରପାରି’, ‘ସଂସ୍କୃତି’ ପରି ଅନେକ ପ୍ରବନ୍ଧ ସଙ୍କଳନ, ଭ୍ରମଣ ବୃତ୍ତାନ୍ତ ଆଦି ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି ।
ଭାରତର ବହୁ ଭାଷା ସହିତ ୯ଟି ଅଣଭାରତୀୟ ଭାଷାରେ ତାଙ୍କର ପୁସ୍ତକମାନ ଅନୁବାଦିତ ହୋଇ ଦେଶବିଦେଶରେ ବେଶ ପ୍ରଶଂସା ଲାଭ କରିଛି ।
ତାଙ୍କର ସାମଗ୍ରିକ ସାରସ୍ବତ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ଭୂଷିତ କରାଯାଉଛି ।
ଏହି ଉପଲକ୍ଷେ କୋଣାର୍କ ମନ୍ଦିର ମୁଖଶାଳାର ଏକ ରୌପ୍ୟ ପ୍ରତିରୂପ, ଏକଲକ୍ଷ ଟଙ୍କାର ଉପାୟନ ଓ ମାନପତ୍ର କବିଙ୍କୁ ପ୍ରଦାନ କରାଯିବ ।
କବି ଶ୍ରୀ ମହାପାତ୍ରଙ୍କର ଜନ୍ମ କେନ୍ଦ୍ରାପଡା ଜିଲ୍ଲା ଅର୍ନ୍ତଗତ ପାଟକୁରା ଥାନାର ମାହାଙ୍ଗା ଗ୍ରାମରେ ।
ରମଣୀୟା ଚିତ୍ରୋତ୍ପଳାକୂଳରେ ଅବସ୍ଥିତ ଏହି ଗ୍ରାମଟିର ଜନ୍ମିତ ସୀତାକାନ୍ତ ପିଲାଟି ଦିନରୁ ଚିତ୍ରୋତ୍ପଳା ନଦୀର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ ।
ତାଙ୍କର କବିତା ପୁସ୍ତକ ‘ଚିତ୍ରନଦୀ’ରେ ଏହାର ବର୍ଣ୍ଣନା ବେଶ ସୁସ୍ପଷ୍ଟ ।
ଉଲ୍ଲଖଯୋଗ୍ୟ ଆଗରୁ ଓଡ଼ିଶା ସାହିତ୍ୟ ଏକାଡେମୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପରି ଅନେକ ସମ୍ମାନରେ ବିଭୂଷିତ କବି ସୀତାକାନ୍ତ ମହାପାତ୍ର ୨୦୧୦ ମସିହା ପାଇଁ ଭାରତର ମର୍ଯ୍ୟାଦାଜନକ ପଦ୍ମବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଛନ୍ତି ।
ପାଠକ ମାନଙ୍କ ଲାଗି କବି ସୀତାକାନ୍ତ ମହାପାତ୍ରଙ୍କ ଏକ ସ୍ମରଣୀୟ କବିତା ଏଠାରେ ଭେଟି ଦେଉଛୁ ।
ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଯାପିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୨୩, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର : ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ୨୨ ତାରିଖ ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ।
୨୧ ତାରିଖ ଦିନ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ଶ୍ରୀ ଗୋପାଳବଲ୍ଲଭ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ ।
ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ।
ଉଦ୍‌ଯାପନୀ ଉତ୍ସବରେ ସପ୍ତବିଂଶ ଭୁବନେଶ୍ବର ପୁସ୍ତମେଳା ପୁରସ୍କାର ପ୍ରଦାନ କରାଯାଇଥିଲା ।
‘ଓଡ଼ିଆ ସିନେମା : ରୂପ ଓ ରୂପାନ୍ତର’ ପାଇଁ ସୁର୍ଯ୍ୟ ଦେଓଙ୍କୁ ପୁସ୍ତକମେଳା ସାହିତ୍ୟ ପୁରସ୍କାର, ଗଳ୍ପ ‘ସୁନା ପାଉଁଜି’ ପାଇଁ ସୁନନ୍ଦା ପ୍ରଧାନଙ୍କୁ ରବି ପଟ୍ଟନାୟକ ସ୍ମୃତି ଗଳ୍ପ ପୁରସ୍କାର, ‘ଅଜାଙ୍କ ବିଜ୍ଞାନ ପେଡି’ ପୁସ୍ତକପାଇଁ ସୂର୍ଯ୍ୟମଣି ବେହେରାଙ୍କୁ ଶିଶୁ ସାହିତ୍ୟ ପୁରସ୍କାର, ‘ଗଣିତ ଛୁଙ୍କ’ ପୁସ୍ତକ ପାଇଁ ନୀଳାମ୍ବର ବିଶ୍ବାଳଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଅତୁଳ ବଳଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦ ପଟ୍ଟ ଶିଳ୍ପୀ ପୁରସ୍କାର ଓ ସୁବର୍ଣ୍ଣଶ୍ରୀ ପ୍ରକାଶନୀକୁ ଶ୍ରେଷ୍ଠ ପ୍ରକାଶକ ପୁରସ୍କାର ପ୍ରଦାନ କରାଯାଇଛି ।
ଏ ବର୍ଷ ପୁସ୍ତକମେଳାରେ ସର୍ବମୋଟ ୪୫୦ଟି ଷ୍ଟଲ ଖୋଲିଥିବା ବେଳେ ଅଦିନିଆ ବର୍ଷାଯୋଗୁଁ ଏ ବର୍ଷ ପୁସ୍ତକମେଳାରେ କମ୍‌ ବିକାକିଣା ହୋଇଥିବା ଜଣାପଡିଛି ।
ଇଣ୍ଟରନେଟ୍‌ର ଯୁଗରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ଜରୁରୀ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୧୨, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
Pustaka Mela , Bhubaneshwar 2011 ଭୁବନେଶ୍ବର : ସଂପ୍ରତି ଇଣ୍ଟରନେଟ୍‌ର ଯୁଗ ।
ଏବେ ଅଧିକାଂଶ ତଥ୍ୟ ଇଣ୍ଟରନେଟ୍‌ରୁ ସହଜରେ ମିଳିଯାଉଛି ।
ତେଣୁ ବହି ଘାଣ୍ଟିବାକୁ ଆଉ କେହି ଆବଶ୍ୟକ ମନେ କରୁନାହାନ୍ତି ।
ଏଭଳି ସ୍ଥିତିରେ ଲେଖକମାନେ ଲେଖା ଶୈଳୀରେ ନୂତନତ୍ବ ଆଣିବା ସହିତ ତାର ଗ୍ରହଣଶୀଳତା ପ୍ରତି ଧ୍ୟାନଦେବା ଜରୁରୀ ବୋଲି କହିଛନ୍ତି ଜାତୀୟ ଶିକ୍ଷା, ଯୋଜନା ଓ ପ୍ରଶାସନ ବିଶ୍ବବିଦ୍ୟାଳୟ, ନୂଆଦିଲ୍ଲୀର କୁଳପତି ଡ. କଲ୍ୟାଣକୁମାର ଚକ୍ରବର୍ତ୍ତୀ ।
ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ସେ କହିଥିଲେ ଯେ କେବଳ ଇତିହାସ କି ବର୍ତ୍ତମାନ ନୁହେଁ, ଭବିଷ୍ୟତର କଥା କହିଲେ ବହିପ୍ରତି ଲୋକଙ୍କ ଆଗ୍ରହ ବଢନ୍ତା ।
ସପ୍ତବିଂଶ ଭୁବନେଶ୍ବର ପୁସ୍ତକମେଳା ଉଦ୍‌ଘାଟିତ
ଉତ୍ସବରେ ବରିଷ୍ଠ ଲେଖକ ଚନ୍ଦ୍ରଶେଖର ରଥ ଯୋଗଦେଇ କହିଥିଲେ ଯେ ବହି ପଣ୍ୟ ନୁହେଁ, ତେଣୁ ଏହାକୁ ବଜାର ସର୍ବସ୍ବ ନକଲେ ଭଲ ।
ସାତକଡି ହୋତାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବରେନ୍ଦ୍ରକୃଷ୍ଣ ଧଳ ପ୍ରାରମ୍ଭିକ ସୂଚନା ଦେଇଥିବାବେଳେ ସ୍ବାଗତଭାଷଣ ଦେଇଥିଲେ ବିଭୂତି ପଟ୍ଟନାୟକ ।
ଏହି ଅବସରରେ କବି ଆଶୁତୋଷ ପରିଡାଙ୍କୁ ସଚ୍ଚି ରାଉତରାୟ ସମ୍ମାନ ଓ ଭୂପେନ ମହାପାତ୍ରଙ୍କୁ ବିଜୟକୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ ପ୍ରଦାନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ ଏହି ପୁସ୍ତକମେଳା ଆଗାମୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଓ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ୪୫୦ ଜଣ ପୁସ୍ତକ ପ୍ରକାଶକ ଯୋଗଦେଇଛନ୍ତି ।
ପ୍ରତି ଦିନ ପୁସ୍ତକମେଳାର ସାହିତ୍ୟିକ ଚିତ୍ତରଞ୍ଜନ ଦାସ ମଞ୍ଚରେ ସାହିତ୍ୟ ଆଲୋଚନା, କବିତା ପାଠୋତ୍ସବ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।
ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ହେଉଛି ପ୍ରକୃତ ସାହିତ୍ୟ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୭, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
ସାହିତ୍ୟରେ ବାସ୍ତବତା ଓ କଳ୍ପନାଶୀଳତାର ସଂଯୋଗ ନରହିଲେ ସାହିତ୍ୟ କେବଳ ପରୀକଥା ହୋଇ ରହିଯିବ ।
ଏହା ପ୍ରକୃତ ସାହିତ୍ୟ ହୋଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ହିନ୍ଦୀ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକା ତଥା ଗାଳ୍ପିକା ଚିତ୍ରା ମୁଦ୍‌ଗଲ୍‌ ।
ଭୁବନେଶ୍ବରର ଜୟଦେବଭବନରେ ଓଡ଼ିଆ ସାହିତ୍ୟ ପତ୍ରିକା ‘କଥା’ର ପୁନଃ ଆତ୍ମପ୍ରକାଶ ଅବସରରେ ଆୟୋଜିତ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ସେ ଏହା କହିଛନ୍ତି ।
ଓଡ଼ିଆ ଭାଷାର ପ୍ରଖ୍ୟାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ‘ମାଟିମଟାଳ’, ହିନ୍ଦି ଔପନ୍ୟାସିକ ପ୍ରେମଚନ୍ଦଙ୍କ ‘ଗୋଦାନ’, ବଙ୍ଗଳା ଔପନ୍ୟାସିକ ତାରାଶଙ୍କରଙ୍କ ‘ଗଣଦେବତା’ ଆଦି କାଳଜୟୀ କୃତିର ଉଦାହରଣଦେଇ ଅନୁଭବ ପଛର ଦ୍ବନ୍ଦ୍ବ, କାରଣ, ଅର୍ଥ ଓ ପୀଡାର ରଚନାକୁ ସେ ଯଥାର୍ଥବାଦର ଆଖ୍ୟା ଦେଇଥିଲେ ।
ସାହିତ୍ୟ ସିଧାସଳଖ କିଛି ପରିବର୍ତ୍ତନ ଆଣେନାହିଁ ମାତ୍ର ଏହା ବ୍ୟକ୍ତି ମନରେ ଯେଉଁ ମନସ୍ତାତ୍ତ୍ବିକ ଆନ୍ଦୋଳନ ଆଣେ ତାହା ହିଁ ପରିବର୍ତ୍ତନର ବାର୍ତ୍ତାବହ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି ଉତ୍ସବରେ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ମାଲାୟଲାମ ସାହିତ୍ୟର ବିଶିଷ୍ଟ ଗାଳ୍ପିକ ଓ ପ୍ରାବନ୍ଧିକ ପଲ୍‌ ଜାକାରିଆ ।
ସମକାଳୀନ ପ୍ରାନ୍ତୀୟ ସାହିତ୍ୟର ସଂଯୋଗ ସେତୁ ହେଉଛି ଅନୁବାଦ ।
ବିଭିନ୍ନ ପ୍ରାନ୍ତୀୟ ଭାଷାର ସାହିତ୍ୟ ସହିତ ପରିଚିତ ହେବା ପାଇଁ ତଥା ଭାରତବର୍ଷର ବହୁବର୍ଣ୍ଣ ସଂସ୍କୃତି ଓ ଜୀବନକୁ ଜାଣିବାପାଇଁ ଅନୁବାଦ ସାହିତ୍ୟ ଉପରେ ସେ ଗୁରୁତ୍ବଆରୋପ କରିଥିଲେ ।
ସାହିତ୍ୟିକର ସାମାଜିକ ଦାୟିତ୍ବ ମଧ୍ୟ ରହିଛି ।
ଓଡ଼ିଆ ସାହିତ୍ୟ ଅନ୍ୟାନ୍ୟ ଭାରତୀୟ ସାହିତ୍ୟକୁ ପ୍ରଭାବିତ କରିଛି ।
ଲେଖକ ଧର୍ମାନ୍ଧତା ଓ ରାଜନୈତିକ କପଟତାରୁ ମୁକ୍ତ ରହିବା ଉଚିତ ବୋଲି ସେ କହିଥିଲେ ।
‘କଥା’ର ମୁଖ୍ୟ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ପୁନଃପ୍ରକାଶ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲା ବେଳେ ସଂପାଦକ ଗୌରହରି ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ ।
ଏହି ଅବସରରେ ‘କଥା’ ର ଫେବୃୟାରୀ ସଂଖ୍ୟାକୁ ଅତିଥିମାନେ ଉନ୍ମୋଚିତ କରିଥିଲେ ।
କବି ସୀତାକାନ୍ତ ମହାପାତ୍ର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ
ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୫, ୨୦୧୧
ମୂଳ ପୃଷ୍ଠା → ପ୍ରଚ୍ଛଦ →
ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍‌ ସୀତାକାନ୍ତ ମହାପାତ୍ରଙ୍କୁ ୨୦୧୦ ମସିହା ବର୍ଷର ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି ।
କବି ସୀତାକାନ୍ତ ମହାପାତ୍ର ଓଡ଼ିଆ କବିତାଜଗତର ଜଣେ ଅତିପରିଚିତ ନାଁ ।
ଅତ୍ୟାଧୁନିକ ଓଡ଼ିଆ କବିତାର କଥା ଉଠିଲେ ପ୍ରଥମେ ଆସିଯାଏ ରମାକାନ୍ତ ଓ ସୀତାକାନ୍ତଙ୍କ ନାଁ ।
ସୀତାକାନ୍ତଙ୍କୁ ପଦ୍ମବିଭୂଷଣ ପ୍ରଦାନ କରାଯିବା ଓଡ଼ିଆ କାବ୍ୟକବିତାକୁ ଜଗତକୁ ଏକ ସ୍ବୀକୃତ ବୋଲି କୁହାଯାଇପାରେ ।
‘ଜଣେ ଓଡ଼ିଆ ଭାବରେ ମତେ ଏହି ସମ୍ମାନ ମିଳିଥବାରୁ ଏହା ଖୁସିର ବିଷୟ’ ବୋଲି ସମ୍ମାନ ପାଇବାପରେ କବି ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।
କବିଙ୍କ ଜନ୍ମ ୧୯୩୭ ମସିହା ସେପ୍ଟେମ୍ବର ୧୭ ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ।
ଏହା ପୂର୍ବରୁ ୧୯୯୩ ମସିହାରେ କବିଙ୍କୁ ଜ୍ଞାନପୀଠ ସମ୍ମାନ ଓ ୨୦୦୨ ମସିହାରେ ପଦ୍ମଭୂଷଣ ସମ୍ମାନ ପ୍ରଦାନ କରାଯାଇଥିଲା ।
କବିଙ୍କ ପ୍ରସିଦ୍ଧ ରଚନାଗୁଡିକ ମଧ୍ୟରେ ‘ଅଷ୍ଟପଦୀ (୧୯୬୩), ଶବ୍ଦର ଆକାଶ (୧୯୭୧), ଆରଦୃଶ୍ୟ (୧୯୮୧), ଶ୍ରେଷ୍ଠ କବିତା (୧୯୯୪), ଶବ୍ଦ, ସ୍ବପ୍ନ ଓ ନିର୍ଭିକତା (୧୯୯୦), ଅନେକ ଶରତ (ଭ୍ରମଣ କାହାଣୀ) ଆଦି ଖୁବ୍‌ ଲୋକପ୍ରିୟ ।
କବିଙ୍କୁ ଏହି ସମ୍ମାନ ମିଳିଥିବାରୁ ଓଡ଼ିଆ ସାହିତ୍ୟ ଡଟ୍‌ କମ୍‌ ପକ୍ଷରୁ ଅନେକ ଅନେକ ଅଭିନନ୍ଦନ…
ଏହି ଅବସରରେ ପାଠକପାଠିକା ମାନଙ୍କ ଲାଗି କବିଙ୍କର ନିକଟରେ ପ୍ରକାଶିତ ଏକ କବିତାର ପଂକ୍ତିଟିଏ…
ଜହ୍ନ, ତାରା ତୋତେ କିଛି କହିଥିଲେ
ଆଗକୁ ରାସ୍ତାର ଅବସ୍ଥା କି ପେଟପାଟଣା କଥା
ଆଛା କ’ଣ ହେବାକୁ ଚାହୁଁଥିଲୁ ?
ଖାଉନ୍ଦ, ମନ୍ତ୍ରୀ, ମଣିଷଖିଆ ମଣିଷ ସୌଦାଗର
ନା’ ଛୋଟ ଛୋଟ ହସଖୁସି, ସୁଆଦିଆ ଖାଇବା ଦିଓଟି
…ଛୋଟ ମଣିଷ ପାଇଁ ଏପଟେ କାଚ ରୁଣୁଝୁଣୁ, ସେପଟେ ପିଲାଙ୍କ ସ୍ବର…
– ବସ୍ତାନି ବାନ୍ଧିବାର ବେଳ (ସୀତାକାନ୍ତ ମହାପାତ୍ର)
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment