Commit 3515b617 authored by Nayan Ranjan Paul's avatar Nayan Ranjan Paul

Upload New File

parent f11db64c
ମେଲେରିଆ
ମୁଖ୍ୟ ସନ୍ଦେଶ
ମେଲେରିଆ ଗୋଟିଏ ସାଂଘାତିକ ରୋଗ ଓ ଏହା ମଶା କାମୁଡାରୁ ବ୍ୟାପିଥାଏ ।
ପ୍ରତି ବର୍ଷ ସାରା ପୃଥିବୀରେ ୩୦ ରୁ ୫୦ କୋଟି ଲୋକ ମେଲେରିଆରେ ଆକ୍ରାନ୍ତ ହୋଇଥା’ନ୍ତି ଏବଂ ପ୍ରାୟ ୧୦ ଲକ୍ଷ ଶିଶୁ ଏଥିରେ ମରିଥା’ନ୍ତି ।
ମେଲେରିଆ ପ୍ରବଣ ଅଞ୍ଚଳରେ ଶିଶୁ ମୃତ୍ୟୁ ଏବଂ ଦୁର୍ବଳ ସ୍ଵାସ୍ଥ୍ୟର ମୁଖ୍ୟ କାରଣ ହେଉଛି ମେଲେରିଆ ।
ମେଲେରିଆ ଗର୍ଭବତୀ ମହିଳାଙ୍କ ପାଇଁ ମଧ୍ୟ ବହୁତ ବିପଦଜନକ ।
ଏହାଦ୍ୱାରା ରକ୍ତହୀନତା , ଗର୍ଭପାତ , ମୃତଶିଶୁ ଜନ୍ମ , କମ୍ ଓଜନର ଶିଶୁ ଜନ୍ମ ଏବଂ ମାତୃମୃତ୍ୟୁ ହୋଇଥାଏ ।
ମେଲେରିଆର ପ୍ରତିଷେଧକ ଏବଂ ଆଶୁ ଚିକିତ୍ସା ଦ୍ଵାରା ଅନେକ ଜୀବନ ବଞ୍ଚାଯାଇ ପାରିବ ।
ଯାହା ଜାଣିବା ହେଉଛି ପ୍ରତ୍ୟକ ପରିବାର ଓ ଗୋଷ୍ଠୀର ଅଧିକାର
୧. ମେଲେରିଆ ମଶା କାମୁଡାରୁ ହୁଏ ।
ଉପଯୁକ୍ତ କୀଟନାଶକଯୁକ୍ତ ମଶାରୀରେ ଶୋଇଲେ ମଶା କାମୁଡାରୁ ରକ୍ଷା ମିଳିଥାଏ ।
୨. ମେଲେରିଆ ବ୍ୟାପିଥିବା ଅଞ୍ଚଳରେ ଶିଶୁଙ୍କ ପ୍ରତି ବହୁତ ବିପଦ ରହିଛି ।
ଶିଶୁକୁ ଜ୍ଵର ହେବା ମାତ୍ରେ ଜଣେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରିବା ଏବଂ ଯେତେଶୀଘ୍ର ସମ୍ଭବ ମେଲେରିଆ ରୋଗର ଚିକିତ୍ସା ଆରମ୍ଭ କରିବା ଜରୁରୀ ।
୩. ଗର୍ଭବତୀ ମହିଳାଙ୍କ ପାଇଁ ମେଲେରିଆ ବହୁତ ବିପଦଜନକ ।
ଏହି ରୋଗ ବ୍ୟାପିଥିବା ଅଞ୍ଚଳରେ ସ୍ଵାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ଗର୍ଭବତୀ ମହିଳା ମେଲେରିଆ ଔଷଧ ଖାଇବା ଉଚିତ ।
୪. ମେଲେରିଆ ହୋଇଥିବା ବା ସେଥିରୁ ଭଲ ହୋଇଥିବା ଶିଶୁକୁ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଜରୁରୀ ।
୫. ଗୋଷ୍ଠୀ ବା ପରିବା ମିଶି ମଶାଙ୍କ ସଂଖ୍ୟା କମାଇବା ଦିଗରେ ଚେଷ୍ଟା କରିପାରିବେ ।
ମେଲେରିଆ ମଶା କାମୁଡାରୁ ହୁଏ ।
ଉପଯୁକ୍ତ କୀଟନାଶକଯୁକ୍ତ ମଶାରୀରେ ଶୋଇଲେ ମଶା କାମୁଡାରୁ ରକ୍ଷା ମିଳିଥାଏ ।
ଗୋଷ୍ଠୀର ସମସ୍ତେ , ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାମାନେ , ମଶା ଦାଉରୁ ରକ୍ଷା ପାଇବା ଜରୁରୀ ।
ପାହାନ୍ତା ଓ ସନ୍ଧ୍ୟା ସମୟରେ ବେଶୀ ମଶା ହେଉଥିବାରୁ ସେତିକିବେଳେ ସୁରକ୍ଷା ବ୍ୟବସ୍ଥା କରିବା ଦରକାର ।
ଉପଯୁକ୍ତ କୀଟନାଶକରେ ବୁଡା ଯାଇଥିବା ମଶାରୀ , ପରଦା ଏବଂ ବିଛଣାରେ ମଶା ବସିଲେ ମରିଯାଆନ୍ତି ।
ଏଥିପାଇଁ ସ୍ଥାୟୀ ଭାବରେ ବା ନିୟମିତ ଭାବରେ ବୁଡା ଯାଉଥିବା ସ୍ଵତନ୍ତ୍ର ବିଛଣା , ମଶାରୀ ବା ପରଦା ବ୍ୟବହାର କରିବା ଉଚିତ ।
ସାଧାରଣତଃ ବର୍ଷାଦିନ ଆରମ୍ଭରୁ ବା ପ୍ରତି ଛଅମାସରେ ଏବଂ ତିନିଥର ସଫା କରିବା ପରେ ମଶାରୀକୁ ପୁଣି ଥରେ କୀଟନାଶକରେ ବୁଡାଇବା ଦରକାର ହୁଏ ।
ଏସବୁ ବିଷୟରେ ସ୍ୱାସ୍ଥ୍ୟକର୍ମୀ କହିପାରିବେ ।
ଶିଶୁ ଓ ଛୋଟ ପିଲା ମଶାରୀ ଭିତରେ ଶୋଇବା ଜରୁରୀ ।
ମଶାରୀ ଯଦି ବହୁତ ଦାମ୍ ହୋଇଥାଏ ତେବେ ଗୋଟିଏ ବଡ ମଶାରୀ କିଣି ସେଥିରେ ଛୋଟ ପିଲାଙ୍କୁ ଶୁଆଇବା ଦରକାର ।
ମା’କ୍ଷୀର ଖାଉଥିବା ଛୋଟ ଶିଶୁ ମା’ ସହ ମଶାରୀ ଶୋଇବା ଆବଶ୍ୟକ ।
ବର୍ଷସାରା ଏପରିକି ମଶା ନଥିବା ସମୟରେ ବି ମଶାରୀ ବ୍ୟବହାର କରିବା ଉଚିତ ।
ମଶାରୀ ବ୍ୟବହାର କରି ନପାରିଲେ ଅନ୍ୟ ଉପାୟ କିଛି ସାହାଯ୍ୟ କରିପାରେ :
ଉପଯୁକ୍ତ କୀଟନାଶକ ଲଗା ପରଦା , ଲୁଗା କିମ୍ବା ଚାଦର ଦୁଆର ମୁହଁରେ ଝୁଲାଇ ରଖିବେ ।
ଦୁଆର ଓ ଝରକାରେ ପରଦା ଲଗାଇବେ ।
ମଶା ଧୂପ ବ୍ୟବହାର କରିପାରିବେ ।
ସନ୍ଧ୍ୟା ହେବା ମାତ୍ରେ ପୂରାହାତ ଜାମା ଓ ପୂରା ପ୍ୟାଣ୍ଟ ପିନ୍ଧିବେ ।
ବିଶେଷ କରି ଶିଶୁ ଓ ଗର୍ଭବତୀ ମହିଳାଙ୍କ ପାଇଁ ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ।
ମେଲେରିଆ ବ୍ୟାପିଥିବା ଅଞ୍ଚଳରେ ଶିଶୁଙ୍କ ପ୍ରତି ବହୁତ ବିପଦ ରହିଛି ।
ଶିଶୁକୁ ଜ୍ଵର ହେବା ମାତ୍ରେ ଜଣେ ପ୍ରଶିକ୍ଷିତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରିବା ଏବଂ ଯେତେଶୀଘ୍ର ସମ୍ଭବ ମେଲେରିଆ ରୋଗର ଚିକିତ୍ସା ଆରମ୍ଭ କରିବା ଜରୁରୀ ।
ଘରେ କାହାକୁ ଜ୍ଵର ହୋଇଥିଲେ ବା ଶିଶୁ ଖାଇବାକୁ ଇଚ୍ଛା ନକରିବା , ବାନ୍ତି କରିବା ବା ଘୁମାଇବା ଆଦି ଲକ୍ଷଣ ଦେଖାଇଲେ ତାକୁ ମେଲେରିଆ ହୋଇ ଥାଇପାରେ ।
ଶିଶୁକୁ ମେଲେରିଆ ଜ୍ଵର ହୋଇଥିଲେ ସାଙ୍ଗେ ସାଙ୍ଗେ ଜଣେ ତାଲିମପ୍ରାପ୍ତ ସ୍ଵାସ୍ଥ୍ୟକର୍ମୀଙ୍କ ଦ୍ଵାରା ମେଲେରିଆ ଔଷଧ ଦେବା ଜରୁରୀ ।
ମେଲେରିଆ ହୋଇଥିବା ଶିଶୁକୁ ଦିନାକା ଭିତରେ ଚିକିତ୍ସା ନକଲେ ସେ ମରିଯାଇପାରେ ।
କେଉଁ ପ୍ରକାର ଚିକିତ୍ସା ଦରକାର ଓ ତାହା କେତେ ଦିନ ଧରି ଚାଲିବ ସେ ବିଷୟରେ ଜଣେ ସ୍ୱାସ୍ଥ୍ୟକର୍ମୀ କହିପାରିବେ ।
ମେଲେରିଆ ହୋଇଥିବା ଶିଶୁର ଜ୍ଵର ଛାଡି ଆସୁଥିଲେ ବି ସେ ପୂରା ମାତ୍ରାର ଔଷଧ ଖାଇବା ଜରୁରୀ ।
ପୂରା ଔଷଧ ନଖାଇଲେ ପରେ ମେଲେରିଆ ଆହୁରି ସାଂଘାତିକ ହୋଇପାରେ ଓ ଚିକିତ୍ସା କରିବା କଷ୍ଟକର ହୋଇପାରେ ।
ଔଷଧ ଦେଲା ପରେ ବି ଯଦି ମେଲେରିଆର ଲକ୍ଷଣ ରହିଥାଏ ତେବେ ଶିଶୁକୁ ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେବା ଆବଶ୍ୟକ ।
ଏହାର ଅନ୍ୟ କାରଣ ଥାଇପାରେ :
ଶିଶୁ ଯଥେଷ୍ଟ ପରିମାଣର ଔଷଧ ଖାଉନାହିଁ
ମେଲେରିଆ ଛଡା ଆଉ କିଛି ରୋଗ ରହିଛି
ଔଷଧ ପ୍ରତିରୋଧି ମେଲେରିଆ ହୋଇଛି , ତେଣୁ ଅଲଗା ଔଷଧ ଦରକାର ।
ଜ୍ଵର ହୋଇଥିବା ଶିଶୁକୁ ସମ୍ଭବ ଥଣ୍ଡା ରଖିବ :
ଥଣ୍ଡା ପାଣିରେ ପୋଛିଦେଇ ବା ଗାଧୋଇ ଦେଇ
ଶିଶୁକୁ ପତଳା ଲୁଗା ଘୋଡାଇଦେଇ ।
ଗର୍ଭବତୀ ମହିଳାଙ୍କ ପାଇଁ ମେଲେରିଆ ବହୁତ ବିପଦଜନକ ।
ଏହି ରୋଗ ବ୍ୟାପିଥିବା ଅଞ୍ଚଳରେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ଅନୁସାରେ ଗର୍ଭବତୀ ମହିଳା ମେଲେରିଆ ଔଷଧ ଖାଇବା ଉଚିତ ।
ଅନ୍ୟମାନଙ୍କ ତୁଳନାରେ ଗର୍ଭବତୀ ମହିଳାଙ୍କୁ ମେଲେରିଆ ବେଶୀ ସହଜରେ ହୋଇଥାଏ ।
ଗର୍ଭଧାରଣ ବେଳେ , ବିଶେଷ କରି ପ୍ରଥମ ଗର୍ଭ ସମୟରେ , ଏହି ରୋଗ ବହୁତ ବିପଦଜନକ ହୋଇପାରେ ।
ଏହାଦ୍ୱାରା ରକ୍ତହୀନତା , ଗର୍ଭପାତ , ଅବିକଶିତ ବା ମଲାଛୁଆ ଜନ୍ମ ହୋଇଥାଏ ।
ମେଲେରିଆ ହୋଇଥିବା ମା’ର ଶିଶୁ ଜନ୍ମ ବେଳେ କମ୍ ଓଜନର ହୋଇଥାଏ ।
ତା’ର ତେଣୁ ପ୍ରଥମ ବର୍ଷରେ ସଂକ୍ରମଣ ବା ମୃତ୍ୟୁର ସମ୍ଭାବନା ଅଧିକ ଥାଏ ।
ଗର୍ଭବତୀ ମହିଳା ପରାମର୍ଶ ଅନୁସାରେ ମେଲେରିଆ ଔଷଧ ଖାଇବା ଉଚିତ ।
ସବୁ ମେଲେରିଆ ଔଷଧ ଗର୍ଭବତୀ ମହିଳାଙ୍କ ପାଇଁ ନିରାପଦ ନୁହେଁ ।
ନିରାପଦ ଔଷଧ ବିଷୟରେ ସ୍ୱାସ୍ଥ୍ୟକର୍ମୀ ସୂଚନା ଦେଇପାରିବେ ।
ମଶା କାମୁଡାରୁ ରକ୍ଷା ପାଇବା ପାଇଁ ଗର୍ଭବତୀ ମହିଳା ନିୟମିତ ମଶାରୀ ଭିତରେ ଶୋଇବା ଜରୁରୀ ।
ମେଲେରିଆର ଲକ୍ଷଣ ଦେଖାଯିବା ମାତ୍ରେ ମୃତ୍ୟୁ ରୋକିବା ପାଇଁ ଗର୍ଭବତୀ ମହିଳାଙ୍କୁ ସାଙ୍ଗେ ସାଙ୍ଗେ ଚିକିତ୍ସା କରିବା ଆବଶ୍ୟକ ।
ମେଲେରିଆ ହୋଇଥିବା ଗର୍ଭବତୀ ମହିଳା ସ୍ଵାସ୍ଥ୍ୟକର୍ମୀଙ୍କ ପାଖରୁ ଜୀବସାର କ ଓ ଲୁହା ବଟିକା ଖାଇବା ଆବଶ୍ୟକ ।
ଖାଦ୍ୟ ଓ ପାନୀୟ
ମେଲେରିଆ ହୋଇଥିବା ବା ସେଥିରୁ ଭଲ ହୋଇଥିବା ଶିଶୁକୁ ଯଥେଷ୍ଟ ପରିମାଣର ଖାଦ୍ୟ ଓ ପାନୀୟ ଦେବା ଜରୁରୀ ।
ମେଲେରିଆ ହେଲେ ଶିଶୁର ଅନେକ ଶକ୍ତି ଅପଚୟ ହୋଇଥାଏ ଓ ଦେହରୁ ଜଳୀୟ ଅଂଶ ଚାଲିଯାଏ ।
ଏଥିପାଇଁ ଶିଶୁକୁ ଯଥେଷ୍ଟ ପରିମାଣର ଓ ବାରମ୍ବାର ଖାଦ୍ୟ ପାନୀୟ ଦେବା ଜରୁରୀ ।
ଅନେକ ଥର ମା’କ୍ଷୀର ଦେଲେ ଜଳଶୂନ୍ୟତା ହୋଇନଥାଏ ଏବଂ ମେଲେରିଆ ଭଳି ରୋଗ ବିରୁଦ୍ଧରେ ଲଢିବା ପାଇଁ ଶକ୍ତି ମିଳିଥାଏ ।
ମେଲେରିଆ ହୋଇଥିବା ଶିଶୁ ଯେତେ ଥର ସମ୍ଭବ ମା’କ୍ଷୀର ଖାଇବା ଉଚିତ ।
ଗୋଷ୍ଠୀ ଓ ପରିବାର ମିଶି ମଶାଙ୍କ ସଂଖ୍ୟା କମାଇବା ଦିଗରେ ଚେଷ୍ଟା କରିପାରିବେ ।
ବାରମ୍ବାର ମେଲେରିଆ ହେଲେ ଶିଶୁର ବୃଦ୍ଧି ଓ ମସ୍ତିସ୍କର ବିକାଶ ବାଧା ପାଇଥାଏ ।
ରକ୍ତହୀନତା ମଧ୍ୟ ହୋଇଥାଏ ।
ଅନେକ ଥର ମେଲେରିଆ ହୋଇଥିବା ଶିଶୁକୁ ରକ୍ତହୀନତା ପାଇଁ ପରୀକ୍ଷା କରିବା ଦରକାର ।
ପୋଖରୀ , ସନ୍ତସନ୍ତିଆ ଜମି , ନାଳ , ଖାଲୁଆ ଅଞ୍ଚଳ ଏବଂ ଲମ୍ବା ଘାସ ଓ ବୁଦାରେ ଥିବା ଜଳୀୟ ଅଂଶ ଆଦିରେ ମଶା ବଢିଥା’ନ୍ତି ।
ଝରଣା କୂଳ , ପାଣି ଟାଙ୍କି , ଧାନ ଜମି ଆଦିରେ ମଧ୍ୟ ଏମାନେ ବଢନ୍ତି ।
ମଶାଙ୍କ ସଂଖ୍ୟା କମିପାରିବ :
ପାଣି ଜମି ରହୁଥିବା ଅଞ୍ଚଳକୁ ପୋତି ଦେଇ ବା ନାଳ କାଟି ପାଣି ବାହାର କରିଦେଲେ
ପାଣି ଟାଙ୍କିକୁ ଢାଙ୍କି ରଖିଲେ
ଘର ଚାରିପାଖରୁ ଅନାବନା ଘାସ ବୁଡା ସଫା କରିଦେଲେ
ସାରା ଗୋଷ୍ଠୀକୁ ମେଲେରିଆ ପ୍ରଭାବିତ କରିଥାଏ ।
ତେଣୁ ସମସ୍ତେ ଏକାଠି ମିଶି ମଶା ବଢିବା ଜାଗାକୁ ସଫା କରିପାରିବେ ଏବଂ ନିୟମିତ ଭାବରେ ମଶାରୀକୁ କୀଟନାଶକରେ ବୁଡାଇପାରିବେ ।
ମେଲେରିଆ ନିରାକରଣ ଓ ନିୟନ୍ତ୍ରଣ ପାଇଁ ଗୋଷ୍ଠୀ ସେ ଅଞ୍ଚଳର ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ରାଜନୈତିକ ନେତାଙ୍କ ସହାୟତା ନେବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment