Commit 75cd6b8a authored by Nayan Ranjan Paul's avatar Nayan Ranjan Paul

Upload New File

parent f394f6a7
ମାଗୁଣିର ଶଗଡ଼
- ଗୋଦାବରୀଶ ମହାପାତ୍ର
ତା: ଅକ୍ଟୋବର୍ ୧୦, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଖଲିକୋଟର ଦୁଇଲକ୍ଷ ଲୋକଙ୍କ ଭିତରେ ପ୍ରତିଦିନ ଯିବା ଆସିବା ଚାଲିଛି ।
କେତେ ସଂସାରରୁ ଯାଉଛନ୍ତି, କେତେ ସଂସାରକୁ ଆସୁଛନ୍ତି ।
ଏ ଖବର ରଖୁଛନ୍ତି ଗୃହ-ପରିବାର ବା ସାଇପଡ଼ିଶାର ଲୋକେ ।
କିନ୍ତୁ ଯେଉଁଦିନ ମାଗୁଣି ଏ ସଂସାର ଛାଡ଼ି ଚାଲିଗଲା, ସେଦିନ ଖବବରଟା ଖଲିକୋଟର ପୁରପଲ୍ଲୀ ସବୁଆଡ଼େ ବ୍ୟାପିଗଲା ।
ଯେ ଶୁଣିଲା ସେ ମୁହୂର୍ତ୍ତେ ହେଲେ ନୀରବ ରହି ଦୁଃଖରେ କହିଲା, “ମାଗୁଣି ଚାଲିଗଲା ? ଆହା-ବିଚରା ଚାଲିଗଲା ।”
ମାଗୁଣି କିଏ ? ଖଲିକୋଟର ସେ ରାଜା ନୁହେଁ, ଏ କଥା ନିଶ୍ଚୟ ।
ସେ ରାଜ୍ୟର ରଜା ନୁହେଁ, ଏ କଥା ସମସ୍ତେ କହିବେ ।
ସେ କର୍ମୀ ନୁହେଁ, ଏ କଥା ସମସ୍ତେ ଜାଣନ୍ତି ।
ସେ କେବେ ସତ୍ୟାଗ୍ରହରେ ଯୋଗ ଦେଇନାହିଁ କି ରଜାକୁ ଖଜଣା ଦେଇନାହିଁ ।
ତା ବେକରେ କିଏ ଫୁଲମାଳ ଲମ୍ବାଇନାହିଁ କି ସେ କାହା ଗଳାରେ ମାଳା ଲମ୍ବାଇଦେବା ଦରକାର ପଡ଼ିନାହିଁ ।
ଜନସମୁଦ୍ର ଭିତରେ କରତାଳି ଗହଳରେ ବକ୍ତୃତା ଦେଇନାହିଁ ।
ସେ କେବଳ କରିଛି ଗୋଟିଏ କାମ-ମୁଣ୍ଡର ଝାଳ ତୁଣ୍ଡରେ ମାରି ଜୀବନପଥରେ ଲଢ଼େଇ କରିଛି ।
ସେ ଲଢ଼େଇ ଦେଶ ପାଇଁ ନୁହେଁ, ଜାତି ପାଇଁ ନୁହେଁ, ତାହା ନିଜର ପେଟ ଚାଖଣ୍ଡକ ପାଇଁ ।
ତଥାପି ମାଗୁଣିର ମୃତ୍ୟୁଖବର ପାଇ ସମସ୍ତେ କହିଲେ, “ଆହା-ବିଚରା ଚାଲିଗଲା ।”
ଗଡ଼ରେ ପଚାରିଲେ ସମସ୍ତେ କହିବେ ମାଗୁଣି କିଏ, ଦୂର ଜଙ୍ଗଲ ତଳ ପଲ୍ଲୀଗାଁରେ ମଧ୍ୟ ତାର ପରିଚୟ ମିଳିପାରିବ ।
ମାଗୁଣି ଖଲିକୋଟର କେହି ନୁହେଁ- ସେ ଜଣେ ଶଗଡ଼ିଆ, ଦୁଇଟା ବଳଦ ଓ ସେ- ଏ ତିନି ମିଶି ଗୋଟାଏ ସଂଘ ଗଢ଼ିଥିଲା, ଯାହା କି ଦୁଇଲକ୍ଷ ଲୋକଙ୍କ ମନକୁ ଛୁଇଁଗଲା ।
ପ୍ରତିଦିନ ଖଲିକୋଟ ଗଡ଼ରେ ସୂର୍ଯ୍ୟ ଉଏଁ ଓ ସୂର୍ଯ୍ୟ ଅସ୍ତ ହୁଏ ।
ଘନଘୋର ବର୍ଷାଦିନେ ଲୋକେ ସୂର୍ଯ୍ୟ ନ ଦେଖି ମାଗୁଣିକି ଦେଖି ବେଳ ଜାଣନ୍ତି ।
ମାଘ ମାସର ଜାଡ଼ରେ ପିଣ୍ଡାରେ ଘୋଡ଼ିଘାଡ଼ି ହୋଇ ଲୋକେ ବସିଥିବାବେଳେ ମାଗୁଣି ନିଜ ପରିଚିତ ସାଙ୍ଗ ଦୁଇଟିକୁ ଶଗଡ଼ରେ ଯୋଚି ପାହାଡ଼ତଳେ ଗୀତ ବୋଲି ଚାଲିଯାଏ ।
ଲୋକେ କହନ୍ତି ମାଗୁଣି ସେମାନଙ୍କର ଗୋଟାଏ ଘଣ୍ଟା ।
ବର୍ଷାଦିନେ ବର୍ଷା ଘୁଞ୍ଚିଯାଇ ପାରେ, ଖରାଦିନେ ଖରା ତାତି ଊଣା ହୋଇପାରେ, କିନ୍ତୁ ମାଗୁଣିର ଶଗଡ଼ ଦିନେ ହେଲେ ବନ୍ଦ ହୁଏ ନାହିଁ ।
ସେ କହେ ରଜାଘରେ ଯୋଡ଼ା ମୋଟରକାର୍‌ ଅଛି ସତ, କିନ୍ତୁ ତା ପରି ଇଞ୍ଜିନିୟର ନାହାନ୍ତି ।
ତା ଶଗଡ଼ ରଜାଘର ମୋଟରଠୁଁ ବଳେ ।
ବାରବର୍ଷର ଅତି ପରିଚିତ ସାଥୀ କାଳିଆ ଓ କଷରା, ବଳଦ ଉପରେ ସେ ହାତ ମାରି ଆଉଁସିଦେଲେ ତା ଗାଡ଼ିରେ ପକ୍ଷ ଦିଆହୁଏ ।
ଯେତେବେଳେ ସେ ଶଗଡ଼ ଉପରେ ହସି ଗୀତ ପଦେ ବୋଲିଦିଏ, “ରାମ ଯେ ଲଇକ୍ଷଣ ଗଲେ ମୃଗ ମାରି”, ତାର ମୋଟର ଚାଲେ ।
ସେତେବେଳେ ଶ୍ୟାମଳ ତରୁ ପତ୍ରତଳେ, ଗିରି କନ୍ଦରା ଭିତରେ ପ୍ରତିଧ୍ବନି ଉଠେ ।
ଅର୍ଦ୍ଧସୁପ୍ତ କୁକ୍‌କୁଟ କୁମ୍ଭାଟୁଆ ତାକୁ ଉତ୍ତର ଦିଅନ୍ତି, ପଲ୍ଲୀର ବୁଲା କୁକୁରଦଳ ଚମକି ଉଠି ଗାଁରେ ଚହଳ ପକାଇଦିଅନ୍ତି ।
ଘଡ଼ ଘଡ଼ ଶବ୍ଦରେ ଶଗଡ଼ ଚାଲିଯାଏ ଷ୍ଟେସନ ଅଭିମୁଖେ ।
ପଚାଶ ବର୍ଷର ମାଗୁଣି ବାରବର୍ଷର ସାଥୀ ବଳଦଙ୍କୁ ଧରି ଯେତେବେଳେ ଭଡ଼ା ବୋହି ଚାଲେ, ସତୁରି ଅଶୀବର୍ଷ ତଳର କାହାଣୀ ପରି ବହିଯାଏ ।
ସେ କହେ ଆଗ ତା ନିଜ କଥା-ତାର କେବେ ବାପାମା’ ଥିଲେ, ସେ କେବେ ସୁଖରେ ବଢ଼ି ଖଟରେ ଶୋଉଥିଲା, ସେ କେବେ ଘରେ ବସି ଦୁଇଓଳି ପେଟ ପୂରାଇ ଖାଉଥିଲା, ଆଉ ଜଣଙ୍କର ମଧୁର ବଚନ ଶୁଣି ଜୀବନର ସକଳ ଦୁଃଖ ଭୁଲିଯାଇଥିଲା ।
ସେ ଗଢ଼ିଥିଲା ଗୋଟେ ସ୍ବପ୍ନରାଜ୍ୟ ।
ସେ ରାଜ୍ୟରେ ସେ ଥିଲା ରାଜା ।
ରାଣୀ କରି ଯାହାକୁ ଆଣିଥିଲା, ଜୀବନଟାକୁ ସେ ହସାଇ ହସାଇ ନଚାଉଥିଲା ।
ତାର ଅଧର ତଳେ ସେ ଅମୃତ ପିଉଥିଲା, ତାର ଚାହାଣୀ ଭିତରେ ସେ ଜଗତ ଦେଖୁଥିଲା, ତାର ନିଃଶ୍ବାସରେ ସେ ସୁବାସ ବାରୁଥିଲା ଓ ତାର ପାଦ ତଳେ ସେ ଫୁଲ ଫୁଟିବାର ଦେଖୁଥିଲା ।
କିନ୍ତୁ ସେ ସ୍ବପ୍ନ ତାର ବେଶି ଦିନ ରହିଲା ନାହିଁ ।
ସ୍ବପ୍ନମୟୀ ହସି ହସି ଚାଲିଗଲା ଏ ସଂସାରର ସେପାଖକୁ ।
ଏପାଖେ ଏ ଦୁଇଟି ବଳଦ ଗାଁରୁ ଷ୍ଟେସନକୁ ଓ ଷ୍ଟେସନରୁ ଗାଁକୁ ଦିନକେ ଦୁଇଥର ଯାଇ ତାକୁ ଆର ଜନ୍ମରେ ଭେଟିବାକୁ ଚେଷ୍ଟା କରୁଥିଲା ।
ଶଗଡ଼ ବୋହିଲାବେଳେ ଏ କଥା ସେ ସମସ୍ତଙ୍କୁ ଶୁଣାଇ କନ୍ଦାଇ ପକାଏ, ନିଜେ ଦୁଇଟୋପା ଲୁହ ନିଜର ଚିରା କାନିରେ ପୋଛିଦେଇ ବଳଦ ଉପରେ ହାତ ମାରି ପୁଣି କହେ ଆଉ ଗୋଟାଏ ଗଳ୍ପ ।
ଲୋକଙ୍କ ବାଟ ସରିଯାଏ, କିନ୍ତୁ ତାର ଗଳ୍ପ ସରେ ନାହିଁ ।
ସେ କହେ ତା ଶଗଡ଼ରେ ନ ବସିଚି କିଏ ? ବସି ନ ଥିଲେ, ବସି ନ ଥିବେ ଖଲିକୋଟର ରାଜା ।
କିନ୍ତୁ ଦେବାନ୍‌ କହ, ମ୍ୟାନେଜର୍‌ କହ, ଓକିଲ କହ, ମହାଜନ କହ, ଏପରି କି ମହାତ୍ମାଙ୍କ ଭକ୍ତ ପର୍ଯ୍ୟନ୍ତ କହ ସମସ୍ତେ ବସିଛନ୍ତି ତା ଶଗଡ଼ରେ ।
ଏସବୁ କଥା କହିଲାବେଳେ ସେ ଏଡ଼େ ଉତ୍ସାହରେ କହେ ଯେ, ବେଳେବେଳେ ବଳଦ ଦୁଇଟା ଠିଆ ହୋଇଗଲେ ମଧ୍ୟ ସେମାନଙ୍କୁ ଅଡ଼ାଏ ନାହିଁ ।
ଜାଣି ପାରିଲେ କହେ-ଏ ପଶୁଗୁଡ଼ାକ ମଧ୍ୟ ଏ କଥା ଶୁଣିବାକୁ କାନଉଛନ୍ତି ।
ମାଗୁଣିର ଶଗଡ଼ ଓ ବଳଦ ଖଲିକୋଟର ଗୋଟିଏ ବିରାଟ ଇତିହାସ ନ ହେଲେ ମଧ୍ୟ ସେ ଇତିହାସର କେତେଟା ପୃଷ୍ଠା ।
ସେ ଇତିହାସ କହେ, ଏ ଶଗଡ଼ ରାଜ୍ୟର ସମସ୍ତିଙ୍କି ଚିହ୍ନିଛି ।
କେତେ ବାଳବିଧବା ଏହାରି ଉପରେ ବସି ଶାଶୁଘରୁ ବାପଘରକୁ ଫେରିଛନ୍ତି ।
କେତେ ସୁହାସିନୀ କୁଳବଧୂ ବାପଘରକୁ ଶାଶୁଘରକୁ ମଧ୍ୟ ଯାଇଛନ୍ତି ।
ଖଜଣା ଗଣ୍ଡାକ ଦେଇ ନ ପାରି ଯେଉଁଦିନ ମଣ୍ଡଳ ଗାଁର ଗଦା ରାଉଳ ଜେଲ୍‌ ଗଲା, ସେଇଦିନ ତା ଘରର ଛାଞ୍ଚୁଣିମୁଣ୍ଡା ଆଦି ଏଇ ଶଗଡ଼ରେ ବୁହାହୋଇ ଆସି ରଜାଘର କଚିରି ଦୁଆରେ ଜମା ହୋଇଥିଲା ।
ଯେଉଁଦିନ ବେନ୍ଦାଳିଆ ଗାଆଁର ମଧୁ ରଥେ ନରହତ୍ୟା ଅପରାଧରେ ଧରାହେଲେ, ସେଦିନ ସେ ଏଇ ଗାଡ଼ିରେ ବସି ଯାଇଥିଲେ ।
ଏଇ ଗାଡ଼ିରେ ବସି ଓକିଲ ଆସି ରଜାଘର ପକ୍ଷ ନେଇଛନ୍ତି ।
ଏଇ ଗାଡ଼ିରେ ରଇତ ନେତାଏ ହାତକଡ଼ା ପଡ଼ି କଚିରିକି ଯାଇଛନ୍ତି ।
ଏଇ ଗାଡ଼ି ସୁଖ ଦେଖିଛି-ଦୁଃଖ ଦେଖିଛି ।
ଲୁହ ବୋହି ଏଇ ଗାଡ଼ିର ଶୁଖିଲା ପାଳର ଗଦି ଓଦା ହୋଇଯାଇଛି, ହସରୋଳରେ ଏଇ ଗାଡ଼ି କେତେ କମ୍ପିଛି ।
ଏଇସବୁ କଥା କହି ମାଗୁଣି ଯେତେବେଳେ ଗାଡ଼ି ଚଳାଏ, ମନେହୁଏ ମାଗୁଣି ଗୋଟାଏ ଜୀବନ୍ତ ଇତିହାସ ।
ଏପରି ଦଶ ପାଞ୍ଚଟା ଇତିହାସକୁ ଏକାଠି କଲେ ଓଡ଼ିଶାର ଗୋଟାଏ କୋଣାର୍କ ତିଆରି ହୁଅନ୍ତା ।
ଦିନେ ମାଗୁଣି ଶୁଣିଲା, ତା ଗାଡ଼ିରେ ଆଉ ଲୋକେ ବସିବେ ନାହିଁ; କାରଣ ସିଂହଘର ଗୋଟାଏ ମୋଟର ବାସ୍ ଆଣୁଛନ୍ତି ।
ଶୁଣିଲାମାତ୍ରେ ସେ ହସି ହସି ଆକାଶ ଫଟାଇ ଦେଲା ।
କହିଲା- “ମୋଟର ବାସ୍ ! ତା କଣ ମୋ କାଳିଆ କଷରାକୁ ଟପି ଯିବ ?” ଭଲ କରି ଆହାର ଦେଇ ଯେତେବେଳେ ହାତ ମାରିଦେବି ଲୋକେ କଣ ମୋ ଗାଡ଼ି ଛାଡ଼ି ସେ ଗାଡ଼ିକି ଯିବେ ? ଏ କଥା ଶୁଣି ସମସ୍ତେ ହସିଲେ ସତ, ମାତ୍ର ସେ ଖାତିରି କଲା ନାହିଁ ।
ଦୁଇ ଚାରି ଦିନ ଗଲା ।
ଦେଖୁ ଦେଖୁ ଗଡ଼ରେ ମୋଟର ବାସ୍‌ ପହଞ୍ଚିଲା ।
ଲୋକେ କହିଲେ- ଏଥର ମାଗୁଣିର ବ୍ୟବସାୟ ବୁଡ଼ିଲା ।
ଏକାବେଳେ କୋଡ଼ିଏ ଜଣଙ୍କୁ ଧରି ଘଣ୍ଟାକେ ଚାଳିଶ ମାଇଲ ଯିବ ।
ମାଗୁଣି କି ତାକୁ ବଳିଯିବ ?
କଥା ସତ ।
ଦୈତ୍ୟଦାନବ ପରି ଗଡ଼ରେ ମୋଟର ବସ୍ଟାକୁ ଦେଖି ମାଗୁଣିର ମନରେ ଛନକା ପଶିଗଲା ।
ସେ କାନ୍ଦି ପାରିଲା ନାହିଁ ସତ, କିନ୍ତୁ କାନ୍ଦ କାନ୍ଦ ହୋଇ ଭାବିଲା- ସେଦିନ ଯାଇଥିଲି କୋଦଳା ସଭାକୁ ।
କିଏ କହୁଥିଲେ- କଳ ଜିନିଷଠୁଁ ହାତଜିନିଷ ଭଲ ।
ତାହେଲେ ମୋଟର କଳଠୁଁ କ’ଣ ମୋ ଶଗଡ଼ ଭଲ ନୁହେଁ ? ଏତେ ଲୋକ ତ ସଭାରେ ବସି ଶୁଣୁଥିଲେ, ସେମାନେ କ’ଣ ମୋର ଦୁଃଖ ବୁଝିବେ ନାହିଁ ? କର୍ମୀ ନ ବୁଝିଲେ ଯିବି ଗାନ୍ଧିଙ୍କ ପାଖକୁ ।
ଦରିଦ୍ରର ସାଥୀ ସେ, ଗରିବଙ୍କ ବନ୍ଧୁ ସେ ।
ସେ କଣ କହିବେ ମାଗୁଣି ମରିଯାଉ, ଆଉ ଏ ସିଂହେ ବଞ୍ଚନ୍ତୁ ?
ଷ୍ଟେସନରୁ ଗଡ଼କୁ ସିଂହଙ୍କ ବସ୍‌ ଚାଲିଲା ।
ମାଗୁଣିର ଶଗଡ଼ ମଧ୍ୟ ଚାଲିଲା ।
କିନ୍ତୁ ବସ୍‌ ପୂର୍ଣ୍ଣ, ଶଗଡ଼ ଖାଲି ।
ମାଗୁଣି ଯେତେ ଆଗରୁ ରାତିଅଧରୁ ଉଠି ଷ୍ଟେସନରେ ଶଗଡ଼ ହାଜର କଲେ ମଧ୍ୟ ଲୋକେ ଗଲେ ବସ୍‌ରେ ।
ଯେତେ ନୂଆ ଅଖାର ଗଦି ପକାଇଲେ ମଧ୍ୟ ଲୋକେ ଧାଇଁଲେ ବସ୍‌ ମୁହଁକୁ ।
ଯେତେ ହାତ ଧରି ଡାକିଲେ ମଧ୍ୟ ଲୋକେ ଚାହିଁଲେ ବସ୍ ଆଡ଼କୁ ।
ଦିନେ ଗଲା, ଦୁଇ ଦିନ ଗଲା ।
ସେ ଦୁଇଓଳି ଖାଇକରି ଆସୁଥିଲା, ଓଳିଏ ଖାଇ ଆସିଲା ।
ସେ ଭାତ ଖାଇ ଆସୁଥିଲା, ତୋରାଣି ପିଇ ଆସିଲା ।
ସେ ଦୁଇ ଓଳିରେ ଥରେ ପିଇ ଆସୁଥିଲା- କ୍ରମେ ତିନି ଓଳି ଚୁଲି ଲାଗିଲା ନାହିଁ ।
କାଳିଆ-କଷରା ଛାତି ହାଡ଼ ଦିଶିଲା ।
ସେମାନଙ୍କୁ ଧରି ଯେତେବେଳେ କାନ୍ଦିଲା- କିଏ କହିଲା ପାଗଳ, କିଏ କହିଲା ବାୟା ।
ତା ପରେ ଯେଉଁ ଦିନ ମାଗୁଣିର କୁଡ଼ିଆ ଦୁଆର ଭାଙ୍ଗି ଗାଁଲୋକେ ତା ଶବ କାଢ଼ିଲେ, ଦେଖିଲେ ଛିଣ୍ଡା କତରା ତଳେ ପାଞ୍ଚଣ ବାଡ଼ି ଖଣ୍ଡିକ ଶୁଆଇଦେଇ ମାଗୁଣି ଆଖି ବୁଜିଦେଇଛି ।
ମଶାଣିରେ ନିଆଁ ଜଳିଲା, ଆକାଶରେ ପକ୍ଷୀ ଉଡ଼ି ଧୂଆଁ ପାର ହେଲେ ।
ପୃଥିବୀର ଦୁଇଲକ୍ଷ ଲୋକ ସେ ଖବର ପାଇ ଦୁଃଖରେ କହିଲେ- “ଆହା, ମାଗୁଣି ଚାଲିଗଲା !”
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment