Commit 7b3f11ef authored by Nayan Ranjan Paul's avatar Nayan Ranjan Paul

Upload New File

parent 48c8bab4
ନିଃସଙ୍ଗତା ବିରୋଧରେ : ଜୀବନ ସଙ୍ଗରେ - ପୁସ୍ତକ ସମୀକ୍ଷା
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଏପ୍ରିଲ୍ ୧୩, ୨୦୧୧
ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା →
ଲେଖକ : ଅଶୋକ ଚନ୍ଦ୍ର ମହାପାତ୍ର
ପ୍ରକାଶକ : କାବ୍ୟଲୋକ, ୟୁନିଟ୍‌-୧, ଭୁବନେଶ୍ବର
ସମୀକ୍ଷକ : ଭାଗୀରଥି ମିଶ୍ର, ଆକାଶବାଣୀ, ସମ୍ବଲପୁର
“କଳାକାର ହେଉଛି ଜଣେ ନିଃସଙ୍ଗ ବ୍ୟକ୍ତିତ୍ବ ।
ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ ସେ କାମ କରୁଥାଏ ।
” – କହନ୍ତି ବିଖ୍ୟାତ ଚିତ୍ରକର ସାଲ୍‌ଭାଡୋର୍ ଡାଲି ।
ଆଉ ସେ ଶିଖରରେ ପହଞ୍ଚି କଳାକାର ସହ କିଛି ମୁହୂର୍ତ୍ତ ଏକାତ୍ମ ହେବାକୁ ଆମ ଭଳି ସାଧାରଣ ମଣିଷଙ୍କ ପ୍ରୟାସ ।
ଏମିତି ଏକ ପ୍ରକ୍ରିୟାକୁ ନେଇ ଯୋଗାଯୋଗ ଓ ନିଆରା ଭାବ ବିନିମୟ ।
କବି ଅଶୋକ ଚନ୍ଦ୍ର ମହାପାତ୍ରଙ୍କ କବିତା ସଙ୍କଳନ ‘ଗୋଟିଏ ନିଃସଙ୍ଗ ଦିନ’ ।
କଳା ପ୍ରଚ୍ଛଦ ଉପରେ ଛାଇ ଆଲୁଅରେ ଗୋଟିଏ ସୁନ୍ଦର ଗୁଣ୍ଡୁଚି ଏକାକୀ ଚାହିଁରହିଛି କେଜାଣି କାହାକୁ ।
ଉତ୍କଣ୍ଠାର ସହ ସମଗ୍ର ସଙ୍କଳନକୁ ପଢିବା ପରେ ଭାବିଲି ବହି ସମ୍ପର୍କରେ କିଛି ଲେଖିବାକୁ ।
କବିତା ପଢି ଉପଭୋଗ କରିବା ଯେତିକି ସହଜ ତା’ ବିଷୟରେ ଲେଖିବା ସେତିକି କଠିନ ।
ବେଶ୍ କିଛିଦିନ ଧରି ବହିର କବିତାଗୁଡ଼ିକୁ ବହୁବାର ପଢିଛି, ପ୍ରତ୍ୟେକ ଧାଡ଼ିର ଆଢୁଆଳରେ ଥିବା ଅର୍ଥ ଅର୍ଥାନ୍ତରକୁ ଠଉରେଇବାକୁ ଚେଷ୍ଟା କରିଛି ।
ନିଃସଙ୍ଗତାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରିଛି ମୋ ମନ ଭିତରେ ।
ଜୀବନର ପ୍ରତିଟି ମୁହୂର୍ତ୍ତରେ ଭରିରହିଥିବା କଳରୋଳ ସତ୍ତ୍ବେ କାହିଁକି ନିଃସଙ୍ଗ ଲାଗେ ବେଳେବେଳେ ? ସମ୍ପୂର୍ଣ୍ଣ ଏକାକୀତ୍ବ ଭିତରେ କାହିଁକି କେବେ କେବେ ଗହଳିର ଅନୁଭବ ହୁଏ ତ ଆଉ କେବେ ଭିଡ଼ ଭିତରେ ବି ଖୁବ୍ ଏକା ଏକା ଲାଗେ? ଏକାକୀ ନଈଟିଏ ଦି’ କୂଳ ଛୁଇଁ ନୀରବରେ ବହିଯାଉଥିବା ପରି ମଣିଷ ।
ଆଉ ତା’ର ଅନିର୍ଦ୍ଦିଷ୍ଟ ଆୟୁଷ ।
କେଉଁଠି ଧିର ତ କେଉଁଠି ପ୍ରଖର ।
ଇତିହାସ ପାଲଟିଯାଏ କ୍ରମଶଃ ।
ଯେଉଁଠି ସେ ଦିନେ ସ୍ବଦେହରେ ଚଳପ୍ରଚଳ ହେଉଥିଲା ସେଠି ତା’ର ଚିହ୍ନବର୍ଣ୍ଣ ନାହିଁ ।
ଏପରିକି ତା’ର ଏକଦା ଅସ୍ତିତ୍ବର ପ୍ରମାଣ ବି ନାହିଁ ।
ଠିକ୍ ସେମିତି ଜ୍ଞାତିବନ୍ଧୁ କୁଟୁମ୍ବ ଓ ଆତ୍ମୀୟସ୍ବଜନଙ୍କ ମେଳରେ ଏକ ଉହ୍ୟ ଉପସ୍ଥିତି ହୋଇ ରହିଯିବା, ଥାଇ ବି ନଥିବା ପରି ଅନୁଭବକୁ ପ୍ରତି ମୂହୁର୍ତ୍ତରେ ଭୋଗିବା, ଜୀବନକୁ ନିଠେଇ ଚାହୁଁ ଚାହୁଁ ଜିଉଁଜିଉଁ ଜୀବନରେ ହିଁ ଧିରେ ଧିରେ ଲୀନ ହେଇଯିବା, ଉହୁଙ୍କି ଉଠୁଉଠୁ ପୁଣି କବିତାଟିଏକୁ ଜନ୍ମ ଦେବା କ’ଣ ନିଃସଙ୍ଗତା ?
ଏସବୁ ପ୍ରଶ୍ନର ଉତ୍ତର ଅଶୋକଙ୍କ ଅଧିକାଂଶ କବିତାର ଧାଡ଼ିମାନଙ୍କ ଅନ୍ତରାଳରେ ରହିଛି ଯାହା ଇଙ୍ଗିତ କରେ ମଣିଷର ଅନିବାର୍ଯ୍ୟ ଭାଗ୍ୟକୁ ।
“ନିଜର କଣ୍ଠସ୍ବର ଶୁଭେ ନିଜକୁ ଅପରିଚିତ ।
” ଅର୍ଥହୀନ ଲାଗେ ଶବ୍ଦ ।
ମନେହୁଏ “ନୀରବତା ହିଁ ଏକମାତ୍ର ପନ୍ଥା ଆତ୍ମପ୍ରକାଶର” ।
ତହିଁରୁ ଆସେ ନିଆରା ଉପଲବ୍‌ଧି ।
“ନୀରବତାରୁ ଯିଏ ଯାହା ବୁଝିଲା
ତାହା ତା’ର ଭାଗ୍ୟ x x x
ନୀରବତା ଆସେ ଯାଏ
ତା’ ନିଜ ଇଚ୍ଛାରେ
ଆମେ ଖାଲି ଅଯଥାରେ
କୋଳାହଳ ମୁଖର
ଓ ଫିଙ୍ଗାଫିଙ୍ଗି ଶବ୍ଦଙ୍କର ବୋମା ।
(ଥରେ ମୁହଁ ଫିଟିଲେ)
ଏଭଳି ଏକ ଅସହାୟ ପ୍ରଚେଷ୍ଟାର ପୃଷ୍ଠଭୂମିରେ ଅ‌ଶୋକଙ୍କ କବିତା ସମୂହ ।
ସଙ୍କଳନର ଅନ୍ତିମ ପର୍ଯ୍ୟାୟରେ ‘ମୋ କବିତା ଓ ମୁଁ’ ଶୀର୍ଷକ ତାଙ୍କ ବିଶ୍ଳେଷଣାତ୍ମକ ସ୍ବୀକାରୋକ୍ତିରେ ସେ କହନ୍ତି “ବିଫଳତା ବି କ’ଣ କମ୍ ନିଃସଙ୍ଗ କରିଦିଏ ମଣିଷକୁ ! ନିଜ ଅନୁଭବର ପରିଧି ବାହାରକୁ ଯାଇ ଲେଖିପାରିବା ଭଳି ନିଃସ୍ବାର୍ଥପର ସ୍ତରରେ ପହଞ୍ଚିବାକୁ ମୋର ନିଃସଙ୍ଗତା ମୋତେ ଅନୁମତି ଦିଏ ନାହିଁ ।
ତେଣୁ ଯେଉଁଭଳି ମୁଁ ଜିଏଁ, ସେଇ ସବୁକୁ ଆଧାର କରି ହିଁ ଅଙ୍କୁରିତ ହୁଏ ମୋର କବିତାର ଭ୍ରୁଣ, ଯାହା କେବେ ଧରାଦିଏ ତ କେବେ ନା ।
ପୁଣି କେବେ ମିଳି ନଥିଲେ ହେଁ ମିଳିଯାଇଛି ଭାବି ମୁଁ ମିଛଟାରେ ମାତାଲ ହୋଇଉଠେ ।
” ଏମିତି ଏକ ମତୁଆଲା ଭାବ ଆସିଲେ ସତ ମିଛ ବାରିହୁଏ ନାହିଁ ।
ଯାହା ଦିଶେ ତାହା ହୁଏତ ଦିଶୁ ନ ଥାଏ ଓ ଯାହା ଦିଶୁ ନ ଥାଏ ତାହା ହୁଏତ ସ୍ପଷ୍ଟ ଦିଶୁଥାଏ ।
ଅନୁଭବର ଖୋଳପା ଭିତରେ ଗଢିହେଉଥାଏ ଅନେକ ନିଆରା ରୂପ, ଠିକଣା ମୁହୂର୍ତ୍ତରେ ରୂପାନ୍ତରିତ ହେବାକୁ ।
“ସେଭଳି ସମୟ ଯେବେ ଆସେ, ସେତେବେଳେ ଆଖିରେ ଯାହା ପଡ଼େ ଲାଗେ ସବୁଥିରେ କବିତା ଇ କବିତା ଭର୍ତ୍ତି ।
… … … ତା’ ନ ହେଇଥିଲେ ମେଘ ଭିତରେ ଗଛ … … ରାସ୍ତା କଡ଼ରେ ମାତାଲ୍ ହୋଇ ପଡ଼ିଥିବା ଠିକା ଶ୍ରମିକ ମୁହଁରେ ବା କିଆଁ ଦିଶନ୍ତା ଈଶ୍ବରଙ୍କ ଅସହାୟ ଚେହେରା ।”
ଭାବଗତ ଦୃଷ୍ଟିରୁ ସଙ୍କଳନରେ ଥିବା ଛୟାଳିଶଟି କବିତାକୁ ତିନି ଭାଗରେ ବିଭକ୍ତ କରାଯାଇପାରେ ।
ପ୍ରଥମ ଭାଗରେ ରହିବେ ପ୍ରାୟ ପଚିଶଟି କବିତା ଯାହାଙ୍କ ମୂଳ ବିଷୟ ହେଉଛି ନିଃସଙ୍ଗତା ।
ଏହି ନିଃସଙ୍ଗତା କେତେବେଳେ ଶାରୀରିକ ତ ଆଉ କେତେବେଳେ ମାନସିକ ।
ଗୋଟିଏ ନିଃସଙ୍ଗ ଦିନ ଚବିଶ ଘଣ୍ଟା ଠାରୁ ବି ଲମ୍ବା ଲାଗେ କାରଣ କାହାର ବି ଦେଖା ମିଳେନା ।
ଯେଉଁମାନଙ୍କ ସହ ଦେଖାହୁଏ ସେମାନଙ୍କ ସହ ଭାବ ବିନିମୟ ହୋଇପାରେନା ।
ତେଣୁ କେବେଠାରୁ ଭୁଲି ସାରିଥିବା ସ୍ମୃତି ଓ ଜମା ଭୁଲି ନ ପାରୁଥିବା ସ୍ମୃତି ସବୁ ବେଶୀ ମନେପଡ଼େ ।
ଘର ଛାଡ଼ି ଦିନଯାକ ସାରା ସହର ଘୂରି ବୁଲି ଅଧରାତିରେ ଘରକୁ ଫେରିବା ବେଳେ ପୁଣି ସେଇ ନିଃସଙ୍ଗତା ଦୁଆର ମୁହଁରେ ।
ଆଉ ଏମିତି ଏକ ଏକାନ୍ତ ମୁହୂର୍ତ୍ତରେ ଅନୁଭବ ହୁଏ “କେତେ ମିଛରେ ଗଢା ଜୀବନ ।
” ଜୀବନ-ଯାତ୍ରାର ଚିରନ୍ତନ ସତ୍ୟତାକୁ ଦୋହରାଇବାକୁ ଯାଇ ଅଶୋକ କହନ୍ତି-
“ଖାଲି ହାତରେ ଯାଇ ପହଞ୍ଚିଥିଲି
ଫେରିବା ବେଳକୁ ହାତ ମୁଠାରେ
ଅନୁଭୂତିର ସରୁ ବାଲି x x x
ଖାଲି ହାତରେ ଯାଇ ଫେରିବା ବେଳକୁ
ଆଙ୍ଗୁଠି ଫାଙ୍କ ଦେଇ ନିଗିଡ଼ିପଡ଼ିଛି
ଅନୁଭୂତିର ସରୁ ବାଲି, ହାତମୁଠାରୁ” (ଖାଲି ହାତରେ ଯାଇ)
ବୟସର ନିର୍ଦ୍ଧାରିତ ଗତିରେ ଭିନ୍ନ ଭିନ୍ନ ପାହାଚ ଦେଇ ଯାଉଯାଉ ଆସେ ବାର୍ଦ୍ଧକ୍ୟ ।
ବୁଢା ଲୋକଟି “ନିଜ ଶବର ହିଁ ଛାଇ” ଭଳି ଜିଏଁ ।
“ପୂରା ଜୀବନଟା ଖଟେଇ ଗଢିଥିବା ପରିବାରରେ ଏବେ ସେ ବଳକା ଗୋଟେ ଲୋକ/ ଦୃଷ୍ଟି ଆଢୁଆଳକୁ କୋଣଠେଲା ଏକ/ ଅଦରକାରୀ ଆସବାବ ଭଳି ଅଲୋଡ଼ା/ ତା’ର ନିଃସଙ୍ଗତା ।”
ଆମ ନିତିଦିନିଆ ଜୀବନର ସାଧାରଣ ଅଭିଜ୍ଞତାଗୁଡ଼ିକୁ ଅସାଧାରଣ ଏବଂ ବ୍ୟକ୍ତିଗତ ଅନୁଭୂତିକୁ ସାର୍ବଜନୀନ କରି ଗଢିତୋଳିବା ଅଶୋକଙ୍କର ବିଶେଷତ୍ବ ।
ତାଙ୍କ କବିତାରେ ନିଃସଙ୍ଗତା ଏକ ଜୀବନ୍ତ ଚରିତ୍ର ।
କେହି କୁଆଡ଼େ ନଥିବା ବେଳେ ଏକାନ୍ତ ପ୍ରିୟ ସାଥି ।
ଦୁହେଁ ମିଶି ଏକାଠି ରହନ୍ତି, ଦୁଃଖ ସୁଖ ହୁଅନ୍ତି, ବେଳେବେଳେ ଯେ ଯାହାର ଧ୍ୟାନରେ ନୀରବ, ପରସ୍ପରର ଅପରିଚିତ ।
ଆଉ କେବେ କେବେ ଦୁହେଁ ମିଶି ଘରବାହାର, ଗାଁ ସହର, ପୃଥିବୀ ଆକାଶ ଚାରିଆଡ଼େ ଘୂରାଫେରା କରନ୍ତି ।
କେତେବେଳେ ଦୋ’ଦୋଚିହ୍ନା ତ ଆଉ କେତେବେଳେ ଘନିଷ୍ଠ ।
ନିଃସଙ୍ଗତା ପୁଣି କେତେବେଳେ ପ୍ରେମିକା ହେଇ ଆସେ ତ ଆଉ କେତେବେଳେ ପତ୍ନୀ ରୂପରେ ।
ଯେମିତି ଏଇ ଦୁଇଟି କବିତାରେ-
“ଚରମ ନିବିଡ଼ତାର ପରିଣତିରେ
ଅଚିହ୍ନା ପାଲଟିଛୁ ଆମେ
ପରସ୍ପର ପାଖେ ଏବଂ ଏ ବିଚ୍ଛେଦ
ମିଳିଛି ଭାଗ୍ୟର ଉପହାର ଭାବେ” (ସବୁ କଥାବାର୍ତ୍ତା ସରିଛି)
“ନିଃସଙ୍ଗ ରାତି ସହ
ଏତେ ଦିନର ସଂପର୍କରେ
ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି କାଲିଠାରୁ
ଆଉ କିଛି ପାହୁଂଡ ଆଗେଇ ଯାଇ
ଅସରପା ଆଡ଼କୁ
ସାମନା କାନ୍ଥରେ ଅଟକିଯାଇଛି
ତୃତୀୟା ରାତିର ଝିଟିପିଟି” (କାଲି ଏତେବେଳକୁ)
ଜୀବନର ବିବିଧ ବିରୋଧାଭାସ ଭିତରେ କେଉଁଠି ଗୋଟେ ଥାଏ ଅଜଣା ସମ୍ପର୍କର ସୂତ୍ର ।
ଅନ୍ଧାର ଓ ଆଲୁଅ, ଛାଇ ଓ ଅସ୍ତିତ୍ବ, ପାଇବା ଓ ନ ପାଇବା ସବୁ ଏକା ଭଳି ଲାଗେ ।
ଆଉ ସେତେବେଳେ ଲିଭିଯାଏ ଜୀବନ ଓ ମୃତ୍ୟୁକୁ ଅଲଗା କରି ରଖୁଥିବା ଅତି କ୍ଷୀଣ ରେଖାଟିଏ ।
ଗୋଟିଏ ଅଦୃଶ୍ୟ ବିନ୍ଦୁରେ ଥାଇ ନିଃସଙ୍ଗ ମଣିଷ ଆବିଷ୍କାର କରେ-
“ସହଜରେ ମାନି ନେଲେ ଥରେ
ସବୁ କିଛି ଅବଶ୍ୟ ସମ୍ଭବ
ମାନିନେଇ ପାରିଲେ ହିଁ
ଏକା ଭଳି ସବୁ
ନିର୍ଜନତା ହେଉ କି କୋଳାହଳ
ସବୁଠୁ ଭଲ ଗୋଟିଏ ଦିନ
ଅବା ଭୟଙ୍କର କୌଣସି ରାତି
ସରିଆସୁଥିବା ଜୀବନ ଏବଂ
କ୍ରମଶଃ ନିକଟତର ହେଉଥିବା ମୃତ୍ୟୁ
ସବୁ ଏକା ଭଳି, ଖାଲି
ମାନିନେଇ ପାରିଲେ ହେଲା ଯେ
ଯାହା ମିଳିଲା ନାହିଁ
ତାହା କେବେ ବି ନ ଥିଲା ଆମର ।” (ମାନିନେଇ ପାରିଲେ)
ଅସହ୍ୟ ଯେଉଁଠି ଉଭୟ ପାଇବାର ଆନନ୍ଦ ଓ ହରେଇବାର ବିଷାଦ, ଏକୁଟିଆ ବେଳ ପାଇଁ ଯେଉଁଠି ଥାଏ ଅନେକ ଘାତକ ସ୍ମୃତି ଓ ଅପରାଧର ରକ୍ତ ଛିଟା, ଅଧାରାସ୍ତାରେ ହଜିଯାଏ ଯେବେ ଲକ୍ଷ୍ୟସ୍ଥଳର ନକ୍‌ସା, ବାହାରେ ଟାଣ ଦିପହର ଓ ଘର ଭିତରେ କିଟିକିଟି ଅନ୍ଧାର ଯେବେ, ନିଜ ନିଃସଙ୍ଗପଣରୁ ମୁକ୍ତିର ଆଶା ସଞ୍ଚାର ହୁଏ ।
ଆରମ୍ଭ ହୁଏ ନିଃସଙ୍ଗତାରୁ ମୁକୁଳିଯିବାର ଚେଷ୍ଟା-
“ପୃଥିବୀରୁ ବାସନ୍ଦ
ଏଇ ନିରନ୍ଧ୍ର କୋଠରୀରେ ବି
ଅଛି ଆଉ ଏକ ପୃଥିବୀ
ଓ ଆଶ୍ଚର୍ଯ୍ୟ ଯେ
ଏତେ ଅଳ୍ପରେ ବି ଗଢାଯାଇପାରେ
ଏକ ମୌଳିକ ପୃଥିବୀ
କିଛି ସମୟ ତଳେ
କି ନିଃସଙ୍ଗ ଲାଗିଥିବା ଏଇ ବଖରାରେ ।
(ଫାଟକ ଯାଏଁ ତ)
ତା’ପରେ କ୍ରମଶଃ ବଦଳିଥାଏ ମନୋଭାବ ।
ସବୁତକ ଦୁର୍ବଳ ମୁହୂର୍ତ୍ତରୁ ନିଜକୁ ସାଉଁଟିଆଣି ପୁଣି ଥରେ ସୁନ୍ଦର ଭାବରେ ଗଢିଦେବାର ପ୍ରୟାସ ।
ଜୀବନ ସହିତ, ନିଃସଙ୍ଗତା ସହିତ, ସ୍ବପ୍ନ ଓ ନିଜ ସହ ଏକ ମଧୁର ଲୁଚକାଳି ଖେଳର ଆରମ୍ଭ ।
ଶୁଖିଲା ଗଛର ଶାଖାପ୍ରଶାଖା ଭିତରେ କ୍ରମଶଃ ଜୀବନର ରସ ସଞ୍ଚରିଯାଇ ସବୁଜ ପିକ କଅଁଳେ ଯେମିତି ।
ତେଣୁ ଅଶୋକଙ୍କ କବିତାରେ ନିଃସଙ୍ଗତା ଏମିତି ଏକ ମାନସିକ ଅବସ୍ଥା ଯାହାକୁ ନେଇ ନିଜ ଇଚ୍ଛା ମୁତାବକ ଏକ ସୁନ୍ଦର ପୃଥିବୀ ଗଢାଯାଇପାରେ ।
ଆଉ ସଙ୍କଳନର କବିତା ସମୂହ ଏହାର ପ୍ରମାଣନ୍
ଦୁର୍ଘଟଣା ପରେ, ଅଭିନୟ, ନାରୀଶ୍ବର, ବୋଉ, ଭଲ ଖରାପ ଓ ଆର୍ଦ୍ରତା ପ୍ରଭୃତି ପ୍ରାୟ ପନ୍ଦରଟି କବିତାରେ ରହିଛି ବିଭିନ୍ନ ଭାବଧାରା ।
ଏମାନେ ରହିବେ ଦ୍ବିତୀୟ ଭାଗରେ ।
ଏସବୁ କବିତାରେ ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ଭାବନା, କିଛି ଘଟଣ ଅଘଟଣ ସମ୍ପର୍କରେ ପ୍ରତିକ୍ରିୟା, ଏକାନ୍ତ ବ୍ୟକ୍ତିଗତ ଜୀବନର କିଛି ଅନୁଭୂତିକୁ ନେଇ ବିଶ୍ଳେଷଣ ଓ ଏକ ସିଦ୍ଧାନ୍ତରେ ପହଂଚିବାର ଚେଷ୍ଟା, ଗତାନୁଗତିକ ଅଭିଜ୍ଞତାକୁ ଅର୍ଥପୂର୍ଣ୍ଣ କରିଦେବାର ପ୍ରୟାସ ଏବଂ ସର୍ବୋପରି ଅନେକ ନିଆରା ଆତ୍ମ-ନିରୀକ୍ଷଣର ମୁହୂର୍ତ୍ତକୁ ଲିପିବଦ୍ଧ କରିବାର ଉଦ୍ୟମ ପରିଲକ୍ଷିତ ହୁଏ ।
କେଉଁଠି କମାରଶାଳରେ ଶବ୍ଦମାନେ ଶାଣ ହେଉଥାଆନ୍ତି ତ ଆଉ କେଉଁଠି ମନ୍ତ୍ରପାଠ ବଦଳେଇଦିଏ ଝିଅଟିଏର ଠିକଣା ଓ ଅବଶିଷ୍ଟ ଆୟୁଷ ।
ଭାବନା ବହିର୍ଭୂତ କଥା ସବୁ ପାଲଟିଯାଆନ୍ତି ଅନୁଭୂତି ।
କେଉଁଠି ଅତିରଞ୍ଜିତ ଅଭିନୟ ଯୋଗୁଁ ତ ଆଉ କେଉଁଠି ଅତି ସନ୍ତର୍ପଣ ଜୀବନଚର୍ଯ୍ୟା ସତ୍ତ୍ବେ ଅନାବୃତ ହୁଏ ଦେଖାଇବାକୁ ଚାହୁଁ ନ ଥିବା ଚେହେରା ।
ନିଜ ଭିତରର “ଭୟାନକ ଆର୍ଦ୍ରତା” ପାଇଁ ଲୋଡ଼ା ହୁଏ “ଅଳ୍ପ ଟିକେ ସୂର୍ଯ୍ୟ ରଶ୍ମି” ।
କିନ୍ତୁ କିଛି ବି ବଦଳିଯାଏନା ।
ହାତ ପାଆନ୍ତାରେ ସବୁ ସାଜସରଞ୍ଜାମ ଥାଇ ବି ଗଢିହୁଏନା ମନ ପସନ୍ଦ ପୃଥିବୀ ।
“କେବଳ ପ୍ରସ୍ତୁତିରେ ହିଁ
ବିତିଯାଏ ସାରାଟା ଜୀବନ
ପ୍ରସ୍ତୁତି ସରିଲା ବେଳକୁ ଏଣେ
ସମୟ ବି ଶେଷ” (କେବଳ ପ୍ରସ୍ତୁତିରେ)
ଏମିତି କିଛି ଅଭାବବୋଧ, ବିଫଳତା ଜନିତ କ୍ଷୋଭ, ଅତୀତ ପ୍ରତି ସମ୍ବେଦନଶୀଳତା ଓ ଆଗତ ପ୍ରତି ଆଶଙ୍କାକୁ ନେଇ ଏସବୁ କବିତା ।
ପାଳଭୂତ, କଚେରୀ, ତାନ୍ତ୍ରିକ, ଚିହ୍ନଟ, ନେପାଳୀ ଝିଅ ଓ କବର – ଏଇ ଛଅଟି କବିତା ରହିବେ ତୃତୀୟ ଭାଗରେ ।
ଏକ ନିର୍ଦ୍ଦିଷ୍ଟ ଭାବସତ୍ତାକୁ ନେଇ ଏମାନେ ଗଢା ।
ଏଥିରେ ସଙ୍କଳନର ଅନ୍ୟ କବିତା ଭଳି ବହୁମୁଖୀ ଗତି ନାହିଁ ।
ଯେମିତି ପ୍ରତ୍ୟେକ କବିତା ଅତି ଯତ୍ନରେ ଅଙ୍କା ହୋଇଥିବା ଚିତ୍ର ।
ଆକାରରେ ସଂକ୍ଷିପ୍ତ ଓ ପ୍ରକାଶ ଭଙ୍ଗୀରେ ତୀକ୍ଷ୍ଣ ।
ସବୁଥିରେ ନିପୁଣ କାରିଗରୀ ।
“ଗୀତାକୁ ଛୁଇଁ
ସତ କହିବାର ଶପଥ ପରେ
ମିଛ ହିଁ କୁହାଯାଏ
ଯେହେତୁ
ସମ୍ଭବାମି ଯୁଗେ ଯୁଗେ
କଥା ଦେଇ
ଈଶ୍ବର କେବେ ବି ତ
ଦେଖା ଦିଅନ୍ତିନି” (କଚେରୀ)
ଏସବୁ କବିତା ସଙ୍କଳନର ଏଠି ସେଠି ଗୁନ୍ଥା ହୋଇଥିଲେ ବି ନିଜସ୍ବ ବିଶେଷତ୍ବ ଯୋଗୁଁ ବାରିହେଇପଡ଼ନ୍ତି ଯେମିତି ଆକୃଷ୍ଟ କରନ୍ତି ବି ସେମିତି ।
ଆଧୁନିକ ଓଡ଼ିଆ କବିତାରେ ବ୍ୟବହୃତ ଭାଷାକୁ ନେଇ ଭିନ୍ନ ଭିନ୍ନ ମତ ରହିଛି ।
କିନ୍ତୁ କବିତା ନିଜେ ହିଁ ବାଛିନିଏ ନିଜର ପ୍ରକାଶ ମାଧ୍ୟମ ।
ଅଶୋକଙ୍କ କବିତାଗୁଡ଼ିକରେ କଥିତ ଭାଷାର ସାବଲୀଳତା ରହିଛି ।
କବିତାରେ ଶବ୍ଦଗୁଡ଼ିକୁ ନେଇ ଅଯଥା ଗାଂଭୀର୍ଯ୍ୟ ପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ବା ଠାଏଠାଏ ଦର୍ଶନ ସୁଲଭ ବକ୍ତବ୍ୟ ରଖିବାକୁ ସେ ଚାହିଁ ନାହାନ୍ତି ।
ଯାହା ଯେମିତି ଆସିଲା ତାକୁ ସେମିତି ଲେଖିଦେବାକୁ ସେ କୁଣ୍ଠା ବୋଧ କରିନାହାନ୍ତି ।
ପ୍ରକାଶ ଭଙ୍ଗୀରେ ଅନାବଶ୍ୟକ ଜଟିଳତାକୁ ଗ୍ରହଣ କରି ନ ଥିବାରୁ କବିତାଗୁଡ଼ିକ ଆପାତତଃ ସରଳ ମନେ ହେଉଥିଲେ ବି ଗଭୀର ଉପଲବ୍‌ଧିର କଥା କହନ୍ତି ।
ଅଶୋକ କେବେ କେବେ ଗପ ଲେଖୁଥିବାରୁ ବୋଧ ହୁଏ କେତେକ କବିତା ବର୍ଣ୍ଣନା ପ୍ରଧାନ ଥିବା ଲକ୍ଷ୍ୟ କରି ହୁଏ, ଯାହା ହୁଏତ ତାଙ୍କର ଏକ ନିଜସ୍ବ ଶୈଳୀ ପ୍ରତିଷ୍ଠା କରିବାରେ ସହାୟକ ହୋଇଛି ।
କବିତାଗୁଡ଼ିକର ଶେଷରେ ସେ ପୂର୍ଣ୍ଣଚ୍ଛେଦ ନ ଦେଇ କେଉଁଠି କେମିତି ସମ୍ବୋଧନ ବା ପ୍ରଶ୍ନଚିହ୍ନର ବ୍ୟବହାର କରିଛନ୍ତି ।
ଏହା ଆହୁରି କିଛି ବକ୍ତବ୍ୟ ତଥାପି ରହିଯାଇଛି ବୋଲି ସୂଚେଇଦିଏ ।
ଶେଷରେ ଏତିକି କୁହାଯାଇପାରେ ଯେ ଅଶୋକଙ୍କ “ଗୋଟିଏ ନିଃସଙ୍ଗ ଦିନ” ସଙ୍କଳନରେ ଥିବା କବିତାଗୁଡ଼ିକ ନିଃସଙ୍ଗତାରୁ କ୍ରମଶଃ କୋଳାହଳ ଆଡ଼କୁ ଏକ ଅସରନ୍ତି ଯାତ୍ରା ।
ଏହି ଯାତ୍ରାରେ ଆନନ୍ଦ ଯେତିକି ବିଷାଦ ସେତିକି ।
ଏସବୁକୁ ହୃଦୟଙ୍ଗମ କରିବା ପାଇଁ ପାଠକୀୟ ସହୃଦୟତା ଲୋଡ଼ା ।
ମାଟିରୁ ଉଠି ଆକାଶ ଆଡ଼କୁ କ୍ରମଶଃ ଖେପିଯାଉଥିବା ନିଃସଙ୍ଗ କାବ୍ୟସତ୍ତାର ସାହଚର୍ଯ୍ୟ ଲୋଡ଼ା ।
କିଛି ହୁଗୁଳାପଣ, କିଛି ଦ୍ରବୀଭୂତ ହେବାର ଗୁଣ ଏବଂ କିଛିଟା ନିବିଡ଼ ହେବାର ଆକାଂକ୍ଷା ଲୋଡ଼ା ।
ଅଶୋକ କହନ୍ତି – “ କବିତା, ମୋତେ ଜୀବନଠାରୁ ବି ବଡ଼ ଲାଗିଛି ଅନେକ ସମୟରେ ।
….ସେଇ ଧାଡ଼ିଗୁଡ଼ିକର ଗଠନ ପାଇଁ, ଯେତେବେଳେ ଶବ୍ଦମାନେ ଆସି କଲମ ମୁନରେ ଧରା ଦେଉଥାନ୍ତି ସେ ମୁହୂର୍ତ୍ତଗୁଡ଼ିକର ଅନୁଭବ ବିରଳ, ଇନ୍ଦ୍ରିୟାତୀତ, ଐଶ୍ବରୀୟ ।
ସେଭଳି ଅନୁଭବର ଯୋଗ୍ୟ ଆଧାର ହେବା ପାଇଁ, ମଣିଷ ହିସାବରେ, ମୁଁ ବୋଧେ ନିଅଣ୍ଟ ପଡ଼େ ।”
ଏହି ସ୍ବୀକାରୋକ୍ତି କେବଳ ଜଣେ କବିର ନୁହେଁ, ଜଣେ ସହୃଦୟ ପାଠକର ମଧ୍ୟ ।
କବିତାରେ ଯେମିତି ସବୁ କଥା କୁହାଯାଇପାରେନି, ଠିକ୍‌ ସେମିତି କବିତାରେ ଥିବା ସବୁ କଥାକୁ ଠିକଣା ଭାବେ ଧରାଯାଇପାରେନି ।
ତାହା ହିଁ ହୁଏତ କବିର, କବିତାର ଓ ପାଠକର ସଫଳତା ।
କବିତାରେ ଆମେ କ’ଣ ଖୋଜୁ ?
ହୁଏତ କିଛିଟା ନିଜର ଅନୁଭୂତି ଯାହାକୁ ବଖାଣି ହେଲା ନାହିଁ ।
ହୁଏତ ଏକ ପୃଥିବୀ ଯାହା ଆମର ନିତିଦିନିଆ ଜୀବନରୁ ସାମାନ୍ୟ ଅଲଗା ।
ଏମିତି କିଛି ଦୃଶ୍ୟ ଯାହା ଆମର ଆଖି ଆଢୁଆଳରେ ରହିଗଲା ବୋଲି ଆମକୁ ଦିଶିଲା ନାହିଁ ।
ବ୍ୟକ୍ତିଗତ ଅନୁଭବକୁ ସୁନ୍ଦର ଭାବରେ ଜଣେ କବି ପରଶିଦେଲେ ତାହା ଗ୍ରହଣଯୋଗ୍ୟ ହୁଏ ଆଉ ଆମେ ସହଜରେ ସେଥିରେ ଆମର ପ୍ରତିଛବି ପାଉ ।
ସାଲ୍‌ଭାଡୋର୍‌ ଡାଲିଙ୍କ ଉକ୍ତି ପରି ନିଃସଙ୍ଗତାର ଉତ୍ତୁଙ୍ଗ ଶିଖରରେ କାର୍ଯ୍ୟରତ କଳାକାର ସହ ଏକାତ୍ମ ହେଇଯାଉ ।
ଆଉ ସେମିତି ଏକ ମୁହୂର୍ତ୍ତରେ ନା ପାଦ ତଳେ ଥାଏ ମାଟି ନା ମଥା ଉପରେ ଆକାଶ ନା ସ୍ବଚ୍ଛ ଚଉପାଶ ।
ଏକ ଅଦୃଶ୍ୟ ଭାବବିନ୍ଦୁରେ ମିଳିତ ହୋଇଥାଆନ୍ତି ସ୍ରଷ୍ଟା ଆଉ ସୃଷ୍ଟି, ଯେଉଁଠାରୁ ବିଚ୍ଛୁରିତ ହୁଏ ଅପୂର୍ବ ଭାବତରଙ୍ଗ ।
ସେଥିରେ ତରଙ୍ଗାୟିତ ହେଇ ଚିରକାଳ ରହିଥିବାକୁ ଆମ ସଭିଙ୍କର ପ୍ରୟାସ ।
କାରଣ ଆମେ ସଭିଏଁ ଉଣା ଅଧିକେ ନିଃସଙ୍ଗ ଏବଂ ସବୁବେଳେ ନିସଙ୍ଗତା ବିରୋଧରେ ଆମେ ଜୀବନ ସଙ୍ଗରେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment