Commit 894148fd authored by Nayan Ranjan Paul's avatar Nayan Ranjan Paul

Upload New File

parent ccf105ce
ନାଟ୍ୟକାର ଡକ୍ଟର ରତ୍ନାକର ଚଇନିଙ୍କ ସହ ସାକ୍ଷାତକାର
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଫେବୃଆରୀ ୨୨, ୨୦୧୨
ମୂଳ ପୃଷ୍ଠା → ପ୍ରଚ୍ଛଦ →
ନାଟକ :- ଶେଷ ଅଶ୍ରୁ (୧୯୬୬), ଅସ୍ତରାଗର ଚନ୍ଦ୍ର (୧୯୬୭) ମଞ୍ଚନାୟିକା (୧୯୬୮), ରାଜହଂସ (୧୯୭୦) (ସର୍ବଭାରତୀୟ ପ୍ରତିଯୋଗୀତା, ଅହମ୍ମଦାବାଦରେ ପ୍ରଥମ-୧୯୭୨), ଅପଦେବତା (୧୯୭୩), ପୁନଶ୍ଚ ପୃଥିବୀ (୧୯୭୭), କଳଙ୍କିତ ସୂର୍ଯ୍ୟ (୧୯୭୪), (ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ମୁଖା (୧୯୮୦), ଅଥଚ ଚାଣକ୍ୟ (୧୯୮୨), ପକ୍ଷ ଓ ଚରିତ୍ର (୧୯୮୭), ନାଟ୍ୟ ରତ୍ନାକର (୨୦୭), ତ୍ରିଆରା (୨୦୦୬), ସୁନାକଳସ (୧୯୯୮) ଓ ଆହୁରି ଅନେକ ।
କ୍ଷୁଦ୍ରଗଳ୍ପ- ଗପ (୧୯୭୨) ମୁଠାଏ ଶୂନ୍ୟତା (୧୯୭୩) କହ ଲଳିତା (୧୯୭୭), ସୂର୍ଯ୍ୟାସ୍ତର ଉପବନ (୧୯୭୯), ଋତୁର ନାମ ପିପାସା (୧୯୮୩), ନିଷିଦ୍ଧ ଶୃଙ୍ଗାର (୧୯୮୪)
ଉପନ୍ୟାସ- ରାତ୍ରୀର ରଜନୀଗନ୍ଧା (୧୯୬୫), ଅବ୍ୟକ୍ତ ଗୋଧୁଳି (୧୯୬୭), ଲୁହ ଲହରୀ (୧୯୬୩), ଫୁଲଫଗୁଣ (୧୯୬୮)
ଆଲୋଚନା ଓ ସମାଲୋଚନା- କବିଗୋପାଳକୃଷ୍ଣ (୧୯୭୦), ଉଦ୍ଭଟ ନାଟ୍ୟ ପରମ୍ପରା (୧୯୭୦), ଓଡ଼ିଆ ନାଟକର ଉଦ୍ଭବ ବିକାଶ (୧୯୭୮), (ପି.ଏଚ୍‌.ଡ଼ି. ଉପାଧି ସନ୍ଦର୍ଭ), ସନ୍ଥକବି ଅଚ୍ୟୁତାନନ୍ଦ (୧୯୯୮), ଆଧୁନିକ ଓଡ଼ିଆ ନାଟକ ଏକତୁଳନାତ୍ମକ ଅଧ୍ୟାୟ (୨୦୦୧) ଓ ସନ୍ଥ ସାହିତ୍ୟ କୋଷ (୧୯୯୮) ବୈଷ୍ଣବ ସାହିତ୍ୟ ଅଭିଧାନ ।
ଅନୁବାଦ- ଭିରେଶ ଲିଙ୍ଗମ୍‌ (ସାହିତ୍ୟ ଏକାଡ଼େମୀ ନୂଆଦିଲ୍ଲୀ) ପଞ୍ଜାବୀ ଏକାଙ୍କି ଏନ୍‌.ବି.ଟି. ନୂଆଦିଲ୍ଲୀ)
ସମ୍ପାଦନା- ଅଚ୍ୟୁତାନନ୍ଦ ରଚନାବଳୀ, ଆଜିର ଗଳ୍ପ, ଆଜିର ପ୍ରବନ୍ଧ, କାବ୍ୟ-କବିତା, ସ୍ବାଧିନତ୍ତୋର ଓଡ଼ିଆ ସାହିତ୍ୟ, ଓଡ଼ିଆ ଭାଷାକୋଷ ୮ ଖଣ୍ଡ ଓ ପରବର୍ତ୍ତୀ ଖଣ୍ଡ ସମ୍ପାଦନା କର୍ମରେ ଜଡ଼ିତ ।
ଇଂଲିଶ୍‌- Achyutan nanda Das, Contribution of ‘Pancha sakha’s the five saint- poets of Orissa.
ଚଳଚିତ୍ର- ଶୂନ୍ୟ ସ୍ବରୂପ- (କାହାଣୀ ଓ ସଂଳାପ)- ଜାତୀୟ ପୁରସ୍କାର ପ୍ରାପ୍ତ ଆର୍ନ୍ତଜାତିକ ପାନୋରମାରେ ବର୍ଲିନ୍‌ରେ ପ୍ରଦର୍ଶିତ ।
ପୁରସ୍କାର ଓ ସମ୍ମାନ :-୧) ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଅହମ୍ମଦାବାଦ ସର୍ବଭାରତୀୟ ନାଟ୍ୟ ପ୍ରତିଯୋଗିତା (୧୯୭୨)
୨) ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୫ ପାଇଁ ନାଟକ)
୩) ଧରିତ୍ରୀ- ସାହିତ୍ୟ ସମ୍ମାନ- ୧୯୮୦ ମସିହା (ସାମଗ୍ରୀକ ବୃତ୍ତି)
୪) ପ୍ରଜାତନ୍ତ୍ର- ବିଷୁବ ପୁରସ୍କାର- ୧୯୮୫ ମସିହା (କ୍ଷୁଦ୍ର ଗଳ୍ପ)
୫) ୟୁରେକା ସମ୍ମାନ, କଟକ- ୧୯୮୧ ମସିହା (ସାମଗ୍ରୀକ ବୃତ୍ତି)
୬) ଉନ୍ମେଷ ସମ୍ମାନ, କଟକ- ୧୯୮୩ ମସିହା (ସମାଲୋଚନା ସାହିତ୍ୟ)
୭) ସମ୍ମାନଜନକ ଆଦି- ନାଟ୍ୟକାର ସମ୍ମାନ- ୧୯୯୩ ମସିହା (ନାଟକ)
୮) ରାମଚନ୍ଦ୍ର ମିଶ୍ର- ନାଟ୍ୟ ସମ୍ମାନ- ୧୯୯୫ ମସିହା
୯) ତୁଳସୀ ସାହିତ୍ୟ ସଂସଦ- ନାଟ୍ୟଶ୍ରୀ ସମ୍ମାନ- ୧୯୯୭ ମସିହା
୧୦) ଶ୍ରେଷ୍ଠ ନାଟ୍ୟକାର ସମ୍ମାନ- ଉତ୍କଳ ସାହିତ୍ୟ ସମ୍ମାନ- ୧୯୯୯ ମସିହା
୧୧) ଗଣକବି ବୈଷ୍ଣବ ପାଣି ସମ୍ମାନ- ୧୯୯୯ ମସିହା
୧୨) ନାଟ୍ୟ ଭୂଷଣ ସମ୍ମାନ- ଇଣ୍ଟରନ୍ୟାସ୍‌ନାଲ ଥିଏଟର ଫେଷ୍ଟିଭାଲ (୧୯୦୩) ଇତ୍ୟାଦି ।
ପ୍ରଶ୍ନ ଓ ଉତ୍ତର :-
୧) ‘ଅଥଚ ଚାଣକ୍ୟ’ ଆପଣଙ୍କର ଏକ ବହୁଚର୍ଚ୍ଚିତ ସଫଳ ନାଟକ ।
ଭାରତୀୟ ମିଥ୍‌ ଉପରେ ଆଧାରିତ ‘ଅଥଚ ଚାଣକ୍ୟ’ର ଚାଣକ୍ୟ ଏକ ଆରୋଗାଣ୍ଟ ମାକିଆଭେଲି ଚରିତ୍ର ନ ହୋଇ ଏକ ଆଇଡ଼ିଆଲିଷ୍ଟିକ୍‌କୁ ପରିବର୍ତ୍ତିତ ହୋଇଛି କାହିଁକି ? ଏହାର ପୃଷ୍ଠଭୂମି ସମ୍ପର୍କରେ ମଧ୍ୟ କୁହନ୍ତୁ ?
ଉତ୍ତର :- ମୋର ଧାରଣାରେ ଭାରତ ବର୍ଷରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲେ ଚାଣକ୍ୟ ।
ନନ୍ଦ ଶାସନର କୁଶାସନକୁ ବଦଳାଇ ଦେଇ ତାଙ୍କର ମାନସ ସନ୍ତାନ ଚନ୍ଦ୍ରଗୁପ୍ତ ‘ଏକ ବ୍ୟକ୍ତିକୁ’ ଶାସନର କେନ୍ଦ୍ର ସ୍ଥଳରେ ରଖିଥିଲେ ।
ଦିଲ୍ଲୀରେ ବୁଲୁବୁଲୁ ‘ଚାଣକ୍ୟପୁରୀ’ ଦେଖିଲାବେଳେ ମନକୁ ଆସିଲା ଏହାର ନାମ କାହିଁକି ଚାଣକ୍ୟପୁରୀ ହୋଇଛି ।
ଏଠାରେ ବହୁ ରାଜନୈତିକ ପ୍ରତିନିଧି ଅଛନ୍ତି ।
ଏଣୁ ଏହାର ନିର୍ମାଣ ରାଜନୈତିକ ନା ପୁରାତନ ।
ଚନ୍ଦ୍ରଗୁପ୍ତ ଓ ଚାଣକ୍ୟ ଉପରେ ଅଧ୍ୟୟନ କଲି ।
ସେ ଗୋଟିଏ ବିଦ୍ରୋହୀ ଆତ୍ମା ଯିଏ ରାଷ୍ଟ୍ରପ୍ରେମ ଓ ମାନବବାଦୀ ଆତ୍ମାଟିଏ ହୋଇଥିବ ।
ମନୁଷ୍ୟର ସନ୍ତୁଳିତ ଯନ୍ତ୍ରଣାକୁ ସିଏ ସଜ୍ୟ କରିପାରି ନଥିବ ।
ଚନ୍ଦ୍ରଗୁପ୍ତ ଭଳି ଏକ ଶିଷ୍ୟକୁ ମୂର୍ତ୍ତିମାନ କରିଥିବ ।
ତାର ଅବଶିଷ୍ଟ ଜୀବନରେ ସ୍ବପ୍ନକୁ ଚନ୍ଦ୍ରଗୁପ୍ତ ମାଧ୍ୟମରେ ଜାଣିବାକୁ ଚାହିଁଛି ।
ଯଦି ମଣିଷର ମାନସିକତା ଓ ସମ୍ବେଦନଶୀଳତା ନ ବଦଳିବ ତାହେଲେ ଶୋଷଣ ଶାସନ ଏକ ଭାବରେ ଚାଲିବ ।
ଏହା ସର୍ବକାଳୀନ କାହାଣୀ ।
ଶାସନ ଓ ଶୋଷଣର ଫର୍ମୁଲା ଏକ ।
କାଳେ କାଳେ ଶାସନ ଓ ଶୋଷଣର ଫର୍ମୁଲା ଏକ ।
ଏଇ ପୃଷ୍ଠଭୂମି ଉପରେ ‘ଅଥଚ ଚାଣକ୍ୟ’ ରଚିତ ।
୨) ଆପଣଙ୍କ ମନସ୍ତାତ୍ବିକ ‘ରାଜହଂସ’ ନାଟକ ଓଡ଼ିଆ ନାଟ୍ୟ ସାହିତ୍ୟର ଏକ ଅମୂଲ୍ୟ ସଂପଦ ।
ଏହି ନାଟକ ରଚନା କରିବାରେ କେଉଁ ଅନୁଭବ ଆପଣ ବର୍ତ୍ତମାନ ସୁଦ୍ଧା ପାଶୋରି ପାରିନାହାଁନ୍ତି ସେ ବାବଦରେ କୁହନ୍ତୁ ?
ଉତ୍ତର :- ‘ରାଜହଂସ’ ନାଟକର ଉଦ୍‌ଘାଟନ ଉତ୍ସବରେ ମଞ୍ଚକୁ କାଳିଚରଣ ପଟ୍ଟନାୟକ ଆସିଥିଲେ ।
ଅସୁସ୍ଥ ଥାଇ ମଧ୍ୟ ଶେଷ ପର୍ଯ୍ୟନ୍ତ ସେ ଥିଲେ ।
‘ସେ କହିଲେ ଏଥିରେ ଯେଉଁ ମାନସିକତାକୁ ଧରିଛି ସେ ନାୟକର ଆତ୍ମାଭିତରେ ତୁମେ ହିଁ ଅଛ ।
’ ‘ରାଜହଂସ’ରେ ବାର୍ତ୍ତା ମଣିଷ ଯିଏ ଯେଉଁ ବୃତ୍ତି କରୁ ନା କାହିଁକି ତାର ସ୍ବାତନ୍ତ୍ରତାର ପ୍ରବୃତ୍ତିରୁ ଜଣାପଡ଼େ ।
ବୃତ୍ତି ଓ ପ୍ରବୃତ୍ତି ଅଲଗା ଜିନିଷ ।
ଜଣେ ଡାକ୍ତର ହୋଇ ମଧ୍ୟ ଲେଖକ ହୋଇପାରିବ ।
ଯାହା ପାଖରେ ପଇସା ଅଛି ସେ ପ୍ରତିଭାବନା ବ୍ୟକ୍ତି ଏହା କାଳେ କାଳେ ଭୁଲ ବୋଲି ପ୍ରମାଣିତ ହୋଇଛି ।
ବୃତ୍ତି ଓ ପ୍ରବୃତ୍ତିର ମାନସିକସ୍ତର ସଂଘର୍ଷରେ ମଣିଷ ନ କରିବା କଥା କରିପକାଏ ।
ଏଇଟା ଡାକ୍ତର ଅତନୁ ଓ ପ୍ରଫେସର ପାଖରେ ମଧ୍ୟ ହୋଇଛି ।
ମୋଟ ଉପରେ ମଣିଷର ମନ ଅଧିକ କ୍ଷମତାଶାଳୀ କେନ୍ଦ୍ର ।
ଏହା ବ୍ୟକ୍ତିତ୍ବ ବୃତ୍ତି ପରିସ୍ଥିତିକୁ ପରିଚାଳିତ କରେ ।
ପ୍ରାଚୀନ ଓଡ଼ିଆ ସାହିତ୍ୟରେ ମନକୁ ହଂସ ସହ ତୁଳନା କରାଯାଇଛି ।
‘ରାଜହଂସ’ ନାଟକ ସେହିପରି ଶ୍ରେଷ୍ଠତମ ହଂସର କାହାଣୀ ।
୩) ଆପଣ ଜଣେ ସଫଳ ଏକାଙ୍କିକା ସ୍ରଷ୍ଟା ତଥା ବହୁ ଏକାଙ୍କିକାର ରଚୟିତା ।
‘କଳଙ୍କିତ ସୂର୍ଯ୍ୟ’ ଏକାଙ୍କିକା ପାଇଁ ଆପଣ ଓଡ଼ିଆ ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।
ଏହା ସ୍ବାତନ୍ତ୍ରତା ସମ୍ପର୍କରେ ଦୁଇପଦ କୁହନ୍ତୁ ?
ଉତ୍ତର :- ଯେତେବେଳେ ମିଥ୍‌କୁ ପରୀକ୍ଷାବାଦୀମାନେ ମାଧ୍ୟମ ରୂପେ ଗ୍ରହଣ କଲେ, ସେତେବେଳେ ତାର ଭାବାବେଗ ଧୂଆଁଳିଆ ହୋଇଗଲା ।
ସାଧାରଣ ଲୋକେ ତତ୍ତ୍ବକୁ ଅନୁଭବ କରି ସାହିତ୍ୟର ମୂଲ୍ୟବୋଧକୁ ହଜମ କରିବା ପାଇଁ ସକ୍ଷମ ହୋଇପାରିଲେ ନାହିଁ ।
ସେଇ ସମୟରେ ବହୁପ୍ରଚଳିତ ଲୋକାଭିମୁଖୀକୁ ଆଶ୍ରୟ କରି ‘କଳଙ୍କିତ ସୂର୍ଯ୍ୟ’ ଲେଖାଯାଇଥିଲା ।
ଅନ୍ଧ ଛ ହାତୀ ଦେଖିବା, ହାତୀର ଆକାର ପ୍ରକାର ଉପରେ ଭିନ୍ନ ଭିନ୍ନ ମତଦେବା ମତମତାନ୍ତର ପରିଣତ ହେବା ଏକ ସର୍ବକାଳୀନ ସତ୍ୟ ।
ଅନୁରୂପ ଭାବରେ ଜୀବନ ବିଷୟରେ ଛଅଟି ଅନୁଭବି ଚରିତ୍ର ଗତିଶୀଳ କରିଛନ୍ତି ।
ଏଥିରେ ଥିବା ‘ଶୂନ୍ୟତାରେ ସିଡ଼ି’ ଆଧୁନିକ ନାଟକର ପରୀକ୍ଷା ନିରୀକ୍ଷାର ଗୋଟିଏ ଶେଷ ସୀମା ।
ଏଥିରେ ସଂଳାପ ଚରିତ୍ର ଚିତ୍ରଣ କଥାବସ୍ତୁ ସବୁ ବିଚିତ୍ର ।
ଅନେକ ପରିମାଣରେ ଅସଭଗ୍ନ ସଂକ୍ଷପରେ ହୋଇଛି ପରୀକ୍ଷା ‘ଥାଉ’ ଶବ୍ଦର ଯଥାର୍ଥ ବ୍ୟବହାର ।
କାହାଣୀର ଆରମ୍ଭ ନାହିଁ କି ଶେଷ ନାହିଁ ।
ତୃତୀୟ ଏକାଙ୍କିକା ‘ଖୋଲା ଆକାଶ’ରେ ପାଣି ଜାହାଜଟିଏ ଦୁର୍ଘଟଣା ମୁଖ୍ୟ ହୋଇ ତା ଭିତରେ ଚାରିପାଞ୍ଚଜଣ ଯାତ୍ରୀଙ୍କର ମାନସିକତାକୁ ନେଇ ଏ ଏକାଙ୍କିକା ରଚିତ ।
ଚରିତ୍ର ଗୁଡ଼ିକ ପରିବର୍ତ୍ତନଶୀଳ ।
ଏହା ତତ୍ତ୍ବ ନିଷ୍ଠ ପରୀକ୍ଷାବାଦୀ ଛୋଟ ନାଟକ ।
୪) ଓଡ଼ିଆ ଉଭବ ନାଟକ ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ସ୍ବର ।
ସେ ପରମ୍ପରା ନାଟକ ଦର୍ଶକ ମନୋରଞ୍ଜନ ଦେବାରେ ବିଫଳ ହେବା ସଙ୍ଗେ ସଙ୍ଗେ କାଳଜୟୀ ମଧ୍ୟ ହୋଇପାରିନାହିଁ ।
ଆପଣ ଜଣେ ସଫଳ ଉଦ୍‌ଭଟ ନାଟକ ସ୍ରଷ୍ଟା ତଥା ସମାଲୋଚକ କାହିଁକି, ଉଦ୍‌ଭଟ ନାଟକ ସ୍ଥାୟୀ ହୋଇ ପାରିଲା ନାହିଁ କାହିଁକି ?
ଉତ୍ତର :- ଉଦ୍‌ଭଟ ନାଟକ ଆରମ୍ଭ ହେଲା ବିଶ୍ବ ସାହିତ୍ୟରେ ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ।
ସେଠି ମଣିଷର ଅଶାନ୍ତ ମନକୁ ବିଶ୍ଳେଷଣ କରିବାକୁ ଚେଷ୍ଟା କରାଯାଇଥିଲା ।
ଚିରନ୍ତନ ମୂଲ୍ୟବୋଧ ସାମାଜିକ ଜୀବନଧାରା ଆତ୍ମୀୟତା ଭଲପାଇବା ବିଶ୍ବଯୁଦ୍ଧର ଘନଘଟା ମଧ୍ୟରେ ନଷ୍ଟ ହୋଇଯାଇଥିଲା ।
ମଣିଷ ମନର ଅଶାନ୍ତ ଇଚ୍ଛାକୁ ଚିତ୍ରତ କରିବା ପାଇଁ ଏହି ଆନ୍ଦୋଳନ ପାଶ୍ଚାତ୍ୟ ସାହିତ୍ୟରେ ଦେଖା ଦେଇଥିଲା ।
ତେବେ ଭାରତରେ ସେଭଳି ସ୍ଥିତି ନଥିଲା ।
ଈଶ୍ବର ମରିଲେଣି ବୋଲି ଜଣେ ଦାର୍ଶନିକ ଘୋଷଣା କଲାବେଳେ ଭାରତୀୟ ଲୋକେ ସୁଦୁ ପଥରକୁ ଦେବତା ଭାବରେ ଗ୍ରହଣ କରୁଥିଲେ ।
ତେଣୁ ଭାରତୀୟ ନୈରାଶ୍ୟ ହତାଶା ଈଶ୍ବରଭିତ୍ତିକ ନହୋଇ ଅର୍ଥନୀତିକ ଥିଲା ।
ଭାରତରେ ହତାଶା ଆସିଛି ଅର୍ଥନୀତିରୁ ।
ଏଇ ହତାଶା ପାଶ୍ଚାତ୍ୟ ଉଦ୍ଭଟ ସହ ସମ୍ପର୍କ ନଥିଲା ।
ସ୍ବାଧୀନତା ପରେ ଅର୍ଥନୀତିର ସମସ୍ୟା ଉଗ୍ର ହେଲା ।
କିଛିବର୍ଷ ପରେ ଦେଖାଗଲା ଧନ ସୀମିତ ଗୋଷ୍ଠୀ ମଧ୍ୟରେ ରହିଲାନି ।
ଭାରତୀୟ କଳାଧନରେ ଧନିକ ଶ୍ରେଣୀ ତିଆରି ହେଲେ ।
ଧନରୁ ରାଜନେତା ସୃଷ୍ଟି ହେଲେ ।
ଧନିକ ଶ୍ରେଣୀ ନୈରାଶ୍ୟ ରହିଲା ।
ନୈରାଶ୍ୟ ହେଲା ବହୁମୂଖୀ ଓ ବ୍ୟକ୍ତି କୈନ୍ଦ୍ରିକ ।
ଏଇ ବ୍ୟକ୍ତି କୈନ୍ଦ୍ରିକ ନୈରାଶ୍ୟ ଗ୍ରହଣୀୟ ସମସ୍ୟା ହୋଇ ରହିଲା ନାହିଁ ।
ଏଣୁ ଉଦ୍ଭଟ ଥିଲା (ଫର୍ମୁଲା) Formula ପକା ।
ତେଣୁ ଲୋକପ୍ରିୟ ହେଲା ନାହିଁ ।
୫) ନାଟକ ସହିତ ଆପଣ ଜଣେ ସଫଳ ଗାଳ୍ପିକ ।
ବହୁ ଗଳ୍ପ ସଙ୍କଳନର ସ୍ରଷ୍ଟା ।
ଆଜିର ଓଡ଼ିଆ ଗଳ୍ପ ସାହିତ୍ୟ ପାଇଁ ଗାଳ୍ପିକର ସାମାଜିକ ଅଙ୍ଗୀକାର ରହିବା ଉଚିତ୍‌ କି ନାହିଁ ?
ଉତ୍ତର :- ସମାଜକୁ ଛାଡ଼ି ଯିଏ ସାହିତ୍ୟ ଲେଖେ ପରୀକ୍ଷା ନିରୀକ୍ଷାର କଥା କହେ ସେ ସମ୍ମାନ ପାଇବାକୁ ହକ୍‌ଦାର ନୁହେଁ ।
ସାହିତ୍ୟ ସୃଷ୍ଟି ପାଇଁ ବିଦ୍ୟମାନସ ଆସିବା ଦରକାର ।
ସାହିତ୍ୟ ସର୍ବକାଳୀନ ହେବା ଦରକାର ।
୬) ନାଟକୀୟ ଜୀବନ ବଡ଼ ବିଚିତ୍ର ।
ଆପଣ ସୌଖିନ ତଥା ବହୁ ସାଧାରଣ ନାଟ୍ୟ ପ୍ରତିଷ୍ଠାନସହ ସମ୍ପର୍କ ଥିବ ।
ଏହି ନାଟକୀୟ ଜୀବନ ମଧ୍ୟରେ ସ୍ମରଣୀୟ ଅନୁଭୂତିଟିଏ କୁହନ୍ତୁ ?
ଉତ୍ତର :- ‘ରାଜହଂସ’ ମୋର ଏମ୍‌ଏ ପଢୁଥିବା ସମୟର ଲେଖା ।
ମୁଁ ଯେତେବେଳେ ରାଜେନ୍ଦ୍ର କଲେଜରେ ଯୋଗ ଦେଲି ସେତେବେଳେ ଏହି ନାଟକ ସେଠି ମଞ୍ଚସ୍ଥ ହେଲା ।
ସେତେବେଳେ ସେକ୍ରେଟେରିଏଟ୍‌ ରିକ୍ରେସନ କ୍ଲବ, ଭୁବନେଶ୍ବର ପକ୍ଷରୁ ଅହମ୍ମଦାବାଦରେ ଏହି ନାଟକ ୧୯୭୧ ରେ ମଞ୍ଚସ୍ତ କଲା ।
ଏ ଡ୍ରାମା ସେଠାରେ ଚାରୋଟି ଶ୍ରେଷ୍ଠ ପୁରସ୍କାର ପାଇଲା ।
ଏହି ସଫଳତା ପାଇଁ ଭୁବନେଶ୍ବର ସେକ୍ରେଟେରିଏଟ୍‌ ଦିନେ ବନ୍ଦ ରହିଲା ।
ସେକ୍ରେଟେରିଏଟ୍‌ରେ ମଞ୍ଚସ୍ଥ ହେବା ଦିନ ମୋର ବୀର କିଶୋର ଦାସଙ୍କ ସହ ସାକ୍ଷାତ୍‌ ହେଲା ।
ସେ ରଜତ କରଙ୍କ ସାକ୍ଷାତ୍‌ ଚାହୁଁଥିଲେ ।
ସେଠାରେ ‘ରାଜହଂସ’ ଦେଖିବା ପାଇଁ ଆଗରେ ବସିଲି ।
ମନ୍ତ୍ରୀ ଆସିବେ ଏଇ ସମୟରେ ବ୍ୟାଚ୍‌ପିନ୍ଧା ଲୋକ ଆସି ଚେୟାରରୁ ଉଠାଇ ଦେଲା ।
ମୋତେ ଅପମାନ ଲାଗିଲା ।
ମୁଁ ଫାଟକ ପାଖରେ ଆସି ପହଞ୍ଚିଲି ।
ଗୋଟିଏ ଗାଡ଼ିରେ ବୀରବାବୁ ଓ କିଛି ନାଟ୍ୟପ୍ରେମୀଙ୍କ ସହ ଆସି ପହଞ୍ଚିଲେ ।
ମୋତେ ନେବାକୁ ଚେଷ୍ଟାକଲେ ।
ଏହା ମୋର ସ୍ମରଣୀୟ ଅନୁଭୂତି ।
୭) ଆପଣଙ୍କ ଗବେଷଣା ନିବନ୍ଧ ‘ଓଡ଼ିଆ ନାଟକର ଉଦ୍ଭବ ବିକାଶ’ ଓଡ଼ିଆ ନାଟ୍ୟ ସାହିତ୍ୟ ସମାଲୋଚନାର ମାଇଲ ଖୁଣ୍ଟ ।
ଏହାକୁ ସମ୍ପୂର୍ଣ୍ଣ କରିବାର ଅନୁଭୂତି ମଧ୍ୟରୁ ଯେଉଁଟି ଆଜି ଯାଏଁ ଆପଣଙ୍କୁ ଆଚ୍ଛନ୍ନ କରି ରଖିଛି ସେ ସମ୍ପର୍କରେ କୁହନ୍ତୁ ?
ଉତ୍ତର :- ସେତେବେଳେ କୌଣସି କାମ ହୋଇନଥିଲା ।
ଜଗନମୋହନ ଲାଲାଙ୍କୁ ପ୍ରଥମ ନାଟ୍ୟକାର ବୋଲି ପ୍ରମାଣିତ କରିବାର ଭାବନାଟି ମୋ ଭିତରେ ଥିଲା ।
କାଳୀଚରଣ ପଟ୍ଟନାୟକ ଓ ଓଡ଼ିଶା ଥିଏଟର ଗଠନ ହେବା ପର୍ଯ୍ୟନ୍ତ ଓଡ଼ିଆ ନାଟକର ବିଧିବଦ୍ଧ ବିକାଶକୁ ଉପସ୍ଥାପନ କରିବା ମୋ ଗବେଷଣାର ମୂଳ ଲକ୍ଷ୍ୟ ।
ଏ ଦିଗରେ ମୁଁ ସଫଳ ହୋଇଛି ବୋଲି ଭାବୁଛି ।
ଏହା କାଳିଚରଣଙ୍କୁ ମନୋରଞ୍ଜନ ପର୍ଯ୍ୟନ୍ତ ଆଲୋଚନା କରିନାହିଁ ।
ମନୋରଞ୍ଜନ ଦାସଙ୍କ ନବନାଟ୍ୟ ଆନ୍ଦୋଳନର ଉତ୍‌ଥାନ ପତନ ପର୍ଯ୍ୟନ୍ତ ମୁଁ ‘ଉଦ୍ଭଟନାଟ୍ୟ ପରମ୍ପରା’ଙ୍କ ଆଲୋଚନା କରିଛି ।
୮) ଆଜି ପୁରସ୍କାର ଓ ସମ୍ମାନ ନେଇ ବହୁ ବିତର୍କ ହେଉଛି ।
ଏବେ ଓଡ଼ିଆ ସାହିତ୍ୟ ଏକାଡ଼େମୀ ଓ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରକୁ ବିତର୍କ ଚାଲିଛି ।
ବହୁ ବାଦବିବାଦ ସମ୍ବାଦପତ୍ର ମଣ୍ଡନ କରୁଛନ୍ତି ।
ଏ ସମ୍ପର୍କରେ ଆପଣ ସ୍ବକୀୟ ମତ ପ୍ରଦାନ କରନ୍ତୁ ?
ଉତ୍ତର :- ପ୍ରଥମ କଥା ହେଉଛି ସାହିତ୍ୟିକ ସମ୍ମାନ କୌଣସି ସାହିତ୍ୟିକର ବଡ଼ପଣ ବଢ଼ାଏ ନାହିଁ ।
ପୁରସ୍କାର ହେଉଛି ସାମାଜିକ ସ୍ବୀକୃତି ।
ବିଶ୍ବରେ ଭାରତବର୍ଷ ଓ ଏପରି ଓଡ଼ିଶାରେ କୌଣସି ସମ୍ମାନ ନପାଇ ବହୁ ବଡ଼ ବଡ଼ ପ୍ରତିଷ୍ଠିତ ସ୍ରଷ୍ଟାମାନେ ମୁଣ୍ଡ ଟେକି ରହିଛନ୍ତି ।
ସମ୍ମାନ ପ୍ରତି ଆଶା ଲେଖକର ଏକ ସାମାଜିକ ବ୍ୟାଧି ।
ସ୍ରଷ୍ଟା ସୃଷ୍ଟି କରି ଚାଲୁ ।
ପୁରସ୍କାର ପଛରେ ନଚାଲୁ ତା ପଛରେ ପୁରସ୍କାର ଗୋଡ଼ାଉ ।
ତା ହେଲେ ସାହିତ୍ୟର ସମ୍ମାନ ବଢ଼ିବ ।
ଏ ବିବାଦ ମାନ ପରିସ୍ଥିତି ପୁରସ୍କାର ପାଇବାର ଲିପ୍‌ସା ଓ ଆଉ ଦଳେ ବିଧିବଦ୍ଧ ବ୍ୟବସ୍ଥାକୁ ଉଲଘଂନ କରି ପୁରସ୍କୃତ କରିବାର ଧାରା ଓଡ଼ିଆ ସାହିତ୍ୟକୁ କଳଙ୍କିତ କରୁଛି ।
୯) କେଉଁ ନାଟ୍ୟକାରଙ୍କ ଶୈଳୀ ଆଉ ଦର୍ଶନ ଆପଣଙ୍କୁ ଆଜି ଯାଏ ପ୍ରୋତ୍ସାହିତ କରୁଛି ତଥା ଆପଣଙ୍କ ଆଦର୍ଶ କିଏ ?
ଉତ୍ତର :- ପ୍ରାଣବନ୍ଧୁ କର ଓ କାଳୀଚରଣ ପଟ୍ଟନାୟକ ମୋର ଆଦର୍ଶ ।
୧୦) ସାହିତ୍ୟ କର୍ମରେ ଆପଣଙ୍କ ପରିବାର ବର୍ଗ କିଭଳି ସହଯୋଗ କରନ୍ତି ?
ଉତ୍ତର :- ସାହିତ୍ୟ କର୍ମରେ ମୋର ପତ୍ନୀ ବରାବର ସାହାଯ୍ୟ ଓ ସହଯୋଗ କରନ୍ତି, ତାର ସାହିତ୍ୟିକ ମାନସିକତାଟିଏ ଅଛି ।
ଶିଶୁ ଓ କିଶୋର ମାନଙ୍କ ପାଇଁ ସେ ୧୭/୧୮ ଖଣ୍ଡ ବହି ଲେଖିଛନ୍ତି ।
ପୁଅ, ଝିଅ ବୃତ୍ତିଭିତ୍ତିକ ଝିଅ ସାହିତ୍ୟ ପଢ଼େ, ସାହିତ୍ୟର ପ୍ରଶଂସା କରେ ବୃତ୍ତିରେ ଇଞ୍ଜିନିୟର ।
ପୁଅର ଆଗ୍ରହ କମ୍‌ ।
୧୧) ଆପଣଙ୍କର ପରବର୍ତ୍ତୀ ସୃଷ୍ଟି କଣ ?
ଉତ୍ତର :- ମୋର ପରବର୍ତ୍ତୀ ପୁଣି କଣ ? ଅଚ୍ୟୁତା ନନ୍ଦଙ୍କ ଦୁଷ୍ପାପ୍ୟ ପୋଥି ସଂଗ୍ରହ କରି ତାଙ୍କ ବୃତ୍ତି ଶୁଦ୍ଧ ପ୍ରକାଶନ କରିବାର ଧାରା ଅବ୍ୟାହିତ ରଖିଛି ।
ଓଡ଼ିଆ ଭାଷାକୋଷରେ ୧୦ ଖଣ୍ଡରେ ଶେଷ ହେବ ।
୯ ଖଣ୍ଡ ପ୍ରକାଶିତ ।
ଆତ୍ମାନୁଭୂତିରେ ଓଡ଼ିଶା ଓ ଓଡ଼ିଆ, ଓଡ଼ିଶାର ଲେଖକ ଓ ରାଜନୈତିକ ନେତାମାନଙ୍କୁ ନେଇ ମୋର ଜୀବନଚର୍ଯ୍ୟା ପ୍ରକାଶ ଚାଲିଛି ଓ ଲେଖା ମଧ୍ୟ ଚାଲିଛି ।
‘ଜନସୁଧା’ ପତ୍ରିକାରେ କ୍ରମାଗତ ଭାବେ ଲେଖା ପ୍ରକାଶ ପାଉଛି ।
୧୨) ଓଡ଼ିଆ ସାହିତ୍ୟ ଡଟ୍‌.କମ୍‌ କୁ ଆପଣଙ୍କର ବାର୍ତ୍ତା ?
ଉତ୍ତର :- ଏଭଳି ଏକ କାର୍ଯ୍ୟଧାରା ଚାଲିଛି ମୁଁ ମୁଗ୍ଧ ହେଲି ।
ମୋ ଜାତିର ଲୋକ ସଚେତନ ହୋଇ ଆନ୍ତର୍ଜାତିକ ସ୍ତରରେ ଓଡ଼ିଆ ସାହିତ୍ୟକୁ ଉପସ୍ଥାପନା କରୁଛନ୍ତି ।
ଏହାଠାରୁ ଖୁସିର ଖବର କ’ଣ ଥାଇପାରେ ।
ସାହିତ୍ୟ ସଂସ୍କୃତି ଓ ଭାଷାର ନିଷ୍ଠାପର ସେବକମାନେ ଏଭଳି ଏକ ପଦକ୍ଷେପ ନେଇଛନ୍ତି ଜାଣି ଓ ସେମାନଙ୍କ ପ୍ରତି କୃତଜ୍ଞାତରେ ମୋର ହୃଦୟ ଭରି ଉଠୁଛି ।
ମା ଉତ୍କଳ ଜନନୀ ସେମାନଙ୍କର ମଙ୍ଗଳ କରନ୍ତୁ ଏବଂ ସାହିତ୍ୟ ସଂସ୍କୃତିର ରୁଦ୍ଧିମନ୍ତ ଚିତ୍ର ବିଶ୍ବର କୋଣେ ଅନୁକୋଣେ ଠିକ୍‌ ଭାବେ ପହଞ୍ଚାନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment