Commit ea6038a1 authored by Nayan Ranjan Paul's avatar Nayan Ranjan Paul

Upload New File

parent 26366afb
ଡାକ ମୁନ୍‌ସି
- ଫକୀରମୋହନ ସେନାପତି
ତା: ଏପ୍ରିଲ୍ ୨୭, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ହରି ସିଂହ ସରକାରୀ କର୍ମରେ ବାହାଲ ହେବା ଦିନଠାରୁ ମଫସଲର ସାନ ବଡ଼ ଅନେକ ପୋଷ୍ଟ ଅଫିସ୍‌କୁ ବଦଳି ହୋଇ କର୍ମ ଇଞ୍ଜାମ କରି ଆସିଲେଣି ।
ଆଜକୁ ଦଶ ବରଷ ହେଲା କଟକ ସଦର ପୋଷ୍ଟଅଫିସ୍‌ରେ ବରାବର ରହି କର୍ମ କରୁଛନ୍ତି ।
ଭଲରୂପେ କର୍ମ କରିବାରୁ ପ୍ରମୋଶନ ପାଇଲେଣି ।
ବର୍ତ୍ତମାନ ହେଡ଼ ପିଅନ, ଦରମା ମାସକୁ ନଅ ଟଙ୍କା ।
କଟକ ସହରରେ ସବୁ ଜିନିଷ କିଣା ।
ନିଆଁ ଟିକକ ପାଇଁ ଦିଆସିଲ୍‌ ଲାଇଟା ମଧ୍ୟ ନ କିଣିଲେ ନୁହେଁ ।
ଅତି କଷ୍ଟରେ ଚଳି ସୁଦ୍ଧା ମାସକୁ ପାଞ୍ଚ ଟଙ୍କାରୁ ଊଣା ଖରଚ ପଡ଼େ ନାହିଁ ।
କୌଣସି ରୂପେ ଘରକୁ ଚାରିଟଙ୍କା ନ ପଠାଇଲେ ନୁହେଁ ।
ଘରେ ସ୍ତ୍ରୀ ଆଉ ଆଠ ବରଷର ପୁଅ ଗୋପାଳ ।
ମଫସଲ ଜାଗା, ଚାରି ଟଙ୍କାରେ କୌଣସି ରୂପେ ଟାଣଟୁଣ ହୋଇ ଚଳିଯାଏ ।
ସେଥିରୁ ପଇସାଏ ଊଣା ହେଲେ ଅଚଳ ।
ଗୋପାଳ ଅପର ପ୍ରାଇମେରୀ ସ୍କୁଲରେ ପଢ଼େ ।
ସ୍କୁଲରେ ଦରମା ମାସକୁ ଦୁଇଅଣା ।
ସ୍କୁଲ ଦରମା ଛଡ଼ା ଆଜି ବହି ଖଣ୍ଡେ, କାଲି ସ୍ଲେଟ୍‌ କାଗଜ ଏ ସବୁ ଜିନିଷ କିଣିବାକୁ କେବେ କେବେ କିଛି କିଛି ବେଶି ଖରଚ ପଡ଼େ ।
ଏପରି ଉପୁରି ଖରଚ ପଡ଼ିଗଲେ ସେ ମାସରେ ଭାରି କଷ୍ଟ ।
ଦିନେ ଦିନେ ବୁଢ଼ାକୁ ଉପାସ ରହିଯିବାକୁ ହୁଏ ।
ଉପାସ ହେଉ ପଛେ, ମୋ ଗୋପାଳଟି ପଢ଼ୁ ।
ଦିନେ ପୋଷ୍ଟମାଷ୍ଟର ସର୍ଭିସ୍‌ ବୁକ୍‌ ଦେଖି କହିଲେ, “ହରି ସିଂହ, ତୁମ୍ଭର ପଞ୍ଚାବନ ବର୍ଷ ବୟସ ହୋଇଗଲା, ପେନ୍‌ସନ୍‌ ନେବାକୁ ହେବ, ଆଉ ଚାକିରି କରି ପାରିବି ନାହିଁ ।”
ସିଂହଙ୍କ ମୁଣ୍ଡରେ ତ ବଜ୍ର ଭାଙ୍ଗି ପଡ଼ିଲା ।
କଣ କରିବେ, ସଂସାର ଚଳିବ କିପରି ? ସଂସାର ଯାହାହେଉ, ଗୋପାଳର ଯେ ପଢ଼ା ବନ୍ଦ ।
ଗୋପାଳ ଜନ୍ମଦିନଠାରୁ ସିଂହେ ମନ ମଧ୍ୟରେ ଭାରି ଗୋଟାଏ ଉଚ୍ଚ ଆଶା ପୋଷିଛନ୍ତି-ଗୋପାଳ ମଫସଲ ପୋଷ୍ଟଅଫିସ୍‌ରେ ସବ୍‌ପୋଷ୍ଟମାଷ୍ଟର ହେବ-ଅତି ନିକୁଛରେ ଭିଲେଜ୍‌ ପୋଷ୍ଟମାଷ୍ଟର ହେବ ।
ମାତ୍ର ଟିକିଏ ଇଂରାଜୀ ନ ଜାଣିଲେ ତେଡ଼େବଡ଼ ଚାକିରିଟା ମିଳିବା ମୁସ୍କିଲ ।
ମଫସଲରେ ସୁବିଧା ନାହିଁ, କଟକ ଆଣି ଇଂରାଜୀ ପଢ଼ାଇବାକୁ ହେବ ।
ଚାକିରି ଗଲେ ତେଡ଼େବଡ଼ ଆଶାରୁ ଏକାବେଳକେ ନିରାଶ ।
ସବୁବେଳେ ସେହି କଥା ଭାବି ଭାବି ଦେହଟା କଳାକାଠ ପଡ଼ିଗଲାଣି ।
ଦିନେଦିନେ ରାତିରେ ନିଦ ହୁଏ ନାହିଁ, ଭାବି ଭାବି ରାତି ପାହିଯାଏ ।
ସିଂହଙ୍କ ଉପରେ ପୋଷ୍ଟମାଷ୍ଟର ବାବୁଙ୍କର ଭାରି ମେହେରବାନି ।
ବସାରେ ମୁକରରି ଚାକର ଥିଲେ ମଧ୍ୟ ସରକାରୀ କାମ ସାରି ସଞ୍ଜବେଳେ ସିଂହେ ବାବୁଙ୍କ ବସାରେ ଦୁଇ ଚାରିଟା କାମଦାମ କରିଦେଇ ଆସନ୍ତି ।
ସଞ୍ଜବେଳେ ଗୋଟାଏ ଆରାମ୍‌ ଚୌକିରେ ପଡ଼ି ବାବୁ ଇଂରାଜୀ ଖବରକାଗଜ ପଢ଼ିବାବେଳେ ସିଂହେ ଯେଉଁ ମିଠା କଡ଼ା ଗୁଡ଼ାଖୁ ଚିଲମେ ସାଜି ଦିଅନ୍ତି, ସେପରି କେହି ଜାଣେ ନାହିଁ ।
ଦିନେ ସଞ୍ଜବେଳେ ସିଂହେ ଭଲ କରି ଗୁଡ଼ାଖ ଚିଲମେ ସାଜି ଆଣି ଭଲ କରି ଚିଲମଟା ଫୁଙ୍କିଦେଲେ ।
ବାବୁଙ୍କ ମୁହଁରୁ ଇଞ୍ଜିନ ପାଇପ୍‌ରୁ ବାହାରିଲା ପରି ଧୁଆଁଗୁଡ଼ାକ ଭକ୍‌ ଭକ୍ କରି ବାହାରୁଛି, ଟିକିଏ ଟିକିଏ ଆଖି ବୁଜି ଆସିଲାଣି ।
ସିଂହେ ବୁଝି ନେଲେ ଏହିଟା ଠିକ୍‌ ସମୟ ।
ସିଂହେ ବାବୁଙ୍କ ଗୋଡ଼ତଳେ ଦଣ୍ଡବତ ହୋଇ ହାତ ଯୋଡ଼ି ଖୁବ୍‌ ଭକ୍ତିରେ, ଖୁବ୍‌ ବିନୟରେ, ଖୁବ୍‌ ଧୀରେ, ଖୁବ୍‌ ମିଠା କଥାରେ ଆପଣାର ଦୁଃଖ ହାଲ ଚୁମ୍ବକ ଚୁମ୍ବକ ସମସ୍ତ କଥା ଜଣାଇଲେ ।
ଗୋପାଳ ସମ୍ବନ୍ଧରେ ତାଙ୍କର ଯେଉଁ ଉଚ୍ଚ ଆଶା, ତାହା ମଧ୍ୟ ଜଣାଇବାକୁ ପାସୋରିଲେ ନାହିଁ ।
ବାବୁ ସେହିପରି ନୟନ ମୁଦ୍ରିତାବସ୍ଥା-ଧୀର ଗମ୍ଭୀର ଭାବରେ କହିଲେ, “ଆଚ୍ଛା, ଦରଖାସ୍ତ ଖଣ୍ଡେ ଲେଖି ଆଣ ।”
ବାବୁଙ୍କର ସାହସ ଥିଲା, କାରଣ ପୋଷ୍ଟାଲ ଇନ୍‌ସ୍ପେକ୍ଟର ବା ସୁପରିଣ୍ଟେଟେଣ୍ଡେଣ୍ଟ୍‌ ବାବୁମାନେ ଆସିଗଲେ ପୋଷ୍ଟମାଷ୍ଟର ବାବୁଙ୍କ ବସାରେ ରହନ୍ତି ।
ଉପର ହାକିମମାନଙ୍କ ମନସ୍ତୁଷ୍ଟି ପାଇଁ ଖାଦ୍ୟପେୟ ବିଷୟରେ ଯେପରି ଆୟୋଜନ ହେବାର ଉଚିତ୍‌, ସେଥିରୁ ତ୍ରୁଟି ହୁଏ ନାହିଁ ।
ସେ ରାତ୍ରରେ ପୋଷ୍ଟମାଷ୍ଟର ବାବୁ ‘ହରି ସିଂ, ହରି ସିଂ’ କରି ଦଶଥର ପାଟି କରୁଥିବାର ଶୁଣାଯାଏ ।
ହରି ସିଂହେ, ପୁରୁଣା ଲୋକ, ଢେର ଢେର ହାକିମହୁକୁମା ଅମଳ କଲେଣି ।
କାହାର କି ରକମ ମିଜାଜ, କିଏ କାହିଁରେ ଖୁସି, ଜାଣନ୍ତି ।
ସେ ଦିନ ଅଧରାତିଯାଏ ସିଂହଙ୍କୁ ବାବୁଙ୍କ ବସାରେ ରହିବାକୁ ହୁଏ ।
କାରଣ ଓଡ଼ିଶାର କଦର୍ଯ୍ୟ ହାଓଆ ହେତୁରୁ କେହି ବାବୁ ହଠାତ୍‌ ପୀଡ଼ିତ ହୋଇ ବାନ୍ତିଫାନ୍ତି କରି ପକାଇଲେ ହରି ସିଂହେ ସୋଡ଼ା କାଗଜିଲେମ୍ବୁ ପ୍ରଭୃତି ହାଜର କରାଇ ବାବୁଙ୍କୁ ସମ୍ଭାଳି ନିଅନ୍ତି ।
ବାବୁମାନେ ଆରାମରେ ଶୟନ କଲା ଉତ୍ତାରେ ସିଂହେ ଅଧରାତିରେ ବସାକୁ ଯାଇ ଆପଣା ପାଇଁ ରୋଷେଇ କରନ୍ତି ।
ଏହି ସୂତ୍ରରେ ସିଂହେ ଉପରବାଲା ହାକିମମାନଙ୍କଠାରେ ପରିଚିତ ।
ହରି ସିଂହଙ୍କ ଦରଖସ୍ତ ପିଠିରେ ପୋଷ୍ଟମାଷ୍ଟର ବାବୁ ଭଲ ରୂପେ ସୁପାରିସ କରି ସଦରକୁ ପଠାଇ ଦେଲେ, ଅଳ୍ପଦିନ ମଧ୍ୟରେ ଏକଷ୍ଟେନ୍‌ସନ୍‌ ହୁକୁମ ପହଞ୍ଚଲା ।
ସିଂହେ ତ ମହାଖୁସି, ଏହି ଖୁସି ଖବରଟା ଗାଁକୁ ଲେଖି ପଠାଇଲେ ।
ବର୍ତ୍ତମାନସର୍ବସ୍ବ ଲୋକ ଉପସ୍ଥିତ ସୁଖ ବା ଦୁଃଖରେ ବିମୋହିତ ହୋଇ ପଡ଼ିଥାନ୍ତି ।
ଭବିଷ୍ୟତ ବିଧାତା ତାଙ୍କ ପାଇଁ କଣ ବିଧାନ କରୁଛନ୍ତି, ତେଣିକି ଥରେ ହେଲେ ଅନାଇବା ଦରକାର ମଣନ୍ତି ନାହିଁ ।
ସିଂହଙ୍କର ଏତେ ବଡ଼ ଆନନ୍ଦଟା ପାଣିଫୋଟକା ପରି ଫାଟିଗଲା ।
ଘରଠାରୁ ଚିଠି ଆସିଲା, ଗୋପାଳ ମାଆର ସନ୍ନିପାତ ରୋଗ, ଜୀବନର ଆଶା ନାହିଁ ।
ସିଂହେ ପୋଷ୍ଟମାଷ୍ଟର ବାବୁଙ୍କୁ ଚିଠିଖଣ୍ଡକ ଦେଖାଇଲେ ।
ବାବୁ ବଡ଼ ଦୟାଳୁ ଲୋକ, ତତ୍‌କ୍ଷଣାତ୍‌ ଛୁଟି ଦେଲେ ।
ସିଂହେ ଏକନିଶ୍ବାସରେ ଘରକୁ ଧାଇଁଲେ, ଘରେ ପହଞ୍ଚି ଯାହା ଦେଖିଲେ, ତାଙ୍କ ଆଖିର ଜ୍ୟୋତି ହଜିଗଲା ।
ଜଗତଟା ଯେମନ୍ତ ଅନ୍ଧକାରମୟ ।
ବୁଢ଼ୀର କଥା ଶେଷ ପ୍ରାୟ ହେଲାଣି ।
ସ୍ବାମୀଙ୍କୁ କ୍ଷୀଣ ଦୃଷ୍ଟିରେ ଭଲ କରି ଅନାଇଲେ, ଦୁଇ ହାତ ଅଳ୍ପ ଉଠାଇ ଦଣ୍ଡବତ କଲେ, ସ୍ବାମୀଙ୍କ ଗୋଡ଼ଧୂଳି ନେବାକୁ ଠାରିଲେ ।
ସେହି ଧୂଳି ଟିକେ ପାଇଁ କି ଅନାଇ ରହିଥିଲେ ? ସବୁ ଶେଷ ହେଲା ! ସିଂହଙ୍କର ପ୍ରକୃତ ଗୃହ ଭଗ୍ନ ହେଲା ।
ସେ ଘର ମାଲମତା ଦୁଇ ଖଣ୍ଡ ବିକି ପିଲାଟିକୁ ଧରି କଟକ ପଳାଇ ଆସିଲେ ।
ଗୋପାଳ ମାଇନର ପଢ଼େ ।
ସିଂହଙ୍କର ବର୍ତ୍ତମାନ ଭାରି କଷ୍ଟ, ପେନ୍‌ସନ୍‌ ହୋଇଗଲାଣି, ଭାରି ଅଚଳ ।
ଘରେ ଲୋଟାକଂସା ଯାହା ଦୁଇଖଣ୍ଡ ଥିଲା, ବିକିବାକି ଖାଉଛନ୍ତି, ଚାକିରିରେ ଥିବାବେଳେ ଅତି କଷ୍ଟରେ ମାସକୁ ଦୁଇ ଚାରି ଅଣା ସଞ୍ଚି ସେଭିଂସ୍‌ ବେଙ୍କ୍‌ରେ କିଛି ରଖିଥିଲେ, ଗୋପାଳ ପଛରେ ମାଇନର ପଢ଼ାରେ ସବୁ ସାରିଲେ ।
ସିଂହଙ୍କର ପ୍ରବଳ ଆଶା, ଗୋପାଳ ପାସ୍‌ କଲେ ସବୁ କଷ୍ଟ ମେଣ୍ଟିବ ।
ଗୋପାଳ ମଧ୍ୟ କେତେଥର ଭରସା ଦେଇ କହିଲାଣି, “ବାପା, ଧାର କରଜ କରି ମୋତେ ପଢ଼ାଅ, ଚାକିରି କରି ଶୁଝିବି ।”
ହରି ସିଂହଙ୍କର ଆର୍ତ୍ତ ପ୍ରାର୍ଥନା ଦୀନବନ୍ଧୁ ପ୍ରଭୁ ଭଗବାନ୍‌ ଶୁଣିଲେ ।
ଗୋପାଳ ମାଇନର ପାସ୍‌ କଲା ।
ସିଂହଙ୍କର ଆନ୍ଦର ସୀମା ନାହିଁ ।
ସେହି ପୁରୁଣା ପୋଷ୍ଟମାଷ୍ଟର ବାବୁ ଅଛନ୍ତି, ସିଂହେ ତାଙ୍କୁ ଧରି ବହୁତ ନିବେଦନ କଲେ ।
ଉପର ହାକିମମାନଙ୍କର ମଧ୍ୟ କିଛି ଅନୁଗ୍ରହ ଥିଲା, ଗୋପାଳ ଏକାବେଳକେ ମଫସଲ ମକ୍ରାମପୁର ପୋଷ୍ଟ ଅଫିସରେ ସବ୍‌ ପୋଷ୍ଟମାଷ୍ଟର ନିଯୁକ୍ତ ହେଲେ, ବେତନ ମାସକୁ କୋଡ଼ିଏ ଟଙ୍କା ।
ବର୍ତ୍ତମାନ ସଦର ପୋଷ୍ଟଅଫିସରେ ଚାରିମାସ କାମ ଶିଖି ମଫସଲ ଯିବେ ।
ହରି ସିଂହଙ୍କର ଆନନ୍ଦର ସୀମା ନାହିଁ; ଅନବରତ ପ୍ରଭୁଙ୍କ ଅନାଇ ମୁଣ୍ଡିଆ ମାରି ମାରି ଜଣାଉଛନ୍ତି, “ଧନ୍ୟ ପ୍ରଭୁ ତୁମ୍ଭର କରୁଣା, ଦୁଃଖୀର ଗୁହାରି ଶୁଣିଲ ।”
ଚାକିରି ଖବର ଆସିବା ଦିନ ରାତିରେ ବୁଢ଼ା ସିଂହେ ନିରୋଳାରେ ବସି ଢେର କାନ୍ଦିଲେ ।
ହାୟ ! ଆଜି ବୁଢ଼ୀ ଥିଲେ କେଡ଼େ ଆନନ୍ଦଟା ହୁଅନ୍ତେ, ତାଙ୍କ ଗୋପାଳ ହାକିମ ଚାକିରି ପାଇଲା, ଆନନ୍ଦ ଉତ୍ସବରେ ଗଡ଼ି ଯାଉଥାନ୍ତେ ।
ହାୟ ! ଅଭାଗୀ କପାଳିରେ ଦେଖିବାକୁ ନାହିଁ ।
ହେଉ ହେଉ, ଗୋପାଳ ତ ହାକିମ ହେଲା ।
ପ୍ରଭୁ ଗୋପାଳଟିକୁ ରକ୍ଷାକରନ୍ତୁ ।
ଗୋପାଳ ପ୍ରଥମ ମାସ ଦରମାଟା ପାଇ ବୁଢ଼ା ହାତରେ ଦେଲେ ।
ବୁଢ଼ାର ଆନନ୍ଦ କହିଲେ ନ ସରେ, ଗୋଡ଼ ତଳେ ପଡୁନାହିଁ ।
ପୁଅ ହାକିମ; ଏତେ ଗୁଡ଼ାଏ ଟଙ୍କା ମାସକ ମଧ୍ୟରେ ଆଣିଲା ।
ଟଙ୍କା ଗୁଡ଼ାକ ଚାରି ପାଞ୍ଚ ଥର ଗଣି ଅଣ୍ଟିରେ ବାନ୍ଧି ଶୋଇଲେ ।
ଆରଦିନ ସକାଳେ ଲଣ୍ଡଭଣ୍ଡ ହୋଇ ବଜାରକୁ ଧାଇଁଲେ ।
ଜୁତା, କୁରୁତା, ଲୁଗା ଯାହା ଯାହା ଦରକାର କିଣାଗଲା ।
ଗୋପାଳ ଯେ ହାକିମ ହେଲାଣି, ସେ କଣ ଯେ ସେ ଲୁଗା ପିନ୍ଧିବ ? ଭେକ ଦେଖି ସିନା ଭିକ ।
ସେହିପରି ପୋଷାକ ଲୋଡ଼ା ।
ଏଣେ ଗୋପାଳବାବୁ ଅଫିସରେ ପାଞ୍ଚଜଣ ବାବୁଙ୍କ ସାଙ୍ଗରେ ବସି ଇଂରାଜୀ ଲେଖନ୍ତି ।
ବାବୁମାନଙ୍କ ସହିତ ସବୁବେଳେ କାରବାର, ସମସ୍ତେ ଡାକନ୍ତି ‘ଡାକ ମୁନ୍‌ସି ବାବୁ’, ପୁରା ନାମ ଗୋପାଳଚନ୍ଦ୍ର ସିଂହ ।
ଏଣେ ବସାରେ ଆସି ଦେଖନ୍ତି କଣ, ନା ବୁଢ଼ାଟା ଧୂଳିଆ ଲୁଗା ଖଣ୍ଡେ ପିନ୍ଧି କାମରେ ଲାଗିଛି, ଗୋପାଳ କିମିତି ଭଲ କରି ଦିଟା ଖାଇବ- ଗୋପାଳ ଗାଧେଇ ଗଲା, ଓଦା ଲୁଗା ଶୁଖି ନାହିଁ-ପିଲାଟା କାମ କରି କରି ଧନ୍ଦି ଗଲାଣି, ଏହି ସମସ୍ତ ଦିନ ରାତି ଚିନ୍ତା ।
ଆଗେ ବୁଢ଼ା ସିଂହେ ବେଳେ ବେଳେ ହରିନାମ କରୁଥିଲେ, କିଛି କିଛି ଧର୍ମ କର୍ମ କରୁଥିଲେ, ଏବେ ଗୋପାଳ ବାବୁଙ୍କ ପାଇଁ ସବୁ ଭୁଲିଗଲେଣି ।
ବୋଧ କରି, ହରି ଏ ସବୁ ଦେଖି ବୁଢ଼ା ଉପରେ ଖପା ହୋଇ ଗଲେଣି- ଧମକାଇ କହିଲେ, ‘ଆରେ ନିର୍ବୋଧ ଏ କଣ ରେ ! ଆଚ୍ଛା ବୁଝିବୁ !’
ଏଣିକି ଗୋପାଳ ବାବୁଙ୍କର ଭାବ କିଛି କିଛି ବଦଳି ଗଲାଣି ।
ଏବେ ବାପକୁ ଦେଖିଲେ ମିଛଟାରେ ହେଲେ ରଗରଗ ସିଂ ସିଂ ହୁଅନ୍ତି ।
ଏଟା ମୁର୍ଖ, ଇଂରାଜୀ ଜାଣେ ନାହିଁ-ମୂଲିଆ-ମଳିଆ ଲୁଗା ପିନ୍ଧିଥାଏ, ଏଟାକୁ ବାପ ବୋଲି ଡାକିବି, ଲୋକେ କଣ କହିବେ ! ସେ ଦିନ ଶିକ୍ଷିତା କେତେ ଜଣ ସ୍ତ୍ରୀଲୋକ ସେମିଜ ପିନ୍ଧି ପୋଷାକ ପିନ୍ଧି ଠିଆ ହୋଇଥିଲେ-ବୁଢ଼ାଟା ଦେହରେ କୁରୁତା ନାହିଁ, ସେମାନଙ୍କ ଆଗ ଦେଇ ଚାଲିଗଲା ।
କି ଲଜ୍ଜା, କି ଲଜ୍ଜା, ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ ।
ଦିନେ ଡାକ ମୁନ୍‌ସି ବାବୁ ବାପକୁ କହିଦେଲେ, “ଦେଖ, ତୁମେ ମୋର କିଛି ଉପକାର କାରି ନାହଁ, ଇଚ୍ଛା ହେଲେ ବସାରେ ରହ, ନୋହିଲେ ଚାଲିଯାଅ ।
ଆଉ ଦେଖ, ବାବୁମାନେ ଆମ ଦୁଆରକୁ ଆସିଲେ ତୁମେ ଘରୁ ବାହରିବ ନାହିଁ ।”
ଗୋପାଳ କଥା ଶୁଣି ବୁଢ଼ାର କାନ ମୁଣ୍ଡ ଭାଁ ଭାଁ କଲା, ଚୁପ୍‌ ହୋଇ ବସି ପଡ଼ିଲା ।
କାହାକୁ କହିବ ? ପୁଅ କଥା; ଅଜାଗା ଘା ଦେଖି ହୁଏ ନାହିଁ, ଦେଖାଇ ହୁଏ ନାହିଁ ।
ଯାହାକୁ ମନର କଥା କହନ୍ତା, ସେ ଯାଇଛି ।
ବୁଢ଼ୀ କଥା ମନରେ ପଡ଼ିଲା, ଢେର କାନ୍ଦିଲା, ଚାରିଆଡ଼କୁ ଅନାଇଲା କେହି ଭରସା ନାହିଁ ।
ବୁଢ଼ା ଦୁଃଖ ବେଳେ ବୁଢ଼ୀ କଥା ମନରେ କରେ, ସୁଖ ବେଳେ ମନରେ କରେ ।
ମୁହଁ ପୋଛିଲା, ଆଉ କାନ୍ଦିଲା ନାହଁ, ଗୋପାଳର କାଳେ ଅମଙ୍ଗଳ ହେବ ।
ଗୋପାଳ ବାବୁ କାଲି ସକାଳେ ମଫସଲର କାମ ଜାଗାକୁ ଯିବେ, ବୁଢ଼ାକୁ ଜଣାଇ ନାହାଁନ୍ତି ।
ସକାଳୁ ଉଠିଲେ, ଅବଜ୍ଞାଭାବରେ କହିଲେ, “ଏ ବାବା, ମୁଁ ମଫସଲ ବାହାରିଲି ।
ଏହି ଜିନିଷପତ୍ର ସବୁ ଘେନି ଆସ ।
କେତେ ବା ଜିନିସ, ବୁଝି ଖବରଦାର, ମୁଲିଆ କରିବ ନାହିଁ, କଲେ ତୁମେ ଜାଣ ମୁଁ ପଇସା ଦେବି ନାହିଁ ।”
ବାବୁ ପୋଷାକ ପିନ୍ଧି କାଖରେ ଛତା ଯାକି ବାଡ଼ି ଘୂରାଇ ଘୂରାଇ ଚାଲିଗଲେ ।
ବୁଢ଼ା କଣ କରିବ, ସବୁ ଜିନିସ ରୁଣ୍ଡାଇ ପୁଣ୍ଡାଇ ଗୋଟାଏ ଗଣ୍ଠିରି ବାନ୍ଧି ମୁଣ୍ଡାଇଲା ।
ଚାଲି ପାରୁ ନାହିଁ, ଦେହରେ ବଳ ନାହିଁ, ଆଖିରୁ ବେଳେ ବେଳେ ପାଣି ବହି ପଡୁଛି, ଦଶ ଜାଗା ବସି ଉଠି ସଞ୍ଜ ସରିକି ମକ୍ରାମପୁରରେ ପହଞ୍ଚିଲା ।
ଡେରି ହେବାରୁ ବାବୁ ଫଜିତଟାଏ କଲେ, ବୁଢ଼ା ଗୁମ୍‌ ହୋଇ ବସି ଥକା ମେଣ୍ଟାଉଥାଏ ।
ବାବୁ ସକାଳେ ସଞ୍ଜ ଅଫିସକୁ ଯାନ୍ତି, ବୁଢ଼ାଟା ମୁହଁ ବୁଜି ବସାରେ କାମ ପାଇଟିରେ ଲାଗିଥାଏ ।
ବାପ ପୁଅ ଦୁଇଜଣ ଏକ ଜାଗାରେ ବସି ଦୁଇଟା ସୁଖ ଦୁଃଖ କଥା ହେଉଛନ୍ତି, ଏ କଥା କେହି କେବେ ଦେଖିନାହିଁ ।
ଡାକମୁନସି ହେଲେ ମଫସଲର ଗୋଟାଏ ହାକିମ ।
କେତେ ଲୋକ ଆସି ଦଣ୍ଡବତ କରି ଯାଉଛନ୍ତି, ମୁର୍ଖ ବୁଢ଼ାଟା କଣ ଜାଣେ ଯେ ତା ସାଙ୍ଗରେ କଥା କହିବେ !
ବୁଢ଼ା ଦେହରେ ମଫସଲର ପାଣି ଚଳିଲା ନାହିଁ, ଜର ହେଲେ ଖୁଁ ଖୁଁ କରି କାଶେ, ସେ କାଶଟା ରାତିକି ବେଶି ହୁଏ ।
ବାବୁ ଶୋଇବାରେ ହରକତ ହେଲେ ।
ପିଅନକୁ ହୁକୁମ ଦେଲେ, “ବୁଢ଼ାଟାକୁ କିଆବାଡ଼ରେ ଫୋପାଡ଼ି ଦେଇ ଆସ ।”
ସେ ପିଅନଟା ମୁର୍ଖ; ଇଂରାଜୀ ପଢ଼ି ନାହିଁ, ତାର ଗୋଟାଏ ଦେଶୀ ହୃଦୟ ଅଛି, ବିଚାର କଲା ‘କଣ ଏ ବୁଢ଼ା ରୋଗୀଟିକୁ କିଆ-ବାଡ଼ରେ ଶୁଆଇ ଦେବି?’ ଦିନେ ବୁଢ଼ାର ଭାରି ଜର, ତିନିଦିନ ଖାଇ ନାହିଁ, ଅଧରାତି, ଅନ୍ଧାର, ଥଣ୍ଡା ପାଇ ବୁଢ଼ାର କାଶ ବଳି ପଡ଼ିଲା ।
ବାବୁ ତ ଭାରି ଖପା, ବୁଢ଼ା ଛାତିରେ ଦୁଇଟା ଇଂରାଜୀ ଘୂଷି ମାରିଲେ, ବିଛଣାପତ୍ର ବାହାରକୁ ଫୋପାଡ଼ି ଦେଲେ ।
ବୁଢ଼ା ଗାଁକୁ ପଳାଇଲା ।
ପାଖରେ ଥିବା ଖୁବ୍‌ ଭଲ ଲୋକଙ୍କଠାରୁ ଶୁଣା ଯାଇଛି, ଗୋପାଳ ବାବୁଙ୍କ ମନ ସେହିଦିନଠାରୁ ବଡ଼ ଖୁସି ।
ଆଉ ଏଣେ ବୁଢ଼ା ଗାଁକୁ ଆସି ତାହାର ଯେଉଁ ଦୁଇ ମାଣ ଜମି ଥିଲା ଭାଗରେ ଲଗାଇଦେଲା, ଘରେ ବସି ଧାନ ପାଏ ।
ପେନସନ୍‌ ଟଙ୍କାରେ ଲୁଗାପଟା, ଲୁଣ ତେଲ ଖର୍ଚ୍ଚ ଚଳେ ।
କାଶ ହେଲା ଦିନଠୁଁ ବୁଢ଼ା ଟିକିଏ ଟିକିଏ ଅଫିମ ଧରିଛି ।
ସବୁ ଖର୍ଚ୍ଚ ଚଳେ, ଘରଠାରେ ପିଣ୍ଡାରେ ବସି ହରିନାମ କରେ ।
ଉଛୁଣି ବାପ ପୁଅ ଦୁହେଁ ଖୁସି ।
ପରର ସୁଖ ଦେଖି ପାଠକ ମହାଶୟ ଖୁସି ହୁଅ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment