Commit fef113a7 authored by Nayan Ranjan Paul's avatar Nayan Ranjan Paul

Upload New File

parent b1b19a92
ଲକ୍ଷ ବିହଙ୍ଗ
- କିଶୋରୀ ଚରଣ ଦାସ
ତା: ମେ ୨୬, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ତାଙ୍କ ଶାଢ଼ୀରେ ଲକ୍ଷ ବିହଙ୍ଗର ଶୋଭା ।
ବିହଙ୍ଗମାନେ ଉନ୍ନୁଖ ଓ ସୁନ୍ଦର ।
ମିସେସ୍‌ ପୁରୀ ସମୃଦ୍ଧା ଓ ସୁନ୍ଦରୀ ।
ସୁନ୍ଦରୀ ବୋଲି ଧରିନେବାକୁ ହେଉଛି, କାରଣ ସୌନ୍ଦର୍ଯ୍ୟ ନ ଥିଲେ ତାଙ୍କ ଚାରିପାଖରେ ଏତେ କଳା ଓ କଳ୍ପନା, କୁଟୀର ଶିଳ୍ପ ଓ ଯନ୍ତ୍ର ଶିଳ୍ପର ସମ୍ଭାର ନ ଥାଆନ୍ତା ।
ଯଥା:- ଯାମିନୀ ରାୟ, ଭେନସ୍‌ଙ୍କର ଜନ୍ମ ଅଖ୍ୟାତ ଶିଳ୍ପୀର ନଈ ଓ ଡଙ୍ଗା, ହାତୀଦାନ୍ତର ଶ୍ରୀକୃଷ୍ଣ, ବାଉଁଶ, ବେଣାଚେର ଖଦଡ଼ କାଗଜ ଇତ୍ୟାଦିରେ ଗଢ଼ା ବୋଝ ବୋହିଥିବା ଚାଷୀ ଓ ତା’ର ସ୍ତ୍ରୀ, କୃଷ୍ଣକାୟ ଆଦିବାସୀର ନାଚ, ସାପୁଆ କେଳା ଇତ୍ୟାଦି ।
ତଦୁପରି ଇମ୍ପୋଟେଡ୍‌ ଉତ୍‌କୃଷ୍ଟ ଇଲେକ୍ଟ୍ରିକ୍‌ ଟୋଷ୍ଟର, ଟ୍ରାଞ୍ଜିଷ୍ଟର୍‌ ଓ କାଚ ଚାଇନା, ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ର ବିବିଧ ମନୋରମ ଦ୍ରବ୍ୟ, ଯାହାକୁ ଦେଖିବାକୁ ଭଲ ଲାଗେ, କିନ୍ତୁ ବ୍ୟବହାର କରିବା ମନା ।
ମିସେସ୍‌ ପୁରୀଙ୍କର ବେଡ୍‌ରୁମ୍‌ ।
ମିସେସ୍‌ ପୁରୀ ଶୋଇଛନ୍ତି ।
ନିଦରେ ଶୋଇ ନାହାନ୍ତି, ବର୍ତ୍ତମାନ ଦିନ ଏଗାରଟା ।
ତେଣୁ ବିଛଣା ଚାଦର ନୁହେଁ, ରଙ୍ଗିନ୍‌ ବେଡ୍‌କଭର ଉପରେ ଶୋଇଛନ୍ତି ।
ରାତିପିନ୍ଧା ନୁହେଁ, ସିଲ୍‌କ୍‌ ଶାଢ଼ୀ ପିନ୍ଧି ଶୋଇଛନ୍ତି ଏବଂ ସେହି ଶାଢ଼ୀରେ ଲକ୍ଷ ବିହଙ୍ଗ ଉନ୍ନୁଖ, ଉଦ୍ୟତ ଓ ଆଗ୍ରହୀ ।
ମନେହେଉଛି ସେମାନେ ମୁହୂର୍ତ୍ତକରେ ଡେଣା ମେଲି ଉଡ଼ିଯିବେ ।
କିନ୍ତୁ ସେମାନେ ଉଡିଯିବାକୁ ଚାହୁଁ ନାହାନ୍ତି ।
ବାହାରେ ନେଳି ଆକାଶର ଅସୀମତା ସୂଚନା ଦେବ ଯେ, ଜୀବନ ସରେ ନାହିଁ, ଆଶା ପୂରେ ନାହିଁ ଏବଂ ତଳକୁ ଅନାଇଲେ ଦେଖାଯିବ ଯେ, ପୃଥିବୀ ଅଯଥାରେ ପେଲିହେଉଛି, ଧଇଁସଇଁ ହେଉଛି, ଭାବୁଛି ଜୀବନର ଅର୍ଥ ଅଛି ।
କେତେ ଝାଳ ଓ ନିଃଶ୍ବାସ, କେତେ ଧୂଆଁ ଓ ଧୂଳି ଜୀବନର ଅର୍ଥ ତିଆରି କରୁଛି, ପାରୁନାହିଁ ।
ବାହାରେ ପୃଥିବୀର ତାତି ।
ଉଦ୍ୟମ, ଯୁକ୍ତି କଳହର ତାତି ।
କେତେ କାଗଜ ଲେଖାହେଉଛି ଛିଣ୍ଡାହେଉଛି ।
କେତେ ସଭା ବସୁଛି, ଭାଙ୍ଗୁଛି ।
କେତେ ଚକ ଜିନିଷ ବୋହୁଛି, ମଣିଷ ବୋହୁଛି ।
ପ୍ରାଣୀମାନେ ଆଗଉଛନ୍ତି ।
ଏବଂ ପୃଥିବୀର ଥଣ୍ଡା ।
ଥଣ୍ଡା ମୂର୍ଦ୍ଦାର ।
…ମଲା ପ୍ରେମ ।
ଦରବୁଢ଼ୀ ସ୍ତ୍ରୀ ହାଣ୍ଡି ଗଡ଼େଇ ପେଜ ଗାଳୁଛି, ମଇଳା ଧଳା ପାଣି ପୁରୁଣା ପ୍ରେମକୁ ସାଙ୍ଗରେ ନେଇ ନଳାରେ ବହିଯାଉଛି ।
ରାତି ଅନ୍ଧାରରେ ସ୍ବାମୀ ତା’ ଦେହକୁ ଅଣ୍ଡାଳିହେବ ଓ କାମ ସରିଲା ପରେ ଘୁଙ୍ଗୁଡ଼ି ମାରିବ ।
…ମଲା ଜନ୍ମ ।
ସେମାନେ ଥୋକେ ଅଛନ୍ତି ଯେଉଁମାନେ ଜନ୍ମ ହୋଇ ମରିଯାଇଛନ୍ତି ହେଲେ ବଞ୍ଚିବାକୁ ଚାହାନ୍ତି ।
ସେମାନେ ବିକଳ ମନ ଓ ଲଙ୍ଗଳା ଦେହରେ ‘ମୁଁ ମଣିଷ, ମୁଁ ମଣିଷ ବୋଲି ଚିତ୍କାର କରୁଛନ୍ତି ।
ହସିବା କଥା ।
ସେମାନେ ସିଧା ହୋଇ ଚାଲି ଶିଖି ନାହାନ୍ତି, କଥା କହି ଜାଣି ନାହାନ୍ତି, ଧୋବପିନ୍ଧା ମଣିଷକୁ ଭଗବାନ୍‌ ବୋଲି ଭାବୁଛନ୍ତି ଓ ତଥାପି କହୁଛନ୍ତି- ଆମେ ବଞ୍ଚିବୁ ! …ମୃତ ଭଗବାନ ।
ଭଗବାନ୍‌ର ହାତରେ ଖଣ୍ଡା ଚକ୍‌ଚକ୍‌ କରୁନାହିଁ, ଫୁଲ ମହକୁନାହିଁ, କ୍ରୁଶରୁ ରକ୍ତ ଝରୁନାହିଁ ।
ଭଗବାନ୍‌ କାନ୍ଦୁନାହିଁ, ହସୁ ବି’ ନାହିଁ ।
ସେଥିପାଇଁ ଏତେ ଧରାପରା ଠେଲାପେଲା ।
-ଜୟ ହନୁମାନ ଜୀ ଜୟ ! ମୁଁ ମଲା ଭଗବାନ୍‌ଙ୍କୁ ଛୁଇଁଆସିଛି, ମୁଁ ଧଣ୍ଡା ପାଇଛି, ତେଣୁ ମୁଁ ବଞ୍ଚିବି ।
ତାତି ଓ ହେମାଳ ।
ଜ୍ଞାନ ଓ ଅଜ୍ଞାନ କ’ଣ ମିଳିବ ସେ ନିଉଛୁଣା ପୃଥିବୀକୁ ଚାହିଁ ? ଆଉ ଉପର ଆକାଶକୁ ଅନାଇଲେ ଶୋଷ, ଖାଲି ଶୋଷ ।
ସେ ଶୋଷରେ ତଣ୍ଟି ଶୁଖିଯିବ, ଦିଗନ୍ତ ଧରା ଦେବ ନାହିଁ ।
ବିହଙ୍ଗମାନେ ଉଡ଼ିବାକୁ ମନ କରୁନାହାନ୍ତି ।
…ମିସେସ୍‌ ପୁରୀ ‘ଜୋକ୍‌’ ବହି ପଢୁଛନ୍ତି ।
ବହିରେ ଅଛି ହଜାରଟି ଚିତ୍ର ସମ୍ବଳିତ ମଜା କଥା ।
କେତେଗୁଡ଼ିଏ ଜୋକ୍‌ ପଢ଼ି କିଛି ଭାବାନ୍ତର ଆସୁନାହିଁ ।
କେତେଗୁଡ଼ିକରେ ସାମାନ୍ୟ ହସିବାକୁ ଇଚ୍ଛା ହେଉଛି ।
ଏବଂ ବେଳେ ବେଳେ ଗୋଟିଏ ଜୋକ୍‌ ଏତେ ସୃଷ୍ଟିଛଡ଼ା ଲାଗୁଛି ଯେ, ମନେ ହେଉଛି ବ୍ରହ୍ମାଙ୍କ ଆସନ ଟଳିଯିବ, ପାଟି ମେଲାଇ ନ ହସିଲେ ରହିହେଉ ନାହିଁ ।
ଏହିପରି ଗୋଟିଏ ଜୋକ୍‌ ପଢ଼ି ମିସେସ୍‌ ପୁରୀ ପାଟି ମେଲାଇ ହସିଲେ ।
ଅଧାଉଠା ହୋଇ ପାଖ ତକିଆଟାକୁ କୋଳରେ ଆଣି ରଖିଲେ, ଆନନ୍ଦରେ ଗୋଟିଏ ବିଧା ମାରିଲେ ଓ ହସିଲେ ।
ହସରେ ପ୍ରଥମେ ଥିଲା ଉଦ୍‌ଗମର ଧ୍ବନି,- କଣ୍ଠଗତ ଓ ଗଭୀର ।
ତା’ପରେ ନାଲି ରଙ୍ଗବୋଳା ଓଠ ଦୁଇଟି ଅଲଗା ହୋଇଗଲେ ଓ ଦୁଇ ପାଟି ଦାନ୍ତର ବିସ୍ତାର ଦିଶିଗଲା ଏବଂ ହସର ସ୍ତର ପରେ ସ୍ତର ଢାଳିହୋଇଗଲା ।
ପ୍ରବାହ ଥମିଗଲାରୁ ମିସେସ୍‌ ପୁରୀ ମୁଣ୍ଡ ବାଳରେ ହାତ ଚଳେଇ, ଆନନ୍ଦକୁ ଚାକୁଳେଇ ପ୍ରସନ୍ନତା ଆଣିଲେ ଓ ପୁଣି ଖଟରେ ଲୋଟିଯାଇ ବହିର ପର ଜୋକ୍‌ଟିକୁ ଦେଖିଲେ ।
ବିହଙ୍ଗମାନେ କହିଲେ, ଚମତ୍କାର ! ଚମତ୍କାରିତା ତାଙ୍କ ହସିବାର ଚେହେରାରେ ନ ଥିଲା, ଭଙ୍ଗୀରେ ଥିଲା କି ନାହିଁ କହିହେବ ନାହିଁ ।
କିନ୍ତୁ ତାଙ୍କର ଭାବବ୍ୟଞ୍ଜନା ଅନୁପମ ।
ଘର ଭିତରେ ଏହି ଏକୁଟିଆ ହସ, ଆପଣା ଉପଭୋଗର ହସ, ଅନ୍ୟ କେଉଁ ଅତିରିକ୍ତ ମଣିଷକୁ ଶୁଣାଇବା ପାଇଁ ନୁହେଁ- ଏହି ହେଉଛି ବଞ୍ଚିବାର ଉପଯୋଗୀ ଛନ୍ଦ ।
ବିହଙ୍ଗମାନେ ମୁଗ୍ଧ ହେଲେ ଓ ଚାହିଁରହିଲେ ।
ସାଢ଼େ ଏଗାରଟା ।
କଫି ଖାଇବା ବେଳ ହେଲାଣି ।
ମିସେସ୍‌ ପୁରୀ ଟାଇମ୍‌ପିସ୍‌କୁ ଅନାଇଲେ ଓ ବହି ପଢ଼ାରେ ମନ ଦେଲେ ।
ଏଗାରଟା ବାଜି ପଇଁତିରିଶ୍‌ ମିନିଟ୍‌ ।
ତଥାପି କଫି ଆସି ପହଞ୍ଚିନାହିଁ ।
କିନ୍ତୁ ମିସେସ୍‌ ପୁରୀ ଉଦ୍‌ବିଗ୍ନ ନୁହନ୍ତି ।
ଥରକୁଥର ଘଣ୍ଟା ଦେଖୁନାହାନ୍ତି ।
କଫି ଖାଇବା ବେଳ ଦୈନିକ ଜୀବନର ଗୋଟିଏ ଅବସ୍ଥା, ବିନ୍ଦୁ ନୁହେଁ ।
ଜଣାଶୁଣା ସମୟର ପରିସର ଭିତରେ ସେ ଘଟିବ, ସକାଳ ଦ୍ବିପ୍ରହର ସନ୍ଧ୍ୟା ପରି, ଘରେ ପୂଝାରୀ ଅଛି ।
ଏଗାରଟା ଚାଳିଶ୍‌ରେ ପୂଝାରୀ କଫି ଆଣି ପହଞ୍ଚାଇଲା ।
କଫି କପ୍‌ଟିକୁ ମିସେସ୍‌ ପୁରୀଙ୍କର ହାତ ପାହାନ୍ତାରେ ଟି-ପୟ ଉପରେ ରଖିଦେଲା ।
ରଖିସାରି ଟିକିଏ ଦୂରେଇହୋଇ ଛିଡ଼ାହେଲା ।
ମିସେସ୍‌ ପୁରୀ ଗୋଟିଏ ଜୋକ୍‌ର ଅଧାରେ ପହଞ୍ଚିଛନ୍ତି ।
ତେଣୁ ସେ ଅନ୍ୟମନସ୍କ ଭାବରେ ହାତ ବଢ଼ାଇ ଚାମୁଚରେ କଫିକୁ ଗୋଳାଇଲେ ।
କିଛି ସମୟ ଗୋଳାଇସାରିଲା ପରେ ଚାମୁଚେ କଫି ପାଟିକୁ ନେଲେ ।
ତା’ପରେ କହିଲେ, “ଚିନି” ।
ପୂଝାରୀ ବୁଝିଲା ଯେ ମାଲିକାଣୀ କହୁଛନ୍ତି ଚିନି କମ୍‌ ଅଛି ।
ଚିନି ବେଶି ଥିବାବେଳେ ମଧ୍ୟ ସେ କେବଳ ସେହି ଶବ୍ଦ ଉଚ୍ଚାରଣ କରନ୍ତି, କିନ୍ତୁ ତାଙ୍କ ମୁହଁର ଭଙ୍ଗୀ ଅନ୍ୟପ୍ରକାର ହୋଇଯାଏ ।
ପୂଝାରୀ ଚାଲିଗଲା ଆଉ ଚିନି ଆଣିବ ବୋଲି ।
ଯଥାକ୍ରମେ କଫି ପୂର୍ଣ୍ଣାଙ୍ଗ ହେଲା ଓ ମିସେସ୍‌ ପୁରୀ ତାକୁ ଚାମୁଚେ ଚାମୁଚେ କରି ପାଟିକୁ ନେଲେ ।
ଚାରି ପାଞ୍ଚ ଚାମୁଚ ଉତ୍ତାରୁ ଓ ଗୋଟିଏ ପୃଷ୍ଠାର ଜୋକ୍‌ ପରେ ସେ ଖଟ ଉପରେ ବସିଲେ ଓ କପ୍‌ଟିକୁ ହାତକୁ ଆଣି ସାଧାରଣ ଭାବରେ ଚୁମୁକି ଦେଲେ ।
ଖୋଲା ବହି ଖଟରେ ଓଲଟା ହୋଇରହିଥାଏ ।
ମିସେସ୍‌ ପୁରୀ କଫି ଖାଇବା ସାଙ୍ଗରେ କ’ଣ ମନେ ପକାଇଲା ପରି ଦେଖା ଯାଉଥାଆନ୍ତି ।
ବିହଙ୍ଗମାନେ ତାଙ୍କର ସ୍ମୃତିବିକଶ ମୁହଁକୁ ଦେଖିଲେ ଓ କୁତୂହଳୀ ହେଲେ, -ତାଙ୍କର କ’ଣ ମନେ ପଡୁଛି ?
ତାଙ୍କର ମନେ ପଡ଼ିବା ବସ୍ତୁକୁ ବର୍ଣ୍ଣନା କରିହେବ ନାହିଁ ।
କାରଣ ସ୍ମରଣିକା ଚଳନ୍ତା ଆଲୁଅ- ଛାଇ ପରି ଲାଗୁଛି, ସେଥିରେ ସଂହତି ନାହିଁ ।
ବୋଧହୁଏ ତା’ର କାୟା ଗଢ଼ିଉଠିଲେ ସେ ଅସୁନ୍ଦର ହୋଇଯିବ ।
ତେଣୁ ମିସେସ୍‌ ପୁରୀ ତା’ର ଅନିଶ୍ଚତପ୍ରବଣ ରୂପକୁ ଦେଖିବାକୁ ଭଲ ପାଉଛନ୍ତି ତାକୁ ଗଢ଼ିଉଠିବାକୁ ଦେଉନାହାନ୍ତି ।
ମିସେସ୍‌ ପୁରୀ ପୂର୍ବରୁ ଗୋଟିଏ ସେକ୍ସ ଆମୋଦଗ୍ରସ୍ତ ଜୋକ୍‌ ପଢୁଥିଲେ ।
ତାକୁ ହିଁ ପଢ଼ିସାରି ତାଙ୍କର ମନେ ପଡ଼ିଲା ସମ୍ପର୍କୀୟା ଜଣେ ନାରୀଙ୍କ ସହିତ ଜଣେ ଚିହ୍ନା ପରପୁରୁଷଙ୍କ ଚେହେରା ।
ଏବଂ କଳ୍ପନାରେ ଚିତ୍ରିତ ହେଲା ସେ ଦୁଇଜଣଙ୍କ ପାରସ୍ପରିକ ବ୍ୟବହାର ।
ସେ ଛବି ଅସ୍ପଷ୍ଟ; ସ୍ପଷ୍ଟ ହୋଇପାରନ୍ତା ନାହିଁ ।
କିନ୍ତୁ ଦୁଇଟି ସମ୍ବନ୍ଧହୀନ ପୁରୁଷ ସ୍ତ୍ରୀଙ୍କୁ ଏପରି ଭାବରେ ଏକାଠି କରିବାର କୃତିତ୍ବ ଆଉ କେତେ ଜଣକର ଥାଇପାରେ ? ଏହାକୁ ହିଁ ତ ସୃଷ୍ଟି କହନ୍ତି ।
ସୃଷ୍ଟିର ଜ୍ୟୋତି ତାଙ୍କ ମୁହଁରେ ଫୁଟିଉଠୁଥିଲା ।
ବିହଙ୍ଗମାନେ ତାକୁ ଦେଖି ଆପ୍ୟାୟିତ ହେଉଥିଲେ ।
ଏହି ସମୟରେ ପାଖରେ ଜୟରାମ ପହଞ୍ଚିଲା ।
ତା’ ହାତରେ ପରିବା ଥଳି ।
ଜୟରାମ ଷୋଳ ସତର ବର୍ଷର ଟୋକା ।
କଳା ମଚମଚ ବଳିଷ୍ଠ ଦେହ ।
ଖଣ୍ଡେ ଗେଞ୍ଜି ଓ ହାଫ୍‌ପ୍ୟାଣ୍ଟ୍‌ ପିନ୍ଧିଛି ।
ମୁଣ୍ଡରେ ଗୋଛାଏ ବାଳ, କପାଳରେ କେତୋଟି ଛୋଟ ଝାଳବିନ୍ଦୁ ।
ମୁହଁରେ ସ୍ପର୍ଦ୍ଧା ଓ ଅଭିମାନର ଇଙ୍ଗିତ, ଯେପରି କି ସେ କହିବାକୁ ଚାହେଁ ଯେ, ସେ ଜୟରାମ୍‌, ବୟସର ରଜା, ତା’ ହାତରେ ଥିବା ପରିବା ଥଳି ଅନ୍ୟ କିଛି ହୋଇପାରିଥାଆନ୍ତା ।
ଜୟରାମ ଦୁଆରବନ୍ଧର ଏପାଖକୁ ଛିଡ଼ାହୋଇ କହିଲା, -ମୁଁ ଯାଉଛି ।
ମିସେସ୍‌ ପୁରୀ କଳ୍ପନାରୁ ଫେରିଆସିଲେ, ଜୟରାମକୁ ଦେଖିପାରିଥିବାର ଅଙ୍ଗୀକାର ଜଣାଇଲେ ଓ କହିଲେ, ‘ଆଚ୍ଛା’ ।
ତାଙ୍କ ଭଙ୍ଗୀରେ ଥିଲା ଦାତାର ଐଶ୍ବର୍ଯ୍ୟ ଓ ଉଦାରତା ।
ମନେ ହେଉଥିଲା ଯେ ସେ କେବଳ ଜୟରାମକୁ ଉତ୍ତର ଦେଉନାହାନ୍ତି, ତା’ର କର୍ତ୍ତବ୍ୟର ଶୁଭକାମନା ଜଣାଉଛନ୍ତି ।
ଜୟରାମ ଫେରିଯାଉଥିଲା ।
ଏହି ସମୟରେ ମିସେସ୍‌ ପୁରୀ ତାକୁ ପଛରୁ ଡାକିଲେ ।
କହିଲେ- “ଶୁଣ୍‌, ଆରଥର ପୋଟଳ ଖରାପ ପଡ଼ିଲା, ବିନ୍‌ଗୁଡ଼ାକ ବି ଶୁଖିଲା ଥିଲା ।
ତୁ ସୋନାଚାନ୍ଦ୍‌ ବଜାରକୁ ଯାଉନୁ ? ମିସେସ୍‌ ମିତ୍ରା କହୁଥିଲେ ଯେ, ସେ ସେଠୁ ବଢ଼ିଆ ବିନ୍‌ ପାଇଛନ୍ତି, କିଲୋ ମୋଟେ ବାରଅଣା- ।”
ଜୟରାମ ଟିକିଏ ଭାବିଲା ପରି ହେଲା ଓ କହିଲା, “ସୋନାଚାନ୍ଦ୍‌ ବଜାର ? ସେ ତ ହେଉଛି ଯାଇ କଲେଜ ପାଖରେ, ରେଲ୍‌ଲାଇନ୍‌ ସେପାଖରେ ।”
ସେ ଚାଲିବା ରାସ୍ତାର ଦୂରତା କଳିଲା ପରି ଲାଗିଲା ।
ତା’ ଚାହାଣୀରେ ପ୍ରଶ୍ନ ଥିଲା, -ସେଠିକୁ ଯିବା କ’ଣ ଦରକାର ?
ମିସେସ୍‌ ପୁରୀ ତା’ ଚାହାଣୀକୁ ଅବଜ୍ଞା କଲେ ନାହିଁ, ନିରୁତ୍ତର ରହିଲେ ।
ମନେ ହେଉଥିଲା ଯେ, ସେ ତା’କୁ ତା’ ନିଜ ଦ୍ବିଧାର ସମାଧାନ କରିବାକୁ ଦେଉଛନ୍ତି ।
କେତୋଟି ମୁହୂର୍ତ୍ତ ପରେ ସେ ପଚାରିଲେ “କ’ଣ ଯାଇପାରିବୁ ନାହିଁ ?”
ଭର୍ତ୍ସନା ନୁହେଁ, ଆଦେଶ ନୁହେଁ, କେବଳ ସାମାନ୍ୟ ଅବିଶ୍ବାସ ।
ଜୟରାମର ଦ୍ବିଧା ତୁଟିଗଲା ।
ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲା ।
ତା’ ମୁଣ୍ଡର ଆଗୁଆ ବାଳ କେତୁଟା ଏ ପାଖରୁ ସେ ପାଖକୁ ଝୁଲିଗଲା ।
ମିସେସ୍‌ ପୁରୀ ଜୟରାମର ଫେରନ୍ତା ଚେହେରାକୁ ଅନାଇଲେ ।
ତା’ର ଛୋଟ ନିଦା ବେକ ଓ ହାତଗୋଡ଼ର ମାଂସପେଶୀ ତାଙ୍କ ଆଖିରେ ପଡ଼ିଲା ।
ସେ ସ୍ବାଗତ ଅନୁମୋଦନ କଲେ, -ଟୋକା …ମଜବୁତ୍‌… ।
ବିହଙ୍ଗମାନେ ଏହି ଦୃଶ୍ୟ ଦେଖୁଥିଲେ ।
ସେମାନେ ଆଶ୍ଚର୍ଯ୍ୟ ହେଲେ ଓ ସମ୍ମାନର ଭାବ ଦେଇ ମିସେସ୍‌ ପୁରୀଙ୍କ ଆଡ଼କୁ ଚାହିଁଲେ ।
ତା’ର କାରଣ ହେଉଛି ଯେ, ବିହଙ୍ଗମାନଙ୍କ ଦୃଷ୍ଟିକୋଣ ନିଆରା ।
ସେମାନଙ୍କ ମନରେ ଆସିଥିଲା ଯେ, ଜୟରାମଠାରେ ଦେବତାର ଅଂଶ ଅଛି, କାହିଁକି ନା ସେ ପାରିବ, ତା’ର ଶକ୍ତି ଅଛି ।
ସେ ତାତିଲା ଭୂଇଁରେ ଏତେ ବାଟ ଚାଲିଚାଲି ଯାଇ ତାଜା ପରିବା କିଣିପାରିବ ।
କିନ୍ତୁ ସେହି ଶକ୍ତିକୁ ସଞ୍ଚାଳିତ କଲେ ମିସେସ୍‌ ପୁରୀ ।
ଅଳ୍ପ କଥା, ସାମାନ୍ୟ ଇଙ୍ଗିତରେ ସେ ତା’ର ଦେବତ୍ବକୁ ଖଟାଇପାରିଲେ ।
ମହୀୟସୀ ନାରୀ, – ଦେବତାଠୁଁ ବଡ଼ !
ମିସେସ୍‌ ପୁରୀ ପୁଣି ଖଟ ଉପରେ ଲୋଟିପଡ଼ିଲେ ।
ଜୋକ୍‌ ବହିଟିକୁ ରଖିଦେଇ ଖଟ ମୁଣ୍ଡରେ ଥିବା ରାତି ଟେବୁଲ୍‌ ଉପରୁ ଖଣ୍ଡେ ମ୍ୟାଗାଜିନ୍‌ ଆଣି ହାତରେ ଧରିଲେ ।
ମ୍ୟାଗାଜିନ୍‌ଟି କେବଳ ସ୍ତ୍ରୀ ଲୋକମାନଙ୍କ ପାଇଁ ।
ଚୋଲିର ନୂଆ ଢଙ୍ଗ, ଝାଳଗନ୍ଧରୁ ରକ୍ଷା ପାଇବା ପାଇଁ ନୂଆ ଉପାୟ, ପ୍ରାଚ୍ୟପାଶ୍ଚାତ୍ୟ ବିଭିନ୍ନ ରନ୍ଧନ କାରସାଦି, ଘରେ ରିଫ୍ରିଜେରେଟର୍‌ ଥିଲେ ହଠାତ୍‌ ପହଞ୍ଚୁଥିବା ଅତିଥିଙ୍କୁ କିପରି ଚର୍ଚ୍ଚା କରିବାକୁ ହୁଏ ଇତ୍ୟାଦି ଘରକରଣାର ଉପାଦେୟ ପ୍ରସଙ୍ଗ ସେଥିରେ ଥାଏ ।
ମିସେସ୍‌ ପୁରୀ ପୃଷ୍ଠା ଓଲଟାଇଗଲେ ।
ହଠାତ୍‌ ସେ ତାକୁ ଛାତି ଉପରେ ରଖି ଅନାଇଲେ ସାମ୍‌ନାର କାନ୍ଥ ଆଡ଼କୁ ।
ଚାଷୀମାନଙ୍କ ମୁହଁରେ କ’ଣ ଏମିତିକା ହସ ଥାଏ ? ଓ ଗାଲ କ’ଣ ଏମିତି ଫୁଲୁକା ଦିଶୁଥାଏ ?
ବାଉଁଶ ଫ୍ରେମ ଓ ଝୋଟ କନା ଉପରେ ଚାଷୀର ଛବି ।
ଚାଷୀର ଫୁଙ୍ଗୁଳା ଦେହ, ବଡ଼ ନିଶୁଆ ମୁହଁ ଓ ମୁଣ୍ଡ ଉପରେ ଶସ୍ୟ ଟୋକେଇ ।
ମିସେସ୍‌ ପୁରୀ ତା’ ଓଠରେ ଥିବା ଈଷତ୍‌ ହସକୁ ନିଶ୍ଚୟ ଆଗରୁ ଦେଖିଥିଲେ ।
ଚାଷୀମାନଙ୍କ ଓଠରେ ହସ ଦେଖିବାକୁ ତାଙ୍କୁ ଯେ ଭଲ ଲାଗେ ନାହିଁ, ତା’ ନୁହେଁ ।
କିନ୍ତୁ ଆଜି ତାଙ୍କର ଇଚ୍ଛା ହେଲା ସମାଲୋଚନା କରିବାକୁ ।
କାରଣ ତାଙ୍କର ମନରେ ଆସିଲା ଯେ ଜୟରାମ ବଡ଼ ହେଲେ ଓ ଗାଁରେ ରହିଲେ ଗୋଟିଏ ଉଚିତ ଧରଣର ଚାଷୀ ହୋଇପାରିବ ।
ଜୟରାମର ମୁହଁ ହସିଲା ନୁହେଁ, ଦରକାର ନ ପଡ଼ିଲେ ସେ ହସେ ନାହିଁ ।
ତା’ ମୁହଁରେ ଅଛି ଟାଣୁଆ ପଣ ଓ ଛପିଲା ରାଗ ।
ବଡ଼ ହେଲେ ସେହି ଟାଣୁଆ ପଣ ତା’ ମୁହଁକୁ ରୁଗୁଡ଼ିଆ କରିଦେବ ଏବଂ ସେ ରାଗ ଆହୁରି ଦବିଯାଇ କପାଳକୁ କୁଞ୍ଚକୁଞ୍ଚିଆ କରିଦେବ ।
ସେ ନିଶ ରଖିବ, -କେଜାଣି !
ମିସେସ୍‌ ପୁରୀଙ୍କୁ ଭବିଷ୍ୟତର ଜୟରାମ କଥା ଭାବିବାକୁ ମଜା ଲାଗିଲା ।
ଏବଂ ତା’ ସହିତ ସେ ଠିକ୍‌ କରିନେଲେ ଯେ ଆର୍ଟର ଚାଷୀଟି ଉପଯୁକ୍ତ ହୋଇନାହିଁ ।
ହୁଏତ ସବୁ ଚଷାପୁଅ ଜୟରାମ୍‌ ପରି ହୋଇ ନ ଥିବେ, ହୁଏତ ହସିଲା ଫୁଲୁକା ମୁହାଁ ଚାଷୀ ଥାଇପାରନ୍ତି ।
କିନ୍ତୁ ଆର୍ଟର ଚାଷୀ ଏପରି ହେବା ଉଚିତ ନୁହେଁ ।
ଯେପରି କି ଶ୍ରୀକୃଷ୍ଣଙ୍କ ମୁହଁରେ ବଂଶୀ ନ ଥାଇ କାହାଳୀ ରହିବା କଥା ନୁହେଁ, ମାନିବ ନାହିଁ ।
ସେ କଳ୍ପନାରେ ଛବିଟିକୁ ମନମୁତାବକ ସଜାଇଲେ ।
ଚକଚକିଆ ଝାଳୁଆମୁହଁ, କପାଳରେ ଅସଂଖ୍ୟ ଗାର, ଚେଇଁଲା ଆଖି, କିନ୍ତୁ ସେଥିରେ ପ୍ରାପ୍ତିସ୍ବୀକାର ନାହିଁ ।
ସତେ ଯେପରି ସେ କାମ କରିକରି ଥକିଗଲାଣି, କିନ୍ତୁ ହାରିଯିବାକୁ ଚାହେଁ ନାହିଁ ଓ ସବୁବେଳେ କ’ଣ ପ୍ରଶ୍ନ ପଚାରିବ ବୋଲି ହେଉଛି ।
ସମାଲୋଚନାର ପଥରେ ଆଗେଇଯାଇ ମିସେସ୍‌ ପୁରୀ ଅନ୍ୟ ଆର୍ଟବସ୍ତୁମାନଙ୍କୁ ସଜାଇଲେ, -ଚାଷୁଣୀର ମୁହଁରେ ଅଧିକ ସ୍ଥୂଳତା ଆଣିଦେଲେ, ନାଚନ୍ତା ଆଦିବାସୀର ହସକୁ ଆହୁରି ଜନ୍ତୁବତ୍‌ ଚଉଡ଼ା କରିଦେଲେ, ଶ୍ରୀକୃଷ୍ଣଙ୍କ ସ୍ମିତହାସରେ ସାମାନ୍ୟ ବକ୍ରତା ଆଙ୍କିଦେଲେ, ଇତ୍ୟାଦି ।
କଳା-ସମୀକ୍ଷା ସରିଗଲା ପରେ ମିସେସ୍‌ ପୁରୀ ଆଂଶିକ ହାଇ ମାରିଲେ ଓ ପୁଣି ସେହି ନାରୀ-ମ୍ୟାଗାଜିନ୍‌କୁ ପଢ଼ିବସିଲେ ।
ବିହଙ୍ଗମାନେ ଆଶ୍ବସ୍ତ ହେଲେ ।
ମିସେସ୍‌ ପୁରୀଙ୍କୁ ଭାବୁକା ରୂପରେ ଦେଖି ସେମାନେ ପ୍ରମାଦ ଗଣୁଥିଲେ, କାଳେ ସେ ଅନ୍ୟ ରକମର ହୋଇଯିବେ ।
କିନ୍ତୁ ସେମାନଙ୍କ ଆଶଙ୍କାର କାରଣ ନ ଥିଲା ।
ମିସେସ୍‌ ପୁରୀ ଭାବନାକୁ ଅନୁଧାବନ କରିବାକୁ ପସନ୍ଦ କରନ୍ତିନାହିଁ ।
ସେହି ଫୁଲୁକାଗାଲିଆ ଚାଷୀ ବର୍ଷବର୍ଷ ଧରି ବିଦ୍ୟମାନ ରହିଛି, କାନ୍ଥର ସେହି କୋଣଟିରେ ବସା ବାନ୍ଧିଲାଣି, ସ୍ଥାନଚ୍ୟୁତ କରି ଲାଭ ନାହିଁ ।
ବ୍ୟତିକ୍ରମଶୀଳ ସଂସାରରେ ହାତଦେଇ ନୂଆ ବ୍ୟତିକ୍ରମ ତିଆରି କରିବାରେ କିଛି ବାହାଦୂରୀ ନାହିଁ ।
ମିସେସ୍‌ ପୁରୀ ମ୍ୟାଗାଜିନ୍‌ର ଛବି ଓ ଶିରୋନାମାଗୁଡ଼ିକ ଦେଖିଲେ ।
ଆଗରୁ କେତେଥର ଦେଖିସାରିଛନ୍ତି, ତଥାପି ଦେଖିବାକୁ ଖରାପ ଲାଗୁନାହିଁ ।
ଆଖି ଦେଖିଯାଉଛି, ଭାବନାର ପରିଶ୍ରମ ନାହିଁ ।
ବମ୍ବେର ଜଣେ ଆଧୁନିକା ବିଭିନ୍ନ ଛାଞ୍ଚର ଶାଢ଼ୀ ପିନ୍ଧି ଓ ବିଭିନ୍ନ ଠାଣୀରେ ଗୋଟିଏ କାର୍‌କୁ ଆଉଜି ଛିଡ଼ା ହୋଇଛନ୍ତି…, ସାଲାଡ୍‌ର ବର୍ଣ୍ଣବିନ୍ୟାସ…, କାଞ୍ଜିକୁ ବେକ୍‌ରେ ବ୍ୟବହାର କରାଯାଇପାରେ…, ‘ମଧ୍ୟାହ୍ନରେ ପ୍ରେମ’ ନାମକ ଗୋଟିଏ ଗପ ।
ସେତେବେଳକୁ ବାରଟା ବାଜି ପନ୍ଦର ମିନିଟ୍‌ ।
ଘଣ୍ଟା ନ ଦେଖି ମଧ୍ୟ ମିସେସ୍‌ ପୁରୀଙ୍କର ଧାରଣା ହେଲା ଯେ ଦିନ ଅଧାରୁ ବଳିଗଲାଣି ।
ସେହି ଧାରଣାର ପ୍ରଭାବରେ ତାଙ୍କ ମନରେ କେତେଗୁଡ଼ିଏ ବିକ୍ଷିପ୍ତ ଭାବନା ବିହରଣ କରି ଚାଲିଗଲା, ମ୍ୟାଗାଜିନ୍‌ ଦେଖାରେ ତ୍ରୁଟି ଆସିଲା ନାହିଁ ।
ଜୟରାମ୍‌ ସୋନାଚାନ୍ଦ୍‌ ବଜାରର ଅଧାବାଟରେ ହେବଣି, ପହଞ୍ଚି ଦେଖିବ ଯେ ପୋଟଳ ଆହୁରି ସଢ଼ା, ବିନ୍‌ ଆହୁରି ଶୁଖିଲା !… ସେ କେତୁଟା ଫାଇଲ୍‌ ସାରିବେଣି ଏହା ଭିତରେ ? ଡାଇରେକ୍ଟର୍‌ ଜେନେରାଲ୍‌ ହେବାକୁ ଆଉ କେତେ ବାଟ ରହିଲା ? ଶୀଘ୍ର ହୋଇଯାଆନ୍ତା ଯେ, କିନ୍ତୁ ତାଙ୍କର କହିଲାପୋଛିଲା ଗୁଣ ନାହିଁ ।
ଆଉ ଟିକିଏ ସ୍ମାର୍ଟ ହେଇଥିଲେ- ।
…ପାଖ ଘରୁ ସେ ଛୋଟିଆ ପିଲାଟା କାନ୍ଦୁଛି, ବୋଧହୁଏ ମାଡ଼ ଖାଉଛି ।
ତା’ ମାଆ ଭାରି ଜୋର୍‌ରେ ମାଡ଼ ମାରେ ।
ତା’ ମାଉସୀ ସମାଜସେବା କରେ, ସବୁବେଳେ ଓ ଅଯଥା ହସୁଥାଏ ।
ମନେହୁଏ ଯେ ଏ ବେଶୀ ରାଗେ, ବେଶି ମାଡ଼ ମାରେ, କାହିଁକିନା ତା’ ଭଉଣୀ ବାହାସାହା ନ ହୋଇ ସମାଜସେବା କରୁଛି ।
ଏବଂ ସେ ବେଶୀ ହସେ, ହସିବାର ଢଙ୍ଗ କରେ କାହିଁକି ନା ସେ ନିଜର କାହାକୁ ଗାଳି ଦେଇପାରେ ନାହିଁ, ମାଡ଼ ମାରିପାରେ ନାହିଁ ।
…ସଞ୍ଜ ହେବାକୁ ଆଉ ପାଞ୍ଚ ଛଅ ଘଣ୍ଟା ଅଛି ।
ଆଜି ଶ୍ରୀବାସ୍ତବଙ୍କ ଘରକୁ ଯିବାର ଅଛି ।
ମିସେସ୍‌ ଶ୍ରୀବାସ୍ତବ ସବୁ କଥା ଦୃଢ଼ ଭାବରେ କହନ୍ତି, ସତେକି ସେମିତି ନ କହିଲେ କେହି ବିଶ୍ବାସ କରିବେ ନାହିଁ ଏବଂ ପ୍ରତି କଥାରେ ନଜର୍‌ ଦିଅନ୍ତି, – ମୁଁ ଜାଣିଛି ଅମୁକ କହୁଥିଲେ, ମୁଁ ଦେଖିଛି ଅମୁକଙ୍କ ଘରେ, ଶାସ୍ତ୍ରରେ ଅଛି ପରା, ଇତ୍ୟାଦି ।
ମିସେସ୍‌ ଶ୍ରୀବାସ୍ତବ ନିହାତି ଢିଲା ବଡ଼ିସ୍‌ ପିନ୍ଧନ୍ତି… ।
ମ୍ୟାଗାଜିନ୍‌ ଦେଖା ସରିଲା ।
ଭାବନା-ଛବି ସରିଆସିଲା ।
ମିସେସ୍‌ ପୁରୀ ଉଠିପଡ଼ି ଟ୍ରାନ୍‌ଜିଷ୍ଟର ରେଡ଼ିଓ ଚଳାଇଦେଲେ ।
ଏହିକ୍ଷଣି ୟୁରୋପୀୟ କ୍ଲାସିକାଲ୍‌ ସଙ୍ଗୀତର ସମୟ ।
ସେ କ୍ଲାସିକାଲ୍‌ ସଙ୍ଗୀତରୁ କିଛି ବୁଝନ୍ତି ନାହିଁ, କିନ୍ତୁ ତାଙ୍କୁ ଭଲ ଲାଗେ ।
ଆଜି ମୋଜାର୍ଟ୍‌, ମୋଜାର୍ଟ୍‌ ତାଙ୍କୁ ସବୁଠୁଁ ଭଲ ଲାଗେ ।
ମନେ ହୁଏ ଯେ ସେ ପରୀ ରାଇଜରେ ବୁଲୁଛନ୍ତି ଓ ପରୀମାନେ ତାଙ୍କୁ କୁତୁକୁତୁ କରୁଛନ୍ତି ।
ସେ ପୁଣି ବିଛଣାରେ ଶୋଇ ପଡ଼ିଲେ, ନିସ୍ପନ୍ଦ ହେଲେ ଓ ମନୋଯୋଗ ସହ ସଙ୍ଗୀତ ଶୁଣିଲେ ।
ତତ୍‌ସହ ବିହଙ୍ଗମାନେ ବିଭୋର ହେଲେ ଓ ଭାବିଲେ ଯେ ସେମାନଙ୍କର ଡେଣା କଟିଯାଇଛି ।
ସେମାନେ ଗୋଟିଏ ସୀମିତ ଓ ସୁରଭିତ ସ୍ବର୍ଗରେ ଖସିପଡ଼ିଛନ୍ତି ।
ସେମାନେ ଛଟପଟ ହେଲେ ନାହିଁ ।
ବରଂ ତାଙ୍କର ମନରେ ସନ୍ଦେହ ହେଲା, -ଏହି କ’ଣ ସଭ୍ୟତାର ସ୍ବର୍ଗ ? ହୋଇଥିବ ।
କାହିଁକିନା ଏହି ଜ୍ଞାନର ଭାରୀପଣ ନାହିଁ ଓ ଅଜ୍ଞାନର ଜଡ଼ତା ନାହିଁ ।
ଅସନ୍ତୋଷ ନାହିଁ, ଉଦ୍ୟମ ନାହିଁ ।
ଅନୁକମ୍ପା ନାହିଁ, ହିଂସା ନାହିଁ ।
ବେରସିକତା ନାହିଁ ।
ମୋଜାର୍ଟ୍‌ ସରିଲା ।
ମିସେସ୍‌ ପୁରୀ ଅନ୍ୟମନସ୍କ ଭାବରେ ଦୂରକୁ ଅନାଇଲେ, ଦେଖିଲେ ରିଫ୍ରିଜିରେଟର୍‌ ଉପରେ ଏକୁଟିଆ ମାଛିଟିଏ ବସିଛି ଓ କ୍ରମଶଃ ଆଖି ବୁଜିଆଣିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment