Commit 3c7d7ce9 authored by Nayan Ranjan Paul's avatar Nayan Ranjan Paul

Upload New File

parent 1e671235
ଧୂର୍ତ୍ତ ସାମ୍ବାଦିକ
ନାରାୟଣ ମିଶ୍ର
ତା: ଫେବୃଆରୀ ୧, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ବ୍ୟଙ୍ଗ →
ଯମରାଜଙ୍କ ସାମନାରେ ସାମ୍ବାଦିକଙ୍କ ଆତ୍ମା-ଜେରା ଚାଲିଛି ।
ଚିତ୍ରଗୁପ୍ତଙ୍କ ପାଞ୍ଜି ଓଲଟି ଚାଲିଛି ।
ସାମ୍ବାଦିକଙ୍କ କୃତକର୍ମର ଫଳ ହେଲା ଏକମାସ ସ୍ବର୍ଗସୁଖ ଓ ଚବିଶବର୍ଷ ଏଗାରମାସ ନର୍କଭୋଗ ।
ଯମରାଜ ପଚାରିଲେ- “ତୁମେ କେଉଁଟା ଆଗ ଭୋଗିବାକୁ ଇଚ୍ଛା କରିବ ?” ସାମ୍ବାଦିକ କହିଲେ- “ମୁଁ ନିଶ୍ଚୟ ସ୍ବର୍ଗସୁଖ ଆଗ ଆଦରିବି, କିନ୍ତୁ ଜୀବନସାରା ଏତେ ପରିଶ୍ରମ କରି ସମ୍ପାଦକ, ପ୍ରକାଶନ, ମାଲିକ ଏବଂ ସର୍ବସାଧାରଣଙ୍କ ସେବାକରି ଗାଳିଶୁଣି ମାତ୍ର ମାସଟାଏ ସ୍ବର୍ଗସୁଖ ? ପରିବାର ଚଳାଇବାକୁ ଜୀବନସାରା ମୁଁ ଅସମର୍ଥ ଏବଂ ଅଯୋଗ୍ୟ ପଦବୀ ପାଇ ମଧ୍ୟ ଏ ସାମ୍ବାଦିକତା ପେସାକୁ ଛାଡ଼ିନାହିଁ ।
ମୋ ସାଙ୍ଗରେ ଏକାପ୍ରକାର ଡିଗ୍ରୀ ଥାଇ ଲୋକେ ନିଜର ଘରଦ୍ବାର କରି ପିଲାଛୁଆଙ୍କୁ ମଣିଷ କଲେ ।
ହେଲେ ମୁଁ ସବୁଦିନେ ଛୁଆ ମୋର ଉଠିବା ପୂର୍ବରୁ ଅଫିସରେ ପହଞ୍ଚି ଛୁଆ ଶୋଇ ସାରିବା ପରେ ପରେ ପହଞ୍ଚୁଥିବାରୁ କେବଳ ଛୁଟିଦିନ ବ୍ୟତୀତ ଅନ୍ୟ ଦିନେ ମୁଁ ମୋ ନିଜ ଛୁଆଙ୍କ ସଙ୍ଗେ ଟିକେ ହସଖୁସି ହୋଇପାରିନି ।
ପ୍ରାଇଭେଟ୍‌ ସଂସ୍ଥା ହେତୁ ଚାକିରି ଆଜି ଅଛି କାଲି ନାହିଁ ମଧ୍ୟରେ ପ୍ରତିଦିନ ଗତି କରୁଥିଲା ।
ଚାକିରି ସଂଖ୍ୟାର ଦଶପନ୍ଦର ଗୁଣ ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ହୋଇଥିବାରୁ ଚାକିରି ଛାଡ଼ିଦେଲେ ମୋ ଠୁ କମ୍‌ ଦରମାରେ ଅନେକ ମିଳିଯିବେ ଭାବି ଦାନ୍ତରେ ତିରଣ ଦେଇ ଗୋତିଶ୍ରମିକ ପରି ମୁଁ ସାରା ଜୀବନ ଚଳିଲି ।
ଗାଡ଼ିରେ ‘ପ୍ରେସ୍‌’ ଲେଖାଥିବାରୁ ବାଟରେ ସିନା କେହି ଅଟକାଇଲେ ନାହିଁ ବା ପୋଲିସ୍‌ ଭାଇମାନେ କିଛି ଅଯଥା ନିର୍ଯାତନା ଦେବାକୁ ସାହସ କଲେ ନାହିଁ, ହେଲେ ଏଥିରେ କ’ଣ ମୋ ଘରେ ଦଶକିଲୋ ଚାଉଳ ପହଞ୍ଚିଗଲା ନା ପାଞ୍ଚକିଲୋ ଡାଲି ? ଏସବୁ ସତ୍ତ୍ବେ ମାତ୍ର ମାସଟାଏ ସ୍ବର୍ଗସୁଖ ଆଉ ଚବିଶବର୍ଷ ଏଗାରମାସ ନର୍କ ଭୋଗ-କ’ଣ ପାଇଁ ?”
ଯମରାଜ କହିଲେ- “ଏସବୁ ଭାଷଣ ମର୍ତ୍ତ୍ୟରେ ଦେବ ଯେ ସେମାନେ ଶୁଣି ‘ଆହାଃ’ କରିବେ ।
କିନ୍ତୁ ଏଠି ତ ତୁମ ସମସ୍ତ କର୍ମର ଭିଡ଼ିଓଟେପ ଅଛି ।
ମୋର ବେଳେ ନାହିଁ ଏ ସବୁ ଦେଖାଇବାକୁ ।
ମୁଁ ଚିତ୍ରଗୁପ୍ତଙ୍କ କହିଦେଉଛି ସେ ତୁମକୁ ତୁମ ସାରାଜୀବନର କାହାଣୀ ଦେଖେଇଦେବେ ଓ ଶୁଣେଇଦେବେ ।
ହଁ, ମାସଟାଏ ସ୍ବର୍ଗସୁଖର କଥା ତୁମେ ଶୁଣିଯାଅ ।
ତୁମେ ପ୍ରଥମେ ସାମ୍ବାଦିକ ହୋଇ ନିଯୁକ୍ତି ପାଇବାରେ ବର୍ଷେ ପର୍ଯ୍ୟନ୍ତ ସମସ୍ତ ଖବର ଠିକ୍‌ଭାବେ ନିଜେ ଦେଖି ସଂଗ୍ରହକରି ସତ୍ୟ ପରିବେଷଣ କରୁଥିଲ ।
କାହାରି କଥାରେ ବିଶ୍ବାସ କରୁ ନ ଥିଲ ।
ରାତିଦିନ କ୍ୟାମେରା, କଲମ, ଟିପାଖାତା ଧରି ବୁଲୁଥିଲ ।
ମାଡ଼ଗାଳି ଅପମାନକୁ ଦେହରେ ବୋଳି କର୍ତ୍ତବ୍ୟ ଠିକ୍‌ ଭାବେ ସମ୍ପାଦନ କରୁଥିଲ ।
ବିଭା ହୋଇ ନ ଥିଲ, ଛୁଆପିଲାଙ୍କ ଜଞ୍ଜାଳ ନ ଥିଲା ।
ନ୍ୟାୟ ବାଟରେ ଠିକ୍‌ ଖବର ପରିବେଷଣ ପାଇଁ ମାସଟାଏ ସ୍ବର୍ଗ ସୁଖ ମିଳିଛି ।
ଯାଅ, ଅୟସ କର ।
ଅପ୍‌ସରାମାନଙ୍କ ସହ ନୃତ୍ୟ କର ।
ଇନ୍ଦ୍ରସଭା ଦେଖ ।
ଐରାବତ ହସ୍ତୀ, ଉଚ୍ଚୈଶ୍ରବା ଅଶ୍ବ, ନନ୍ଦନକାନନ, ପାରିଜାତ ପୁଷ୍ପ ସହ ଏଠାରେ କେବଳ ଶାନ୍ତି ଓ ଆନନ୍ଦ ଅନୁଭବ କର-କିନ୍ତୁ କେବଳ ମାସଟାଏ ।”
ଚିତ୍ରଗୁପ୍ତ ତାଙ୍କ ଭିଡ଼ିଓ ଲଗାଇଦେଲେ ଓ ସାମ୍ବାଦିକଙ୍କୁ ବୁଝାଇ ଚାଲିଲେ- “ହେ ପ୍ରିୟ ସାମ୍ବାଦିକ, ପ୍ରାୟ ବର୍ଷକପରେ ତୁମେ ଅଳ୍ପ କେତେକ ସାମ୍ବାଦିକ ସାଙ୍ଗଙ୍କ କଥାରେ ଅବାଟକୁ ଗୋଡ଼ ବଢ଼ାଇଲ ।
ଯେଉଁଠି ଅନ୍ୟାୟ ଦେଖିଲ, ସେ ଖବର ଆଣି ଖବରକାଗଜକୁ ନ ଦେଇ ଅନ୍ୟାୟୀ ଠାରୁ ଲାଞ୍ଚ ଖାଇଲ ।
ପୋଲିସ, ଡକାୟତଙ୍କ ସହ ହାତ ମିଳାଇଲ ।
ବ୍ୟବସାୟୀଙ୍କ ଘରେ ମାଲ୍‌ ପିଇଲ ।
ବିଶିଷ୍ଟ ଶିଳ୍ପପତିଙ୍କଠାରୁ ଉପହାର ଆଣି ତାଙ୍କ ବିରୋଧରେ ପଦୁଟିଏ ବି ଲେଖିଲ ନାହିଁ ।
ନିଜ ଜୀବନକୁ ଭଲରେ ଗଢ଼ିବାକୁ ଲାଞ୍ଚ, ଉପହାର, ସୁରା ଆଉ ସାକୀକୁ ବାଛିନେଲ ।
ଏଇ ଦେଖ, ଏ ଯେଉଁ ଚିନି ବେପାରୀ ପାଞ୍ଚଶହ ବସ୍ତା ଚିନି ମହଜୁଦ ରଖିଥିବାର କେବଳ ତୁମେ ଜାଣିଥିଲ, ତାଙ୍କଠାରୁ ମାତ୍ର ଦୁଇହଜାର ଟଙ୍କା ଆଣି ସେ ଖବର ବାଟରେ ଚିରି ଫୋପାଡ଼ି ଦେଲ ।
ଅନ୍ୟାନ୍ୟ ଖବରକାଗଜର ସାମ୍ବାଦିକମାନଙ୍କ ସହ ହାତ ମିଳାଇଲ ।
ଜଣେ ଉଚ୍ଚଶିକ୍ଷିତା, ଅବିବାହିତା ଛାତ୍ରୀଙ୍କୁ ବଳାତ୍କାର କରି ମାରିଦେଇଥିବା ଦୁଇଜଣ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ରଖିଲ ।
କେବଳ ଏଇଥିପାଇଁ ଯେ, ସେ ଜଣେ ମନ୍ତ୍ରୀଙ୍କ ଶଳା ଓ ଅନ୍ୟ ଜଣକ ଜଣେ ଉଚ୍ଚପଦସ୍ଥ ପୋଲିସର ଅଧିକାରୀଙ୍କ ପୁଅ ।
କେବଳ ଟଙ୍କା ଲୋଭରେ ଜଣେ ପ୍ରଶାସନିକ ଅଧିକାରୀଙ୍କ ପତ୍ନୀ ନିର୍ଯ୍ୟାତନା ଖବର ଏବଂ ତାଙ୍କର ଡ୍ରାଇଭରଙ୍କ ପତ୍ନୀ ଆତ୍ମହତ୍ୟାରେ ଖୋଦ୍‌ ପ୍ରଶାସନିକ ଅଧିକାରୀଙ୍କ ଅନୈତିକ ସମ୍ପର୍କକୁ ବାରମ୍ବାର ସର୍ବସାଧାରଣ ଦାବି କରିବା ସତ୍ତ୍ବେ ତୁମେ ଛପାଇବା ପାଇଁ ସାହସ କଲ ନାହିଁ, କାରଣ ତାଙ୍କର ଟଙ୍କାରେ ତୁମେ ଘରେ ମାର୍ବଲ ବିଛାଯାଇଥିଲା- ଏଇ ଦେଖ, ତୁମ ଟଙ୍କା ନେବା ଫଟୋ !”
ସୁନ୍ଦରୀ, ଗୁଣବତୀ, ସର୍ବକାର୍ଯ୍ୟନିପୁଣା ଏବଂ ତୁମ ଛୁଆଙ୍କ ସମସ୍ତ ଭାର ବହନ କରୁଥିବା ତୁମ ସ୍ତ୍ରୀ ତୁମ ବାଟକୁ ଚାହିଁରହିଥିବା ସତ୍ତ୍ବେ ସକାଳ ସଂସ୍କରଣ ନାମରେ ତୁମରେ ରାତି ଦୁଇଟା ତିନିଟା ପର୍ଯ୍ୟନ୍ତ ଅଫିସରେ ରହି ଜଣେ କନ୍‌ଷ୍ଟେବଳଙ୍କ ସାମ୍ବାଦିକା ପତ୍ନୀଙ୍କ ସହ ଅନୈତିକ ସମ୍ପର୍କ ରଖିଥିଲ ।
କେବଳ ସେତିକି ନୁହେଁ, ଏ କଥା ସମ୍ପାଦକଙ୍କୁ ଜଣାଇ ଦେଇଥିବା ଜଣେ ଅସ୍ଥାୟୀ ନବନିଯୁକ୍ତ ସଚ୍ଚୋଟ, କର୍ତ୍ତବ୍ୟନିଷ୍ଠ ଯୁବ ସାମ୍ବାଦିକ ଚାକିରି ଚାଲିଯିବାରେ ପ୍ରମୁଖ ଭୂମିକା ଗ୍ରହଣ ମଧ୍ୟ କରିଥିଲ ।
ସବୁଠୁ ବଡ଼କଥା ହେଲା ଖବର ପରିବେଷଣ କଲାବେଳେ ରାଜ୍ୟ ଓ ଦେଶର ଖବର ଅପେକ୍ଷା ବଳାତ୍କାର, ପ୍ରେମଜନିତ ହତ୍ୟା ଓ ଆତ୍ମହତ୍ୟା ଇତ୍ୟାଦି ଅରୁଚିକର ଖବରକୁ ବାରମ୍ବାର ପୁଟ ଦେଇ ପରିବେଷଣ କରିବାକୁ ତୁମେ ଭଲ ପାଉଥିଲ ।
ନିଜ ସ୍ତ୍ରୀ ଓ ପିଲାମାନଙ୍କୁ ଭଲରେ ରଖିବାକୁ ତମେ ସରକାରଙ୍କ ଦୋଷଗୁଡ଼ାକୁ ଆଖି ବୁଜିଦେଇ କେବଳ ପ୍ରଶଂସାତ୍ମକ ଖବର ପରିବେଷଣ କରୁଥିଲ ।
ଏତିକିବେଳେ ଯମରାଜ ସେଠାରେ ପହଞ୍ଚି ଭିଡ଼ିଓ ବନ୍ଦ କରିବାକୁ କହିଲେ ଓ ଚିତ୍ରଗୁପ୍ତଙ୍କୁ କହିଲେ- “ଏ ସାମ୍ବାଦିକଙ୍କୁ କିଛି ଭିଡ଼ିଓ ଦେଖାଇବା ବନ୍ଦ କରି ତୁମେ ତାଙ୍କୁ ମଝିରେ ପାଞ୍ଚ ସାତଦିନ ସ୍ବର୍ଗ ବୁଲିବାକୁ ଛାଡ଼ି ଦେଇଥିଲ କି ?” ଚିତ୍ରଗୁପ୍ତ ହଁ କହିବାରୁ ଯମରାଜ କହିଲେ- “ଏ ଧୂର୍ତ୍ତ ସାମ୍ବାଦିକ ୟା ଭିତରେ ଆମ ସ୍ବର୍ଗପୁରରୁ ବାହାରୁଥିବା ଦୈନିକ ‘ସ୍ବର୍ଗପୁରୀ’ ଖବରକାଗଜର ସମ୍ପାଦକଙ୍କୁ ଭେଟି କାହିଁକି ମସଲାଦିଆ ଖବର ବାହାରୁନାହିଁ ବୋଲି ପଚାରିଥିଲା ଏବଂ ସେ ନିଜେ ସେଭଳି ଖବର ଯୋଗାଇଦେବ କହି ତାଙ୍କଠାରୁ ଏକ ସହସ୍ର ସ୍ବର୍ଣ୍ଣମୁଦ୍ରା ଦାବି କରିଛି ।
କିନ୍ତୁ ପାଞ୍ଚଦିନ ବୁଲିବା ପରେ ସ୍ବର୍ଗରେ କୌଣସିଠାରେ ସେ ଛୁରି, କଟୁରି, ବନ୍ଧୁକ ଦୋକାନ ପାଇନାହାଁନ୍ତି, ହିଂସା, ମରାମରି, ବାଡ଼ିଆପିଟା, ବଳାତ୍କାର ଇତ୍ୟାଦିର କୌଣସି ଗନ୍ଧ ନ ପାଇ ମନଦୁଃଖରେ ଏଠାକୁ ଫେରି ପୁଣି ନିଜ ମର୍ତ୍ତ୍ୟଲୋକ ଜୀବନର ଭିଡ଼ିଓ ଦେଖୁଛନ୍ତି ।
କିନ୍ତୁ ଏଇ ସ୍ବଳ୍ପ ସମୟ ମଧ୍ୟରେ ଜଣେ ଦି’ଜଣ ଅପ୍‌ସରାଙ୍କୁ ଦେବରାଜ ଇନ୍ଦ୍ରଙ୍କୁ ବଦ୍‌ନାମ କରାଇବାକୁ ପ୍ରବର୍ତ୍ତେଇଛନ୍ତି ।
ଏସବୁ ଏଠାରେ ଗୁରୁତର ଅପରାଧ, ତେଣୁ ଅନ୍ୟ ସାମ୍ବାଦିକମାନଙ୍କର ନର୍କଭୋଗର ମିୟାଦ ବଢ଼ି ନ ଥିବା ସ୍ଥଳେ ଏ ବାବୁଙ୍କର ନର୍କଭୋଗ ଚବିଶବର୍ଷ ଏଗାରମାସ ଜାଗାରେ ଚଉତିରିଶ ବର୍ଷ ଏଗାରମାସ କରିଦିଆଯାଇଛି ।”
ଯମରାଜ କହିଲେ- “ଏବେ ମୁଁ ଭାବଛି ଏ ପ୍ରାଣୀ ନର୍କରେ ମଧ୍ୟ କିଛି ଗୋଟାଏ ଗଣ୍ଡଗୋଳ କରିପାରେ ।
କିଛି ନ ହେଲେ ସମସ୍ତ ପାପୀଙ୍କୁ ଏକାଠିକରି ଅନଶନ, ଧର୍ମଘଟ ଇତ୍ୟାଦି ବି ଆରମ୍ଭ କରିଦେଇପାରେ ।
ତେଣୁ ଯମଯନ୍ତ୍ରଣା ମିଆଦ ସରିବାମାତ୍ରେ ଏଭଳି ବିରଳ ପ୍ରାଣୀକୁ ମର୍ତ୍ତ୍ୟରେ ଥିବା କୌଣସି ପାଇଖାନା ଟାଙ୍କିର ମଇଳା ପାଣିରେ କୃମି ରୂପରେ ଆଠଥର ଜନ୍ମନେବାର ଦଣ୍ଡବିଧାନ କରାଯାଉ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment