Commit 47fe4f37 authored by Nayan Ranjan Paul's avatar Nayan Ranjan Paul

Upload New File

parent bf03441f
ମାଂସ-ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
ତା: ମାର୍ଚ୍ଚ୍ ୧, ୨୦୧୧
ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) →
ସକାଳ ବେଳା ।
ମେଘୁଆ ପାଗ ।
ଯେଉଁଥିଲାଗି ପିଲମାନଙ୍କ ମନ ଖରାପ ।
ଆଜି ବର୍ଷା ନହେଉ ।
ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ ।
ଗାଁ ନାଁ ଛୋଟସାତୁଡି ।
ବିଭୂପଦ ଘଡେଇର ଦି’ଟା ଚାଳଘର ।
ସାମନାରେ ସରୁ ଅଗଣା ।
ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି ।
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
ମେଘ ସେଇ ଶିଶୁମାନଙ୍କ କଥା ଶୁଣେ ।
ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ ।
ପ୍ରଥମେ ଗୁମ୍‌ସୁମ୍‌ ଥିଲା ।
ହଠାତ୍‌ ଉଠିଲା ସଁ ସଁ କରି ।
ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ ।
ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି ।
ଆସିଲା ଝମ୍‌ଝମ୍‌ କରି ଏକବାରେ ବଡ ବଡ ଠୋପା ।
ଭୀଷଣ ଜୋର୍‌ରେ ବର୍ଷିଗଲା ଦଶମିନିଟ୍‌ ଧରି ।
ପୁଣି ଆକାଶ ପୁରାପୁରି ସଫା ।
ଝଲ୍‌ଝଲ୍‌ ହୋଇ ଦେଖାଦେଲା ସୁର୍ଯ୍ୟ ।
ଠିକ୍‌ ଯେମିତି ହସୁଛି.. ହସିବତ ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର ।
କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା ।
ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ ! ବଡ ବିଚିତ୍ର ଏଇ ମଣିଷ ।
ସେ ମେଘ ପୁଣି ଫେରି ଆସିବ ।
ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ ।
ଆଜି ସେମାନେ ବୁଲିଯିବେ ।
ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ ।
ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା ।
ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି ।
ବିଭୂପଦ ଠିଆ ହୋଇଛି ବାହାରେ ।
ସୁରବାଳାର ଟିକେ ଡେରି ହଉଚି ।
ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ ।
ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ… ।
ଝିଅଟା ବୟସ ସାତ ।
ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅ ।
ଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ ।
ବହୁତ ଉକୁଣି ହୋଇଥିଲା ।
ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା ।
ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା ।
ସୁରବାଳାର ବୟସ ତିରିଶ ପାଖାପାଖି ହେବ ।
ଧେଡେଙ୍ଗା ଚେହେରା, ଅଦ୍‌ଭୂତ ନିଥର ପରି ମୁହଁ ।
ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା ।
ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ ।
ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା ।
ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍‌ ରହି ପ୍ରଶ୍ନ କଲା ସତରେ ଯିବୁ ?
ସୁରବାଳା କହିଲା, ହଁ ଯିବି ବୋଲି ଠିକ୍‌ କରିଛି ତ !
ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା ?
ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ ।
ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ ।
ଠିକ୍‌ ପାଖାପାଖି ଆଉ କୌଣସି ଘରଦ୍ବାରା ନାହିଁ ।
ଗାଁ ମୁଣ୍ଡ ଖାଲୁଆ ପଡିଆରେ ଏଣେତେଣେ ଗୋଟେ ଦିଇଟା ହାତଗଣତି ଘର ।
ରାସ୍ତାଟା ସିଧା ମଶାଣିପଦା ଆଡକୁ ଲମ୍ବିଛି ।
ପିଲା ତିନିଟା ଦିନବେଳା ବି ଏପଟ ଦେଇ ଯିବାକୁ ଭୟ କରନ୍ତି ।
ପଇସା ଅଭାବରେ କାଠ କିଣି ନପାରି ଲାଶ୍‌କୁ ପୁରାପୋଡି ପାରୁନଥିବା ଲୋକମାନେ ଖାଲି ମୁହଁରେ ନିଆଁ ଦେଇ ଛାଡିଯାଆନ୍ତି ।
ତାପରେ ତାହା ଭୋଜି ହୁଏ ଶାଗୁଣା ବିଲୁଆଙ୍କର ।
ଆଜି ବାପାବୋଉ ସାଙ୍ଗରେ ଯାଉଛନ୍ତି ।
ଆଜି ପୁଣି ଭୟ କ’ଣ ? ବାପାବୋଉ ଆଉ ତିନି ପିଲା, ଏଇ ପୁରା ପରିବାର ।
ୟାଆଗରୁ କେବେ ବି ଏକା ସାଙ୍ଗରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି ।
ବାପାଙ୍କ ସାଙ୍ଗେ ଥରେ ଦି’ଥର ହାଟକୁ ଯାଇଛନ୍ତି ଅବଶ୍ୟ ।
ତା’ ବି ଝିଅଟାକୁ ଛାଡି ।
ବୋଉ ବି ଯାଏନି ।
ବରଗଛମୂଳେ କୁଆଡେ ଜଣେ ସାଧୁ ଆସି ତ୍ରିଶୁଳ ପୋତି ବସିଛନ୍ତି ।
ସମସ୍ତେ ସେଠି ଠିଆହେଲେ ।
ସୁରବାଳା ଆଗେଇଯାଇ ଆଣ୍ଠୁମାଡି ପ୍ରଣାମକଲା ସାଧୁବାବାଙ୍କୁ ।
ସେ ହାତ ଉଠାଇ ଗୁଣୁଗୁଣୁ ହୋଇ କ’ଣ ଆଶୀର୍ବାଦ କଲେ ।
କିନ୍ତୁ ଦକ୍ଷିଣା ଦବା ପାଇଁ କିଛି ନାହିଁ ସୁରବାଳା ପାଖରେ ।
ସେ ଫେରି ଆସିବା ପରେ ଝିଅଟା ପଚାରିଲା, ବୋଉ, ସନ୍ୟାସୀମାନେ ଦେହରେ ପାଉଁଶ ବୋଳନ୍ତି କାହିଁକି ?
ସୁରବାଳା ଚାହିଁଲା ତା ସ୍ବାମୀ ଆଡକୁ ।
ଏସବୁ ପ୍ରଶ୍ନର ଉତ୍ତର ପୁରୁଷମାନେ ଦେବା କଥା ।
ବିଭୂପଦ କହିଲା – ହୁଁ… ସନ୍ୟାସୀମାନେ ସବୁ ଶିବ ଠାକୁରଙ୍କ ଚେଲା ।
ଶିବଠାକୁର କହିଦେଇଛନ୍ତି ଦେହରେ ପାଉଁଶ ନବୋଳିଲେ ମୋର ଚେଲା ହୋ ପାରିବନି ।
ସାନଟା ପଚାରିଲା, ବାପା, ଠାକୁରଙ୍କ ମୁଣ୍ଡରେ ସାପ କାହିଁକି ଥାଏ ?
ବିଭୂ କହିଲା- ହୁଁ… ସାପ ଥାଏ ।
ମାନେ ଏମିତି ସାପ ଥାଏ ।
ଏବେ ଚାଲିଲ ଶିଘ୍ର ।
ପିଲାଗୁଡାକ ଦୌଡିଦୌଡି ଅନେକବାଟ ଆଗେଇ ଯାଆନ୍ତି ।
ପୁଣି ତାଙ୍କୁ ଡାକି ଅଟକେବାକୁ ପଡେ ।
ଏ ଅଞ୍ଚଳରେ ପ୍ରାୟତଃ ଥିଲାବାଲା ଲୋକଙ୍କ ବାସ ।
ଦୋଳ ଉତ୍ସବ ଆଉ ଦୁର୍ଗା ପୂଜା ବି ହୁଏ ଏଠି ।
ଗୋଟେ ପାଖେ ଅଛି କେତେଟା ଟ୍ରଲି ।
ବହୁଦୂର ବାଟ ଯିବାକୁ ହେବ ।
ଅବଶ୍ୟ ଚାଲିକରି ଯାଇ ହେବ ।
ତାଛଡା ଦିନ ଥାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଥା ।
ଟ୍ରଲିବାଲାଟିଏ ନିଜ ଟ୍ରଲିପାଖେ ଠିଆ ହୋଇ ଚା’ ପିଉଛି ।
ତା ପାଖକୁ ଯାଇ ବିଭୂପଦ ଭିଡିମୋଡି ହୋଇ କହିଲା, ଭଲ ଅଛ ଗୋବିନ୍ଦ ଭାଇ ? ତୁମ ଗାଡି ଏବେ ଛାଡିବ ?
ଗୋବିନ୍ଦ ସାଙ୍ଗରେ ଆଗରୁ କଥାବାର୍ତ୍ତା କରିଯାଇଥିଲା ବିଭୂପଦ ।
ଏ ଗାଡି ଭଡାରେ ନବାର ସାମର୍ଥ୍ୟ ତାର ନାହିଁ ।
ସନାତନପୁର ହାଟରୁ ଦଶଟା ଗୁଡ ହାଣ୍ଡି ଆଣିବାର ଅର୍ଡର ଅଛି ଗୋବିନ୍ଦର ।
ଏଠୁ ଯିବାବାଟରେ ଯଦି ପାସେଞ୍ଜର ନପାଏ , ଖାଲି ଗାଡି ଯାଏ, ତାହେଲେ ସେ ବିଭୂପଦର ପରିବାରକୁ କିଛିବାଟ ନେଇଯିବ ।
ଗୋବିନ୍ଦ ଯେମିତି ସେକଥା ଭୂଲି ଯାଇଛି ।
ସେ କହିଲା, ପାସେଞ୍ଜର ତ ଦେଖୁନି ।
ଗାଡି ଛାଡିବାକୁ ପଡିବ ।
କିନ୍ତୁ ତୁମର ଏତେଗୁଡାଙ୍କୁ ତ ବିନା ଭଡାରେ ନେଇ ପାରିବିନି ।
ଏତେ ଲୋଡ ନେଲେ ଗାଡିଟାଣିବାକୁ ପରିଶ୍ରମ ପଡିବନି ?
ବିଭୂପଦ କିଛି ନକହି ଚୁପ୍‌ କରହିଲା ।
ଗୋବିନ୍ଦ କହିଲା ଯାହା ଉଚିତ୍‌ ଭଡା ତାର ଅଧାତ ଦେବ ! ପର୍‌ହେଡ ପାଞ୍ଚ ଟଙ୍କା ।
ବିଭୂପଦ କହିଲା ଠିକ୍‌ ଅଛି ଦେବି ।
ଏକେବାର ଛୁଆଟା ବି କ’ଣ… ।
ଗୋବିନ୍ଦ କହିଲା, ହଉ ପନ୍ଦର ଟଙ୍କା ଦେ ।
ସେ ହାତ ବଢାଇଲା ବିଭୂ ଆଡକୁ ।
ବିଭୂ ଖୁବ୍‌ ସଙ୍କୁଚିତ ଭାବେ କହିଲା, ଏବେ ତ ଦେଇ ପାରିବିନି ।
ପରେ ନିଶ୍ଚୟ ଶୁଝିଦେବି ।
ମା’ କାଳୀଙ୍କ ରାଣ ।
ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି ।
ଆଜି ନଗଦ କାଲି ବାକି ।
ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ ! ହୁଁ କେତେ ଦେଖିଛି ।
ବିଭୂ କହିଲା ମୋ କଥାରେ ଖିଲାପ ହେବନି ।
ମା କାଳୀଙ୍କ ରାଣ ଖାଇଲି ତ ।
ଗୋବିନ୍ଦ ହେୟଜ୍ଞାନ କରି କହିଲା – ଯା ଦିନ କାଳ ପଡିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି ।
ଛାଡ୍‌ ଉଠ ।
ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ ।
ଏଥରେ ସେମାନ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ ।
ସୁଶୀଲ ବୟସରେ ବଡ, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି ।
ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ ।
ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି ।
ସେମାନେ ଚକାମାରି ଭିତରେ ବସିଲେ ।
ସୁଶୀଲ ତଥାପି ୟାଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡି ଦୌଡି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି ।
ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ ।
ଚାଲିବାକୁ ପଡିବନି ଅଥଚ ରାସ୍ତା ସରିଯିବ ।
ବାଃ କି ମଜା ! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି ।
ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି ।
ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ ।
ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତ ।
ଏପଟର ସବୁ ଗାଁର ଚେହେରା ପ୍ରାୟ ଏକା ।
ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ ।
ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି ! ଏକାଠି ଦି’ଟା ଗଛ ।
ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି ।
ସେଗୁଡାକ କି ପକ୍ଷୀ ?
ଶାଗୁଣା ।
ଶାଗୁଣା ପରା ମାଟିକୁ ଓହ୍ଲାଏ !
ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ?
ଯାଉଚି, ନିଜ ଘରକୁ ।
ବାପା ସେ ମନ୍ଦିରଟା ଭଙ୍ଗା କାହିଁକି ?
କାହିଁକି ପୁଣି କ’ଣ ? ଭାଙ୍ଗି ଯାଇଛି ବୋଲି ଭଙ୍ଗା ।
ଏଥରକ ଟିକେ ଚୁପ୍‌ କରି ବସିବ ।
ସାନଟାର ହିଁ ବେଶୀ ପ୍ରଶ୍ନ ।
ସେ ଚୁପ୍‌ ରହିପାରେନି ।
ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ ।
ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ ।
କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ?
ବିଭୂ କହିଲା, ରଣକାଳୀପୁର ଯିବି ।
ଇୟେ ମାନେ ସ୍ତ୍ରୀର ବାପଘର ।
କେଇଟା ଦିନ ରହିବ ।
ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର ।
ପିଲାମାନଙ୍କର ମାମୁଁଘର ।
ବାଃ ଭଲ କଟିବ ।
ମାମୁଁଘରେ ଭାରିମଜା ।
ମାଡଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ ।
ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ ।
ତା କଥାରେ ସେଇ ସ୍ବର ଫୁଟି ଉଠେ ।
ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି ।
ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି ।
ସୁଶୀଲ୍‌ ଫୁସ୍‌ଫୁସ୍‌ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା ?
ସୁରବାଳା ଚାହିଁଲା ବିଭୂଆଡକୁ ।
ବିଭୂ କହିଲା, ସେ ଦେଖାଯିବ ।
ଗାଡିଟା ଧଡ ଧଡ ହୋଇ ଡେଉଁଛି ।
ମୁଢି ବୁଣି ନ ଯାଏ ।
ସୁଧା ପଚାରିଲା, ବାପା ତମେ ଖାଇବ ?
ବିଭୂ କହିଲା, ନା ତମେମାନେ ଖାଇନିଅ ।
ସାନ ପୁଣି ଆରମ୍ଭକଲା ପ୍ରଶ୍ନମାଳା ।
ଚିଲ ଆଉ ଶାଗୁଣା ଭିତରେ କିଏ ବେଶି ଉଚ୍ଚା ଉଡେ ? ସେଇ ଝିଅଟା କାନ୍ଦୁଛି କାହିଁକି ? ମଇଁଷି କ’ଣ ଗୋରୁଙ୍କର ବାପା ?
ଭାଇଭଉଣୀ ସମସ୍ତେ ହସନ୍ତି ।
କିନ୍ତୁ ବାପା ମାଆ କେହି ହସନ୍ତିନି ।
ବିଭୂ ଧମକେଇ କହିଲା, ତୁ ଚୁପ୍‌ କରତ ।
ପୁଣି କଥା କହିଲେ କାନ ଛିଡେଇଦେବି ।
ରାସ୍ତା ଭଲ ନାହିଁ ।
ତା ଭିତରେ ପୁଣି ଗୋଟେ ଟ୍ରକ୍‌ ଆସିଲାଣି ।
ଟ୍ରଲି ଯିବାକୁ ବାଟ ନାହିଁ ।
ଗୋବିନ୍ଦ ଓହ୍ଲାଇ ପଡି ହଲ୍ଲା କରିବା ଆରମ୍ଭ କଲା ।
ପିଲାମାନଙ୍କ ପାଇଁ ଏଇଟା ବି ବେଶ୍‌ ରୋମାଞ୍ଚକର ବ୍ୟାପାର ।
ଟ୍ରକ୍‌ଟା କେତେ ବଡ ! ସେମିତି ବଡ ଚେହେରାର ଡ୍ରାଇଭର ।
ତା ସାଙ୍ଗେ ଟକ୍କର ଦେଉଛି ଗୋବିନ୍ଦ ।
କିଏ ଜିତିବ ?
ଗୋବିନ୍ଦ ଫେରିଆସି ଟ୍ରଲିଟାକୁ ଧାନବିଲକୁ ଗଡେଇ ଉଠିଲା ଯାଇ ଟ୍ରକ ଛାଡି ରାସ୍ତାର ଅନ୍ୟପାର୍ଶ୍ବରେ ।
ତା ହେଲେ ଗୋବିନ୍ଦ ଜିତିଗଲା ।
ଗୋବିନ୍ଦ ଜିତିଗଲାରେ କହି ତିନିଜଣଯାକ ତାଳିମାରିବାକୁ ଲାଗିଲେ ।
ସୁରବାଳା ତା ସ୍ବାମୀର ଏକବାର କାନ୍ଧ ପାଖକୁ ମୁହଁନେଇ ନୀଚାସ୍ବରରେ ପଚାରିଲା, ‘ତୁମେ ପିଲାଙ୍କୁ ରାନ୍ଧି ଖାଇବାକୁ ଦେଇ ପାରିବ ?’
ବିଭୂ କହିଲା, ପେଜ-ଭାତ ଫୁଟେଇଦେବି ।
ଏଇଟା ଏମିତି କୋଉ ବଡ କଥା ।
ସୁରବାଳା କହିଲା, ଏଇଲେ ଆଳୁ ଶସ୍ତା ଥିବ ।
ସୁଧା ବି ଟିକେ ସାହାଯ୍ୟ କରିଦେବ ।
ହଁ ତାକୁ ଚୁଲି ଲଗେଇବାକୁ ଦବନି ।
ବିଭୂ କହିଲା, ସେଥିପାଇଁ ଚିନ୍ତା କରନି ।
ବଡଟାକୁ ଏଥର ସ୍କୁଲ ପଠେଇବି ।
ସୁଧା ପଚାରିଲା, ମା’ ତୋ ପୁଟୁଳିରେ କ’ଣ ?
ସୁର କହିଲା – ଦି’ଟା ଶାଢୀ ।
ଗାଳିଖାଇ ଚୁପ୍‌ ରହିଥିବା ଛୋଟୁ ପୁଣି ଫସ୍‌ କିନା କହି ଉଠିଲା – ମାମୁଁଘରେ ଆମର କେତେଟା ମାମୁଁ ?
ସୁଶିଲ ବି ଏଥର କହି ଉଠିଲା – ଗଲେ ତ ଦେଖିପାରିବୁ ।
ବୋକା ।
ଏମାନେ କେହି ଆଗରୁ ମାମୁଁଘର ଯାଇ ନାହାନ୍ତି ।
ମାମୁଁଘର ନାମକ ରହସ୍ୟମୟ ଜାଗା ସଂପର୍କରେ କିଛି ଶୁଣି ବି ନାହାନ୍ତି ।
ଅଦୂରରେ ସନାତନପୁର ହାଟ ।
ଟ୍ରଲି ଅଟକାଇ ଗୋବିନ୍ଦ ପଚାରିଲା, ତୁମେ ରଣକାଳୀପୁର ଯିବ ପରା ? ଏଇଠି ଓହ୍ଲେଇ ଯାଆ ।
ବାଁ ପଟେ ରାସ୍ତା ।
ବେଶି ଦୂର ନୁହେଁ ।
ବିଭୂ ମନେ ରହେ ଯେମିତି ।
ଏଇ ରାସ୍ତାଟା ଅପେକ୍ଷାକୃତ ଭଲ ।
ଏତେ ଖାଲ ଖମା ନାହିଁ ।
ପାଖଦେଇ ବୋହିଯାଇଛି କେଲେଘାଇ ନଦୀ ।
ସେଥିରେ ପ୍ରଚୁର ଫୁଲଫୁଟା ବିଲାତିଦଳ ।
ଗ୍ରାମର ମୂଳବସତି ଠାରୁ ବେଶ୍‌ କିଛିଦୂରରେ ନଈକୂଳକୁ ଲାଗିଥାଏ ଦଶଖଣ୍ଡ ଟାଇଲିଛପର ଘର ।
ଗୋଟେ ଦିଇଟା ମନୋହରୀ ଦୋକାନ ।
ସାମନାରେ ବାଉଁଶ ତିଆରି ବେଞ୍ଚ ଉପରେ ବସି ଗୁଲିଖଟି କରୁଛନ୍ତି କେତେଜଣ ପୁରୁଷ ।
କିଛିଦୂର ଯାଇ ସେମାନେ ଆଚମ୍ବିତ ହୋଇ ଠିଆହେଲେ ।
ଚାହିଁ ରହିଲେ ସେଇ ଘରଗୁଡିକ ଆଡକୁ ।
ବିଭୂ ତା ପତ୍ନୀର ଗୋଟେ ହାତ ଧରି କିଛିଟା ଆବେଗର ସହ କହିଲା –
ସୁର , ସତରେ ଯିବ ?
ସୁରବାଳାର ଶୁଖିଲା ମୁହଁରେ କୌଣସି ରେଖା ନାହିଁ ।
କଣ୍ଠ ଥରୁନି ।
ସେ କହିଲା, ହଁ ଯିବିତ ।
ବିଭୂ କହିଲା, ଏବେ ବି ଫେରିଯାଇ ହେବ ।
ସୁରବାଳା କହିଲା, ମୁଁ ଯିବି ଠିକ୍‌ କରିଛି ।
ବିଭୂ କହିଲା, ମୁଁ କିନ୍ତୁ ତୋତେ ଜୋର କରିନି ।
ସୁର କହିଲା, ନାଁ ତୁମେ ଜୋର କରିନ ।
ମୁଁ ହିଁ ଠିକ୍‌ କରିଛି ।
ଉଛୁଳି ଉଠୁଛନ୍ତି ପିଲାମାନେ ।
ଏଇତ ଦେଖାଯାଉଛି ମାମୁଁଙ୍କର ଘର ।
ତଥାପି ଡେରି କାହିଁକି ?
ସୁଶିଲ କହିଲା- ବାପା ଚାଲ ।
ବିଭୂ ଥରେ ଖଁ ଖଁ ତଣ୍ଟି ସଫା କରି କହିଲା, ଶୁଣ ପିଲେ, ମାମୁଁଘରକୁ ବର୍ତ୍ତମାନ ତୁମ ବୋଉ ଏକା ଯିବ ।
ଆମେ ଘରକୁ ଫେରିଯିବା ।
ତିନିଜଣଙ୍କର ଏକା ପ୍ରଶ୍ନ – କାହିଁକି ? ଆମେ ଯିବୁନି କାହିଁକି ?
ବିଭୂ କହିଲା, ସେଠିକି ପିଲାମାନେ ଯାଆନ୍ତିନି ।
ବୋଉ ପୁଣି ଫେରି ଆସିବ ।
ସେତେଦିନ ପର୍ଯ୍ୟନ୍ତ ତମେମାନେ ମୋ ପାଖରେ ରହିବ ।
ଝିଅମାନଙ୍କ ବୁଦ୍ଧି ଜୋର ।
ପିଲାମାନେ ମାମୁଁଘର ଯାଆନ୍ତିନି, ଏଇଟା ସୁଧାକୁ ବିଶ୍ବାସ ହେଲାନି ।
ସେ ପଚାରିଲା କେବଳ ମାମୁଁଘରକୁ ଯାଆନ୍ତି କେବଳ ବଡମାନେ ?
ତା ପ୍ରଶ୍ନର ଉତ୍ତରରେ ବିଭୂ କହିଲା – ହଁ.. ମାମୁଁଘରେ ଜଣକର ଦେହ ଭୀଷଣ ଖରାପ ।
ସେଥିଲାଗି ପିଲାମାନେ ଯିବାକଥା ନୁହେଁ ।
ସୁର, ତୁ ତାହେଲେ ଯାଆ ।
ବେଳ ଗଡି ଯାଉଛି ।
ଛୋଟୁ ସେସବୁ ବୁଝେନା ।
ସେ ବୋଉକୁ ଜାକିଧରି ତା ଶାଢୀରେ ମୁହଁ ଗୁଞ୍ଜି ଖୁବ୍‌ କାତର ଭାବେ ଆବେଦନ କଲା, ବୋଉ ମୁଁ ତୋ ସାଙ୍ଗେ ଯିବି ଲୋ ! ଟିକେ ବି ପାଟି କରିବିନି ।
ସ୍ବାମୀ ଓ ଅନ୍ୟ ଦୁଇସନ୍ତାନଙ୍କ ଆଡକୁ କ୍ରମାନ୍ବୟରେ ଚାହିଁଲା ସୁର ।
ତାପରେ ଛୋଟୁକୁ ସେ ଧୀରେ ଧୀରେ ଛଡେଇ ନେଇ କହିଲା – ଯିବୁ ।
ତତେ ପରେ ନେଇଯିବି ।
ଆଜି ଘରକୁ ଯାଆ ।
ଘରେ ସୁନା ପିଲା ହୋଇ ରହିବୁ ।
ସୁଧାକୁ କହିଲା, ଭାଇକୁ ଧର୍‌, ତୁ ଛୋଟୁକୁ ସମ୍ଭାଳିବୁ ।
ନଇଁପଡି ସେ ସ୍ବାମୀଙ୍କ ପାଦଛୁଇଁ ପ୍ରଣତି କରିବା ପରେ ତିନିଟିଯାକ ଛୁଆଙ୍କୁ ଜାବୁଡି ଧରିଲା ଏକାଠି ।
ଆଉ କିଛି କଥା ନାହିଁ ।
ତାପରେ ହଠାତ୍‌ ସେ ସେମାନଙ୍କୁ ଛାଡିଦେଇ ଦୁମ୍‌ ଦୁମ୍‌ କରି ଆଗେଇଗଲା ସେ ଘରଗୁଡା ଆଡକୁ ।
ଟିକେ ପରେ ଅଟକି ପଛକୁ ଚାହିଁ କହିଲା, ତୁମେମାନେ ଟିକେ ଅପକ୍ଷା କର ।
ଗୁଲିଖଟି କରୁଥିବା ଲୋକଗୁଡାଙ୍କ ପାଖଦେଇ ଗଲାବେଳେ ଜଣେ ଅଙ୍ଗୁଠି ଦେଖାଇ କହିଲା, ଏଇ ପାଖଦେଇ ଯାଅ ଦେଖିବ ଗୋଟେ ବଡ କୋଠାଘର ।
ଗଳିଟା ପଙ୍କ ପଚ୍‌ପଚ୍‌ ।
ଘର ଗୁଡାକ ପାଖଦେଇ ଯାଉ ଯାଉ ସୁର ଦେଖିଲା, ସବୁ ଝରକା ଦେଇ ଉଙ୍କି ମାରୁଛନ୍ତି ବିଭିନ୍ନ ବୟସର ଝିଅମାନେ ।
ଗୋଟେ ଜାଗାରେ ଗଳିଟା ତିନିଭାଗ ହୋଇଯାଇଛି ।
କୋଉ ଆଡକୁ ଯିବ ବୁଝି ନପାରି ସୁର ଠିଆ ହେଉ ହେଉ ଜଣେ କିଏ କହିଲା, ଏଇ ଡାହାଣପଟେ, ରଣକାଳୀପୁରର ରଣଚଣ୍ଡୀକୁ ଦେଖିପାରୁନ ?
ବଡ ଆଦବକାଇଦାରେ ଗୋଟେ ପାନବଟୁଆ ନେଇ ପାଦ ଲମ୍ବେଇ ବସିଛନ୍ତି ଏକ ବିଶାଳକାୟ ରମଣୀ ।
ପାଖରେ ଏକଦମ୍‌ ପାତଳୀ ଝିଅଟିଏ ।
ପାତଳୀ ଝିଅଟି କହିଲା, ମାଉସୀ ୟାରି ତ ଆସିବାର ଥିଲା ବୋଧେ ?ମୁହଁ ଭର୍ତ୍ତିପାନ ।
ପିକ ଫିଙ୍ଗି, ରସିକିଆ ଠାଣିରେ ମାଉସୀ କହିଲା, ଆସଲୋ ଆସ ଝିଅ ।
ବଅ..
ସର୍ବାଙ୍ଗରେ କେଇଥର ଦୃଷ୍ଟି ବୁଲେଇ ନରମଗଳାରେ ମାଉସୀ କହିଲା – ପୋଡା କପାଳ … ଏଇଟା ବିଧବା ନା କ’ଣ ?
ସୁରର ଉତ୍ତର ନା’ ଶୁଣି ସେ ପୁଣି କହିଲା – ଓଃ.. ସିନ୍ଦୁର ଅଛିତ ! ଆଲୋ ଦେଖନି ମୋ ଆଖି କ’ଣ ଖରାପ ହୋଇଗଲାଣି ନା କ’ଣ ? ତେବେ ସେ ଲୋକଟା କ’ଣ ଛାଡି ପଳେଇଛି ?
ସୁର କହିଲା – ନା’ ଘରେ ରହନ୍ତି ।
ମାଉସୀ କହିଲା, ବୁଝିଛି ।
ଅଣ୍ଟା ଟାଣ ନାହିଁ ।
ରୋଜଗାର କରି ଖାଇବାକୁ ଦେଇ ପାରେନି ।
ଖାଇବାକୁ ପେଟ ଆଉ କେଇଟା ?
ସୁର କହିଲା, ମୋର ତିନିଟା ପିଲା ।
ଭ୍ରୁକୁଞ୍ଚନ କରି ମାଉସୀ କହିଲା ଆ.. କ’ଣ କହିଲୁ ତିନିଟା ?
ପୁଣି ସୁରର ସର୍ବାଙ୍ଗରେ ଆଖିବୁଲେଇ ମାଉସୀ କହିଲା, ଝିଅ ବୟସ କେତେ ?
ଛଅ-ସାତ ହେବ ।
ମାଉସୀ ଦୀର୍ଘଶ୍ବାସ ଛାଡି କହିଲା, ଆହାଃ… ତାର ତ ବାହା ବୟସ ହେବାକୁ ଢେର ଡେରି ।
ଏତେଦିନ ପାଳିବାକୁ ହେବ ।
ଗର୍ଭରେ ପିଲାଛୁଆ ଆସନ୍ତି ଆମକୁ ଖାଇବା ପାଇଁ ।
ଏଇଟା ଦିଅ, ସେଇଟା ଦିଅ ।
ତାପରେ ଡେଣା ଲାଗିଗଲେ ଫୁର କିନା ଉଡିଯିବେ ।
ମୋରବି ତ ଦିଇଟା ପିଲାଛୁଆ, ଆଜି କୋଉଠି ସେମାନେ ।
ବୋଉ ଖବର ଅଛି ତାଙ୍କ ପାଖରେ ?
ପାତଳୀ ଝିଟା କହିଲା, ମୋ ପୁଅଟା ବି…
ନିଜେ ଗୋଟେ ଖିଲିପାନ ପାଟିରେ ପୁରାଇ ଗୋଟେ ସୁର ଆଡକୁ ବଢେଇ ଦେଇ କହିଲା – ନେ ଖା ।
କଣ କରିବୁ କହ ।
ସବୁ ନିୟତି ।
ବାପାମାଆ ଖର୍ଚ୍ଚ କରି ବାହା ଦିଅନ୍ତି ।
ତା ପରେ ବି ଗେରସ୍ତ ଯଦି ଦି’ଓଳି ଦିଇଟା ଖାଇବାକୁ ଦେଇ ନପାରେ … ତା ପରେ ସବୁବେଳେ ପିଲାଛୁଆଙ୍କର ହାଁ ହାଁ ।
ତେବେ ସେ ଲୋକଟା କ’ଣ ଜୋର କରି ଏଠିକି ପଠାଇଲା ?
ସୁର କହିଲା, ନାଁ ମୁଁ ନିଜେ ହିଁ ଆସିଛି ।
ମାଉସୀ କହିଲା, ଠିକ୍‌ କରିଛୁ ।
ବଞ୍ଚିବାକୁ ତ ପଡିବ ।
କଥାରେ କହନ୍ତି, ଆପେ ବଞ୍ଚିଲେ ବାପର ନାଆଁ ।
ଏମିତି ଜଳିପୋଡି ପାଉଁଶ ହୋଇଗଲେ ବି କେହି ଆଖିରୁ ଲୁହ ଝରେଇବାକୁ ଆସିବେନି ଲୋ ।
ସେ ଲୋକଟା ଯଦି କେବେ ବି ଏ ଆଡକୁ ଆସେ, ତାକୁ ଦି’ ଗୋଇଠା ଦେବୁ ।
ମୋ ଲୋକବି ତାକୁ ଧୂଲେଇ କରି ଛାଡିବେନି ।
ସୁର କହିଲା, ତାଙ୍କର କାଶ ଜ୍ବର ।
ମାଉସୀ ତା’ର ମସ୍ତ ହାତଟାକୁ ହଲେଇ କହିଲା, ଥାଉ ଥାଉ ସବୁ କଥା ଢେର ଶୁଣିଛି ।
ଆଉ ଶୁଣିବାକୁ ଇଚ୍ଛା ନାହିଁ ।
ପୁଟୁଳିଟାରେ କ’ଣ ?
ଶାଢୀ ଦିଇଟା ଦେଖି ମୁହଁ ଲେଫେଡି ମାଉସୀ କହିଲା, ସେ ଚଳିବନି ।
କାମବେଳେ ତ ନିହାତି ଖଣ୍ଡେ ଜରିଦିଆ ଧଡିବାଲା ଶାଢୀ ଦରକାର ।
ଏ ଠେଇ ଦୋକାନ ଅଛି ।
ଆଜି କିଣି ପାରିବୁ ?
ସୁର ଦୁଇଆଡକୁ ମୁଣ୍ଡ ହଲାଇଲା ।
ମାଉସୀ ସେଥିରେ ବିରକ୍ତ ନହୋଇ କହିଲା, ଠିକ୍‌ ଅଛି ।
ମୋ ପାଖରେ ପୁରୁଣା ଖଣ୍ଡେ ଅଧେ ଅଛି ।
ସେଥିରେ କିଛି ଦିନ ଚଳିଯିବ ।
ଏଠି କିନ୍ତୁ ନିଜ ଖାଇବା ବ୍ୟବସ୍ଥା ନିଜର ।
ମୁଁ ସେଥିରେ ଦାୟୀ ନୁହେଁ ।
ଏଇ ଶେଫାଳି ତତେ ବୁଝାଇ ଦେବ ।
କିନ୍ତୁ ଆଜି ତତେ ଘର ଦେଇ ପାରିବିନି ।
ମୋକ୍ଷଦା ସାଥିରେ ରହିବୁ ।
ମୋକ୍ଷଦାର ଜଳଉଦରି ଅଛି ।
କିଛି ଖାଇ ପାରୁନି ।
ସେ ଭାରି ଚିଡିଚିଡା ।
ହସରେ ଟିକିଏ ବି ରସ ନାହିଁ ।
ଗରାଖଙ୍କ ସଙ୍ଗେ ବି ଏମିତି ।
ତିନିଚାରିଜଣ ଅଭିଯୋଗ କଲେଣି ମୋପାଖେ ।
ଠିକ୍‌ଭାବେ କାମ କରିବନି ।
ତା ଉପରେ ଚିଡଚିଡା ଭାବ ।
ଛି- ଛି- ଛି ।
ଗରାଖଙ୍କର କୁଆଡେ ସବୁ ଦୋଷ ।
ଗରାଖ ହେଲେ ଲକ୍ଷ୍ମୀ ।
ତାଙ୍କର କ’ଣ କିଛି ଦୋଷ ଧରିବା କଥା ।
ମୋକ୍ଷଦା କାନରେ ଯଦି ଏକଥା ପଡେ, ପଡୁ ।
ତାକୁ ମୁଁ ଏଥର ତଡିଦେବି ।
ଦି’ତିନି ଦିନ ଭିତରେ ।
ଦୁଷ୍ଟ ଗୋରୁଠୁଁ ଶୂନ୍ୟ ଗୁହାଳ ଅନେକ ଭଲ ।
ସେ ଯଦି ତୋ ଉପରେ ବି କିଛି ଖରାପ ବ୍ୟବହାର କରେ ତୁ କିଛି କହିବୁନି ।
ମୁହଁ ବନ୍ଦ କରି ରହିବୁ ।
ଯାହା କରିବା କଥା ମୁଁ କରିବି ।
ଯା’ ଏବେ ଶେଫାଳି ସାଙ୍ଗେ ଯା ।
ସେ ଘର ଦେଖେଇଦେବ ।
ସୁରବାଳା ତଥାପି ଚାହିଁ ରହିଲା ମାଉସୀ ମୁହଁକୁ ଚାହିଁ ।
ମାଉସୀ କହିଲା, କ’ଣ ହଲା ଊଠୁନୁ ।
ହାଇ ଭାଙ୍ଗିବା ବେଳ ହେଲାଣି ।
ଏଥର ଗରାଖ ଆସିବେ ।
ମୁଣ୍ଡ ତଳକୁ କରି ସୁର କହିଲା, ମତେ ଦୁଇଶ ଟଙ୍କା ଦେବ ?
ଏଥର ମାଉସୀ ମୁହଁର ଭାବ ସଂପୂର୍ଣ୍ଣ ବଦଳି ଗଲା ।
କର୍କଶ ସ୍ବରରେ ସେ କହିଲା, ଟଙ୍କା, କେଉଁ ଟଙ୍କା ? ମୁଁ ତ ତୋ ଗୋଡ ଧରି ଆଣିନି ।
ନିଜେ ଆସିଛୁ ।
କାମ କରିବାକୁ ଚାହୁଁଚୁ ତ କର ।
ଏଠି କିଛି ପଡିନି ।
ଖଟିବୁ ଖାଇବୁ ।
ଏଯାଏଁ ଯାହାର ରୋଜଗାର ଆରମ୍ଭ ହେଇନି ସେ ଟଙ୍କା ମାଗୁଚି କୋଉ ମୁହଁରେ ?
ସୁର କହିଲା, ମୋର ଆଜିହିଁ ଟଙ୍କା ଦରକାର ।
ନିହାତି ।
ମୁହଁ ଖିଙ୍କାରି ମାଉସୀ କହିଲା, ଟଙ୍କା କାହାର ଦରକାର ନାହିଁ ?କହିଲୁ କିଏ ବିଶ୍ବରେ ଟଙ୍କା ପାଇଁ ନଦଉଡୁଛି? ମୁଁ କ’ଣ ଏଠି ଦାନଛତ୍ର ଖୋଲି ବସିଛି ? ତତେ ଯଦି ଏଠି ପୋଷଉନି ତୁ ଚାଲିଯାଇପାରୁ ।
ମୁଁ କାହାକୁ ଧରି ରଖିନି ।
ସୁର କହିଲା, ପିଲାଛୁଆ ଗୁଡାକ ବାହାରେ ଠିଆ ହୋଇଛନ୍ତି ।
ତାଙ୍କ ହାତରେ କିଛି ନଦେଇ ପାରିଲେ କାଲି ଖାଇବେ କ’ଣ ? ଘରେ ତ କିଛି ନାହିଁ ।
ଆହୁରି କିଛି ଧମକ ଦେବାକୁ ଯାଇ ଅଟକି ଗଲା ମାଉସୀ ।
ଏଥର ତା ଆଖିରେ ଫୁଟିଉଠିଲା ବିସ୍ମୟ ।
ଏସବୁ ହେଲା ପାପୀଙ୍କ ଜାଗା ।
ଗୁଣ୍ଡାବଦ୍‌ମାସ୍‌ ମାନେ ବୁଲାବୁଲି କରନ୍ତି ।
ଛୋଟଛୁଆଙ୍କୁ ଏଠୁ ଦୂରେଇ ରଖିବା ଭଲ ।
ଏଇ ଟିକକ ଅନ୍ତତଃ ଧର୍ମଜ୍ଞାନ ରହିବା କଥା ।
ଆରେ ଏଠିକା ରାକ୍ଷସଗୁଡାକ ସାତବର୍ଷର ଝିଅଟାକୁ ବି ଖାଇବାକୁ ପଛାନ୍ତିନି ।
ସୁର ପୁଣି କହିଲା – ଦୟାକର, କିଛି ଟଙ୍କା ନପାଇଲେ…
ମାଉସୀ କହିଲା, ଦୟା ? ଦୟାଫୟା କଲେ ଏ କାରବାର ଚାଲିବନି ।
ଏ ଶେଫାଳି ମତେ ଟିକେ ଧରିବୁଟି ।
ଶେଫାଳି ଗୋଟେ ହାତ ଧରି ଉଠାଇଲା ମାଉସୀକୁ ।
ତା ପରେ ଦୁମ୍‌ଦୁମ୍‌ କରି ଚାଲିଗଲା ଘର ଭିତରକୁ ।
ମୁହଁ ତଳକୁ କରି ବସି ରହିଲା ସୁର ।
ତା ସ୍ବାମୀ ତାକୁ ଜୋର କରି ପଠେଇ ନାହାନ୍ତି ।
ସେ ନିଜ ଇଚ୍ଛାରେ ଆସିଛି ।
ଏଟା ଠିକ୍‌ କଥା ।
ବିଭୂର କାଶ ରୋଗ ।
ତା ଶରୀର ଦୁର୍ବଳ ହୋଇ ଯାଇଛି ।
ମଝିରେ ମଝିରେ କାଶିଲାବେଳେ ରକ୍ତର ଛିଟା ଦେଖିବାକୁ ମିଳେ ।
ସରକାରୀ ହସ୍‌ପିଟାଲର ଔଷଧରେ ବି ଭଲ ହେଉନି ।
ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ କହନ୍ତି ।
ସୁରବାଳା ନିଜ ଉପାର୍ଜନ କରିବାକୁ ଚେଷ୍ଟା କରିଛି ।
ମୁଢି ଭାଜିବା, ଲୋକଙ୍କ ଘରେ ବାସନ ମାଜିବା, ଘର ସଫା କରିବା ।
ସେଥିଲାଗି ବାବୁଭାୟାଙ୍କ ଘରକୁ ଯିବାକୁ ପଡେ ।
ସେମାନେ କେହି ଠିକା ଲୋକ ଚାହାନ୍ତିନି ।
ଘରେ ରହି ସବୁ କାମ କରିବ ।
ଛୁଆଙ୍କ ଘୁଅମୂତ ଠାରୁ ରୋଷେଇବାସ ଯାଏଁ ସବୁ ।
ତଥାପି ଖୋରାକି ସାଙ୍ଗେ ମାତ୍ର କେଇଟା ଟଙ୍କା ।
ସେଥିରେ କ’ଣ ପୋଷେଇବ ?ଦିନ ପରେ ଦିନ ଏମିତି ଚାଲିଛି ।
ସ୍ବାମୀ ସ୍ତ୍ରୀ ଦି’ଟା ଅଧାପେଟ ଖାଇ ଚଳେଇନେବେ କିନ୍ତୁ ପିଲାଛୁଆ ତିନିଟା ।
ତାଙ୍କ ଭୋକିଲା କାନ୍ଦ ସହିହେଉନି ।
ତାଙ୍କୁ ଏଇ ପୃଥିବୀକୁ ଅଣା ହୋଇଛି ।
ସେମାନେ ନିଜ ଇଚ୍ଛାରେ ଆସି ନାହାନ୍ତି ।
ତାଙ୍କର ଦୋଷ କ’ଣ ?
ପିଲାମାନେ ଶୋଇପଡିଲେ ଗାଲରେ ହାତ ଦେଇ ଭବିଷ୍ୟତର କଥା ଭାବି ଭାବି ସୁରବାଳା ଆଉ ବିଭୂଙ୍କର କଟି ଯାଇଛି କେତେ ରାତି ।
କିନ୍ତୁ କୌଣସି କୂଳକିନାରା ପାଇ ନାହାନ୍ତି ।
ଘରେ କଂସା, ଢାଳ ଯାହାଥିଲା ସବୁ ବିକ୍ରି ହୋଇଯାଇଛି ।
ବିକ୍ରି ହେଲା ଭଳି ଆଉ କିଛି ନାହିଁ ।
ଖାଲି ସୁର ଦେହର ମାଂସ ଛଡା ।
ଏତେ ଅନାହାରରେ ବି ସୁରବାଳାର ଦେହ ଏକେବାର ସୁକୁଟି ଯାଇନି ।
ମାଆ ହୋଇ ସେ ସନ୍ତାନମାନଙ୍କ ପାଇଁ କ’ଣ ଏଇତକ କରି ପାରିବନି ?
ଦି ଟଙ୍କିଆ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ ।
ଟଙ୍କା ବଢେଇ ଦେଇ ମାଉସୀ କହିଲା, ଯା ଦେଇ ଆ ।
ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି ।
ଏଇ ଶେଫାଳି ହେରିକା ଜାଣନ୍ତି ।
ଯା ଏଗୁଡାକ ଦେଇଆସି କାମରେ ଲାଗି ଯା ।
ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡକୁ ନଆସନ୍ତି ।
କହିଦେଲି ।
ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ ।
ପାଖକୁ ଆସି ବିଭୂର ହାତକୁ ଜଡାଇ ଧରିଲା ସୁଧା ।
ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ ।
ବୋଉକୁ ଦେଖି ଦୌଡି ଆସିଲେ ପାଖକୁ ।
ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ ।
ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ ।
ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ ।
ପେଟ ବି ପୁରିବ ।
ଆଳୁ ଆଉ ଅଦା ଏଇଲେ ଶସ୍ତା ।
ଲୁଣ ନେବ ମନେ କରି ।
ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି ।
ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବୁନି ।
ଆମେ ଗୋଟେ କଥା ବି କହିବୁନି ।
ସୁର କହିଲା, ଆଜି ନୁହେଁ ।
ଆଉ ଦିନେ ।
ବିଭୂ କହିଲା, ବୋଉ ତ ଫେରି ଆସିବ ।
କେଇଟା ଦିନ କି ।
ସୁର କହିଲା, ହଁ ଫେରି ଆସିବି ।
ଛୋଟୁ ହଠାତ୍‌ ମୁହଁ ଫୁଲେଇ କାନ୍ଦି ଉଠିଲା ।
ସୁର କହିଲା – ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ ।
ସୁଧା ଭାଇର ହାତ ଧର ।
ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡକୁ ।
ତା ପଛେ ପଛେ ସୁଧା ଆଉ ଛୋଟୁ ।
ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍‌ କରି ଠିଆ ହୋଇଗଲା ସୁର ।
ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ ।
ଟିକେ ପରେ ସେ କହିଲା ଯାଉଚି ।
ସାବଧାନ ରହିବ ।
ରକ୍ତ ପଡିଲେ ଲୁଣପାଣି କୁଳୁକୁଞ୍ଚା କରିବ ।
ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି ।
ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି ।
ସେ ସାର୍ଟରେ ଆଖି ପୋଛିଲା ।
ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ ।
ଗୋଟେ ଲେଖାଁ ଚକୋଲେଟ୍‌ ପାଟିରେ, ଗୋଟେ ହାତରେ ।
ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି ।
ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡୁଥାନ୍ତି ।
ଏମିତି ଦଉଡା କେବଳ ପିଲମାନେ ହିଁ ଦଉଡି ପାରିବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment