Commit 5217cdae authored by Nayan Ranjan Paul's avatar Nayan Ranjan Paul

Upload New File

parent c0c237be
ସାହିତ୍ୟର ଗୁଣ
ଚନ୍ଦ୍ରମୋହନ ମହାରଣା
ତା: ଡିସେମ୍ବର୍ ୧୩, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଉତ୍କଳ ସାହିତ୍ୟର ଧାରାବାହିକ ପୂର୍ଣ୍ଣାଙ୍ଗ ଇତିହାସ ଏପର୍ଯ୍ୟନ୍ତ ପ୍ରକାଶିତ ହୋଇନାହିଁ ।
ତଥାପି ଯେଉଁମାନେ ଏହି ସାହିତ୍ୟର ଅନୁଶୀଳନରେ ବ୍ରତୀ, ସେମାନେ ଜାଣନ୍ତି, ଆମ୍ଭମାନଙ୍କ ମାତୃଭାଷାର ସାହିତ୍ୟରେ କ’ଣ ଅଛି ଏବଂ କି ଅଭାବ ଅଛି ।
ଅଭାବ କାହିଁକି, ବହୁତ ଅଭାବ ଯେ ଅଛି, ଏଥିରେ ଅଣୁ ମାତ୍ର ସନ୍ଦେହ ନାହିଁ ।
ଆଜିକାଲି ଏ ଦେଶର ପ୍ରାୟ ଯାବତୀୟ ଶିକ୍ଷିତ ବ୍ୟକ୍ତି ନ୍ୟୂନାଧିକ ପରିମାଣରେ ଇଂରାଜୀ ଭାଷାରେ ଅଭିଜ୍ଞତା ଲାଭ କରିଅଛନ୍ତି ।
ଶିକ୍ଷିତ ଓଡ଼ିଆମାନେ ଅନେକ ବଙ୍ଗଳା ଭାଷାର ଚର୍ଚ୍ଚା କରିଥାନ୍ତି ।
କତିପୟ ଶିକ୍ଷିତ ବ୍ୟକ୍ତି ସଂସ୍କୃତଭାଷାର ଅନୁରାଗୀ ବୋଲି ତଦ୍‌ଭାଷାରେ ରଚିତ କାବ୍ୟଅଳଙ୍କାର ଦର୍ଶନ ଶାସ୍ତ୍ରାଦିର ଚର୍ଚ୍ଚାରେ ମଧ୍ୟ ରତ ।
ଏହି ଭାଷାମାନଙ୍କର ଆଲୋଚନାରୁ ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଅନାୟସରେ ଅନୁଭବ କରିପାରୁଥିବେ ।
ଏହି ଅଭାବ ପୂରଣ କରିବା ଆମ୍ଭମାନଙ୍କର କର୍ତ୍ତବ୍ୟ ।
ଏହି ଅଭାବ-ପୂରଣକୁ ଜୀବନର ଗୋଟିଏ ବ୍ରତ କରିଥିବାର ଲକ୍ଷଣ କୌଣସି କୌଣସି ବ୍ୟକ୍ତିଙ୍କଠାରେ ଦୃଷ୍ଟିଗୋଚର ହେଲାଣି ।
କେହି କେହି ପୁରାତନର ପକ୍ଷପାତୀ, ତନ୍ମଧ୍ୟରୁ କେହି ଅନ୍ଧଭାବରେ ପକ୍ଷପାତୀ ।
ପକ୍ଷାନ୍ତରେ, କେହି କେହି ପୁରାତନକୁ ହେୟ ମନେ କରି ଅବଜ୍ଞାର ଚକ୍ଷୁରେ ଦେଖନ୍ତି ଏବଂ ନୂତନର ଏକାନ୍ତ ପକ୍ଷପାତୀ ଅଟନ୍ତି ।
ବିଜ୍ଞ ବ୍ୟକ୍ତି ଏ ଉଭୟ କୋଟୀ ପରିତ୍ୟାଗ କରି ଧୀର ଚିତ୍ତରେ ଯୋଗ୍ୟ ମଧ୍ୟମ ଭାବ ଅବଲମ୍ବନ କରନ୍ତି ।
ଯେଉଁମାନେ ପୁରାତନର ପକ୍ଷପାତରେ ଅବିଚାରୀ, ସେମାନେ କହନ୍ତି, ଆମ୍ଭମାନଙ୍କର ନଥିଲା କ’ଣ? ସେମାନଙ୍କ ମତରେ ଆମ୍ଭମାନଙ୍କର ଅଭାବ ନାହିଁ ।
ମାତ୍ର ଏତାଦୃଶ୍ୟ ଅନ୍ଧ ପକ୍ଷପାତର ସମୟ ଓଡ଼ିଶାରେ ବୋଧହୁଏ ଆଉ ନାହିଁ ।
ବର୍ତ୍ତମାନ ଚକ୍ଷୁ ଫିଟିଲାଣି; ଶିକ୍ଷିତ ଓଡ଼ିଆମାନେ ମାତୃଭାଷାରେ ଅଭାବ ଉତ୍ତମରୂପେ ହୃଦୟଙ୍ଗମ କଲେଣି ।
କର୍ମକ୍ଷେତ୍ରରେ ପ୍ରବେଶ କରି ଅଧ୍ୟବସାୟ ସହକାରେ ଅଭାବ ପୂରଣ କରିବାପାଇଁ ମାତୃଭାଷା ବର୍ତ୍ତମାନ ସନିର୍ବନ୍ଧ ଆହ୍ବାନ କଲାଣି ।
କାବ୍ୟକୁ ସଂସ୍କୃତ ଭାଷାର ଆଳଙ୍କାରିକମାନେ ଚତୁବର୍ଗ ଫଳଦାୟୀ ବୋଲି ଉଲ୍ଲେଖ କରିଅଛନ୍ତି ।
ଏହି ଉକ୍ତିର ଯାଥାର୍ଥ୍ୟ ବିଚାର କରିବାର ପ୍ରୟୋଜନ ବର୍ତ୍ତମାନ ନାହିଁ ।
ତେବେ ଏଥିରେ ଅନ୍ତତଃ ଏତିକି ସତ୍ୟ ନିହିତ ଅଛି ଯେ ସତ୍‌-କାବ୍ୟ ପ୍ରଣୟନରେ ସିଦ୍ଧହସ୍ତ ବ୍ୟକ୍ତି ସୁକୌଶଳରେ ସ୍ବ କାବ୍ୟରେ ଅତି ଉପାଦେୟ ଉପଦେଶମାନ ଯଥାଯୋଗ୍ୟ ସ୍ଥାନରେ ସନ୍ନିବେଶିତ କରି ମାନବ ହୃଦୟକୁ ବିମଳ ଆନନ୍ଦରେ ପୂର୍ଣ୍ଣ କରିବା ସଙ୍ଗେ ସଙ୍ଗେ ତାହାର ଆଧ୍ୟାତ୍ମିକ ଉନ୍ନତି ସାଧନ କରନ୍ତି ।
କାବ୍ୟର ଏହି ମାନଦଣ୍ଡ ପ୍ରୟୋଗ କଲେ ଇଂରାଜୀ ଭାଷାର ଅନେକଗୁଡ଼ିଏ, ବଙ୍ଗଳାଭାଷାର କେତେଗୁଡ଼ିଏ କାବ୍ୟ ଆବର୍ଜନାରେ ନିକ୍ଷିପ୍ତ ହେବ ।
ସଂସ୍କୃତ ଭାଷାରେ ପ୍ରଥମେ ବେଦ ଓ ଉପନିଷଦ୍‌ ରଚିତ ହୋଇଥିଲା ଏବଂ ପଣ୍ଡିତମାନେ ତାହାରି ଚର୍ଚ୍ଚା ଓ ଅଧ୍ୟାପନାରେ ସମୟ ଅତିବାହିତ କରିଥିଲେ ।
ଯୁଗଜନ୍ମା ଓ ଯୁଗପ୍ରବର୍ତ୍ତକ ବାଲ୍ମୀକି ବେଦଉପନିଷଦ୍‌କୁ ଜନ ସାଧାରଣର ଅତି ଦୁର୍ବୋଧ୍ୟ ଜାଣି, ଆଦିକାବ୍ୟ ରାମାୟଣ-ପ୍ରଣୟନରେ ବ୍ରତୀ ହେଲେ ।
ଓଡ଼ିଶାରେ ଅଦ୍ୟାପି କାବ୍ୟାତିରିକ୍ତ ସ୍ଥାୟୀ ଲେଖା ପ୍ରାୟ ଦୃଷ୍ଟିଗୋଚର ହୁଏ ନାହିଁ ।
ସେଥିରେ ପୁଣି କୌଣସି କାବ୍ୟ ବାଲ୍ମୀକି ରାମାୟଣର ସମାନ ସ୍ଥାନ ଅଧିକାର କରିଥିବା ମୋତେ ଜଣା ନାହିଁ ।
ତାହାର କାରଣ ଏହି ଯେ, ପ୍ରାଚୀନ ଓଡ଼ିଆ କାବ୍ୟପ୍ରଣେତା ସମସ୍ତେ ଅଥବା ସେମାନଙ୍କର ଅଧିକାଂଶ ପ୍ରଥମାବସ୍ଥାରେ ସଂସ୍କୃତ ଭାଷାର ଚର୍ଚ୍ଚା କରି, ପଶ୍ଚାତ୍‌ ଓଡ଼ିଆ ଭାଷାରେ ଲେଖନୀ ଧାରଣ କଲେ ।
ସୁତରାଂ ସଂସ୍କୃତ ଭାଷାରେ ଯାହାର ଯେଉଁ ଆଦର୍ଶ ଥିଲା, ତାହାକୁ ସେ ଅନ୍ତଶ୍ଚକ୍ଷୁର ସମକ୍ଷରେ ରଖି ଆପଣା କାବ୍ୟ ରଚନା କଲେ ।
ଏହାର ଯେ ବିଶେଷ-ବିଧି ନାହିଁ, ତାହା ମୁଁ ଅବଶ୍ୟ କହୁନାହିଁ ।
ଭଞ୍ଜକବି ନୈଷଧକାରଙ୍କର ପଟ୍ଟଶିଷ୍ୟ; ‘ବୈଦେହୀଶବିଳାସ’ରେ ‘ନୈଷଧ’ର ଛାୟା ପଡ଼ିଅଛି ।
ତାହା ବୋଲି ଭଞ୍ଜେ ଯେ ପ୍ରସାଦଗୁଣସମ୍ପଦ ପଦାବଳୀ ରଚନା କରିବାକୁ କ୍ଷମ ନଥିଲେ, ତାହା ନୁହେଁ ।
ତାଙ୍କ ପ୍ରଣୀତ ‘କୋଟି ବ୍ରାହ୍ମାଣ୍ଡ ସୁନ୍ଦରୀ’ ପ୍ରଭୃତି କତିପୟ କାବ୍ୟର କୌଣସି କୌଣସି ସ୍ଥାନରେ ପ୍ରସାଦ ଗୁଣ ସନ୍ଦର୍ଶନ କଲେ ତାହା ଆଧୁନିକ ଲେଖା ବୋଲି ପାଠକଙ୍କର ଭ୍ରମ ହେବ ।
‘ବିଦଗ୍‌ଧଚିନ୍ତାମଣି’ର ପ୍ରଣେତା ବୈଷ୍ଣବ କବି; ତାଙ୍କ କାବ୍ୟରେ ବୈଷ୍ଣବ ଧର୍ମଶାସ୍ତ୍ରର ବା ବୈଷ୍ଣବ-ଦର୍ଶନର ଛାୟା ପତିତ ହୋଇଅଛି ।
ପକ୍ଷାନ୍ତରେ, ଦୀନକୃଷ୍ଣ ଏପରି ଆଦର୍ଶର ପକ୍ଷପାତୀ ନୁହନ୍ତି ବୋଲି ତାଙ୍କର ପଦାବଳୀ ସୁବୋଧ ହୋଇଅଛି ।
ଜଗନ୍ନାଥ ଦାସ ସ୍ବତନ୍ତ୍ର ଶ୍ରେଣୀର ଲେଖକ ।
ସେ ସ୍ବୟଂ ବୈଷ୍ଣବ; ବ୍ୟାସଦେବଙ୍କ ପ୍ରଣୀତ ସଂସ୍କୃତଭାଷାର ଶ୍ରୀମଦ୍‌ଭାଗବତକୁ ସେ ଓଡ଼ିଆ ପଦ୍ୟାକାରରେ ଲିପିବଦ୍ଧ କରିଯାଇ ଅଛନ୍ତି ।
ସଂସ୍କୃତ ଶ୍ରୀମଦ୍‌ଭାଗବତର ପ୍ରାଣ ଜଗନ୍ନାଥ ଦାସଙ୍କ ‘ଭାଗବତ’ରେ ଅଛି ।
କିନ୍ତୁ ଅସ୍ଥି ମଜ୍ଜା ପ୍ରଭୃତି ବିଭିନ୍ନ ।
ଅନେକଙ୍କ ମତରେ ଓଡ଼ିଆ ଭାଷାର ଏହି ‘ଭାଗବତ’ ଇଂରାଜୀ ଭାଷାର ଷ୍ଟାଣ୍ଡାର୍ଡ଼ ‘ବାଇବଲ୍‌’ର ସ୍ଥାନ ଅଧିକାର କରିଅଛି ।
ଭଞ୍ଜ, ଦୀନକୃଷ୍ଣ, ସାରଳା ଦାସ, ଜଗନ୍ନାଥ ଦାସ, ସାମନ୍ତସିଂହାର ପ୍ରଭୃତିଙ୍କ ପୂର୍ବବର୍ତ୍ତୀ ଯୁଗର ଲେଖକମାନଙ୍କର ଲେଖା ଆଜି ଯାଏ ମୁଦ୍ରିତ ଓ ପ୍ରକାଶିତ ହୋଇନାହିଁ ।
କେବେ ତାହା ପ୍ରକାଶିତ ହେଲେ, ତତ୍‌ ସହିତ ଟୀକା ବା ଅନୁବାଦ ଆବଶ୍ୟକ ହେବ ।
ସାହିତ୍ୟ ଦର୍ପଣ ସ୍ବରୂପ ।
ସେଥିରେ ଆମ୍ଭେମାନେ ସମାଜର ଓ ସମସାୟିକ ଘଟଣାବଳୀର ପ୍ରତିବିମ୍ବ ଅବଲୋକନ କରୁଁ ।
କୌଣସି ଭାଷାର ଧାରାବାହିକ ସାହିତ୍ୟ ଲିପିବଦ୍ଧ ଓ ପ୍ରକାଶିତ ହେଲେ, ସେଥିରୁ ତୀକ୍ଷ୍‌ଣଧୀ ପାଠକ ଅନେକ ବିଷୟ ଅବଗତ ହୋଇପାରିବେ ।
ଭାଷାର ଇତିହାସ, ବ୍ୟାକରଣ ଓ କୋଷର ପ୍ରଶୟନରେ ଏହା ପ୍ରଧାନ ସହାୟ ।
ସମାଜର ରୀତିନୀତି, ବୈଷୟିକ, ମାନସିକ, ଆଧ୍ୟାତ୍ମିକ ନାନାବିଷୟରେ ପ୍ରଧାନ ପ୍ରଧାନ ଅନୁଷ୍ଠାନ ଓ ଯୁଗୋଚିତ ସଂସ୍କାର ବା ପରିବର୍ତ୍ତନ ସାହିତ୍ୟରେ ନ୍ୟୁନାଧିକ ପରିମାଣରରେ ପ୍ରତିବିମ୍ବତ ହୁଏ ।
ଜାତୀୟ ସାହିତ୍ୟ ଗୋଟିଏ ମହାଭଣ୍ଡାର ଏବଂ ଏହି ମହାଭଣ୍ଡାରରେ ଅନେକ ରତ୍ମ ସହିତ ଅନେକ ଚିତ୍ର ସଂରକ୍ଷିତ ହୋଇଥାଏ ।
ବ୍ୟାସପ୍ରଣୀତ ମହାଭାରତ ଖଣ୍ଡିଏ ମହାକାବ୍ୟ ମାତ୍ର, ଗୋଟିଏ ଜାତିର ସମଗ୍ର ସାହିତ୍ୟ ନୁହେଁ ।
ଏହି ମହାକାବ୍ୟ ଖଣ୍ଡିକରୁ ହିଁ ତତ୍କାଳିକ ସମାଜର ଅବସ୍ଥା, ରୀତିନୀତି, ଶସ୍ତ୍ରବିଦ୍ୟା ଓ ଶାସ୍ତ୍ରରେ ପାରଦର୍ଶିତା, ଆଧ୍ୟାତ୍ମିକ ଚର୍ଚ୍ଚା, ମନୁଷ୍ୟମାନଙ୍କର ରୁଚି ପ୍ରଭୃତି ନାନାବିଷୟ ଆମ୍ଭମାନେ ଅବଗତ ହେଉଁ ।
ଏହି ମହାସମୁଦ୍ରରୁ ଚଳୁଏ ଚଳୁଏ ଜଳ ଗ୍ରହଣ କରି ପୂର୍ବକାଳର ଓ ଏ କାଳର ଅନେକ ସୁଲେଖକ ମହାକବି ଆଖ୍ୟା ପ୍ରାପ୍ତ ହୋଇ ଅଛନ୍ତି ।
ଦେହ ନଶ୍ବର, ଦେହି ଅନଶ୍ବର ।
ସ୍ଥୂଳ ଶରୀର କ୍ଷୟପ୍ରାପ୍ତ ହୋଇ ନଷ୍ଟ ହୋଇଯାଏ; ଆତ୍ମାର ବିନାଶ ନାହିଁ ।
ଏହା ଦାର୍ଶନିକ ପଣ୍ଡିତମାନଙ୍କର ମତ ।
ଜନସାଧାରଣ ମଧ୍ୟ ଏ ମତ ଗ୍ରହଣ କରନ୍ତି ।
ପ୍ରାୟ ପ୍ରତ୍ୟେକ ଅପର କୌଣସି ବ୍ୟଙ୍କ୍ତିଙ୍କର ଆଧୀନ୍ୟ ସ୍ବୀକାର କରିଥାନ୍ତି, ସେହି ବ୍ୟକ୍ତିଙ୍କ ଦ୍ବାରା ଚାଳିତ ହୁଅନ୍ତି ।
ଏକ ଗୃହରେ ଏକାନ୍ନରେ ଯେଉଁମାନେ ବାସ କରନ୍ତି, ସେମାନେ ଗୃହକର୍ତ୍ତାଙ୍କର ଅଧୀନ ହୋଇଥାନ୍ତି ।
ରାଜ୍ୟରେ ବାସ କଲେ ରାଜାର ଅଧୀନ ହେବାକୁ ହୁଏ ।
ଯେ ବ୍ୟକ୍ତି କୌଣସି ସମାଜର ଅନ୍ତର୍ଗତ, ସେ ସେହି ସମାଜର ନେତାଙ୍କର ନେତୃତ୍ବ ସ୍ବୀକାର କରେ ।
ଯେଉଁଠାରେ ଦୀକ୍ଷାଗ୍ରହଣ ପ୍ରଥା ପ୍ରଚଳିତ ଅଛି, ସେଠାରେ ଶିଷ୍ୟମାନଙ୍କୁ ଦୀକ୍ଷାଗୁରୁଙ୍କୁ ଅଧୀନ ହେବାକୁ ହୁଏ ।
ବ୍ୟକ୍ତିର ଜୀବନରେ, ସମଷ୍ଟି, ଜାତି ବା ସମାଜରେ ଜଣ ଜଣଙ୍କର ପ୍ରଭାବ ବା କର୍ତ୍ତୃତ୍ବ ପରିଲିକ୍ଷିତ ହୋଇଥାଏ ।
ମାନବ ଜୀବନରେ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ସର୍ବାପେକ୍ଷା ଅଧିକ ଓ ସ୍ପଷ୍ଟ ।
ଧର୍ମପ୍ରବର୍ତ୍ତକଙ୍କ ତଳକୁ କବିଙ୍କର, ସାହିତ୍ୟରଥୀଙ୍କର ଆସନ ।
ମାତ୍ର କବି ବା ସାହିତ୍ୟ ରଥୀଙ୍କର ପ୍ରଭାବ ଧର୍ମ-ପ୍ରବର୍ତ୍ତକଙ୍କ ପ୍ରଭାବ ପରି ସୁସ୍ପଷ୍ଟ ନୁହେଁ ।
ବାଗ୍ନୀ ଓ କବି ପ୍ରାୟ ସମଶ୍ରେଣୀର ଲୋକ; ପ୍ରଭେଦ ଏହି ଯେ, ବାଗ୍ମୀଙ୍କ ପ୍ରଭାବ ଶ୍ରୋତାଙ୍କ ଧମନୀରେ ତଡ଼ିଦ୍‌ ଗତିରେ କାର୍ଯ୍ୟ କରେ, କିନ୍ତୁ ତାହା କ୍ଷଣପ୍ରଭା ତୁଲ୍ୟ ଅଚିରସ୍ଥାୟୀ; ସୁକବିଙ୍କ ପ୍ରଭାବ ଯୁଗଯୁଗାନ୍ତରସ୍ଥାୟୀ ।
ତେବେ ଯେଉଁ ବାଗ୍ନୀଙ୍କ ବକ୍ତୃତା ଜାତୀୟ ସାହିତ୍ୟରେ ସ୍ଥାନପ୍ରାପ୍ତ ହୁଏ, ତାହା ଜାତୀୟ ସମ୍ପତ୍ତି ହୁଏ ଓ ସ୍ଥାୟୀହୋଇ ରହେ ।
କବିଙ୍କର, ମହାକବିଙ୍କର ପ୍ରଭାବ ଯେ ସ୍ଥାୟୀ, ଏଥିରେ ବୋଧହୁଏ ମତଭେଦ ହେବ ନାହିଁ ।
ସେହି ପ୍ରଭାବ ତାଙ୍କର ନଶ୍ବର ଶରୀରେ ନ ଥାଏ; ଥାଏ ତାଙ୍କର ଅମର ଆତ୍ମାରେ, ତାଙ୍କ କାବ୍ୟରେ, ତତ୍‌କୃତ ସାହିତ୍ୟ-ଗ୍ରନ୍ଥରେ ।
ତାଙ୍କ ଲେଖାବଳୀରେ ତାହାଙ୍କର ଆତ୍ମା ପ୍ରତିବିମ୍ବିତ ବା ଅନୁସୃତ ହୋଇଥାଏ ।
ସେହି ଲେଖା, ସେହି କାବ୍ୟ, ସେହି ସାହିତ୍ୟରେ ସେ ଅମର ହୋଇ ରହନ୍ତି ।
ବାଳ୍ମୀକି, ବ୍ୟାସ, ଭାରବି, କାଳିଦାସ, ଉପେନ୍ଦ୍ର, ଦୀନକୃଷ୍ଣ, ସାରଳାଦାସ, ହୋମର୍‌, ଭର୍ଜିଲ, ଶେକ୍‌ସପିଅର, ମିଲ୍‌ଟନ୍‌, ସକ୍ରେଟିସ୍‌, କବିସୂର୍ଯ୍ୟ ପ୍ରଭୃତି ଯଶୋଦେହରେ ଆୟୁଷ୍ମାନ୍‌ ହୋଇ ରହିଅଛନ୍ତି ।
ଶ୍ମଶାନ ସେମାନଙ୍କର କେବଳ ନଶ୍ବର କଳେବରକୁ ଗ୍ରାସ୍‌ କରିଅଛି ।
ଏମାନେ ଯେଉଁ ଯେଉଁ ଜାତିରେ ଜନ୍ମଗ୍ରହଣ କରିଥିଲେ, ସେହି ସେହି ଜାତିର ସାହିତ୍ୟ ଧରଣୀ ପୃଷ୍ଠରେ ଯାବତ୍‌ ବିଦ୍ୟମାନ୍‌ ଥିବ, ତାବତ୍‌ ଏମାନେ ଅମର ହୋଇ ରହିବେ ।
ଏହି ଲେଖାଟି ଲେଖକଙ୍କ ଦ୍ବାରା ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ୧୯୨୬ ମସିହାରେ ଆୟୋଜିତ ସଭାରେ ପ୍ରଦତ୍ତ ଅଭିଭାଷଣର ଅଂଶବିଶେଷ ଯାହାର ଗୁରୁତ୍ବ ଆଜି ମଧ୍ୟ ରହିଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment