Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
6fe7ea7f
Commit
6fe7ea7f
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
8930fa75
Changes
1
Hide whitespace changes
Inline
Side-by-side
Showing
1 changed file
with
252 additions
and
0 deletions
+252
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_7
...olingual-corpora/odiasahitya.com/sent_odiasahitya_galpa_7
+252
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_7
0 → 100644
View file @
6fe7ea7f
ବାପା
- ଅରବିନ୍ଦ ରାୟ
ତା: ଜୁଲାଇ ୨୮, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ବର୍ଷା ଆସିଲେ ହିଁ ନିତ୍ୟାନନ୍ଦଙ୍କର ମନ ଭିତରଟା ଗୋଟାପଣେ ଓଦା ହୋଇଯାଏ ।
ସେଦିନ ବି ଆକାଶରେ ଥିଲା ଏମିତି କଳାହାଣ୍ଡିଆ ମେଘ ।
ସେଦିନ ଅଫିସ୍ ଛୁଟି ଟାଇମ୍ ହୋଇଯାଇଥିଲେ ବି ପ୍ରବଳ ବର୍ଷା ଯୋଗୁଁ କେହି ବାହାରକୁ ବାହାରି ପାରୁ ନଥିଲେ ।
କୋଉଁଠି ଥିଲା ଏତେ ବର୍ଷା କେଜାଣି, ପ୍ରଳୟର ରୂପ ଧରି ଅନବରତ ବର୍ଷିଲା ।
ଗଛବୃଛ, ଉଚ୍ଚାକୋଠା, ଇଲେକ୍ଟ୍ରିକ୍ ଖୁଣ୍ଟ ସବୁକିଛି ଦିଶୁଥିଲା କେବଳ ବର୍ଷା ଆଉ ବର୍ଷା ।
ମାଟିରୁ ଆକାଶ, କେବଳ ବର୍ଷା ଆଉ ବର୍ଷା ।
ଲାଗୁଥିଲା, ଯେମିତି ଏ ସାରା ଦୃଶ୍ୟମାନ ଜଗତ କେବଳ ବର୍ଷାର ଅଧୀନ ।
ତା’ ଇଚ୍ଛା, ସେ ଚାହିଁଲେ ଥମିପାରେ, ସେ ଚାହିଁଲେ ଫୁ କରି ସବୁ କିଛି ଉଡ଼େଇ ନେଇପାରେ ।
ସେଦିନ ଅଫିସ୍ ଆସିଲାବେଳେ ନିତ୍ୟାନନ୍ଦଙ୍କ ପତ୍ନୀ ସଂଯୁକ୍ତା ବ୍ୟାଗ୍ ଧରେଇ ଦେଇ ଲମ୍ବା ଫରମାଇସ୍ କରିଥିଲେ- ଆଳୁ, ପିଆଜ, ବନ୍ଧାକୋବି, ଛଚିନ୍ଦ୍ରା, ଲେମ୍ବୁ ।
ପାୱାର୍ହାଉସ୍ ଛକରେ ଯଦି ଛତୁ ମିଳୁଥିବ ଅଧକିଲୋ ଆଣିବ ।
ହେଲେ ବର୍ଷାର ପ୍ରକୋପ କମିଲା ବେଳକୁ ରାତି ଆଠଟା ।
ନିତ୍ୟାନନ୍ଦ ଖାଲିହାତରେ ତରବର ହୋଇ ଘରକୁ ଫେରି ଆସିଥିଲେ ।
ସେ ଗୋଟାପଣେ ଓଦା ହୋଇ ଗେଟ୍ ସାମ୍ନାରେ ତାଙ୍କ ପୁରୁଣା ବଜାଜ୍ ସ୍କୁଟର୍ର ହର୍ଣ୍ଣ ବଜେଇଦେବା ମାତ୍ରେ, ସଂଯୁକ୍ତା ଛତାଟାଏ ଧରି ଦୌଡ଼ି ଆସିଲେ ଓ କହିଲେ – ବାପ୍ରେ ବାପ୍ କି ବର୍ଷା ! ଆସିଲ, ଜଲ୍ଦି ଭିତରକୁ ଆସ ।
ନିତ୍ୟାନନ୍ଦ କିନ୍ତୁ ଭୁଲି ନଥିଲେ ପରିବା କଥା ।
ତେଣୁ ସେ ସ୍କୁଟର୍ ଷ୍ଟାଣ୍ଡ ମାରୁ ମାରୁ କହିଲେ- ଏ ବର୍ଷାରେ ପରିବାବାଲା କେହି ଜଣେ ବି ନାହାନ୍ତି ।
ସଂଯୁକ୍ତା କହିଲେ- ଦରକାର ନାହିଁ ।
ତମେ ଆସିଲ ।
ଏ ଯୋଉ ମେଘ ! ତମେ କେମିତି ପଳେଇ ଆସିଛ କୁହ ।
ନିତ୍ୟାନନ୍ଦ ଦୀର୍ଘଶ୍ବାସ ପକେଇଲେ, ଯାହାହେଉ ଆଜି ଭାଗ୍ୟ ଭଲ ।
ତା’ ନ ହେଲେ ସଂଯୁକ୍ତା ଫରମାଇସ୍ କରିଥିବା ଜିନିଷ ନ’ଆଣି ମଧ୍ୟ ସେ ବିରକ୍ତ ହେଉନାହାନ୍ତି ।
ନିତ୍ୟାନନ୍ଦ ସେଇ ମୁହୂର୍ତ୍ତରେ ବେଶ୍ ଖୁସି ହୋଇଗଲେ ଓ ଅଧିକ ଉତ୍ସାହିତ ହୋଇ କହିଲେ- କାଲି ମନାନ୍ଠୁ ମଟନ୍ ଆଣିବା ।
ପିଲାମାନେ ବହୁଦିନ ହେଲା ମଟନ୍ ଖାଇନାହାନ୍ତି ।
ଭିତର ଘରୁ ନିତ୍ୟାନନ୍ଦଙ୍କ ସାନଝିଅ ଦୌଡ଼ି ଆସି କହିଲା- ନା, ବାପା ! ଚିକେନ୍ ଆଣିବ ।
ନିତ୍ୟାନନ୍ଦଙ୍କ ଓଦା ମୁଣ୍ଡ ପୋଛିବା ପାଇଁ ସଂଯୁକ୍ତା ଗାମୁଛା ଧରି ଆସୁ ଆସୁ କହିଲେ ଏତେ ଆଉ ମଟନ୍ ଖାଆନା ମ ! ନିତ୍ୟାନନ୍ଦ କିଛି କହିଲେନି ।
ସାନଝିଅ ଚୁପ୍ଚାପ୍ ଘର ଭିତରକୁ ଚାଲିଗଲା ।
ସେତିକିବେଳକୁ ପଡ଼ିଶାଘର ମାଉସୀ ଡାକିଲେ- ମୀନୁ ! ମୀନୁ ତମ ଫୋନ୍ ।
ନିତ୍ୟାନନ୍ଦଙ୍କ ବଡ଼ ଝିଅ ନାଁ ମୀନୁ ।
ପାଖ ଗାର୍ଲସ୍ ସ୍କୁଲ୍ରେ ଅଷ୍ଟମରେ ପାଠ ପଢ଼େ ।
ସେଇ ମୀନୁ ନାଁରେ ହିଁ ନିତ୍ୟାନନ୍ଦଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଅଧିକାଂଶ ଚିହ୍ନନ୍ତି ସେ କଲୋନୀରେ ।
ପଡ଼ିଶାଘର ତ ନିତ୍ୟାନନ୍ଦଙ୍କୁ ମୀନୁବାପା ଓ ସଂଯୁକ୍ତାଙ୍କୁ ମୀନୁବୋଉ ବୋଲି ଡାକନ୍ତି ।
ନିତ୍ୟାନନ୍ଦଙ୍କ ସୀମିତ ରୋଜଗାର ଭିତରେ ଅନେକ ନାହିଁ ନାହିଁର ସମାହାର ।
ସେ ଅନେକଦିନ ତଳେ ଧାର କରଜ କରି ଘରେ ଗୋଟାଏ ଟେଲିଫୋନ୍ ଲଗେଇଥିଲେ ।
ହେଲେ, ମାସକୁ ମାସ ଟେଲିଫୋନ୍ର ଚଢ଼ା ବିଲ୍ ଦେଖି ସେ ଡରିଗଲେ ।
ବିଲ୍ ନ ଦେଇପାରିବାରୁ ଲାଇନ୍ କଟିଗଲା ।
ସେଇଦିନଠୁ ପଡ଼ିଶାଘର ଫୋନ୍ ଉପରେ ସେ ନିର୍ଭର କରି ଆସୁଛନ୍ତି ।
କେତେବେଳେ କେମିତି ପଡ଼ିଶାଘରକୁ ଫୋନ୍ ଆସିଲେ, ସେମାନେ ‘ହଉ ଡାକିଦଉଚୁ’ କହି ଡାକନ୍ତି ନାହିଁ! କେହି ନାହାନ୍ତି ବୋଧେ ।
ଯଦିଓ କୋଉଦିନ ଡାକନ୍ତି, ତେବେ ଫୋନ୍ ରିସିଭ୍ କରିବାକୁ ସଂଯୁକ୍ତା ହିଁ ଯାଆନ୍ତି ।
କାରଣ ଫୋନ୍ଟା ପଡ଼ିଶାଘର ବେଡ଼ରୁମ୍ରେ ଅଛି, ଆଉ ତାଙ୍କ ଘରେ ତିନିଟା ବଢ଼ିଲା ଝିଅ ।
ସେଇଥିପାଇଁ ନିତ୍ୟାନନ୍ଦ କେବେ ବି ତାଙ୍କ ଘର ଭିତରକୁ ଯାଆନ୍ତି ନାହିଁ ।
ସେଦିନ ମାଉସୀ ଡାକିଦେବା ମାତ୍ରେ ସଂଯୁକ୍ତା ଫୋନ୍ ରିସିଭ୍ କରିବାକୁ ତରବର ହୋଇ ବାହାରିଗଲେ ।
ନିତ୍ୟାନନ୍ଦ ଦାଣ୍ଡ କବାଟ ପାଖରେ ଠିଆ ହୋଇ ସଂଯୁକ୍ତା ଫେରି ଖବରଟା କ’ଣ ଜଣାଇବା ଯାଏ ଅପେକ୍ଷା କଲେ ।
ସଂଯୁକ୍ତା ଯେବେ ବି ତାଙ୍କ ଘରକୁ ଯାଆନ୍ତି, ତାଙ୍କ ବଡ଼ ଝିଅ ସହ ଦି’ପଦ କଥା ହୋଇ ଫେରନ୍ତି ।
ସେଦିନ କିନ୍ତୁ ସେ ଭିତରକୁ ଗଲେ ଓ ମୁହୂର୍ତ୍ତକ ମଧ୍ୟରେ ଝଡ଼ପରି ବାହାରି ଆସିଲେ ।
ନିତ୍ୟାନନ୍ଦ ଦେଖିଲେ ସଂଯୁକ୍ତା ଖାଲି ଫେରି ଆସୁନାହାନ୍ତି, ସେ ପିଲାଙ୍କ ପରି କାନ୍ଦିବା ଆରମ୍ଭ କଲେଣି ।
ସଂଯୁକ୍ତାଙ୍କ ପଛେ ପଛେ ପଡ଼ିଶା ଘରର ମାଉସୀ ଓ ତାଙ୍କ ସାରା ପରିବାର ବି ବାହାରକୁ ବାହାରି ଆସି ହତବାକ୍ ହୋଇ ଠିଆ ହୋଇଛନ୍ତି ।
ସଂଯୁକ୍ତା ଘରକୁ ଆସିଲେ ଓ ପିଲାଙ୍କ ପରି କାନ୍ଦୁଥିବା ଅବସ୍ଥାରେ ଯୋଉ ପଦକ କହିଲେ, ସେଥିରୁ ନିତ୍ୟାନନ୍ଦ ବୁଝିଗଲେ ଏ ଖବରଟି ହିଁ ତାଙ୍କର ଗାଁରୁ ଆସିଛି ଯେ, ଏଇ କେଇ ମିନିଟ୍ ତଳେ ବାପା ଚାଲିଗଲେ ।
ବାପାଙ୍କର କ’ଣ ହୋଇଥିଲା ଓ ଏମିତି ହଠାତ୍ କେମିତି ସେ ଆଖି ବୁଜିଦେଲେ, ଏକଥା ବୁଝିବାକୁ ନିତ୍ୟାନନ୍ଦଙ୍କୁ ଆଉ ସମୟ ନଥିଲା ।
ଖବରଟା ଜାଣୁ ଜାଣୁ ସେ ଲଥ୍କରି ଦାଣ୍ଡଘର ଖଟ ଉପରେ ବସିପଡ଼ିଲେ ଏବଂ ନିଜ ଛାତି ଭିତରୁ ଉଠି ଆସୁଥିବା କୋହକୁ ଲୁଚେଇବାକୁ ଯାଇ ଉପରକୁ ମୁହଁ ଉଠାଇଦେଲେ ।
ବାହାରେ ତଥାପି ବର୍ଷା କମି ନ ଥିଲା ।
ଭିତରେ ଏକ ବର୍ଷଣ ରାତିର ଶବ୍ଦମୟ ଖାଁ ଖାଁ ।
ନିତ୍ୟାନନ୍ଦ ନିଜ ଭିତରେ ଶୀତଳ ପ୍ରବାହକୁ ଚାପିରଖି ଉଠି ଠିଆହେଲେ ଓ କହିଲେ, ଚାଲ ଆମେ ଏବେ ଗାଁକୁ ଯିବା ।
ସଂଯୁକ୍ତା ଲୁହ ପୋଛି ପଚାରିଲେ, ‘କେମିତି ଯିବା, ଏବେ କ’ଣ ବସ୍ ମିଳିବ ?’ ସେତିକିବେଳକୁ ନିତ୍ୟାନନ୍ଦଙ୍କର ତାଙ୍କ ଅଫିସ୍ ପରିଡ଼ାବାବୁଙ୍କ କଥା ମନେପଡ଼ିଲା ।
ପରିଡ଼ାବାବୁ ବର୍ଷକ ତଳୁ ଆମ୍ବାସାଡ଼ର ଗାଡ଼ିଟେ କିଣି ଭଡ଼ା ଦେଉଛନ୍ତି ।
ନିତ୍ୟାନନ୍ଦ, ପାଖ ଟେଲିଫୋନ୍ ବୁଥ୍କୁ ଗଲେ ଓ ପରିଡ଼ାବାବୁଙ୍କୁ ଫୋନ୍ କରିବା ମାତ୍ରେ ସେ ତାଙ୍କ ଗାଡ଼ିଟି ପଠାଇଦେଲେ ।
ନିତ୍ୟାନନ୍ଦଙ୍କର ଆଜି ବି ମନେପଡ଼ୁଛି ସେଦିନ ସେମାନେ ଭୁବନେଶ୍ବରରୁ ବାହାରିବା ବେଳକୁ ରାତି ନଅଟା ।
ବାଟସାରା ବର୍ଷା ।
କାର୍ ଭିତରେ ନିତ୍ୟାନନ୍ଦ, ସଂଯୁକ୍ତା, ତାଙ୍କର ତିନୋଟି ପିଲା ଓ ଦୂର ସମ୍ପର୍କୀୟ ଜଣେ ଭାଇ ବସିଥିଲେ ବି କାହାରି ପାଟିରେ ପଦେ କଥା ନ ଥିଲା ।
ନିତ୍ୟାନନ୍ଦଙ୍କୁ ଲାଗୁଥିଲା ଯେମିତି ଭୁବନେଶ୍ବରରୁ ଜଗତ୍ସିଂହପୁର ରାସ୍ତା ଲମ୍ବିଯାଇଛି ।
ବାଟସାରା ମନେ ପଡ଼ୁଥିଲା ବାପାଙ୍କର ସେଇ ଦିନ ସବୁ ।
ବାପା କଟକରେ ଚାକିରି କରୁଥିଲେ ସେତେବେଳେ ।
ଆଖ ପାଖରେ ସେତେବେଳେ ଆଉ କେହି କଟକରେ ଚାକିରି କରୁ ନଥିଲେ ।
ସାଇର ସତ୍ୟାଜା ଆଉ କାହ୍ନୁ ଅଜା ପରି କେଇଜଣ କଲିକତା ଝୋଟକଳରେ କାମ କରୁଥିଲେ ।
ସେମାନେ ଥରେ ଦଶହରାକୁ ଓ ଆଉ ଥରେ ରଜବେଳକୁ ଗାଁକୁ ଆସୁଥିଲେ ।
ବାପା କିନ୍ତୁ ସବୁ ଶନିବାର ସନ୍ଧ୍ୟାରେ କଟକରୁ ଗାଁକୁ ଫେରୁଥିଲେ ।
ନିତ୍ୟାନନ୍ଦଙ୍କର ମନେ ପଡ଼ୁଥିଲା, ସେତେବେଳକୁ ତାଙ୍କ ଗାଁ ପାଖ ନଈରେ ପୋଲ ହୋଇ ନ’ଥିଲା ।
ବାପା କଟକରୁ ବସ୍ରେ ଆସି ବାଲିଆ ଛକରେ ଓହ୍ଲାଉଥିଲେ ।
ଶନିବାର ଦିନ ବେଳ ବୁଡ଼ୁବୁଡ଼ୁ, ତାଙ୍କ ଘରେ ଚାକିରିଆ ଥିବା ନାଥ କି ବରହମୁ ଯାଇ ବାଲିଆ ଛକର ସେଇ ନେଳି କୁଜି ବସ୍ଟାକୁ ଅପେକ୍ଷା କରୁଥିଲେ ।
ବାପା ସତକୁ ସତ ସେଇ ବସ୍ରେ ହିଁ ଆସୁଥିଲେ ।
ସେ ବସ୍ ଚାଲିଯିବା ପରେ ବାଲିଆ ଛକର ବାବନ ଶୁଣ୍ଢି ତା’ ଚା’ ଦୋକାନ ବନ୍ଦ କରି ଲଣ୍ଠନ ଧରି ଘରକୁ ଚାଲି ଯାଉଥିଲା ।
ବାପା ଗାଁକୁ ଫେରୁଥିଲେ ।
ଆଗେ ଆଗେ ବାପା, ପଛରେ ନାଥ ।
ନାଥ ମୁଣ୍ଡରେ ଥିବ ବଡ଼ ପୁଟୁଳିଟିଏ ।
ସେ ପୁଟୁଳି ଭିତରେ ଥିବ, ଜେଜେଙ୍କ ପାଇଁ ନୂଆ ହରିବଂଶ ବହି, ମା’ ପାଇଁ ଆଲିଗଡ଼ କୋଲପ ଓ କଞ୍ଚି, ଦାଦାଙ୍କର ଲୁଙ୍ଗି ଓ କୁମ୍ଭପକା ଗାମୁଛା, ବୋଉର ବରାଦ ଅନୁସାରେ କାହାପାଇଁ ହାତୀମାର୍କା ଡ୍ରଇଁ ଖାତା, କାହା ପାଇଁ ପ୍ଲାଟୋ କଲମ୍, କାହାପାଇଁ କ୍ରୁସ୍ ଓ ସୂତା, ଖୁଡ଼ିଙ୍କର ରାମବାବୁଙ୍କ ଚିଠା ଅନୁସାରେ ମାସକର ଶ୍ବାସ ଔଷଧ, ନାଥ ପାଇଁ ହଳେ ମଟର ଟାୟାର୍ର ଚପଲ ଆଉ ଗୋଟାଏ ବଡ଼ ଜରିଭର୍ତ୍ତି ବିସ୍କୁଟ ।
ବାପା ଘରେ ପହଞ୍ଚିଲା ବେଳକୁ ଜେଜେ ଲଣ୍ଠନଟାଏ ଧରି ଗାଁ ମୁଣ୍ଡ ବୁଲେଇଗଣ୍ଡ ମଶାଣି ପାଖଯାଏ ଚାଲି ଚାଲି ଯାଇଥିବେ ।
ମା’ ବାରିପଟ ଗୁହାଳ ଡେଇଁ ଗୋରୁବନ୍ଧା ପଥର ପାଖରେ ଥାଇ ଯାହାକୁ ବି ଅନ୍ଧାରରେ ଦେଖୁଥିବ ଡାକୁଥିବ ବଙ୍ଗୁକିରେ ! ବାପାଙ୍କ ନାଁ ଉମାକାନ୍ତ ବୋଲି ସମସ୍ତେ ଜାଣିଥିଲେ ବି ମା’ ସେଇ ବଙ୍ଗୁ ନାଁରେ ହିଁ ତାଙ୍କୁ ଡାକେ ।
ଗାଁର ରାତି, ବୁଢ଼ୀ ଅସୁରୁଣୀ କଥାର ରାତି ପରି ସାଇଁ ସାଇଁ ବଢ଼ୁଥାଏ ।
ସଞ୍ଜ ବୁଡ଼ୁବୁଡ଼ୁ ରୋଷେଇ କାମ ସାରି ସାହିର ଆଉ ସମସ୍ତଙ୍କ ଘରେ କବାଟ ପଡ଼ି ସାରିଥାଏ ।
ସାରା ଗାଁଟା ଭାରି ଖାଁ ଖାଁ ଲାଗୁଥାଏ ।
ବେଳେବେଳେ ରାତିର ସେଇ ନିସ୍ତବ୍ଧତାକୁ ଚିରି କେବଳ ବୁଢ଼ୀ ମା’ର ଡାକ ଶୁଭୁଥାଏ- ବଙ୍ଗୁ କିରେ….. ।
ସେ ଡାକ ଅନ୍ଧାର ଭିତରେ ହଜି ଯାଇଥାଏ ।
ରାତି ବଢ଼ୁଥାଏ ।
ହେଲେ ଆମେ ଘରେ ଯେତେ ଛୋଟ ପିଲା, କାହା ଆଖିକୁ ନିଦ ନ ଥାଏ ।
କାରଣ, ବାପା ଆଜି କଟକରୁ ଆସିବେ, ଲେମ୍ବଚୁଚ୍ ଆଣିବେ ବୋଲି ଭାବିଦବା ମାତ୍ରେ ଆଖିରୁ ନିଦ କୁଆଡ଼େ ହଜି ଯାଇଥାଏ ।
ବାପା ଆଣିଥିବା ଜରିରେ ଥାଏ କେତେ ପ୍ରକାର ବିସ୍କୁଟ ।
କେତେ ପ୍ରକାର ଲେମ୍ବଚୁଚ ।
ହାତୀ, ଘୋଡ଼ା, ମୟୂର, ହଂସ ଆକାରର ଜରିଭର୍ତ୍ତି ବିସ୍କୁଟ ଆଉ ରୋଲ ଲେମ୍ବଚୁଚ୍ରେ ଧଳା ଓ ଗୋଲାପିର ପଟି ପଟି ଗାର ଆମ ଆଖିରୁ ନିଦ ଚୋରେଇ ନେଇଥାଏ ।
ଶେଷରେ ଦୋକାନ ପାଖ ବରଗଛ ମୂଳୁ ଦିଶେ ଜେଜେଙ୍କ ଲଣ୍ଠନ ଓ ସେଇ ଲଣ୍ଠନ ଆଲୁଅରେ ଝାପ୍ସା ଦିଶେ କେତେଟା ମଣିଷଙ୍କ ଚାଲୁଥିବା ଗୋଡ଼ ।
ଆମେ ସେଇ ବାରିପଟ ପାହାଚ ପାଖରେ ଥାଇ ତାଳିମାରି ନାଚୁ ।
ନିତ୍ୟାନନ୍ଦଙ୍କର ସ୍ପଷ୍ଟ ମନେ ଅଛି- ସେତିକିବେଳକୁ ସେ ଖୁବ୍ ଏକ ପ୍ରବଣତାରେ ଡାକଦିଅନ୍ତି- ବାପା… ।
ବାପା ମ ।
ସେଇ ବରଗଛ ପାଖ ଅନ୍ଧାର ଭିତରୁ ଅଭୟବାଣୀ ଶୁଣାଇବା ପରି ବାପା ଜବାବ ଦିଅନ୍ତି- ହଁ…. ଅ…. ।
ବାପା, ବାରି କବାଟ ଟପି ଦୁଆରେ ପାଦ ଦଉ ଦଉ ମା’ ଦୌଡ଼ିଯାଇ ଦୁଆର ଚୁଲିରେ ରସଗିନାରେ ସୋରିଷ ତେଲ ଆଉ ରସୁଣ ଫୁଟେଇ ନେଇଆସେ ।
ବାରିକୂଅ ମୂଳକୁ ବୋଉ ହାତରେ, ଏଭେରେଡ଼ିର ପିତଳ ଟର୍ଚ୍ଚଟା ମାରି ଆଗେ ଆଗେ ଯାଏ ।
ବାପା ପଛେ ପଛେ ଚାଲନ୍ତି ।
ପରିଡ଼ା ଘର ବଟିଆଦି ସେଇ ଦୋକାନ ପାଖ ଛକରୁ ଆସି କୂଅରୁ ଦି’ ବାଲ୍ଟି ପାଣି କାଢ଼ି ଦିଅନ୍ତି ।
ବାପା ଧୋଇଧାଇ ହେଇ ଆସିଲା ପରେ ମା’ ମାଣଘର ସାମ୍ନା ମାଟି ପିଣ୍ଡାରେ ଶଉପ ଖଣ୍ଡେ ପକେଇଦିଏ ।
ବାପା ପିନ୍ଧିଥାନ୍ତି ବ୍ଲୁ ରଙ୍ଗର ସିଲ୍କ ଲୁଙ୍ଗି ଖଣ୍ଡେ ଓ କାନ୍ଧରେ ଥାଏ ପାଞ୍ଚହାତୀ ଖୋର୍ଦ୍ଧା ଗାମୁଛା ।
ମା’ ତାଙ୍କ ପାଦରେ ଗରମ ତେଲ ଘଷୁ ଘଷୁ କହୁଥାଏ- ବୁଝିଲୁରେ ବଙ୍ଗୁ ! ଏ ବର୍ଷ ଖାଲ କିଆରୀରେ ବାରଶବୟାଳିଶ ବୁଣା ହେଇଛି ।
ମଠ ଉପରେ ବଛା ସରିଲାଣି ।
ତୁ ଯୋଉ ବାରମାସୀ ଆମ୍ବଚାରା ଆଣି ନଥିଲୁ, ସେଟା କେଡ଼େ ଛନଛନ ହୋଇ ଯାଇଥିଲା ।
ସେ ବାଡ଼ିଖିଆ ମାଧା, ଛେଳି ପଲ ଛାଡ଼ି ଦଉଚି ଯେ, ସବୁ ନାରଖାର କରିଦଉଛନ୍ତି ।
ବାପା ଚମକି ପଡ଼ିଲାପରି ପଚାରନ୍ତି- ସେ ବାରିଟା ବାଡ଼ ବୁଜା ହେଇନିକି ? ମା’ ଓ ବାପାଙ୍କର ଏମିତି କଥାବର୍ତ୍ତା ଚାଲିଥିବା ବେଳେ ବୋଉ ସେ ବହୁ ଲୋଭନୀୟ ପୁଟୁଳିଟା ଖୋଲେ ।
ସତେକି ସେଇଟା ପୁଟୁଳି ନୁହେଁ, ଏକ ଅସରନ୍ତି ଭଣ୍ଡାର ! ନିତ୍ୟାନନ୍ଦଙ୍କର ମନେଅଛି, ଦାଦାଙ୍କଠୁ ଆରମ୍ଭ କରି ସାନପିଲାଙ୍କ ଯାଏ ସମସ୍ତେ ବେଢ଼ି ଯାଇଥାନ୍ତି ସେଇ ପୁଟୁଳିଟିକୁ ।
ସେତିକିବେଳେକୁ ଚମକେଇ ଦେବା ପାଇଁ ବୋଉ କୁହେ, ଆରେ ନିତିଆ ! ତୋର ନୂଆ ବହି ଆସିଚିରେ ।
ନିତ୍ୟାନନ୍ଦ ବୋଉ ହାତରୁ ଏକବାର ସେ ବହିଟା ଝାମ୍ପିନିଅନ୍ତି ।
ନୂଆ ବହିଟା ଭିତରେ ଖୁବ୍ ସମୟ ଯାଏ ନାକ ମାଡ଼ି, ତା’ ପୃଷ୍ଠାମାନଙ୍କରୁ ବାହାରୁଥିବା ବାସ୍ନାକୁ ଶୋଷିନିଅନ୍ତି ।
ମନେ ମନେ କହନ୍ତି, କାଲି କେମିତି ରାତି ପାହିଲେ ସ୍କୁଲରେ ଯାଇ ସାଙ୍ଗମାନଙ୍କ ଆଗରେ ଏପରି ଏକ ଦୁର୍ଲଭ ବସ୍ତୁ ଦେଖାଇବାକୁ ପଡ଼ିବ ।
ରବିବାର ଦିନ ସକାଳୁ ବାପା ଛତାଟିଏ ଧରି ବିଲଆଡ଼କୁ ଚାଲିଯାଆନ୍ତି ।
ସେ ମାଟି କାଦୁଅର ହିଡ଼ମାନଙ୍କ ସହ ତାଙ୍କର କି ସମ୍ପର୍କ କେଜାଣି ! ପ୍ରତିଟି କ୍ଷେତର ଗୋଟାଏ ଗୋଟାଏ ଛୋଟ ଇତିହାସ ବାପାଙ୍କର ମୁଖସ୍ଥ ଥାଏ ।
ବାପା କହନ୍ତି- ଏଇ ଛ’ଗୁଣ୍ଠ ପାଇଁ ନଟିଆ ଗୋଲାମ୍ ସହ ଏଗାର ବର୍ଷ ମକଦ୍ଦମା ଲଢ଼ା ହୋଇଛି ।
ପୁଣି ଆଉ ଖଣ୍ଡେ ବିଲ ଦେଖାଇ କହନ୍ତି-ଭିଙ୍ଗାରପୁର ଜମିଦାର ଏଇ ଜମିଖଣ୍ଡକ ପାଇଁ ଚକରା କବିରାଜକୁ ଦି’ ମହଣ ଘିଅ ଲାଞ୍ଚ ଦେଇଥିଲେ ।
ଏଇଟା ପରା ସୁନାଥାଳି ଜମି ! ହିଡ଼ରେ ଥିବା କୋଇଲିଖିଆ କଣ୍ଟାକୁ ସେ ନିଜ ହାତରେ ଓପାଡ଼ନ୍ତି ଓ ବିଲରେ ହଳ କରୁଥିବା, ନାଥ କି ବରହମୁ ସହ କଥା ହଉ ହଉ ଖରା ଆସି ମୁଣ୍ଡ ଉପରେ ହୁଏ ।
ବିଲରୁ ବାପା ଘରକୁ ଫେରିବା ବେଳକୁ ଦାଦା ପୋଳୁହ ମଡ଼େଇ ସାହାରା ଗଡ଼ିଆରୁ ବାଳିଆ ମାଛ ଧରିଥାନ୍ତି ।
କଦଳୀ ପତ୍ରରେ ବାପାଙ୍କ ପାଇଁ ଭାତ ବଢ଼ା ହୁଏ ।
ବାପା ଘରେ ଥିଲେ, ଘର ଲାଗୁଥାଏ ପର୍ବ ପର୍ବ ।
ରବିବାର ରାତି ପାହି ସୋମବାର ସକାଳର କାଉ କା’ କଲାବେଳକୁ ବାପା କଟକ ବାହାରି ଯାଇଥାନ୍ତି ।
ଖୁଡ଼ୀ ରାତିଅଧରୁ ଉଠି ବାପାଙ୍କ ପ୍ରିୟ ଖେଚେଡ଼ି ରାନ୍ଧିଥାନ୍ତି ।
ବୋଉ, ଗୋଟାଏ ଜରିରେ ବାପାଙ୍କ ପାଇଁ ଜରିଏ ମୁଢ଼ି ଓ ବିଡ଼ାଏ ସାହାଡ଼ା ଦାନ୍ତକାଠି ସଜାଡ଼ି ଦେଇଥାଏ ।
ଜେଜେଙ୍କ ସାଙ୍ଗରେ ବାପା ଭୋର୍ରୁ ଉଠି ପୁଣି ବାଲିଆ ଛକରେ ଫାଷ୍ଟ୍ବସ୍ ଧରିବାକୁ ଚାଲିଯାଆନ୍ତି ।
ଜଗତ୍ସିଂହପୁରରେ ପହଞ୍ଚିବାକୁ ଆଉ ଅଳ୍ପବାଟ ବାକିଥିଲା ।
ନିତ୍ୟାନନ୍ଦ ଭାବୁଥିଲେ, ଏତେ ସ୍ମୃତି ଓ ଏତେ ସମ୍ପର୍କର ସେ ମଣିଷଟି କ’ଣ ସତରେ ଆଉ ଆଖି ଖୋଲି ଚାହୁଁ ନଥିବେ !
ବାପା ବୋଲି ଡାକିଦେବା ମାତ୍ରେ ପ୍ରତିଧ୍ବନିରେ ‘ଓ’ ବୋଲି କହୁଥିବା ମଣିଷଟି ସତରେ କ’ଣ ନୀରବ ନିସ୍ପନ୍ଦ ହୋଇଯାଇଥିବେ !
ନିତ୍ୟାନନ୍ଦଙ୍କ ଆଖିରେ ଆଖିଏ ଲୁହ ଟଳମଳ ହେଲା ।
ରାସ୍ତାଘାଟ ତାଙ୍କୁ ଝାପ୍ସା ଦିଶିଲା ।
ନିତ୍ୟାନନ୍ଦ ଆଉ ନିଜ ଭିତରର କୋହ ସମ୍ଭାଳି ପାରିଲେ ନାହିଁ- ସେହି ଗାଡ଼ି ଭିତରେ କଇଁ କଇଁ ହୋଇ କାନ୍ଦି ଉଠିଲେ ।
ସେମାନେ ଘରେ ପହଞ୍ଚିଲାବେଳକୁ ବାପା ସତରେ ଦୂର ଆକାଶର ତାରା ହୋଇସାରିଥିଲେ ।
ନିଦରେ ଶୋଇପଡ଼ିଥିବା ଭଳି ବାପା ତାଙ୍କ ଅତିପ୍ରିୟ ଖଟ ଉପରେ ଚିତ୍ହୋଇ ଶୋଇଥିଲେ ।
ଆଖି ଦିଓଟି ମୁଦି ହୋଇଯାଇଥିଲା ।
ସକାଳୁ କ୍ଲିନ୍ସେଭ୍ ହୋଇଥିଲେ ।
ମୁହଁଟି ଜୀବନ୍ତ ମଣିଷର ମୁହଁପରି ଅର୍ଥପୂର୍ଣ୍ଣ ଲାଗୁଥିଲା ।
ତାଙ୍କ ପାଦଠୁ ବେକଯାଏ ହରିନାମ ଲେଖାଥିବା ଏକ ନାମାବଳୀ ଘୋଡ଼ା ହୋଇଥିଲା ।
ତାଙ୍କ ଘର ସାମ୍ନାରେ ନିର୍ବାକ ମଣିଷମାନଙ୍କର କାନ୍ଦୁରା ମୁହଁଟିମାନ ସେ ଗଭୀର ବର୍ଷାରାତିକୁ ଆହୁରି କରୁଣ କରି ଦେଉଥିଲା ।
ନିତ୍ୟାନନ୍ଦ ବାପାଙ୍କର ସେଇ ଶୋଇବାଘରକୁ ପଶିବାମାତ୍ରେ ଲାଗିଲା ବାପା ଯେମିତି ଉଠିପଡ଼ି କହିବେ, ଆରେ !
କେତେବେଳେ ଆସିଲୁ ?
ଆଜି ଦେହଟା ଟିକେ ଭଲ ଲାଗୁନି ତ, ଶୋଇ ପଡ଼ିଥିଲି ।
ନିତ୍ୟାନନ୍ଦ ବାପାଙ୍କ ପାଦ ପାଖରେ ଆଣ୍ଠେଇପଡ଼ି ପାଦ ଦିଓଟିକୁ ଛୁଇଁଲେ ।
ବରଫ ପରି ଥଣ୍ଡା ଓ କାଠ ପରି ଟାଣ ଲାଗୁଚି ପାଦ ଦୁଇଟି ।
ଓଡ଼ିଶାର କୋଣ ଅନୁକୋଣ ଦିନେ ଏଇ ପାଦ ଯୋଡ଼ିକରେ ବୁଲିବୁଲି ସେ ଦେଖିଥିଲେ ।
ଆଜି ଆଉ ଏ ପାଦରେ ଶକ୍ତି ନାହିଁ ।
ନିତ୍ୟାନନ୍ଦ ସେ ପାଦ ଦିଓଟିକୁ ଧରି ଡ଼ାକିଲେ- ବାପା ! ବାପା ! ଅତ୍ୟନ୍ତ ଧୈର୍ଯ୍ୟବନ୍ତ ଲାଗୁଥିବା ଜଣେ ଚିହ୍ନା ପ୍ରୌଢ଼ ନିତ୍ୟାନନ୍ଦଙ୍କ ବାହୁକୁ ଧରି ଉଠେଇ ଆଣୁ ଆଣୁ କହିଲେ- ତମ ବାପା ସବୁ କରିଛନ୍ତି ।
ପୁଅଝିଅଙ୍କୁ ମଣିଷ କରି ବାହାଚୋରା କରିଛନ୍ତି ।
ଆଉ ତାଙ୍କର କିଛି ଅବଶୋଷ ନାହିଁ ।
ଥାଉ ବାବା ଥାଉ, ତମେ କାନ୍ଦିଲେ ତାଙ୍କ ଆତ୍ମା କଲବଲ ହେବ ।
ନିତ୍ୟାନନ୍ଦ ବୁଝି ପାରିଲେନି, ଚାଳିଶବର୍ଷ ଧରି ଯୋଉ ମଣିଷଟି ତାଙ୍କର ସୁଖଦୁଃଖ ବୁଝୁଥିଲା, ଯୋଉ ମଣିଷଟି ତାଙ୍କର ହାତଧରି ଚାଲି ଶିଖେଇଲା, ଯୋଉ ମଣିଷ ନିଃସ୍ବାର୍ଥପର ଭାବରେ କେବଳ ତାଙ୍କୁ ତିଆରି କରିଗଲା, ତା’ ପାଇଁ କିଛି ନ ହେଲେ ବି ଦି’ଟୋପା ଲୁହ ସେ ଦେଇପାରିବେନି ?
କୋଉଠି ଥାନ୍ତି ଏମିତି ସ୍ଥିତପ୍ରଜ୍ଞ ପଡ଼ିଶାମାନେ ।
ବାପାର ଶବ ପାଖରେ ପୁଅକୁ ମୁହୂର୍ତ୍ତେ ବସିବାର ସୁଯୋଗ ଦିଅନ୍ତିନି ।
ରାତି ପାହିବା ପୂର୍ବରୁ ବାପାଙ୍କ ଶବ ସତ୍କାର ସରିଗଲା ।
ଦିନେ ନିତ୍ୟାନନ୍ଦଙ୍କ ଆଖିର ଆକାଶ ପରି ବିଶାଳ ଓ ସାଗର ପରି ଗଭୀର ଦିଶୁଥିବା ବାପା ନାମକ ମଣିଷଟି ରାତି ପାହିଲାବେଳକୁ ଦିକ୍ ଦିକ୍ ଜଳୁଥିବା କିଛି ଅଙ୍ଗାର ଓ ଦୁଇମୁଠା ପାଉଁଶରେ ପରିଣତ ହୋଇଯାଇଥିଲେ ।
ନିତ୍ୟାନନ୍ଦ ସେ ପାଉଁଶ ଆଡ଼କୁ ଥରେ ଚାହିଁଲେ ଓ ଆଖିର ଲୁହକୁ ସମ୍ଭାଳି ନେଇ କହିଲେ- ବାପା ! ତମେ ସତରେ କୁଆଡ଼େ ଲୁଚିଗଲ ! ତମକୁ ସତରେ ଆଉ ଖୋଜିଲେ କୋଉଠି କେବେ ବି ମିଳିବନି ? ନିତ୍ୟାନନ୍ଦଙ୍କ ଲୁହ ଓ କୋହ ସେଇ ମଶାଣିପଦାର ବୁଢ଼ା ବରଗଛ ଓ ବରଗଛ ଡାଳରେ ଓଦା ସରସର ହେଇ ପର ଝାଡ଼ୁଥିବା ଏକ୍ଲା ଚଢ଼େଇଟା ଅବା ଶୁଣିଥିଲେ ଣୁଣିଥିବେ ।
ବାପାଙ୍କ ଶବ ସଂସ୍କାର ପରେ ନିତ୍ୟାନନ୍ଦ, ତାଙ୍କ ବଡ଼ଭାଇ, ସାନଭାଇ, କଟକରୁ ଆସିଥିବା ଦାଦାଙ୍କ ପୁଅମାନ ବସି ସ୍ଥିର କଲେ ଶୁଦ୍ଧିକ୍ରିୟା କେମିତି ହେବ ।
ନିତ୍ୟାନନ୍ଦଙ୍କ ବଡ଼ଭାଇ ସତ୍ୟାନନ୍ଦ କୋହଭରା ସ୍ବରରେ କହିଲେ- ବାପା ଆମ ସମସ୍ତଙ୍କ ପାଇଁ ସବୁକିଛି କରିଛନ୍ତି ।
ଆମେ ଆଜି ଯାହା ହୋଇଛେ, ସବୁ ସେଇ ବାପାଙ୍କ ପାଇଁ ।
ଜୀବନରେ ସେ କେବେ କାହା ଉପରେ ବୋଝ ହୋଇ ନାହାନ୍ତି, କି କାହାଠୁ ଦଶପଇସାର ଆଶା କରି ନାହାନ୍ତି ।
ତେଣୁ ତାଙ୍କ ଶୁଦ୍ଧିଘର ଯେତେ ଭଲ ହେଇପାରିବ ଆମେ କରିବା ।
ସତ୍ୟାନନ୍ଦଙ୍କ କଥାରେ କାହାର ଅମଙ୍ଗ ହେବାର ନ ଥିଲା ।
ସେତିକିବେଳକୁ ପରିଡ଼ାଘର ବଟିଆଦି କହିଲେ- ବିଷମ ସମସ୍ୟା ହେଲାଣି ।
କଥା କ’ଣ ବୁଝୁ ବୁଝୁ ବଟିଆଦି କହିଲେ ତମ ସାଇ ପରିକ୍ଷିତ କହୁଛି, ସେ ଶୁଦ୍ଧି ଫୁଦ୍ଧି ହେବ ନାର୍ହଁ ।
ଠାକୁର ପୂଜା କରିବ, ମାଛ ମାଉଁସ ଖାଇବ ।
ତା’ ବଡ଼ପୁଅ ଫଟାନାତି ମନାକରି ପଠେଇଛି ।
ସେ କହୁଛି, ଗଲାସନ ଜାଗାବାଡ଼ିକୁ ନେଇ ତମସହ ତା’ର ଝଗଡ଼ା ତୁଟିନାହିଁ ।
ତେଣୁ ସେ ଭାଇପଣ କାଟିଦେଲା ।
ବାପାଙ୍କ ବିୟୋଗରେ ମ୍ରିୟମାଣ ହୋଇପଡ଼ିଥିବା ଦାଦା, ତୁରନ୍ତ ବଡ଼ ପାଟିରେ ଚିତ୍କାର କଲେ- ‘କାଲିପରି ଲାଗୁନି, ପରିକ୍ଷିତର ଖାଇବାକୁ ଖୁଦ ନ ଥିଲା, ପିନ୍ଧିବାକୁ କନା ନ ଥିଲା ।
ତା’ ବାପା ସାଉଟା ବୁଢ଼ା କାନ୍ଦି କାନ୍ଦି କହିଲା- ପରିକ୍ଷିତ ମୋର ପରୀକ୍ଷା ଦବ ଯେ, ପଁଷଠୀ ଟଙ୍କା ଦରକାର ।
ସେଦିନ ମୋର ଏଇ ଭାଇ ତାକୁ ଶଏ ଟଙ୍କା ଦେଇଥିଲେ ।
ସେ ସବୁ କ’ଣ ପରିକ୍ଷିତ ଭୁଲିଗଲା ?’ ଦାଦା ଚିତ୍କାର କରୁଥାନ୍ତି ଓ କୋହରେ ଫାଟି ପଡ଼ୁଥାନ୍ତି ।
ନିତ୍ୟାନନ୍ଦଙ୍କ ଠିକ୍ ମନେଅଛି, ସେଦିନ ବାପାଙ୍କ ଶୁଦ୍ଧିକ୍ରିୟା ନେଇ ଯେମିତି ଛୋଟ ପଞ୍ଚାୟତଟେ ବସିଥିଲା ।
ବାପାଙ୍କ ସ୍ମୃତିରେ ଡହଳ ବିକଳ ହୋଇ ସେଦିନ ନିତ୍ୟାନନ୍ଦ ପଣ କରିଥିଲେ, ଯେମିତି ହଉ, ଯେତେ କଷ୍ଟ ପଡ଼ୁ ପଛେ ବାପାଙ୍କ ସ୍ମୃତି ରକ୍ଷା ପାଇଁ କିଛି ଗୋଟାଏ କରିବାକୁ ପଡ଼ିବ ।
ଦରକାର ପଡ଼ିଲେ ସଂଯୁକ୍ତାଙ୍କ ଗହଣା ବିକିଦେବି, ପୁରୁଣା ସ୍କୁଟରଟା ବିକିଦେବି ।
ଏପରିକି ପାର୍ଟଟାଇମ୍ ଟ୍ୟୁସନ୍ କରି ବାପାଙ୍କ ସ୍ମୃତି ବଞ୍ଚାଇ ରଖିବା ପାଇଁ ନିତ୍ୟାନନ୍ଦ ସେଦିନ ମନେ ମନେ ସଙ୍କଳ୍ପ କଲେ ।
ବାପାଙ୍କ ଦଶାହ ଦିନ ସବୁ ବନ୍ଧୁବାନ୍ଧବ ଘରେ ଏକାଠି ହେଲେ ।
ନିତ୍ୟାନନ୍ଦଙ୍କ ମନେ ପଡ଼ିଲେ ଆଶ୍ଚର୍ଯ୍ୟ ଲାଗୁଥିଲା, ସେଦିନ ଘରେ ପାଦ ଦେଉ ଦେଉ ଯୋଉ ନାନୀ ବାପାଙ୍କ ଗୁଣଗାନ କରି ବାହୁନୁ ଥିଲା, କେଇଘଣ୍ଟା ପରେ ସେ ସ୍ବାଭାବିକ ହୋଇ ବସିଲା ଓ ସତ୍ୟାନନ୍ଦ ଭାଇଙ୍କୁ କହିଲା, ଝିଅ ହିସାବରେ ଏ ଘରୁ ମୁଁ କେବେ କୌଣସି ପର୍ବରେ କିଛି ପାଇ ନାହିଁ ।
ଏଇଥର ଭଲ ଶାଢ଼ୀ ଦିଖଣ୍ଡ ଦବ ।
କହୁ କହୁ ସେ ଏକଥା ବି କହିଲା ଆଜିକାଲି ଆଉ କ’ଣ କିଏ ସୂତା ପ୍ରିଣ୍ଟ୍ ପିନ୍ଧୁଛନ୍ତି ।
ମୋ ଶାଶୁଘର ଲୋକ ଦେଖିବେ ।
ଦବ ଯଦି ସାଉଥ୍କଟନ୍, ନ ହେଲେ ଧନିଆକାଲି ।
ଭବାନୀପାଟଣାରୁ ଆସିଥିବା ଭଉଣୀର ଚଳିବା ଭଲ ।
ତା’ ବର ଗୋଟେ ବଡ଼ କମ୍ପାନୀର ମ୍ୟାନେଜର ।
ଭୁବନେଶ୍ବରରେ ବଡ଼ କୋଠା ।
ତା’ ପିଲାମାନେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚକରି ଓଡ଼ିଶା ବାହାରେ କଅଣ ସବୁ ପଢ଼ୁଛନ୍ତି ।
ସେ ବି ନାକ ସୁଁ ସୁଁ କରି କହିଲା – ଭାଇ ! ତମେ ତ ଜାଣ, ଇୟେ ଜମା ଧୋତି ଫୋତି ପିନ୍ଧନ୍ତି ନାହିଁ ।
ୟା’ଙ୍କ ପାଇଁ ପ୍ୟାଣ୍ଟ ସାର୍ଟ କରିଦବ ।
ଆଉ ମୋ ପୁଅମାନେ ବାହାରେ ରହିଲେ କଅଣ ହେଲା, ଅଜା ମରିଛନ୍ତି ଯେତେବେଳେ, ଶୁଦ୍ଧି ତ ନିଶ୍ଚୟ ହେବେ ।
ତାଙ୍କ ପାଇଁ କୋରିୟର୍ରେ ଡ୍ରେସ୍ ପଠେଇ ଦବ ।
ଆପଣାର ବୋଲି ମନେ ହେଉଥିବା ମଣିଷମାନଙ୍କର କପଟାଚାରରେ ସେଦିନ ସତ୍ୟାନନ୍ଦ କେମିତି ଆକ୍ତାମାକ୍ତା ହୋଇ ଯାଉଥିଲେ ସେକଥା ମନେ ପଡ଼ୁଥିଲା ନିତ୍ୟାନନ୍ଦଙ୍କର ।
ଝିଅ ବାହାଘର ପାଇଁ ଯୋଗାଡ଼ କରିଥିବା ଟଙ୍କାପଇସା ବାପାଙ୍କ ଶୁଦ୍ଧିଘରରେ ଖର୍ଚ୍ଚ କରିବାକୁ ସତ୍ୟାନନ୍ଦ ଡରୁ ନଥିଲେ ।
ଡରୁଥିଲେ, କେବଳ ନିଜ ପ୍ରିୟ ପରିଜନଙ୍କ ମୁଖାଲଗା ମୁହଁଟିମାନ ଦେଖି ।
ବାଙ୍ଗାଲୋର୍ରେ ରହୁଥିବା ଝିଅ ଜ୍ବାଇଁଙ୍କ ପାଇଁ ସତ୍ୟାନନ୍ଦ ବେଶ୍ ଯତ୍ନବାନ୍ ଥିଲେ ।
କହୁଥିଲେ ଝିଅଟା ଏତେ ଦୂରରୂ ଆସୁଛି ।
ତା’ ଜ୍ବାଇଁଟା ବି ପ୍ରଥମ ନିମତକୁ ଆସୁଛି ।
କିଛି ଅସୁବିଧା ହେଲେ କ’ଣ ଭାବିବ ।
ସେମାନଙ୍କ ପାଇଁ ସେଇ ଗାଁଠୁ ସାମନ୍ୟ ଦୂରରେ ଥିବା ଡାକବଙ୍ଗଳା ବି-ରିଜର୍ଭେସନ କରି ରଖିଥିଲେ ସତ୍ୟାନନ୍ଦ ।
ଦଶାହଦିନ ସନ୍ଧ୍ୟାରେ ସେମାନେ କଟକରୁ ଏକ ଗାଡ଼ି ଭଡ଼ାକରି ପହଞ୍ଚିଲେ ।
ସାଙ୍ଗରେ ତାଙ୍କର ପିଲା, ଦି’ଟା ବଡ଼ ଆଟାଚି ଆଉ ବେଡ଼ିଂ ପତ୍ର ।
ଘରେ ପହଞ୍ଚୁ ପହଞ୍ଚୁ ସେମାନେ ଯେତେବେଳେ ଶୁଣିଲେ ତାଙ୍କ ପାଇଁ ସ୍ବତନ୍ତ୍ର ଏକ ବଙ୍ଗଳା ରିଜର୍ଭେସନ କରାଯାଇଛି, ସେମାନେ ଖୁସି ହୋଇଗଲେ ।
ଏକରେ ବଙ୍ଗଳାରେ ଘର ଅପେକ୍ଷା ଅଧିକ ସ୍ବାଚ୍ଛନ୍ଦ୍ୟ ମିଳିବ, ଦ୍ବିତୀୟରେ ସେମାନେ ଅନ୍ୟ ବନ୍ଧୁମାନଙ୍କଠାରୁ ଯେ ସ୍ବତନ୍ତ୍ର ସେକଥା ପ୍ରମାଣିତ ହୋଇଯିବ ।
ଦଶ ହାଣ୍ଡିରେ ରନ୍ଧା ହୋଇଥିଲା ମୋଟା ବଗଡ଼ା ଉଷୁନା ଭାତ ଆଉ ଅଣବଘରା, ଅଣହଳଦିଆ ଡାଲମା ।
ବାଙ୍ଗାଲୋରରୁ ଆସିଥିବା ଜ୍ବାଇଁ ଉଚ୍ଚଶିକ୍ଷିତ, ତେଣୁ ଆଡ଼୍ଭାନ୍ସ୍ଡ୍ ।
ସେ ସେଇ ରାତିରେ ମୃଦୁ ପ୍ରତିବାଦ କରି କହିଲେ- ଏସବୁ ନାଷ୍ଟି ଆଇଡ଼ୋଲୋଜି ।
କୋଉଠି ଲେଖା ଅଛି ଏମିତି ଅଣବଘରା ବାଜେ ତରକାରୀ ଖାଇବ ବୋଲି ! ଯଦି ଏମିତି କଲେ ମଲାଲୋକ ମୋକ୍ଷ ହୁଅନ୍ତେ, ତେବେ ଧର୍ମ-ଫର୍ମ, ଠାକୁର ପୂଜା କରିବ କାହିଁକି ? ସେ କେବଳ ଏତକ କହିଲେ ନାହିଁ, ବରଂ ଖାଇବା ପତ୍ରରୁ ଉଠି ଚାଲିଗଲେ ।
ସତ୍ୟାନନ୍ଦ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରି ବି ପାରିଲେ ନାହିଁ ।
ବାହାରେ ସେମାନଙ୍କ ଗାଡ଼ି ଅପେକ୍ଷା କରିଥିଲା ।
ସେମାନେ ବଙ୍ଗଳାକୁ ଚାଲିଗଲେ ।
ସକାଳୁ ସକାଳୁ ଫେରିଆସି ଭୀଷଣ ବିରକ୍ତ ହୋଇ ସେ ଜ୍ବାଇଁ ଯେତେବେଳେ କହିଲେ- ରୁମ୍ରେ ଏ.ସି. ନାହିଁ ।
ମଶା ପ୍ରବଳ ।
ଏମିତି ରୁମ୍ରେ କିଏ ଶୁଏ ? ତଥାପି ନା ସତ୍ୟାନନ୍ଦ, ନା ନିତ୍ୟାନନ୍ଦ ବା ତାଙ୍କର କେହି ଜଣେ ହେଲେ ଭାଇ ପ୍ରତିବାଦ କରିପାରିଲେ ନାହିଁ ।
ସତେକି ବାପାଙ୍କ ମୃତ୍ୟୁ ସହ ସେମାନେ ସେମାନଙ୍କ ବାକ୍ଶକ୍ତି ହରାଇଥିଲେ ।
ଏକାଦଶାହ ଦିନ ଭୋଜିଭାତ ସରିବା ପରେ ସକାଳୁ ସକାଳୁ ଯିଏ ଯେଝାବାଟରେ ବାହାରିଲେ ।
ସେଥିପାଇଁ ସତ୍ୟାନନ୍ଦ, ନିତ୍ୟାନନ୍ଦ ଓ ସେମାନଙ୍କ ସାରା ପରିବାର ଲୋଟଣୀପାରା ପରି ଲାଗି ପଡ଼ିଥିଲେ ।
କାହା ପାଇଁ ରସଗୋଲା କିଣାଯିବ ତ କାହା ପାଇଁ ବୁନ୍ଦିଆ ।
କାହା ଗାଡ଼ିରେ ଗାଁ ଗଛରୁ ଓଉ ତୋଳି ରଖାଯିବ ତ, କାହା ଗାଡ଼ିରେ କଦଳୀ କାନ୍ଦି ।
କାହା ପିଲା ପାଇଁ ମନଲାଖି ଡ୍ରେସ୍ ନ ହୋଇ ପାରିବାରୁ ତା’ ପାଖରେ ଦାନ୍ତ ନେଫେଡ଼ି ହସିବାକୁ ପଡ଼ିବ ତ, କାହାକୁ ପ୍ରତିଶ୍ରୁତି ଦେବାକୁ ପଡ଼ିବ, ସପ୍ତାହେ ପରେ ଆମେ ସବୁ ନେଇକି ଯିବୁ ।
ବନ୍ଧୁ ବିଦା ସରିବା ପରେ ସଂଯୁକ୍ତା ନିତ୍ୟାନନ୍ଦଙ୍କର ମନେ ପକେଇଦେଲେ ପିଲାମାନଙ୍କର ବାରଦିନ ହେଲା ସ୍କୁଲ୍ ବନ୍ଦ ।
ଆଉ ସପ୍ତାହେ ପରେ ହାପ୍ଇୟର୍ଲି ।
ନିତ୍ୟାନନ୍ଦ ଚମକି ପଡ଼ିଲେ ।
ସତେତ, ୟା ଭିତରେ ତାଙ୍କର ଅନେକ କାମ ବାକି ରହିଗଲାଣି ।
ମହାପାତ୍ର ବାବୁଙ୍କ ଜମିବିକ୍ରୀ କଥା ଅଧା ରହିଯାଇଛି ।
କୈଳାସବାବୁଙ୍କ ସହ ଭଦ୍ରକ ଯାଇ ଟ୍ରାକ୍ଟର କିଣିବା କାମଟା ପକ୍କା କରିବାକୁ ପଡ଼ିବ ।
ସ୍ବାଇଁବାବୁ କହୁଥିଲେ ଗୋଟାଏ ସପ୍ଲାଏ ଅର୍ଡ଼ର ମିଳିବ ବୋଲି ।
ୟା’ ଭିତରେ କଅଣ ହେଲା କେଜାଣି ।
ସହସା ବାପାଙ୍କୁ ନେଇ ତାଙ୍କ ଭିତରେ ଉଠୁଥିବା ପ୍ରବଣତାର ଢେଉ ଥମିଗଲା ।
ସେ ମନକୁ ମନ କହିଲେ- ହଁ, ବୟସ ହୋଇଯାଇଥିଲା ।
ଆଉ କେତେବର୍ଷ ବା ବଞ୍ଚିଥାନ୍ତେ ।
ତାଙ୍କର ଏଥର ଭୁବନେଶ୍ବର ଫେରିଯିବା ଦରକାର ।
ସେ ଚିନ୍ତାକଲେ ଓ ପରଦିନ ପ୍ରବଳ ବର୍ଷା ସତ୍ତ୍ବେ ପିଲାମାନଙ୍କୁ ଧରି ଭୁବନେଶ୍ବର ଫେରି ଆସିଥିଲେ ।
ସେଦିନ ସେମିତି ଏକ ବର୍ଷା ଦେଖି ଅଚାନକ ମନେପଡ଼ିଲେ ବାପା ।
ନିତ୍ୟାନନ୍ଦ ମନକୁ ମନ କହିଲେ- ଆରେ! ୟା’ ଭିତରେ ବାପାଙ୍କର ମରିବା ଦି’ ବର୍ଷ ହୋଇଗଲାଣି ।
ସେ ବାରମ୍ବାର ବାପାଙ୍କ କଥା ମନେପକାଇଲେ ଓ ଅନ୍ୟମନସ୍କ ଭାବେ ସଅଳ ଘରକୁ ଫେରିଆସିଲେ ।
ଘରେ ପହଞ୍ଚୁ ପହଞ୍ଚୁ ସଂଯୁକ୍ତା ପଚାରିଲେ ଆଜି କ’ଣ ଏତେ ଜଲ୍ଦି ? ନିତ୍ୟାନନ୍ଦ ମୁହୂର୍ତ୍ତେ ଚୁପ୍ ରହିବା ପରେ କହିଲେ- ଯୋଉଦିନ ବାପା ଚାଲି ଯାଇଥିଲେ ଏମିତି ବର୍ଷା ହେଉ ନ ଥିଲା ? ସଂଯୁକ୍ତା କହିଲେ- ହଁ ଏଇ ସେପ୍ଟେମ୍ବର ମାସ ତ ! ନିତ୍ୟାନନ୍ଦ କହିଲେ ବାପାଙ୍କ ମୃତ୍ୟୁ ତାରିଖଟା କେତେ ? ସଂଯୁକ୍ତା କିଛି ସମୟ ମନେ ପକାଇବା ପରେ କହିଲେ, ଅଣତିରିଶ ବୋଧେ ।
ନା….ମ- ପଚିଶ୍ ନା ଛବିଶ ।
ନିତ୍ୟାନନ୍ଦ କହିଲେ ।
ସଂଯୁକ୍ତା କହିଲେ- ନା, ଦରମା ମିଳିବାକୁ ପା ଦିନେ ଥିଲା ।
ନିତ୍ୟାନନ୍ଦ କହିଲେ ୟା’ରି ଭିତରେ ତା’ ହେଲେ ବାପାଙ୍କ ଶ୍ରାଦ୍ଧ କେବେ ପଡ଼ିବ ।
ସଂଯୁକ୍ତା କହିଲେ ତମର ତିଥି ମନେଅଛି ? ନିତ୍ୟାନନ୍ଦ କିଛି ସମୟ ମନେ ପକାଇବାକୁ ଚେଷ୍ଟା କଲେ ଓ କହିଲେ ଗାଁରୁ କିଛି ଫୋନ୍ଫାନ୍ ଆସିନି ?
ତାଙ୍କ ଫୋନ୍ ପା ଆଠଦିନ ହେଲାଣି ଡେଡ଼୍ ।
ସଂଯୁକ୍ତା ଏତକ କହିଲେ ଓ ରୋଷେଇ ଘରକୁ ଚାଲିଗଲେ ।
ନିତ୍ୟାନନ୍ଦ କହିଲେ କାଲି ସକାଳୁ ମନେ ପକେଇଦବ ତ, ଆମ ଗାଁ ପୋଷ୍ଟ ଅଫିସ୍ ଫୋନ୍ କରି ଦାଦାଙ୍କୁ ଡାକିଦବା, ଦାଦା କହିପାରିବେ ଠିକ୍ ତାରିଖ ।
ପରଦିନ ସକାଳୁ ନିତ୍ୟାନନ୍ଦଙ୍କ ଝିଅ ହିଁ ମନେ ପକାଇଦେଲା ଫୋନ୍ କରିବାକୁ ! ନିତ୍ୟାନନ୍ଦ ଖବରକାଗଜ ପଢ଼ା ସାରି ଦାଢ଼ି କାଟିଲେ ।
ଘରୁ ବାହାରିଲା ମାତ୍ରେ ପଡ଼ିଶା ଘର ମହାନ୍ତିବାବୁଙ୍କ ସହ ପେଟ୍ରୋଲ୍ ଦର ବଢ଼ିବା ସମ୍ପର୍କରେ କଥା ହେଲେ ।
ତା’ପରେ ପାଖ ବୁଥ୍କୁ ଫୋନ୍ କରିବାକୁ ଯିବା ସମୟରେ ସାଇକେଲ୍ ଚଢ଼ି ଆସି ପହଞ୍ଚିଲା ତାଙ୍କ ଗାଁ ବାବୁଲା ।
ବାବୁଲା ତାଙ୍କ ଗାଁ ପିଲା ।
ଭୁବନେଶ୍ବରରେ ଗୋଟାଏ ଲୁଗା ଦୋକାନରେ କାମ କରେ ।
ମଝିରେ ମଝିରେ ଗାଁକୁ ଯାଏ ।
ସେ ସାଇକେଲ୍ରୁ ଓହ୍ଲାଇପଡ଼ି ନମସ୍କାର କଲା ଓ ଦୋଷୀଟିଏ ପରି ତଳକୁ ମୁହଁପୋତି କହିଲା, ‘ଗଲା ପଅର ଦିନ ଆପଣଙ୍କ ବାପାଙ୍କ ଶ୍ରାଦ୍ଧ ଥିଲା ।
ଆପଣଙ୍କ ଭାଇ ମୋ ହାତରେ ଖବର ଦେଇଥିଲେ ଯେ, ମୁଁ ଭାବିଲି ଆପଣ ତ ଜାଣିଥିବେ ।
ବର୍ଷା ହଉଥିଲା, ତେଣୁ ଆସିପାରିଲି ନାହିଁ ।’
ନିତ୍ୟାନନ୍ଦ ଚମକି ପଡ଼ି ଚାରିଆଡ଼କୁ ଚାହିଁଲେ ।
ବାପାଙ୍କ ଶ୍ରାଦ୍ଧ ୟା’ ଭିତରେ ଦୁଇଦିନ ହେଲା ଚାଲିଗଲାଣି, ଅଥଚ ତାଙ୍କର ମନେ ନାହିଁ ।
କେହି ଜାଣୁ ନାହାନ୍ତି ତ ଏ କଥା ! ଭାଇ ଯଦି ପଚାରିବେ, ଆରେ ! ଏ ବର୍ଷ ବାପାଙ୍କ ଶ୍ରାଦ୍ଧକୁ କାହିଁ ଆସିଲୁନି ? କି ଉତ୍ତର ଦେବି ?
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment