Commit ae947129 authored by Nayan Ranjan Paul's avatar Nayan Ranjan Paul

Upload New File

parent d7e9e570
ଏମ୍‌.କେ.ଗାନ୍ଧୀ
- ଭୂପେନ୍‌ ମହାପାତ୍ର
ତା: ମେ ୨୮, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ମୋ ଟେବୁଲ୍‌ ଉପରେ ଭିଜିଟିଂ କାର୍ଡ଼ଟି ଦେଖି ମୁଁ ବିସ୍ମିତ ହେଲି ।
ଭିଜିଟିଂ କାର୍ଡ଼ ଦେଖି ମୁଁ ଜଣଜଣକୁ ଡାକି ବିଦା କରୁଥାଏ ।
ସପ୍ତାହକୁ ଗୋଟିଏ ଦିନ ଶନିବାର ।
ସରକାରଙ୍କ ନିୟମ ଅନୁସାରେ ସର୍ବସାଧାରଣଙ୍କୁ ସାକ୍ଷାତ ଦେଇ ତାଙ୍କ ହାରିଗୁହାରି ଶୁଣିବାକୁ ପଡ଼େ ।
‘ହାରିଗୁହାରି’ ଶବ୍ଦଟା ରାଜାରାଜୁଡ଼ା ଅମଳରୁ ଏତେ ଲୋକପ୍ରିୟ ହୋଇଯାଇଛି ଯେ, ଏବେ ମଧ୍ୟ ସରକାର ତାଙ୍କ ଚିଠିପତ୍ର ଓ ସର୍କୁଲାରମାନଙ୍କରେ ସେ ଶବ୍ଦ ବ୍ୟବହାର କରି ଆସୁଛନ୍ତି ।
ଅବଶ୍ୟ ବେଳେବେଳେ ଅଣଓଡ଼ିଆ ମନ୍ତ୍ରୀ ଓ ଅଫିସର ତାକୁ ‘ଅଭିଯୋଗ’ ବୋଲି ବା ଇଂରାଜୀରେ ‘କମ୍ପ୍‌ଲେନ୍‌’ ବୋଲି ଲେଖୁଛନ୍ତି ।
ନଚେତ୍‌ ସାଧାରଣତଃ ସେ ପୁରୁଣା ଶବ୍ଦକୁ ସମସ୍ତେ ବ୍ୟବହାର କରନ୍ତି ।
ମୋତେ ବି ଭଲ ଲାଗେ ।
ଅନେକ ଦିନର ପୁରୁଣା ଶବ୍ଦଟା ଏ ଯାଏ ଅତ୍ୟାଧୁନିକତାର ଅତ୍ୟାଚାର ସହ୍ୟ କରି ମଧ୍ୟ ଗର୍ବର ସହିତ ମୁଣ୍ଡଟେକି ଛିଡ଼ା ହୋଇଛି, ଏହା କମ୍‌ କଥା ନୁହେଁ ।
ମୁଁ ମୋ ପି.ଏ.ଙ୍କୁ ଶନିବାର ଦିନ ସେଇ ହାରିଗୁହାରି ରେଜିଷ୍ଟର ଟି ମୋ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଥାଏ ।
ସେଦିନ ସେମିତି ତିନିଚାରିଜଣଙ୍କ ଗୁହାରି ଶୁଣି ସାରିଲା ପରେ ଯେତେବେଳେ ଭିଜିଟିଂ କାର୍ଡ଼ଟି ଉପରେ ନଜର ପଡ଼ିଲା, ମୁଁ ଟିକିଏ ଅଧିକ ଉତ୍ସୁକ ହୋଇ ଉଠିଲି ।
ସେଥିରେ ଗୋଟେ ଅର୍ଡ଼ିନାରୀ ଡି.ଟି.ପି. ମେସିନ୍‌ରେ ଲେଖାଥିଲା, ‘ଏମ୍‌.କେ.ଗାନ୍ଧୀ’ ।
କାର୍ଡ଼ଟାକୁ ଦେଖି ମୋ ଭିତରେ ଯେମିତି କୌତୂହଳ ସୃଷ୍ଟି ହେଉଥିଲା, ସେମିତି ବିରକ୍ତି ମଧ୍ୟ ଜାତ ହେଉଥିଲା ।
କେହି ଜଣେ ମୋ ସହିତ ରହସ୍ୟ କରିବାକୁ ଏମିତି ସ୍ଲିପ୍‌ ପଠାଇଥିବ ବୋଲି ଭାବିଲି ।
ହୁଏତ ଭାବୁଥିବ ଯେ ଏମିତି ନାଁଟିଏ ଦେଖିଲେ ମୁଁ ତାକୁ ପ୍ରାଧାନ୍ୟ ଦେଇ ପ୍ରଥମେ ଡାକିଦେବି ।
ଏଥିପାଇଁ ଲୋକଟିର ଚତୁରପଣ ଦେଖି ମୋ ଭିତରେ ସାମାନ୍ୟ କ୍ରୋଧ ଜାତ ହେଉଥିଲେ ମଧ୍ୟ ପର ମୁହୂର୍ତ୍ତରେ ଭାବିଲି, ହେଇପାରେ ଲୋକଟା ଅସଲି ।
କିଛି ଗୁହାରି ଥିବ ନିଶ୍ଚୟ ।
ଆମ ଗଣତନ୍ତ୍ରରେ ଏମିତି କେହି ନାହିଁ ଯାହାର ଗୁହାରି କରିବାକୁ କିଛି ନଥିବ ।
ଗଣତନ୍ତ୍ର ଓ ଗୁହାରି ଏମାନେ ଓତଃପ୍ରୋତ ଭାବେ ଜଡ଼ିତ ।
ତାକୁ ଅଲଗା କରି ହୁଏ ନାହିଁ ।
ଏ ବିଷୟରେ ମୋର ଗୋଟାଏ ସ୍ବତନ୍ତ୍ର ମତ ରହିଛି ।
ମୋର ବିଶ୍ବାସ ଗୁହାରିର ଅର୍ଥ ଗଣତନ୍ତ୍ରର ମୃତ୍ୟୁ ।
ତେଣୁ ଏମ୍‌.କେ.ଗାନ୍ଧୀ ହେଲା ବୋଲି ଯେ ତା’ର କିଛି ଗୁହାରି ନଥିବ ତା’ର ମାନେ କିଛି ନାହିଁ ।
‘ଡାକିବି ?’ ମୋ ପିଅନ ଶ୍ରୀକୃଷ୍ଣ ଆସି ମୋତେ ପଚାରିଲା ।
ଅଜବ ଲୋକ ଏଇ ଶ୍ରୀକୃଷ୍ଣ ଟି ।
ମୋତେ ବି ଖରାପ ଲାଗେ ଏଇଥିପାଇଁ ଯେ, ନାଁ ତା’ର ଶ୍ରୀକୃଷ୍ଣ, କିନ୍ତୁ ଅଫିସ୍‌ରେ ପିଅନ କାମ କରୁଛି ।
ତା’କୁ ଚା’ କପ୍‌ ଧୋଇବାକୁ କହିବାକୁ ଯେମିତି ଖରାପ ଲାଗେ, ବେଳେବେଳେ ଘରେ ଯାଇ ଲୁଗାପଟା ବି ଖଣ୍ଡେ କାଚି ଦେବାକୁ, ଅନ୍ୟ ପିଅନର ଅବର୍ତ୍ତମାନରେ, କହିବାକୁ ମଧ୍ୟ ଖରାପ ଲାଗେ ।
ସବୁ ଅଫିସର୍‌ ଯେମିତି ପିଅନକୁ ‘ତୁ’ ବୋଲି ସମ୍ବୋଧନ କରନ୍ତି, ଶ୍ରୀକୃଷ୍ଣକୁ ମୁଁ ସେମିତି କରେ ନାହିଁ ।
ତା’ର ଏଇ ନାଁ ପାଇଁ ମୁଁ ତାକୁ ଅନ୍ୟ ପିଅନମାନଙ୍କ ଭିତରେ ଉଚ୍ଚତର ସ୍ଥାନ ଦେଇଥାଏ ।
ମୁଁ ଡାକିଲି, ‘ଶ୍ରୀକୃଷ୍ଣ ଏଆଡ଼େ ଆସିଲ ।’
ସେ ଏ ଯାଏ ମୋର ଅନୁମତି ପାଇଁ ଅପେକ୍ଷା କରି କବାଟ ସାମାନ୍ୟ ଖୋଲି ଠିଆ ହୋଇଥିଲା ।
ବୋଧେ ଏମ୍‌.କେ.ଗାନ୍ଧୀ ବାହାରେ ନିଜ ପାଳି ପଡ଼ିଲାଣି ବୋଲି ଭାବି ଉଠିବାକୁ ସଜବାଜ ହେଉଥିବେ ।
ମୋ ଠାରୁ ଏତେ ଶୀଘ୍ର ଅନୁମତି ପାଇବାର ଆଶା ନ ଦେଖି ସେ ତାଙ୍କୁ ହାତ ଠାରି ଅପେକ୍ଷା କରିବାକୁ କହିଲା ଏବଂ ମୋ ପାଖକୁ ଆସି ହାତ ମଳିମଳି ଠିଆ ହେଲା ।
ଶ୍ରୀକୃଷ୍ଣ ହୁଏତ ଭାବୁଥିଲା ଯେ ତା’ ଭଳି ଲୋକଠାରେ ମଧ୍ୟ ବାବୁଙ୍କ କାମ ଅଛି ?
ମୁଁ ପଚାରିଲି, ‘ଏମ୍‌.କେ.ଗାନ୍ଧୀ ନାଁରେ ଯୋଉ ଲୋକଟି ସେଠି ଅପେକ୍ଷା କରିଛି, ତୁମେ ତାକୁ ଦେଖିଥିବ ?’
‘କୋଉ ଲୋକ ସାର୍‌ ? ଗାନ୍ଧୀ ?’
‘ହଁ, ଲୋକଟା ଦେଖିବାକୁ କେମିତି ? ଆମ ମହାତ୍ମାଗାନ୍ଧୀଙ୍କ ଭଳି ?’
‘ସାର୍‌, ମୁଁ ତ ମହାତ୍ମାଗାନ୍ଧୀଙ୍କୁ ଦେଖିନି ।
ଏ ଲୋକଟା ସାଧାରଣ ଲୋକ ପରି ।
ମାନେ କଛା ମାରି ଧୋତି ପିନ୍ଧିଛି ।
ଖାଲି ଦେହ, ଚନ୍ଦାମୁଣ୍ଡ, ଖଣ୍ଡେ ଅର୍ଡ଼ିନାରୀ ଚପଲ, ଲମ୍ବ ବାଡ଼ିଟାଏ ଧରିଛି ।
ବି.ପି.ଏଲ୍‌ ବାଲା ହୋଇଥିବ କି କ’ଣ ।’
ସେ ବଡ଼ ଦମ୍ଭର ସହ କହିଲା ।
କଥା ଛଡ଼େଇ ମୁଁ କହିଲି, ‘ଆଃ ତୁମେ ଆଉ ମହାତ୍ମାଗାନ୍ଧୀଙ୍କୁ ଦେଖି ଥାଆନ୍ତ କି ? ସେ ତ କେବେଠୁ ମଲେଣି ?’
‘ମଲେଣି ? କିଏ କହିଲା ? ସେଦିନ ଆମେ ତାଙ୍କ ଜୟନ୍ତୀ ପାଳନ କଲୁ ।
ସେଦିନ ସଭାରେ ତ ସମସ୍ତେ କହିଲେ, ଗାନ୍ଧୀ ମରି ନାହାନ୍ତି ।
ସେ ଅଛନ୍ତି ।’
ଗାନ୍ଧୀଙ୍କ ବିଷୟରେ ଶ୍ରୀକୃଷ୍ଣର ଗଭୀର ଜ୍ଞାନ ଦେଖି ମୁଁ ଆଶ୍ଚର୍ଯ୍ୟ ହେଲି ।
ପିଅନ ପୋଷ୍ଟ ପାଇଁ ଆଜିକାଲି ମାଟ୍ରିକୁଲେଟ୍‌ମାନେ ଦରଖାସ୍ତ ଦେଉଛନ୍ତି ।
ଜଣେ ମାଟ୍ରିକ୍‌ ପାଶ୍‌ ଲୋକର ଜ୍ଞାନ କେତେ ସୀମିତ ହେଲାଣି ଦେଖି ମୁଁ ଆଶ୍ଚର୍ଯ୍ୟ ହେଉଥିଲି ।
‘ତେବେ ତୁମେ କଅଣ କହୁଛ ଗାନ୍ଧୀ ମରି ନାହାନ୍ତି ?’ ମୁଁ ପଚାରିଲି ।
‘ମୋଟେ ନୁହେଁ ।
ଗାନ୍ଧୀ ମରିଥିଲେ ଏ ଦେଶ ଥାଆନ୍ତା ? ଇଏ ବି ମରି ସାରନ୍ତାଣି ।
ଆପଣ ସାର୍‌ ଆମ ଲୋକଙ୍କୁ ଚିହ୍ନି ନାହାନ୍ତି ?’ ସେ ହସି ହସି କହିଲା ।
ମୁଁ ତା’ କଥା ଶୁଣି ସ୍ତମ୍ଭୀଭୂତ ହେଇଗଲି ।
ମୋର ମନେ ହେଲା ଶ୍ରୀକୃଷ୍ଣ ମାଟ୍ରିକ୍‌ ନୁହେଁ, ଏମ୍‌.ଏ. ପାଶ୍‌ କରିଥିବ ।
ତା’ କଥାରୁ ମୋର ଇମିତି ଗୋଟିଏ ଧାରଣା ହେଲା ଯେ, ଯେଉଁମାନେ ଗାନ୍ଧୀ ବଞ୍ଚିଛନ୍ତି ବୋଲି କହୁଛନ୍ତି ସେମାନେ ପ୍ରକୃତରେ ଗାନ୍ଧୀଙ୍କୁ ମାରିଛନ୍ତି ଏବଂ ଶ୍ରୀକୃଷ୍ଣ ଭଳିଆ ଯୋଉଁମାନେ ଗାନ୍ଧୀଙ୍କ ଅସ୍ତିତ୍ବ କଥା ମୋଟେ କିଛି ଜାଣି ନାହାନ୍ତି, ସେଇମାନେ ହିଁ ଗାନ୍ଧୀଙ୍କୁ ବଞ୍ଚେଇ ରଖିଛନ୍ତି ।
ଶ୍ରୀକୃଷ୍ଣର ଗାନ୍ଧୀ ବିଷୟରେ ଜ୍ଞାନ ଦେଖି ମୋର କୌତୂହଳ ବଢ଼ିଲା ।
ମୁଁ କହିଲି, ‘ତୁମେ ତେବେ କଅଣ କହୁଛ, ଗାନ୍ଧୀ ମରି ନାହାନ୍ତି ?’
‘ମୁଁ କହୁନି ସାର୍‌, ସମସ୍ତେ କହୁଛନ୍ତି ।
କିନ୍ତୁ ମୁଁ କହୁଛି ଗାନ୍ଧୀ ହଜି ଯାଇଛନ୍ତି ।’
‘ହଜି ଯାଇଛନ୍ତି ? ମାନେ ମରି ନାହାନ୍ତି କି ବଞ୍ଚି ନାହାନ୍ତି ?’ ମୁଁ କହିଲି ।
ଶ୍ରୀକୃଷ୍ଣ ଚମକି ପଡ଼ି ତା’ ପାଟିରେ ଆଙ୍ଗୁଳି ରଖିଲା ।
ଗୋଟାଏ ଗୁରୁତ୍ତର ଭୁଲ୍‌ ହେଇ ଯାଇଛି ବୋଲି ସେ ଭାବିଲା ।
ପୁଣି ପର ମୁହୂର୍ତ୍ତରେ ସେ ଭାବିଲା ତେବେ ଠିକ୍‌ କଥାଟା ଆଉ କଅଣ ହୋଇପାରେ ? ଏପରି କଅଣ କହିଲେ, ପ୍ରଶ୍ନର ଉତ୍ତର ଠିକ୍‌ ହେବ ? ଅଧିକନ୍ତୁ ତାକୁ ତା’ ସାର୍‌ ବୋକା ବୋଲି ଭାବିବେ ନାହିଁ ? ସେ ମୁଣ୍ଡ କୁଣ୍ଡେଇଲା ।
ଏତେବେଳେ ମୋର ପ୍ରଶ୍ନ ଥିଲା, ‘ଏତେ ବଡ଼ ଲୋକଟା ହଜିଯିବ କେମିତି ?’
ଏଥର କି ଉତ୍ତର ଶ୍ରୀକୃଷ୍ଣ ଦେବ ତାକୁ ଶୁଣିବା ପାଇଁ ମୁଁ ଉଦ୍‌ଗ୍ରୀବ ହୋଇ ତା’ ମୁହଁକୁ ଚାହିଁ ବସିଲି ।
କିନ୍ତୁ ତା’ର ଉତ୍ତରଟା ଯେ ଏତେ ସହଜ ଓ ସୁନ୍ଦର ହେବ, ମୁଁ ତା ଭାବି ନଥିଲି ।
ସେ କହିଲା, ‘କାହିଁକି ସୁଭାଷ ବୋଷ କଅଣ ମରିଛନ୍ତି କି ? ସେ ଯଦି ମରି ଥାଆନ୍ତେ, ତେବେ ତାଙ୍କୁ ଏତେ ଲୋକ ଏତେବର୍ଷ ହେଲା ଖୋଜୁ ଥାଆନ୍ତେ ? କିଏ ଜଣେ ମୋତେ ସେଦିନ କହୁଥିଲା ଯେ, ଭାରତ ସରକାର ପୁଣି ଥରେ ତଦନ୍ତ କରୁଛନ୍ତି ।’
ସେ ଟିକିଏ ରହିଗଲା ଏବଂ ପୁଣି କହିଲା, ‘ସାର୍ ଗୋଟିଏ କଥା ।’
ସେ କାନମୂଳରେ ହାତ ଦେଇ ମୋତେ କହିଲା ।
‘କଅଣ କୁହ ।’ ମୁଁ କହିଲି ।
ସେ ଯେ ଗୋଟାଏ ଅଜବ କଥା କହିବ, ଏକଥା ମୁଁ ଜାଣିଥିଲି ।
ସେ କହିଲା, ‘ଆମ ଗାଁ ଗୋପାଳପୁର ଥାନାବାବୁ ବହୁତ ଭଲ ଲୋକ ।’
‘ଆଚ୍ଛା ? ଭଲ ହେଲା ।
କିନ୍ତୁ ତୁମେ କଅଣ କହିବାକୁ ଚାହୁଁଛ ?’ ମୁଁ କହିଲି ।
‘ସୁଭାଷଙ୍କୁ ଖୋଜିବାକୁ ଏତେ ବଡ଼ ବଡ଼ ଲୋକ ନ ପଠେଇ, ତାଙ୍କୁ କହିଲେ ଦି’ଦିନରେ ସେ ପାତାଳରୁ ଆଣି ଠିଆ କରେଇ ଦିଅନ୍ତେ ।
କେତେ ବଡ଼ ବଡ଼ ଚୋରଙ୍କୁ….’
ମୁଁ ହସି ପକେଇଲି ।
ମୁଁ ହସିବା ଦେଖି ସେ ଭାବିଲା କଥାଟା ବୋଧେ ଭଲ ହେଲା ନାହିଁ ।
ଏମିତି କଥାଟା କହିବା ତା’ର ଉଚିତ ହେଲା ନାହିଁ ।
ମୁଁ ପଚାରିଲି, ‘ଆଚ୍ଛା ମହାତ୍ମାଗାନ୍ଧୀଙ୍କୁ ତେବେ କିଏ ଖୋଜି ଆଣିପାରିବ ?’
‘ଆମେ ସମସ୍ତେ ।
ଗୋଟିଏ ହୁଲିଆ ଜାରି ହେଲେ ସମସ୍ତେ ଏଥିରେ ଲାଗିପଡ଼ିବେ ।
ସମସ୍ତେ ନ ହେଲେ ହଜିବା ଲୋକଙ୍କୁ ଖୋଜି ହେବ ନାହିଁ ।’
ମୋ ପି.ଏ. ପଶିଆସି କହିଲେ, ‘ସାର୍‌ ଆଉ ଜଣେ ମାତ୍ର ଅଛି ଗୁହାରି କରିବାକୁ ।
ମୁଁ ତାକୁ ଆଉ ଦିନେ ଆସିବାକୁ କହନ୍ତି, କିନ୍ତୁ ସେ ତ ମୋଟେ ଚଙ୍କୁ ନାହିଁ ।
ପଥରଟେ ପରି ବସିଚି ଯେ ବସିଚି ।
ଟିକେ ବି ହଲୁ ନାହିଁ ।
ତପସ୍ୟା କଲା ପରି ବସିଛି ।’
ମୁଁ ଏଥର ଶ୍ରୀକୃଷ୍ଣକୁ କହିଲି, ‘ଯାଅ, ପଠେଇ ଦିଅ ।’
ସେ ଆସିଲେ ।
ମୁଁ ତାଙ୍କୁ ଦେଖି ଚମକି ପଡ଼ିଲି ।
ଇଏ ତ ସେଇ ଏମ୍‌.କେ.ଗାନ୍ଧୀ ।
ହଁ ତ, ଠିକ୍‌ ସେଇ ଚେହେରା ।
ଶୀର୍ଣ୍ଣ ଶରୀର ।
ଏକଦମ୍‌ ଚନ୍ଦାମୁଣ୍ଡ ।
ଖାଲି ଦେହ ।
ଆଣ୍ଠୁ ଉପରକୁ ଲୁଗା ।
ସିଧା ଠିଆ ହୋଇ ପାରୁନାହାନ୍ତି ।
କିନ୍ତୁ ହାତରେ ବାଡ଼ି ନାହିଁ ।
ମୁଁ ଚେଆର ଛାଡ଼ି ଠିଆ ହେଲି ।
ହାତଯୋଡ଼ି କାକୁସ୍ଥ ହୋଇ କହିଲି, ‘ବାପୁ ଆପଣ ।’
ସେ ହସିଲେ ।
ସେଇ ହସ ।
ନିର୍ମଳ ଓ ପ୍ରାଣଖୋଲା ହସ ।
ମୋର ମନେ ହେଲା ଦାନ୍ତ ନଥିବା ପାଟିର ହସ ମୁଁ ଯେତେ ଯୋଉଠି ଦେଖିଛି, ବାପୁଙ୍କ ହସ ତା’ ଭିତରେ ସର୍ବଶ୍ରେଷ୍ଠ ।
କେବଳ ମାଆ କସ୍ତୁରବା ସେ ହସଟିକୁ ଭଲ ପାଆନ୍ତି ନାହିଁ ।
ତା’ନହେଲେ ପୃଥିବୀରେ ଆଉ କେହି କେବେ ସେ ହସକୁ ବାଛିଦେଇ ନାହିଁ ।
କେବଳ ମାଆ କସ୍ତୁରବା କହନ୍ତି, ‘ତୁମେ ସବୁକଥାରେ ଗୋଟାଏ କ’ଣ ହସୁଛ ? ଜଣେ ଭଲ କହିଲେ ହସିବ, ଖରାପ କହିଲେ ହସିବ ? ଜଣେ ତୁମକୁ ଗାଳି ଦେଲେ ହସିବ, ଜଣେ ତୁମକୁ ଶ୍ରଦ୍ଧା କଲେ ହସିବ ? ଈଶ୍ବର ତୁମକୁ ହସ ଏଥିପାଇଁ ଦେଇଛନ୍ତି ?’ ମାଆ ଏଥିପାଇଁ ବାପୁଙ୍କୁ ତାଗିଦ୍‌ କରୁଥିଲେ ।
ସେମିତି ହସୁ ହସୁ ସେ କହିଲେ, ‘ଆପଣ ଭୁଲ୍‌ କରନ୍ତୁ ନାହିଁ ।
ମୁଁ ସିଏ ନୁହେଁ, ଯାହାଙ୍କ କଥା ଆପଣ ଭାବୁଛନ୍ତି ।
ମୁଁ ଆଉ ଜଣେ ।
ସେ ଏମ୍‌.କେ.ଗାନ୍ଧୀର ତ କେବେଠୁ ମୃତ୍ୟୁ ହୋଇଯାଇଛି ।
ଆପଣ ତ ଜାଣିଥିବେ-ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନଂ କୁତଃ ? ସିଏ ମରି ସାରିଛନ୍ତି, ଆଉ କେଉଁଠୁ ଆସିବେ ?’
ମୋର ସେତେବେଳେ ଶ୍ରୀକୃଷ୍ଣ କଥା ମନେ ପଡ଼ିଲା ।
ମୋର ତାକୁ ପାଟିକରି ଡାକିବାକୁ ଇଚ୍ଛା ହେଉଥିଲା ।
କିନ୍ତୁ ଦରଜା ଭିତରକୁ ଡାକିଲେ କିଏ ଶୁଣିବ ? ପାଟି କରି ଡାକିବାକୁ ହେଲେ କବାଟ ଖୋଲା ଦରକାର ।
ଡାକିବାକୁ ହେଲେ ଯେ ବେଲ୍‌ ଚିପିବାକୁ ହୁଏ ସେକଥା ଆଉ ମୋର ମନେ ପଡ଼ିଲା ନାହିଁ ।
ଗାନ୍ଧୀ ଯେ ମରି ନାହାନ୍ତି, ଏକଥା ଶ୍ରୀକୃଷ୍ଣ ହିଁ ଜୋର ଦେଇ କହୁଥିଲା ଏଇ ଟିକକ ଆଗରୁ ।
ମୁଁ କହିଲି, ‘ଆପଣ ମୋତେ ଭୁଲେଇବାକୁ ଚେଷ୍ଟା କରୁଛନ୍ତି ।
ମୋତେ ଆପଣ କେବେ ବି ଭୁଲେଇ ପାରିବେ ନାହିଁ ।
ମୁଁ କଅଣ ଆପଣଙ୍କୁ ଜାଣି ନାହିଁ ? ମୁଁ କଅଣ ଆପଣଙ୍କୁ ଦେଖିନାହିଁ ? ଆପଣଙ୍କୁ କିଏ ଦେଖିନାହିଁ ନା ଚିହ୍ନିନାହିଁ ?’
‘ଏବେ ବି ଦେଖୁଛି ।
ହେଇ ଦେଖୁନାହାନ୍ତି ?’ ମୁଁ ମୋ ଚେଆର ପଛପଟେ କାନ୍ଥରେ ଟଙ୍ଗା ଯାଇଥିବା ଫଟୋକୁ ହାତ ଦେଖାଇଲି ।
ଆପଣ ତାଙ୍କୁ ଦେଖି ମୁଁ ବୋଲି ଭାବୁଛନ୍ତି ? ସେ କହିଲେ ?
ମୁଁ ଆଶ୍ଚର୍ଯ୍ୟ ହେଲି ।
ଥରେ ଫଟୋକୁ ଦେଖିଲି ଏବଂ ପୁଣି ଥରେ ତାଙ୍କୁ ଦେଖିଲି ।
ଫଟୋରେ ସେ ଚାଦର ଘୋଡ଼ିଛନ୍ତି ।
ଆଉ ଏଠି ତାଙ୍କ ଦେହଟା ଫୁଙ୍ଗୁଳା ।
ପଞ୍ଜରା ହାଡ଼ଗୁଡ଼ିକ ବେଶ୍‌ ଗଣି ହେଇଯାଉଛି ।
ତାଙ୍କ ଖାଲି ଦେହକୁ ଥଣ୍ଡା ଲାଗିବ ଭାବି ମୁଁ ରୁମ୍‌ରେ ଚାଲୁଥିବା ଏସିଟାକୁ ବନ୍ଦ କରିଦେଲି ।
ରୁମ୍‌ ଭିତରେ ତଥାପି ଥଣ୍ଡା ଥିଲା ।
ମୁଁ କହିଲି, ‘ଗୋଟାଏ ଚାଦର ମଗେଇବି ? ଥଣ୍ଡା ଲାଗୁଥିବ ।’
ସେ କହିଲେ, ‘ଏମିତି ତ ଜନ୍ମ ହେଇଥିଲି ଖାଲି ଦେହରେ, ଯିବି ବି ଖାଲି ଦେହରେ ।
ଚାଦରଟେ ଆଉ କ’ଣ ହେବ ? ଖାଲି ଦେହରେ ମୁଁ ଥଣ୍ଡା ଓ ଗରମ ସବୁ ସହିପାରେ ।’
ସେ ଟିକିଏ ରହିଗଲେ, ତା’ପରେ କହିଲେ, ‘ସେ ଯନ୍ତ୍ରଟାକୁ ବନ୍ଦ କରିଦେଲେ ଆପଣଙ୍କୁ କଷ୍ଟ ହେବନି ?’
ମୋ ଗାଲରେ ଯେମିତି କିଏ ଚାପୁଡ଼ାଏ ପିଟିଦେଲା ।
ମନକୁ ମନ ମୋ ହାତଟା ଉଠିଯାଇ ଗାଲକୁ ଆଉଁସି ପକେଇଲା ।
ସେ କହିଲେ, ‘ହଉ ଛାଡ଼ନ୍ତୁ ସେକଥା ।
ଆପଣ ମୋତେ ଦେଖିଥିଲେ ଦେଖିଥିବେ ।
ମୋର ସେଥିରେ ଆଉ କିଛି କହିବାର ନାହିଁ ।
ମୁଁ କିନ୍ତୁ ଏମ୍‌.କେ.ଗାନ୍ଧୀ ।
ଆସିଚି ଗୁହାରି କରିବାକୁ ।
କେବେଠାରୁ ଆସିବି ବୋଲି ଭାବୁଥିଲି ।
କିନ୍ତୁ ପାରୁଚି କେଉଁଠି ?’
ମୁଁ କହିଲି ‘ମୋତେ କହିଥିଲେ ମୁଁ ଆପଣଙ୍କ ପାଖକୁ ଯାଇଥାଆନ୍ତି ।
ଆପଣ ଏତେ କଷ୍ଟ କରି… ।’
ସେ ପୁଣି ହସିଲେ ।
ଏଥର ସେ ହସିଲାବେଳେ ତାଙ୍କ ଆଖିରେ ଲୁହ ଦେଖାଗଲା ।
ପୂରା ଆଖି ଦି’ଟାରେ ପାଣି ଭର୍ତ୍ତି ହୋଇଗଲା ।
ତାଙ୍କ କଣ୍ଠ କେମିତି ଜଡ଼ିଜଡ଼ି ଆସିଲା ।
ସେ ଯେମିତି କିଛି କହିବାକୁ ଚାହୁଁଛନ୍ତି, କହିପାରୁ ନାହାନ୍ତି ।
କିଛି ସମୟ ପରେ ନିଜ କୋହକୁ ସମ୍ଭାଳି ନେଇ ଏବଂ ଗୋଟାଏ ଦୀର୍ଘଶ୍ବାସ ପକେଇ ସେ କହିଲେ, ‘ସେଇ ସେତକ ଯଦି ହୋଇପାରୁଥାଆନ୍ତା, ତେବେ ଭାରତବର୍ଷ ଏତେବେଳକୁ ସୁନାର ଭାରତବର୍ଷରେ ପରିଣତ ହେଇସାରନ୍ତାଣି ।’
ଏତକ କହିସାରି ଚୁପ୍‌ ହୋଇ ତଳକୁ ମୁହଁ ପୋତି ଚେୟାରରେ ବସି ରହିଲେ ।
ଗୋଲ ଟେବୁଲ୍‌ ବୈଠକରେ ମହାତ୍ମାଗାନ୍ଧୀ ଯେମିତି ମେମୋରେଣ୍ଡମ୍‌ଟା ଧରାଇ ଦେଇ ବଡ଼ ଗମ୍ଭୀର ହେଇ ବସି ରହିଥିଲେ ।
ମୁଁ ତାଙ୍କ ମୁହଁକୁ ଦେଖୁଥିଲି ।
ଯେମିତି ଅନେକ ଦୁଃଖ ଓ ଚିନ୍ତାର ରଙ୍ଗସବୁ ତାଙ୍କ ମୁହଁରେ ଉକୁଟି ଉଠୁଚି ।
ତାଙ୍କର ସେଇ ପଦେ କଥାରେ ମୁଁ ବଡ଼ ଅପ୍ରସ୍ତୁତ ହେଇପଡ଼ିଲି ।
ମୋ ପାଖରେ ସେଠୁ ଖସିଯିବାର ବାଟ ନ ଥିଲା ।
ଗୋଟେ ବିରାଟ ସାମ୍ରାଜ୍ୟ ଯେତେବେଳେ ତାଙ୍କ ହାତ ମୁଠାରୁ ଖସି ନ ଯାଇପାରି ତ୍ରାହିତ୍ରାହି ଡାକ ଛାଡ଼ିଥିଲା ଏବଂ ଶେଷରେ ଆତ୍ମସମର୍ପଣ କରି ଦେଶ ଛାଡ଼ି ପଳାଇଲା, ସେତେବେଳେ ମୁଁ କିଏ ? ମୁଁ ତ ଅତି ନଗଣ୍ୟ ।
ମୁଁ ବି ଏଥର କେମିତି ତାଙ୍କଠାରୁ ମୁକ୍ତି ପାଇବି ସେକଥା ଚିନ୍ତା କରୁଥିଲି ।
ଏଥର ସାହସ ସଞ୍ଚୟ କରି କହିଲି, ‘ହଉ, ଆପଣଙ୍କ କଥା କୁହନ୍ତୁ ।
ଆପଣ ଯଦି ସେ ଏମ୍.କେ.ଗାନ୍ଧୀ ନୁହନ୍ତି, ତେବେ କୁହନ୍ତୁ ଆପଣ କ’ଣ ଗୁହାରି କରିବାକୁ ଆସିଛନ୍ତି, କୁହନ୍ତୁ ଶୀଘ୍ର ।
ମୋର ସମୟ ଯଥେଷ୍ଟ କମ୍‌ ।
ଅନେକ କାମ ତେଣେ ବାକି ପଡ଼ିଛି ।
ଅନେକ ମିଟିଂ ଅଛି ।
ଚିଫ୍‌ଙ୍କ ସହିତ ଓ ହେଡ୍‌ସ ଅଫ୍‌ ଦି ଡିର୍ପାଟମେଣ୍ଟ ସହିତ ।
ଆସନ୍ତାକାଲିଠୁ ମାସିକିଆ ବିଧାନସଭା ବସିବ ।
ସେଠି ଉତ୍ତର ଦରକାର ହୁଏନି ।
ଖାଲି ପ୍ରଶ୍ନ ।
ମୋତେ ପ୍ରସ୍ତୁତ ହେବାକୁ ପଡ଼ିବ ।
ଏଠି ଏସବୁ କାମରେ ବ୍ୟସ୍ତ ରହିବାକୁ ମୋର ବେଳ ନାହିଁ ।
ହଁ କୁହ ।
ଆଗରୁ ପ୍ରସ୍ତୁତ ହେଇ ଆସିଥାଆନ୍ତ ସିନା ।’
ସେ ସେମିତି ହସିଲେ ଓ କିଛି କହିବା ପୂର୍ବରୁ କାଶିଲେ ବାରମ୍ବାର ।
‘ଟିକିଏ ପାଣି ପିଇବ ?’ ମୁଁ ପାଣି ଗ୍ଲାସ୍‌ଟିକୁ ତାଙ୍କ ଆଡ଼କୁ ବଢ଼େଇ ଦେଲି ।
ସେ ହାତ ହଲେଇ ମନା କଲେ ।
କହିଲେ ‘ସାତଦିନ ହେଲା ଜଳସ୍ପର୍ଶ କରିନାହିଁ ।
ଆଜି ଏଠି କେମିତି ପାଣି ପିଇଦେବି ? ମୋତେ ସେମାନେ କ’ଣ କହିବେ ?’
‘ଜଳସ୍ପର୍ଶ କରିନାହିଁ ? କାହିଁକି ? କିଏ କ’ଣ କହିବ ? ମୁଁ ବୁଝିପାରୁନି ।’
‘ସେଇ ଯୋଉମାନେ ଗେଟ୍‌ ସାମ୍ନାରେ ବସିଛନ୍ତି ।’ ସେ କହିଲେ ।
‘ଆଃ, ସେଥିରେ ତୁମର କ’ଣ ଅଛି ? ସେଇଟା ଗୋଟାଏ ଭିନ୍ନ ପ୍ରଶ୍ନ ।
’ ମୁଁ ପି.ଏ.ଙ୍କୁ ଡକେଇଲି ।
ଶ୍ରୀକୃଷ୍ଣଙ୍କୁ ମଧ୍ୟ ଡାକିଲି ।
ସେମାନେ ଆସି ତାଙ୍କୁ ବୁଝାସୁଝା କରି ବାହାରକୁ ନେଇଗଲେ ।
ମୁଁ ଗୋଟାଏ ବିରାଟ ଅସ୍ବସ୍ତିକର ପରିସ୍ଥିତିରୁ ମୁକ୍ତି ପାଇଗଲି ବୋଲି ଭାବୁଥିଲି ଏବଂ ଟେବୁଲ ଉପରେ ମୁଣ୍ଡରେ ହାତଦେଇ ବସିଗଲି ।
କିଛି ସମୟ ପରେ ବାହାରେ କ’ଣ ଗୋଟାଏ ଗୋଳମାଳ ହେବାର ଶୁଣି ମୁଁ ଦଉଡ଼ି ଆସିଲି ।
ଦେଖିଲି ସେ ଲୋକଟିକୁ ଘେରି ମୋର ପି.ଏ. ଓ ଅନ୍ୟ କେତେଜଣ ଠିଆ ହୋଇଛନ୍ତି ।
ମୁଁ ତାଙ୍କ ପାଖକୁ ଯିବାକୁ ଅନ୍ୟମାନେ ଆଡ଼େଇ ଗଲେ ।
ପଚାରିଲି, ‘କଅଣ ହେଲା ।’
ସେ କହିଲେ, ‘ମୁଁ ଆପଣଙ୍କ ଅଫିସ୍‌କୁ ଗଲାବେଳେ ମୋ ବାଡ଼ିଟା ଏଠି ପି.ଏ. ବାବୁଙ୍କୁ ଦେଇ ଯାଇଥିଲି ।
ସେ ବାଡ଼ି ଅଫିସର୍‌ଙ୍କ ରୁମ୍‌କୁ ନେବାର ନିୟମ ନାହିଁ ବୋଲି କହିଲେ ।
ଏବେ ଆସି ଦେଖୁଛି, ବାଡ଼ିଟା ନାହିଁ ।
ମୁଁ ଏବେ କ’ଣ କରିବି ?’
ଶ୍ରୀକୃଷ୍ଣ ଏତିକିବେଳେ ଦଉଡ଼ି ଦଉଡ଼ି ସେ ଆଡ଼ୁ ଆସିଲା ।
ସେ ଧଇଁସଇଁ ହେଇ କହିଲା, ‘ଗେଟ୍‌ ପାଖରେ ଗୋଳମାଳ ହେବାରୁ ଏଠୁ ପୋଲିସ୍‌ବାଲା ଦଉଡ଼ି ଗଲାବେଳେ ବାଡ଼ିଟାକୁ ନେଇଯାଇଛନ୍ତି ।
ଏ ବାବୁ ମୋ ସାଙ୍ଗରେ ଆସନ୍ତୁ ।
ମୁଁ ଗେଟ୍‌ ପାଖରୁ ସେ ବାଡ଼ିଟା ଆଣିଦେବି ।
ସେ ବାଡ଼ି ସେମାନଙ୍କର ଆଉ କ’ଣ ହେବ ?’
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment