Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
cc5d18e1
Commit
cc5d18e1
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2a683e20
Changes
1
Show whitespace changes
Inline
Side-by-side
Showing
1 changed file
with
404 additions
and
0 deletions
+404
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2
...l-corpora/odiasahitya.com/sent_odiasahitya_nabapratibha_2
+404
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_nabapratibha_2
0 → 100644
View file @
cc5d18e1
କଣ୍ଟା
- ଶୈଳେନ୍ଦ୍ର କୁମାର ଜେନା
ତା: ଅକ୍ଟୋବର୍ ୨୧, ୨୦୧୬
ମୂଳ ପୃଷ୍ଠା → ନବ ପ୍ରତିଭା → ଗଳ୍ପ →
ଜଡ଼ାକୁ ଖବର ମିଳିଲା ଖନା ବୁଢା ମରିଗଲା ବୋଲି ।
କୁଞ୍ଜ କହିଲା, ‘ ଆବେ ଜଡ଼ା… ତୋ ବାଆ ମରିଗଲା ।’
ସବୁଦିନ ପରି ଗାଈ ଚରାରୁ ଫେରି, ଜଡ଼ା ଶୌଚ ହେବା ପାଇଁ ଗଛ ଉପରକୁ ଚଢି ପାଣି ଭିତରକୁ ମାଙ୍କଡ ପରି ପ୍ରଥମ ଡିଆଁ ମାରିଥିଲା ।
ମାତ୍ର, ଏମିତିକା ଖବର ଶୁଣି ଅତର୍ଚ୍ଛାରେ ଘରକୁ ଧାଇଁଲା ।
ଗାଆଁ ମୁଣ୍ଡରେ ତାଙ୍କର କୁଡ଼ିଆ ।
ପୋଖରୀ ତୁଠରୁ ଘର ଡାକେ ବାଟ ।
ଧଇଁ ସଇଁ ହୋଇ ଜଡ଼ା ଧାଇଁଥିଲା ।
ତାକୁ ଲାଗୁଥିଲା ଯେମିତି ବାଟଟା ଅନେକ କୋଶ ଲମ୍ୱି ଯାଇଛି ଅଚାନକ ।
ଅଣନିଶ୍ୱାସୀ ସହିତ ଓଠ ତଣ୍ଟି ଶୁଖି ଅଠା ହୋଇଯିବା ପରି ଲାଗୁଥିଲା ।
ଆଖିରୁ ଜୁଳୁ ଜୁଳିଆ ପୋକ ବାହାରି ପଡୁଥିଲା ।
ଗାଆଁ ଦାଣ୍ଡରେ ଲୋକ ପଚାରୁଥିଲେ, ‘ କଣ ହେଲା କିରେ ଜଡ଼ା, …?’
ବଖୁରିକିଆ ଘରର ମାଟି ଲିପା ଝାଟିମାଟି କବାଟ ଅଧା ଖୋଲା ଥିଲା ।
ଛୋଟ ଝରକାଟିରୁ ଆସୁଥିଲା କ୍ଷୀଣ ଆଲୋକ ।
ଜଡ଼ା ଯାହା ଦେଖିଲା, ତା ହୋସ୍ ଉଡ଼ିଗଲା ପରି ଲାଗିଲା ।
ଲାଗିଲା, ପାଦ ତଳୁ ମାଟି ଅତଡା ଖସୁଛି ।
ବାଆ ଚିତ୍ ହୋଇ ଶୋଇଥିଲା ।
ଦେହରେ ଅଣ୍ଟା ପାଖରେ କେବଳ ଥିଲା ମଳିଚିଆ ଲୁଗାଖଣ୍ଡେ ।
ପବନରେ ସେଇଟା ବି ଉଡ଼ିଆସି ତା ପେଟ ଉପରେ ପଡ଼ିଥିଲା ।
ଗୁପ୍ତାଙ୍ଗରୁ ଅଧା ଦେଖାଯାଉଥିଲା ।
ତା’ ଛାତିର ପଞ୍ଜରା ହାଡ଼ ଗୁଡ଼ାକ ଭିତରକୁ ପଶି ଯାଇଥିଲା ।
ଛାତି ଉପରର ଧଳା ଫୁରୁଫୁରୁ ବାଳ ପବନରେ ଉଡୁଥିଲା ।
ବୁଢା ଜିଭ କାମୁଡ଼ି ଦେଇଥିଲା ।
ତା ପାନ ଖିଆ ଅଧା ପାକୁଆ ପାଟିଟା କେମିତି ବିଚିତ୍ର ଦେଖା ଯାଉଥିଲା ।
ପାଟି ଭିତରୁ ରକ୍ତ ଧାରେ ନିଗିଡ଼ି ଯାଇଥିଲା ଗାଲ ଉପରେ ।
ମୁଣ୍ଡ ତଳେ ମୁଚୁଳା ହୋଇ ରହିଥିଲା ଗାମୁଛା ।
ଜଡ଼ା ତଳେ କଚାଡ଼ି ହୋଇ ପଡ଼ିବା ପୂର୍ବରୁ ବଡ଼ ପାଟିରେ କାନ୍ଦିବା ଆରମ୍ଭ କଲା, ‘ ବାଆ, ବାଆ…. ବାଆଲୋ…….. ।’
ତା ପିଠିରେ ବସିଲା ଶକ୍ତ ଚାପଡ଼ାଟାଏ ।
ଉଠି ଦେଖିଲା ତା ବାଆ ତା ପାଖରେ ବସି ପାକୁଆ ପାଟି ମେଲେଇ କପଟିଆଙ୍କ ପରି ହସୁଥିଲା ।
‘ କହିଲା, ଶଶୁର ପୁଅ, ଏତେ ବେଳ ହେଲାଣି, ସକାଳୁ କିଛି ଖାଇନୁ, କୁଆଡ଼େ ଯାଇଥିଲୁ, ମୋ ମଲା ଖବର ଶୁଣି ଧାଇଁ ଆସିଲୁ? ମୁଁ ମଲେ ତ ତୋର ଖୁସି…!’ ଖନା ବୁଢା ତା ପାଟି କଳରୁ ବୋହି ଯାଇଥିବା ପାନ ଛେପକୁ ଗାମୁଛାରେ ପୋଛିବାକୁ ଲାଗିଲା ।
ମାଡ଼ ଖାଇ ରାଗିକରି ବୁଢାକୁ ଦି ବିଧା କଷିବା ବଦଳରେ ଜଡ଼ାକୁ କାନ୍ଦ ମାଡିଲା ।
ବୁଢାର ହାଡୁଆ ଦେହଟାକୁ ଜାବୁଡିଧରି ଖୁବ୍ ଯୋରରେ କାନ୍ଦିବାକୁ ଲାଗିଲା ।
କହିଲା, ‘ବାଆଲୋ… ତତେ ମରଣ ହଉନି…ଯଦି ସତରେ ତୁ ମରିଯାଇଥାନ୍ତୁ !’
ଜଡ଼ା କହିଲା, ‘ ଏମିତିକା ନାଟକ କଲୁଯେ, ଅଧା ଗାଧୁଆରୁ ଧାଇଁଛି ମୁଁ ।
ତୋ ପାଇଁ ଦି’ଟା ତୋଡ଼ୀ ଆଉ ବନ୍ଶୀ ଖଡ଼ାରେ ଆଠ ଦଶଟା କରାଣ୍ଡି ଧରିକି ଆଣିଥିଲି ।
ସେଗୁଡ଼ାକ ପୋଖରୀ ତୁଠରେ ଗାଞ୍ଜିଆରେ ଥୋଇ ଦେଇ ଆସିଛି, ବିଲେଇ ନେଇ ଯାଇଥିବ କି କଣ… ।’
ଆଜି ବାଆ ଆଉ ପାଖରେ ନାହିଁ ।
ଦୂରରେ ଅଛି ।
ଯୋଜନ ଯୋଜନ ଦୂରରେ ।
କଳନା କରିହୁଏ ନାହିଁ ସେ ଦୂରତା ।
ବାପା ମାଆଙ୍କୁ ପିଲା ବେଳୁ ଦେଖିନି ।
ଆଖି ଖୋଲିବା ଦିନଠାରୁ କେବଳ ବାଆକୁ ଦେଖିଛି ।
ଗାଆଁ ମୁଣ୍ଡରେ କୁଡ଼ିଆ କରି ଜେଜେ ଓ ନାତି ଦୁହେଁ ରହନ୍ତି ।
ବାଆ ଜିଦ୍ କରି ତାକୁ ସହରକୁ ପଠେଇ ଦେଇଛି ।
ଆଜି ଦୁଃଖ ବେଳାରେ ତାର ସେହି ହସ ହସ ମାୟାବୀ ମୁହଁଟା ଆଖି ଆଗରେ ନାଚି ଯାଉଛି ।
ତା’ କଥା ଶୁଣା ଯାଉଛି, ‘ ବାଇଆଟା କିରେ…’
ଜଡ଼ା ମନେ ମନେ କାନ୍ଦିଲା, ‘ ବାଆଲୋ…. ।’
ପୁଣି ଭାବିଲା, ମନେ ମନେ କାହିଁକି କାନ୍ଦିବ ମଁ ?
କିଏ ଅଛି ଯେ ଅନ୍ଧାରକୁ ଡରି ଦରବୁଢା ଟୋକାଟା କାନ୍ଦୁଛି ବୋଲି ଦେଖି ହସିବ ?
ରାସ୍ତା ତ ଶୂନ୍ଶାନ୍ ।
ଅନ୍ଧାର ଲମ୍ୱିଛି ଚାରିଆଡ଼େ ।
ବଡ଼ ପାଟିରେ କାନ୍ଦିଲେ, ଠାକୁର କାଳେ ଶୁଣିବେ ।
କାହାକୁ ପଠେଇଦେବେ ସାହାଜ୍ୟ ପାଇଁ ।
ଜଡ଼ା ଉଚ୍ଚ ସ୍ୱରରେ କାନ୍ଦିବାକୁ ଆରମ୍ଭ କଲା ।
ଚାରିଆଡ଼କୁ ଦେଖିଲା ।
କେହି ନାହାଁନ୍ତି ତ’? କାଳେ କିଏ ଥିବେ ।
ଆଜି ତାର ଏ ଦୁର୍ଦ୍ଦିନ ପାଇଁ ବାଆ ଦାୟୀ ।
କହିଲା, ‘ ମୁଁ ତ ମଲା ଗଲା ଲୋକ ।
ଯମ ଡାକରା ଆସିଲାଣି ।
କେତେ ଦିନ ବଞ୍ଚିବି ଯେ, ପରଘରେ ପାଇଟି କରି ତତେ ଖୁଏଇବି! ତୁ କଣ ମୋ ସାଙ୍ଗରେ ମରିବୁ ? ଉପରକୁ ଗଲେ ତୋ ବାପା ବୋଉକୁ ମୁଁ କି ଜବାବ ଦେବି ? ଯାଃ…. କୁସିଆ ସାଙ୍ଗରେ ସହରକୁ ଯା ।
ମେହେନତ କରି ଶିଖ୍ ।
ଦି ପଇସା ରୋଜଗାର କରି ଶିଖ୍ ।
ବାହା ହେଇକି ଘରକୁ ଗୋଟାଏ ଜାଡ଼ି ଆଣିବୁ କି ନାଇଁ ? ’ ବୁଢାର ଯୁକ୍ତି ତାକୁ ଠିକ୍ ଲାଗିବାରୁ, ସେଦିନ ହୁର୍ଷିଆନାର ହାତ ଧରି ସହରକୁ ଆସିଥିଲା ।
ବାଆ କହେ ‘ ସହର ହେଉଛି ଦିଲ୍ଲୀକା ଲଡ୍ଡୁ ।
ଯୋ ଖାୟା ୱ ପସ୍ତାୟା ।
ଯୋ ନହିଁ ଖାୟା ୱ ଭି ପସ୍ତାୟା ।’
ବୁଢାର ବି ସହରୀ ଲଡ଼ୁ ଖାଇବାକୁ ମନ ହେଲା ।
ଆସିଥିଲା ଦିନାକାତେ ।
ଦି ଦିନ ରହିଲା ।
ମନ ଘର ଧରିଗଲା ।
କୁସିଆନାକୁ କହିଲା, ‘ ପୁଅରେ ମତେ ଟିକେ ବସ୍ରେ ବସେଇ ଦିଅନ୍ତୁ ନାହିଁ ?’ ତା’ ପରେ ବସ୍ ରେ ଗାଆଁକୁ ପଳେଇଲା ।
ଜଡ଼ା ତାକୁ ଧରି କାନ୍ଦିଲା ବେଳକୁ, ବୁଢା କହିଲା, ‘ ବାଇଆଟା କିରେ …. ।
ନାକ କାନ୍ଦୁରା….କାନ୍ଦୁଛୁ କାହିଁକି ? ଏ ସନ ମାଘ ପୁର୍ଣ୍ଣମୀକୁ ତତେ ଚଉଦ ପୁରି ପନ୍ଦର ଚାଲିବ ।
ତା’ ଆର ବର୍ଷକୁ ଷୋହଳ ।
ମୁଁ ତ ଷୋହଳ ବର୍ଷରେ ବାହା ହେଇଥିଲି ।
ତତେ ବି ଷୋହଳ ବର୍ଷରେ ବାହା କରେଇ ଦେବି ।
ମୁଁ ଗାଆଁକୁ ଯାଉଛି ।
ତୋ ପାଇଁ ଜାଡ଼ି ଖୋଜିବି… ।’
ବୁଢାର କଥା ଗୁଡାକ ଭାରି ମାୟାବୀ ।
ତା କଥା ରେ ଜଡ଼ା ଥୟ ପଡ଼ିଲା ।
ବାଆର କଥା ମନେ ପଡ଼ିବାରୁ ଜଡ଼ା ନିଜକୁ ନିଜେ ବୁଝେଇଲା, ‘ ଏ ସନ ପନ୍ଦର ପୁରି ଷୋହଳ ଚାଲିବ ତତେ ।
ନରଣପୁରର ଷଣ୍ଢ ମାର୍କା ଟୋକା ।
ଡରିକି କାନ୍ଦୁଛୁ? ଛି.. ଛି, ଲାଜ ନାହିଁ ତୋ ମୁହଁକୁ…! ତୋ ବାଆ ଗାଆଁରେ କନିଆଁ ଖୋଜୁଛି ।
କାଲି ହାତକୁ ଦି ହାତ ହେଲେ, ପଅର ଦିନକୁ ହେଂସେ ଛୁଆ… ।
ତୁ ପୁଣି ଡରିକି କାନ୍ଦୁଛୁ!’ ନିଜକୁ ନିଜେ ସାହସ ଦେଲା ଜଡ଼ା ।
ଯେତେ ବୁଝେଇଲେ ବି ଅନ୍ଧାରକୁ ଦେଖିଲେ ଡର ମାଡିବା କଥା ମାଡ଼ୁଛି ।
ଗାଆଁରେ ଥିବା ବେଳେ ବାଆକୁ କୁଣ୍ଢେଇ, ତା ପେଟ ଉପରେ ଗୋଡ଼ ରଖି ଶୁଏ ।
ନିଦ ଆସିଗଲେ ହେଲା ।
ମଝିରେ ସ୍ୱପ୍ନ ଦେଖି ବାଉଳି ହେଲେ, ନିଦ ଭାଙ୍ଗିଗଲେ ପୁଣି ବାଆକୁ ଜାକି ଧରି ଶୁଏ ।
ଅନ୍ଧାରକୁ ଭାରି ଡର ।
ଦିନ ବେଳା ସାପ ଗାତରେ ହାତ ପୁରେଇ ସାପକୁ ଟାଣି ଆଣି ପାରିବ ।
ମାଢୁଆ କଙ୍କଡ଼ାକୁ ଅନାୟସରେ ମାଡ଼ି ବସିବ ।
ହେଲେ, ସନ୍ଧ୍ୟା ହେଲେ ବାଆର ପାଖେ ପାଖେ ରହେ, ଅନ୍ଧାରକୁ ଡର ମାଡ଼େ ବୋଲି ।
ସିଏ ଯେଉଁ ଲାଇଟ୍ ଖମ୍ୱ ତଳେ ପଙ୍କ୍ଚର୍ ସାଇକେଲ ଓ ହାତରେ କିରୋସିନ ଡବାଟାଏ ଧରି ଠିଆ ହୋଇଥିଲା, ସେଇଟା ଥିଲା ପୀର ବାବା ଛକ ।
ସହରର ଶେଷ ଲାଇଟ୍ ଖମ୍ୱ ।
ତା’ ସେପାଖକୁ ବୁଦୁ ବୁଦୁକିଆ ଜଙ୍ଗଲ ଆରମ୍ଭ ।
ଅଧା କିଲୋମିଟର ରାସ୍ତା ପରେ ପଡ଼େ କବର ଖାନା ।
କବର ଖାନା ପରେ ଗୋଟାଏ ବେଲ ଗଛ ।
ସମସ୍ତେ କହନ୍ତି ସେଇଠି ରହେ ବ୍ରହ୍ମ ରାକ୍ଷସ ।
ତା ପାଖରେ ପହଞ୍ଚିଲେ, ଗଛକୁ ଜୋର କରି ହଲାଏ ।
କେତେ ଲୋକ ସେଠି ସେ ରାକ୍ଷସକୁ ଭେଟଣା ହୋଇଛନ୍ତି ।
ବେଲ ଗଛ ସେ ପାଖକୁ ଶ୍ମଶାନ.. ।
ଏମିତି ନୁହେଁ ଯେ ସେ ରାସ୍ତାରେ ଆଜି ସେ ଏକୁଟିଆ ପ୍ରଥମ ଥର ପାଇଁ ଯାଉଛି ।
ସେ ରାସ୍ତାରେ ଅନେକବାର ସେ ଆଗରୁ ଯାଇଛି ।
ରାତି ଆଠଟା ପର୍ଯ୍ୟନ୍ତ ଲୋକଙ୍କ ଯିବା ଆସିବା ଲାଗି ରହିଥାଏ ।
ଡେରି ରାତିରେ ଯେତେଥର ଯାଇଛି , କୁସିଆନାର ସାଇକେକେଲରେ ଯାଇଛି ।
କୁସିଆନା ସାଇକେକେଲରେ ଅଛି ଡାଇନାମୋ ।
ଯୋର୍ରେ ଚାଲିଲେ ଡୁମ୍ ଜଳେ ।
ରାସ୍ତା ଉପରେ ବିଛାଡ଼ି ହୋଇପଡ଼େ ଲାଇଟ୍ ।
ରାସ୍ତା କଡ଼ରେ ସିଏ ଘୁଷୁରୀ ହେଉ କି , ବାଛୁରୀ, ଷଣ୍ଢ ହେଉ କି ମଣିଷ, ଯେଉଁ ବେଶରେ ସାଇକେଲ ସାଙ୍ଗରେ ରେସ୍ ଲଗେଇଲେ ବି ଠାକୁରଙ୍କ ନାଆଁ ନେଇ ଗୀତ ଗାଇ ଗାଇ ପେଡାଲ୍କୁ ଯୋର୍ ଯୋର୍ କରି ମାରିଲେ କୋଉ ଶଳା ଭୂତ ପାଖ ପଶିବ ମଁ ?
ହେଲେ, ଆଜିର କଥା ତ ଅଲଗା ।
କୁସିଆନାର ସାଇକେଲ୍ ତ ଅଛି ।
ହେଲେ, ସେ ଆଉ ଦୌଡ଼ି ପାରିବନି ।
ତା’ ପଛ ଚକରେ କଣ୍ଟାଟାଏ ଫୁଟିଯାଇଛି ।
ନିଜ ବିକଳିଆ ପଣରୁ ଏମିତି ହେଲା ସିନା ।
ଟ୍ରେନରେ କୁସିଆନାକୁ ବସେଇବା ବେଳକୁ ରାତି ଅନେକ ହୋଇଯାଇଥିଲା ।
ମନରେ ଡର ବାନ୍ଧିବା ଆରମ୍ଭ କରୁଥିଲା ।
ଭାବୁଥିଲା ନିଛାଟିଆ ରାସ୍ତାଟା କେମିତି ସୁରୁଖୁରରେ ପାର୍ ହେବ ।
ଆଗରେ ଯାଉଥିଲା ଅଟୋଟାଏ ।
ସେ ଅଟୋକୁ ଖଟାଲ୍ ରାସ୍ତାରେ ଆଗରୁ କେତେଥର ଦେଖିଥିଲା ବୋଲି ଜଡ଼ା ଭାବିଲା, ଯୋର୍ରେ ଯୋର୍ରେ ଅଟୋ ପଛରେ ଗଲେ ଅନ୍ଧାର ରାସ୍ତାର ତିନି କିଲୋମିଟର ପାର୍ ହୋଇଯିବ ।
ସେଥିପାଇଁ ଯୋର୍ରେ ଯୋର୍ରେ ପେଡାଲ୍ ମାରୁଥିଲା ।
ଅଟୋ ପଛେ ପଛେ ଧପାଳିଥିଲା ।
ଭଲ ରାସ୍ତା ଛାଡ଼ି ଅଟୋଟା ଗଳି ରାସ୍ତାରେ ପଶିବା ଆରମ୍ଭ କଲା ।
ଜଡ଼ା ବି ତା ପଛେ ପଛେ ସେହି ରାସ୍ତାରେ ଚାଲିଲା ।
ତା ରାସ୍ତାରେ ଯେ କଣ୍ଟାଟାଏ ପଡିଥିବ ଆଉ ସେଇ ଗୋଟାକ କୁସିଆନାର ସାଇକେଲ ଚକରେ ଫୁଟିଯିବ, ସେ କଥା, ସେ ବା ଜାଣିଥାନ୍ତା କେମିତି ।
ଖଦଡ଼ା ରାସ୍ତାରେ ଅଟୋ ପଡ଼ି ଉଠି ଦୌଡ଼ି ପଳେଇଗଲା ।
ଜଡ଼ା ରହିଗଲା ଅଧା ବାଟରେ ।
ରାତି ଦଶଟାରୁ ଅଧିକ ହେଲାଣି ।
ସହର ବଜାର ବନ୍ଦ ହୋଇ ଗଲାଣି ।
ସହର ଭିତରେ ରାସ୍ତାରେ ଲାଇଟ୍ ଜଳୁଛି ।
ସେଥିପାଇଁ ସେ ଖଣ୍ଡକ ରାସ୍ତା ପାଇଁ ଚିନ୍ତା ନ ଥିଲା ।
ହୁର୍ଷିଆନା କହିଲା, ‘ ଚାଲ୍ ମତେ ନେଇ ଟ୍ରେନରେ ବସେଇ ଦେଇ ଆସିବୁ ।
ମୁଁ ଏଇକ୍ଷଣି ଗାଆଁକୁ ଯିବି ।’
ଦି ଭାଇଙ୍କ ଝଗଡା ମଝିରେ ବିଚରା ଜଡ଼ା ଫସି ଯାଇଛି ।
ୟ୍ୟା କଥା ନ ମାନିଲେ ମଲା ।
ତା କଥା ନ ମାନିଲେ ବି ମଲା ।
କରିବ କଣ? ଦି ଭାଇଙ୍କ ଭିତରେ ଏ ତ ନୂଆ ଝଗଡ଼ା ନୁହେଁ ।
ମଝିରେ ମଝିରେ ଝଗଡ଼ା କରନ୍ତି ।
ହାତାହାତି ହୁଅନ୍ତି ।
ପାଖ ପଡ଼ିଶା ଆସି ଝଗଡ଼ା ମଝିରେ ପଶି ଶାନ୍ତ କରାନ୍ତି ।
ପଡ଼ିଶାଙ୍କୁ ଦେଖା ଦେଖି ଜଡ଼ାବି ଦିନେ ଭଦ୍ର ଲୋକ ସାଜି ଝଗଡ଼ା ମଝିରେ ପଶିଗଲା ।
ହୁର୍ଷିଆନାର ହାତ ଧରି ଶାନ୍ତ କରିବାକୁ ଚେଷ୍ଟା କଲାବେଳକୁ ସିଏ ଏମିତି ହାତ ଛାଟି ଦେଲାଯେ , ତା କହୁଣୀ ମାଡ଼ରେ ଜଡ଼ାର ନାକ ଫାଟି ଧାର ଧାର ରକ୍ତ ବୋହିଲା ।
କୁସିଆନା ପାଟି କରି କହିଲା, ‘ ହଇବେ, ତୋର ତ ଭାରି ପୀତ ହେଇଗଲାଣି ।
ତା ପଟିଆ ହେଇଗଲୁଣି କେବେଠାରୁ? ‘ବାସ୍, ଜଡ଼ାର ଭଦ୍ରଲୋକୀ ଶେଷ ।
କାନ ମୋଡ଼ି ଗାଲରେ ଚଟକଣି ମାରି ଶପଥ କଲା, ଦୁଇ ଭାଇଙ୍କ କଳିରେ ସିଏ ମୁଣ୍ଡ ପୁରେଇବନି ।
କଳିରେ ମୁଣ୍ଡ ନ ପୁରେଇଲେ କଣ ହେଲା ? ଗୋଟାଏ ଘରେ ତ ରହୁଛି ।
ସେମାନେ କଥା କଟା କଟି ହେଲେ, ସେ ସବୁ ତା ଦେହରେ ତ’ ବାଜିବ ।
ଦୁହେଁ ଦୁହିଁଙ୍କଠାରୁ କଳିରେ ହାରିବା ପରେ ରାଗ ଶୁଝାନ୍ତି ଜଡ଼ା ଉପରେ ।
ଆଜିର କଳିରେ କୁସିଆ ନନା ଠିକ୍ କହିଲା ।
ହୁର୍ଷିଆନା ଜୁଆ ଖେଳି ତାର ପଇସା ଉଡ଼େଇ ଦଉଛି ।
ହୁର୍ଷିଆନା ବି ଠିକ୍ କଥା କହୁଛି, ‘ କାଇଁକି ମୁଁ କଣ ରୋଜଗାର କରୁନି? ମନ ଖୁସି କରିବାକୁ ସାଙ୍ଗ ସାଥିରେ ଦିନେ ଅଧେ ଜୁଆ ଖେଳିଲେ କଣ ମାରା ହେଇଗଲା? ଯେଉଁଦିନ ଜୁଆରେ ଟଙ୍କା ଜିତିକି ଆଣୁଛି, ସେ ଦିନ ତ ଭାଉଜକୁ ଟଙ୍କା ଦଉଛି ।
ସେତେବେଳକୁ ମନା କରୁନୁ ଯେ, ଜୁଆ ଟଙ୍କା ମୁଁ ନେବିନି ?’ ଦି’ଜଣ ମିଶିକି ତ ରୋଜଗାର କରୁଛେ ।
‘ତୁ କାହିଁକି ଭାଉଜ ନାଆଁରେ ଜମି କିଣି ଦେଲୁ ଗାଆଁରେ?’
କୁସିଆନା କହିଲା, ‘ ମୁଁ ଅଧିକ ମେହନତ କରୁଛି ।
ଦିନସାରା ବସି ଚୁଲି ଜାଳୁଛି ।
ଚା କରୁଛି ।
ପକୁଡ଼ି, ବରା ପିଆଜି ଛାଣୁଛି ।
ତୋ ଭାଉଜ ବି ଘରର ସବୁ କାମ କରିବା ସହିତ ଦୋକାନ କଥା ବି ବୁଝୁଛି ।
ତା ନାଆଁରେ ଜମି ଦି ଗୁଣ୍ଠ କିଣିଦେଲି ଯେ ବେଦ କଣ ଅଶୁଦ୍ଧ ହୋଇଗଲା?’
ହୁର୍ଷିଆନା ନ କହିବା କଥାଟା କହି ଦେବାରୁ ମାମଲା ବିଗିଡ଼ି ଗଲା ।
ସିଏ କହିଲା, ‘ ହୁଃ, ଭାଉଜ କଣ କରୁଛି ମଁ ।
ଯାହା କରୁଛି, ଏଇ ଜଡ଼ା କରୁଛି ।
ଗାଆଁରୁ ଆସିବା ବେଳକୁ ଭାଲୁ ଭଳିଆ ଦିଶୁଥିଲା ।
ଭାଉଜ ତାକୁ ଖଟେଇ ଖଟେଇ ବିଲୁଆ ଭଳିଆ କରି ସାରିଲାଣି ।
’ ଏଥର ଭାଉଜକୁ ଆଉ ସମ୍ଭାଳେ କିଏ ।
ଭାଉଜ ବର୍ଷି ଗଲା ।
ହୁର୍ଷିଆନା ଛାଡିବା ଜନ୍ତୁ ନୁହେଁ ।
ସେ ବି ଶୁଣେଇଲା ।
ଝଗଡ଼ାଟା ଏତେ ବଢି ଗଲା ଯେ, ପାଖପଡ଼ିଶା ଆସିଲେ ସିନା, ତାଙ୍କ ଝଗଡ଼ାରେ ପାଟି ଫିଟେଇବାକୁ ସାହସ କଲେନି ।
ଜଡ଼ା ତ ସହଜେ ଆଗରୁ ପାନେ ପାଇଛି ।
ତାର କି ଯାଏ ।
ଦିଅରର ଭାଉଜ ଉପରକୁ ଚିଲାଚିଲି କୁସିଆନାର ଦେହରେ ଗଲାନି ।
ତେଲ ଛଣା ଚଟୁରେ ତା କାନ୍ଧରେ ପାହେରେ କଷି ଦେଲା ।
ତା ପରେ ଯାହା ହେଲା ନକହିବା ଭଲ ।
ଶେଷକୁ ହୁର୍ଷିଆନା କହିଲା, ‘ଏଇ ଏବେ ଘର ଛାଡି ଚାଲିଯିବି ।
ଏ ଜଡ଼ା… ବାହାର କର ସାଇକେଲ୍ ।
ମୋତେ ନେଇ ଟ୍ରେନ୍ ରେ ବସେଇକି ଆସିବୁ ଚାଲ୍ ।’
କୁସିଆନା କହିଲା, ‘ ଜଡ଼ା… ବୁଝି ଖବରଦାର ।
ସାଇକେଲ୍ ରେ ହାତ ଲଗେଇଲେ, ତୋ ହାତ ଭାଙ୍ଗି ଦେବି ।’
ହୁର୍ଷିଆନାକୁ ଏବେ ଏବେ ଜଡ଼ା ଟ୍ରେନ୍ ରେ ବସେଇକି ଆସିଲା ।
ଟ୍ରେନ୍ ଆସିବା ସମୟ ହେଇ ନଥିଲା ।
ହୁର୍ଷିଆନା ତାକୁ ଯଦି କହିଥାନ୍ତା ଘରକୁ ପଳେଇ ଯିବାକୁ ସିଏ ଆରାମରେ ଘରକୁ ଫେରି ପାରିଥାନ୍ତା ।
ସେତେବେଳେ ରାସ୍ତା ଗହଳି ବେଳ ଥିଲା ।
ହେଲେ ସିଏ ତାକୁ ଅଟକେଇକି କହିଲା, ‘ ଟ୍ରେନ୍ ଆସିଯାଉ ଯିବୁ ।’
ବିସ୍କୁଟ୍ ପକେଟ୍ଟାଏ କିଣି ତାକୁ ଦିଟା ବିସ୍କୁଟ୍ ଦେଲା ।
ବାକି ସବୁତକ ସେ ନିଜେ ଖାଇଲା ।
କହିଲା, ‘ ଯାଉଛି ଗାଆଁକୁ ।
ବାପାଙ୍କୁ କହିବି ମୋତେ ଭିନ୍ନ କରିଦେବେ ।
ମୁଁ ମୋ ପଇସାରେ ଏଇଠି ଘର କରିବି ।
ଦୋକାନ କରିବି ।
ତତେ ନେଇ ପାଖରେ ରଖିବି ।
କୁସିଆନା ଆଉ ଭାଉଜ ପାଖରେ ରହିଲେ ତୁ ଖଟି ଖଟି ମରିଯିବୁ ।
ମୋ ପାଖରେ ଅୟସ କରିବୁ ।
ତତେ ପାର୍ଟନର କରି ରଖିବି ।
କୋଉ ଶଳା କଣ କହିବ ମୁଁ ଦେଖିବି ।
ତୁ ରହିବୁ ନାଇଁ ମୋ ପାଖରେ?’
ତା’ ପାଖରେ ରହିବନି ବୋଲି କହି କଣ ଦି କହୁଣୀ ଖାଇଥାନ୍ତା ? ତା କଥାରେ ହଁ ଭରିଲା ।
ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦି ତା କାହାଣୀ ଶୁଣେଇଲା ।
‘ଭାଉଜର ସାନ ଭଉଣୀ ସାଙ୍ଗରେ ହସିକି କ’ଣ ଦି ପଦ କଥା ହେଇଗଲା ଯେ, ଭାଉଜ ରାଗିକି ଏତିକି କାଣ୍ଡ କରେଇଛି ।
ଭାଉଜ ତ ରାଜୀବ ସିଂ କୁ ମୁଣ୍ଡରେ ଥୋଇଥିଲା ।
ଆଜି ସକାଳେ କଣ ହେଲା ତୁ ତ ନିଜେ ଦେଖିଲୁ! ’ ତ’ ଦୁଃଖ ଦେଖି ଜଡ଼ାକୁ ବି କାନ୍ଦ ମାଡ଼ିଲା ।
ତାକୁ ସିଏ କେମିତି ବା କହିଥାନ୍ତା ଯେ, ବେଶୀ ରାତି ହେଲେ ପୀର ବାବା ଛକ ପାଖରୁ ଖଟାଲ୍ ରାସ୍ତାରେ ଯିବାକୁ ଡର ମାଡ଼ିବ ।
ପ୍ରଥମେ ପଡ଼ିବ କବର ଖାନା, ତା ପରେ ଶ୍ମଶାନ..ରାସ୍ତା ତିନି କିଲୋମିଟର ।
ବୁଦି ବୁଦିକିଆ ଜଙ୍ଗଲରେ ଦୁଇ ପାଖ ଭରା ।
ବେଲ ଗଛ ପାଖରେ ରହୁଛି, ଭୂତ ମାନଙ୍କର ସର୍ଦ୍ଦାର, ବ୍ରହ୍ମ ରାକ୍ଷସ ।
ଜଡ଼ାର ଦେହ ଶୀତେଇ ଉଠିଲା ।
ଘରକୁ ଗଲେ ଅନ୍ୟ ବିପଦ ବି ଅଛି ।
କୁସିଆନାର ମନା କରିବା ପରେ ବି, ହୁର୍ଷିଆନା କଥା କାଟି ନ ପାରି ସାଇକେଲ୍ ଧରି ଆସିଥଲା ।
ସେଥିପାଇଁ ଘରକୁ ଗଲେ ଗାଳି ବା ମାଡ଼ ବା ଦୁଇଟାଯାକ ମିଳିବା ନିଶ୍ଚିତ ।
ସେଇଟାକୁ ତ ସହିଯିବ ।
ମାଡ଼ ଖାଇଲେ ବି ବାସନ ସବୁତକ ମାଜି ଦବ ।
ଗାଈ ଗୁହାଳରେ କୁଟା ଜଳେଇ ଧୂଆଁ ଦେଇ ଦବ ।
ଭାଉଜର ଘର ଝାଡ଼ୁ କରିଦେବ ।
ତାଙ୍କ ବାପଘରର ଡ୍ରେସିଂ ଟେବୁଲ ପୋଛି ଦେଲେ, ଆଉ ଖଟଟାକୁ ତାରିଫ କଲେ ସିଏ ଖୁସି ହେଇଯିବେ ।
ସୋରିଷ ତେଲରେ ରସୁଣ ଗରମ କରି କୁସିଆନା ହାତ ଗୋଡ଼ ଟିକେ ମୋଡି ଦବ ।
ମୁଣ୍ଡରେ ଭିକ୍ସ ଲଗେଇ ଚୁଟି ସାଉଁଳେଇ ଦବ ।
କୁନି ଝିଅର ମୂତ କପଡା ଧୋଇ ଦେବ ।
ତାକୁ କାଖେଇକି ଶୁଏଇ ଦବ ।
ଭାଉଜକୁ ଖୁସି କରିବାକୁ କିରୋସିନି ପାଞ୍ଚ ଲିଟର ବି ଷ୍ଟେସନ ପାଖ ଦୋକାନରୁ ଆଣିକି ଆସଛି ।
ମନେ ପଡ଼ିଲା, ଦି’ ଦିନ ତଳେ କୁସିଆନା ତାକୁ ପଠେଇଥିଲା କିରୋସିନି ନବାକୁ ।
ଟଙ୍କା ଆଉ ଜାର୍ ଧରି ଦୋକାନରେ ପହଞ୍ଚିବାରୁ ଦୋକାନୀର ସ୍ତ୍ରୀ କିରୋସିନ ନାହିଁ ବୋଲି କହିଥିଲା ।
ତାକୁ ଆଗୁଆ ଟଙ୍କା ଆଉ ଜାର୍ ଦେଇକି ଆସି ଘରୁ ଭାଉଜଠାରୁ ଗାଳି ଶୁଣିଥିଲା ।
ଆଜି ଯୋଗକୁ ଦୋକାନ ଖୋଲା ଥିଲା ।
କିରୋସିନି ବି ଥିଲା ।
ଦୋକାନୀକୁ କହିବାରୁ ସିଏ କିରୋସିନି ଦେଇଦେଲା ।
ଜାର୍ରେ କୁସ ବୋଲି ନାଆଁ ଲେଖା ହୋଇଥିଲା ।
ଭଲକରି ଦେଖିକି ଜାରକୁ ଆଣିଛି ।
ଅନ୍ତତଃ ଏଇ ଗୋଟାଏ କାରଣ ହେତୁ ସିଏ ମାଡ଼ ଗାଳିରୁ ବଞ୍ଚିଯାଇପାରେ ।
ନହେଲେ ଭାଉଜ ଯଦି ଥାଉ ବୋଲି କହିଦେବେ, କୁସିଆନାର ରାଗ ନିଆଁରେ ପାଣି ପଡିବା ପରି ଥଣ୍ଡା ହେଇଯିବ ।
ହେଲେ, ଅଧା ବାଟରେ ବସିଥିବା ଏ ବ୍ରହ୍ମ ରାକ୍ଷାସକୁ କେମିତି ପାର କରିବ? ସାଇକେଲ ଏତିକି ବେଳକୁ ପଙ୍କଚର ହେବାକୁ ଥିଲା ।
ଅଲକ୍ଷଣା କଣ୍ଟା ଶନିଗ୍ରହ ପରି ତା ସାଇକେଲ ଚକରେ ପଶିଗଲା ।
ସାଇକେଲଚଲେଇକି ଗଲେ ଟ୍ୟୁବ୍ ପୁରା ଖରାପ ହେଇଯିବ ।
ଟ୍ୟୁବ୍ ଗୋଟାକ ସତୁରି ଟଙ୍କା ହେଲାଣି ।
କୁସିଆନା ଆଉ ଭାଉଜ, ଦୁହେଁ ମିଶି ତା’ର କି ହାଲ୍ କରିବେ ! ମାରନ୍ତୁ ପଛକେ, ରାସ୍ତା ପାର୍ ହେଲେ ଜୀବନ’ତ ବଞ୍ଚିଯିବ ।
ହେଲେ ସାଇକେଲ୍ ଉପରେ ଭରଷା ନାହିଁ ।
ଯଦି ରିମ୍ ଟାଲ୍ ହେଇଯାଏ… ଯଦି ଠିକ୍ ଭୂତର ସାମ୍ନାରେ ତାକୁ ତଳକୁ ଫିଙ୍ଗିଦିଏ ?
ଏ ସବୁ ପାଇଁ ବାଆ ଦାୟୀ ।
କେତେ ଆନନ୍ଦରେ ଗାଆଁରେ ଥିଲା ।
ସମୁଦ୍ର କୂଳକୁ ଗାଈ ନେଇ ଯାଉଥିଲା ଚରେଇବାକୁ ।
ଯୋରରୁ ମାଛ କଙ୍କଡା ଧରୁଥିଲା ।
ଗଛ ଚଢୁଥିଲା ।
ମାଙ୍କଡ ପରି ପାଣିକୁ ଡିଆଁ ମାରୁଥିଲା ।
ତା କଳା ଦେହଟା ଗୋରା ଦେଖାଯବା ପର୍ଯ୍ୟନ୍ତ ପାଣିରେ ପହଁରୁଥିଲା ।
ବାଗୁଡ଼ି ଖେଳୁଥିଲା ।
ଗାଆଁରେ ରଜ, ଦୋଳ, ଦୀପାବଳୀ ପାଳୁଥିଲା ।
ଆଜି ସହରକୁ ଆସିବା ପରେ ସେ ସବୁର କିଛି ମାନେ ନାହିଁ ।
ଏଠି ଜାକଜମକରେ ସିନା ପର୍ବ ପାଳନ ହୁଏ, ହେଲେ ଗାଆଁର ପବିତ୍ରତା କାହିଁ ? ଏପାଖରେ ଠାକୁର ପୂଜା କରୁଥିବେ, ସେ ପାଖରେ ମଦ ପିଇ ନାଚ କରୁଥିବେ ।
… ବାଆ କହିଲା, ‘ ସହରକୁ ଯା ।
ସେଠି ଜୀବନ ଅଛି ।
ଗାଆଁରେ ଲୋକଗୁଡ଼ାକ ଖାଲି ପୋକ ମାଛି ପରି ବଞ୍ଚୁଛନ୍ତି ସିନା ।
ସହରରେ ଯେତେ ମେହେନତ କରିବ ସେତେ ରୋଜଗାର କରିବ ।
ଟଙ୍କା ପଇସା ହାତରେ ହେଲେ ସିନା ବାହାଘରରେ ବାଣ ଫୁଟିବ… ବେଣ୍ଡ ପାର୍ଟି ଆସି ବାଜା ବାଜିବ.. ଗାଆଁ ଭୋଜି ହବ ।
ଗାଆଁରେ ରହିଲେ ତତେ କିଏ ସେ ଝିଅ ଦବ ?’ ସହରକୁ ଯିବନି ବୋଲି ଜଡ଼ା କାନ୍ଦିବାରୁ ବୁଢା କହିଲା, ‘ ବାଇଆଟା କିରେ….? ’
ତା କଥା ମାନି ସହରକୁ ଆସିବା ପରେ କିଛି ଦିନ ତ ଭଲ ଲାଗିଲା ।
ଏବେ ଆଉ ଭଲ ଲାଗୁନି ।
ଏମାନଙ୍କ ଝଗଡ଼ା ଝାଟି କଣ କେବେ ଶେଷ ହେବ ! ନିତିଦିନିଆ ଝଗଡ଼ାରେ ଶ୍ୱାସରୁଦ୍ଧ ହୋଇଯାଏ ତା’ର ।
କେତେବେଳେ ଦେହ ଭଲ ନ ଲାଗିଲେ କି ମନ ଭଲ ନ ଥିଲେ ଶୁଣିବାକୁ କେହି ନାହିଁ ।
କେହି ଭାବନ୍ତିନି ଯେ ଜଡ଼ାର ବି କିଛି ଦୁଃଖ ଥାଇପାରେ ବୋଲି ।
ସମସ୍ତଙ୍କ ରାଗ ଅଭିମାନ, ଦୁଃଖର ବୋଝ ତା ଉପରେ ଲଦି ହୋଇପଡ଼େ ।
ଗଲା ବର୍ଷ ଦଶହରାରେ ଗାଆଁକୁ ଯାଇଥିଲା ।
ଘରେ ପହଞ୍ଚିଲାବେଳକୁ ବୁଢା ବସି ଚୁଲି ଫୁଙ୍କୁଥିଲା ।
ଜଡ଼ା ମୁଣ୍ଡିଆଟାଏ ମାରିବାରୁ, ବୁଢା ପଚାରିଲା, ‘ ହଇଓ ବାବୁ, ତମେ କିଏ ? ତମେ କାଇଁକି ମତେ ମୁଣ୍ଡିଆ ମାରୁଛ?’ ବୁଢା ନାଟକ କରିବା ଆରମ୍ଭ କରି ଦେଇଥିଲା ।
ଜଡ଼ା କହିଲା, ‘ ଓହୋ.. ଆଜ୍ଞା ଭୁଲ ହେଇଗଲା ।
ଏଇଟା ମୋ ଘର ନୁହଁ ।
ମୁଁ ବେକାରରେ କାହିଁକି ରସଗୋଲାଗୁଡ଼ାକ ଧରି ଆସିଲି? ମୁଁ ଯାଉଛି… ।’
ବୁଢା ପଛରୁ ଡାକିଲା, ‘ ତମ ଚେହେରା କୋଉଠି ଶୁଣିବା ପରି ଲାଗୁଛି ।’
ଜଡ଼ା ଚଟପଟ୍ କହିଲା, ‘ ହଁ ତମ ସ୍ୱର କୋଉଠି ଦେଖିବା ପରି ମତେ ବି ଲାଗୁଛି…. ।’
ବୁଢା ତାକୁ ଧରି କାନ୍ଦିଲା ।
‘ ମୋ ନିଧିଆ…’ କିନ୍ତୁ ଦିନ ଦି’ଟା ଯାଇଛି କି ନାହିଁ, କହିଲା ‘ ସହରକୁ ଯା ।
ମୋ ଯିବା ବେଳ ହେଲାଣି ।
ଆଉ ମାୟା ଲଗାନା… ।’
ସେ ଦିନରୁ ଜଡ଼ା ଆସିଲାଣି ।
ଆର ମାସରେ ଦଶହରା ।
ଗାଆଁକୁ ଯାଇନି କି ବୁଢା କୁ ଦେଖିନି ।
ତା ମୁଣ୍ଡକୁ ଆଉଁସି ଦେଇ କହିଲା, ‘କୁସିଆଟା ରଜା ଘରର ପୁଅ ।
ବାପ ଜେଜେର ନାଆଁ ସିନା ରଖିପାରିଲେନି, ରଜା ଘରର ପୁଅ ରଜା ।
ଲୋକ କହୁଥିଲେ, ତୁ ଜଡ଼ାକୁ କୁସିଆ ପାଖକୁ ପଠାନା ।
ସେମାନେ ଆଉ ମଣିଷ ହେଇ ନାହାଁନ୍ତି ।
… ସେମାନେ ମଣିଷ ନହେଲେ କଣ ହେଲା ? ଖରାପ ବେଳାରେ ଦମ୍ଭ ଧରି ଆଜି ଲକ୍ଷପତି ।
ତାଙ୍କଠାରୁ ଶିଖିବାର ଅଛି ବୋଲି ମୁଁ କାହା କଥା ନଶୁଣି ତତେ ପଠେଇଛି ।
ମଣିଷ ହେବାକୁ ହେଲେ କଷ୍ଟ କରି ଶିଖିବା ଦରକାର ।
ଡର ଭୟ ସବୁ ଛାଡ଼ିବା ଦରକାର’
ଦୁଇ ଭାଇଙ୍କର ବହୁତ ଟଙ୍କା ଥିଲା ବୋଲି ଜଡ଼ା ଜାଣିଥିଲା ।
ହେଲେ ସହରକୁ ଆସିବା ପରେ ଏକକୁ ଆର ଏକ ବଳି ଘର ଦେଖି ଜାଣିଲା ।
ଯେ ଏମାନଙ୍କ ଟଙ୍କା କିଛି ନୁହେଁ ।
ଦୁଇ ଭାଇ ଖୁବ୍ ଖଟନ୍ତି ।
ଭାଉଜ ବି ଖୁବ୍ ଖଟେ ।
ସବୁ ରୋଜଗାର ଖର୍ଚ୍ଚର ଟିକିନିକି ହିସାବ ହୁଏ ।
ହିସାବ ନ ମିଳିଲେ କୁସିଆନା ଓ ଭାଉଜ ହୁର୍ଷିଆନାକୁ ଜୁଆ ଖେଳରେ ଟଙ୍କା ଉଡ଼ଉଛି ବୋଲି ଦୋଷ ଦିଅନ୍ତି ।
ଜଡ଼ାର ବାକ୍ସ, ପ୍ୟାଣ୍ଟ ସାର୍ଟ ପକେଟ୍ ଚେକ୍ କରନ୍ତି ।
ହୁର୍ଷିଆନା ଜୁଆ ଖେଳେ ।
କୁସିଆନା ବି ଜୁଆ ଖେଳେ ।
ସେ ଅଲଗା ପ୍ରକାରର ଜୁଆ ।
ଟଙ୍କା ଲଗାଣ ଜୁଆ ।
ସୁଧରେ ଟଙ୍କା ଲେଣ ଦେଣ କାରବାର କରେ ।
ଭଲ ଦି ପଇସା ଲାଭ ବି କରେ ।
ଟଙ୍କା ଲେଣ ଦେଣକୁ ନେଇ ଦି ଭାଇ କଳି ଝଗଡା ହୁଅନ୍ତି ।
ହୁର୍ଷିଆନା ଜୁଆରେ ହାରିଲେ, କୁସିଆନା ତାକୁ ଗାଳି କରେ, ମାରେ ।
ହୁର୍ଷିଆନା କହେ, ମତେ ଟଙ୍କା ଲେଣ ଦେଣର ହିସାବ ଦେ ।
ଦି ଭାଇ ଓ ଭାଉଜ ଜଡ଼ାକୁ ସାକ୍ଷୀ ରଖନ୍ତି ।
କିଏ କାହାକୁ କଣ କହିଲା ।
ଝଗଡା ହେଲେ ଜଡ଼ାକୁ ଡକାହୁଏ, ପ୍ରମାଣ ଦବାକୁ… ।
ପାଠ ମନ ରହିଲାନି ବୋଲି ମାଷ୍ଟ୍ର ବାଡେଇଲା ।
ଯେ ଅଧାରୁ ସ୍କୁଲ୍ ଗଲାନି ।
ୟ୍ୟାଙ୍କ ଅଛିଣ୍ଡା ଝଗଡ଼ାରେ କିଏ କାହାକୁ କେତେବେଳେ କଣ କହିଲା ମନେ ରଖିବ କେମିତି ।
ଅସହାୟ ହୋଇଉଠେ ଜଡ଼ା ।
ମନେ ମନେ ବାଆକୁ ଗାଳିଦିଏ ।
‘ତୋରି ପାଇଁ… ଖାସ୍ ତୋରି ପାଇଁ ମୋ ଜୀବନ ଆଜି ହିନିମାନିଆ ।’
ଜଡ଼ା ନିରୁପାୟ ହୋଇ ଠିଆ ହେଇଥିଲା ଲାଇଟ୍ ଖୁଣ୍ଟ ତଳେ ।
ହଠାତ୍ ବତୀ ଲିଭିଗଲା ।
ସିଏ ଚମକି ପଡ଼ିଲା ।
ସାଇକେଲକୁ ଛାଡ଼ି, ଆର ପାଖ ଖୁଣ୍ଟ ଆଡ଼କୁ ଦୌଡ଼ିଲା ।
ବାଆ’ର କଥା ମନେ ପଡ଼ିଲା ।
ଡରକୁ ମନରୁ ତଡ଼ିବାକୁ ହେବ ।
ଏମିତି ଡରିଲେ କି ଜୀବନ ଜୀଇଁବ? ତା’ ସାଙ୍ଗକୁ ଭୋକ ବି ତ’ ଲାଗିଲାଣି ।
ଦୁଇ ଭାଇଙ୍କ କଳିରେ ଭାଉଜ ରୋଷେଇ ଘରକୁ ଗଲେନି ।
ଜଡ଼ା କେବଳ ପରିବା ପତ୍ର କାଟି ରଖିଦେଇ ଆସିଥିଲା ।
ରୋଷେଇ ହେଇଥିବ କି ନାହିଁ ।
ଏଥର ଭାବିଲା, ‘ ନାଁ, ଅନ୍ଧାର ସାଙ୍ଗରେ ବହୁତ ହେଇଗଲା ଲୁଚକାଳି ଖେଳ ।
ବାଆ କହିଥିଲା, ଡର ର ଘର ମନ ।
ମନକୁ ମଜଭୁତ କର… ଡର ଚାଲିଯିବ ।’
ବେଶୀ ରାତି ହେଲେ ଚୋର ହାବୁଡ଼ରେ ବି ପଡ଼ିପାରେ ।
ଚୋର କିଛି ନ ହେଲେ ଶହେ ଟଙ୍କାର କିରୋସିନି, ଚାରିଶହ ଟଙ୍କାର ସାଇକେଲ ତା’ଠାରୁ ଛଡ଼େଇ ନବ ।
ଜଡ଼ା ଭାବିଲା, ଯଦି ଭୂତ କି ବ୍ରହ୍ମ ରାକ୍ଷସ ତାକୁ ଡରାଏ, ସିଏ ଜମା ଡରିବନି ।
ଓଲଟି ତାକୁ କହିବ, ପାରୁଛୁ ଯଦି ଖାଇଯା ମତେ ।
ମୋ ଦୁଃଖ କଷ୍ଟ ଏକା ଥରକେ ଦୂର ହେଇଯିବ ।
ଏମିତି ପ୍ରତିଦିନ ମରିବା ଅପେକ୍ଷା, ଦିନେ ମରିଯିବା ଭଲ ।
ଖୁଣ୍ଟରେ ବତୀ ପୁଣି ଜଳିବାରୁ ସାହସ ସଞ୍ଚୟ କରି ସାଇକେଲ ପାଖକୁ ଫେରିଲା ।
ଏଥର ସାଇକେଲ ଉଠେଇ ଚାଲିବାକୁ ଆରମ୍ଭ କଲା ।
ଠାକୁରଙ୍କୁ ଡାକିଲା… ‘ ହେ ପ୍ରଭୁ ନୀଳମାଧବ ।
ଆଜି ତମର ପରୀକ୍ଷାର ବେଳ , ପାରୁଛ’ତ ମତେ ବଞ୍ଚେଇକି ଦେଖାଅ ।’
ଆଗକୁ ଆଉ ଦୁଇ ପାଦ ଯାଇଛି କି ନାହିଁ, ପଛ ଆଡୁ ଖଟର ଖଟର ଶବ୍ଦ ହେଲା ।
ପଛକୁ ଫେରି ଚାହିଁଲା ।
ପିଣ୍ଡରେ ପ୍ରାଣ ପଶିବା ପରି ଲାଗିଲା ।
ନୀଳ ମାଧବଙ୍କୁ ତାର ତାତ୍ସଲ୍ୟ ସହ୍ୟ ହେଲାନି ।
ପଠେଇ ଦେଲେ ଅଟୋଟାଏ ।
ମେନ୍ ରୋଡ୍ରୁ ଭାଙ୍ଗି ଖଟାଲ୍ ରାସ୍ତାରେ ଅଟୋଟା ପଶିଲା ।
ତାର ହେଡ୍ ଲାଇଟ୍ ମିଞ୍ଜି ମିଞ୍ଜି ଜଳୁଥିଲା ।
ଅଟୋକୁ ଅଟକେଇବାକୁ କିରୋସିନି ଜାର୍ବାଲା ହାତଟାକୁ ଟେକିଲା ।
ଅଟୋଟା ସାମାନ୍ୟ ଟିକେ ଆଗକୁ ଯିବା ପରେ ଅଟକି ଗଲା ।
ଡ୍ରାଇଭର ଅଟୋ ଭିତରୁ ବାହାରକୁ ମୁଣ୍ଡ କାଢ଼ି ପଚାରିଲା, ‘ କିଏ, କିଏ ସେ… ।’
ଜଡ଼ାକୁ ଆଉ ବୁଝିବାକୁ ବାକି ରହିଲାନି ।
ଅଟୋ ବାଲା ହେଉଛି ଖଟାଲ୍ ମାଲିକ ରାମ ସିଂ ର ପୁଅ ରାଜୀବ ସିଂ ।
ତାର ଥିଲା ଗୋଟାଏ ଡାଲାବାଲା ଅଟୋ ।
ସେଥିରେ କ୍ଷୀର ନେଇ ଚିଲିଂ ପ୍ଲାଣ୍ଟକୁ ସକାଳୁ ସକାଳୁ ଯାଏ ।
ଦିନରେ ତାର କାମ କହିଲେ ଏତିକି ।
ବାକି ଦିନସାରା ଜୁଆ ଖେଳରେ ମାତିଥାଏ ।
ଦିନାକାତେ ହୁର୍ଷିଆନାର ସାଙ୍ଗ ଥିଲା ।
ଭାଉଜର ସାନ ଭଉଣୀକୁ ରାସ୍ତାରେ ଦିନେ କଣ କହିଲା ଯେ, ସେଦିନ ତା’ ସାଙ୍ଗରେ ମାର ପିଟ୍ ହେଇଗଲା ।
ତା ପରଠାରୁ ଅପଡ଼ ।
କୁସିଆନା ଆଉ ଭାଉଜ ସାଙ୍ଗରେ ଦିନାକାତେ ଭାରି ମିଶିଲା ।
ସେଇ ଟଙ୍କା ପଇସା କାରବାର ।
ଭାଉଜ ହୁର୍ଷିଆନାକୁ ଦେଖେଇ ଦେଖେଇ ତାର ପ୍ରଶଂସା କରୁଥିଲା ।
ଆଜି ସକାଳର ତ କଥା ।
କୁସିଆନା ତାକୁ ଦେଖି ମାଡ଼ି ବସିଲା ।
କହିଲା,… ‘ ଲୁଚି ଲୁଚି କୁଆଡ଼େ ପଳଉଛୁ ବେ? ମୋ ପଇସା ଆଗ ଦେ…. ।’
ରାଜୀବ ସିଂ କହିଲା, ‘ କୋଉ ପଇସା, ମୋ ବାପା ପାଖରେ କଣ ପଇସା କମ୍ ଅଛି ଯେ ମୁଁ କାହାଠାରୁ ଉଧାରି ନେବି ।
ମୁଁ କାହାଠାରୁ କିଛି ପଇସା ନେଇନି ।’
କୁସିଆନା ଡାକ ଦେଲା, ‘ ଜଡ଼ା … ଏ ଜଡ଼ା… ।
ମୁଁ ୟ୍ୟାକୁ ଧରିଛି ।
ତୁ ତା ପକେଟରୁ ପର୍ସ ବାହାର କର ।’
ଜଡ଼ା ପାଖରେ ଆଉ କିଛି ବାଟ ନ ଥିଲା ।
ରାଜୀବ ପକେଟ୍ ରେ ହାତ ପୁରେଇବା ବେଳକୁ ସିଏ ତାକୁ ଶକ୍ତକରି ଲାତଟାଏ ଦେଲା ।
ଛାଟି ହେଇ ପଡ଼ିଲା ଜଡ଼ା ।
ପୁଣି ଉଠି ତା ପକେଟ୍ ରେ ହାତ ପୁରେଇ ପର୍ସ ବାହାର କଲା ଓ କୁସିଆନା ହାତକୁ ଦେଇଦେଲା ।
କଥାଟା ଆଜି ସକାଳର ।
ନୀଳ ମାଧବଙ୍କ ଉଦ୍ଦେଶ୍ୟରେ ମନେ ମନେ ଜଡ଼ା କହିଲା, ‘ ବାଃ ରେ ଠାକୁର ।
ଧନ୍ୟ ତୋର ଲୀଳା ।
ମହରଗରୁ ଆଣି କାନ୍ତାରରେ ପକେଇଦେଲୁ ।’
ରାଜୀବ ପଚାରିଲା ‘… ଏତେ ରାତିରେ କୁଆଡେ ଯାଇଥିଲୁ କିରେ? ’
ଡରି ଡରି ଜଡ଼ା କହିଲା, ‘ ହୁର୍ଷିଆନା ଗାଆଁକୁ ଗଲେ ତ ।
ତାଙ୍କୁ ଛାଡ଼ିବାକୁ ଷ୍ଟେସନ ଯାଇଥିଲି, ସାଇକେଲ୍ ପଙ୍କ୍ଞ୍ଚର୍ ହେଇଗଲା ।
‘ରାଜୀବ କହିଲା, ‘ ହଉ, ସାଇକେଲ୍ ଡାଲାରେ ଲଦ୍ , ଯିବା ।’
ଜଡ଼ା ନିଶ୍ଚିତ ହେଲା, ଖଟାଲ ଭିତରକୁ ନେଇ ରାଜୀବ ସିଂ ତାକୁ ମାଡ଼ ଦବ ।
ସେ ତ’ ଦୋଷ ନ କଲା ଲୋକକୁ ବି ହଇରାଣ କରେ ।
ସହଜେ ଜଡ଼ା ତାକୁ ସକାଳୁ ସକାଳୁ ଅପଦସ୍ତ କରିଛି ।
ଜଡ଼ା ତା ସାଇକେଲ୍ ଡାଲାରେ ଲଦିଲା ।
ନିଜେ ଡାଲାରେ ଚଢିବାକୁ ଯାଉଥିଲା, ରାଜୀବ ଡାକିଲା, ‘କେବିନ୍କୁ ଆସ୍ ।’
କିରୋସିନି ଡବା ଧରି କେବିନକୁ ଗଲା ଜଡ଼ା ।
ରାଜୀବ ପଚାରିଲା, ‘.. ସକାଳେ ମୋ ପକେଟ୍ରୁ କେତେ ଟଙ୍କା ନେଇଥିଲୁ ବେ ?‘ ଚୁପ୍ ରହିଲା ଜଡ଼ା ।
ଖଟର ଖଟର ଶବ୍ଦ କରି ଡାଲା ଅଟୋ ରାସ୍ତାରେ ଗଡୁଥିଲା ।
ରାଜୀବ କହିଲା, ‘ ଶଳା.. ରାଜୀବ ସିଂ ଦେହରେ ହାତ ଦେଉଛୁ ? ତତେ ଛାଡିବିନି.. ।
ତୋ ପାଖରେ ପଇସା ଅଛି ତ’ , ମୋ ଅଟୋରେ ଆସି ବସି ପଡିଲୁ? ‘ ଜଡ଼ା ମନେ ମନେ ଭାବିଲା, ଆଜି ଆଉ ତ୍ରାହି ନାହିଁ ।
ସେ ପାଖରେ କୁସିଆନା, ଏ ପାଖରେ ରାଜୀବ ସିଂ, କେହି ଜଣେ ତ ତା ଜୀବନ ନେଇ ଛାଡ଼ିବ ।
‘ ପୁଣି ନୀଳ ମାଧବଙ୍କୁ ଡାକିଲା, ପ୍ରଭୁ, ଏତେ ହିନିମାନ କଲଣି, ଟିକେ ଦୟା ତ ଦେଖାଅ ।
ଏ ଅସୁରକୁ ବୁଦ୍ଧି ଦିଅ, ମତେ ମାଡ ମାରୁ ପଛକେ, କୁସିଆନାର ସାଇକେଲକୁ ଜବରଦସ୍ତି କରି ଛଡେଇ ନ ନେଉ ।’
ଆଖି ବୁଜି ଠାକୁରଙ୍କୁ ଡାକିବା ଭିତରେ ଜଡ଼ା କେଉଁଠି ପହଞ୍ଚି ଯାଇଥିଲା, ଜାଣି ନ ଥିଲା ।
ରାଜୀବ ସିଂ ତା ଅଟୋରେ ବ୍ରେକ ଦେବାରୁ ଆଖି ଖୋଲିଲା ।
କୁସିଆନା ଘରର ଲାଇଟ୍ ଦେଖା ଯାଉଥିଲା ।
ଜଡ଼ା ଅଟୋରୁ ବାହାରିଲା ।
ତା ପଛେ ପଛେ ରାଜୀବ ସିଂ ବି, କେବିନ୍ ରୁ ବାହାରକୁ ଆସିଲା ଓ ସାଇକେଲକୁ ଡାଲାରୁ ଉତାରି ଦେଲା ।
ନୀଳ ମାଧବ କଥା ଶୁଣିଛନ୍ତି ବୋଲି ଆଶ୍ୱସ୍ତ ହେଲା ଜଡ଼ା ।
ତଥାପି ମନରୁ ଡର ଯାଇ ନଥିଲା ।
ତା’ ଉପରେ କିଛି ଭରଷା ନଥିଲା ।
ସପ୍ତାହେ ତଳେ ସେଇଠି ରାତିରେ ଆସି ହୁର୍ଷିଆନାକୁ ପିଟିକି ଯାଇଥିଲା ।
ଡରି ଡରି ଜଡ଼ା କହିଲା, ‘ ମୋ ପାଖରେ ପଇସା ନାହିଁ ଭାଇ… ।’
କ୍ଷୀଣ ଆଲୋକରେ ରାଜୀବ ସିଂ ଜଡ଼ାର ମୁହଁକୁ କ୍ଷଣେ ଦେଖିଲା ।
କହିଲା… ‘ ମୁଁ ତୋ’ଠାରୁ ପଇସା ନେବି ବୋଲି ଭାବୁଛୁ ? ବାଇଆଟା କିରେ… ।’
ଲୁହରେ ଆଖି ଛଳ ଛଳ ହୋଇଗଲା ଜଡ଼ାର ।
ଅନ୍ତରରୁ କୋହ ବାହାରି ଆସୁଥିଲା ।
ଜଡ଼ାକୁ ଲାଗିଲା ଯେମିତି ରାଜୀବ ସିଂ ବଦଳରେ ବାଆ ତା’ ସାମ୍ନାରେ ଠିଆ ହେଇଛି ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment