Commit 16f916af authored by Nayan Ranjan Paul's avatar Nayan Ranjan Paul

Upload New File

parent 4e079a55
ଆକର୍ଷଣ
ଦୟାନିଧି ମିଶ୍ର
ତା: ନଭେମ୍ବର୍ ୨୯, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
(ସତ୍ୟ ଘଟଣା ମୂଳକ ଗଳ୍ପ)
ଏକ
ଆଜି ପିଲାକାଳ କଥା ମନେ ପଡ଼ିଲେ କେତେବେଳେ ସୁଖ ହୁଏ କେତେବେଳେ ବା ଦୁଃଖ ହୁଏ ।
ଯେତେବେଳେ କାମଦାମ କିଛି ନ ଥାଏ, ମଣିଷ ନିଶ୍ଚିନ୍ତ ହୋଇ ଘଡ଼ିଏ ବସିବାକୁ ଅବସର ପାଏ ।
ପିଲାଦିନର କେତେ ପୁରୁଣା କଥା ଆସି ମନେପଡ଼େ ।
ସେ ସବୁ ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଭୁଲି ହୁଏ ନାହିଁ ।
‘ସ୍ମୃତି ତ କଦାପି ନୁହେଁ ଫିଙ୍ଗିବାର
ଫିଙ୍ଗି ପାରିଲେ ସେ ଲଭନ୍ତା ନିସ୍ତାର ।’
କମଳା ଘର ଆମ ଘର ବେଶୀ ଦୂର ନୁହେଁ ।
ଆମ ଘରେ ଥାଇ ତାକୁ ଡାକିଲେ ସେ ଶୁଣି ପାରିବ ।
କମଳା ସବୁବେଳେ ଆମ ଘରେ ଥାଏ ।
ମା’ ତାକୁ କେତେ ଗେଲ କରନ୍ତି-କେତେ ଚିଜ ଖାଇବାକୁ ଦିଅନ୍ତି ।
ମୁଁ ମଧ୍ୟ ତାଙ୍କ ଘରକୁ ଯାଏ ।
ସେଠାରେ ଖାଏ, ପିଏ, କେତେ ହସ କଉତୁକ କରେ ।
କମଳାର ମା’ ମୋତେ କେତେ ଆଦର କରନ୍ତି ।
ସେ ଯେତେବେଳେ ମୋତେ ‘ବାବା’ ବୋଲି ଡାକନ୍ତି କମଳା ମୁରୁକି ମୁରୁକି ହସି କେତେ ଖୁସି ହୁଏ ।
ସେ ମତେ ଏତେ ଭଲ ପାଏ ।
କମଳା ଆଉ ମୁଁ ଏକା ସାଙ୍ଗରେ ଖେଳୁ ।
ଦାଣ୍ଡ ଦୁଆରେ ବସି କେତେ ବାଲିଘର ଗଢ଼ୁ ।
ସେତେବେଳେ ମନ ସବୁବେଳେ ପ୍ରଫୁଲ୍ଲ – ଖେଳିବା ପାଇଁ ଭାରି ଆଗ୍ରହ ।
ବିଧାତାଙ୍କ ଚବିଶ ଘଣ୍ଟିଆ ଦିନ ମନକୁ ଆସେ ନାହିଁ ।
ଓଃ, ବିଧାତାଙ୍କ ଦିନଗୁଡ଼ାକ ଏତେ ଲମ୍ବ ! କେତେବେଳେ ସରେ ନାହିଁ ।
ସେଥିପାଇଁ ଆମ ମନକୁ ଆମେ ସାନ ସାନ ଦିନ ସୃଷ୍ଟି କରୁ ।
ସୂର୍ଯ୍ୟଙ୍କ ଉଦୟ ଅସ୍ତ ସଙ୍ଗେ ଆମ ଦିନର କୌଣସି ସମ୍ବନ୍ଧ ନ ଥାଏ ।
ସୂର୍ଯ୍ୟ ଆକାଶରେ ଥିଲେ ମଧ୍ୟ ଆମ ଦିନ-ରାତି ହୁଏ ।
ବାଲିଘର ବନାଇ ଖେଳିଲା ବେଳେ ଆମେ ଦିନକ ମଧ୍ୟରେ କେତେ ଦିନରାତି କଟାଉ ।
ଆଉ ସେ କଥା କାହିଁ ? ସେ ସ୍ବପ୍ନମୟ ରାଜ୍ୟ ଖୋଜିଲେ ଆଉ କାହୁଁ ମିଳିବ ।
ବଡ଼ି ଭୋର୍‌ରୁ ଉଠି ଦିହେଁଯାକ ଆମ ବଗିଚାରୁ ଫୁଲ ତୋଳିବାକୁ ଯାଉ ।
ଆମ ବଗିଚାରେ ଗୋଟାଏ ଚମ୍ପାଗଛ ଅଛି ।
ବାପା ଗଛଟିକୁ କଟକରୁ କିଣିଆଣି ବଗିଚାରେ ଲଗାଇଥିଲେ ।
ସେଥିରେ କେତେ ଫୁଲ ଫୁଟେ ।
ସେ ଫୁଲ ଦେଖିଲେ ତୋଳିବା ପାଇଁ ଇଚ୍ଛା ହୁଏ ନାହିଁ ।
ଫୁଲଗୁଡ଼ିକ ସବୁ ସତେଜ; ଯେପରି ସୂର୍ଯ୍ୟ, ପବନ ଓ ପାଣି ତିନିହେଁ ମିଶି ସେ ସବୁକୁ ସତେଜ କରୁଛନ୍ତି ।
ଏପରି ଫୁଲ ତୋଳିବାକୁ କାହା ମନ ବଳିବ ? ଫୁଲକୁ ଛିଣ୍ଡାଇ ପକାଇଲେ ଫୁଲ ମନରେ କଷ୍ଟ ହେବ ଯେ ! ତା ଦେହରୁ କେତେ ରକ୍ତ ବାହାରିବ ! ହସିଲା ଫୁଲଟି କାନ୍ଦି ପକାଇବ ।
ନା, ନା, ଦିଅଁ ଘେନିବେ ପରା ! ଦିଅଁଙ୍କ ପାଇଁ ସେ କାମ କରିବାକୁ ହେବ ।
କମଳା ଓ ମୁଁ ଚମ୍ପାଗଛ ଉପରକୁ ଉଠି ଗୀତ ଗାଇ ଗାଇ ଫୁଲ ତୋଳୁ ।
ଫୁଲ ନେଇ ଘରେ ମାଳ ଗୁନ୍ଥୁ ।
କମଳା ମୋଠାରୁ ଭଲ ମାଳ ଗୁନ୍ଥି ଜାଣେ ।
ତା’ ଫୁଲମାଳଟିକି ମତେ ଦିଏ ।
ମୋ’ ଫୁଲମାଳଟିକୁ ମୁଁ ତାକୁ ଦିଏ ।
ଫୁଲମାଳ ଧରି ଦୁହେଁଯାକ ଆମ ଗାଁ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରକୁ ଯାଉ ।
ଠାକୁରଙ୍କୁ ମାଳପିନ୍ଧାଇ ହସି ହସି ଘରକୁ ବାହୁଡ଼ି ଆସୁ ।
ଦିନେ ଆମ ଚମ୍ପାଗଛରୁ ଫୁଲ ତୋଳି ଆସୁଥିଲୁ ।
ପଞ୍ଝାଏ ଟୋକା ଆସି କହିଲେ- ‘କାଲି ଦେଖିବ; ସବୁ ଆମେ ନେଇଯାଇଥିବୁ ।
ତୁମେ ଆସିଲାବେଳକୁ ଗଛରେ ଗୋଟାଏ ହେଲେ ଫୁଲ ନ ଥିବ ।’
ସେମାନଙ୍କ କଥାଶୁଣି ମୋ’ ମନରେ ଭାରି କଷ୍ଟ ହେଲା ।
କମଳା ମୁହଁକୁ ଶୁଖେଇ ଦେଇ ମୋ’ ମୁହଁକୁ ଅନେଇଲା ।
କମଳାର କଷ୍ଟ ଦେଖି ମୋ’ ମନରେ ଟକିଏ ରାଗହେଲା ।
ଆଚ୍ଛା ଦେଖିବା ସେମାନେ କିମିତି ଆସି ଫୁଲ ନେଇଯିବେ ! ଦୁହେଁ ପ୍ରତିଜ୍ଞା କଲୁ ଯେ ଆରଦିନ ରାତି ଚାରିଟାବେଳେ ଆସି ଫୁଲତକ ନେଇଯିବା ।
ସେଦିନ ରାତିରେ ମୋ’ ଆଖିରେ ଆଉ ନିଦ ନାହିଁ-କେତେବେଳେ ଚାରିଟା ବାଜିବ ?
ପିଲାଏ ଆସି ବଗିଚାରୁ ଫୁଲ ନେଇଯିବେ ପରା ?
ତାହାହେଲେ ଆମେ କ’ଣ ତୋଳିବୁ ?
ଦିଅଁ କ’ଣ ଆମ ହାତରେ ଫୁଲ ପିନ୍ଧିବେ ନାହିଁ ?
ଆମେ କି ଦୋଷ କଲୁ ?
ବାର ବର୍ଷର ତପସ୍ୟା କଅଣ ଶୁଖୁଆ ପୋଡ଼ାରେ ଚାଲିଯିବ ?
ଏହିପରି ଭାବି ଭାବି ମନ ଆକୁଳ ହୋଇଗଲା ।
ଆଖିରେ ଆଉ ଜମା କଷା ପଡ଼ିଲା ନାହିଁ ।
ଖଟ ଉପରେ ଏକଡ଼ ସେକଡ଼ ହୋଇ ଛଟପଟ ହେଉଥାଏ ।
ଯିମିତି ଚାରିଟା ବାଜିଲା ମୋ’ ଶୋଇବା ଘର କବାଟଟି ଖୁଡ଼୍‌ କରି ଶବ୍ଦ ହେଲା ।
ଦ୍ବାର ଖୋଲି ଦେଖେ ଯେ କମଳା ! ତାକୁ ସେପରି ଭାବରେ ରାତିରେ ଆସିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ।
ତେବେ କ’ଣ କମଳା ମଧ୍ୟ ମୋ’ ପରି ରାତିଯାକ ଶୋଇନାହିଁ ? ଫୁଲ ତୋଳିବା ପାଇଁ ତା’ର ଏତେ ଆଗ୍ରହ ? ମୁଁ ତାକୁ କିଛି ନ କହି ଚାଦର ଖଣ୍ଡି ଘୋଡ଼େଇ ହୋଇ ତା’ ସାଙ୍ଗରେ ବଗିଚାକୁ ଗଲି ।
ସେତେବେଳକୁ ଆକାଶରେ ଚନ୍ଦ୍ର ଥିଲେ ।
ତାରାଗୁଡ଼ିକ ହୀରାଫୁଲ ଫୁଟିଲା ପରି ଆକାଶରେ ଜୁଳୁ ଜୁଳୁ ଦିଶୁଥାନ୍ତି ।
ପାହାନ୍ତିଆ ପବନ ଫୁଲରେଣୁ ଉଡାଇ, ବଗିଚାଯାକ ମହକାଇ, ସୁଲୁସୁଲୁ ବହୁଥିଲା ।
ଚମ୍ପା ଫୁଲଗୁଡ଼ିକ ବୃନ୍ତାସନରେ ବସି ପବନ ଦୋଳାରେ ଦୋଳୁଥିଲେ ।
ବଗିଚାର ଚାରିଆଡ଼େ ଚନ୍ଦ୍ରକିରଣ ହସୁଥିଲା ।
ଫୁଲ ଉପରେ ଚନ୍ଦ୍ରକିରଣ, ପତ୍ର ଉପରେ ଚନ୍ଦ୍ରକିରଣ ସବୁଠେଇଁ ଚନ୍ଦ୍ରକିରଣ ।
ଯେଉଁଠି ଚନ୍ଦ୍ରକିରଣ ପଡ଼ୁଥିଲା ନିଜେ ହସି ପରକୁ ହସାଉଥିଲା ।
ବଗିଚାଟି ଯେପରି ଚନ୍ଦ୍ରର ରାଜ୍ୟ !
କିନ୍ତୁ ଏ ସବୁ ଦେଖିବା ପାଇଁ ଆମର ଆଖି ନାହିଁ ? ଆମ ମନ ରହିଲା ଫୁଲ ତୋଳିବା ଉପରେ ।
କାଳେ ଟୋକାଏ ଆସି ଫୁଲ ନେଇ ଯାଇଥିବେ ! ବଗିଚାରେ ପହଞ୍ଚିଲାକ୍ଷଣି ଦୁହେଁଯାକ ମାଙ୍କଡ଼ ପରି ଗଛ ଉପରକୁ ଚଢ଼ିଗଲୁ ।
କମଳା ଗୋଟିଏ ଜାଗାରେ ବସି ଫୁଲ ତୋଳିଲା ।
ମୁଁ ଆଉ ଗୋଟିଏ ଜାଗାରେ ବସି ଫୁଲ ତୋଳିବାକୁ ଲାଗିଲି ।
ମୋ ପାଖରେ ଫୁଲତକ ତୋଳିସାରି କମଳା ଯେଉଁ ଡାଳରେ ବସି ଫୁଲ ତୋଳୁଥିଲା ସେଠିକି ଗଲି ।
ସେଠିକି ଯାଇ ଦେଖିଲି ଯେ, ଆଗ ଡାଳର ଫୁଲଗୁଡ଼ାକ କମଳା ତୋଳିପାରୁ ନାହିଁ ।
ମୋତେ ଦେଖି ସେ ଘୁଞ୍ଚିଗଲା ଓ କହିଲା- ‘ତୁମେ ସେଠାକୁ ଯାଅନା, ସରୁ ଡାଳ ଭାଙ୍ଗିଯିବ ।’
ମୁଁ କିନ୍ତୁ ତା କଥା ଶୁଣିଲି ନାହିଁ ।
ଆଜି ବଗିଚାରେ ଗୋଟାଏ ସୁଦ୍ଧା ଫୁଲ ରଖିବାକୁ ଦେବି ନାହିଁ ।
ଆଜି ଫୁଲଯାକ ଦିଅଁ ପିନ୍ଧିବେ- ଆଉ କେହି ନେଇ ପାରିବେ ନାହିଁ ।
ସେଥିପାଇଁ କମଳା କଥା ନ ଶୁଣି ଡାଳ ଉପରକୁ ଉଠିଲି ।
ଖୁବ୍‌ ସାବଧାନ ହୋଇ ଫୁଲ ସବୁ ତୋଳିଲି; ଗୋଟାଏ ଫୁଲ ରହିଗଲା ।
ଯେତେ ଚେଷ୍ଟା କଲେ ସୁଦ୍ଧା ସେ ଫୁଲଟି ତୋଳି ପାରିଲି ନାହିଁ ।
ଆଉ ଟିକିଏ ଉପରକୁ ଉଠିଲି ।
ଯେଉଁ ଡାଳରେ ଫୁଲଟି ଥିଲା ହାତ ଲମ୍ବାଇ ସେ ଡାଳଟି ଧଇଲି ।
ଡାଳ ଉପରେ ହାତ ଦେଇ ଧୀରେ ଧୀରେ ଫୁଲ ନିକଟକୁ ହାତ ନେବାପାଇଁ ଚେଷ୍ଟା କଲି ।
ଫୁଲଟି ଠିକ୍‌ ଛୁଇଁବାକୁ ଯାଉଛି, ଡାଳଟି ଭାଙ୍ଗିଗଲା ।
ଡାଳ ଭାଙ୍ଗିବା ସଙ୍ଗେ ସଙ୍ଗେ ମୁଁ ଯେଉଁ ଡାଳଟି ହାତରେ ଧରିଥିଲି ସେ ଡାଳ ମଧ୍ୟ ଭାଗିଗଲା ।
ଆଉ ଆଶ୍ରୟ ନାହିଁ ।
ଭୂମି ଉପରେ ଦୁମ୍‌ କରି କଚାଡ଼ି ପଡ଼ିଲି ।
ଦେହ ମୁଣ୍ଡ ସବୁ ଖଣ୍ଡିଆ ହୋଇଗଲା ।
ପ୍ରାୟ ଦୁଇ ମିନିଟ୍‌ ପରେ ଅଚେତ ହୋଇଗଲି ।
ତା’ ପରେ ଆଉ କ’ଣ ହେଲା ଜାଣେ ନାହିଁ ।
ଦୁଇ
ଯେତେବେଳେ ମୋର ଚେତନା ଆସିଲା ଦେଖିଲି ଯେ ମୁଁ ଗୋଟିଏ କୋଠାରୀରେ ଖଟ ଉପରେ ଶୋଇଛି ଓ ମୋ ପାଖରେ ଜଣେ ସାହେବ ଚଉକି ଉପରେ ବସିଛନ୍ତି ।
ବାପା ମଧ୍ୟ ଆଉ ଗୋଟିଏ ଚଉକିରେ ସାହେବ ପାଖରେ ବସିଛନ୍ତି ।
ମୁଁ ଯିମିତି ଆଖି ମେଲି ଚାହିଁଲି, ସାହେବ ଇଂରାଜୀରେ କଟର ମଟର ବାପାଙ୍କୁ କ’ଣ କହିଲେ ।
ବାପା ମଧ୍ୟ ସାହେବଙ୍କୁ ଇଂରାଜୀରେ ଜବାବ ଦେଲେ ।
ପରେ ସାହେବ ବାପାଙ୍କୁ ଆଉ କ’ଣ କହି ଧୀରେ ଧୀରେ ଚାଲିଗଲେ ।
ସାହେବ ଚାଲିଗଲା ପରେ ମା’ ଓ ବହୂ ଦୁହେଁଯାକ କୋଠରୀ ଭିତରକୁ ଆସିଲେ ।
ଘା’ ମୁଣ୍ଡ ଆଉଁସିବାକୁ ଲାଗିଲେ ।
ବହୁ ପିଠି ପାଖରେ ବସି ପିଠି ଆଉଁସିଲେ ।
ଆଜି ମା’ ବହୂ ଦୁହିଁଙ୍କ ଆଖିରେ ଲୁହ ।
ବାପା ମଧ୍ୟ କାନ୍ଦୁଛନ୍ତି ।
ମୁଁ ଏଥିର କାରଣ କିଛି ବୁଝି ପାରିଲି ନାହିଁ ।
ମୁଁ କେଉଁଠି ଅଛି ।
ସେଠାକୁ କିପରି ଆସିଲି ଏ ସବୁ ଜାଣିବା ପାଇଁ ମୋର ଭାରି ଆଗ୍ରହ ହେଲା; କିନ୍ତୁ ଯେତେ ଚେଷ୍ଟା କଲେ ସୁଦ୍ଧା ଜାଣି ପାରିଲି ନାହିଁ ।
ମା’ଙ୍କୁ କ’ଣ କରିବାକୁ ଆଦେଶ ଦେଇ ବାପା କୋଠରୀରୁ ଚାଲିଗଲେ ।
ବହୂ ଏକା ମୋ ପାଖରେ ରହିଲେ ।
ତାଙ୍କ ଆଖିରୁ ଝର ଝର ଲୁହ ଗଡ଼ୁଛି ।
ସବୁବେଳେ ମୋ ଦେହକୁ ଆଉଁସୁଛନ୍ତି ।
ବାପା ମା’ ଚାଲିଯିବାରୁ ବହୂଙ୍କୁ ପଚାରିଲି- ‘ବହୂ, ଏଠିକି କାହିଁକି ଆସିଛେ ? ଏଠିକି ଆମକୁ କିଏ ଆଣିଲା ?
ମୋ କଥା ଶୁଣି ବହୂ ଆହୁରି କାନ୍ଦିଲେ ।
ପଣତରେ ଲୁହ ପୋଛି କହିଲେ- ‘ଡାକ୍ତର ମନା କରିଛନ୍ତି ।’
ସତକୁ ସତ ବୋହୂଙ୍କ ମୁହଁରୁ କଥା ନ ସରୁଣୁ ମୋ ଦେହଯାକ ଭାରି ପୋଡ଼ିବାକୁ ଲାଗିଲା ।
ଘା’ରୁ ରକ୍ତ ବାହାରିବାକୁ ଲାଗିଲା ।
ମୁଁ ପୁଣି ଅଚେତ ହୋଇପଡ଼ିଲି ।
ଏପରି କେତେବେଳଯାଏ ମୁଁ ଅଚେତ୍‌ ହୋଇପଡ଼ିଲି ଭଗବାନ ଜାଣନ୍ତି; କିନ୍ତୁ କେଜାଣି କାହିଁକି ମୋତେ ସେ ଅବସ୍ଥାଟି ଭଲ ଲାଗିଲା ।
ଈଶ୍ବରଙ୍କ ରାଜ୍ୟରେ ପ୍ରତ୍ୟେକ ପଦାର୍ଥର ଉପକାରିତା ଅଛି ।
ମୂର୍ଚ୍ଛାମରଣ ସଙ୍ଗେ ସମାନ ହେଲେ ସୁଦ୍ଧା କ୍ଷଣକ ପାଇଁ ମନୁଷ୍ୟକୁ ସଂସାରର ଦୁଃଖ ସୁଖରୁ ଅନେକ ଦୂରକୁ ନେଇଯାଏ ।
ଯେଉଁ ବିଷ ମନ୍ୟୁଷର ପ୍ରାଣ ନିଏ, ସେହି ବିଷ ପୁଣି ଔଷଧ ରୂପେ ମନୁଷ୍ୟକୁ ରକ୍ଷା କରେ ।
ଭଗବାନଙ୍କ ଲୀଳା କିଏ ବୁଝି ପାରିବ ? ମୁଁ ଯେତେବେଳ ଯାଏଁ ମୂର୍ଚ୍ଛିତ ଅବସ୍ଥାରେ ଥିଲି ମୋର ଦୁଃଖ ସୁଖ ଜ୍ଞାନ ନ ଥିଲା ।
ସେତେବେଳେ ମୁଁ କେଉଁ ରାଜ୍ୟରେ ବୁଲୁଥିଲି, ଭଗବାନ ଜାଣନ୍ତି ।
କିନ୍ତୁ ବେଶିବେଳଯାଏ ଏ ସୁଖ ଭୋଗ କରି ପାରିଲି ନାହିଁ ।
ପୁଣି ଶୀଘ୍ର ମୋର ଚେତନା ହେଲା ।
ଆଖି ଖୋଲି ଦେଖିଲି ଯେ ମା’ ଘା’ ସବୁ ଧୋଇକରି ସେଥିରେ ମଲମ ଲଗାଉଛନ୍ତି ।
ବୋଉ ପଙ୍ଖା ଧରି ବିଞ୍ଚୁଛନ୍ତି ।
ଏପରି ମୂର୍ଚ୍ଛା ଓ ଚେତନାର କେତେ ଅଭିନୟ ହେଲା, ଲେଖିବାକୁ ଶକ୍ତି ନାହିଁ ।
ସେ କଥା ଆଜି ମନେ ପଡ଼ିଲେ ଲେଖନୀ ଥରି ଯାଉଛି, ହୃଦୟ ଅବସନ୍ନ ହୋଇ ଯାଉଛି, ଆଖିରୁ ଅବିଶ୍ରାନ୍ତ ଲୁହ ଗଡ଼ୁଛି ।
ଓଃ ଦୁଃଖର ସମୟ ଏତେ କଠିନ-ଏତେ ନିଷ୍ଠୁର ! ଭଗବାନ ଏ ଦୁଃଖ ମଧ୍ୟରେ କି କି ସୁଖ ନିହିତ କରିଅଛନ୍ତି, କିଏ କହିପାରେ ?
ମନୁଷ୍ୟର ଅବସ୍ଥା ଚିରଦିନ ସମାନ ନ ଥାଏ ।
ଦୁଃଖ ପରେ ସୁଖ-ସୁଖ ପରେ ଦୁଃଖ ଲାଗିଛି ।
‘ଚକ୍ରବତ୍‌ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ ।’
ମୋର ଦୁଃଖ ମଧ୍ୟ ବେଶିଦିନ ରହି ନ ଥିଲା ।
ଭଗବାନଙ୍କ କୃପାରୁ ଶୀଘ୍ର ଆରୋଗ୍ୟ ଲାଭ କଲି ।
ସେ ଆଜି ଅନେକ ଦିନର କଥା ।
ଏଥିମଧ୍ୟରେ ଅନେକ ପରିବର୍ତ୍ତନ ହୋଇ ଗଲାଣି ।
ବାପା ମତେ ଆଉ ଗାଁକୁ ଛାଡ଼ୁ ନାହାନ୍ତି ।
ତାଙ୍କ ପାଖେ ରହି କଟକରେ ପାଠ ପଢୁଛି ।
ମା’ ହେରିକା ମୋ ଦେହ ଭଲ ହେଲାରୁ ଗାଁକୁ ଚାଲିଗଲେ ।
ବାପା କଟକରେ ଓକିଲାତି କରନ୍ତି ।
ଗାଁରେ ଜମିଦାରୀ ବୁଝିବା ପାଇଁ କେହି ନ ଥିବାରୁ ମା’ କଟକକୁ ଆସି ପାରନ୍ତି ନାହିଁ ।
ଭାଇ ଏ ବର୍ଷ ବି.ଏ. ପାସ୍‌ କରି କଲିକତାରେ ଏମ୍‌.ଏ. ପଢ଼ୁଛନ୍ତି ।
ମୁଁ ମାଟ୍ରିକୁଲେସନ୍‌ ପାସ୍‌ କରି କଟକ କଲେଜରେ ପଢ଼ୁଛି ।
ମୁଁ ଚମ୍ପା ଗଛରୁ କି ଲଗ୍ନରେ ପଡ଼ିଲି କେଜାଣି ପିଲାକାଳ କଥା ଆଉ ଜମା ମନେ ନାହିଁ ।
ଗାଁକୁ ଯିବା ପାଇଁ ଆଉ ଜମା ଇଚ୍ଛା ହେଉ ନାହିଁ ।
ବାପା ମଧ୍ୟ ମତେ ଆଉ ଗାଁକୁ ଛାଡ଼ି ଦେଉ ନାହାନ୍ତି ।
ମା’ ଯେତେ ଲେଖିଲେ ସୁଦ୍ଧା ବାପା ମାନୁନାହାନ୍ତି ।
ତାଙ୍କ ଇଚ୍ଛା, ପଢ଼ା ଶେଷ ହେବାଯାଏଁ ମୁଁ କଟକରେ ରହିବି ।
ମୋର ମଧ୍ୟ ସେହି ଇଚ୍ଛା ।
ବାପା କଟକରେ କାହାରି ସଙ୍ଗେ ମୋତେ ମିଶିବାକୁ ଦିଅନ୍ତି ନାହିଁ ।
ସେ କହନ୍ତି, ‘କଟକ ସହର କଳିର ରାଜଧାନୀ ।
ଏପରି ସ୍ଥାନରେ ପିଲାମାନଙ୍କୁ ଆକଟ କରି ରଖିବା ଉଚିତ୍‌ ।’
ମା’ ମଧ୍ୟ ଦିନେ କହୁଥିଲେ- ‘କଟକ ସହର, ଦେଖିକରି ଚାଲିବ ।
ସେଠେଇଁ ମାଟି ପଥର ମଧ୍ୟ କଥା କହନ୍ତି ।’
ତେବେ କଟକରେ ସମସ୍ତେ ଯେ ଖରାପ ଏ କଥା କିଏ କହିବ ?
ସେ ଯାହାହେଉ, ବାପାଙ୍କ କଥା ମାନିବା ହିଁ ମୋର କାର୍ଯ୍ୟ ।
ଦିନେ ମୁଁ ଘରେ ବସି ପଢ଼ୁଛି ।
ଡାକବାଲା ଆସି ମୋ ହାତରେ ଚିଠି ଖଣ୍ଡିଏ ଦେଇଗଲା ।
ଚିଠି ଖୋଲି ପଢ଼ିଲି; କିନ୍ତୁ ତହିଁର ଅର୍ଥ ବୁଝି ପାରିଲି ନାହିଁ ।
ହସ୍ତାକ୍ଷର ଯେପରି ମୁଁ କେବେ ଦେଖିଛି ! କି ସୁନ୍ଦର ମୁକ୍ତାପରି ଅକ୍ଷର ! ଅତୀତର ଗର୍ଭ ତନ୍ନ ତନ୍ନ କରି ଖୋଜିଲି; କିନ୍ତୁ କୌଣସିଠାରେ କିଛି ପାଇଲି ନାହିଁ ।
ଚିଠି କିଏ ଲେଖିଛି ? ମୋ ଠାକୁ କାହିଁକି ଲେଖିଛି ? ମୋ ସଙ୍ଗେ ତା’ର କି ସମ୍ପର୍କ ? ଏ ସବୁ ଜାଣିବା ପାଇଁ ଅନେକ ଚେଷ୍ଟା କଲି; କିନ୍ତୁ କିଛି ଠିକ୍‌ କରି ପାରିଲି ନାହିଁ ।
ପୁଣି ଚିଠି ଖୋଲି ପଢ଼ିଲି-
‘ବିନୋଦ ବାବୁ,
ମୋର ପରିଚୟର ଭୂମିକା ଅନାବଶ୍ୟକ ।
ବର୍ତ୍ତମାନ ମୋର ଅନ୍ତିମକାଳ ଉପସ୍ଥିତ ।
ତୁମକୁ ଦେଖିବା ପାଇଁ ମୋ ମନ ଅତିଶୟ ବ୍ୟାକୁଳ ।
ଯଦି ପୂର୍ବ ପରିଚୟର ଆଦର ଥାଏ, ଶୀଘ୍ର ଆସି ମୋର ଉତ୍କଣ୍ଠା ଦୂର କରିବ ।
ଇତି ।
ତୁମର
କ-’
ଚିଠି ପଢ଼ି ମୋ ମନ ବ୍ୟାକୁଳ ହେବାକୁ ଲାଗିଲା ।
ମୁଁ ଯେପରି ଅନ୍ଧକାର ମଧ୍ୟରେ ଆଲୋକ ଦେଖିବାକୁ ପାଇଲି ।
କିଏ ଯେପରି ମୋ ନିକଟକୁ ଆସି କାଳେ କହିଲା- ‘ଯାଅ, ବିଚାରୀ ତୁମ ପାଇଁ କେତେ କଷ୍ଟ ପାଉଛି ।’
କିନ୍ତୁ ବିଚାରୀ କିଏ ? ସେ ମୋ ପାଇଁ କାହିଁକି କଷ୍ଟ ପାଉଛି ?
ଏ କେତେ ଦିନ ମୋ ହୃଦୟ ଯନ୍ତ୍ରର ତାର ଛିଣ୍ଡି ଯାଇଥିଲା ।
ଯନ୍ତ୍ର ଲୟ ବିଶିଷ୍ଟ କରିବା ପାଇଁ କେତେ ଚେଷ୍ଟା କରିଥିଲି; କିନ୍ତୁ ମୋର ସକଳ ଚେଷ୍ଟା ବିଫଳ ହୋଇଗଲା ।
ଏ ଚିଠି ପଢ଼ିଲାକ୍ଷଣି ଛିନ୍ନ ତାରଗୁଡ଼ିକ ପୁଣି ଯୋଡ଼ି ହୋଇଗଲା ।
ହୃଦୟ ଯନ୍ତ୍ର ପୁଣି ଲୟ ବିଶିଷ୍ଟ ହେଲା ।
କେଉଁ ଅଜ୍ଞାତ ରାଜ୍ୟର ଛବି ମୋର ସ୍ମୃତିପଟରେ ଅଙ୍କିତ ହେଲା ।
ଏ ମୂର୍ତ୍ତି ମୁଁ ଅନେକଥର ଦେଖିଛି ।
ତା’ ସଙ୍ଗେ କେତେ ଖେଳିଛି ।
ଶୟନରେ, ଜାଗରଣରେ ତାହାର ମୂର୍ତ୍ତିକୁ ଧ୍ୟାନ କରି କେତେ ସୁଖ ପାଇଛି ।
ଛି ମୁଁ ଏତେ କୃତଘ୍ନ ! ଆଜି ଏ ସ୍ନେହମୟୀ ମୂର୍ତ୍ତି ମୋ ସ୍ମୃତି ପଟରୁ ଲୁପ୍ତ ! ମୋତେ ଦେଖିବା ପାଇଁ ସେ ଏତେ ବ୍ୟାକୁଳ; କିନ୍ତୁ ମୁଁ ତ ତା’ କଥା ଘଡ଼ିଏ ହେଲେ ଭାବୁ ନାହିଁ ।
କବି ଯଥାର୍ଥ କହିଛନ୍ତି-
କମଳା ! ସ୍ନେହମୟୀ କମଳା ! ତୋର ବାଲ୍ୟ ସହଚରକୁ ତୁ ଏତେ ଭଲ ପାଉ ! ତା’ ପାଇଁ ତୋର ଏତେ ଉତ୍କଣ୍ଠା ! କିନ୍ତୁ ତୋର ସେ ସୁନ୍ଦର ମୁଖ ଆଉ ଦେଖି ପାରିବି କି ? ତୁ ସ୍ବର୍ଗର ଜୀବ ।
ତୋର ଚତୁର୍ଦ୍ଦିଗରେ ଦେବତାମାନେ ! ସେ ରାଜ୍ୟକୁ ଯିବାକୁ ମୋର ଅଧିକାର ଅଛି କି ?
ଆଉ ଭାବି ପାରିଲି ନାହିଁ ।
ହୃଦୟ କମଳାମୟ ହୋଇଗଲା ।
ଯେଉଁଠାରେ ଅନାଇଲି ସେହିଠାରେ କମଳା ।
ଆକର୍ଷଣ ପ୍ରଭାବରେ ଭଗବାନ ଟଳିଯାନ୍ତି, ମନୁଷ୍ୟ ଛାର କେତେ ମାତ୍ର ! ବାପାଙ୍କୁ କହି ସେଦିନ ଟ୍ରେନ୍‌ରେ ଗାଁକୁ ବାହାରିଗଲି ।
ଗାଁକୁ ଗଲାବେଳକୁ ପ୍ରଭାତ ହେବାକୁ ଅନେକ ବାକି ଅଛି ।
ଗାଁରେ କୌଣସିଠାରେ କିଛି ଶବ୍ଦ ନାହିଁ ।
ଚତୁର୍ଦ୍ଦିଗ ନିସ୍ତବ୍ଧ, କିନ୍ତୁ କମଳା ଘର ନିକଟକୁ ଯାଇ ଦେଖେ, ଯେ କାନ୍ଦ ବୋବାଳି ଲାଗିଛି ।
ସେ କ୍ରନ୍ଦନ ଶୁଣି ମୋର ହୃଦୟ ଚମକି ଉଠିଲା ।
ମୁଁ ଉନ୍ମତ୍ତପ୍ରାୟ ଘର ଭିତରେ ପ୍ରବେଶ କଲି ।
ଘର ଭିତରକୁ ଯାଇ ଦେଖେ, ଅଗଣାରେ ଅନେକ ଲୋକ ଜମା ହୋଇଛନ୍ତି ।
କମଳାର ପ୍ରଶାନ୍ତ ମୂର୍ତ୍ତି ଗୋଟିଏ ଖଟ ଉପରେ ସ୍ଥାପିତ ହୋଇଅଛି ।
ଓଃ, କି ଭୀଷଣ ଦୃଶ୍ୟ ! ମୁଁ ଆଉ ରହି ପାରିଲି ନାହିଁ ।
କମଳା ନିକଟକୁ ଯାଇ ତାକୁ ଆଲିଙ୍ଗନ କରି କମ୍ପିତ କଣ୍ଠରେ କହିଲି- ‘କମଳା ! କମଳା !’ ଆଉ କହି ପାରିଲି ନାହିଁ ।
ମୋର ବାକ୍ୟ ରୁଦ୍ଧ ହୋଇଗଲା ।
ମୋ କଥା ଶୁଣି କମଳାର ଯନ୍ତ୍ରଣା-କାତର ଓ ବିଷର୍ଣ୍ଣ ମୁଖରେ ଏକ ଅପୂର୍ବ ଜ୍ୟୋତି ଫୁଟି ଉଠିଲା ।
ନିମୀଳିତ ନେତ୍ର ଦ୍ବୟ ଉନ୍ନୀଳିତ ହେଲା; କିନ୍ତୁ ପୁଣି ଘୋର ଅନ୍ଧକାର ।
କମଳାର ପିଣ୍ଡ ଛାଡ଼ି ପ୍ରାଣ ଚାଲିଗଲା ।
କମଳାର ପ୍ରାଣହୀନ ଦେହ ନିଶ୍ଚଳ ହେଲା ।
ମୋର ସକଳ ଆଶା ଭରସା ବିଲୁପ୍ତ ହେଲା ।
ଚତୁର୍ଦ୍ଦିଗ ଅନ୍ଧାକର ଦିଶିଲା ।
କମଳାର ଶୀତଳ ଦେହକୁ କ୍ରୋଡ଼ରେ ରଖି କାନ୍ଦିବାର ଲାଗିଲି ।
ସେ ଦେହରେ ସ୍ବର୍ଗୀୟ କାନ୍ତି ଝଲସି ଉଠୁଥିଲା ।
ଲାବଣ୍ୟମୟ ଓ ମହିମାମଣ୍ଡିତ ମୁଖ ମଣ୍ଡଳ ଅବିକୃତ, ଜ୍ୟୋତିର୍ମୟ !
ପ୍ରଭାତ ତରୁଣ ଅରୁଣାଲୋକ କମଳାର ମୃତ୍ୟୁ-ମଣ୍ଡିତ ବଦନ ମଣ୍ଡଳରେ ଆସି ପଡ଼ିଲା ।
ସ୍ନିଗ୍‌ଧ ପ୍ରଭାତ ସମୀର ତା’ର ନିତମ୍ବସ୍ପର୍ଶୀ କେଶ ଦାମ ସଙ୍ଗେ କ୍ରୀଡ଼ା କରିବାକୁ ଲାଗିଲା ।
ସ୍ବର୍ଗର ଜୀବ ସ୍ବର୍ଗକୁ ଚାଲିଗଲା ।
କିନ୍ତୁ….. ! ଆଜି ଜାଣିଲି ବାପା କାହିଁକି ମୋତେ ଗାଁକୁ ଛାଡ଼ି ଦେଉ ନ ଥିଲେ ।
କିନ୍ତୁ ଆଉ କାହିଁକି ! ସବୁ ଶେଷ !!
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment