"...Stack and its Applications (Lecture 07)-aG0HjeXBUDU" did not exist on "43fe9c4f9b469d35b67b2861bac874e6f0cb5cbd"
Commit 93f6a5eb authored by Nayan Ranjan Paul's avatar Nayan Ranjan Paul

Upload New File

parent b8b6bd8b
ଏବେ ମଧ୍ୟ ବଞ୍ଚିଛି
ଗୋଦାବରୀଶ ମହାପାତ୍ର
ତା: ସେପ୍ଟେମ୍ବର୍ ୩୦, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବେଣୁଧର କ’ଣ କରିବ କିଛି ଠିକ୍‌ କରିପାରିଲା ନାହିଁ ।
ଯେତେବେଳେ ଗାଁ ଯାକ ବାହାରନ୍ତି ସାହାଯ୍ୟ କେନ୍ଦ୍ରକୁ ସାହାଯ୍ୟ ପାଇଁ, ବେଣୁଧର ପିଣ୍ଡାରେ ତୁନି ହୋଇ ଠିଆହୁଏ ।
ଭାବେ, ଏତେ ଲୋକ ଯାଉଛନ୍ତି, ସମସ୍ତଙ୍କ ଆଗରେ ମୁଁ ହାତ ପତେଇ ଠିଆହୋଇ ମାଗିବାଟା ସୁନ୍ଦର ହେବ ନାହିଁ ।
ଯେଉଁଦିନ କେହି ଯାଆନ୍ତି ନାହିଁ, ସେଦିନ ବେଣୁଧର କାନ୍ଥରେ ଲଟକାଇଥିବା ଚିରା କାମିଜ୍‌ଟାକୁ ଦେହରେ ଗଳାଇଦେଇ ସେ ବଡ଼ ବରଗଛ ଦାଣ୍ଡକୁ ବାହାରିପଡ଼େ ।
ଦାଣ୍ଡ ଡେଇଁ, ବିଲ ପଡ଼ିଆ ଡେଇଁ ଯେତେବେଳେ ସେ ବଡ଼ ବରଗଛ ମୂଳେ ପହଞ୍ଚେ, ଟିକିଏ ବସିପଡ଼େ ।
ଶ୍ୟାମଳ ପତ୍ରଗହଳ ତଳେ ଶୀତଳ ପବନ ଟିକିଏ ପାଇ ସେ ଆଖି ବୁଜି ଅନେକ ଭାବେ ।
ଭାବେ-ସେ ଯିବ, କେନ୍ଦ୍ର ଦୁଆରେ ଠିଆ ହେବ ।
କିପରି ଠିଆ ହେବ? ହାତ ଯୋଡ଼ିବ ନା ହାତ ଦୁଇଟା ପାଖକୁ ଝୁଲାଇ ରଖିବ?
ମୁଣ୍ଡ ଟିକିଏ ନୁଆଁଇବ ନା ମୁଣ୍ଡକୁ ବୀର ପରି ସିଧା ରଖି ଠିଆହେବ?
ହସିବ ନା ଦୁଃଖରେ ମୁହଁ ଶୁଖାଇ ଚାହିଁବ? କ’ଣ କରିବ କିଛି ସେ ସ୍ଥିର କରିପାରେ ନାହିଁ ।
ବିଚାରେ, ସେଠି ଯେ ଥିବେ, ସେ ଯେବେ ଚିହ୍ନା ଲୋକ ହୋଇଥିବେ, ତେବେ କ’ଣ କରିବାକୁ ହେବ?
ବସି ବସି, ବିଚାରି ସୂର୍ଯ୍ୟ ମୁଣ୍ଡ ଉପରକୁ ଉଠେ, ତା’ର ଭାବନା ଶେଷ ହୁଏ ନାହିଁ ।
ସେହି ଜନଶୂନ୍ୟ ବିଲମାଳ ଭିତରେ ଗଛଡ଼ାଳରେ ଦୁଇଟା ଗୁଣ୍ଡୁଚି ମୂଷା ଚେଁ ଚେଁ ଶବ୍ଦ କରି ଏ ଡାଳରୁ ସେ ଡାଳକୁ ଧାଆଁନ୍ତି କିମ୍ବା କୁଆ କୋଇଲି ରାବି ଉଠନ୍ତି, ସେ ଆଣ୍ଠୁ ଉପରୁ ମୁଣ୍ଡ ଉଠାଇ ଆଖି ଫିଟାଏ କିନ୍ତୁ ଦେଖେ ସେହି ନିତିଦିନର ସଂସାର ତାହାରି ଆଗରେ ।
ଦୂରର ମରୀଚିକା ପାଣି ପରି ଭାସିଯାଏ ।
ତା’ର ଆଶା ଠିକ୍‌ ସେହିପରି ଦୂରକୁ ବହିଯାଏ ।
ମୁହଁ ବୁଲେଇ ଦେଖେ, ଦୂରେ ଗଛ ଗହଳରେ ସିରେଇ ଗାଁ ।
ସେହିଠାରେ ଗୋଟାଏ ଚାଳ ଉପରେ ଗୋଟାଏ ଜାତୀୟ ପତାକା ।
ତାହାରି ତଳେ ସ୍ବେଚ୍ଛା ସେବକ, ଦେଶସେବକ, ମାତୃପୂଜକ, ଜନନାୟକ, ଦରିଦ୍ର-ସାଥୀ-ଯେ କେହି ଚାଉଳ ଧରି ବାଣ୍ଟିବାକୁ ବସିଥିବେ ବୋଲି ମନେକରେ ।
ଅନ୍ୟଆଡ଼େ ମୁହଁ ବୁଲେଇ ଦେଖେ, ସେହିପରି ଗୁଡ଼ାଏ ଗଛ ଗହଳରେ ବାଗଲପଡ଼ା ।
ତାହାରି ଭିତରେ ଗୋଟିଏ ଛୋଟ ଚାଳଘର, ସେହି ଚାଳଘର ଭିତରେ କେତୋଟି ପ୍ରାଣୀ, କାହା ପେଟରେ ଅନ୍ନ ନାହିଁ କି କାହା ମୁହଁରେ ହସ ନାହିଁ ।
ଦିନେ ନୁହେଁ, ଦୁଇଦିନ ନୁହେଁ, ପାଞ୍ଚ ଦିନ ହେଲା ସେହି କୁଡ଼ିଆ ତଳେ ଚୁଲି ଜଳି ନାହିଁ, ସେ ଭିତରେ ଅଇଁଠା ପଡ଼ିନାହିଁ ।
ଏ କଥା ଭାବିଲାବେଳେ ସେ ପୁଣି ଆଖି ବୁଜିଯାଏ ।
ମାତ୍ର ନିଜ ଭିତରେ ସେ ଦେଖେ ଆଉ ଗୋଟିଏ ଜଗତ ।
କି ସୁନ୍ଦର, କି ଜୀବନମୟ ଜଗତ ସେ! ସେ ଭିତରେ ବେଣୁଧର ବୋଲି ସତର ବର୍ଷର ଯୁବକ କେତେ ଖେଳିଲା, କେତେ ହସି ହସେଇଲା, କେତେ ନାଚି ନଚେଇଲା ।
ସେ ଗଲା ଘର ଛାଡ଼ି ପାଠ ପଢ଼ିବାକୁ ଯେଉଁଠାରେ ଦେବତା ମଣିଷର ସାକ୍ଷୀ, ସେହିଠାରେ ସେ ପାଠ ପଢ଼ିଲା ।
ପାଠ ପଢ଼ି ସେ ଭାବିଲା- ସେ ଜାଗିବ, ଦେଶକୁ ଜଗାଇବ ।
ବେଣୁଧର ଆଖି ଫିଟେଇଲା ।
ସେ ଦେଖିଲା, ପୁଣି ସେହି ଆଖି ଆଗରେ ପୁରୁଣା ସଂସାର ।
ସେହି ଭଙ୍ଗାରୁଜା ସଂସାର ଭିତରେ ତା’ର ପାଠପଢ଼ା କାଳରେ ଶେଷ ହୋଇଛି; ସେହି ନିରସ ସଂସାର ଭିତରେ ତା’ର ଆଶାର ଝରଣା ଶୁଖି ଆସିଛି, ପ୍ରାଣର ରସ ମରିଯାଇଛି ।
ସେ ଆସିଛି ଭିକ ମାଗି କେତୋଟି ପ୍ରାଣୀଙ୍କୁ ପୋଷିବ ବୋଲି ।
ବେଣୁଧର ପାରିଲା ନାହିଁ ।
ବରଗଛ ମୂଳେ ଠିଆ ହୋଇ ମୁହଁ ବୁଲେଇଲା ଗାଁ ଆଡ଼କୁ ।
ଭାବିଲା, ‘‘ନାଁ, ମୁଁ ଏପରି ଭାବରେ ଯାଇ ଭିକ ମାଗିବାଟା ସୁନ୍ଦର ହେବ ନାହିଁ ।
କେହି ଯେତେବେଳେ ଯାଉନାହାଁନ୍ତି, ମୁଁ ଏକାକୀ ଗଲେ ସେମାନେ ମନେକରିବେ କ’ଣ ? ବରଂ ଗହଳି ଭିତରେ ପଶି କାନି ପତେଇ ମାଗିଦେଲେ ଚଳିପାରେ ।’’
ତଥାପି ବେଣୁଧର କ’ଣ କରିବ ବୁଝିପାରିଲା ନାହିଁ ।
ଦିନେ ଗଲା, ଦୁଇ ଦିନ ଗଲା, ଚାରି ଦିନ ଗଲା ।
ଆଠ ଦିନ ଗଲା ।
ଦିନ ସତେ ଅବା ପାଣି ପରି ବହିଗଲା ।
ସେ ଦେଖିଲା, ସେଇ ସୁଅରେ ତା’ ନିଜ ଗାଁର ଶହ ଶହ ମହାପ୍ରାଣୀ ଭାସି ଭାସି, ପେଟ ଦେଖାଇ, କଙ୍କାଳ ଦେଖାଇ, କାନି ଦେଖାଇ ଯାଇ ଲାଗୁଛନ୍ତି ସରେଇ ଗାଁର ଚାଉଳବଣ୍ଟା କେନ୍ଦ୍ର ଦୁଆରେ ।
ଯାହା ପାଉଛନ୍ତି ମୁଠାଏ, ତାହା ଶିଝେଇ ଖାଇବାକୁ ଦରକାର ପଡ଼ୁନାହିଁ ।
ଖରାବେଳେ ତଳତାତି ଓ ଉପରତାତି ଭିତରେ ମଝିରେ ଯେ ପେଟ ଚାଖଣ୍ଡକ ତାତି ଉଠୁଛି, ତାହା ସେମାନେ ସମ୍ଭାଳି ନପାରି ମୁଠା ମୁଠା ଚାଉଳ ବ୍ୟାକୁଳ ଭାବରେ ପାଟିରେ ଭର୍ତ୍ତି କରୁଛନ୍ତି ।
ବେଣୁଧର ଘରକୁ ଫେରିଆସିଲା ।
ଏପରି ଦିନେ ନୁହେଁ, ଦଶ ଦିନ ଯାଇ ଦଶ ଦିନ ଫେରିଲା ।
ସବୁ କଥାର ସୀମା ଅଛି; ମାତ୍ର ବେଣୁଧରର କଥା ସୀମା ପାର ହୋଇଗଲା ।
ଘରେ ଯେତେବେଳେ ଖୁଦକଣିକାଏ ସୁଦ୍ଧା ନାହିଁ, ସେତେବେଳେ କି ସୀମା ଭିତରେ ରହିହୁଏ ? ଶେଷରେ ଦିନେ ସେ କେନ୍ଦ୍ରରେ ଯାଇ ହାଜର ହେଲା ।
– ଦୁଇ –
ସିରେଇ ଗାଁ’ର ସାହାଯ୍ୟ କେନ୍ଦ୍ର ।
ଦୁର୍ଭିକ୍ଷ-ରାକ୍ଷସର ତାହା ଗୋଟାଏ ବିରାଟ ଯାଦୁଘର ।
ଯେଉଁ ଦେଶରେ ଯୁଗ ଯୁଗ ଧରି ବିରାଟ ପଥରସ୍ତୂପ ଉପରେ ପତିତପାବନ ବାନା ଉଡ଼ୁଛି, ସେହି ଦେଶର ଲକ୍ଷ ଲକ୍ଷ ନରନାରୀଙ୍କ ବିକଳ ଧ୍ବନି ସେତେବେଳେ ସିରେଇରେ ପ୍ରତିଧ୍ବନିତ ହେଉଥିଲା ।
ଯେଉଁ ଦେଶର ମଣିଷର ସାକ୍ଷୀ ରୂପ ସ୍ବୟଂ ଦେବତା ବାଟ ଚାଲି ଆସିଥିଲେ ବୋଲି କଥା ଅଛି, ଦୁଃଖ ଦାରିଦ୍ର୍ୟର ସାକ୍ଷ୍ୟ ନେବା ପାଇଁ ସେଇ ଭୂମିର ପରମ ସନ୍ୟାସୀ ଉତ୍କଳମଣି ସେହିଠାରେ ଉପସ୍ଥିତ ଥିଲେ ।
ସେତେବେଳେ ସିରେଇ ଗୋଟାଏ ବିରାଟ ମଶାଣି କହିଲେ ଚଳେ ।
ଦରମରା ମଣିଷଗୁଡ଼ାକ ସେଠାରେ ମରିବେ କି ଜିଇଁବେ, ଠିକ୍ କରିପାରୁ ନଥିଲେ ।
କାହା ଆଖିରେ ଜ୍ୟୋତି ନଥିଲା, କାହା ମୁହଁରେ ହସ ନଥିଲା, କାହା ପାଦରେ ବଳ ନଥିଲା, କାହା ପେଟରେ ଅନ୍ନ ନଥିଲା କି କାହା କଟିରେ କନା ନଥିଲା- ଥିଲା କେବଳ ସମସ୍ତଙ୍କ କଣ୍ଠରେ ବିକଟ ସ୍ବର ।
ସମସ୍ତେ କହୁଥିଲେ, ‘ଦିଅ-ଦିଅ-ଦିଅ’ ।
ବେଣୁଧର ସେଇ ଭିତରେ ଯାଇ ଠିଆହେଲା ।
ସେ ଶବ୍ଦ ଶୁଣି ତା’ର କାନ ତାବ୍‌ଦା ପଡ଼ିଗଲା ।
ସେ ଦୃଶ୍ୟ ଦେଖି ତା’ ଆଖିକି ଜାଲୁଜାଲୁଆ ଦିଶିଲା ।
ସେ ସେହି ଭିତରେ ଜଣେ ହୋଇ ଠିଆହେବାକୁ ଇଚ୍ଛା କଲା ନାହିଁ ।
ମନେକଲା, ଲୋକଲୋଚନ ଆଗୋଚରରେ କେଉଁଠି ସେ ମିଶିଯାଆନ୍ତା କି, କେଉଁଠି ସେ ଆପଣାର ମୁହଁଟା ଲୁଚାଇ ଠିଆ ହୋଇପାରନ୍ତା କି, କେଉଁଠି ନିଜକୁ ହରାଇ ପାଗଳ ହୋଇଯାଆନ୍ତା କି?
ସେ ପଛକୁ ଘୁଞ୍ଚି ଆସିଲା ।
କାହାର ସ୍ନେହପାଳିତ ଗୋଟିଏ ଗଛମୂଳେ ପଥର ଉପରେ ବସିପଡ଼ି ଖାଲି ଦେଖିଲା ।
ତାକୁ ଦିଶିଲା ଗୋଟାଏ ପ୍ରାଚୀନ ବିରାଟ ଜାତି ହଠାତ୍‌ କିପରି ଭିକାରୀ ପାଲଟିଗଲା ।
ଜୀବନ ଥାଉ ଥାଉ ଜାତିଟା କିପରି ଅପମାନ ବରଣ କରିନେଲା ।
ଚାହୁଁ ଚାହୁଁ ବାଟ କିପରି ସେ ଭୁଲିଆସିଲା!
ତାକୁ ଦିଶିଲା- ଏଇପରି ଏକ ପ୍ରଭାତ ଅବସରରେ ସେ ପାଠ ପଢ଼ିଥିଲା ।
ଚିରଶ୍ୟାମଳ ବକୁଳ ଛୁରିଅନା ମୂଳେ ଶହ ଶହ ତରୁଣ ପ୍ରାଣରେ ଯେଉଁ ଶିକ୍ଷାର ମଞ୍ଜି ପୋତା ଯାଇଥିଲା, ତାହା କ’ଣ ଶେଷକୁ ବଢ଼ିଉଠିଲା ଏଇ ଭିକ ମାଗିବା ପାଇଁ? ବେଣୁଧର କ’ଣ ଶେଷରେ ଏଇଆ ହେବ ବୋଲି ବହି ଧରିଥିଲା?
ବେଣୁଧର ସେଠି ଅଛି କି ନାହିଁ, ବୁଝିପାରିଲା ନାହିଁ ।
ସେ ନିଜକୁ ଖୋଜିଲା ।
ତା’ର ଆଖି ରହିଲା ଭିତରେ, ତା’ର ମନ ରହିଲା ଭିତରେ, ତା’ର ଭାବନା ରହିଲା ଭିତରେ, ତା’ର ଶରୀରଟା କେବଳ ସିରେଇ ଗାଁର ଏକ ଗଛମୂଳେ ଥିଲା ।
ଚାଉଳ ଧରି ଲୋକେ ଫେରି ଚାଲିଛନ୍ତି, ଗହଳି କ୍ରମେ ଭାଜି ଆସୁଛି, ଖରା କ୍ରମେ ମାଡ଼ିଆସୁଛି; କିନ୍ତୁ ବେଣୁଧର ନିଜକୁ ହରେଇ ଗଛମୂଳେ ବସିଛି ।
-ତିନି-
ଝାଞ୍ଜି ପବନର ସ୍ପର୍ଶ କିମ୍ବା କପୋତର କରୁଣ ଧ୍ବନି ବେଣୁଧରର ମୋହ ଭାଙ୍ଗି ପାରିଲା ନାହିଁ ।
ଗଛଟା ଯେପରି କାହାକୁ କିଛି ନକହି ଅନେକ ଦିନୁ ଠିଆ ହୋଇଛି ।
ତାହାରି ତଳେ ବେଣୁଧର କାହାକୁ କିଛି ନ ମାଗି ସକାଳ ପହରୁ ବସିଛି ।
ତା’ର ଆଗରେ ପ୍ରଶ୍ନ ହେଲା- ‘‘ବାବୁ ତୋ’ର ଗାଁ?’’
ଦଶ ପାଞ୍ଚଥର ଏହିପରି ପଚାରିବା ପରେ ବେଣୁଧର ମୁହଁ ଟେକି ଚାହିଁଲା ।
ଚାହିଁଲା, ସତେ ଯେପରି କୋଣାର୍କର ଗୋଟାଏ ପଥରମୁର୍ତ୍ତି କେତେ ଯୁଗ ହେଲା ପାଣି-ପବନ, ଖରା-ତରା ସହି ସହି ପଡ଼ି ରହିଥିଲା, ହଠାତ୍‌ କାହାର ଡାକରେ ତା’ର କଡ଼ ପିଣ୍ଡରେ ପ୍ରାଣ ସଞ୍ଚାର ହେଲା ।
ପୁଣି ତାକୁ ପଚରାଗଲା- ‘‘ତୋ’ର ଗାଁ କେଉଁଠି ବାବୁ? ଚାଉଳ ନେଇଚୁ?’’
ବେଣୁଧର ସେଇପରି ଚାହିଁ ରହିଲା ।
ତା’ପରେ ପ୍ରଶ୍ନ ପଚାରୁଥିବା ବ୍ୟକ୍ତି ଧୀରେ ଧୀରେ ତା’ ପାଖକୁ ଲାଗି ଆସିଲେ ।
ଗୋଟିଏ ଶୀତଳ କୋମଳ ହାତର ସ୍ପର୍ଶ ତା’ ପିଠିରେ ଲାଗିଲା ।
ପିଠିର କାମିଜ୍‌, ଦେହର ଚର୍ମ, ଚମତଳର ରକ୍ତ, ମାଂସ ଓ ହାଡ଼ ଭେଦ କରି ସତେ ଅବା ସେହି ସ୍ପର୍ଶ ବେଣୁଧରର କେଉଁ ଅନ୍ତର ଭିତରେ ବାଜିଲା, ତା’ର ଦେହ ଶୀତେଇ ଉଠିଲା ।
ତା’ର ଆଖିପତା ଥରିଲା ।
ଆଖି କ୍ରମେ ଓଦା ହୋଇ ଆସିଲା ।
ତା’ପରେ ଚେଷ୍ଟା କଲା, ଓଠକୋଣ ଥରି ଆସିଲା ।
ସେ ବ୍ୟକ୍ତି ପଚାରିଲେ- ‘‘ଚାଉଳ ନେଇଚୁ ବାବୁ?’’
– ‘‘ନା ।’’
ଏତିକି କେବଳ ସେ କହିଲା
– “ନେବୁ?’’
– ‘‘ନା… ମୁଁ ନେବାକୁ ଆସି ନାହିଁ ।’’
– ‘‘ଆଉ ତେବେ…?’’
ବେଣୁଧର ଆଉ ସାମ୍ଭାଳି ପାରିଲା ନାହିଁ ।
ଭୋ’ କରି କାନ୍ଦିଉଠିଲା ।
ଏତିକି କହିଲା- ‘‘ଏଇପରି ଗଛମୂଳେ ଏଇ ଚରଣ ତଳେ ପରା ବସି କଥା ଶୁଣିଥିଲି…
‘ଜୀବନ ଥିଲେ ଭାଇ ପାତିବା ନାଇଁ ହାତ,
ମଣିଷ ପରି ଦିନେ ମଣିଷ ହୋଇବା ତ ।’
ତା’ପରେ-ତା’ପରେ ଅନେକ କ୍ଷଣ ବିତିଗଲା ।
ବସିପଡ଼ିଥିବା ବେଣୁଧରର ମୁଣ୍ଡରେ ହାତ ଦେଇ ସେଇ ଶାନ୍ତ ଉଦାର ମହାପୁରୁଷ ଦୂରରେ, ଖୁବ୍ ଦୂରେର- ସୁଦୂର ଦିଗ୍‌ବଳୟ ସୀମାରେ ଚକ୍ଷୁ ସ୍ଥିର ରଖି ଅନେକ କ୍ଷଣ ଠିଆହେଲେ ।
ଦୁଇ ଧାର ଅଶ୍ରୁ ତାଙ୍କର କୃଷ୍ଣୋଜ୍ବଳ ଶ୍ମଶ୍ରୁମଣ୍ଡଳରୁ ବିନ୍ଦୁ ବିନ୍ଦୁ ହୋଇ ଖସୁଥିଲା ।
ଆଖି ମୁଦି ହୋଇଯାଉଥିଲା ।
ଯେତେବେଳେ ସେ ଆଖି ଫିଟାଇଲେ, ଦେଖିଲେ ସ୍ବେଚ୍ଛାସେବକ ତାଙ୍କୁ ଡାକୁଛନ୍ତି; ବେଣୁଧର ପଥର ପରି ତଳେ ପଡ଼ିଛି ।
ତାଙ୍କ ମୁହଁରୁ ପଦେ କଥା ବାହାରିଲା- ‘ଏ ଜାତି ଏବେ ମଧ୍ୟ ବଞ୍ଚିଛି’ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment