Commit c57afc66 authored by Nayan Ranjan Paul's avatar Nayan Ranjan Paul

Upload New File

parent 6f61e2a9
ଜାତୀୟ ସଂସ୍କୃତିକୁ ଓଡ଼ିଶାର ଦାନ
ନୀଳକଣ୍ଠ ଦାସ
ତା: ନଭେମ୍ବର୍ ୧୫, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
‘ଓଡ଼ିଶା ବୋଇଲେ ଏ କ୍ଷେତ୍ରରେ ବୁଝିବାର ଅଛି ଏବର ଓଡ଼ିଶା ।
ଏବର ଓଡ଼ିଶା ତିନୋଟି ଅଞ୍ଚଳର ସମିଶ୍ରଣ କୁହାଯାଇଛି ।
ସେଥିରୁ ଗୋଟିଏ ହେଉଛି ଉତ୍ତରକୁ ଉତ୍କଳ ।
ଏହା ପ୍ରାଚୀନ କାଳରେ ଯାଜପୁରଠାରୁ ରାଢ଼’ ଆଡ଼କୁ ।
ଏହାର ସଂସ୍କୃତି ବଙ୍ଗ ସଂସ୍କୃତି ସଙ୍ଗେ ପ୍ରାୟ ସମାନ ।
ଅତି ପ୍ରାଚୀନକାଳରୁ ଏଠାରେ ଭୌମମାନେ ଦକ୍ଷିଣକୁ ଦେଶ ଜିଣି ଯାଇଥିଲେ ।
ଓଡ଼ିଆ ଅକ୍ଷର ଓ ଉଚ୍ଚାରଣ ପ୍ରଭୃତି ବହୁ ପରିମାଣରେ ସେଇକାଳୁ ବଙ୍ଗଳା ଅକ୍ଷର ଓ ଉଚ୍ଚାରଣ ସଙ୍ଗେ ସମାନ ।
ସେଇ ବଙ୍ଗକୁ ‘ରାଢ଼’ କୁହାଯାଉଥିଲା ।
ଅତି ପ୍ରାଚୀନ କାଳରେ ‘ଉତ୍କଳ-ରାଟ’ ବୋଲି ଭୂମିଖଣ୍ଡର ନାମ ଥିଲା ।
କାଳକ୍ରମେ ସେଥିରୁ ଉତ୍ତର ଆଡ଼କୁ ନାମ ହେଲା- ‘ରାଢ଼’- ଦକ୍ଷିଣ ଆଡ଼ର ନାମଟି ହେଲା ‘ଉତ୍କଳ’ ।
ସ୍ପଷ୍ଟତଃ ଏଇ ଉତ୍କଳ ଗୟାଠାରୁ ଦକ୍ଷିଣ ବା ଉପକୂଳ ଆଡ଼କୁ ।
ଏଇ ଯାଜପୁରଠାରୁ ଦକ୍ଷିଣ ଆଡ଼କୁ ଗୋଦାବରୀ ଯାଏ ନହେଲେ ମଧ୍ୟ ସେଇ ପର୍ଯ୍ୟନ୍ତ, ସ୍ପଷ୍ଟତଃ ନାଗାବଳୀ ପର୍ଯ୍ୟନ୍ତ, ଭୂମିଖଣ୍ଡର ନାମ ହୋଇଥିଲା କଳିଙ୍ଗ ।
ଏହା ବଡ଼ ପ୍ରାଚୀନ ନାମ ।
ଏଇ କଳିଙ୍ଗର ଭାଷା ଖୁବ୍‌ ସମ୍ଭବ ବୈଦିକ ଭାଷା ବା ଆର୍ଯ୍ୟଭାଷା ନଥିଲା ।
ଏହାଥିଲା, ଦ୍ରାବିଡ଼ ବା ଅତି ପ୍ରାଚୀନ କାଳରେ ତାମିଲ ଭାଷା ପରି ।
ଏଇ ଓଡ଼ିଶାର ତୃତୀୟ ଖଣ୍ଡକ ହେଉଛି ସ୍ବତନ୍ତ୍ର ।
ସପ୍ତମ-ଅଷ୍ଟମ ଶତାବ୍ଦୀ ଅର୍ଥାତ୍‌ ଚୀନ ପରିବ୍ରାଜକ ହୁଏନସାଂ ପ୍ରଭୃତି ଭାରତକୁ ଆସିଲା ବେଳକୁ ଏହାର ନାମ ଥିଲା ‘ଉଡ଼୍ଡ଼ିୟାନ’ ।
ଏହା ଦକ୍ଷିଣ କୋଶଳ ବୋଲି ତା ପୂର୍ବରୁ ନାମିତ ଥିବାର ମନେହୁଏ ।
ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀ ବେଳକୁ ଏଇ ଉଡ଼୍ଡ଼ିୟାନର ସୀମା ଥିଲା ଏବର ବୌଦ୍ଧଠାରୁ ବିଳାସପୁର ଯାଏ ।
ଏଇ ଉଡ୍‌ଡ଼ିୟାନରେ ମହାନଦୀର ଉପନଦୀମାନେ କଟକ ଆଡ଼କୁ ବୋହିଯାଇ ସମୁଦ୍ରରେ ମିଶୁଛନ୍ତି ।
କଳିଙ୍ଗର ପ୍ରାଚୀନ ସଂସ୍କୃତି ଏ ସମସ୍ତ ମିଶ୍ରଣ ମଧ୍ୟରେ ବଡ଼ ପ୍ରସିଦ୍ଧ ଥିଲା ।
ଦକ୍ଷିଣ ପ୍ରଶାନ୍ତ ମହାସାଗର ଦ୍ବୀପମାନଙ୍କରେ ତଥା ସେଇବାଟେ ଆମେରିକାକୁ ଏଇ କଳିଙ୍ଗ ସଂସ୍କୃତି ଯାଇ, ଅତି ପ୍ରାଚୀନ କାଳରେ ବ୍ୟାପ୍ତ ହୋଇଥିବାର ପ୍ରମାଣମାନ ଏବେ ବହୁତ ମିଳୁଛି ।
ଏ ସମ୍ପର୍କରେ ଚମନଲାଲ୍‌ଙ୍କର ‘ହିନ୍ଦୁ ଆମେରିକା’ ପୁସ୍ତକ ବେଶ୍‌ ଅନୁସନ୍ଧାନ କରାଯାଇପାରେ ।
ମାତ୍ର ଧର୍ମ ବିଷୟରେ ବିଶେଷ ଭାବରେ କହିବାର କଥା ଆଉ ମନେରଖିବାର କଥା, ଏ କ୍ଷେତ୍ରରେ ବଡ଼ ସ୍ବତନ୍ତ୍ର ।
କଳିଙ୍ଗର ଧର୍ମ ପୃଥିବୀର ସମସ୍ତ ଧର୍ମରେ ଆଧ୍ୟାତ୍ମବାଦ ରୂପେ ଏବେ ବି ଖୁବ୍‌ ପ୍ରଚ୍ଛନ୍ନଭାବରେ ହେଲେ ମଧ୍ୟ ପ୍ରକାଶ ପାଉଛି ।
କଳିଙ୍ଗରେ ବହୁ ପ୍ରାଚୀନ କାଳରେ ଏପରିକି ଖ୍ରୀଷ୍ଟ ପ୍ରତିଲୋମ ଅନ୍ତତଃ ଦୁଇ ତିନି ହଜାର ବା ଅଧିକ ବର୍ଷ ତଳରୁ ଦ୍ରାବିଡ଼ମାନେ ମଧ୍ୟ ଆଫ୍ରିକାରୁ ଆସି ବସତି କରି ଯାଇଥିଲେ ।
ସେଇ କଳିଙ୍ଗମାନଙ୍କର ଉପାସ୍ୟ ଥିଲା, ମାନବର ଆତ୍ମା ବା ଶରୀର ଅଧିକାରରେ ଥିବା ଆତ୍ମା ।
ଏହାକୁ ସେକାଳେ ‘ପୁରୁଷ’ କହୁଥିଲେ ।
ଏଇ ପୁରୁଷକୁ ଡକ୍ଟର ସୁନୀତି କୁମାର ଚାଟାର୍ଜୀ କହନ୍ତି, ଏହା ଗୋଟିଏ ଦ୍ରାବିଡ଼ ଶବ୍ଦ ।
ପରବର୍ତ୍ତୀ ବେଦ ସାହିତ୍ୟରେ ଏହା ପ୍ରବେଶ କରିଥିଲା ।
ଏହା ମୌଳିକ ଭାବରେ ହେଉଛି ‘ପୁବୃଷ’ ।
ଏହା ବୈଦିକ ଭାଷା ହିସାବରେ ହେବ, ‘ପୁରଷ’ ବା ପୁର୍ଷ’-‘ପୁରୁଷ’ ନୁହେଁ ।
କିନ୍ତୁ ଦ୍ରାବିଡ଼ ଶୈଳୀରେ ଏହା ହେବ, ‘ପୁରୁଷ’ ।
ଦ୍ରାବିଡ଼ ସମ୍ପର୍କରେ ଏଇପରି ଅନେକ ଶବ୍ଦ ବଦଳି ଯାଇଥିବାର ଏବେ ବି ସ୍ପଷ୍ଟ ଦେଖାଯାଏ ।
ଯଥା ‘ଶ୍ରୀମଳାଇ’-ତିରୁମଳାଇ; ‘ଶ୍ରୀପତି’- ତିରୁପତି ।
ଏଠାରେ ସବୁ ‘ଶ୍ରୀ’ ହୋଇଚି, ‘ତିରୁ’ ।
ଏହା ଦ୍ରାବିଡ଼ ସମ୍ପର୍କରେ ବୈଦିକ ଭାଷା ଉପରେ ପ୍ରଭାବ ।
ଏଇ ‘ପୁରୁଷ’-ଶବ୍ଦ ନ ଆସିଥିଲେ ମଧ୍ୟ ଭାବଟି ଆସିଥିଲା-ଖୁବ୍‌ ସମ୍ଭବ ଦକ୍ଷିଣ ଆଫ୍ରିକାରୁ ଭୂମିବାଟେ- ପୁଣି କେଜାଣି ବା ସମୁଦ୍ର ବାଟେ- ଭାରତକୁ ।
ଏଇ ‘ପୁରୁଷ’ର ପ୍ରଧାନ ପୀଠ କଳିଙ୍ଗ ଉପକୂଳରେ ଏବେ ପୁରୀ ପାଖ ‘ପୁରୁଷକ୍ଷେତ୍ର’ ବା ‘ପୁରୁଷୋତ୍ତମ କ୍ଷେତ୍ର ।
ଆଉ ଗୋଟିଏ ହେଉଛି, ନିଷାଦମାନଙ୍କର ସଂସ୍କୃତି ।
ଏହା ମଧ୍ୟ ଦ୍ରାବିଡ଼ିମାନଙ୍କ ଆସିବାର ଆହୁରି ପୂର୍ବରୁ ଆସିଥିଲା ।
ବିସ୍ତୃତ ଭାବରେ ମଧ୍ୟ ଆଫ୍ରିକାରୁ ଭାରତକୁ ଆସି ଏହା ପୂର୍ବ-ଭାରତ ଓ ଦକ୍ଷିଣ ପୂର୍ବ ମହାସାଗର ଆଡ଼କୁ ବିସ୍ତୃତ ହୋଇଥିବାର ଅନୁମାନ ହୁଏ ।
ଏ ଦୁଇଟି ଧର୍ମ ଅତି ମୌଳିକ ।
ସମ୍ଭବତଃ ଏ ଦୁଇଟିଯାକ ଧର୍ମର, ମାତାର ସନ୍ତାନ ପ୍ରସବ ସଙ୍ଗେ ସମ୍ପର୍କ ଥିଲା ।
ପ୍ରଥମେ ନିଷାଦ ଧର୍ମ, ତାହା କ୍ରମେ ମାତା ସନ୍ତାନକୁ ଶୂନ୍ୟରୁ ପ୍ରସବ କଲାପରି ବିଶ୍ବର ସୃଷ୍ଟି-ରୂପ କଳ୍ପନାରେ ପ୍ରଯୁକ୍ତ ହେଲା ।
ସେଥିପାଇଁ ଏବେ ବି ଅଛି, ପିତାର ବିନା ସମ୍ପର୍କରେ ମାତା ସୃଷ୍ଟି କଲାପରି ପୃଥିବୀ ଶୂନ୍ୟରୁ ସୃଷ୍ଟି କରାହେଲା ।
ଆଉ ଦ୍ବିତୀୟଟି ହେଉଛି, ସେଇ ମାତା ସନ୍ତାନ ଜନ୍ମ କରିବାରେ ଯେପରି ଆତ୍ମ-ବିସ୍ମୃତ ହୁଏ, ସେଇପରି ଧାରଣା ।
ଏଇଥିରୁ ବିଶ୍ବପରିବାର ଭାବ ମାନବ ସମାଜରେ ଫୁଟି କ୍ରମେ ବ୍ୟାପ୍ତ ହେଲା ।
ଏହା ଇ ହେଉଚି, ଦ୍ରାବିଡ଼ ଧର୍ମ ।
ଏଇ ନିଷାଦପୀଠ ପ୍ରାଚୀନକାଳରେ ଥିଲା ଏଇ ଓଡ଼ିଶାର ଉଡ଼୍ଡ଼ିୟାନ ଭାଗରେ ।
କାଳକ୍ରମେ ଏହା ପ୍ରତିଷ୍ଠିତ ହୋଇଥିଲା- ‘ସଉରୀନାରାୟଣ’ ନାମକ ସ୍ଥାନରେ- ମହାନଦୀର ଉପନଦୀ ‘ଜୋଙ୍କ୍‌’ ଓ ମହାନଦୀର ସଙ୍ଗମ ସ୍ଥଳରେ ।
ଏହା ଉଡ଼୍ଡ଼ିୟାନ୍‌ର ଗୋଟିଏ ସ୍ଥାନ ।
ଏଇ ଉଡ଼୍ଡ଼ିୟାନର ଏ ସ୍ଥାନଟି ହେଉଛି, ଏଇ ମାତୃଧର୍ମର ପ୍ରଧାନ ସ୍ଥାନ ।
ଏହା କାଳକ୍ରମେ ନିଷାଦମାନଙ୍କ ଭିତରେ କ୍ରମେ ନିମ କାଠର ମୂର୍ତ୍ତିପୂଜା କରିବାରେ ପର୍ଯ୍ୟବସିତ ହୋଇଥିଲା ଓ ଏଣେ ପୁରୀ ଉପକୂଳରେ ‘ପୁରୁଷ’ ପୀଠର ପ୍ରତିଷ୍ଠା ସ୍ପଷ୍ଟ ହୋଇଯାଇଥିଲା ।
ଏହି ଦୁହିଙ୍କ ଭିତରେ ଖୁବ୍‌ ସାଂସ୍କୃତିକ ବିବାହ ଘୋଟି ରହିଥିବାର ବେଦରେ ପ୍ରମାଣ ମିଳେ ।
ଏଇ ପୁରୁଷକଳ୍ପ ନିମକାଠର ବହୁତ ଇତିହାସ ଓ ପରମ୍ପରା ପ୍ରାଚୀନ ଭାରତ ସାହିତ୍ୟରେ ଅଛି ।
ଏହାକୁ ଥରେ ହୈମବତୀ ‘ଉମା’ ବୋଲି କହି ଋଷିମାନେ ନାରୀର କଳ୍ପନା ସୃଷ୍ଟିର ମୂଳରେ ଦେଖିବାର କଥା ‘କେନୋପନିଷଦ’ ରେ ସ୍ପଷ୍ଟ ଅଛି ।
ତା’ପରେ ବରାହ ମିହିରାଚାର୍ଯ୍ୟ ପ୍ରାୟ ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଯେଉଁ ମୂର୍ତ୍ତି କଳ୍ପନା କରିଥିଲେ, ସେଥିରେ ‘ବାସୁଦେବ-ସଙ୍କର୍ଷଣ’ ବା କୃଷ୍ଣ-ବଳରାମ ଦୁହିଁଙ୍କ ମଧ୍ୟରେ ଏକାନଂଶା ବୋଲି ନାରୀମୂର୍ତ୍ତି ଅଙ୍କନ କରିଥିବାର ଲକ୍ଷ୍ମୌ ମ୍ୟୁଜିୟମ୍‌ରେ ଥିବା ମୂର୍ତ୍ତିରୁ ଦେଖାଯାଇଚି ।
ଏଇ ଉଡ଼୍ଡ଼ିୟାନରୁ ଖଣ୍ଡକର ରାଜା ଇନ୍ଦ୍ରଭୂତି ଏଇ ଖ୍ରୀଷ୍ଟ ଅଷ୍ଟମ ଶତାବ୍ଦୀରେ ଏହାକୁ ‘ସର୍ବଜନ ବରାର୍ଚିତ’ ଓ ଶୂନ୍ୟବୁଦ୍ଧ ରୂପ ବୋଲି ସ୍ମୃତି କରିଛନ୍ତି ।
ପୁଣି ଏଇ ଶୂନ୍ୟ ଧାରଣା ଅତି ପ୍ରାଚୀନ କାଳରୁ ବେଦର ‘ନାସଦୀୟସୂକ୍ତ’ରେ କୁହାଯାଇ ବର୍ଣ୍ଣନା କରାଯାଇଛି ।
ମୁଖବନ୍ଧରେ ଏହା ଆଲୋଚିତ ହୋଇଅଛି ।
ଏ ଦୁଇଟି ପୀଠ ଗୋଟିଏ କଳିଙ୍ଗ ଓ ଆଉ ଗୋଟିଏ ଉଡ଼୍‌ଡ଼ିୟାନରେ ବହୁ ଆଦିମ କାଳରୁ ପ୍ରତିଷ୍ଠିତ ହୋଇ ଆସିଥିଲା ।
ଏ ଦୁହିଁଙ୍କର ବିବାଦ ମଧ୍ୟ ବଡ଼ ପ୍ରକାଶିତ ଭାବରେ ଫୁଟି ଉଠିଥିଲା ।
ଏହାପରେ ଚୋରଗଙ୍ଗଦେବ କଳିଙ୍ଗର ସମ୍ରାଟ ହେଲେ ।
ଉଡ଼୍‌ଡ଼ିୟାନ ଓ ଉତ୍କଳ ତାଙ୍କ ଅଧୀନରେ ଥିଲା ।
ସେତିକିବେଳକୁ ପଚାଶ ପୂର୍ବରୁ ଗଜନୀର ମାହମୁଦ୍‌ ହିନ୍ଦୁଙ୍କର ପଶ୍ଚିମ ଭାରତର ମହାପୀଠ ‘ସୋମନାଥ’ଙ୍କୁ ଧ୍ବଂସ କରିଦେଲେ ୧୦୨୪ ଖ୍ରୀ:ଅ:ରେ ।
ଭାରତରେ ଆଉ ହିନ୍ଦୁଙ୍କର ଦେବସେବା କରିବାର ପ୍ରଧାନସ୍ଥାନ ରହିଲା ନାହିଁ ।
ଏତିକି ବେଳକୁ ରାମାନୁଜାଚାର୍ଯ୍ୟ ବା ତାଙ୍କର କୌଣସି ପ୍ରଧାନ ଶିଷ୍ୟ ଦକ୍ଷିଣରୁ ଆସି ଚୋରଗଙ୍ଗଦେବଙ୍କ ରାଜ୍ୟରେ ପହଞ୍ଚିଲେ ।
ଅନୁମାନ ହୁଏ, ତାଙ୍କରି ପ୍ରେରଣା ଓ ପରାମର୍ଶରେ ଚୋର-ଗଙ୍ଗ ଜଗନ୍ନାଥରେ ମନ୍ଦିରାଦି ତିଆରି କରି ସଉରୀ ନାରାୟଣରୁ ଏଇ ନିମକାଠ ମୂର୍ତ୍ତି ମହାନଦୀରେ ପୁରୀକୁ ଅଣାଇଲେ ଓ ପୁରୀର ‘ପୁରୁଷପୀଠ’ରେ ଜଗନ୍ନାଥ ମୂର୍ତ୍ତିର ପ୍ରତିଷ୍ଠା କଲେ ।
ଏହାକୁ ସ୍କନ୍ଦ ପୁରାଣରେ ପୌରାଣିକ ଅଖ୍ୟାୟିକା ତିଆରିକରି ଜଗନ୍ନାଥର ବୋଲି ବର୍ଣ୍ଣନା କରାଯାଇଛି ।
ଏ ଯେଉଁ ଦୁଇଟି ଦେବତାର ମିଶ୍ରଣ କରାଇ ଦିଆଗଲା, ଏହା ପୃଥିବୀରେ କୌଣସି ଦେବତା ବା ପୌତ୍ତଳିକତାର ପ୍ରତିଷ୍ଠା ନୁହେଁ, କିମ୍ବା ଏଥିରେ ‘ଏକେଶ୍ବର’ ବାଦପରି କୌଣସି ଧର୍ମବାଦର ଆଭାସ ନାହିଁ ।
ଏହା ପୁରୁଷ ରୂପରେ ପୃଥିବୀର ମୌଳିକ ଆଧ୍ୟାତ୍ମବାଦ ସଙ୍ଗେ ନିମକାଠର ଦେବମୂର୍ତ୍ତିର ଶୂନ୍ୟରୂପ ମିଶି ଏକାକାର ହୋଇଗଲା ।
ଏହାର ନାମ ହେଲା ‘ଜଗନ୍ନାଥ’ ।
ହୁଏତ ବିବାଦବେଳୁ ଏଇ ନାମରେ ପୁରୁଷପୀଠ ମଧ୍ୟ ନାମିତ ହୋଇଥିବାର ସମ୍ଭବ ହୁଏ ।
ତେବେ ଏହା ପୃଥିବୀର ସଂସ୍କୃତିକୁ ଗୋଟିଏ ମୌଳିକ ଓ ଦୃଢ଼ ଅନୁଷ୍ଠାନର ‘ନିତ୍ୟ-ଦାନ’ ।
ଏପରି ଦାନ କେବଳ ଓଡ଼ିଶାରେ ସମ୍ଭବ ହୋଇଛି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment