Commit 0fca9406 authored by Nayan Ranjan Paul's avatar Nayan Ranjan Paul

Upload New File

parent b8363e43
ଆମ ସମୟର ଚରିତ୍ରମାନେ
ତାପସ ରଞ୍ଜନ ତ୍ରିପାଠୀ, ମନମଧୁପୁର, କେନ୍ଦ୍ରାପଡା
ତା: ଫେବୃଆରୀ ୨୫, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ବ୍ୟଙ୍ଗ →
ଗାଁର ଚାନ୍ଦାଭେଦା ଦେଇ ନ ପାରିବା ହେତୁ ରାମ ମିଶ୍ରେ ଏକଘରକିଆ ହେଲେ ।
ସେଇଠୁ ଧୋବା ଓ ବାରିକ ତାଙ୍କୁ ଖଟନ୍ତିନାହିଁ ।
ଗୋଟିଏ ପୁଅ ପୋଲିଓ ଯୋଗୁଁ ଅକର୍ମଣ୍ୟ, ଅର୍ଥାଭାବରୁ ଦୁଇଟି ଝିଅଙ୍କ ବୟସ ଗଡ଼ିଯାଉଛି ।
ବାହାଘର ପାଇଁ ଯେନତେନ ପ୍ରକାରେ ପୁଅଟିଏ ଠିକଣା କରିପାରୁନାହାନ୍ତି ।
ରାମ ମିଶ୍ରଙ୍କର ଦାଢ଼ି ପେଟକୁ ଛୁଇଁବାକୁ ବସିଲାଣି ।
ଲୋକେ ଭାବନ୍ତି ଦୁଃଖ ଗଲେ ସେ ଦାଢ଼ି କାଟିବାକୁ ମନସ୍ଥ କରିଥିବେ ।
ପ୍ରକୃତରେ ସେଲୁନ୍ରେ ବ୍ୟୟ ସାପେକ୍ଷ ହେବା ହେତୁ ସେ ଦାଢ଼ି ଓ ମୁଣ୍ଡବାଳକୁ ସ୍ବାଧୀନ କରିଦେଇଛନ୍ତି ।
ଡହଡହ ଖରା ବେଳଟାରେ ସେ ବହୁ ସାହସ ସଞ୍ଚୟ କରି ବ୍ଲକ୍ ଅଫିସ୍ରେ ପହଞ୍ଚିଲେ ।
ବି.ଡ଼ି.ଓ.ଙ୍କ ପିଅନକୁ ପଚାରିଲେ ‘ଆଜ୍ଞା ବାବୁଙ୍କୁ ଦେଖା କରିହେବ ।
ସେ ବିରକ୍ତି ପ୍ରକାଶ କରି, ଅପେକ୍ଷା କର ବୋଲି କହିଲା ।
ଦୀର୍ଘ ସମୟ ଅପେକ୍ଷାର ଯନ୍ତ୍ରଣାକୁ ହଜମ କରିବା ପରେ ଭିତରକୁ ପଶିଲେ ।
ବି.ଡ଼ି.ଓ. କଞ୍ଚା ବୟସର ।
ରାମ ମିଶ୍ରଙ୍କ ଚେହେରାଟା ଦେଖି ତାଙ୍କର ହୃଦୟଟା ବୋଧେ ତରଳିଗଲା ।
ତହୁଁ ପଚାରିଲେ, କ’ଣ ହେଲା ? ଥର ଥର ହୋଇ ରାମ ମିଶ୍ରେ କହିଲେ ‘ଆଜ୍ଞା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦରଖାସ୍ତ କରିଥିଲି- ଏକମାତ୍ର ପୁଅ ପୋଲିଓ ରୋଗରେ ଅକାମି, ଦୁଇଟି ବାଡୁଅ ଝିଅ, ବୋହୂ, ଗୋଟିଏ ନାତି, ମୁଁ ଓ ଭାରିଜା ମିଶିଲେ ସାତଜଣ, କିପରି ବ୍ରାହ୍ମଣପଣ କରି ଏ ବୟସରେ ଘର ଚଳାଉଛି ତା’ ମୁଁ ଜାଣେ ।
ମୋ ଗୁହାରି କ’ଣ ଶୁଣିବେନି ! ନାୟକ ବାବୁଙ୍କୁ ସାକ୍ଷାତ୍ କର ବୋଲି ବି.ଡ଼ି.ଓ. ମହାଶୟ କହିଲେ ।
ରାମ ମିଶ୍ରେ ଆଶୀର୍ବାଦ ଶ୍ଳୋକଟିଏ ବୋଲି ସେଠୁ ବିଦାୟ ନେଇ ପଚାରିପଚାରି ସେଇ ମହାମାନବ ପାଖରେ ପହଞ୍ଚିଗଲେ ।
ସେତବେଳକୁ ନାୟକ ମହାଶୟ ଉଦର ପୂର୍ଣ୍ଣ କରୁଥିଲେ ।
କହିଲେ କ’ଣ ହେଲା “ଭତ୍ତା କଥା ତ” ? ସବୁ ହୋଇଯାଇଛି ହେଲେ ଦି ଖଣ୍ଡ ନ ଦେଲେ ସେଇମିତି ବସିଥିବ ।
ଦୁଇଶହ ଟଙ୍କା ନାୟକ ବାବୁଙ୍କ ପକେଟରେ ଭର୍ତ୍ତି କରିବାକୁ ରାମ ମିଶ୍ରଙ୍କୁ ପ୍ରାୟ ୩ ମାସ ଲାଗିଗଲା ।
ଯା’ହେଉ ରାମ ମିଶ୍ରେ ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ।
ସେ ଯେଉଁଠି ବସନ୍ତି ନାୟକ ବାବୁଙ୍କ ନିର୍ମଳ ପ୍ରଶଂସା କରନ୍ତି ।
ଜଗୁ ମହାନ୍ତି ଦିନ ଚାରିଟା ବେଳେ ଡାକ୍ତର ପଣ୍ଡାଙ୍କ ଘର କଲିଙ୍ଗ୍-ବେଲ୍ ଚିପିଲା ।
ସଙ୍ଗେ ସଙ୍ଗେ ଦୁଆର ମଧ୍ୟ ଖୋଲିଗଲା ।
ଚାକର ଟୋକା ପଚାରିଲା କ’ଣ ହେଲା ? ଉତ୍ତର- ‘ଡାକ୍ତରଙ୍କୁ କହିବ ଜଗୁ ମହାନ୍ତି ଆସିଛନ୍ତି ।’
ଡାକ୍ତର ମହାଶୟ ଭଗବାନଙ୍କୁ ପାଇଲା ଭଳି ଲୁଙ୍ଗି ଓ ଗାମୁଛା ସହ ଆଖି ମଳି ମଳି ପହଞ୍ଚିଗଲେ ଓ କହିଲେ ‘କିଓ ଅସମୟରେ- ଆମକୁ ତ ପୁରା ଭୁଲିଗଲଣି, ବସ ବସ ।’
ଜଗୁ ମହାନ୍ତି ଛାତି ଫୁଲାଇ କହିଲା-‘ମୋ ଘର ଲୋକଟା ତା ସାଇର ଗୋଟେ ଟୋକାକୁ ବାଡ଼େଇପକାଇଛି ।
ସେ ଏ ଯାଏଁ ପୋଲିସ୍ ଷ୍ଟେସନ୍ ଆସିନି ।
ଆମେ ଆଗୁଆ ଗୋଟିଏ ଏଫାୟାର୍ ଦେଇ ଦେଲେ ଆଉ ଡରଭୟ ନ ଥିବ ।
ଜଗୁ ମହାନ୍ତି କଥା ଅନୁସାରେ ଲୋକଟିର ଦେହସାରା ମିଛ ବ୍ୟାଣ୍ଡେଜ୍ କରିଦେଲେ ଡାକ୍ତର ମହାଶୟ ।
ମସ୍ତବଡ଼ ରିପୋର୍ଟ ମଧ୍ୟ ଲେଖିଦେଲେ ।
ଶେଷରେ କହିଲେ ‘ଏଇ ଛୋଟିଆ କାମରେ ମୋର ଦ୍ବାରସ୍ଥ ହେଲ ! ହଁ- ଆମ ପ୍ରତି ନିଘା ରଖିଥିବ, ଟ୍ରାନସ୍ଫର ଚାଲିଛି ।
ଜଗୁ ହସିହସି କହିଲା ‘ମୁଁ ଏବେ ବିଧାୟକଙ୍କ ସହ ଆପଣଙ୍କ ବିଷୟ ଏକ ଘଣ୍ଟା କଥା ହୋଇଛି ।’
ତା’ପରେ ଚା ସିଗାରେଟ୍- ତାପରେ ପାନ ।
ତହିଁ ପରଦିନ ଜଗୁ ମହାନ୍ତି ବଛା ପାଟକପୁରା କଦଳୀ କାନ୍ଧିଟିଏ ଡାକ୍ତରଙ୍କ ଘରକୁ ପଠାଇଥିଲା ତା ଲୋକ ହାତରେ ।
ପ୍ରକୃତରେ ଜଗୁ ମହାନ୍ତିର ଗୋଟେ ଲୋକ ବୁଢ଼ୀ ପାଗେଳୀଟାକୁ ଦିନ ଦିପହରରେ ରମଣ କଲା ।
ସାଇଟୋକା ଦୟା ବେହେରା ଏହାର ପ୍ରତିବାଦ କରି ଜେଲ୍ ଗଲା ।
ବିଜୟା ସ୍ବେଚ୍ଛାସେବୀ ଅନୁଷ୍ଠାନର ବାର୍ଷିକ ଉତ୍ସବରେ ଜଗୁ ମହାନ୍ତି ସ୍ବେଚ୍ଛାସେବୀ ‘ଗୋପବନ୍ଧୁ’ ପୁରସ୍କାର ଗ୍ରହଣ କଲାବେଳେ କରତାଳି ଆରମ୍ଭ କରିଥିଲେ ଡାକ୍ତର ମହାଶୟ ।
ଅଧ୍ୟାପକ ବୀରବାବୁ କଲେଜ୍ରୁ ଫେରି ଘରେ ପଶୁପଶୁ ଦେଖିଲେ ସତର ଅଠର ବର୍ଷର ପିଲାଟିଏ ଦାଣ୍ଡଘରେ ବସିଥିଲା- ଛିଡ଼ା ହୋଇଗଲା ।
ବସ ବସ, କ’ଣ ହେଲା ? କାନରେ ହାତ ମାରିମାରି ପିଲାଟି କହିଲା ‘ସାର୍ ଏ ଚିଠିଟା ଆପଣଙ୍କ ସାଙ୍ଗ ଦାମ ବାବୁ ଦେଇଛନ୍ତି ।
ଏକ ନିଶ୍ବାସକେ ପଢ଼ି ମୁହଁଟାକୁ ଆମ୍ବିଳେଇଦେଇ କହିଲେ କ’ଣ ସେ ଭଲ ଅଛନ୍ତି ? ‘ଆଜ୍ଞା’ ।
‘ଶୁଣ ମୁଁ ଖାତାରେ ମାର୍କ ବଢ଼ାଇବା ବା କପି କରିବାର ପକ୍ଷରେ ନୁହେଁ ।
ଏ କଥା ତ ଦାମବାବୁ ବେଶ୍ ଭଲ ଭାବରେ ଜାଣନ୍ତି ।’
ପିଲାଟିର ଫିଉଜ୍ ଆସ୍ତେ ଆସ୍ତେ ଉଡ଼ିଯିବା ବେଳକୁ ମାଡ଼ାମ୍ଙ୍କର ନିର୍ଦ୍ଦେଶପୂର୍ଣ୍ଣ ଡାକରା ଆସିଲା ।
ପିଲାଟି ସହ କଥାବାର୍ତ୍ତା ଅଧା ରଖି ସେ ଘର ଭିତରକୁ ଧସେଇପଶିଲେ ।
ସହଧର୍ମିଣୀ କହିଲେ “ଦେଖ ଇଏ କ’ଣ ? ବୀରବାବୁ ଥତମତ ହୋଇ କହିଲେ ‘ଚିଙ୍ଗୁଡ଼ି ।
ପିଲାଟି ଆଣିଥିଲା କି ?’ ‘ହଁ ।’
ବୀରବାବୁ ଗର୍ବର ସହ କହିଲେ ‘ଜାଣ ମୁଁ ଯେଉଁ ଘନିଷ୍ଠ ବନ୍ଧୁଙ୍କ କଥା କହେନି – ଦାମୋଦର ମିଶ୍ର ।
ସେ ତ ନିମାପଡ଼ାରେ ସେଟଲ୍ କରିଗଲା ।
ବଢ଼ିଆ ଫାର୍ମଟିଏ କରିବା କଥା କହୁଥିଲା ।
ଏଇ ଚିଙ୍ଗୁଡ଼ିର ମାର୍କେଟ୍ ରେଟ୍ ତିନିଶ ଟଙ୍କାରୁ କମ୍ ହେବନି ।”
ଡ୍ରଇଁ ରୁମ୍କୁ ଆସି ପିଲାଟିକୁ କହିଲେ ‘ଶୁଣ କେବଳ ଦାମବାବୁଙ୍କ ଯୋଗୁଁ ବାଧ୍ୟ ହୋଇ ଅପକର୍ମଟି କରିବି ।
ଇଂରାଜୀ ତ, ପଚାଶ ମାର୍କରୁ ଅଧିକ ଆଶା କରିବନି ।
ଖାଇଲାବେଳେ ସହଧର୍ମିଣୀ କହିଲେ ‘ଚିଙ୍ଗୁଡ଼ି ଝୋଳଟା କେମିତି ଲାଗୁଛି ?’ ଅଧ୍ୟାପକ ମହାଶୟ ଚିଙ୍ଗୁଡ଼ି ସମ୍ପର୍କରେ ଲମ୍ବା ଭାଷଣଟିଏ ଆରମ୍ଭ କରିବାରେ ସହଧର୍ମିଣୀ ବିରକ୍ତ ହୋଇ କହିଲେ ‘ଭାଷଣ ମୋତେ ଭଲ ଲାଗେନି ।
ଦେଖିଛ ସୁଧାବାବୁଙ୍କର କ’ଣ ସବୁ କଲେଣି- କ’ଣ ନାହିଁ ତାଙ୍କ ଘରେ ।
ତୁଳନା କରିଛ କେତେବେଳେ ? ଛାଡ଼, ୱାଡ଼ର୍ସ ୱାର୍ଥଙ୍କ ସଙ୍ଗେ ମଧୁସୂଦନଙ୍କ ତୁଳନାର କୌଣସି ମୂଲ୍ୟ ନାହିଁ ।
ମୋତେ ଲଜ୍ଜା ଲାଗୁଛି ତାଙ୍କ ଘରକୁ ଗଲାବେଳେ ବା ତାଙ୍କ ମିସେସ୍ ଆମ ଘରକୁ ଆସିଲାବେଳେ ।
ରକ୍ତମାଂସର ଶରୀର କେତେ ବା ସହ୍ୟ କରିବ ?’
ବର୍ତ୍ତମାନ ବୀରବାବୁ ଗୋଟିଏ ନୂତନ ମାରୁତି ଭ୍ୟାନ୍ରେ କଲେଜ ଯିବାଆସିବା କରନ୍ତି ।
ପ୍ରତି ସଞ୍ଜରେ ସ୍ତ୍ରୀଙ୍କ ସହ ବଜାର ପରିଭ୍ରମଣ କରନ୍ତି ।
ଏ ପ୍ରଗତିର କାରଣ ତାଙ୍କ ସହଧର୍ମିଣୀ ବୋଲି ଅତି ଗର୍ବର ସହ କୁହନ୍ତି ।
ହରି ମାଷ୍ଟ୍ରେ ଅଗଷ୍ଟ ପନ୍ଦର ଦିନ ସନ୍ଧ୍ୟାରେ ବଜାରକୁ ଦେଢ଼ କେଜିର ରୋହି ମାଛଟିଏ ଧରି ଘରେ ପହଞ୍ଚିଲେ ।
ତାଙ୍କର ଦୁଇ ପୁଅ ଓ ତିନିଝିଅ ଭିଡ଼ାଓଟରା ହୋଇ ମାଛଟାକୁ ଧରି ତଳ ଘରକୁ ଚାଲିଗଲେ ।
ତାଙ୍କ ସ୍ତ୍ରୀ ବିରକ୍ତ ହୋଇ କହିଲେ ‘ଏଇଟା କ’ଣ ମାଛ ଖାଇବାର ବେଳ ?’ ଉତ୍ତରରେ ମାଷ୍ଟ୍ରେ କହିଲେ ‘ମୋର ଛାତ୍ରଟିଏ ଏବେ ଓ.ଏ.ସ. ପାଇଛି ।
ସେ ନିଜେ ମାଛଟି ଧରି ଆମ ଘରକୁ ଆସୁଥିଲା ।
ମୋ ବିବେକ ବାଧା ଦେଲା ।
ହାତେ ହାତେ ନେଇଆସିଲି ।’
ପ୍ରକୃତରେ ହରିମାଷ୍ଟ୍ରେ ଅଗଷ୍ଟ ପନ୍ଦରକୁ ପିଲାଙ୍କୁ ମିଠା ବଣ୍ଟନ ପାଇଁ ଆସିଥିବା ଟଙ୍କାରୁ ସତୁରି ଟଙ୍କା ବାଟମାରଣା କରି ମାଛଟିକୁ ଖରିଦ କରିଥିଲେ ।
ମାତ୍ର ଦୁଇବର୍ଷ ପରେ ହରିମାଷ୍ଟ୍ରେ ରାଜ୍ୟପାଳ ପୁରସ୍କାର ପାଇଲେ ।
ମହାପାତ୍ରବାବୁଙ୍କୁ କାକୁତିମିନତି ହୋଇ ନକୁଳ ନାୟକ କହିଲା ‘ବାବୁ ମୁଁ ନଡ଼ିଆ ଛଡ଼ାଏ ।
ପେଟ କାଟିକାଟି ସାତ ହଜାର ଟଙ୍କା ରଖିଥିଲି ।
ଏଇ ଖାଲୁଆ ଜମିଟା କିଣିଲି ।
କିବା ସମ୍ପତ୍ତି, କ’ଣ କହୁଛନ୍ତି ଚାରି ହଜାର ଟଙ୍କା କାହୁଁ ଦେବି ଆଜ୍ଞା ।’
ମହାପାତ୍ରବାବୁ ନାଶିକା କୁଞ୍ଚନ କରି କହିଲେ ‘ତୁ ସିନା ଜାଣୁଛୁ ଖାଲୁଆ ଜମି- ପଟାରେ ଅଛି ‘ପତିତ’ ।
ମୋ ହାତରେ ଆଉ କଥା ନାହିଁ, ଅଫିସରଙ୍କୁ ମୁଁ ବହୁତ ବୁଝାଇଲିଣି- ସେ କ’ଣ ବୁଝିବା ମଣିଷ ।
ଯା’ ବଳୀ ପିଅନକୁ କହିବୁ ।’
ଏଇ କଥାବାର୍ତ୍ତା ଭିତରେ ସେ ପାଞ୍ଚଥର ଡ୍ର ଖୋଲି ବନ୍ଦ କରିଥିଲେ ।
ନକୁଳ ଛଳଛଳ ଆଖିରେ ବଳୀକୁ କହିଲା ‘ମତେ ଉଧାର କର ।’
ବଳୀ କହିଲା ‘କେତେ ତୋତେ ଅଧିକା ପଡୁଛି ।’
ଉତ୍ତର ‘ଚାରି’ ।
ଆରେ ନିର୍ବୋଧ ବାବୁ ଡ୍ର ଖୋଲିବା ବନ୍ଦ କରିବା ଦେଖିଛୁ ? ‘ହଁ ।’
ତହୁଁ ନକୁଳ ପଶିଲା ଅଫିସ୍ ଭିତରକୁ ।
ମହାପାତ୍ରବାବୁ ଟେବୁଲ୍ ଡ୍ର ଖୋଲିବାରେ ନକୁଳ ଚାରିଶହ ଟଙ୍କା ସାହସର ସହ ଫିଙ୍ଗିଦେଲା ।
ମହାପାତ୍ରବାବୁ ହସହସ ମୁହଁରେ କହିଲେ ‘ତୁ ସବୁ ଭେଜା ମୋର ଖାଇଗଲୁଣି ।
ଯା’- ହଉ କିଛି ଗୋଟେ କରିଦେବା ।’
ନକୁଳ ସାଧାସିଧା ମଣିଷଟା ।
ନନ୍ଦଛନ୍ଦ ଜାଣେନି ।
ସେଇଦିନଠୁଁ ମହାପାତ୍ରବାବୁ ତାକୁ ନିଜର ମଣିଷଟେ ଭଳି ଲାଗନ୍ତି ।
ବାଡ଼ିରେ ସଜନା ଛୁଇଁ, ଅମୃତଭଣ୍ଡା, ଭେଣ୍ଡି, ଜହ୍ନି ଯାହା କରେ ମଝିରେ ମଝିରେ ଦେଇଆସେ ଅକପଟ ମନରେ ।
ପ୍ରତ୍ୟେକ ଦିନ ସନ୍ଧ୍ୟାରେ ରେଳ ଷ୍ଟେସନ୍ର ଶେଷ ବେଞ୍ଚରେ ଏଇ ଆୟ ସବ୍ରେଜିଷ୍ଟରଙ୍କ ଉପସ୍ଥିତିରେ ଭାଗ ବଣ୍ଟାଯାଏ ।
ପିଅନ, କିରାଣୀ ଓ ଅଫିସର ବିଭିନ୍ନ ପ୍ରକାର ଭାଗ ପାଆନ୍ତି ।
ଏ ନେଇ ଏ ଯାଏଁ କୌଣସି ଦୁର୍ଘଟଣା ଘଟିନାହିଁ ।
କେତେ ଅଫିସର୍, କିରାଣୀ ଓ ପିଅନ ଆସିଲେଣି ଓ ଗଲେଣି ସବୁ ଚାଲିଛି ଠିକ୍ଠାକ୍ ।
ବିଧାୟକ ତାଙ୍କ ଅତି ନିକଟ ମଣିଷ ରାଜୁ ପ୍ରଧାନିଙ୍କୁ କହିଲେ ‘ଏଇ ଚାହିଁଲ ଗେଟ୍ ସାମ୍ନାରେ କିଏ ‘ରାଜଦୂତରୁ’ ଓହ୍ଲାଉଚି ?’ ରାଜୁ ପ୍ରଧାନି ଚୋରୀ ଜଳାରେ ଭଲ କରି ଦେଖିନେଇ କହିଲା ‘ସପ୍ଲାଇ ଇନସ୍ପେକ୍ଟର ବସନ୍ତ ମହାପାତ୍ର ।
ମୁଁ କହୁ ନ ଥିଲି ସେ ଆପଣଙ୍କୁ ସାକ୍ଷାତ୍ କରିବାକୁ ଚାରିଥର ପ୍ରାୟ ଆସିଲାଣି ।
କୋରାପୁଟ ଟ୍ରାନସ୍ଫର ହୋଇଛି ।’
ବିଧାୟକଙ୍କ ମୁହଁଟା ଲାଲ୍ ହୋଇଗଲା ।
ରାଜୁ ପ୍ରଧାନି ସାହସରେ କହିଲା ‘ଆଜ୍ଞା ମୁଁ ‘ଏକ’ କହିଛି’ ।
ବିଧାୟକ ମହାଶୟ ଉତ୍କ୍ଷିପ୍ତ ହୋଇ କହିଲେ ‘ତୁମେ ଏତେ କମ୍ କହିଲ ? ରାଜୁ ପ୍ରଧାନି ଛ ଥର ଛେପ ଢୋକି କହିଲା ‘ଦେଢ଼ କହିବି ? ବିଧାୟକ କହିଲେ ‘ସେ କେଉଁଠା ଚାହୁଁଚି ?’ ‘ଆଜ୍ଞା ପୁରୀ ।’
‘ତାହେଲେ ଦୁଇ ।’
ଦୁଇ ଦିନ ପରେ ସପ୍ଲାଇବାବୁ ବିଧାୟକଙ୍କ ଘରେ ଘର ମଣିଷ ଭଳି ଅଟାଚି ଧରି ପହଁଚିଲେ ।
ରାଜୁ ପ୍ରଧାନିଙ୍କ ହାତକୁ ବଢ଼ାଇ କହିଲେ ‘ଗଣିବାର ଆବଶ୍ୟକତା ନାହିଁ ପୁରା ଦୁଇ ଲକ୍ଷ ।’
ରାଜୁ ପ୍ରଧାନି କହିଲେ ‘ତୁମର ମଧ୍ୟ ଭାବିବାର ନାହିଁ, ତୁମ କାମ ସରିବଣି ।
ବାବୁ ଖାସ୍ ତୁମ କାମରେ ଯାଇଛନ୍ତି ।’
ଗାଁ ପାନ ଦୋକାନରେ ବଦଳିର ଶୀକାର ହୋଇଥିବା ନିରୀହ ଶିକ୍ଷକ ରମାକାନ୍ତଙ୍କୁ ସପ୍ଲାଇବାବୁ କହିଲେ ‘ବିଧାୟକଙ୍କ କାନ କଲନି ।
ଆଗରୁ ଏତେ ବିଧାୟକ ହୋଇଥିଲେ, ହେଲେ ଏତେ ପରୋପକାରୀ ଓ ପ୍ରଭାବଶାଳୀ ବିଧାୟକ ଏ ଅଞ୍ଚଳ ପାଇ ନ ଥିଲା ।
ଶଳା ଏ ଲୋକଙ୍କ ବିଚାର ବୋଲି କିଛି ନାହିଁ ।
ଖାଲି ଖାଇଗଲା, ଖାଇଗଲା ।
ଈର୍ଷା ତ ଆମ ଦୁର୍ଗତିର କାରଣ ।’
ଅଫିସ୍ ଭିତରୁ ପୋଲିସ୍ ଇନ୍ସପେକ୍ଟର ସରବାବୁ ଚଢ଼ାଗଳାରେ କହିଲେ ‘ ସେ ସବିତା ଓ ତା’ ଲୋକଙ୍କୁ ଡାକ ତ ।’
ସବିତା ଓ ତାର ଭାଇ ଦୀର୍ଘ ଚାରି ଘଣ୍ଟା ଧରି ଏଇ ଡାକରାକୁ ଅପେକ୍ଷା କରିଥିଲେ ।
ସରବାବୁ କହିଲେ ‘ତମେ ସବିତା ପ୍ରଧାନ, କ’ଣ ହେଇଚି ?’ ଲୁହ ସରସରରେ ସବିତା କହିଲା ‘ଗତ କାଲି ରାତି ନଟାରେ ମୁଁ ସାଙ୍ଗ ଘରୁ ଫେରୁଥିଲି ।
ଏଇ ପହଲି ପ୍ରଧାନ କହିଲା ‘ଏକଲା କ’ଣ ଯାଉଚୁ କିଲୋ ? ମୁଁ କହିଲି, ଯାଉଚି ତ ।’
ତହୁଁ ଭିଡ଼ାଓଟରା କଲା ।
ସରବାବୁ ରାଗରେ ପାଚିଯାଇ କହିଲେ ‘ତୁ କାଇଁ ରାତି ନଟାରେ ଏକଲା ଫେରୁଥିଲୁ ।
ଏଇଟା କ’ଣ ଆମେରିକା ? ଏ କଥା ରଟିଗଲେ ବା’ହେଇ ପାରିବୁ ତ ? ବାଡ଼ୁଅ ଝିଅଟା କିଛି ବୁଝିପାରୁନୁ ? ନିଜକୁ ତ ଲୁସ୍ନା କି ଅଞ୍ଜନା ଭାବିଦେଉଛ ।
ମୁର୍ଖଗୁଡ଼ାକ ।
ହଇରେ ପହଲି, ପହଲି ପ୍ରଧାନ ! ପହଲି ଆଜ୍ଞା ଆଜ୍ଞା ହୋଇ ପଶିଆସିଲା ।
ଛାଟଖୁମ୍ବକୁ ଯାଉଥିବା ବୋଦା ଭଳି ଛିଡ଼ା ହୋଇରହିଲା ।
ତହୁଁ ସରବାବୁ କହିଲେ- ‘ତୁ ସବିତାକୁ ଭୁଲ୍ ମାଗେ- ଆଜିଠୁ ତମେ ଭାଇଭଉଣୀ ।
ରାତି ଏଗାରଟା ସରିକି ପହଲି ପ୍ରଧାନ ସରବାବୁଙ୍କ ଘରେ ପହଞ୍ଚ ତାଙ୍କ ମିସେସ୍ଙ୍କ ହାତରେ ଲଫାପାଟିଏ ଦେଲା ।
ସେଥିରେ ମାତ୍ର ତିନି ହଜାର ଟଙ୍କା ଥିଲା ।
ମୋ ସହଧର୍ମଣୀ ତିନି ଦିନ ହେଲା ମୋତେ ଓ ମୋର ଗପକୁ ଏକବାରେ ଜଗିଛନ୍ତି ।
ନିଜକୁ ସଞ୍ଜତ ନ କରିପାରି କହିଲେ ।
ଶୁଣ ମୋ ଭାଇ ନାଁରେ ଯଦି ଧାଡ଼ିଟିଏ ଲେଖ ତୁମ ଗପଲେଖା ଛଡ଼ାଇଦେବି ।
ମୁଁ ମିଛରାଗରେ କହିଲି ‘ହଁ ହଁ ତୁମ ଭାଇଙ୍କୁ ମୁଁ ଚାରି ମାସ ତଳେ ଚାରି ହଜାର ଇଲେକ୍ଟ୍ରି ବିଲ୍ ହେଲାଣି ବୋଲି କହିଥିଲି ।
ସେ ଉଡ଼େଇଦେବ ବୋଲି କହିଥିଲା ।
ଏସ୍.ଡ଼ି.ଓ ହୋଇଛି ନା ଚପରାଶି ? ଶୁଣ ଯଦି ବିଲ୍ଟି ନ ଉଡ଼ାଏ ତେବେ ତ’ର ପାଳି ୟା ପରେ ।’
ସ୍ତ୍ରୀ କହିଲେ ‘ଏ କାମ ତାକୁ ଘଡ଼ିଏ ଲାଗିବନି ।
ମୁଁ କହିଦେବି ।
ଏକଦମ୍ ଭୋଳାଟା ।’
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment