Commit 11afcff3 authored by Nayan Ranjan Paul's avatar Nayan Ranjan Paul

Upload New File

parent fe78581d
ଗାଁ ମଜଲିସ୍‌
ଡ.ହରେକୃଷ୍ଣ ମହତାବ
ତା: ମେ ୪, ୨୦୧୮
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଜାତୀୟ ସଂହତି :
ଗତ କେତେମାସ ହେଲା, ଏ ମଜଲିସ୍‌ ବନ୍ଦ ବନ୍ଦ ଥିଲା ।
କାରଣ ଏ ମଜଲିସ୍‌ରେ ଯାହା ଲୋକେ ଅଙ୍ଗେ ନିଭାଉଛନ୍ତି, ତାହାହିଁ ଆଲୋଚନା କରାହୁଏ ।
ତେଣୁ ଲୋକେ କଅଣ ଭାବୁଛନ୍ତି, ଅବସ୍ଥାର ପରିବର୍ତ୍ତନ କିପରି ସାଧାରଣଙ୍କ ମନରେ କାର୍ଯ୍ୟ କରୁଛି ତାକୁ ଜାଣିବା ଆବଶ୍ୟକ ।
ସେତକ ନ କରିପାରିଥିବାରୁ ଖାଲି ଗୁଡ଼ାଏ ବହିପଢ଼ା କଥା ଚର୍ଚ୍ଚାକରି ଲାଭ ନାହିଁ ବୋଲି କିଛିକାଳ ଆଲୋଚନା ବନ୍ଦ ଥିଲା ।
ଇତିମଧ୍ୟରେ ଓଡ଼ିଶା ସାରା ସବୁ ଶ୍ରେଣୀର ଲୋକଙ୍କ ସହ ମିଶି ଲୋକଙ୍କ ମନ ବୁଝିବାର ସୁଯୋଗ ମିଳିଥିଲା ।
ଏହାପରେ ଏ ମଜଲିସ୍‌ ଚାଲିବ ।
‘ପ୍ରଜାତନ୍ତ୍ର’ର ବିଭିନ୍ନ ବିଭାଗ ସହିତ ଏହି ‘ଗାଁ ମଜଲିସ୍‌’ ବିଭାଗଟି ଆଗ୍ରହ ସହକାରେ ବହୁ ବ୍ୟକ୍ତି ସର୍ବତ୍ର ଆଲୋଚନା କଲେ ।
ଏହା ଏ ଲେଖକ ପକ୍ଷରେ ଆନନ୍ଦ ଓ ଉତ୍ସାହର ବିଷୟ ।
ଆଜିର ଆଲୋଚ୍ୟ ବିଷୟ ହେଉଛି ଜାତୀୟ ସଂହତି ।
କଥାଟି ଶୁଣିବାକୁ ବଡ଼ ; ମାତ୍ର ଏହା ଏକ ପ୍ରତ୍ୟେକ ଗୃହସ୍ଥର ପ୍ରତିଦିନ ଅଙ୍ଗେ ନିଭାଇବା ବିଷୟ ।
ପାଞ୍ଚଭାଇ ତିନିଭାଇ ମିଶି ଏକା ରୋଷେଇରେ ଏକ ପରିବାର ହୋଇ ରହିଲେ, ଘରର ଯେ କର୍ତ୍ତା ସେ ସମସ୍ତଙ୍କ ମନ ନେଇ ଘର ଚଳାଏ ।
ପାତରଅନ୍ତର କରାହେଲା ବୋଲି ଟିକିଏ ସନ୍ଦେହ ଜାତହେଲେ ଘର ଭାଙ୍ଗିଯାଏ ।
ସଂହତି ଦରକାର କରେ ପାତରଅନ୍ତର ହେଉଛି ବୋଲି ସନ୍ଦେହ ସୃଷ୍ଟି କରିବାକୁ ନଦେବା ।
ସେଥିପାଇଁ ସାବଧାନ ରହିବା ଏକାନ୍ତ ଆବଶ୍ୟକ ।
ସମୟ ଥିଲା ଯେତେବେଳେ ଯେଉଁଠି ଶାସନକେନ୍ଦ୍ର ସେଇଠିକି ସମସ୍ତେ ଦୌଡ଼ୁଥିଲେ, ସେଇଠି ସବୁ ଲୋକଦେଖାଣିଆ କାମ ହେଉଥିଲା ।
ସେଇଥିରେ ସବୁ ଅଞ୍ଚଳର ଲୋକ ଗର୍ବ ମଧ୍ୟ ଅନୁଭବ କରୁଥିଲେ ।
ଓଡ଼ିଶା କହିଲେ କଟକ ବା ‌ଭୁବନେଶ୍ୱର, ବଙ୍ଗପ୍ରଦେଶ କହିଲେ କଲିକତା, ମହାରାଷ୍ଟ୍ର କହିଲେ ବମ୍ବେ, ଭାରତ କହିଲେ ଦିଲ୍ଲୀ ଏହିପରି ବୁଝାଉଥିଲା ।
କିନ୍ତୁ କ୍ରମେ ଶାସନ ବିସ୍ତାର ଲାଭ କରିବା ସଙ୍ଗେ ସଙ୍ଗେ ଶିକ୍ଷାର ବିସ୍ତାର, ଲୋକଙ୍କ ସ୍ୱାଧିକାର ସମ୍ବନ୍ଧରେ ଜ୍ଞାନବୃଦ୍ଧି, ଏସବୁ ହେବା ଫଳରେ କେବଳ ରାଜଧାନୀ ନୁହେଁ, ପ୍ରତ୍ୟେକ ଅଞ୍ଚଳର ଗୁରୁତ୍ୱ, ସେ ଅଞ୍ଚଳବାସୀଙ୍କ ମନରେ କାର୍ଯ୍ୟ କରୁଛି ।
ଦେଶର ଗର୍ବ, ପ୍ରଦେଶର ଗର୍ବ କହିଲେ ପ୍ରତ୍ୟେକ ଅଞ୍ଚଳର ଲୋକ ନିଜ ଅଞ୍ଚଳକୁ ଆଖିରେ ରଖି ତା’ର ବିଚାର କରୁଛନ୍ତି ।
ଏଣୁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ପ୍ରତିଦ୍ୱନ୍ଦିତା ବଢ଼ିଚାଲିଛି ।
ଏହା ଆନନ୍ଦର ବିଷୟ ।
ଏତଦ୍ୱାରା ଦେଶର ସମୁହ ଉନ୍ନତି ସାଧିତ ହେବ ।
କିନ୍ତୁ ଏହାକୁ ଶାସନ ସଦାସର୍ବଦା ଦୃଷ୍ଟିରେ ରଖିବାକୁ ହେବ ।
କେତୋଟି ଉଦାହରଣ ଦେଲେ ଓଡ଼ିଶାର କଥା ସହଜରେ ବୁଝିହେବ ।
ଇଂଲଣ୍ଡରେ ସବୁକିଛି ରାଜଧାନୀ ଲଣ୍ଡନର ଆଖେପାଖେ ହେଉଥିଲା ।
କିନ୍ତୁ ସେ ରାଷ୍ଟ୍ରଟିର ତିନୋଟି ନିର୍ଦ୍ଦିଷ୍ଟ ଅଞ୍ଚଳ ଇଂଲଣ୍ଡ, ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସ ।
ସବୁ ଉନ୍ନତି ଇଂଲଣ୍ଡରେ ହେଉଛି ଅନ୍ୟତ୍ର ହେଉନାହିଁ ବୋଲି ସ୍କଟ୍‌ଲାଣ୍ଡ ଓ ଉଏଲ୍‌ସରେ ଆନ୍ଦୋଳନ ହେବାରୁ ସେସବୁ ଅଞ୍ଚଳର ବିକାଶ ପାଇଁ ଇଂଲଣ୍ଡ ସରକାର ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରି ଗତ କେତେବର୍ଷ ହେଲା କାର୍ଯ୍ୟ ଆରମ୍ଭ କରିଛନ୍ତି ।
ରୁଷିଆରେ ପ୍ରତ୍ୟେକ ଅଞ୍ଚଳର ବିକାଶ ପାଇଁ ସ୍ୱତନ୍ତ୍ର ଯୋଜନାମାନ ଚାଲିଛି ।
ସେପରି ଆମେରିକାରେ ।
ଭାରତରେ ସେହିପରି ଆଞ୍ଚଳିକ ବିକାଶ ପାଇଁ ଦାବି ଚାଲିଛି ।
ପଶ୍ଚିମବଙ୍ଗରେ କଲିକତା ବିରୋଧରେ ଜିଲ୍ଲାମାନଙ୍କ ଆପର୍ତ୍ତି ହେବାରୁ, ସେଠା ସରକାର ପ୍ରତ୍ୟେକ ଜିଲ୍ଲାରେ ବୁଲି ବୁଲି କେବିନେଟ୍‌ ମିଟିଂ କରଛନ୍ତି ଓ ସରକାର ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପବିକାଶ କରାଯିବାର ଘୋଷଣା କରାହୋଇଛି ।
ସେହିପରି ମହାରାଷ୍ଟ୍ର, ଗୁଜରାଟ ପ୍ରଭୃତି ପ୍ରଦେଶମାନଙ୍କରେ ।
ଦିଲ୍ଲୀ ବିରୋଧରେ ପ୍ରଦେଶମାନଙ୍କର ଅଭିଯୋଗ ହେବାରୁ ଦିଲ୍ଲୀ ଆଞ୍ଚଳିକ ବିକାଶ ଦିଗରେ ଦୃଷ୍ଟି ଦେଇଛି ।
ଏତିକି ଜାଣିଲା ପରେ ଓଡ଼ିଶା କଥା ବୁଝିବା ସହଜ ହେବ ।
ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ବର୍ତ୍ତମାନ କଲେଜ ଓ ପ୍ରତ୍ୟେକ ଅଞ୍ଚଳରେ ଶିକ୍ଷିତ ଶ୍ରେଣୀ ବାହାରିଲେଣି ।
ତୁଣୁ ପ୍ରତ୍ୟେକ ଜିଲ୍ଲାରେ ଉନ୍ନତିମୁଳକ କାର୍ଯ୍ୟ ହେବାପାଇଁ ଦାବି ହେବା ସ୍ୱାଭାବିକ ।
ମୁଖ୍ୟତଃ ଓଡ଼ିଶା ତିନୋଟି ଅଞ୍ଚଳରେ ବିଭକ୍ତ-ଉପକୂଳ, ପଶ୍ଚିମ ଓ ଦକ୍ଷିଣ ।
ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ବିଭିନ୍ନ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ମିଶି ଓଡ଼ିଶା ପ୍ରଦେଶ ଗଠିତ ହୋଇଛି ।
ଏଣୁ ଆଞ୍ଚଳିକ ଭାବ ଯେ ଆଜି ସୃଷ୍ଟି ହୋଇଛି ବା କେହି ତାକୁ ସୃଷ୍ଟି କରୁଛି ତାହା ନୁହେଁ ।
ଖ୍ରୀ : ୧୯୨୮ରେ ସମ୍ବଲପୁର ବାସୀମାନଙ୍କ ପକ୍ଷରୁ ଗାନ୍ଧିଜୀଙ୍କଠାରେ ଆପତ୍ତି କରାହେଲା ଯେ, କଟକବାଲା ତାଙ୍କର ଗସ୍ତକୁ ଉପକୂଳରେ ସୀମାବଦ୍ଧ କରି ରଖୁଛନ୍ତି ।
ସମ୍ବଲପୁର ଆଡ଼େ ଦେଇନାହାନ୍ତି ।
ସେଥିପାଇଁ ଗାନ୍ଧିଜୀ ଡିସେମ୍ବର ମାସରେ ଦିନକ ପାଇଁ କଲିକତା ଯିବା ବାଟରେ ସମ୍ବଲପୁର ଆସିଲେ ।
ସେଠାରେ ମ୍ୟୁନିସିପାଲିଟି ଓ ସାଧାରଣଙ୍କ ପକ୍ଷରୁ ଯେଉଁ ମାନପତ୍ର ଦିଆହୋଇଥିଲା, ସେଥିରେ ଅଭିଯୋଗ କରାହୋଇଥିଲା ଯେ, ତତ୍‌କାଳୀନ ଶାସନ ସମ୍ବଲପୁରକୁ ଖେଳଣା ପରି ବ୍ୟବହାର କରୁଛି ।
ସେତେବେଳେ ଇଂରେଜ ଶାସନ ଓ ବିହାର-ଓଡ଼ିଶା ପ୍ରଦେଶ ।
ପୁଣି ଖ୍ରୀ : ୧୯୩୬ରେ ଗଞ୍ଜାମ ପ୍ରଭୃତି ଅଞ୍ଚଳ ମିଶିବା ପରେ ଦକ୍ଷିଣ ଓଡ଼ିଶା ଉତ୍ତର ଓଡ଼ିଶାରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହେଲା ।
ଗଡ଼ଜାତଗୁଡ଼ିକ ମିଶିବା ପରେ ଅଞ୍ଚଳଗୁଡ଼ିକର ଆକାର ବଦଳିଗଲେ ମଧ୍ୟ ମୁଖ୍ୟତଃ ସେହି ପୂର୍ବପରି ତିନୋଟି ଅଞ୍ଚଳ ହୋଇ ରହିଛି ।
ଶାସନ ପକ୍ଷରୁ ଯେକୌଣସି କାର୍ଯ୍ୟାନୁଷ୍ଠାନ ହେବ, ଏପରିକି କମିଟି ଗଠନଠାରୁ ଆରମ୍ଭ କରି କେବିନେଟ ଗଠନ ପର୍ଯ୍ୟନ୍ତ ସବୁଥିରେ ତିନୋଟି ଅଞ୍ଚଳକୁ ଆଖିଆଗରେ ନରଖିଲେ, ପାତରଅନ୍ତର କରାହେଉଛି ବୋଲି ଅଭିଯୋଗ ହେବ ହିଁ ହେବ ।
ପ୍ରତ୍ୟେକ ଅଞ୍ଚଳ ବା ଏପରିକି ପ୍ରତ୍ୟେକ ଜିଲ୍ଲାକୁ ନିଜର ବୋଲି ମନେକରି ଚଳିବା, ଚଳାଇବା ନିତାନ୍ତ ଆବଶ୍ୟକ ।
ଦେଶର ଓ ପ୍ରଦେଶର ସଂଘତି ପାଇଁ ଏହା ଅନିବାର୍ଯ୍ୟ ।
ବାଛିନେବାକୁ ହେବ :
ରାଜା ବା ଶାସକର ଚାରିପାଖରେ ଉପକାର ପାଉଥିବା ଏକ ଶ୍ରେଣୀ ସୃଷ୍ଟି ହୋଇଯାଆନ୍ତି ।
ଏ ଶ୍ରେଣୀ ଭିତରେ ପରସ୍ପର ଶତ୍ରୁତା, ବିବାଦ ଇତ୍ୟାଦି ଥାଏ ।
ଏସବୁର ମୀମାଂସା ସେହି ରାଜା ବା ଶାସକ ମାଧ୍ୟମରେ ହୋଇଥାଏ ।
ଏହି ଉପକୃତ ଶ୍ରେଣୀ ବାହାରେ ଉପକାର ପାଉନଥିବା ଏକ ବିଶାଳ ଜନସମୁଦ୍ର ପଡ଼ିଥାଏ ।
ସେମାନଙ୍କ ଭିତରୁ ଯେ ଟିକିଏ ବେଶି ବୁଦ୍ଧିମାନ୍‌ ଓ ଶିକ୍ଷିତ ସେ ଉପକୃତ ଶ୍ରେଣୀ ଭିତରେ ପ୍ରବେଶ କରିବାକୁ ଚେଷ୍ଟାକରେ ।
ଅନେକ ମଧ୍ୟ ପ୍ରବେଶ କରିଯାଆନ୍ତି ।
କିନ୍ତୁ ପ୍ରବେଶ କରିସାରିଲା ପରେ ସେମାନେ ଆଉ ସେ ଜନସମୁଦ୍ର ଆଡ଼କୁ ଦୃଷ୍ଟି ଦିଅନ୍ତି ନାହିଁ ।
ଯେତେବେଳେ କୌଣସି ସମୟରେ ଶାସନରେ ବା ସମାଜରେ ପରିବର୍ତ୍ତନ ଘଟିଛି, ସେତେବେଳେ ତାହା ସାଧିତ ହୋଇଛି ଅନୁପକୃତ ଅବହେଳିତ ଶ୍ରେଣୀର ଅସନ୍ତୋଷରୁ ଜନ୍ମିଥିବା ନେତୃତ୍ୱ ଦ୍ୱାରା ।
ଯଦି ସେ ଅସନ୍ତୋଷ ପ୍ରତି ଦୃଷ୍ଟି ନଦେଇ ଉପକୃତ ଶ୍ରେଣୀ ନିଜେ ସବୁ ଭୋଗ କରିବେ, ଏପ୍ରକାର ଚେଷ୍ଟା ଛାଡ଼ି ନିଜେ ଚଳିବେ ଓ ଅନ୍ୟମାନେ ମଧ୍ୟ ଚଳିବେ ଏପରି ଆଚରଣ ନକରନ୍ତି, ତେବେ ଅଲକ୍ଷିତ ଭାବରେ ଜନତା ମଧ୍ୟରେ ଅସନ୍ତୋଷ କାର୍ଯ୍ୟ କରି କରି ହଠାତ୍‌ ଏକ ବିସ୍ଫୋରଣ ଘଟାଏ ।
ତାକୁ ଇତିହାସରେ ବିଦ୍ରୋହ ବା ବିପ୍ଳବ ବୋଲି କୁହାଯାଏ ।
ଯେଉଁ ଦେଶରେ ଯେଉଁ ସମୟରେ ବିପ୍ଳବ ଘଟିଛି, ତା’ର ଇତିହାସ ଅଧ୍ୟୟନ କଲେ ଉପରୋକ୍ତ ସିଦ୍ଧାନ୍ତରେ ବୁଦ୍ଧିମାନ୍‌ ଲୋକେ ନିଶ୍ଚିତ ଭାବରେ ପହୁଞ୍ଚିବେ ।
ଗଣତନ୍ତ୍ର ପଦ୍ଧତିରେ ଗଣଭୋଟର ବ୍ୟବସ୍ଥା ଥିବାରୁ ଅସନ୍ତୋଷକୁ ଖଣ୍ଡା, ତରବାରି ବା ବନ୍ଧୁକରେ ପ୍ରକାଶ ନକରି, ଭୋଟ କାଗଜରେ ପ୍ରକାଶ କରିବାର ସୁବିଧା ଦିଆ ହୋଇଥାଏ ।
ତେଣୁ ବିନା ରକ୍ତପାତରେ ପରିବର୍ତ୍ତନ ସାଧନ କରିପାରେ ବୋଲି ଗଣତନ୍ତ୍ର ପଦ୍ଧତିକୁ ପ୍ରଶଂସା କରାହୁଏ ।
କିନ୍ତୁ ସେ ପଦ୍ଧତିର ଅପବ୍ୟବହାର ମଧ୍ୟ କରାହୁଏ ।
ସବୁ ପ୍ରକାର ପ୍ରତିଶ୍ରୁତି ଦେଇ ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇ ଭୋଟ ପାଇସାରିଲା ପରେ ଭୋଟଦାତାମାନଙ୍କୁ ଭୁଲିଯାଇ ନିର୍ବାଚିତ ପ୍ରତିନିଧି ଉପକୃତ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଯାଆନ୍ତି, ଏପରି ମଧ୍ୟ ଘଟିଥାଏ ।
ଏଣୁ କେବଳ ଭୋଟ କାଗଜଟି ଉପରେ ନିର୍ଭର କର ରହିଲେ ଯେ ଜନତାର ଦୁଃଖ ଯିବା ତା’ ମଧ୍ୟ ନୁହେଁ ।
ସବୁ ଦିଗରୁ ବିଚାର କଲେ ସ୍ପଷ୍ଟ ଜଣାଯିବ ଯେ ଜନତା ଭିତରେ ପଡ଼ିରହି ସେମାନଙ୍କ ମନରେ ଆଶା ଓ ଆଲୋକ ସଂଚାର କରିବା ପାଇଁ କର୍ତ୍ତବ୍ୟବୋଧରେ ଅନେକ ବାହାରିବା ଉଚିତ ।
ସୁଖର ବିଷୟ ଏହା ହେଉଛି, ଏଥିପ୍ରତି ସମ୍ବାଦପତ୍ରରେ ବା ବ୍ୟବସ୍ଥାସଭାରେ ବା ଶାସନ ଦୃଷ୍ଟି ପଡ଼ୁ ବା ନପଡ଼ୁ ଆଶା ଓ ଆଲୋକ ସଞ୍ଚାର କରିବା ହେଉଚି ସାଂସ୍କୃତିକ କାର୍ଯ୍ୟ ।
ଏହା ସହିତ ରାଜନୀତିର ପ୍ରତ୍ୟକ୍ଷ ସମ୍ପର୍କ ନାହିଁ ।
ଏଣୁ ଯେଉଁମାନେ ସରକାରୀ କାମ କରୁଛନ୍ତି ବା ଅନ୍ୟ କୌଣସି କାରଣରୁ ରାଜନୀତିରେ ଯୋଗ ଦେଇ ପାରୁନାହାନ୍ତି, ସେମାନେ କର୍ତ୍ତବ୍ୟବୋଧରେ ଜନତାକୁ ନିରାଶରୁ ଉଦ୍ଧାର କରି ଆଶାର ରାଜ୍ୟକୁ ନେଇଯାଇପାରନ୍ତି ।
ପୁରାଣମାନଙ୍କରେ ବର୍ଣ୍ଣିତ ଅଛି, ଲୋକଙ୍କୁ ନିର୍ଯ୍ୟାତନାରୁ ରକ୍ଷାକରିବା ପାଇଁ ଦେବତାମାନେ ସ୍ୱର୍ଗ ଛାଡ଼ି ମର୍ତ୍ତ୍ୟରେ ମନୁଷ୍ୟ ଜନ୍ମ ନେଇ ସାଧାରଣ ମନୁଷ୍ୟ ହୋଇ କାର୍ଯ୍ୟ କରନ୍ତି ।
ସେହିପରି ଉପକୃତ ଶ୍ରେଣୀରୁ ଅନେକେ ଓହ୍ଲାଇ ଆସି ଅନୁପକୃତ ଶ୍ରେଣୀ ଭିତରେ ରହି ସେମାନଙ୍କୁ ଉଦ୍ଧାର କରିବାର ସଂକଳ୍ପ କଲେ ସେମାନେ ନିଜର ଜୀବନ ସାର୍ଥକ କରିବେ ଓ ସେମାନେ ନୂତନ ଇତିହାସ ମଧ୍ୟ ସୃଷ୍ଟି କରିବେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment