Commit 22309e96 authored by Nayan Ranjan Paul's avatar Nayan Ranjan Paul

Upload New File

parent 155ed460
ଚୁନୁର ପାପ
ମୋନାଲିସା ମିଶ୍ର
ତା: ମାର୍ଚ୍ଚ୍ ୧୫, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ମମ୍, ହାଏ
ମୁଁ ଜାଣିପାରୁଛି ତମେ ଏବେ କଣ କରୁଥିବ ।
ଆଜି ତ ଟିଭି ସିରିଏଲରେ ତମ ମନ ଆଦୌ ନଥିବ ।
ତମେ ଖାଲି ଘରକୁ ବାହାର ହେଉଥିବ ।
ରିଲାକ୍ସ ମମ୍, ରିଲାକ୍ସ ।
କାରଣ ଆଗକୁ ଆହୁରି ଅନେକ ଅଛି, ଯେଉଁଥିରେ ତମ ଛାତି ଥରିଯିବ କି ପାଦତଳୁ ଭୂମି ଖସିଯିବ ।
ତମେ ମତେ କେତେ ଘଣ୍ଟା ଖୋଜିଲଣି? ଦୁଇ ଘଣ୍ଟା! ନା, ଆଠ? ଖୋଜ କେତେ ଖୋଜୁଛ ।
ମତେ କିଛି ଫରକ୍ ପଡିବନି, ଡଜ୍ ନଟ୍ ମ୍ୟାଟର ଟୁ ମି ।
ମମ୍, ୟାର୍, ମୁଁ ତୋ ପଞ୍ଜୁରୀରେ ସଜା ହୋଇରହିଥିବା ମିଟୁ ଟିଏ ନୁହେଁ ।
ଏମିତି ବି ପକ୍ଷୀ ମାନଙ୍କର କିଛି ସ୍ବାଧୀନତା ଅଛି, ମନ ହେଲେ ଖାଇବେ, ନହେଲେ ଟିକ୍ ଟିକ୍ କରି କାଟିକି ଫିଙ୍ଗିବେ, ଉଡିବେ ।
ହେଲେ ମତେ! ତୋ ତୁଳସୀ ପତ୍ର ରସ, ପୋଦିନା ଚଟଣୀ, ତୋର ସେ ଚୁଡା, ଛତୁଆ ସବୁକୁ ଗିଳିବାକୁ ହୁଏ ।
ଏବେ ମୁଁ ଜାଣି ଗଲିଣି କେମିତି ନିଜ ଇଚ୍ଛାରେ ଚଳିବାକୁ ହୁଏ ।
ମୋର ଗୋଟିଏ ସିକ୍ରେଟ ଅଛି ।
ଟିକେ ସ୍ଥିର ହେଇ ଶୁଣ୍ ।
ମତେ ଗୋଟେ ସୁନ୍ଦର ଗାର୍ଲଫ୍ରେଣ୍ଡ ମିଳି ଯାଇଛି ।
ଅଫ୍‌କୋର୍ସ, ଏବେ କେବଳ ଜଣେ ଅଛି ।
ଆଉ ଗୋଟେ ସିକ୍ରେଟ୍ ।
ତମେ ମୋ ପାଇଁ ବାଇକ୍ ନ କିଣିଲେ କଣ ହେଲା ? ଦେଖ, ମୋର ଫ୍ରେଣ୍ଡ୍‌ସମାନଙ୍କୁ, କେତେ କେୟାରିଙ୍ଗ୍ ।
ମୋ ସାଙ୍ଗ ରିଜୁ ଅଗ୍ରୱାଲ୍, କିଛିଦିନ ପାଇଁ ତା ବାଇକ୍ ମତେ ଦେଇଛି, ତିନି ମାସ ପାଇଁ ସେ ଗାଡି ମୋର ।
ପାପା, ସେଦିନ ୫୦୦୦ ଡ୍ର କରିଥିଲେ ନା !
ସେ ଟଙ୍କା ମୁଁ ନେଇଛି, ରିଜୁକୁ ଦେଇଛି ।
ଆଉ ବାଇକ୍‌ରେ କି ମଜ୍ଜା ।
ଆମେ ଲଙ୍ଗ୍ ଡ୍ରାଇଭ୍‌ରେ ଯାଇଥିଲୁ ।
ନ୍ୟାସ୍‌ନାଲ ହାଇୱେରେ ଜାଣ, ଉଡିଲୁ, ଉଡିଲୁ ତ ଆମେ, ମାନେ କିଏ ଭାବୁଛ?
ମୁଁ ଆଉ ତମନ୍ନା ।
ଭେରି କ୍ୟୁଟ୍ ଗାର୍ଲ ମମ୍ ।
ୱାଃ…. ଭେରି ଲଭ୍‌ଲି ।
କି ଗାଲମ! ଯେମିତି ବଟର୍ ମେଲ୍ଟ୍ ହେଇ ଅଜାଡି ପଡିଛି ।
ସେ ପଛରୁ ମୋ ଅଣ୍ଟାକୁ ଯେମିତି କୁଣ୍ଢେଇ ଧରିଛି, ମତେ ତ ନିଜକୁ ସୁପର୍ ମ୍ୟାନ୍ ପରି ଲାଗିଲା ।
ମୁଁ ତମମାନଙ୍କ ସଙ୍ଗେ ଏତେଦିନ କାହିଁକି ବୁଲୁଥିଲି ।
ମନସ୍ତାପ କଲି ।
ମମ୍, ତମେ ଭାବୁଛ କି ମତେ ଲାଜ କେମିତି ଲାଗୁନି? କମ୍ ଅନ୍, ବି ସ୍ମାର୍ଟ୍ ।
ଯୁଗ କେତେ ବାଟ ଗଲାଣି ଜାଣିଛ? ମୁମ୍ବାଇର କିଛି ପ୍ୟାରେଣ୍ଟସ୍ ଏମିତି ଅଛନ୍ତି, ଯେଉଁମାନେ ତାଙ୍କ ପୁଅର ଗାର୍ଲଫ୍ରେଣ୍ଡକୁ ଘରକୁ ଡାକି, ଗୋଟେ ରୁମ୍ ଛାଡିଦେଇ କବାଟ ବନ୍ଦ କରିଦେଉଛନ୍ତି ।
ନୋ କମ୍ପ୍ଲେନ୍ ।
ହେଲେ, ତମେମାନେ ଯୋଉ ଗଁୱାର କୁ ସେଇ ଗଁୱାର ।
ମୁଁ ଏବେ ଗୋଟେ ନାଇଟ୍ କ୍ଲବ୍‌ରେ ମେମ୍ବର୍ ହୋଇଛି ।
କିଛି ଯଦି ଲଫଡା କରିବ ତ ଦେଖିବ ।
ମତେ ସେ ତମ ନରସିଂହପୁର ଗ୍ରାମର ମନମୋହନ ମିଶ୍ର ପଣ୍ଡିତ ମହାଶୟଙ୍କ ପୁତ୍ର ହରମୋହନ ମିଶ୍ରଙ୍କର ପୁତ୍ର ମାସୁମ୍ ମିଶ୍ର କରି ରଖିଥିବ କି?
ମୁଣ୍ଡର ଏ ତେଲ, ଧଳା ଚେକ୍‌ର ସାର୍ଟ ଖଣ୍ଡେ, ହଜାରେ ପୂଜା ପାଠ ଶିଖେଇ ତମ ମନ ଲାଖି କଣ୍ଡେଇଟିଏ ବୋଲି ଭାବିଲ କି?
ଆଇ ଆମ୍ ଫ୍ରି ।
ଗାଁକୁ ଯିବାର ନାଁ ଧରିବ ତ, ଘରେ ନିଆଁ ଲଗେଇଦେବି ।
ଆଉ ବାଇକ୍ କଥାଟା ଶୀତଳ ଭଣ୍ଡାରକୁ ପଳେଇଛି ବୋଧେ, ନିକାଲୋ, ନିକାଲୋ, ନହେଲେ ଘରେ ରଖେଇ ଦେବିନି ।
“ଏଇ ଶୁଣୁଛ, ସେଠି ଠିଆ ହେଇ କଣ ପଢୁଛ? ନା ମୂର୍ତ୍ତି ବନି ଯାଇଛ! ଏମିତି ବଡ ବଡ ଆଖି କରି କଣ ଦେଖୁଛ?”
ପତ୍ନୀଙ୍କ କଥା ପରେ ସେ ଜାଣି ପାରିଲେ ଯେ, ତାଙ୍କ ହାତ ଥରୁଛି ।
ଗୋଡ ବି ସଳଖ ହେଇ ରହିପାରୁନି ।
ପେଟ ଘାଣ୍ଟି ହେଇଯାଉଛି ।
“ଇଏ କି ଚିଠି!”
“ଜାଣିଲଣି, ପଟ୍ଟନାୟକ ବାବୁଙ୍କ ଝିଅ ୯୨.୫%, ସିନୁ ୯୮.୪% ଆଉ ପ୍ରଧାନ ବାବୁଙ୍କ ପୁଅ ଟିକେ କମିଗଲା ୮୯% ବୋଲି କନ୍ଦାକଟା କରୁଛି ।
ଆଉ ଆମ ଗୁଣମନ୍ତ!”
ନା, ତମେ କିଛି ଶୁଣନି ।
ଖାଲି ପତ୍ରିକା ପଢ, ଅଫିସ୍ ଫାଇଲ୍‌ରେ ମୁଣ୍ଡଟା ଝୁଙ୍କେଇ ବସିଥାଅ ।
ପୁଅ ପାଇଁ କିଛି ସ୍ବପ୍ନ ଅଛି କି ନାହିଁ, ନା ତମରି ପରି ସରକାରୀ ଅଫିସରଟିଏ ହେଇ ଯୋଉ କାମ କହିଲେ ପଇସା ନାହିଁ, ପଇସା ନାହିଁ ହେଉଥିବ ।”
ହରମୋହନ ଆଉ ଠିଆ ହେଇ ପାରିଲେନି ।
ମୁଣ୍ଡ ବୁଲେଇ ଯାଉଛି, ଚିଠି ତ ଆହୁରି ଫର୍ଦ୍ଦେ ଅଛି ।
ଡର ଲାଗିଲା, ଆହୁରି ପୁଣି କଣ ଲେଖିଥିବ! ଇଏ ତାଙ୍କ ଗେଲବସର ପୁଅ ଚୁନୁର ହାତଲେଖା ତ!
ଡରି ଡରି ଚିଠିର ତଳ ଭାଗ ଆଡେ ଆଖି ପକେଇଲେ ହରମୋହନ “ମମ୍, ତମେ ଗୋଟେ ଜିନିଷ ବିଷୟରେ ଜାଣିଛ!
ଧଳା ଧଳା, ଗୁଣ୍ଡ ଗୁଣ୍ଡ ପାଉଡର୍ ପରି ।
ମତେ ସେଇଟା ରିଜୁର ବଡ ଭାଇ ଥରେ ଚଖେଇ ଦେଇଥିଲା| ୱାଃ…..ୱାଃ…. ଫେଣ୍ଟାଷ୍ଟିକ୍ ।
ସ୍ବପ୍ନ ରାଇଜଟା ତ ପୂରା ଓହ୍ଲେଇ ଆସିଲା ।
ମତୁଆଲା… ଝୁମିଲା ଭଳିଆ ଅବସ୍ଥା ।
ସେଥିରେ ଲିସୁ, ଜେନି, ସମସ୍ତେ ନାଚୁଥିଲେ ।
ଡୋଣ୍ଟ୍ ୱରି ମୁଁ ହୋସ୍‌ରେ ଥାଏ, ଜେନିଟା ଉପରେ ପଡୁଥାଏ, ତାର ଛାତିକୁ ଆଣି ବାରମ୍ବାର ମୋ ପିଠିରେ ଘଷେ ।
ୱାଃ…. କ୍ୟା ବାତ୍ ହେ , ତମେ ବ୍ୟସ୍ତ ହୁଅନି, ମୁଁ ସେକ୍ସ ବିଷୟରେ ଅନେକ କିଛି ଜାଣେ ।
କିଛି ଅସୁବିଧା ନାହିଁ ।
ମୁଁ ଜେନିକୁ ବୁଝେଇ ଦେଇଛି ।
କିଛି ଖଟ୍କା ହେଲେ ସାଫ୍ କରିଦେବା ।”
ଆଉ ପଢି ପାରିଲେନି ହରମୋହନ ।
ଗୋଟେ ଜଗ୍ ପାଣି ପିଇଦେଲେ ।
ମୁହଁରେ ଟିକେ ପାଣି ଛାଟିଦେଲା ପରେ ହିଁ ଲାଗିଲା, ତାଙ୍କର ଜୀବନ ରହିଲା ।
ଚୁନୁ ପୁଣି ଏମିତି ଚିଠି ଲେଖିଛି ।
ହେଲେ ସେ ଗଲା କୁଆଡେ? ଆଜି ତ ଖାଇଲା ବେଳେ ତାକୁ ଦେଖିନି ।
ତା ମାଆର ତ ସୋମବାର, ତେଣୁ ସେ ଭାତ ଖାଇନି ।
“ରିତା, ରିତା ଚୁନୁ କାଇଁ?”
“ସେଇ କଥା ମୁଁ ତୁମକୁ ତିନିଥର ପଚାରିଲିଣି, ସ୍କୁଲ୍‌ରୁ ତ ଏ ଯାଏଁ ଫେରିନି ।”
“ଫେରିନି, ମାନେ! ଚାରିଟା ଉପରେ ହେଲାଣି ବୋଲି ଜାଣିଛ ତ!”
“ହଁ ମୋ ମନକୁ ପାପ ଛୁଇଁଲାଣି, ଗୋଟାଏ ରେ ଘରେ ପହଞ୍ଚିଯିବା କଥା ।
ବେଳେ ବେଳେ ଡେରି କରେ ଯେ, ଆଜି ମଣିମାଙ୍କର ରେଜଲ୍ଟ ବାହାରିବାର ଥିଲା ।”
“ରେଜଲ୍ଟ ବାହାରିବାର ଥିଲା?”
ତମକୁ ଏତିକି ଜଣାନାହିଁ ଟି, ତମ ମୁଣ୍ଡରେ ଯେତେ ଯାହା ପଶେଇଲେ କଣ କିଛି ପଶେ! ପିଲା କେତେ କଣ କରୁଛନ୍ତି ।
ସେଦିନ ଟି.ଭି.ରେ ଦେଖଉଥିଲା, ଏଡିକିଟିଏ ପିଲା ପାଞ୍ଚ କି ଛଅ ବର୍ଷର ହୋଇଥିବ, ଛୋଟିଆ ପିଲାଟିଏ ତମ ରଫି ସାହେବ୍ଙ୍କ ପାଞ୍ଚଗୁଣ ।
ଆଉ ଷ୍ଟାର୍ ପ୍ଲସ୍‌ରେ କୁଇଜ୍ ସୋ ଦେଉଛି, ସେଠିତ ଜଣେ କ୍ଲାସ୍ ସେଭେନ୍‌ ପିଲା, ଇଃଲୋ, ବୋପାଲୋ, ସୁପର୍ କମ୍ପ୍ୟୁଟର, ପ୍ରଶ୍ନ ପଚାରୁ ପଚାରୁ ସାଙ୍ଗେ ସାଙ୍ଗେ ସୁଇଚ୍ ଟିପି ଦେଉଥାଏ ।
ବାପ୍‌ରେ, କି ବ୍ରେନ୍ ଦେଇ ପଠେଇଇଛନ୍ତି ଭଗବାନ୍ ।
ଏମିତି ଏମିତି କେତେ……….
ପତ୍ନୀଙ୍କ କଥାରେ ବିରକ୍ତ ହୋଇପଡି ଘର କମ୍ପେଇଲା ସ୍ବରରେ ପାଟି କଲେ ହରମୋହନ ।
“ଚୁନୁ କାହିଁକି ଏ ଯାଏଁ ଫେରିନି?”
“ସେଇତ ମୁଁ ତାକୁ ଚାହିଁକି ବସିଛି ।
ଦୁନିଆ ଫୋନ୍ ଲଗେଇ ସାରିଲିଣି” ।
“ଅଜା ଘରକୁ ଫୋନ୍ ଲଗେଇଛ?”
“ନାଇଁ ସେଠି ନାହିଁ ।
ସବୁ ସାଙ୍ଗମାନଙ୍କୁ ଫୋନ୍ କରିସାରିଛି ।
ମୁଁ ଭାବୁଛି, ସେ ତା ଗୀତ ସାର୍ ଘରକୁ ପଳେଇଥିବ ।
କେବେ କେବେ ଯାଏ ।
ତାଙ୍କ ଘରେ ତ ଫୋନ୍ ନାହିଁ ।
ମୋବାଇଲ୍ ଗୋଟେ ଯେ, ସେଇଟା ସାର୍ ଧରି ବୁଲନ୍ତି ।
କି ଗୀତ ସେ ଶିଖେଇଲେ କେଜାଣି ମୋ ପୁଅକୁ ଗୁଣି କରିଦେଲା ପରି ଲାଗୁଛି ।”
ହରମୋହନ ଚିନ୍ତାରେ ପଡିଗଲେ ଏଇ ଆଶାୟୀ ମାଆକୁ କଣ କହିବେ, ଚିଠିଟି ତାଙ୍କ ହାତକୁ ବଢେଇ ଦେଇ, ନିଜେ ମୁଣ୍ଡରେ ହାତ ଦେଇ ବସିଗଲେ ।
ରୀତା ଡରି ଡରି କାଗଜଟି ଧରିଲେ ।
କଣ ଏଇଟା! ଚୁନୁର ହାତ ଲେଖା! ସେ ପୁଣି ଅଧା ଓଡିଆ, ଅଧା ଇଂରାଜୀରେ!
ଚୁନୁ ଚିଠି ଲେଖିଛି କାହିଁକି?
ହରମୋହନଙ୍କ ମୁହଁକୁ ଥରେ, ଚିଠିକୁ ଥରେ ଚାହିଁ ଡରି ଡରି ଚିଠି ଉପରେ ଆଖି ବୁଲେଇଲେ ରୀତା ।
“ମମ୍, ତମେ ଭାବୁଥିବ ଇଏ କଣ କହୁଛି, ଗଲା ତିନି କୂଳରୁ ଗଲା, ନୋ ମମ୍ ୟୁ ଆର୍ ଓଲ୍ଡ୍ ଫ୍ୟାସନ୍ଡ୍ ।
ସେଦିନ ଦେଖୁଥିଲ ନା! ଦାଉଦ୍‌ର ଇଣ୍ଟର୍‌ଭିଉ? ଆରେ, ବଡ ବଡ ଟେରରିଷ୍ଟମାନଙ୍କର ଯେଉଁ ଖାତିର୍ ନା, କେଉଁ ନେତାର ବି ସେତିକି ନାହିଁ ।
ପଇସା ପ୍ରଚୁର ଆଉ ପପୁଲାରିଟି ବି ।
ବଡ ବଡ ହିରୋଇନ୍, କି ମଡେଲ୍‌ମାନେ ତାଙ୍କ ଗୋଡ ତଳେ, କଙ୍କି କି ପ୍ରଜାପତି ପରି ଫଡ୍ ଫଡ୍ ହେଉଥାନ୍ତି ।
ସେଇ ଲାଇନ୍ ଆପଣେଇଲେ କ୍ଷତି କଣ?
ମୁଁ ମୋର କ୍ୟାରିୟର୍ ନେଇ ଆଉ ଚିନ୍ତା କରୁନି?
ମୁଁ ଜାଣିଛି ମୋ ରାସ୍ତା କେଉଁ ଆଡେ, ଯେଉଁ ଆଡେ ମୁଁ ଚାହିଁବି, ଉଡିବି, ବୁଲିବି, ଲୁଟିବି, ମଉଜ୍ କରିବି, ଦୁନିଆକୁ ଅଙ୍ଗୁଳିରେ ନଚେଇବି ।”
ଫାଷ୍ଟ୍ ଚୋରିକଲି ଅଜା ଘରୁ ।
ଗୋଟିଏ ଛୋଟ ଚୋରି, ଜଷ୍ଟ୍ ୫୦୦ ଟଙ୍କା ।
ପରୀକ୍ଷା କରୁଥିଲି ଚୋରି କରିପାରୁଛି କି ନାହିଁ ।
ସଫଳ ହେଲି ମଧ୍ୟ ।
ତେଣୁ ମୋର ଚିନ୍ତା କଣ, କୌଣସି ସଙ୍ଗଠନରେ ଜଏନ୍ କରିଦେବି ।
ସେମିତି ଜୀବନରେ ମଜ୍ଜା ଅଛି ।”
ରିତାଙ୍କର ଆଙ୍ଗୁଠି ଗୁଡାକ କାଠ ଖଣ୍ଡ ପରି ଟାଣ ହେଇଗଲା ।
ଦେହ ଥଣ୍ଡା ହୋଇଯାଉଛି କି? ଜାବୁଡି ଧରିଲେ ସ୍ବାମୀଙ୍କୁ ।
ଏମିତି କେମିତି ଚୁନୁ ଲେଖିପାରିଲା ।
ଲୁହରେ ଜୁଡୁବୁଡୁ ରୀତା, ଥମ୍ ହେଇ ବସିପଡିଲେ ।
ତା ପରେ ହାଉଳି ଖାଇଲା ପରି ପାଟି କଲେ ।
“ଇଃଲୋ, ମୋ ପୁଅ କୁଆଡେ ଯାଇଥିବ ।
କାହିଁକି ଏମିତି ଚିଠି ଲେଖିଛି ।
ଖୋଜ, ଖୋଜ ମୋ ପୁଅକୁ ।
ଫୋନ୍ ଲଗାଅ ।
କିଏ ଶିଖେଇଲା ତାକୁ ଏସବୁ! ଏତେ ଖରାପ କାମ ସେ କେମିତି କରିପାରିବ!
ହରମୋହନଙ୍କର ପାଟି ଫିଟୁ ନଥିଲା ।
ଆଉ କାହାକୁ କାହାକୁ ଫୋନ୍ ଲଗେଇବେ ଚିନ୍ତା କରୁଥିଲେ ।
ରୀତା ପାଗଳଖାନାର ରୋଗୀଟେ ପରି ଚିତ୍କାର କଲେ ।
କେତେବେଳେ ଦାଣ୍ଡପଟ ଗ୍ରିଲ୍‌କୁ ବାଡେଇ ଆସିଲେଣି ତ, କେତେବେଳେ ବାଡିପଟ କବାଟକୁ ପିଟି ଆସିଲେଣି ।
ଫୋନ୍ କଚାଡି ପକାଉଛନ୍ତି ତ, ନିଜ ଚୁଟି, ଭିଡି ପକାଉଛନ୍ତି ।
“କୁଆଡେ ପଳେଇଯିବ ମ ପୁଅ ।
ମୋ ସ୍ବପ୍ନ, ମୋର ଜୀବନ ।
ମୋର ତ ସବୁ ସିଏ ହିଁ ।
ଆଜିଯାଏଁ ପୁଅ ଛଡା ମୁଁ ଆଉ କିଛି ଜାଣିନି ।
ତାର ପାଠ, ତାର ଖାଇବା, ସେଇଥିରେ ତ ମୋର ଚବିଶ ଘଣ୍ଟା ଯାଏ ।
ପୁଅ ପାଠ ପଢିବ ବୋଲି, ଗାଁରୁ ଶାଶୁ ଶ୍ବଶୁରଙ୍କୁ ଆଣୁନି ।
ଭଣଜା, ଝିଆରୀ, ଦିଅର କାହା ମୁହଁ ଚାହିଁନି ।
ଏଇ ବର୍ଷଟା ସାଙ୍ଗସାଥୀଙ୍କୁ ବି ମନା କରିଦେଇଛି ଯେ, ମୋ ଘରକୁ ଆସିବେନି ।
ଚୁନୁର ଫାଇନାଲ୍ ପରୀକ୍ଷା ସରିଲେ ଆସିବେ ।
ଚୁନୁ ତୁ ଏଇୟା କଲୁ ।
ଆମ ନାକ କଟେଇଲୁ ।
ଆମେ ରାସ୍ତାରେ ମୁଣ୍ଡ ଟେକି ଚାଲିପାରିବୁ ତ?
ରୀତାକୁ ସାନ୍ତ୍ବନା ଦେବା ପାଇଁ ହରମୋହନ ଶବ୍ଦ ଖୋଜି ହେଲେ ।
ରୀତା ଧୈର୍ଯ୍ୟ ଧର, ଦେଖିବା କିଛି କରିବା ।”
“କଣ କରିବ ।
ଆଉ କଣ କରିଥାନ୍ତୁ ।
ପାଞ୍ଚଟା ଟିଉସନ୍ ତ ଖଞ୍ଜିଲୁ ।
ଦୁଇ ବର୍ଷ ବୟସରୁ ସେ ପାଠ ପଢିଛି ।
ତା ଲାଗି ପର୍ବପର୍ବାଣି ବି ଛାଡି ଦେଇଛି, ସେ ବଡ ମଣିଷ ହେଉ ।
ପାଞ୍ଚ ଲୋକଙ୍କ ଭିତରେ ଟିକେ ଅଲଗା ହେଇ ବାରି ପଡୁ ।
ସେଇଥିପାଇଁ ଏତେ ଲାଗିଛି, ଆଉ ସେ ଶେଷରେ ଏମିତି କଲା”
ହରମୋହନଙ୍କ ପାଖରେ ଶବ୍ଦ ନଥିଲା, କଣ କହି ଏ ପାଗେଳୀ ପରି ହେଉଥିବା ମାଆକୁ ବୁଝେଇବେ!
କହିପାରିବେକି ଏତିକି, ତା ପିଛା ଲାଗିବାଟା ହିଁ ଭୁଲ୍ ହେଲା, କାହିଁ ଅଧିକ ଆଶା ରଖି ଆମେ ତାର ନିଜତ୍ବକୁ ବଳି ଦେଇନୁ ତ!
ନହେଲେ, ଚୁନୁ, ଏତେ ନିରୀହ! ଫୁଲ ବି ତା ଠାରୁ ରୁକ୍ଷ ହେବ ବୋଧେ ।
ବୟସ ଷୋହଳ ହେଇନାହିଁ, ଏତେ ବଡ ବଡ କଥା ଲେଖିଛି ।
ଏତେ ଶାନ୍ତ , ଧୀର ପିଲା ।
ଟିକେ ଜୋର୍‌ରେ ଦୌଡି ବି ପାରିବନି ।
କୁଆଡେ ଯିବ! ପୋଲିସ୍‌କୁ ଖବର ଦେବାକୁ ପଡିବ ।
ଛାତିକୁ ପଥର କରି ହରମୋହନ ପୋଲିସ୍ ଷ୍ଟେସନ୍ ବାହାରିଲା ବେଳକୁ ପଛରୁ ରୀତା ଡାକ ଛାଡିଲେ ।
କଣ ହେଲା ବୋଲି ଚମକି ପଡି ହରମୋହନ ଭିତରକୁ ଆସିଲେ ।
ରୀତା ହାତରେ କାଗଜ ଖଣ୍ଡେ ଧରି ଠାକୁର ଘରୁ ଡାକ ଛାଡୁଥିଲେ ।
କଣ ଲେଖା ହେଇଛି ଏ କାଗଜରେ!
“ମା, ମୁଁ ଜାଣିଛି ତମେ ମତେ ବାହାରକୁ ଖୋଜିବାକୁ ଯିବା ଆଗରୁ ନିଶ୍ଚେ ଠାକୁର ଘରକୁ ଆସିବ ।
ନାଇଁ, ମା, ମୁହଁରୁ ଝାଳ ପୋଛି ଦିଅ ।
ବାପା ବି ବ୍ୟସ୍ତ ହେଇପଡିଥିବେ, ଦୁହେଁ ଟିକେ ସ୍ଥିର ହେଇ ବସିଯାଅ ।
କେବେଠୁ ଠାକୁର ଘରେ ଏକାଠି ହେଇ ବସିନଥିବ ।
ମୁଁ ତୁମ ପୁଅ ମାସୁମ୍ ।
ଯଦି ଚିଠିରେ ବର୍ଣ୍ଣିତ ମାସୁମ୍ ହେଇଥାନ୍ତି କେମିତି ହେଇଥାନ୍ତା!
ମୁଁ ଭବିଷ୍ୟତରେ କଣ ହେବି କହିପାରୁନି, କିନ୍ତୁ ଉତ୍ତମ ମଣିଷଟିଏ ନିଶ୍ଚୟ ହେବି ।
ନିଜ ଗାଁ, ମାଟି, ସମାଜର ଦାୟିତ୍ବ ମୁଣ୍ଡେଇ ପାରୁଥିବା ସାମାଜିକ ସମ୍ମାନ ଥିବା ବ୍ୟକ୍ତିଟିଏ ନିଶ୍ଚୟ ହେବି ।
ତମର ସେବା କରିବା ପାଇଁ ମୋ ପାଖରେ ମନ ଓ ସମୟ ଉଭୟ ଥିବ ।
ବହୁତ ପଇସା କମେଇ ପାରେକି ନପାରେ, କିନ୍ତୁ ତୁମର କୌଣସି ଅଭାବ କରେଇ ଦେବି ନାହିଁ ।
ଏତେ ଉପରକୁ ବି ଉଠିଯିବିନି କି, ତୁମେ ପୁଅ ବୋଲି ଧରିପାରିବନି ।
ଚଳିବ?
ଏମିତି ପୁଅ ଯଦି ଚଳିବ, ତେବେ ମୋ ରେଜଲ୍ଟ୍ କାର୍ଡ ଟା ଠାକୁରଙ୍କ ଭୋଗଥାଳି ଚଳେ ଅଛି ।
ମୁଁ ନାଇନ୍ଟି ପର୍ସେଣ୍ଟ୍ ରଖିପାରିନି ।
ମୁଁ, ଲୁଚିଛି, ଆଈ ଘରର ଠାକୁର ଖଟୁଲି ପଛପଟେ ।”
ମା, ବାପା ଦୁଇ ଜଣ ପରସ୍ପରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ।
ଏଇ ମାତ୍ର ପ୍ରଚଣ୍ଡ ଭୁମିକମ୍ପରେ ଦୋହଲିଗଲା ପରି ଲାଗୁଥିବା ଘରଟା ଧୀରେ ଧୀରେ ସ୍ଥିର ହେଉଥିଲା ।
ରୀତା, ଛାତିରେ ହାତ ମାରି ନିଜ ଦ୍ରୁତ ନିଃଶ୍ବାସକୁ ଧୀରେ ଧୀରେ କମେଇଲେ ।
ପଣତରେ ଝାଳ ପୋଛୁ ପୋଛୁ ସାମ୍ନାରେ ଥିବା ନଟ ଖଟିଆ କୃଷ୍ଣଙ୍କର ଫଟୋକୁ ଦେଖି କହିଲେ ଆଜି କୃଷ୍ଣଙ୍କର ହସ ଟିକେ ଭିନ୍ନ ପ୍ରକାର ଦିଶୁଛି କି?
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment