Commit 29a5801d authored by Nayan Ranjan Paul's avatar Nayan Ranjan Paul

Upload New File

parent 6e54c92e
ଫୁଲମଣି କୁଜୁର ଓ ଗପ
ପ୍ରଦୀପ ନାୟକ
ତା: ସେପ୍ଟେମ୍ବର୍ ୨୯, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ହ୍ୟାଲୋ-ଓ-ଓ ମୀନୁ ।
ମୁଁ ଆଜି ଏପିସୋଡ଼୍ଟା ମିସ୍ କରିଗଲିରେ ।
ହଁ ଶୁଣ, ଆଜି ମାନସୀର କଣ ହେଲା ?
କଣ କହିଲ ପ୍ରେଗ୍‌ନାଣ୍ଟ!! ହାଓ କ୍ୟାନ୍ ଇଟ୍ ବି ପସିବଲ୍!
ତାହେଲେ ବିଚାରୀ ପ୍ରିୟା ର କଣ ହବ?
ଟାଉନବସ୍‌ର ଭିଡ଼ ଭିତରୁ ଲୋକଟା ବଡ଼ ପାଟିରେ ଟେଲିଫୋନ୍ କରୁଚି ।
ସେ ଶଦ୍ଦରେ ଭିଡ଼ଟା ଫାଟି ଫାଟି ଯିବ କି! ସବୁ ଯାତ୍ରୀ ଘୁରି ଘୁରି ସେଇ ଅଧାବୟସର ଲୋକଟାକୁ ଦେଖୁଛନ୍ତି, ଯିଏ ଇଟିଭିର ଗୋଟେ ଲୋକପ୍ରିୟ ସିରିଏଲ୍ ବିଷୟରେ କଥା ହଉଚି ।
ପୋଷାକପତ୍ରରେ ଲୋକଟା ଯେତିକି ସମ୍ଭ୍ରାନ୍ତ ଦିଶୁଚି, କଥାବାର୍ତ୍ତାରେ ସେତିକି ଉଦ୍‌ଭ୍ରାନ୍ତ ।
କଉ ଗୋଟେ ଭାବବିନ୍ଦୁ ଏ ଭିତରେ ଅନେକଥର ମନକୁ ଆସିଚି, ପୁଣି ଗାଏବ୍ ।
କେଜାଣି କାହିଁକି ଏଇ ଲୋକଟାର କଥାରେ ପୁଣି ବିନା ତିଥି, ନିମନ୍ତ୍ରଣରେ ଆସି ହାଜର ।
ଟିହାଉଚି- କଣ ଏବେ ଲେଖା ହବ ତ?
ଗଳ୍ପ କହିଲା- କଣଟେ ଲେଖା? କଣ ଏମିତି ହେଲା କି?
କଣ ନ ହେଇଚି କହ ।
ମାନସୀ ଏବେ ପ୍ରେଗ୍‌ନାଣ୍ଟ ।
ନାୟକ ପାଖରୁ ନାୟିକା, ମାନେ ପ୍ରିୟ ପାଖରୁ ପ୍ରିୟା ନିଶ୍ଚୟ ଅଲଗା ହେବ ।
ନାୟକର ପୁରୁଷପଣିଆର ସାର୍ଟିଫିକେଟ ଏବେ ମାନସୀ, ମାନେ ପାର୍ଶ୍ବନାୟିକା ପେଟରେ ।
ଏହା ଠୁଁ ଆଉ ଅଧିକ କ’ଣଟେ ଗପ ପାଇଁ ଲୋଡା ଯେ ! ସବୁବେଳେ ତ କୁହ କାହାଣୀ ନାହିଁ ।
ୟା‌ଠୁ ଭଲ ଥିମ୍‌ଟେ ମିଳିବ କି?
ହେଲା ଯେ, ଅବଶ୍ୟ ଥିମ୍‌ଟା ମନ୍ଦ ନୁହଁ ।
ଲେଖାକୁ ଗତିଶୀଳ କରାଇ ପାରେ ।
ତେବେ…..ସବୁର ଗୋଟେ ଆରମ୍ଭ ଦର୍କାର…ଶେଷ ବି ଦର୍କାର ନା ।
ଶେଷପଦ କଥା ଗଳ୍ପ ପାଟିରେ ଖୁବ୍ ଅସ୍ପଷ୍ଟ ଶୁଭିଲା ।
ନିଜକୁ ନିଜେ ଶୁଣିଲା ପରି କହିଲା- ଛେନା ଗୁଡ଼ଟେ ହବ ।
ଏତିକିରେ ଭାବବିନ୍ଦୁ ତ ଶେଷ୍‌ ।
ନା- ଆଗକୁ, ନା-ପଛକୁ, ହୁଁ ।
ଏମିତି କେତେ ପ୍ଲଟ ରାସ୍ତାଘାଟ, ଦୈନିକ ଖବରକାଗଜରେ ପଡ଼ିଚି ।
ଏଇ ତ, ଯେବେଠୁ ବାହାରୁଚି ତିୱାରୀ ସାହେବ କଥା, ଯେ ଏବେ କିଏ ଗୋଟେ ଦାବି କରୁଚି ତାଙ୍କ ଝିଅ ବୋଲି ।
ତିୱାରୀଙ୍କ ବୟସ ପ୍ରାୟ ସତୁରୀ ପାଖାପାଖି ।
ଘରେ ପୁଅ ଝିଅ ବାହା ହେଲେଣି ।
ଅଥଚ ଏଇ କଥାକୁ ନେଇ କେତେ ତର୍କ ଚାଲିଛି ସଂସଦରେ ।
ବିରୋଧୀ ହାଲ୍ଲା କରୁଛନ୍ତି ।
ତଦନ୍ତ ଚାଲିଛି ।
କେଶ୍ ସୁପ୍ରିମ କୋର୍ଟରେ ।
ମାମଲା ଡି.ଏନ୍.ଏ. ଟେଷ୍ଟ ଯାଏ ଗଲାଣି ।
ତଥାପି କଣ ହଉଚି? ଝିଅଟା ନିଜ ଦାବି ହାସଲ କରିବାକୁ କେତେ ଦଉଡ଼ିବ ଦଉଡ଼ୁ ।
ପୃଥୀବୀଟା ଛୋଟ ପଡ଼ିଯିବ ସିନା ଦଉଡ଼ିବା ଲାଗିଥିବ ।
ଫୁଲ ଫୁଟିବନି କି ଗଛ ମରିବନି ।
ଗଳ୍ପ ଝିଅଟାର ପିଛା କରିଚି ।
ତାକୁ ଭଉଣୀ ଭଉଣୀ କହି ଫୁସୁଲେଇଚି- ତୁ’ ତୋ’ ମାକୁ ନେଇ ଆ କୋର୍ଟକୁ ।
ସିଏ କହିବ ତୋ ମଂଜିଟା କେମିତି ପଡ଼ିଲା ।
ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି ।
ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି ।
ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ ।
ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ ।
ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି ।
ବରଂ….
ଝିଅଟା ମୁହଁ ଛିଞ୍ଚାଡି କହିଚି- ମା’, ସିଏ ତ’ ମୋ ସାଙ୍ଗରେ କଥା ହଉନି ।
ଏଇ କଥା ସିନା କୌଣସି ପ୍ରକାରେ ମୁଁ ଜାଣି ପାରିଲି, ଏବେ ସିଏ ଆଉ ହୁଙ୍କୁନି ।
ସେ ଯାହା ବି ହେଇଯାଉ, ମା କିଛି ବି ନ କହୁ ।
ମୁଁ ତ ସତ ନା, ମୋ ରକ୍ତ ବି ସତ, କେତେଦିନ କ୍ଷମତା ଓ ପ୍ରତିପତ୍ତି ବଳରେ ସତକୁ ଘୋଡ଼େଇବେ ।
ଗଳ୍ପ କହିଲା…. ସେ ସତ ଫତ ଆଉ ନାହିଁରେ! ଆଜି କାଲି ମତେ ଏ ଗୁଡ଼ା ଅସମ୍ଭବ ଲାଗୁଚି ।
ବରଂ….
ହଇଓ, ତମେ କିଏ ? ତୁମକୁ ମୁଁ ଚିହ୍ନିନି କି ଜାଣିନି, ଉପରେ ପଡ଼ି ଏମିତି ପରାମର୍ଶ ଦେଇ ମୋତେ ଦୁର୍ବଳ କରିବାକୁ ଚାହୁଁନ ତ? ତମେ ମୋ ବାପାଙ୍କର କେହି ସେଟ୍ଅପ୍ ଲୋକ ନୁହଁ ତ?
: ନା-ନା ଭଉଣୀ ସେମିତି କିଛି ନୁହଁ ।
ମତେ ଦେଖୁନୁ ମୁଁ ସେମିତି ଦିଶୁଚି କି?
ତାହାଲେ ତମେ କିଏ? ଝିଅଟାର ତୀବ୍ର ଦୃଷ୍ଟି ଗଳ୍ପ ଉପରେ ।
ଓଃ, ଏଇଠି ଗଳ୍ପର ଅବସ୍ଥା ବା’ର ।
ଭାବିଲା ଆଜି କାଲିକା ପାଠ ପଢୁଆ ପିଲା ଏମାନେ, ସାହିତ୍ୟ ଫାହିତ୍ୟ କେତେ ବୁଝନ୍ତି ।
ଏମାନଙ୍କୁ ମୋ ପରିଚୟ ଦେଇ କାହିଁକି ଉପହସିତ ହେବି ।
ଏମିତିରେ ଝିଅଟା ସତକୁ ସତ ସନ୍ଦେହ କରିବା ଆରମ୍ଭ କରିଚି ।
ତେବେ କାହାଣୀ କେବଳ ସତରେତ ଚାଲିବନି, କିଛି ଖାଦ୍ ମାନେ କଳ୍ପନାକୁ ମିଶେଇବାକୁ ପଡିବ ।
ମନ କଥା ମନରେ ରଖି ଗଳ୍ପ କହିଲା ।
ହେଁ- ହେଁ – ହେଁ, ଭଉଣୀ ତୋର ଏଇ ମାମଲା ଚାଲିବା ଦିନରୁ ମୁଁ ତୋ ପାଖେ ପାଖେ ଅଛି ।
ସବୁ ଦେଖୁଚି, ଶୁଣିଚି ।
ଏ ବୟସରେ ଏତେ ଧନ୍ଦି ହବା ଅପେକ୍ଷା ଏମିତି କିଛି କର ଯେମିତି ତିୱାରୀ ବୁଢା ଫଁ ଗାଳି ପଡିବ ।
:ଆଃ, କଣ ସବୁ ଏମିତି କହୁଚ! ଆଜି ନ ହେଲେ ବି କାଲିକି ସିଏ ମୋ ବାପା, ଝିଅ ଆଗରେ କଣ ମୁଣ୍ଡନୁଆଇଁବେ? ମୁଁ ଚାହୁଁଚି ଥରଟେ ସେ ମୋତେ ଝିଅ ବୋଲି ସ୍ବୀକାର କରନ୍ତୁ ।
ଝିଅଟା କହିଲା ।
:ଇସ୍ ଝିଅଟା ନିଜକୁ କେତେ ଚାଲାଖ ଭାବୁଚି ମ! କେତେ ସିରିଏସ୍‌ରେ ବାପ୍‌ପା !
ଯମଠୁ ଶହେ ପୁଅ ନବ ହେଲେ ସ୍ବାମୀ ସାଙ୍ଗରେ ରହିବନି ।
ଗଳ୍ପ ସ୍ଥିରକଲା ଏଠୁ ଆଉ ଆଗକୁ ଯିବା ସମ୍ଭବ ନୁହଁ ।
ବାଇମନ, ଉଠା କମ୍ବଳ, ଧ’ ନୋଟା !
ଝିଅଟା ପାଖରୁ ଫେରିଲା ପରେ ମନେପଡ଼ିଲା ଭାବବିନ୍ଦୁ କଥା ।
ସବୁବେଳେ କହେ କାହାଣୀ, କାହାଣୀ, ଇଏ ବି ତ ଗୋଟେ କାହାଣୀ, ଆରେ ଖାସ୍ ସେଇଥି ପାଇଁ ମୁଁ ଝିଅଟା ପଛରେ ଦଉଡ଼ି ଦଉଡ଼ି ନୟାନ୍ତ ।
ଫଳ କଣ ହେଲା??
ହ୍ୟାଲୋ-ଓ-ଓ, କିଏ ଭାବବିନ୍ଦୁ, ମୁଁ ଗଳ୍ପ କହୁଚି ।
ହୈତ୍, ନୂଆ କିଛି ଅଛି ତ କହ ।
ଓ ପୁଣି ସେଇ ସିରିଏଲ୍‌ର କଥା ।
ମାନ୍ସୀ ପେଟର ଛୁଆ….
କଣ କହିଲୁ ଟେଷ୍ଟ୍ୟୁବ୍ ବେ ବି!! କଣ କହୁଚୁ ମ! ନାୟକକୁ ପାଇବା ପାଇଁ ମାନସୀ ଏମିତି ଚାଲ୍ ଖେଳିଚି!! ହାଓ ଡେୟାର….!
ଗଳ୍ପ ମନରେ ବିଜୁଳି ବେଗରେ ଗୋଟାଏ ମେକ୍ ଲାଗିଚି ।
ଆରେ ହୈ… ତିୱାରୀ ବୁଢା ପାଖରୁ ପିତୃତ୍ବ ଦାବି କରୁଥିବା ଝିଅ… ଆଉ ଟେଷ୍ଟ୍ୟୁବ୍ ବେବି…..!
ଫୋନ୍ ରଖି ଗଳ୍ପ କେମିତି ଗୋଟେ ଉଚ୍ଚାଟ ଅନୁଭବ କଲା ନିଜ ଭିତରେ ଏବଂ ମନକୁ ମନ କହିଲା, ମତେ ତ ଯେମିତି ହେଲେ ଝିଅଟାର ମା ପାଖକୁ ଯିବାକୁ ପଡିବ! ଫୁଲବାଣୀ, କଉ ଗୋଟେ କନ୍ଧମାଳିଆ ଗାଁରେ ତା ମା ରହେ ।
ଫୁଲବାଣୀ ସଦର ମହକୁମାରୁ କେନ୍ଦୁପଦର, ସେଇଠୁ ପାଦଚଲା ରାସ୍ତାରେ ଗୋଟିଏ କିଲୋମିଟର ପାହାଡ଼ ତଳି ଗାଁ ଗଳ୍ପର ଇପ୍‌ସିତ ସ୍ଥାନ, ଗାଁଟିରେ ତିରିଶ ପଇଁତିରିଶ୍ ପରିବାର, ସମସ୍ତେ ଜନଜାତିର ।
ପାହାଡ଼ ଗଡ଼ାଣି ଦେଇ କେନ୍ଦୁପଦର ଯାଏ ଛୋଟ ମୋଟ ଗାଡ଼ିଚାଲେ ।
କୌଣସି ପ୍ରକାରେ ଗଳ୍ପ ସେଇଠି ଓହ୍ଲାଏ ।
ପାଦଚଲା ରାସ୍ତାରେ ଆଗେଇବା ପୂର୍ବରୁ ଥରେ ଆଖି ବୁଲେଇ ଆଣେ ଚାରିଆଡ଼କୁ ।
ଏଇତ, ଗାଁଟା ଦିଶୁଚି ଗୋଟେ ଚିତ୍ରକରର ଚିତ୍ରପଟ ପରି ।
ଘରଗୁଡ଼ିକ ଛଡ଼ା ଛଡ଼ା ଗୋଟେ ଗୋଟେ ବିନ୍ଦୁ ।
ମଣିଷ, ଗାଇ ଗୋରୁ ଦିଶୁଛନ୍ତି ଛୋଟ ଛୋଟ ଖେଳଣା ପରି ।
ଚାରିଆଡ଼େ ସବୁଜିମା ଘେରା ପାହାଡ଼ ଓ ପାହାଡ଼ ।
ଡେଙ୍ଗା ଡେଙ୍ଗା ଶାଳ, ପିଆଶାଳ, ଶାଗୁଆନ, କେନ୍ଦୁ ଓ ମହୁଲ ଗଛ ।
ଗଛ ତଳେ ଠିଆ ହେଇ ଆଗକୁ ଅନେଇଲେ ଲାଗୁଚି ଗଛଗୁଡ଼ିକର ମଥା ଆକାଶକୁ ଛୁଇଁଚି ।
ଧୂଆଁଳିଆ ବାଦଲ ନେସି ହେଇ ଯାଉଛନ୍ତି ପାହାଡ଼ ଛାତିରେ ।
ପାହାଡ ଅଣ୍ଟିରୁ ହୀରାଗୁଣ୍ଡ ଚୋରେଇ ତରତରରେ ଚୋରଣୀ ପରି ବହିଯାଉଚି ଝରଣା ।
କାଚକେନ୍ଦୁ ପାଣି ।
ଖୁବ୍ ତଳ ସେଇ ଗାଁ ଚାରିକଡରେ ସୋରିଷ, ଅଳସି କ୍ଷେତ ।
ଗଳ୍ପ ଚାଲିଚି ।
ବୁଦ୍‌ବୁଦିକିଆ କଣ୍ଟାଝଣ୍ଟାର ଗୁଳ୍ମକୁ ଆଡ଼େଇ ଆଡ଼େଇ ।
ରାସ୍ତା ମଝିରେ ମଝିରେ ବଡ଼ ବଡ଼ ପଥର ଖଣ୍ଡ ଏମିତି ମୁଣ୍ଡଟେକି ରହିଛନ୍ତି ଯେ ସତର୍କତାର ସହ ଆଗେଇବାକୁ ପଡ଼ୁଚି ।
ବାହୁଙ୍ଗୀ କାନ୍ଧରେ ଥୋଇ ଚାଲି ଯାଉଥିବା ଧାଙ୍ଗଡ଼ା, କିମ୍ବା ହସଖୁସିରେ ଗପଯୋଡ଼ି ଚାଲିଥିବା ଧାଙ୍ଗଡ଼ୀମାନଙ୍କୁ ଫୁଲମଣି କୁଜୁର୍‌ର ଘର ଠିକଣା ପଚାରୁଚି ଗଳ୍ପ ।
ସମସ୍ତେ ସେଇ ନାଆଁଟା ଶୁଣି ବୁଲି ବୁଲି ଚାହୁଁଛନ୍ତି ।
ସେମାନଙ୍କ ଚାହାଣିର ଭାଷା ପ୍ରାୟ ଏଇପରି ହେଇପାରେ-କେତେ ଲୋକ ଆସୁଛନ୍ତି ମ, କେତେ ଯାଉଛନ୍ତି, ଇଏ ପୁଣି କିଏ ଲୋ ! ୟାଙ୍କର ତ ଫଟଉଠା ଯନ୍ତ୍ର ନାହିଁ, କିଛି ନାହିଁ, ସେ ଛାର୍‌ରୀଟାଠେଇଁ ୟାଙ୍କର କି କାମ ! ହଉ ଯାଅ ଯାଅ ।
କେହି କେହି ଆଙ୍ଗୁଠି ଦେଖେଇ ଚିହ୍ନେଇ ଦଉଛନ୍ତି ଟଣିଅ ଝାଟିରେ ବାଡ଼ ଘେରା ଗୋଟେ ଛୋଟ ଘରକୁ ।
ଫୁଲମଣିର ଘର ।
ଛୋଟ ପାହାଡ ମୁଣ୍ଡିଆ ଉପରେ ଘରଟି ପ୍ରାୟ ଗାଁର ବାହାର, ଏକଲା ।
ନୁଆଣିଆ ଘରଟାରେ ଫୁଲମଣି ବି ଏକଲା ।
ଗଳ୍ପର ଉଦ୍ଦେଶ୍ୟ ସମ୍ପର୍କରେ ବୁଝିସାରିଲା ପରେ, କାଇଁଯେ ଫୁଲମଣିର ବିଶ୍ବାସ ଜନ୍ମିଚି କିଛି ସମୟ କଥାବାର୍ତ୍ତା କରିବ ।
ନାଇଁତ ତା କଥାରୁ ଜଣା ପଡ଼ୁଚି ସିଏ ଟିଭିବାଲା, ଖବରକାଗଜ ବାଲା, ନେତା ମନ୍ତ୍ରୀ ଲୋକଙ୍କ ଆଗରେ ବୟାନ ଦେଇ ଦେଇ ବିଜାର, ଖାସ୍ ଏଇ କାରଣରୁ ସିଏ ଦି, ଅକ୍ଷର ଭଲରେ ଇସ୍କୁଲରେ ପଢ଼େଇ ପାରୁନି ।
ଫୁଲମଣି ଗାଁ ସ୍କୁଲରେ ଠିକା ଶିକ୍ଷୟିତ୍ରୀ ।
ଦେଖିବାକୁ ସାରା ଗାଁର ଲୋକମାନଙ୍କ ଠୁଁ ଭିନ୍ନ ।
ଶ୍ୟାମଳ ରଙ୍ଗ, ବୟସ ଚାଳିଶ୍ ପାଖାପାଖି ।
ଗୋଲ ମୁହଁ, କୁଞ୍ଚୁ କୁଞ୍ଚିଆ ଲମ୍ବା ବେଣୀ ।
ମଝି ସୁନ୍ଥାନି କାଟି ବାଳ ଚାପି, କୁଣ୍ଡେଇ ବେଣୀ ପାରିଛି, ଫୁଲ ଖୋସିଛି,କାନରେ ଟାମାଟୁଲ୍‌, ନାକରେ ଲବଙ୍ଗ କଡ଼ି,ପାଦରେ ପାଞ୍ଜୁରୁ ଆଉ ବେକରେ ଲମ୍ବିଛି ଚିପ୍‌ ମାଳି ।
ଚଳଣି ଦୃଷ୍ଟିରୁ ଟିକେ ସ୍ବଚ୍ଛଳ ।
ବଣ ସଙ୍ଗର କାମ ଛାଡ଼ି ଶିକ୍ଷକତା କରୁଥିବାରୁ ଅନ୍ୟମାନଙ୍କ ଭିତରେ ଟିକେ ସମ୍ଭ୍ରାନ୍ତ ଚେହେରା ରଖି ପାରିଚି ।
ବଣ ମୂଲକରେ ତାକୁ ସୁନ୍ଦରୀ କହିବାରେ କେହି ବି କଞ୍ଜୁସୀ କରି ପାରିବ ନାହିଁ ।
ଧୂ-ଧୂ ପାହାଡ଼ ।
ଶିକ୍ଷା ସଭ୍ୟତାର ହର ଏଇ ଅଗମ୍ୟ ରାଇଜରେ ଫୁଲମଣି ପାଠୋଇ ।
ସେଇ ନୁଆଣିଆ ଘରଭିତରେ ବସି ବସି ଗଳ୍ପ ଅନୁମାନ କରୁଚି ଏଇଠି ମିଳିଯାଇ ପାରେ ତା’ପାଇଁ ଖୋରାକ ।
ଅପରାହ୍ନ ସମୟରେ ଫୁଲମଣି ଥକ୍କା ଥକ୍କା ଲାଗୁଥିବା, ସମତାଳରେ ସୂର୍ଯ୍ୟ ପାହାଡ଼ ସେ ପାଖେ ଲୁଚି ଯିବା ପୂର୍ବରୁ ମେଲାଣିର ମୁରୁଜ ବୁଣୁଚି ।
ଫୁଲମଣି ଭାରି ସତେଜ ଦିସୁଚି ।
ସ୍କୁଲ ପିନ୍ଧା ଲୁଗା ନାହିଁ ।
ହାଲ୍‌କା ସବୁଜ ରଙ୍ଗରେ ବୁଟି ପକା ଶାଢୀ, ସମାନ ରଙ୍ଗର ବ୍ଲାଉଜ୍, ହାଲ୍‌କା ମେକ୍‌ଅପ୍ ।
ପ୍ରତିପଦ ପରର ଜହ୍ନ କେତେ ଘଡ଼ିର ସଂଜ ଅନ୍ଧାରକୁ ଆଡ଼େଇ ଆଡ଼େଇ ପୂର୍ବଦିଗ ପାହାଡ଼ କନ୍ଦିରୁ ଉଠିଆସୁଚି ।
ମାଈକାକର ଭିଜା ସଲପ ଗଛ ପତ୍ର ଜହ୍ନ ଆଲୁଅରେ ବରଫାବୃତ୍ତ କାଶ୍ମୀର ପରି ଦିଶୁଚି ।
ଫୁଲମଣି କଥା ହେବାକୁ ଗଳ୍ପକୁ ଡାକି ଆଣିଚି ତା ଘରକୁ ଟିକିଏ ଦୂର ଗୋଟେ ଅନୁଚ୍ଚ ପାହାଡ ମୁଣ୍ଡିଆ ଉପରକୁ ।
ଦିହେଁ ଖୁବ୍ ପାଖା ପାଖି ।
ମୁଣ୍ଡିଆ ତଳି ଗାଁରୁ ଶୁଭୁଚି ଧାଙ୍ଗଡା ଧାଙ୍ଗଡୀଙ୍କ ସମ୍ମିଳିତ ଗୀତ ।
ରାତି ବଢ଼ିବା ସାଙ୍ଗକୁ କ୍ରମଶଃ ଗୀତର ଲୟ ହେଉଚି ମନ୍ଦ, ମାଦକ ଭରା, ଅଳସ ଅଳସ ।
ନିଜ ଅନ୍ୟମନସ୍କତାରୁ ଫେରି ନୀରବତା ଭଙ୍ଗ କଲା ଫୁଲମଣି-ହଇରେ କଣ କଥା ହବୁ ପରା? ଫୁଲମଣି ଏମିତି ସମ୍ବୋଧନରେ ମାଦକତା ତ ନିଶ୍ଚୟ ଅଛି ।
ତଥାପି ଗଳ୍ପ ଅବାକ୍‌ ।
ନିମିଷକ ପାଇଁ ସିଏ ଭୁଲି ଯାଉଚି ତା ପଚାରିବା କଥା?
-ଭାବୁଚୁ ନା- ତତେ କାହିଁକି ଏମିତି ସମ୍ବୋଧନ କରୁଚି ?
ଗଳ୍ପ ମୁହଁରେ ଭାଷା ନାହିଁ ।
ଏ ଯାଏ ଭାବଗମ୍ଭୀର ଦିଶୁଥିବା ଇଏ କଣ ସେଇ ମହିଳା ! ଯିଏ ଏଇ ଦୁର୍ଗମ ଇଲାକାର ଜନଜାତିର ମହିଳାମାନଙ୍କ ଭିତରୁ ଜଣେ !
ଗୋଟିଏ ଗୁରୁଜନ ସୁଲଭ ହସ ଖେଳିଗଲା ଫୁଲମଣି ଓଠରେ ।
କହିଲା-ମଣିଷର ଜୀବନ ଯେତିକି ରହସ୍ୟମୟ ତା ତୁଳନାରେ ତୋ ସ୍ଥିତି କ‘ଣ ହେବ ଭାବୁଚୁ ।
ମୁଁ ଚରିତ୍ର, ତୁ ଗଳ୍ପ ? ବେଶି କିଛି ଭାବନା- କଣ ପଚାରିବୁ ପଚାର !
ଏଇ କେଇ ପଦ କଥାରେ ଗଳ୍ପର ସବୁ ଆକଳନ ବଦଳି ସାରିଚି ।
ଅନୁଭବ କରୁଚି ଫୁଲମଣି କେବେଳ ଶିକ୍ଷାଦୀକ୍ଷାରେ ଏ ମୂଲକରେ ଅଲଗା ନୁହଁ, ଚିନ୍ତାରେ ଚେତନାରେ ବି ।
କୌଣସି ଔପଚାରିକତା ନରଖି ଗଳ୍ପ ପଚାରିଲା- ଏବେ ଆମ ରାଜ୍ୟର ଜଣେ କ୍ୟାବିନେଟ ମନ୍ତ୍ରୀ, ବରିଷ୍ଟ ନେତାଙ୍କ ଝିଅ ବୋଲି ନିଜକୁ ଯିଏ ଦାବି କରୁଚି….?
-ସମିରା, ମୋ ଝିଅ, କଣ ହେଲା?
-ସିଏ ତମ…ଝିଅ !!
-କାଇଁ ବିଶ୍ବାସ ହେଉନି ବୋଧେ ।
-ନାଇଁ…ହଁ-ହଁ
– ଏଇଥି ପାଇଁ ଯେ ସମିରା ଗୋଟେ ଆଦିବାସୀ ଝିଅ , ପୁଣି କାଶ୍ମୀର ସେଓଟେ ପରି ଦିଶୁଚି,
ଏଇଆ ନା? କହିଲା ଫୁଲମଣି ।
ଗଳ୍ପ ନିଜ ପ୍ରଶ୍ନରେ ନିଜେ ଛନ୍ଦି ହେଇ ପଡ଼ି ନୀରବ ରହିଲା ।
-ସମିରା ମୋ ଝିଅ ।
-ଆଚ୍ଛା ଏବେ ସେ ଯେଉଁ ଦାବି କରୁଚି ତା କଣ ସତ?
-କଥାଟା…ସତ ନୁହଁ , ମିଛ ବି ନୁହଁ ।
ବୁଝି ପାରିଲିନି ।
-ବୁଝିବାକୁ ଚେଷ୍ଟା କଲେ ସିନା ବୁଝିବୁ ।
ଆରେ ଯଉ କଥାଟା ସତ ନୁହେଁ ତାହା ମିଛ ହେଇ ପାରେ ।
ଆଉ ଯାହା ମିଛ ନୁହେଁ….ତାହା…. ।
ଫୁଲମଣିର କଥାର କୁହେଳି ଭିତରେ ନିରୀହ କେରାଣ୍ଡି ମାଛ ପରି ଛଟପଟ ହେଉଚି ଗଳ୍ପ ।
ମନରେ ଅସୁମାରୀ କୌତୁହଳ ଅଥଚ ଫୁଲମଣି(!) ସ୍ଥିର, ନିର୍ବିକାର ।
-ତତେ ସେ କାହାଣୀଟା କହୁଚି ଶୁଣ୍‌ ।
ଭାବୁଚି ଶୁଣିସାରିବା ପରେ ବୁଝି ପାରିବୁ ଯଉଟା ମିଛ ନୁହଁ ସେଇଟା କି ସତ !
ଶିର୍‌ଶିର୍‌ ପବନରେ ଫୁଲମଣିର ମୁହଁ ଉପରେ ଉଡ଼ୁଥିବା ଚୂଳ କେରାକୁ କାନ ଉପରେ ଗେଞ୍ଜି ଦେଇ ସିଏ ଆକାଶର ଦି’ପାଦ ଉପରକୁ ଉଠିଯାଇଥିବା ଜହ୍ନକୁ ଚାହିଁ ରହିଲା ।
ଧୀର ସ୍ବରରେ ସିଏ ଆରମ୍ଭ କଲା-
ମାନନୀୟ ତିୱାରୀ ମହୋଦୟ ସେତେବେଳେ କେନ୍ଦ୍ରୀୟ ପ୍ରଭାରୀ ହୋଇ ପ୍ରଥମ ଥର ଆସିଥାନ୍ତି ଓଡ଼ିଶା ।
ପ୍ରଦେଶ କଂଗ୍ରେସର ସଭାପତି ପଦ ପାଇଁ ଲାଗିଥାଏ ଛକାପଂଝା ।
ଗୋଡ ଟଣାଟଣି, ଗୋଛିକଟା ।
ନିଜ ନିଜ ସମର୍ଥକମାନଙ୍କୁ ନେଇ ପଡ଼ୁଥାଏ ଦିଲ୍ଲୀରେ ଡେରା ।
ଦଳୀୟ ଅନ୍ତର୍ଦ୍ବନ୍ଦ୍ବ କାରଣରୁ ସଙ୍ଗଠନ ଦୁର୍ବଳ ।
ପୂର୍ବ ସଭାପତିଙ୍କୁ ପ୍ରତ୍ୟାଖ୍ୟାନ କରିସାରିଥାନ୍ତି ଜନତା ।
ନିର୍ବାଚନରେ ମଧ୍ୟ ଚିତ୍‌ପଟା ।
ଜଣେ ନୂତନ ନେତୃତ୍ବ ସନ୍ଧାନରେ ଥିବା ଦଳର ହାଇକମାଣ୍ଡ ବାରମ୍ବାର ଗୋଷ୍ଠୀ କନ୍ଦଳକୁ ସମାଧାନ କରିବାକୁ ପଠାଉଥାନ୍ତି କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ ।
କିନ୍ତୁ ବିଫଳ, ପୁରୁଣା ଗୋଷ୍ଠୀ କନ୍ଦଳ କାରଣରୁ ଦି ଦିଥର କଂଗ୍ରେସକୁ ଲଜ୍ଜାଜନକ ଭାବେ ସାଧାରଣ ନିର୍ବାଚନରେ ପରାଜୟର ମୁହଁ ଦେଖିବାକୁ ପଡ଼େ ।
ଫୁଲମଣିର ମୁହଁରୁ କଂଗ୍ରେସର ଏଇ ଇତିହାସ ଶୁଣି ଗଳ୍ପ ଭାବୁଚି ଏ ଗୁଡ଼ା ରିପୋର୍ଟ ହେଃ ! ଏ ସବୁକୁ ନେଇ କି ଲେଖା ।
ଏତେ ବାଟ ଆସିବାଟା…. ।
ଫୁଲମଣି କହିଚାଲିଥିଲା- ସେଇ ବର୍ଷ ନିର୍ବାଚନକୁ ଆଖି ଆଗରେ ରଖି ତିୱାରୀ ସାହେବ ଓଡ଼ିଶା ଆସିଥାନ୍ତି ।
ସବୁଗୋଷ୍ଠୀର ଛାମୁଆ ନେତାଙ୍କୁ ଡାକି ଆଲୋଚନା କରିସାରି ନୂଆ ନେତା ଅଳ୍ପ ଦିନ ମଧ୍ୟରେ ହାଇକମାଣ୍ଡ ଘୋଷଣା କରିବେ ବୋଲି କହିସାରିଥାନ୍ତି ।
ତାଙ୍କ ଆସିବାର ତୃତୀୟ ଦିନରେ ନିଜସ୍ବ ଆଗ୍ରହରେ ଓଡ଼ିଶାର ଆଦିବାସୀ ଅଞ୍ଚଳ ବୁଲି ଦେଖିବାକୁ ଆସି ପହଞ୍ଚିଥିଲେ ଫୁଲବାଣୀରେ ।
ଏଠିକାର ଦଳୀୟ କର୍ମୀ, ତାଙ୍କ ପାଇଁ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରିଥାନ୍ତି ।
ପରେ ପାଦରେ ଚାଲିଚାଲି ଆମ ରାଇଜର ପ୍ରାକୃତିକ ସୁଷମା ଦେଖୁଥାନ୍ତି ।
ବୁଝୁଥାନ୍ତି ଅଶିକ୍ଷା,ଅନ୍ଧାର, ଅର୍ଦ୍ଧାହାର ଓ ଅନାହାରରେ ରହୁଥିବା ମଣିଷ ମାନଙ୍କର ଆର୍ତ୍ତ ଚିତ୍କାର ।
ନିଃଶବ୍ଦରେ ନିଜ ମଥାରେ ହାତ ପିଟି ଗଳ୍ପ ମନେ ମନେ କହୁଥାଏ- ଓଃ, ବନ୍ଦ୍‌କର ଫୁଲମଣି ।
ଏସବୁଙ୍କୁ ନେଇ ଲେଖା ବୋର୍ ହିଁ ବୋର୍ ହବ ।
ଏସବୁ କଥା କିଏ ନ ଜାଣେ !
ଅବଶ୍ୟ ଗଳ୍ପର ଏଇ ଅସ୍ଥିର ଭାବ ବେଶି ସମୟ ରହିଲା ନାହିଁ ।
ରାତିର ବୟସ ବଢୁଥିବା ସାଙ୍ଗେ ସାଙ୍ଗେ ଫୁଲମଣିର ଉଦାସ, ଅଥଚ ନିସ୍ତରଙ୍ଗ ସ୍ବର ଶୁଭୁଥିଲା ଅଦୂରର ବଂଶୀସ୍ବନ ପରି, ବିରହ ବିଧିର ।
ସିଏ କହିଚାଲିଥିଲା- ଆମ ଗାଁ ଲୋକଙ୍କ ଅନୁରୋଧ କ୍ରମେ ଗୋଟିଏ ସ୍କୁଲର ଶିଳାନ୍ୟାସ କରିଥିଲେ ତିୱାରୀ ସାହେବ ।
ପରେ ପରେ ମଧ୍ୟ ଅର୍ଥ ମଞ୍ଜୂର ।
ଗାଁର ବୁଆରି ଘର, ଓଝାଘର, ଠାକୁରାଣୀ, ଚାନ୍ଦିନୀ, ଝରଣା ବୁଲି ବୁଲି ଦେଖିଥିଲେ ।
କଥା କହୁଁ କହୁଁ ଅଟକି ଯାଇ ଫୁଲମଣି ପଚାରିଲା- ଆଚ୍ଛା ତୁ ତିୱାରୀ ସାହେବଙ୍କୁ ଦେଖିଚୁ?
-ନା, ପାଖରୁ ନୁହଁ ।
ଟିଭି ଓ ଖବର କାଗଜରୁ…. ।
-କେମିତି ଦିଶନ୍ତି ?
କେମିତି….ଦିଶନ୍ତି, ପ୍ରାୟତଃ ତିୱାରୀ ସାହେବଙ୍କ ଏଇ ଘଟଣା ନ ଘଟେ ତାଙ୍କୁ ମନେ ନରଖିବା ପରି ନ ଦେଖେ ।
ତାପରେ ଏବେ ତାଙ୍କ ବୟସ ସତୁରୀ ପାଖାପାଖି…. ଏଇକଥା ମନେ ମନେ ଭାବୁଥିଲା ଗଳ୍ପ କିନ୍ତୁ କିଛି କହିପାରିଲା ନାହିଁ ।
-ସୁନ୍ଦର, ଗୋଟିଏ ନାରୀର ମନକୁ ଆକର୍ଷିତ କଲାପରି ।
ଏକଥା ମୁଁ କହୁଚି ତାଙ୍କ କୋଡ଼ିଏ-ପଚିଶ ବର୍ଷ ତଳର ଚେହେରାକୁ ନେଇ ।
ଗଳ୍ପ ଫୁଲମଣିର କଥାକୁ ସମର୍ଥନ କରି କହି ଉଠିଲା- ଅବଶ୍ୟ ଅବଶ୍ୟ, ଏବେକା ଚେହେରାକୁ ଦେଖିଲେ ଯେ କେହି ଅନୁମାନ କରିପାରେ ।
-ତତେ ଆଉ ଟିକେ ମୋ ବ୍ୟକ୍ତିଗତ ଋଚି ଆଡ଼କୁ ନଉଚି ।
ଭାବୁଚି ବୋର୍ ହବୁନି ।
ଗଳ୍ପ ଚାହିଁ ରହିଥିଲା ସେଇ ରହସ୍ୟମୟୀ ଫୁଲମଣି ଆଡ଼େ ।
ଯାଦୁକରର ପେଡ଼ିପରି ଖୋଲିବା ଖୋଲିବା ହଉଚି ଅଥଚ ଉତ୍କଣ୍ଠା,ଉଦ୍‌ବିଗ୍ନତାକୁ ଏକାଠି କରୁଚି ତା ଚଉଦହୀରେ ।
ଉତ୍କଣ୍ଠା ରହିବାଟାତ… ।
ଗୋଟେ ନାତିଦୀର୍ଘ ନିଶ୍ବାସ ଛାଡ଼ି ଫୁଲମଣି କହିଲା- ମୋ ବାପା ଦୀନ କୁଜୁରକୁ ମୁଁ ଦେଖି ନାହିଁ ।
ମାକୁ ଦେଖିଚି ସାତ ଆଠ ବର୍ଷ ଯାଏ ।
ଆମର ଅଭାବ ଘର ।
ମାଣ୍ଡିଆ ଜାଉ, ସଲପ ତାଡ଼ି ପିଆ ସଂସାର ।
କାହିଁକି କେଜାଣି ମୋତେ ପିଲା ଦିନର କେହି ସେ ସବୁରୁ ବାହାର କରି ଆଣିଚି ।
ସମସ୍ତଙ୍କଠୁ ମୁଁ ଅଲଗା ହେଇ ବଞ୍ଚିବା ଶିଖିଚି ।
ଏଇ ଗାଁରୁ ଚାଲି ଚାଲି, ବସ୍ତାନୀ ଧରି ପାଠ ପଢିବାକୁ ଯାଇଚି ପାଞ୍ଚ କିଲୋମିଟର ।
ସ୍କୁଲରୁ ଫେରିବା ବେଳେ ସଞ୍ଜ ଅନ୍ଧାରରେ ଭାଲୁ ହାବୁଡ଼ରେ ପଡ଼ିଚି ।
ପ୍ରଥମ ଝିଅଟେ ହେଇ ମାଟ୍ରିକ୍ ପାଶ୍ କରିଛି ।
ଘରେ ପଢ଼ି କଲେଜ ପାଶ୍ କରିଚି ।
ମହୁଲଫୁଲ ତୋଳି ପେଟ ପୋଷିଚି ।
କାଠ କାଟି, ପୋଡୁଚାଷ କରିବାକୁ ଡଙ୍ଗର ଯାଇନି ।
ପରବରେ ଗୀତ ଗାଇଚି, ନାଚିଚି, କିନ୍ତୁ କେବେ ମହୁଲି ନିଶାରେ ପଡ଼ିନି ।
ନିଶାରେ ପଡ଼ିଚି କିନ୍ତୁ ଅଲଗା ଗୋଟେ ହେବି ।
ଛାଡ୍ ।
ହଁ ମୁଁ କହୁଥିଲି ପରା, ତିୱାରୀ ସାହେବଙ୍କୁ ଦେଖିଲା ପରେ ମୋ କୁଆଁରୀ ମନରେ ଛୁଆଁ ଲାଗିଲା ।
ଇଚ୍ଛା ହେଲା ଏମିତି ଗୋଟେ ସୁନ୍ଦର ପୁରୁଷର ସାନିଧ୍ୟ ଜୀବନରେ ଥରଟେ ମିଳିଲେ… ।
ବାମନ ହେଇ ଚନ୍ଦ୍ରକୁ ଥରଟେ ହଉ ପଛେ ପାଇବି କି ? ଭାବିଲି ସଭ୍ୟତା, ଶିକ୍ଷାର ଦୁଆର ମାଡ଼ିନଥିବା କଉ ଗୋଟେ ଡଙ୍ଗରିଆ ସାଙ୍ଗରେ ସାରାଟା ଜୀବନ ବିତେଇ ଦେବା ଅପେକ୍ଷା ମୁହୂର୍ତ୍ତକର ସେ ସାର୍ଥକତା ଜୀବନକୁ ପୂର୍ଣ୍ଣତାରେ ଭରିଦବ ।
କହିପାରିବିନି ଇଶ୍ବରଙ୍କ ସଂଯୋଗ କି କଣ, ସେଦିନ ଗାଁ ମୁଖିଆ ତିୱାରୀ ସାହେବଙ୍କ ଚର୍ଚ୍ଚା ସ୍କୁଲର ମାଷ୍ଟରାଣୀ ହିସାବରେ ମୋତେ ଦେଇଥିଲେ ।
ଆମ ଘରେ ମୁଁ ଲାଗିପଡ଼ିଥିଲି ତାଙ୍କୁ ଆତିଥେୟତା ଦେବାରେ ।
ସ୍ବପ୍ନରେ ବି ଭାବିନଥିଲି ମୋର ଏଇ ଖପରଲି ଘରଭିତରକୁ ସିଏ ପାଦ ଦେବେ ।
ଅଥଚ ମୋ ଘର ଭିତରକୁ ଆସୁ ଆସୁ ମାଟିକାନ୍ଥର ଝୋଟି ଚିତ୍ରରେ ସିଏ ବିମୋହିତ ହେଇ ପଡ଼ିଲେ ।
ମୁଁ ତାଙ୍କୁ ଖାଇବା ପରଶିଦେବା ବେଳେ ଲକ୍ଷ୍ୟ କରୁଥାଏ ତାଙ୍କ ଅନମନସ୍କ ଭାବକୁ ।
ମୋ ହାତ ରନ୍ଧାର ପ୍ରଶଂସା କରି ସିଏ ଅଧିକ ବିରିଭାତ ଖାଇଦେଇଥିବା କଥା ପରେ କହିଲେ ।
ପଚାରି ବୁଝିଲେ, ଶର୍ଗିପତ୍ର ଦେଇ ଅଳସି ଏଣ୍ଡ୍ରି ପିଠା କେମିତି ତିଆରି ହୁଏ ।
ଆମ ଚଳଣିରେ ଅତିଥି ଭଗବାନ ।
ସେଦିନ ସଞ୍ଜରେ ତାଙ୍କୁ ସ୍ବାଗତ କରାଯାଇ ଲାଗିଲା ନାଚ ଗୀତର ପରବ ।
ଦିନର ବୁଲା ବୁଲି ପରେ ସିଏ କ୍ଲାନ୍ତ ଅନୁଭବ କରି ଅଳ୍ପ ସମୟ ପରେ ଫେରିଆସିଲେ ରାତ୍ରିର ବିଶ୍ରାମ ନେବାକୁ ।
ମୁଁ ନିଜ ହାତରେ ସଜେଇଥିବା ବିଛଣାରେ ଶୋଇଥିଲେ ମୋ ଇପ୍‌ସିତ ପୁରୁଷ ।
ନୀରବରେ ନିଶ୍ଚିନ୍ତରେ ।
କିନ୍ତୁ ମୁଁ ଅସ୍ଥିର ଚଞ୍ଚଳ ।
ବହିଯାଉଥିଲି କୁଆଁରୀ ଛନ୍ଦରେ ବନର ଝରଣା ପରି ।
ଭିଜେଇ ଦେଇ ଚାଲିଯାଉଥିଲି ତାଙ୍କ ତନୁମନକୁ ।
ମୋ ହୃଦୟ ମନ୍ଦିରର ଦେବତା କରି ନୈବେଦ୍ୟ କରି ଦେଇଥିଲି ଅପାପବିଦ୍ଧା ମୋ ଯୌବନକୁ, ନାରୀତ୍ବକୁ ।
ଆକାଶରୁ ପଡ଼ିଗଲା ପରି ଅନୁଭବ ହେଲା ଗଳ୍ପକୁ ।
ଫୁଲମଣି ତାକୁ ବିଭୁତି ପଟ୍ଟନାୟକଙ୍କ ଉପନ୍ୟାସର ନାୟିକା ପରି ଇମୋସନାଲ୍ ଲାଗୁଥିଲାବେଳେ ଆଖି ଆଗରେ ନାଚି ଯାଉଥିଲା ନାୟକ ବୃଦ୍ଧ ତିୱାରୀଙ୍କ ଛବି ।
ପୁଣି ଜିଦ୍‌‌ଖୋରୀ ସମିରାର ସଂଘର୍ଷ ।
ଅବିଶ୍ବାସ ଆସୁଥିଲା ସତରେ କଣ ତିୱାରୀଙ୍କ ପରି ଜଣେ ଉଚ୍ଚପାହ୍ୟାର ମଣିଷ…!! ଗଳ୍ପ ତା ମନ କଥା ପ୍ରକାଶ କଲା ।
ନିରୁଦ୍‌ବିଗ୍ନା ଫୁଲମଣି ଥରେ ପାଖରେ ବସିଥିବା ଗଳ୍ପର ପ୍ରଶ୍ନିଳ ମୁହଁକୁ ଚାହିଁଲା, ଥରେ ରାତିର ନୀରବତା ଆଡକୁ ।
ଗଳ୍ପର ମଥାକୁ ନିଜର ଛାତି ଭିତରକୁ ଟାଣି ଆଣିଲା ଦି ‌ହାତରେ ।
ଧକ୍- ଧକ୍- ଧକ୍
ନିର୍ଦ୍ଦିଷ୍ଟ ଅଥଚ ସୁସ୍ଥ ବ୍ୟବଧାନର ଛନ୍ଦ ସେ ଛାତି ଭିତରେ ।
ଗଳ୍ପର ମଥା ଚାପି ହୋଇ ରହିଚି ଛାତିର ଦୁଇ ବିଭଂଗ ପାହାଡର ଖୋଲରେ ।
ମଥା ଉପରେ ଫୁଲମଣିର ଦୁଇ କୋମଳ ହାତର ପାପୁଲି ।
ଆକାଶରେ ମ୍ଲାନ ଜ୍ୟୋତ୍ସ୍ନା ।
ପବନରେ ଲଘୁ ସଙ୍ଗୀତ ।
କାମନା ରହିତ ଗୋଟେ ନାରୀର ଉପତ୍ୟକା ପରି ଲମ୍ବିଥିବା ଇତିହାସ ।
ଏ ଅନୁଭବ ପ୍ରଥମ କରି ଗଳ୍ପକୁ ଲାଗୁଥିଲା ଅନନ୍ୟ, ଅବର୍ଣ୍ଣନୀୟ ।
ଦୂର ଆକାଶର କେଉଁଗୋଟେ ନକ୍ଷତ୍ର ଭିତରେ ହଜିଯାଇଥିଲା ଫୁଲମଣିର ଦୃଷ୍ଟି, କେତେ ସମୟ ସେ ଭୁଲିସାରିଥିଲା କେହି ଜଣେ ତା ଛାତିର ଗଭୀରତାରେ ବୁଡ଼ି ବୁଡ଼ି ଯାଉଚି ।
କେଉଁ ଅଶରୀରୀ ସ୍ବରରେ ସେ ଉର୍ଦ୍ଧ୍ବମୁଖୀ ହେଇ କହୁଥିଲା- ତୁ ଗଳ୍ପ, ତୁ ମୋତେ ବାହାରୁ ଦେଖିସାରିଚୁ ।
ଶୁଣି ବି ସାରିଚୁ ।
ତୋତେ ମୋ ଛାତି ଭିତରେ ବି ପଢ଼େଇ ଦଉଚି ।
ଅନ୍ତତଃ ଏଇ କଥା ଭାବି ଯେ କାହାଣୀଟିକୁ ପ୍ରାଣମୟ କରିବା ପାଇଁ ଚରିତ୍ର ଭିତରେ ତୋର ଆତ୍ମୀୟ ପ୍ରବେଶ ନିହାତି ଜରୁରୀ ।
ଗଳ୍ପ ନିଜକୁ ମୁକ୍ତ କରି ପଚାରିଲା- ତାହେଲେ ତମେ ଝିଅର ଦାବି ପାଇଁ କାହିଁକି ସତ କଥା ଖୋଲି ଦଉନ ।
-କହିଲି ନା- ସତ ପରି ଦିଶୁ ଥିବା ସବୁ ସତ ସତ ନୁହଁ ।
ହେଇ ନପାରେ ।
ସେମିତିକା ଗୋଟେ ସତ, ମିଛର ପ୍ରତିଶବ୍ଦ କି ପ୍ରତିରୂପ ନ ହେଇପାରେ ।
-ମୁଁ କିଛି ବୁଝିପାରୁନି ଫୁଲମଣି !!
-ଶୁଣ, ସମିରା ଏବେ ପିତୃତ୍ବ ଦାବି କରି ନ୍ୟାୟାଳୟର ଆଶ୍ରୟ ନେଇଚି ।
ବଡ ଜିଦିଆ ଝିଅ ସେ ।
ଥକି ପଡ଼ିବା ଯାଏ ଦଉଡ଼ୁ ଥିବ ।
ଅଥଚ ମୋତେ ସେ ଆଜି ଯାଏ ବୁଝିପାରିଲାନି ।
-ବୁଝିପାରିଲାନି, କାହିଁକି ?
-ତୁ ଗଳ୍ପ, କେବେ କଉ ଝିଅକୁ ଶିଖେଇଚୁ ଯେ ଦୁନିଆରେ କେବଳ ମା ରପରିଚୟ ନେଇ ବଞ୍ଚାଯାଇ ପାରେ ବୋଲି? କେବେ ଆତ୍ମପ୍ରତ୍ୟୟ ସୃଷ୍ଟି କରି ପାରିଚୁ, ଗୋଟିଏ ପିତୃତ୍ବ ସନ୍ତାନର ଶେଷ ପରିଚୟ ମୁହଁ ବୋଲି ?
ଫୁଲମଣିର ଏଇ କେତେ ପଦ କଥାର ତୀବ୍ରତା ଗଳ୍ପକୁ ମୁଣ୍ଡିଆ ତଳକୁ ଠେଲି ଦେବାରେ ଯଥେଷ୍ଟ ଥିଲା ।
ଫୁଲମଣିର ପ୍ରତିଟି ଶବ୍ଦର ଶକ୍ତିରେ ସିଏ ଦିଶୁଥିଲା ଆହୁରି ଉଜ୍ବଳ, ପ୍ରତିଭାତ ।
ନାରୀତ୍ବର ଦାମ୍ଭିକତାରୁ ଲାଗୁଥିଲା ସିଏ ପାହାଡ ଠୁଁ ବି ଉଚ୍ଚ ।
ଜଣେ ବଦୂଷୀ ନାରୀ ପରି କହିଲା-ନାରୀ ପ୍ରେମର ପରିତୃପ୍ତି ପାଇଁ ଖୁବ୍‌ କମ୍‌ଥର ପୁରୁଷ ପାଖରେ କାୟ, ମନରେ ସମର୍ପିତ ହୋଇଥାଏ, ବାକି ଧର୍ଷିତା ହେଉଥାଏ, ସାରାଟା ଜୀବନ ।
ମୁଁ ଯେ ସେମିତିକା ଜୀବନଟେ ଚାହିଁନି, ଏକଥା ସମିରା ଆଜି ବି ବୁଝିପାରିନି ।
ଅବଶୋଷ୍ ।
ଗଳ୍ପ ପଚାରିଲା- ତେବେ ସତଟା ତ ସତ ନା?
ବାରମ୍ବାର ସତ ଶବ୍ଦଟା ଶୁଣି ଶୁଣି ବୋଧହୁଏ ବ୍ୟତିବ୍ୟସ୍ତ ହେଇପଡ଼ିଲା ଫୁଲମଣି, ବିରକ୍ତିପୂର୍ଣ୍ଣ ସ୍ବରରେ କହିଲା- ସତ, ସତ, ସତ, ନର୍କକୁ ଯାଉ ତୋର ସେଇ ସତ ।
ତମେ ସତ ମିଛର ସେଇ ସ୍ଥିତିରେ ବନ୍ଧା ପଡ଼ିଚ, ସମିରା ବି, ଦୁନିଆ ବି, ସତର ଟିକିଏ ପଛକୁ, ମିଛର ଟିକିଏ ଆଗକୁ ପଢ଼ିବାକୁ ଯେମିତି କାହାରି ସାମର୍ଥ୍ୟ ନାଇଁ ।
ଆରେ ପ୍ରତିଟି ମଣିଷ ପାଇଁ ତାର ନିଜସ୍ବ ସତଟି ସ୍ବତନ୍ତ୍ର ।
ସେଇ ସତ ପାଖରେ ସ୍ବାମୀ, ସନ୍ତାନ, ସଂସାର କେହି ବି ନୁହଁ, କିଛି ବି ଦୁହେଁ ।
ବସିବା ସ୍ଥାନରୁ ଏଥର ଉଠିପଡିଲା ଫୁଲମଣି, ଗଳ୍ପ ବିସ୍ମୟ, ନିର୍ବାକ୍‌ ।
ଯିବାପୂର୍ବରୁ ଗଳ୍ପର ଶବ୍ଦହୀନ ମୁହଁକୁ ଚାହିଁ ଏତିକି ମାତ୍ର କହିଲା ସିଏ- ତିୱାରୀ ସାହେବଙ୍କ ସହ ମୋର ଏକତରଫା ସେଇ ସମ୍ପର୍କଟା ଗୋଟେ ଇମୋସନାଲ୍ ଆଟାଚ୍‌ମେଣ୍ଟ ।
କେବଳ ଇମୋସନାଲ୍ ।
ସେଥିରେ କାହାରି ଭାଗ ନାଇଁ , ତାକୁ ନେଇ କେବେ ବି କାହାରି ଅଣ୍ଟିରେ ମୁଁ ଅଜାଡି ଦେଇ ପାରିବି ନାହିଁ ।
ସିଏ ମୋ ଝିଅ ହଉ କି ତୁ ।
ସବୁଦିନ ପରି ବିଳମ୍ବିତ ରାତିରେ କଳ୍ପନାର ଗଳ୍ପନାୟିକା ଫୁଲମଣି ଫେରିଯାଉଥିଲା ତା ଖପରିଲ୍ ଘରର ଅନ୍ଧାର ଭିତରକୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment