Commit 2f540dfe authored by Nayan Ranjan Paul's avatar Nayan Ranjan Paul

Upload New File

parent 0901e425
ଏକାଦଶ ଅବତାରରେ କମ୍ପ୍ୟୁଟର
ବିଜୟ ଚନ୍ଦ୍ର ମହାପାତ୍ର, ମୁକୁନ୍ଦପ୍ରସାଦ, ଖୋର୍ଦ୍ଧା
ତା: ମେ ୧୨, ୨୦୧୧
ମୂଳ ପୃଷ୍ଠା → ପ୍ରବନ୍ଧ →
ପୃଥିବୀ ପୃଷ୍ଠରେ ଧର୍ମ ଓ ବିଜ୍ଞାନ ମଧ୍ୟରେ ସଦାସର୍ବଦା ଦ୍ବନ୍ଦ୍ବ ରହିଆସିଛି ।
ମାତ୍ର କିଛି ବିଜ୍ଞାନୀ ଅଛନ୍ତି ଯେଉଁମାନେ ଖୁବ୍‌ ଧାର୍ମିକ ।
ସେମିତି କେତେକ ଧର୍ମବିଶ୍ବାସୀ ବ୍ୟକ୍ତି ମଧ୍ୟ ବିଜ୍ଞାନକୁ ଏକ ଭିନ୍ନ ଦୃଷ୍ଟିରେ ଦେଖନ୍ତି ଏବଂ ଆଧୁନିକ ବିଜ୍ଞାନର ପ୍ରତ୍ୟେକଟି ସଫଳତାକୁ ସ୍ବୀକାର କରନ୍ତି ।
ସମ୍ପ୍ରତି, କମ୍ପ୍ୟୁଟରଠାରୁ ଆରମ୍ଭ କରି ଜୀବଜଗତର କଲମୀକରଣ ପର୍ଯ୍ୟନ୍ତ, ଆମେ ଯେଉଁଭଳି ଭାବେ ବିଜ୍ଞାନ କ୍ଷେତ୍ରରେ ସଫଳତା ହାସଲ କରିଚାଲିଛୁ, ସେ ସବୁର ଚମତ୍କାରିତା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି ।
ତେବେ ଧାର୍ମିକ ବିଶ୍ବାସ ନେଇ ଏ ସବୁକୁ ଦେଖିଲେ ଆମେ କ’ଣ କହିବା ? ଏକ ପ୍ରତି ନିବେଦନ ।
ଶ୍ରୀମଦ୍‌ ଭଗବତ୍‌ଗୀତାର ଜ୍ଞାନଯୋଗରେ ଥିବା ସପ୍ତମ ଅଷ୍ଟମ ପରିଚ୍ଛେଦରେ ଭଗବାନ ଶ୍ରୀକୃଷ୍ଣ ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ମହାଭାରତ ଯୁଦ୍ଧ କ୍ଷେତ୍ରରେ ବୁଝାଉଛନ୍ତି –
“ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ,
ଅଭ୍ୟୁତ୍‌ଥାନମଧର୍ମସ୍ୟ ତଦାତ୍ମାନଂ ସୃଜାମ୍ୟହମ୍‌ ।
ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ୍‌,
ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”
ଅର୍ଥାତ୍‌ ସତ୍ୟଧର୍ମ ବିନାଶ ହେଲେ ଅଧର୍ମ ବଢ଼ିଲେ ମୁଁ ଧର୍ମ ରକ୍ଷା ଅର୍ଥେ ସଂସାରକୁ ଆସେ ।
ମୋର ଜାତି ଅଜାତି, ବ୍ରାହ୍ମଣ, ଚଣ୍ଡାଳ ଭେଦଭାବ କିଛି ନାହିଁ ।
ସମସ୍ତେ ମୋର ସମାନ ।
ମୋର ଶକ୍ତି ବଳରେ ଅଧର୍ମ ବିନାଶ ହୋଇ ଧର୍ମଭାବ ପୃଥିବୀରେ ଜାତ ହୁଏ ।
ଆତତାୟୀ, ଗର୍ବୀ, ଖଳ, କୁଟିଳ, ସଂସାରର ଅମଙ୍ଗଳକାରୀ ପାପୀମାନଙ୍କୁ ବିନାଶ କରି ସାଧୁଙ୍କୁ ରକ୍ଷା କରିବାକୁ ମୋହର ଚିତ୍‌ଶକ୍ତି ବଳରେ ମୁଁ ସଂସାରକୁ ଆସେ ।
ଏଠାରେ ସାଧୁମାନଙ୍କୁ ରକ୍ଷାକରି ଏବଂ ପାପୀମାନଙ୍କୁ ବିନାଶ କରି ପୁନର୍ବାର ଧର୍ମ ସ୍ଥାପନ କରେ ।
ଯୁଗେ ଯୁଗେ ଭଗବାନ ବିଭିନ୍ନ ରୂପ ଓ ଅବତାରରେ ଏ ଧରା ପୃଷ୍ଠକୁ ଓହ୍ଲାଇଆସିଛନ୍ତି ।
ଏଠାରୁ ଦୁଃଖ, କ୍ଲେଶ, ପାପ, ଭୟ ଓ ନିର୍ଯ୍ୟାତନାର ବିନାଶ କରିବା ପାଇଁ ।
ଭଗବାନଙ୍କ ଦଶଟି ଅବତାର ଯଥା- ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍‌କି ଉପାଖ୍ୟାନ ଆମେ ଜାଣୁ ।
ବିଭିନ୍ନ ସମୟରେ ଭଗବାନ ଏହି ସବୁ ଅବତାର ଗ୍ରହଣ କରି ଏ ମର୍ତ୍ତ୍ୟଧାମକୁ ପାପଭାରରୁ ମୁକ୍ତ କରିଥିଲେ ।
ଏସବୁ ଆମର ଧର୍ମ ବିଶ୍ବାସ କଥା ।
ଆଧୁନିକ ବିଜ୍ଞାନ ଏ ସବୁକୁ ସହଜରେ ଗ୍ରହଣ କରିପାରେନାହିଁ ।
ତେବେ ବିଜ୍ଞାନ ଯେଭଳି ଭାବେ ପ୍ରଗତି ପଥେ ଆଗେଇଚାଲିଛି, ସେଥିରେ ନାନା ପ୍ରକାର ଚମତ୍କାର ଦେଖିବାକୁ ମିଳୁଛି ।
ଆମ୍ବ, ଲେମ୍ବୁ, କଲମୀ ଭଳି ମେଣ୍ଢା, ମାଙ୍କଡ଼, ମୂଷା ଆଦି ପ୍ରାଣୀମାନଙ୍କର କଲମୀ କରି ଦେଖାଇଦେବା ପରେ ବର୍ତ୍ତମାନ ବିଭିନ୍ନ ପ୍ରାଣୀ ଓ ମନୁଷ୍ୟ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କଲମୀ କରିବା କଥା ଶୁଣାଗଲାଣି ।
ତେଣୁ ଉନ୍ନତ କଲମୀ ଦ୍ବାରା ମତ୍ସ୍ୟ, କଚ୍ଛପ, ବରାହ, ନୃସିଂହ ଆଦି ଅବତାରର ମନୁଷ୍ୟ ଜନ୍ମ ଗ୍ରହଣ କରିବା କିଛି ଅସମ୍ଭବ ନୁହେଁ ।
ବିଜ୍ଞାନକୁ ଉପଯୋଗ କରି ମନୁଷ୍ୟ ବର୍ତ୍ତମାନ ଅନେକ ସୁଖ, ସୁବିଧା ଓ ସ୍ବାଛନ୍ଦ୍ୟ ଜୀବନ ହାସଲ କରିପାରୁଥିବା ସହିତ ଅନେକ ସମସ୍ୟା ମଧ୍ୟକୁ ଟାଣିହୋଇଯାଇଛି ।
ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚି ସୁଦ୍ଧା ମନୁଷ୍ୟ ଦୁର୍ଗତିର, ଧ୍ବଂସର କରାଳଛାୟା ଦେଖି ଶଙ୍କିତ ହୋଇପଡୁଛି ।
ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ହେତୁ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଭୟ, ପରିବେଶ ଦୂଷିତକରଣ, ଜନସଂଖ୍ୟା ବିସ୍ଫୋରଣ ଇତ୍ୟାଦି ସମସ୍ୟାର ଭାରରେ ପୃଥିବୀ ବର୍ତ୍ତମାନ ଭାରାକ୍ରାନ୍ତ ।
ଏ ସବୁ ସମସ୍ୟାକୁ ମନୁଷ୍ୟ ହିଁ ସୃଷ୍ଟି କରୁଛି ।
କେତେଜଣଙ୍କର ଚିନ୍ତାଶୂନ୍ୟ, ଜିଦ୍‌ଖୋର ମନୋଭାବରୁ ହିଁ ଏସବୁ ସମସ୍ୟାର ସୃଷ୍ଟି ।
ବିଜ୍ଞାନ ପ୍ରଗତିର ସଦ୍ୟତମ ନମୁନାଭାବେ କମ୍ପ୍ୟୁଟରକୁ ଗ୍ରହଣ କରାଯାଇପାରେ ।
ସାଧାରଣ ଅର୍ଥରେ କମ୍ପ୍ୟୁଟର ହେଉଛି ଗଣନା କରି ବିଶ୍ଲେଷଣ କରିପାରୁଥିବା ଏକ ଯନ୍ତ୍ର ।
କେତେକ କ୍ଷେତ୍ରରେ ଏହାକୁ ରୋବଟ୍ ବା ଯନ୍ତ୍ରମଣିଷ ମଧ୍ୟ କୁହାଯାଉଛି ।
ଚନ୍ଦ୍ର ପୃଷ୍ଠକୁ ମହାକାଶଯାନ ବା ଆପୋଲୋ ଯାନରେ ମଣିଷ କିମ୍ବା ମଙ୍ଗଳ ଗ୍ରହକୁ ‘ପାଥ୍‌ଫାଇଣ୍ଡର୍‌’ ଭଳି ମହାକାଶଯାନ ପଠାଇ ଗବେଷଣା କରିବା ପଛରେ ଯେଉଁ ସୂକ୍ଷ୍ମ ଗଣନା ଓ ବିଶ୍ଲେଷଣର ଆବଶ୍ୟକତା ରହିଛି, ତାହା ବୈଜ୍ଞାନିକଙ୍କ ମଣିଷ ମସ୍ତିଷ୍କ ପକ୍ଷେ କରିପାରିବା ସମ୍ଭବ ହୋଇ ନ ଥାନ୍ତା ।
ଏଥିପାଇଁ କମ୍ପ୍ୟୁଟରର ସାହାଯ୍ୟ ନିଆଯାଏ ।
ଆଜି ଚିନ୍ତା କରାଯାଉଛି, ବ୍ୟାପକ କ୍ଷେତ୍ର ଓ ପରିସର ବିଶିଷ୍ଟ କମ୍ପ୍ୟୁଟରକୁ କିଭଳି ଭାବେ ଅଧିକ ଉପଯୋଗ କରାଯାଇପାରିବ ।
ମନୁଷ୍ୟ ପ୍ରକୃତିରେ ନାନା ଭିନ୍ନତା ରହିଥିବା ଆମେ ଜାଣୁ ।
ବୟସ, ଅବସ୍ଥା ଓ ପରିବେଶ ନେଇ ମନୁଷ୍ୟ ପ୍ରକୃତିରେ ବୈଷମ୍ୟ ଦେଖାଯାଏ ।
ଶରୀରରୁ କ୍ଷରିତ ହେଉଥିବା ବିଭିନ୍ନ ପ୍ରକାର ହର୍‌ମୋନ୍‌ ଓ ରାସାୟନିକ ପଦାର୍ଥ ହେତୁ ବିଭିନ୍ନ ସମୟରେ ଓ ବୟସରେ ପ୍ରକୃତିଗତ ଭିନ୍ନତା ପରିଲକ୍ଷିତ ହୋଇଥାଏ ।
ଶରୀରରେ ଥିବା ବିଭିନ୍ନ ଗ୍ରନ୍ଥି ମଧ୍ୟରୁ ଆଡ୍ରେନାଲ୍‌ ଗ୍ରନ୍ଥିରୁ ଆଡ୍ରେନାଲିନ୍‌ କ୍ଷରିତ ହୋଇ ରକ୍ତରେ ମିଶି ପ୍ରବାହିତ ହେବା ଫଳରେ ଆମ ହୃତ୍‌ପିଣ୍ଡ ଖୁବ୍‌ ଦ୍ରୁତ ଗତିରେ ଦପ୍‌ଦପ୍‌ ହୁଏ ଏବଂ ଦେହରୁ ଗମ୍‌ଗମ୍‌ ଝାଳ ବାହାରେ ।
ଏହା ଅତ୍ୟନ୍ତ ଭୟଭୀତ ବା ବ୍ୟସ୍ତବିବ୍ରତ ହେବାର ଲକ୍ଷଣ ।
ସେହିଭଳି ଶରୀରର ପ୍ରଣାଳୀହୀନ ଗ୍ରନ୍ଥିରୁ କ୍ଷରିତ ରାସାୟନିକ ରସ ବା ହର୍‌ମୋନ୍‌ର ମାତ୍ରା କମ୍‌ ବେଶୀ ହେଲେ ଶରୀର କ୍ରିୟାର ବ୍ୟତିକ୍ରମ ଦେଖାଦେଇଥାଏ ।
ଏବେ ନିକଟରେ ଆମେରିକାର ଚିକାଗୋ ସହରରେ ହୋଇଥିବା ଏକ ଗବେଷଣା ପରେ ବୈଜ୍ଞାନିକମାନେ କହୁଛନ୍ତି ଯେ ମନୁଷ୍ୟ ମନରେ କ୍ରୋଧ ସୃଷ୍ଟି ହେବା ପଛରେ ‘ସେରୋଟନିନ୍‌’ ନାମକ ଏକ ପ୍ରକାର ରାସାୟନିକ ପଦାର୍ଥର ଭୂମିକା ରହିଛି ।
ଏହାର ଅଭାବରେ ମଣିଷ କ୍ରୋଧୀ ହୋଇଯାଏ ।
ଏହାକୁ ଯଦି ଔଷଧ ଭାବେ ଜଣେ କ୍ରୋଧୀ ମଣିଷ ଶରୀରରେ ଦିଆଯାଇପାରିବ, ତେବେ ସେ ଅତ୍ୟନ୍ତ ଶାନ୍ତଶିଷ୍ଟ ପ୍ରକୃତିର ହୋଇପାରିବ ।
ଏହା ବ୍ୟତୀତ ଅନ୍ୟ କେତେ ପ୍ରକାରର ରାସାୟନିକ ରସର ପରିମାଣ ଅଧିକ ବା କମ୍‌ ହେଲେ ମନୁଷ୍ୟର ମାନସିକ ସ୍ତରରେ ଭାବପ୍ରବଣତାର ପରିବର୍ତ୍ତନ ଘଟିଥାଏ ।
ଜଣେ ଖୁସିରେ ହସିବା, ଦୁଃଖରେ କାନ୍ଦିବା କିମ୍ବା ରାଗରେ କଳିଗୋଳ ଝଗଡ଼ା କରିବା ପଛରେ ମଧ୍ୟ କିଛି ରାସାୟନିକ ରସର ଭୂମିକା ରହିଛି ।
ତେଣୁ ବୈଜ୍ଞାନିକମାନେ ଚିନ୍ତା କଲେଣି, ବିଭିନ୍ନ ରାସାୟନିକ ରସକୁ ଛୋଟିଆ ଶିଶି ମଧ୍ୟରେ ରଖି ସେଥିରୁ ଦୁଇ ତିନି ଟୋପା ପ୍ରୟୋଗ କରି ମନୁଷ୍ୟର ସ୍ବଭାବ, ଆଚରଣ ବା ଚେତନାରେ ପରିବର୍ତ୍ତନ ଅଣାଯାଇପାରିବ ।
ବିଭିନ୍ନ ସମୟରେ ଗୌତମବୁଦ୍ଧ, ମହାବୀର, ଶଙ୍କରାଚାର୍ଯ୍ୟ, ଯୀଶୁ, ନାନକ, ମହମ୍ମଦ ଭଳି ମହାପୁରୁଷମାନେ ଈଶ୍ବରଙ୍କ ଦୂତ ଭାବେ ଆବିର୍ଭୂତ ହୋଇ ଏ ପୃଥିବୀରେ ଶାନ୍ତି, ପ୍ରେମ, ସତ୍ୟ, ଅହିଂସା ଓ ସଦ୍‌ଭାବର ଅନେକ ପ୍ରଚାର କରିଯାଇଛନ୍ତି ।
ସେମାନଙ୍କ ଅମର ବାଣୀର ପ୍ରଚାର ବିଭିନ୍ନ ରାଷ୍ଟ୍ରନାୟକ ବା ଯୁଗପୁରୁଷଙ୍କ ଦ୍ବାରା ପ୍ରଚାରିତ ଓ ପ୍ରସାରିତ ହୋଇଛି ।
ଏବେ ମଧ୍ୟ ବିଭିନ୍ନ ଧର୍ମାନୁଷ୍ଠାନ ଓ ଆଧ୍ୟାତ୍ମିକ ସଂସ୍ଥା ଦ୍ବାରା ଏସବୁର ବହୁଳ ପ୍ରଚାର ଚାଲିଛି ।
ତେବେ ସେମାନଙ୍କ ଅନୁଗାମୀ ଭାବେ ମନୁଷ୍ୟ ସମାଜରେ ଭିନ୍ନ ଭିନ୍ନ ଗୋଷ୍ଠୀ, ଜାତି ଓ ସମ୍ପ୍ରଦାୟର ସୃଷ୍ଟି ହୋଇ, ମନୁଷ୍ୟର ପ୍ରକୃତି ଦିନୁଦିନ ଅଧିକରୁ ଅଧିକ କ୍ରୋଧାନ୍ବିତ ଓ ହିଂସାତ୍ମକ ହୋଇଚାଲିଛି ।
ଏହାର ପ୍ରତିକାର ବର୍ତ୍ତମାନ ଧର୍ମ ମାଧ୍ୟମରେ କରାଯିବା ସମ୍ଭବ ହେଉନାହିଁ ।
ସାମ୍ପ୍ରତିକ ନୂତନ ଯୁଗରେ ଧର୍ମ ଓ ଧାର୍ମିକମାନେ ପୁରୁଣା ହୋଇ କିଛିଟା ଅଚଳ ହୋଇଗଲେଣି ।
ଆଜିର ଚିନ୍ତାନାୟକମାନେ କହୁଛନ୍ତି, ବିଜ୍ଞାନ ଦ୍ବାରା ହିଁ ମନୁଷ୍ୟ ପ୍ରକୃତିରେ ପରିବର୍ତ୍ତନ ଅଣାଯାଇପାରିବ ।
ଆଧୁନିକ ଯୁଗରେ ହୁଏତ ଭଗବାନ ବାଧ୍ୟ ହୋଇ ଏକ ନୂତନ ରୂପ ବା ଅବତାର ଗ୍ରହଣ ପୂର୍ବକ ସ୍ବର୍ଗରୁ ଓହ୍ଲାଇ ମର୍ତ୍ତ୍ୟମଣ୍ଡଳରେ ଆବିର୍ଭୂତ ହେବେ ।
ଖୁବ୍‌ ସମ୍ଭବତଃ ଏହି ନୂତନ ଅବତାର ହୋଇପାରେ କମ୍ପ୍ୟୁଟର୍‌ ରୂପରେ ।
ସେହି ‘କମ୍ପ୍ୟୁଟରାବତାରୀ ଈଶ୍ବର’ ପ୍ରତ୍ୟେକଟି ମଣିଷର ହାରିଗୁହାରି ଓ ପ୍ରକୃତିକୁ ତ୍ବରାନ୍ବିତ ବେଗରେ ଗ୍ରହଣ କରି ପ୍ରତିଟି ମଣିଷ ପାଇଁ ଉଦ୍ଦିଷ୍ଟ ରାସାୟନିକ ରସର ନାମ ଉଲ୍ଲେଖ କରି ଛୋଟ ଛୋଟ ଶିଶି ମଧ୍ୟରେ ରଖିବେ ।
ଉପଯୁକ୍ତ ସମୟରେ ପ୍ରୟୋଗ କରାଯିବା ଫଳରେ ମାନବଜାତି ମଧ୍ୟରୁ ଦୁଃଖ, କ୍ଲେଶ, କ୍ରୋଧ, ହିଂସା, ଅଶାନ୍ତି ଭଳି ସମସ୍ୟାଗୁଡ଼ିକୁ ଦୂର କରାଯାଇପାରିବ ।
ଆଜି ହୁଏତ ଏଭଳି ଚିନ୍ତାଧାରା ଆମକୁ ଅବାନ୍ତର ବା ବ୍ୟଙ୍ଗାତ୍ମକ ବୋଲି ମନେ ହୋଇପାରେ ।
କିନ୍ତୁ ବୈଜ୍ଞାନିକମାନେ ଏ ଦିଗରେ ଯେଭଳି ଦ୍ରୁତ ଉନ୍ନତି ହାସଲ କରୁଛନ୍ତି ସେଥିରୁ ମନେ ହେଉଛି, ଆସନ୍ତା ଶତାବ୍ଦୀ ମଧ୍ୟରେ ପୃଥିବୀରେ ଏକ ନୂତନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି ।
ତେଣିକି ଆମେ ଦଶାବତାର ପରିବର୍ତ୍ତେ ଶେଷ ପଦରେ ଏକାଦଶବତାର ଈଶ୍ବରଙ୍କ ବନ୍ଦନା କରି ଗାଇବା –
“କେଶବ ! ଧୃତ ‘କମ୍ପ୍ୟୁଟର ରୂପ’ ଜୟ ଜଗଦୀଶ ହରେ ।”
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment