Commit 423d51a5 authored by Nayan Ranjan Paul's avatar Nayan Ranjan Paul

Upload New File

parent 961b2027
ଚାମେଲୀ
ଗୋବିନ୍ଦ ଦାସ
ତା: ଫେବୃଆରୀ ୬, ୨୦୧୭
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଦଶ ନୂଆ ପଇସିଆ ଖବର କାଗଜର ପୃଷ୍ଠାରେ ଯେ କେତେ ଲୁହ ଲହୁ ଥାଏ, ନିକିଟେଇ ନ ଦେଖିଲେ ଚଳନ୍ତି ଆଖିରେ ସହଜରେ ଧରା ପଡ଼େ ନାହିଁ ।
କିଛିବର୍ଷ ତଳେ ଖବର କାଗଜରେ ବାହାରିଲା ଯେ, ସମୁଦ୍ର ଭିତରେ ଲଘୁଚାପ ସୃଷ୍ଟି ହେବା ଫଳରେ ପ୍ରବଳ ତୋଫାନ ହେଲା ।
ଏ ତୋଫାନ ଘଣ୍ଟାଏ ପର୍ଯ୍ୟନ୍ତ ବଙ୍ଗୋପସାଗର ଭିତରେ ବୁଲି ଘୂର୍ଣ୍ଣବାୟୁ ସୃଷ୍ଟି କରିଥିଲା ।
ସମୁଦ୍ର କୂଳରେ ଲାଙ୍ଗୁଡ଼ିଆ ପୋକ ପରି ଯେଉଁ ମେଞ୍ଚାଏ ନୋଳିଆ ବସବାସ କରନ୍ତି, ତାଙ୍କ ସଂକ୍ରାନ୍ତରେ କେହି କବିତା କି କେହି ଇତିହାସ ଲେଖନ୍ତି ନାହିଁ ।
ଭୋଟ ପାଇଁ ହୁଏତ କେହି ପାଞ୍ଚବର୍ଷରେ ଥରେ ସେମାନଙ୍କୁ ମଦ ପିଆଇ ଦେଇ ଆସନ୍ତି ।
ସବୁଦିନ ପରି ରାଜୁଆ ଡଙ୍ଗାନେଇ ସେଦିନ ବି ସମୁଦ୍ର ଭିତରକୁ ମାଛ ମାରିବାକୁ ଗଲା ।
ଆଉ ସବୁଦିନ ପରି ଚାମେଲୀ ମୁଣ୍ଡରେ ଫୁଲ ଖୋସି ତା’ ଜାଲ ସଜାଡ଼ି ଦେଇ ଡଙ୍ଗାରେ ଥୋଇ ଦେଇ ଆସିଥାଏ ।
ଚାମେଲୀକୁ ଅନାଇଁ ତା’ କାନ୍ଧକୁ ଛୁଇଁଲା ରାଜୁଆ ।
ଲାଜରେ ମୁହଁ ତଳକୁ ପୋତି ଦେଲା ଚାମେଲୀ ।
ଯେଉଁ ସାମଗ୍ରୀ ନେଇ ପ୍ରକୃତି ସୃଷ୍ଟି କରିଛି ପୁଷ୍ପର ଗନ୍ଧ, ଯାହାକୁ ନେଇ ତିଆର ହୁଏ ଚନ୍ଦ୍ରାଲୋକ, ଯାହାର ସଂଯୋଗରେ ଜନ୍ମ ନିଏ ଆକାଶର ନୀଳିମା, ସେଇ ଉପାଦାନର ସମଷ୍ଟିରେ ମଧ୍ୟ ଗଢ଼ା ହୋଇଛି ଆମର ଚାମେଲୀ- କୋମଳ ଅଥଚ ଚିରଞ୍ଜିବୀ ।
ବାପା ମା କିଏ କେବେଠୁ କୁଆଡ଼େ ଗଲେଣି ।
ସ୍ନେହ, ମମତା, ଭକ୍ତି ସବୁ ସମର୍ପି ଦେଇଛି ତା’ ରାଜୁଆ ପାଖରେ ।
ସେ ଦିନ ଡଙ୍ଗା ସମୁଦ୍ର ମଝିରେ ହୋଇଥିବ କି ନାହିଁ, ଅଚାନକ ମେଘ କାଳିଆ ଭୂତ ପରି ସମୁଦ୍ରର ସେ କଡ଼ରୁ ଘୋଟି ଆସିଲା ।
ହେଲା ଭୟଙ୍କର ଘଡ଼ଘଡ଼ି ।
ମାରିଲା ବିଜୁଳି ।
ଆକାଶ ପୃଥିବୀ ଏକାକାର ହୋଇଗଲା ।
ଅନ୍ଧକାର ଘନେଇ ରାକ୍ଷସ ପରି ତୋଫାନ ମାଡ଼ି ଆସିଲା ।
ସମୁଦ୍ର ଛାତି ଚିରି ଘୂର୍ଣ୍ଣିବାୟୁ ପାଣିକୁ ଉଠାଇ ନେଉଥାଏ ଶହେ ହାତ ଉପରକୁ ।
ଦୁନିଆ ହୁଲସ୍ତୁଲ କମ୍ପୁଥାଏ ।
ଧରିତ୍ରୀ ସାଗର ଉଚ୍ଛନ୍ନ ହୋଇଯାଉଥାନ୍ତି ।
ଚାମେଲୀ ଘରଭିତରେ ଆଉ ଅପେକ୍ଷା କରିପାରିଲା ନାହିଁ ।
କୁଡ଼ିଆ ଛାଡ଼ି ଦଉଡ଼ି ଆସିଲା ସମୁଦ୍ର କୂଳକୁ ।
ସାହି ପଡ଼ିଶା ଯେତେ ବାରଣ କଲେ କିଛି ମାନିଲା ନାହିଁ ।
ଯାଇଁ ଛିଡ଼ା ହେଲା ସମୁଦ୍ର ବାଲିରେ ସେ-ବତୀଖୁଣ୍ଟ ପରି ।
ମଝିରେ ମଝିରେ ଉଚ୍ଚାଳିଆ ସମୁଦ୍ର ଲହରୀ କୁଳକୁ ପିଟି ହୋଇ ଆସୁଥାଏ ।
ଥରକୁ ଥର ଧୋଇ ହୋଇ ଯାଉଥାଏ ଚାମେଲୀ, ତଥାପି ଛିଡ଼ା ହୋଇ ରହିଥାଏ ।
ଘଣ୍ଟା ଘଣ୍ଟା ଧରି ଅନେକ ସମୟ ବିତିଗଲା ।
ଆଉ ଛିଡ଼ା ହୋଇ ପାରିଲା ନାହିଁ ।
ଥରକୁ ଥର ତଳେ କଚାଡ଼ି ହୋଇ ପଡ଼ୁଥାଏ ।
ପୁଣି ଉଠୁଥାଏ ।
ଅନେଇଥାଏ ସେ ସମୁଦ୍ର, ଅନ୍ଧାର, ବର୍ଷା ତୋଫାନ ଭିତରେ-ତା’ ରାଜୁଆ ପାଇଁ ।
ଶେଷରେ ଅଚେତ ହୋଇ ପଡ଼ିରହିଲା ।
ଅନେକ ସମୟ ପରେ ଆକାଶ ଶାନ୍ତ ହେଲା, ମେଘ ଛାଡ଼ିଲା, ତୋଫାନ କମିଲା ।
ନୋଳିଆମାନେ ଫେରିଲେ ।
କିନ୍ତୁ ଆସିଲା ନାହିଁ ରାଜୁ ।
ଚେତା ପାଇଲା ପରେ ଚାମେଲୀ ପଚାରିଲା ‘‘ରାଜୁ’’ ? କେହି କିଛି ଜବାବ ଦେଇ ପାରିଲେ ନାହିଁ ।
ଏଥି ଭିତରେ ପାଞ୍ଚ ବର୍ଷ ବିତିଗଲାଣି ।
ଚାମେଲୀ ସେ ସମୁଦ୍ରକୂଳ ଏବେ ବି ଛାଡ଼ି ନାହିଁ ।
ସେଇଠି ବୁଲୁଥାଏ ।
ବେଳେ ବେଳେ ଡଙ୍ଗା ତଳେ ଶୁଏ ।
ନୋଳିଆମାନେ ସଂଧ୍ୟାବେଳକୁ ଫେରିଆସିଲେ ତାଙ୍କୁ ପଚାରେ, ରାଜୁ?
ଏବେ ବି ନିଜକୁ ସେମିତି ସଜାଏ, ଆଖିରେ ସେଇ ଆଗ୍ରହ ।
ସମୁଦ୍ରର ଦିଗ୍‌ବଳୟକୁ ଅନାଇଁ ଅନାଇଁ ତା’ ଆଖିରେ ଲୁହ ଭରିଯାଏ ।
ରାତିର ଅନ୍ଧକାରରେ ସମୁଦ୍ରକୂଳରେ ଗୋଟିଏ ଛାଇ ଯଦି ଦିଶେ, ସଡ଼କ ଉପରରୁ ପୋଲିସ ପାଟିକରେ-କିଏ?
ଚାମେଲୀ? ଢେଉ ପାଖରୁ ଜବାବ ଆସେ, ହୁଁ ।
ଏବେ ମଧ୍ୟ ସେ ଅପେକ୍ଷା କରିଛି ତା’ ରାଜୁଆକୁ ।
ଗୋଟିଏ ଅୟେଷ୍ଟର ତା’ର ବକ୍ଷ ଉନ୍ମୁକ୍ତ କରି ଟୋପାଏ ସ୍ୱଚ୍ଛ ବାରିଦ ଜଳ ପାଇଁ ସମୁଦ୍ର ଛାତି ଉପରେ ଅନେକ ଦିନ ଭାସି ବୁଲୁଥିଲା ।
ଅବଶେଷରେ ଆସିଲା ସେ ମୁହୂର୍ତ୍ତ ।
ସେ ଜଳ ବିନ୍ଦୁକୁ ନିଜ ଭିତରେ ରଖି ସମୁଦ୍ରର ଅତଳାତଳ ଗର୍ଭରେ ଦିନେ ଲୀନ ହୋଇଗଲା ।
ବର୍ଷ ବର୍ଷ ପରେ ଦିନେ ତା’ ଭିତରୁ ଆବିଷ୍କାର କରାଗଲା-ମୁକ୍ତା ।
ଚାମେଲୀର ହୃଦୟ ଭିତରେ ରାଜୁର ଏ ସତ୍ତା ସେହିପରି ସମୟର ଗର୍ଭରେ ଲୀନ ହୋଇ ପରିଣତ ହୋଇଛି ଏକ ଅପୂର୍ବ-ଅମୂଲ୍ୟ ବସ୍ତୁରେ ।
ଯାହା ପାଇଁ ମଣିଷ କରିଛି ଚରମ ତ୍ୟାଗ, ଗଢ଼ିଛି ଅକ୍ଷୟ ସୃଷ୍ଟି, ଦେଇଛି ପ୍ରଳୟ ହୁଙ୍କାର ।
ଯୁଗେ ଯୁଗେ ଯାହା କବିର ଲେଖନୀ, ଶିଳ୍ପୀର ତୂଳିକୁ ସଙ୍ଗୀତର ମୂର୍ଚ୍ଛନାକୁ ଦେଇଛି ସାର୍ଥକତା ।
ଯାହା ପାଇଁ ଗଢ଼ା ହୋଇଛି ସାମ୍ରାଜ୍ୟ, ଧ୍ୱଂସ ହୋଇଛି ସମାଜ, ଯେଉଁଥିପାଇଁ ମଣିଷ ହୋଇଛି ଦେବତା, ରାକ୍ଷସ ପାଲଟିଛି ମଧ୍ୟ ।
ସେ ବିରାଟ, ମହନୀୟ ବସ୍ତୁଟି ହେଉଛି ମଣିଷର ଅନାବିଳ, ଅଖଣ୍ଡ, ଅମର, ଶାଶ୍ୱତ, ଚିରଞ୍ଜିବୀ ପ୍ରେମ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment