Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
47fe4f37
Commit
47fe4f37
authored
Sep 17, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
bf03441f
Changes
1
Hide whitespace changes
Inline
Side-by-side
Showing
1 changed file
with
430 additions
and
0 deletions
+430
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4
...ingual-corpora/odiasahitya.com/sent_odiasahitya_anubada_4
+430
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_anubada_4
0 → 100644
View file @
47fe4f37
ମାଂସ-ମୂଳ ବଙ୍ଗଳା : ସୁନୀଲ ଗଙ୍ଗୋପାଧ୍ୟାୟ , ଅନୁବାଦ : ପ୍ରଦୀପ କୁମାର ଦାଶ
ତା: ମାର୍ଚ୍ଚ୍ ୧, ୨୦୧୧
ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) →
ସକାଳ ବେଳା ।
ମେଘୁଆ ପାଗ ।
ଯେଉଁଥିଲାଗି ପିଲମାନଙ୍କ ମନ ଖରାପ ।
ଆଜି ବର୍ଷା ନହେଉ ।
ତଥାପି ସେଇ କଳାମେଘ ଯେମିତି ଝୁଙ୍କି ଆସିଲା ଶ୍ମଶାନ ପାଖ ବଡ ବରଗଛ ମୁଣ୍ଡ ଉପରକୁ ।
ଗାଁ ନାଁ ଛୋଟସାତୁଡି ।
ବିଭୂପଦ ଘଡେଇର ଦି’ଟା ଚାଳଘର ।
ସାମନାରେ ସରୁ ଅଗଣା ।
ସେଇ ଅଗଣାରେ ଠିଆ ହୋଇ ଆକାଶ ଆଡକୁ ଚାହିଁ ମେଘକୁ ଘଉଡେଇବାକୁ ଚାହୁଁଛନ୍ତି ପିଲା ତିନୋଟି ।
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
“ଲେମ୍ବୁ ପକାଇ କର ଚା’, ଦୂର ମେଘ ଦୂରକୁ ଯାଆ”
ମେଘ ସେଇ ଶିଶୁମାନଙ୍କ କଥା ଶୁଣେ ।
ତେବେ ଏତେ ପାଖକୁ ଆସି କିଛିଟା ବର୍ଷା ନକଲେ ବି ମେଘର ମର୍ଯ୍ୟାଦା ହାନି ହେବ ।
ପ୍ରଥମେ ଗୁମ୍ସୁମ୍ ଥିଲା ।
ହଠାତ୍ ଉଠିଲା ସଁ ସଁ କରି ।
ବଡ ବଡ ଗଛଗୁଡାକର ଡାଳପତ୍ର ଭୀଷଣଭାବରେ ଏପଟସେପଟ ହେବାରେ ଲାଗିଥିଲେ ।
ତାପରେ ଘୁଁ ଘୁଁ ଗର୍ଜନ କରି କହିଲା ଆସୁଛି ଆସୁଛି ।
ଆସିଲା ଝମ୍ଝମ୍ କରି ଏକବାରେ ବଡ ବଡ ଠୋପା ।
ଭୀଷଣ ଜୋର୍ରେ ବର୍ଷିଗଲା ଦଶମିନିଟ୍ ଧରି ।
ପୁଣି ଆକାଶ ପୁରାପୁରି ସଫା ।
ଝଲ୍ଝଲ୍ ହୋଇ ଦେଖାଦେଲା ସୁର୍ଯ୍ୟ ।
ଠିକ୍ ଯେମିତି ହସୁଛି.. ହସିବତ ! ମାତ୍ର ମାସ ଦୁଇଟା ପୂର୍ବରୁ ବର୍ଷା ପାଇଁ କେତେ ହାହାକାର ।
କେତେ ପ୍ରାର୍ଥନା, କେତେ ବେଙ୍ଗମାରି ଓଲଟାଇ ଦେବା ଘଟଣା ।
ଆଉ ୟାଭିତରେ ପୁଣି କହୁଚ କ’ଣ ନା ବର୍ଷା ଲୋଡା ନାହିଁ ! ବଡ ବିଚିତ୍ର ଏଇ ମଣିଷ ।
ସେ ମେଘ ପୁଣି ଫେରି ଆସିବ ।
ଏବେ ଖାଲି ଏଇ ପିଲାମାନଙ୍କ ଆବେଦନରେ ଘୁଞ୍ଚିଗଲା କିଛି ଦୂରକୁ ।
ଆଜି ସେମାନେ ବୁଲିଯିବେ ।
ରାସ୍ତାଘାଟ ଏମିତି ବି ପଙ୍କରେ ଲତପତ ।
ବର୍ଷା ଚାଲୁ ରହିଲେ ଏବେ ବାହାରିବାର ପ୍ରଶ୍ନ ନଥିଲା ।
ପିଲାମାନେ ଆଉ ଧୈର୍ଯ୍ୟ ଧରି ରହିପାରୁ ନାହାନ୍ତି ।
ବିଭୂପଦ ଠିଆ ହୋଇଛି ବାହାରେ ।
ସୁରବାଳାର ଟିକେ ଡେରି ହଉଚି ।
ବିଭୂପଦ ଥରେ ଡାକ ଛାଡିଲା, କାଇଁ ଆଉ ଡେରି କରୁଛ ? ବେଳାବେଳି ପହଞ୍ଚିବାକୁ ହେବ ।
ଝିଅଟା ବି ରଡିଛାଡି କହିଲା, ବୋଉ, ଆ ବୋଉ… ।
ଝିଅଟା ବୟସ ସାତ ।
ଭାଇ ଦୁଇଟାଙ୍କ ଭିତରୁ ଗୋଟାକର ନଅ, ଗୋଟାକର ଛଅ ।
ଏକଦମ ସାନକୁ ଲଣ୍ଡା କରାଯାଇଛି କିଛିଦିନ ଆଗେ ।
ବହୁତ ଉକୁଣି ହୋଇଥିଲା ।
ହାତରେ ଗୋଟେ ପୁଟୁଳି ଧରି ବାହାରି ଆସିଲା ସୁରବାଳା ।
ଦୁଆର ଶିକୁଳି ଦେଇ ଗୋଟେ ଛୋଟ ତାଲା ଝୁଲାଇ ଦେଲା ।
ସୁରବାଳାର ବୟସ ତିରିଶ ପାଖାପାଖି ହେବ ।
ଧେଡେଙ୍ଗା ଚେହେରା, ଅଦ୍ଭୂତ ନିଥର ପରି ମୁହଁ ।
ସେ ମୁହଁରେ ରାଗ, ଦୁଃଖ, ଆନନ୍ଦ, ଅଭିମାନ କିଛି ବି ଯେମିତି ଫୁଟେନା ।
ଚାବିଟା ବିଭୂପଦକୁ ଦେଇ ସେ କହିଲା, ଚାଲ ।
ଟିକେ ପୂର୍ବରୁ ପତ୍ନୀକୁ ସେ ପାଟି କରୁଥିଲା ।
ଏଥର କିନ୍ତୁ ଚାବିଟା ହାତରେ ଧରି କିଛିକ୍ଷଣ ଚୁପ୍ ରହି ପ୍ରଶ୍ନ କଲା ସତରେ ଯିବୁ ?
ସୁରବାଳା କହିଲା, ହଁ ଯିବି ବୋଲି ଠିକ୍ କରିଛି ତ !
ବିଭୂପଦ ପ୍ରଶ୍ନ କଲା, ପିଲାମାନଙ୍କୁ ନେଇଯିବା ?
ସୁରବାଳା କହିଲା, ହଁ ଚାଲନ୍ତୁ ସେମାନେ ।
ତିନୋଟିଯାକ ପିଲା ଏକାସ୍ବରରେ ରଡିକଲେ, ଆମେ ଯିବୁ, ଆମେ ଯିବୁ ।
ଠିକ୍ ପାଖାପାଖି ଆଉ କୌଣସି ଘରଦ୍ବାରା ନାହିଁ ।
ଗାଁ ମୁଣ୍ଡ ଖାଲୁଆ ପଡିଆରେ ଏଣେତେଣେ ଗୋଟେ ଦିଇଟା ହାତଗଣତି ଘର ।
ରାସ୍ତାଟା ସିଧା ମଶାଣିପଦା ଆଡକୁ ଲମ୍ବିଛି ।
ପିଲା ତିନିଟା ଦିନବେଳା ବି ଏପଟ ଦେଇ ଯିବାକୁ ଭୟ କରନ୍ତି ।
ପଇସା ଅଭାବରେ କାଠ କିଣି ନପାରି ଲାଶ୍କୁ ପୁରାପୋଡି ପାରୁନଥିବା ଲୋକମାନେ ଖାଲି ମୁହଁରେ ନିଆଁ ଦେଇ ଛାଡିଯାଆନ୍ତି ।
ତାପରେ ତାହା ଭୋଜି ହୁଏ ଶାଗୁଣା ବିଲୁଆଙ୍କର ।
ଆଜି ବାପାବୋଉ ସାଙ୍ଗରେ ଯାଉଛନ୍ତି ।
ଆଜି ପୁଣି ଭୟ କ’ଣ ? ବାପାବୋଉ ଆଉ ତିନି ପିଲା, ଏଇ ପୁରା ପରିବାର ।
ୟାଆଗରୁ କେବେ ବି ଏକା ସାଙ୍ଗରେ କୁଆଡେ ବୁଲିବାକୁ ଯାଇ ନାହାନ୍ତି ।
ବାପାଙ୍କ ସାଙ୍ଗେ ଥରେ ଦି’ଥର ହାଟକୁ ଯାଇଛନ୍ତି ଅବଶ୍ୟ ।
ତା’ ବି ଝିଅଟାକୁ ଛାଡି ।
ବୋଉ ବି ଯାଏନି ।
ବରଗଛମୂଳେ କୁଆଡେ ଜଣେ ସାଧୁ ଆସି ତ୍ରିଶୁଳ ପୋତି ବସିଛନ୍ତି ।
ସମସ୍ତେ ସେଠି ଠିଆହେଲେ ।
ସୁରବାଳା ଆଗେଇଯାଇ ଆଣ୍ଠୁମାଡି ପ୍ରଣାମକଲା ସାଧୁବାବାଙ୍କୁ ।
ସେ ହାତ ଉଠାଇ ଗୁଣୁଗୁଣୁ ହୋଇ କ’ଣ ଆଶୀର୍ବାଦ କଲେ ।
କିନ୍ତୁ ଦକ୍ଷିଣା ଦବା ପାଇଁ କିଛି ନାହିଁ ସୁରବାଳା ପାଖରେ ।
ସେ ଫେରି ଆସିବା ପରେ ଝିଅଟା ପଚାରିଲା, ବୋଉ, ସନ୍ୟାସୀମାନେ ଦେହରେ ପାଉଁଶ ବୋଳନ୍ତି କାହିଁକି ?
ସୁରବାଳା ଚାହିଁଲା ତା ସ୍ବାମୀ ଆଡକୁ ।
ଏସବୁ ପ୍ରଶ୍ନର ଉତ୍ତର ପୁରୁଷମାନେ ଦେବା କଥା ।
ବିଭୂପଦ କହିଲା – ହୁଁ… ସନ୍ୟାସୀମାନେ ସବୁ ଶିବ ଠାକୁରଙ୍କ ଚେଲା ।
ଶିବଠାକୁର କହିଦେଇଛନ୍ତି ଦେହରେ ପାଉଁଶ ନବୋଳିଲେ ମୋର ଚେଲା ହୋ ପାରିବନି ।
ସାନଟା ପଚାରିଲା, ବାପା, ଠାକୁରଙ୍କ ମୁଣ୍ଡରେ ସାପ କାହିଁକି ଥାଏ ?
ବିଭୂ କହିଲା- ହୁଁ… ସାପ ଥାଏ ।
ମାନେ ଏମିତି ସାପ ଥାଏ ।
ଏବେ ଚାଲିଲ ଶିଘ୍ର ।
ପିଲାଗୁଡାକ ଦୌଡିଦୌଡି ଅନେକବାଟ ଆଗେଇ ଯାଆନ୍ତି ।
ପୁଣି ତାଙ୍କୁ ଡାକି ଅଟକେବାକୁ ପଡେ ।
ଏ ଅଞ୍ଚଳରେ ପ୍ରାୟତଃ ଥିଲାବାଲା ଲୋକଙ୍କ ବାସ ।
ଦୋଳ ଉତ୍ସବ ଆଉ ଦୁର୍ଗା ପୂଜା ବି ହୁଏ ଏଠି ।
ଗୋଟେ ପାଖେ ଅଛି କେତେଟା ଟ୍ରଲି ।
ବହୁଦୂର ବାଟ ଯିବାକୁ ହେବ ।
ଅବଶ୍ୟ ଚାଲିକରି ଯାଇ ହେବ ।
ତାଛଡା ଦିନ ଥାଇ ଗନ୍ତବ୍ୟସ୍ଥଳରେ ପହଞ୍ଚିବା କଥା ।
ଟ୍ରଲିବାଲାଟିଏ ନିଜ ଟ୍ରଲିପାଖେ ଠିଆ ହୋଇ ଚା’ ପିଉଛି ।
ତା ପାଖକୁ ଯାଇ ବିଭୂପଦ ଭିଡିମୋଡି ହୋଇ କହିଲା, ଭଲ ଅଛ ଗୋବିନ୍ଦ ଭାଇ ? ତୁମ ଗାଡି ଏବେ ଛାଡିବ ?
ଗୋବିନ୍ଦ ସାଙ୍ଗରେ ଆଗରୁ କଥାବାର୍ତ୍ତା କରିଯାଇଥିଲା ବିଭୂପଦ ।
ଏ ଗାଡି ଭଡାରେ ନବାର ସାମର୍ଥ୍ୟ ତାର ନାହିଁ ।
ସନାତନପୁର ହାଟରୁ ଦଶଟା ଗୁଡ ହାଣ୍ଡି ଆଣିବାର ଅର୍ଡର ଅଛି ଗୋବିନ୍ଦର ।
ଏଠୁ ଯିବାବାଟରେ ଯଦି ପାସେଞ୍ଜର ନପାଏ , ଖାଲି ଗାଡି ଯାଏ, ତାହେଲେ ସେ ବିଭୂପଦର ପରିବାରକୁ କିଛିବାଟ ନେଇଯିବ ।
ଗୋବିନ୍ଦ ଯେମିତି ସେକଥା ଭୂଲି ଯାଇଛି ।
ସେ କହିଲା, ପାସେଞ୍ଜର ତ ଦେଖୁନି ।
ଗାଡି ଛାଡିବାକୁ ପଡିବ ।
କିନ୍ତୁ ତୁମର ଏତେଗୁଡାଙ୍କୁ ତ ବିନା ଭଡାରେ ନେଇ ପାରିବିନି ।
ଏତେ ଲୋଡ ନେଲେ ଗାଡିଟାଣିବାକୁ ପରିଶ୍ରମ ପଡିବନି ?
ବିଭୂପଦ କିଛି ନକହି ଚୁପ୍ କରହିଲା ।
ଗୋବିନ୍ଦ କହିଲା ଯାହା ଉଚିତ୍ ଭଡା ତାର ଅଧାତ ଦେବ ! ପର୍ହେଡ ପାଞ୍ଚ ଟଙ୍କା ।
ବିଭୂପଦ କହିଲା ଠିକ୍ ଅଛି ଦେବି ।
ଏକେବାର ଛୁଆଟା ବି କ’ଣ… ।
ଗୋବିନ୍ଦ କହିଲା, ହଉ ପନ୍ଦର ଟଙ୍କା ଦେ ।
ସେ ହାତ ବଢାଇଲା ବିଭୂ ଆଡକୁ ।
ବିଭୂ ଖୁବ୍ ସଙ୍କୁଚିତ ଭାବେ କହିଲା, ଏବେ ତ ଦେଇ ପାରିବିନି ।
ପରେ ନିଶ୍ଚୟ ଶୁଝିଦେବି ।
ମା’ କାଳୀଙ୍କ ରାଣ ।
ଗୋବିନ୍ଦ ତାତ୍ସଲ୍ୟ ସ୍ବରରେ କହିଲା- ବାକି ।
ଆଜି ନଗଦ କାଲି ବାକି ।
ଥରେ କେବେ ବାକି ଦେଲେ ଏ ବାଟେ ସେ ଆଉ ନଚାଲେ ! ହୁଁ କେତେ ଦେଖିଛି ।
ବିଭୂ କହିଲା ମୋ କଥାରେ ଖିଲାପ ହେବନି ।
ମା କାଳୀଙ୍କ ରାଣ ଖାଇଲି ତ ।
ଗୋବିନ୍ଦ ହେୟଜ୍ଞାନ କରି କହିଲା – ଯା ଦିନ କାଳ ପଡିଛି ଲୋକେ ଦିଅଁ ଦେବତାଙ୍କ ରାଣ ମାନୁ ନାହାନ୍ତି ।
ଛାଡ୍ ଉଠ ।
ପିଲାଗୁଡାକ ଜଳ ଜଳ କରି ଚାହିଁ ସବୁ ଶୁଣୁଥିଲେ ।
ଏଥରେ ସେମାନ କୁଦାମାରି ଉଠିପଡିଲେ ଟ୍ରଲି ଉପରକୁ ।
ସୁଶୀଲ ବୟସରେ ବଡ, ସୁତରାଂ ସ୍ଥାନ ନିର୍ବାଚନରେ ତାର ହିଁ ଅଗ୍ରାଧିକାର ଅଛି ।
ସେ ଥରେ ଆଗକୁ ଥରେ କଡକୁ ଦେଖିବାକୁ ଲାଗିଲା, କେଉଁଟା ସୁବିଧାଜନକ ।
ସୁଧା ଆଉ ଛୋଟୁଙ୍କୁ ଗୋଡ ଝୁଲେଇ ବସିବାକୁ ଦିଆଗଲାନି ।
ସେମାନେ ଚକାମାରି ଭିତରେ ବସିଲେ ।
ସୁଶୀଲ ତଥାପି ୟାଆଗରୁ କେତେଥର ଚଳନ୍ତା ଟ୍ରଲି ସାଙ୍ଗେ ଦୌଡି ଦୌଡି ବସିଛି, ପୁଣି ଚାଳକର ଗାଳି ଶୁଣି ଓହ୍ଲେଇ ବି ଯାଇଛି ।
ସୁଧା ଆଉ ଛୋଟୁଙ୍କର ଏମିତି ସୌଭାଗ୍ୟ ଏଇ ପ୍ରଥମ ।
ଚାଲିବାକୁ ପଡିବନି ଅଥଚ ରାସ୍ତା ସରିଯିବ ।
ବାଃ କି ମଜା ! ରାସ୍ତାଦେଇ ଅନ୍ୟ ଲୋକମାନେ ଯାଉଛନ୍ତି ।
ତାପରେ ଆଉ ସେମାନେ ଦେଖା ବି ଯାଉ ନାହାନ୍ତି ।
ତିନିଜଣଙ୍କର ନିଜ ଗାଁ ବାହାରକୁ ଯିବା ଏଇ ପ୍ରଥମ ।
ତାଙ୍କ ପାଖେ ଉନ୍ମୋଚିତ ହେଉଛି ନୂଆଜଗତ ।
ଏପଟର ସବୁ ଗାଁର ଚେହେରା ପ୍ରାୟ ଏକା ।
ତାଙ୍କ ଆଖିରେ ଯେମିତି ବୈଚିତ୍ର୍ୟର ଶେଷନାହିଁ ।
ଏ ବୋଉ, ଦେଖିଲୁ ଗୋଟେ ତାଳଗଛ ଦେହରେ ଆଉଗୋଟେ କୋଉ ଗଛ ଉଠିଛି ! ଏକାଠି ଦି’ଟା ଗଛ ।
ଗୋଟେ କୁକୁରକୁ ସେଇ ବଡ ବଡ ପକ୍ଷୀମାନେ ତଡୁଛନ୍ତି ।
ସେଗୁଡାକ କି ପକ୍ଷୀ ?
ଶାଗୁଣା ।
ଶାଗୁଣା ପରା ମାଟିକୁ ଓହ୍ଲାଏ !
ବାପା, କାନ୍ଧରେ ଦି’ଟା ବାଉଁଶ ନେଇ ସେ ଲୋକଟା କୁଆଡେ ଯାଉଛି ?
ଯାଉଚି, ନିଜ ଘରକୁ ।
ବାପା ସେ ମନ୍ଦିରଟା ଭଙ୍ଗା କାହିଁକି ?
କାହିଁକି ପୁଣି କ’ଣ ? ଭାଙ୍ଗି ଯାଇଛି ବୋଲି ଭଙ୍ଗା ।
ଏଥରକ ଟିକେ ଚୁପ୍ କରି ବସିବ ।
ସାନଟାର ହିଁ ବେଶୀ ପ୍ରଶ୍ନ ।
ସେ ଚୁପ୍ ରହିପାରେନି ।
ଟିକେ ପରେ ହିଁ ସେ ପୁଣି କିଛି ଜାଣିବାକୁ ଚାହେଁ ।
ତାକୁ ଧମକ ବି ଖାଇବାକୁ ହୁଏ ସେଇ କାରଣରୁ ।
କିଛିଦୂର ଗଲା ପରେ ଗୋବିନ୍ଦ ପଚାରିଲା, ପିଲାଛୁଆଙ୍କୁ ନେଇ କୁଆଡେ ବାହାରିଲୁ ବିଭୂ ?
ବିଭୂ କହିଲା, ରଣକାଳୀପୁର ଯିବି ।
ଇୟେ ମାନେ ସ୍ତ୍ରୀର ବାପଘର ।
କେଇଟା ଦିନ ରହିବ ।
ଗୋବିନ୍ଦ କହିଲା, ବୋହୂର ବାପଘର, ତୋର ଶ୍ବଶୁରଘର ।
ପିଲାମାନଙ୍କର ମାମୁଁଘର ।
ବାଃ ଭଲ କଟିବ ।
ମାମୁଁଘରେ ଭାରିମଜା ।
ମାଡଗାଳି ନାହିଁରେ, ମାମୁଁଘର ଦୁଧଭାତ ଦୁଆରେ ବସି ଖାଏରେ ।
ବିଭୂଠାରୁ ଟ୍ରଲି ଚାଳକ ଗୋବିନ୍ଦର ସାମାଜିକ ଅବସ୍ଥା କିଛିଟା ଭଲ ।
ତା କଥାରେ ସେଇ ସ୍ବର ଫୁଟି ଉଠେ ।
ସୁଧା ଅଣ୍ଟିରେ ବାନ୍ଧିଥିଲା ମୁଢି ।
ଏଇଲେ ତିନିଭାଇ ଭଉଣୀ ଖାଉଛନ୍ତି ।
ସୁଶୀଲ୍ ଫୁସ୍ଫୁସ୍ କରି ବୋଉକୁ ପଚାରିଲା, ବୋଉ ଆମେ ମାମୁଁଘର ଯାଉଛେ? କେତଦିନ ରହିବା ?
ସୁରବାଳା ଚାହିଁଲା ବିଭୂଆଡକୁ ।
ବିଭୂ କହିଲା, ସେ ଦେଖାଯିବ ।
ଗାଡିଟା ଧଡ ଧଡ ହୋଇ ଡେଉଁଛି ।
ମୁଢି ବୁଣି ନ ଯାଏ ।
ସୁଧା ପଚାରିଲା, ବାପା ତମେ ଖାଇବ ?
ବିଭୂ କହିଲା, ନା ତମେମାନେ ଖାଇନିଅ ।
ସାନ ପୁଣି ଆରମ୍ଭକଲା ପ୍ରଶ୍ନମାଳା ।
ଚିଲ ଆଉ ଶାଗୁଣା ଭିତରେ କିଏ ବେଶି ଉଚ୍ଚା ଉଡେ ? ସେଇ ଝିଅଟା କାନ୍ଦୁଛି କାହିଁକି ? ମଇଁଷି କ’ଣ ଗୋରୁଙ୍କର ବାପା ?
ଭାଇଭଉଣୀ ସମସ୍ତେ ହସନ୍ତି ।
କିନ୍ତୁ ବାପା ମାଆ କେହି ହସନ୍ତିନି ।
ବିଭୂ ଧମକେଇ କହିଲା, ତୁ ଚୁପ୍ କରତ ।
ପୁଣି କଥା କହିଲେ କାନ ଛିଡେଇଦେବି ।
ରାସ୍ତା ଭଲ ନାହିଁ ।
ତା ଭିତରେ ପୁଣି ଗୋଟେ ଟ୍ରକ୍ ଆସିଲାଣି ।
ଟ୍ରଲି ଯିବାକୁ ବାଟ ନାହିଁ ।
ଗୋବିନ୍ଦ ଓହ୍ଲାଇ ପଡି ହଲ୍ଲା କରିବା ଆରମ୍ଭ କଲା ।
ପିଲାମାନଙ୍କ ପାଇଁ ଏଇଟା ବି ବେଶ୍ ରୋମାଞ୍ଚକର ବ୍ୟାପାର ।
ଟ୍ରକ୍ଟା କେତେ ବଡ ! ସେମିତି ବଡ ଚେହେରାର ଡ୍ରାଇଭର ।
ତା ସାଙ୍ଗେ ଟକ୍କର ଦେଉଛି ଗୋବିନ୍ଦ ।
କିଏ ଜିତିବ ?
ଗୋବିନ୍ଦ ଫେରିଆସି ଟ୍ରଲିଟାକୁ ଧାନବିଲକୁ ଗଡେଇ ଉଠିଲା ଯାଇ ଟ୍ରକ ଛାଡି ରାସ୍ତାର ଅନ୍ୟପାର୍ଶ୍ବରେ ।
ତା ହେଲେ ଗୋବିନ୍ଦ ଜିତିଗଲା ।
ଗୋବିନ୍ଦ ଜିତିଗଲାରେ କହି ତିନିଜଣଯାକ ତାଳିମାରିବାକୁ ଲାଗିଲେ ।
ସୁରବାଳା ତା ସ୍ବାମୀର ଏକବାର କାନ୍ଧ ପାଖକୁ ମୁହଁନେଇ ନୀଚାସ୍ବରରେ ପଚାରିଲା, ‘ତୁମେ ପିଲାଙ୍କୁ ରାନ୍ଧି ଖାଇବାକୁ ଦେଇ ପାରିବ ?’
ବିଭୂ କହିଲା, ପେଜ-ଭାତ ଫୁଟେଇଦେବି ।
ଏଇଟା ଏମିତି କୋଉ ବଡ କଥା ।
ସୁରବାଳା କହିଲା, ଏଇଲେ ଆଳୁ ଶସ୍ତା ଥିବ ।
ସୁଧା ବି ଟିକେ ସାହାଯ୍ୟ କରିଦେବ ।
ହଁ ତାକୁ ଚୁଲି ଲଗେଇବାକୁ ଦବନି ।
ବିଭୂ କହିଲା, ସେଥିପାଇଁ ଚିନ୍ତା କରନି ।
ବଡଟାକୁ ଏଥର ସ୍କୁଲ ପଠେଇବି ।
ସୁଧା ପଚାରିଲା, ମା’ ତୋ ପୁଟୁଳିରେ କ’ଣ ?
ସୁର କହିଲା – ଦି’ଟା ଶାଢୀ ।
ଗାଳିଖାଇ ଚୁପ୍ ରହିଥିବା ଛୋଟୁ ପୁଣି ଫସ୍ କିନା କହି ଉଠିଲା – ମାମୁଁଘରେ ଆମର କେତେଟା ମାମୁଁ ?
ସୁଶିଲ ବି ଏଥର କହି ଉଠିଲା – ଗଲେ ତ ଦେଖିପାରିବୁ ।
ବୋକା ।
ଏମାନେ କେହି ଆଗରୁ ମାମୁଁଘର ଯାଇ ନାହାନ୍ତି ।
ମାମୁଁଘର ନାମକ ରହସ୍ୟମୟ ଜାଗା ସଂପର୍କରେ କିଛି ଶୁଣି ବି ନାହାନ୍ତି ।
ଅଦୂରରେ ସନାତନପୁର ହାଟ ।
ଟ୍ରଲି ଅଟକାଇ ଗୋବିନ୍ଦ ପଚାରିଲା, ତୁମେ ରଣକାଳୀପୁର ଯିବ ପରା ? ଏଇଠି ଓହ୍ଲେଇ ଯାଆ ।
ବାଁ ପଟେ ରାସ୍ତା ।
ବେଶି ଦୂର ନୁହେଁ ।
ବିଭୂ ମନେ ରହେ ଯେମିତି ।
ଏଇ ରାସ୍ତାଟା ଅପେକ୍ଷାକୃତ ଭଲ ।
ଏତେ ଖାଲ ଖମା ନାହିଁ ।
ପାଖଦେଇ ବୋହିଯାଇଛି କେଲେଘାଇ ନଦୀ ।
ସେଥିରେ ପ୍ରଚୁର ଫୁଲଫୁଟା ବିଲାତିଦଳ ।
ଗ୍ରାମର ମୂଳବସତି ଠାରୁ ବେଶ୍ କିଛିଦୂରରେ ନଈକୂଳକୁ ଲାଗିଥାଏ ଦଶଖଣ୍ଡ ଟାଇଲିଛପର ଘର ।
ଗୋଟେ ଦିଇଟା ମନୋହରୀ ଦୋକାନ ।
ସାମନାରେ ବାଉଁଶ ତିଆରି ବେଞ୍ଚ ଉପରେ ବସି ଗୁଲିଖଟି କରୁଛନ୍ତି କେତେଜଣ ପୁରୁଷ ।
କିଛିଦୂର ଯାଇ ସେମାନେ ଆଚମ୍ବିତ ହୋଇ ଠିଆହେଲେ ।
ଚାହିଁ ରହିଲେ ସେଇ ଘରଗୁଡିକ ଆଡକୁ ।
ବିଭୂ ତା ପତ୍ନୀର ଗୋଟେ ହାତ ଧରି କିଛିଟା ଆବେଗର ସହ କହିଲା –
ସୁର , ସତରେ ଯିବ ?
ସୁରବାଳାର ଶୁଖିଲା ମୁହଁରେ କୌଣସି ରେଖା ନାହିଁ ।
କଣ୍ଠ ଥରୁନି ।
ସେ କହିଲା, ହଁ ଯିବିତ ।
ବିଭୂ କହିଲା, ଏବେ ବି ଫେରିଯାଇ ହେବ ।
ସୁରବାଳା କହିଲା, ମୁଁ ଯିବି ଠିକ୍ କରିଛି ।
ବିଭୂ କହିଲା, ମୁଁ କିନ୍ତୁ ତୋତେ ଜୋର କରିନି ।
ସୁର କହିଲା, ନାଁ ତୁମେ ଜୋର କରିନ ।
ମୁଁ ହିଁ ଠିକ୍ କରିଛି ।
ଉଛୁଳି ଉଠୁଛନ୍ତି ପିଲାମାନେ ।
ଏଇତ ଦେଖାଯାଉଛି ମାମୁଁଙ୍କର ଘର ।
ତଥାପି ଡେରି କାହିଁକି ?
ସୁଶିଲ କହିଲା- ବାପା ଚାଲ ।
ବିଭୂ ଥରେ ଖଁ ଖଁ ତଣ୍ଟି ସଫା କରି କହିଲା, ଶୁଣ ପିଲେ, ମାମୁଁଘରକୁ ବର୍ତ୍ତମାନ ତୁମ ବୋଉ ଏକା ଯିବ ।
ଆମେ ଘରକୁ ଫେରିଯିବା ।
ତିନିଜଣଙ୍କର ଏକା ପ୍ରଶ୍ନ – କାହିଁକି ? ଆମେ ଯିବୁନି କାହିଁକି ?
ବିଭୂ କହିଲା, ସେଠିକି ପିଲାମାନେ ଯାଆନ୍ତିନି ।
ବୋଉ ପୁଣି ଫେରି ଆସିବ ।
ସେତେଦିନ ପର୍ଯ୍ୟନ୍ତ ତମେମାନେ ମୋ ପାଖରେ ରହିବ ।
ଝିଅମାନଙ୍କ ବୁଦ୍ଧି ଜୋର ।
ପିଲାମାନେ ମାମୁଁଘର ଯାଆନ୍ତିନି, ଏଇଟା ସୁଧାକୁ ବିଶ୍ବାସ ହେଲାନି ।
ସେ ପଚାରିଲା କେବଳ ମାମୁଁଘରକୁ ଯାଆନ୍ତି କେବଳ ବଡମାନେ ?
ତା ପ୍ରଶ୍ନର ଉତ୍ତରରେ ବିଭୂ କହିଲା – ହଁ.. ମାମୁଁଘରେ ଜଣକର ଦେହ ଭୀଷଣ ଖରାପ ।
ସେଥିଲାଗି ପିଲାମାନେ ଯିବାକଥା ନୁହେଁ ।
ସୁର, ତୁ ତାହେଲେ ଯାଆ ।
ବେଳ ଗଡି ଯାଉଛି ।
ଛୋଟୁ ସେସବୁ ବୁଝେନା ।
ସେ ବୋଉକୁ ଜାକିଧରି ତା ଶାଢୀରେ ମୁହଁ ଗୁଞ୍ଜି ଖୁବ୍ କାତର ଭାବେ ଆବେଦନ କଲା, ବୋଉ ମୁଁ ତୋ ସାଙ୍ଗେ ଯିବି ଲୋ ! ଟିକେ ବି ପାଟି କରିବିନି ।
ସ୍ବାମୀ ଓ ଅନ୍ୟ ଦୁଇସନ୍ତାନଙ୍କ ଆଡକୁ କ୍ରମାନ୍ବୟରେ ଚାହିଁଲା ସୁର ।
ତାପରେ ଛୋଟୁକୁ ସେ ଧୀରେ ଧୀରେ ଛଡେଇ ନେଇ କହିଲା – ଯିବୁ ।
ତତେ ପରେ ନେଇଯିବି ।
ଆଜି ଘରକୁ ଯାଆ ।
ଘରେ ସୁନା ପିଲା ହୋଇ ରହିବୁ ।
ସୁଧାକୁ କହିଲା, ଭାଇକୁ ଧର୍, ତୁ ଛୋଟୁକୁ ସମ୍ଭାଳିବୁ ।
ନଇଁପଡି ସେ ସ୍ବାମୀଙ୍କ ପାଦଛୁଇଁ ପ୍ରଣତି କରିବା ପରେ ତିନିଟିଯାକ ଛୁଆଙ୍କୁ ଜାବୁଡି ଧରିଲା ଏକାଠି ।
ଆଉ କିଛି କଥା ନାହିଁ ।
ତାପରେ ହଠାତ୍ ସେ ସେମାନଙ୍କୁ ଛାଡିଦେଇ ଦୁମ୍ ଦୁମ୍ କରି ଆଗେଇଗଲା ସେ ଘରଗୁଡା ଆଡକୁ ।
ଟିକେ ପରେ ଅଟକି ପଛକୁ ଚାହିଁ କହିଲା, ତୁମେମାନେ ଟିକେ ଅପକ୍ଷା କର ।
ଗୁଲିଖଟି କରୁଥିବା ଲୋକଗୁଡାଙ୍କ ପାଖଦେଇ ଗଲାବେଳେ ଜଣେ ଅଙ୍ଗୁଠି ଦେଖାଇ କହିଲା, ଏଇ ପାଖଦେଇ ଯାଅ ଦେଖିବ ଗୋଟେ ବଡ କୋଠାଘର ।
ଗଳିଟା ପଙ୍କ ପଚ୍ପଚ୍ ।
ଘର ଗୁଡାକ ପାଖଦେଇ ଯାଉ ଯାଉ ସୁର ଦେଖିଲା, ସବୁ ଝରକା ଦେଇ ଉଙ୍କି ମାରୁଛନ୍ତି ବିଭିନ୍ନ ବୟସର ଝିଅମାନେ ।
ଗୋଟେ ଜାଗାରେ ଗଳିଟା ତିନିଭାଗ ହୋଇଯାଇଛି ।
କୋଉ ଆଡକୁ ଯିବ ବୁଝି ନପାରି ସୁର ଠିଆ ହେଉ ହେଉ ଜଣେ କିଏ କହିଲା, ଏଇ ଡାହାଣପଟେ, ରଣକାଳୀପୁରର ରଣଚଣ୍ଡୀକୁ ଦେଖିପାରୁନ ?
ବଡ ଆଦବକାଇଦାରେ ଗୋଟେ ପାନବଟୁଆ ନେଇ ପାଦ ଲମ୍ବେଇ ବସିଛନ୍ତି ଏକ ବିଶାଳକାୟ ରମଣୀ ।
ପାଖରେ ଏକଦମ୍ ପାତଳୀ ଝିଅଟିଏ ।
ପାତଳୀ ଝିଅଟି କହିଲା, ମାଉସୀ ୟାରି ତ ଆସିବାର ଥିଲା ବୋଧେ ?ମୁହଁ ଭର୍ତ୍ତିପାନ ।
ପିକ ଫିଙ୍ଗି, ରସିକିଆ ଠାଣିରେ ମାଉସୀ କହିଲା, ଆସଲୋ ଆସ ଝିଅ ।
ବଅ..
ସର୍ବାଙ୍ଗରେ କେଇଥର ଦୃଷ୍ଟି ବୁଲେଇ ନରମଗଳାରେ ମାଉସୀ କହିଲା – ପୋଡା କପାଳ … ଏଇଟା ବିଧବା ନା କ’ଣ ?
ସୁରର ଉତ୍ତର ନା’ ଶୁଣି ସେ ପୁଣି କହିଲା – ଓଃ.. ସିନ୍ଦୁର ଅଛିତ ! ଆଲୋ ଦେଖନି ମୋ ଆଖି କ’ଣ ଖରାପ ହୋଇଗଲାଣି ନା କ’ଣ ? ତେବେ ସେ ଲୋକଟା କ’ଣ ଛାଡି ପଳେଇଛି ?
ସୁର କହିଲା – ନା’ ଘରେ ରହନ୍ତି ।
ମାଉସୀ କହିଲା, ବୁଝିଛି ।
ଅଣ୍ଟା ଟାଣ ନାହିଁ ।
ରୋଜଗାର କରି ଖାଇବାକୁ ଦେଇ ପାରେନି ।
ଖାଇବାକୁ ପେଟ ଆଉ କେଇଟା ?
ସୁର କହିଲା, ମୋର ତିନିଟା ପିଲା ।
ଭ୍ରୁକୁଞ୍ଚନ କରି ମାଉସୀ କହିଲା ଆ.. କ’ଣ କହିଲୁ ତିନିଟା ?
ପୁଣି ସୁରର ସର୍ବାଙ୍ଗରେ ଆଖିବୁଲେଇ ମାଉସୀ କହିଲା, ଝିଅ ବୟସ କେତେ ?
ଛଅ-ସାତ ହେବ ।
ମାଉସୀ ଦୀର୍ଘଶ୍ବାସ ଛାଡି କହିଲା, ଆହାଃ… ତାର ତ ବାହା ବୟସ ହେବାକୁ ଢେର ଡେରି ।
ଏତେଦିନ ପାଳିବାକୁ ହେବ ।
ଗର୍ଭରେ ପିଲାଛୁଆ ଆସନ୍ତି ଆମକୁ ଖାଇବା ପାଇଁ ।
ଏଇଟା ଦିଅ, ସେଇଟା ଦିଅ ।
ତାପରେ ଡେଣା ଲାଗିଗଲେ ଫୁର କିନା ଉଡିଯିବେ ।
ମୋରବି ତ ଦିଇଟା ପିଲାଛୁଆ, ଆଜି କୋଉଠି ସେମାନେ ।
ବୋଉ ଖବର ଅଛି ତାଙ୍କ ପାଖରେ ?
ପାତଳୀ ଝିଟା କହିଲା, ମୋ ପୁଅଟା ବି…
ନିଜେ ଗୋଟେ ଖିଲିପାନ ପାଟିରେ ପୁରାଇ ଗୋଟେ ସୁର ଆଡକୁ ବଢେଇ ଦେଇ କହିଲା – ନେ ଖା ।
କଣ କରିବୁ କହ ।
ସବୁ ନିୟତି ।
ବାପାମାଆ ଖର୍ଚ୍ଚ କରି ବାହା ଦିଅନ୍ତି ।
ତା ପରେ ବି ଗେରସ୍ତ ଯଦି ଦି’ଓଳି ଦିଇଟା ଖାଇବାକୁ ଦେଇ ନପାରେ … ତା ପରେ ସବୁବେଳେ ପିଲାଛୁଆଙ୍କର ହାଁ ହାଁ ।
ତେବେ ସେ ଲୋକଟା କ’ଣ ଜୋର କରି ଏଠିକି ପଠାଇଲା ?
ସୁର କହିଲା, ନାଁ ମୁଁ ନିଜେ ହିଁ ଆସିଛି ।
ମାଉସୀ କହିଲା, ଠିକ୍ କରିଛୁ ।
ବଞ୍ଚିବାକୁ ତ ପଡିବ ।
କଥାରେ କହନ୍ତି, ଆପେ ବଞ୍ଚିଲେ ବାପର ନାଆଁ ।
ଏମିତି ଜଳିପୋଡି ପାଉଁଶ ହୋଇଗଲେ ବି କେହି ଆଖିରୁ ଲୁହ ଝରେଇବାକୁ ଆସିବେନି ଲୋ ।
ସେ ଲୋକଟା ଯଦି କେବେ ବି ଏ ଆଡକୁ ଆସେ, ତାକୁ ଦି’ ଗୋଇଠା ଦେବୁ ।
ମୋ ଲୋକବି ତାକୁ ଧୂଲେଇ କରି ଛାଡିବେନି ।
ସୁର କହିଲା, ତାଙ୍କର କାଶ ଜ୍ବର ।
ମାଉସୀ ତା’ର ମସ୍ତ ହାତଟାକୁ ହଲେଇ କହିଲା, ଥାଉ ଥାଉ ସବୁ କଥା ଢେର ଶୁଣିଛି ।
ଆଉ ଶୁଣିବାକୁ ଇଚ୍ଛା ନାହିଁ ।
ପୁଟୁଳିଟାରେ କ’ଣ ?
ଶାଢୀ ଦିଇଟା ଦେଖି ମୁହଁ ଲେଫେଡି ମାଉସୀ କହିଲା, ସେ ଚଳିବନି ।
କାମବେଳେ ତ ନିହାତି ଖଣ୍ଡେ ଜରିଦିଆ ଧଡିବାଲା ଶାଢୀ ଦରକାର ।
ଏ ଠେଇ ଦୋକାନ ଅଛି ।
ଆଜି କିଣି ପାରିବୁ ?
ସୁର ଦୁଇଆଡକୁ ମୁଣ୍ଡ ହଲାଇଲା ।
ମାଉସୀ ସେଥିରେ ବିରକ୍ତ ନହୋଇ କହିଲା, ଠିକ୍ ଅଛି ।
ମୋ ପାଖରେ ପୁରୁଣା ଖଣ୍ଡେ ଅଧେ ଅଛି ।
ସେଥିରେ କିଛି ଦିନ ଚଳିଯିବ ।
ଏଠି କିନ୍ତୁ ନିଜ ଖାଇବା ବ୍ୟବସ୍ଥା ନିଜର ।
ମୁଁ ସେଥିରେ ଦାୟୀ ନୁହେଁ ।
ଏଇ ଶେଫାଳି ତତେ ବୁଝାଇ ଦେବ ।
କିନ୍ତୁ ଆଜି ତତେ ଘର ଦେଇ ପାରିବିନି ।
ମୋକ୍ଷଦା ସାଥିରେ ରହିବୁ ।
ମୋକ୍ଷଦାର ଜଳଉଦରି ଅଛି ।
କିଛି ଖାଇ ପାରୁନି ।
ସେ ଭାରି ଚିଡିଚିଡା ।
ହସରେ ଟିକିଏ ବି ରସ ନାହିଁ ।
ଗରାଖଙ୍କ ସଙ୍ଗେ ବି ଏମିତି ।
ତିନିଚାରିଜଣ ଅଭିଯୋଗ କଲେଣି ମୋପାଖେ ।
ଠିକ୍ଭାବେ କାମ କରିବନି ।
ତା ଉପରେ ଚିଡଚିଡା ଭାବ ।
ଛି- ଛି- ଛି ।
ଗରାଖଙ୍କର କୁଆଡେ ସବୁ ଦୋଷ ।
ଗରାଖ ହେଲେ ଲକ୍ଷ୍ମୀ ।
ତାଙ୍କର କ’ଣ କିଛି ଦୋଷ ଧରିବା କଥା ।
ମୋକ୍ଷଦା କାନରେ ଯଦି ଏକଥା ପଡେ, ପଡୁ ।
ତାକୁ ମୁଁ ଏଥର ତଡିଦେବି ।
ଦି’ତିନି ଦିନ ଭିତରେ ।
ଦୁଷ୍ଟ ଗୋରୁଠୁଁ ଶୂନ୍ୟ ଗୁହାଳ ଅନେକ ଭଲ ।
ସେ ଯଦି ତୋ ଉପରେ ବି କିଛି ଖରାପ ବ୍ୟବହାର କରେ ତୁ କିଛି କହିବୁନି ।
ମୁହଁ ବନ୍ଦ କରି ରହିବୁ ।
ଯାହା କରିବା କଥା ମୁଁ କରିବି ।
ଯା’ ଏବେ ଶେଫାଳି ସାଙ୍ଗେ ଯା ।
ସେ ଘର ଦେଖେଇଦେବ ।
ସୁରବାଳା ତଥାପି ଚାହିଁ ରହିଲା ମାଉସୀ ମୁହଁକୁ ଚାହିଁ ।
ମାଉସୀ କହିଲା, କ’ଣ ହଲା ଊଠୁନୁ ।
ହାଇ ଭାଙ୍ଗିବା ବେଳ ହେଲାଣି ।
ଏଥର ଗରାଖ ଆସିବେ ।
ମୁଣ୍ଡ ତଳକୁ କରି ସୁର କହିଲା, ମତେ ଦୁଇଶ ଟଙ୍କା ଦେବ ?
ଏଥର ମାଉସୀ ମୁହଁର ଭାବ ସଂପୂର୍ଣ୍ଣ ବଦଳି ଗଲା ।
କର୍କଶ ସ୍ବରରେ ସେ କହିଲା, ଟଙ୍କା, କେଉଁ ଟଙ୍କା ? ମୁଁ ତ ତୋ ଗୋଡ ଧରି ଆଣିନି ।
ନିଜେ ଆସିଛୁ ।
କାମ କରିବାକୁ ଚାହୁଁଚୁ ତ କର ।
ଏଠି କିଛି ପଡିନି ।
ଖଟିବୁ ଖାଇବୁ ।
ଏଯାଏଁ ଯାହାର ରୋଜଗାର ଆରମ୍ଭ ହେଇନି ସେ ଟଙ୍କା ମାଗୁଚି କୋଉ ମୁହଁରେ ?
ସୁର କହିଲା, ମୋର ଆଜିହିଁ ଟଙ୍କା ଦରକାର ।
ନିହାତି ।
ମୁହଁ ଖିଙ୍କାରି ମାଉସୀ କହିଲା, ଟଙ୍କା କାହାର ଦରକାର ନାହିଁ ?କହିଲୁ କିଏ ବିଶ୍ବରେ ଟଙ୍କା ପାଇଁ ନଦଉଡୁଛି? ମୁଁ କ’ଣ ଏଠି ଦାନଛତ୍ର ଖୋଲି ବସିଛି ? ତତେ ଯଦି ଏଠି ପୋଷଉନି ତୁ ଚାଲିଯାଇପାରୁ ।
ମୁଁ କାହାକୁ ଧରି ରଖିନି ।
ସୁର କହିଲା, ପିଲାଛୁଆ ଗୁଡାକ ବାହାରେ ଠିଆ ହୋଇଛନ୍ତି ।
ତାଙ୍କ ହାତରେ କିଛି ନଦେଇ ପାରିଲେ କାଲି ଖାଇବେ କ’ଣ ? ଘରେ ତ କିଛି ନାହିଁ ।
ଆହୁରି କିଛି ଧମକ ଦେବାକୁ ଯାଇ ଅଟକି ଗଲା ମାଉସୀ ।
ଏଥର ତା ଆଖିରେ ଫୁଟିଉଠିଲା ବିସ୍ମୟ ।
ଏସବୁ ହେଲା ପାପୀଙ୍କ ଜାଗା ।
ଗୁଣ୍ଡାବଦ୍ମାସ୍ ମାନେ ବୁଲାବୁଲି କରନ୍ତି ।
ଛୋଟଛୁଆଙ୍କୁ ଏଠୁ ଦୂରେଇ ରଖିବା ଭଲ ।
ଏଇ ଟିକକ ଅନ୍ତତଃ ଧର୍ମଜ୍ଞାନ ରହିବା କଥା ।
ଆରେ ଏଠିକା ରାକ୍ଷସଗୁଡାକ ସାତବର୍ଷର ଝିଅଟାକୁ ବି ଖାଇବାକୁ ପଛାନ୍ତିନି ।
ସୁର ପୁଣି କହିଲା – ଦୟାକର, କିଛି ଟଙ୍କା ନପାଇଲେ…
ମାଉସୀ କହିଲା, ଦୟା ? ଦୟାଫୟା କଲେ ଏ କାରବାର ଚାଲିବନି ।
ଏ ଶେଫାଳି ମତେ ଟିକେ ଧରିବୁଟି ।
ଶେଫାଳି ଗୋଟେ ହାତ ଧରି ଉଠାଇଲା ମାଉସୀକୁ ।
ତା ପରେ ଦୁମ୍ଦୁମ୍ କରି ଚାଲିଗଲା ଘର ଭିତରକୁ ।
ମୁହଁ ତଳକୁ କରି ବସି ରହିଲା ସୁର ।
ତା ସ୍ବାମୀ ତାକୁ ଜୋର କରି ପଠେଇ ନାହାନ୍ତି ।
ସେ ନିଜ ଇଚ୍ଛାରେ ଆସିଛି ।
ଏଟା ଠିକ୍ କଥା ।
ବିଭୂର କାଶ ରୋଗ ।
ତା ଶରୀର ଦୁର୍ବଳ ହୋଇ ଯାଇଛି ।
ମଝିରେ ମଝିରେ କାଶିଲାବେଳେ ରକ୍ତର ଛିଟା ଦେଖିବାକୁ ମିଳେ ।
ସରକାରୀ ହସ୍ପିଟାଲର ଔଷଧରେ ବି ଭଲ ହେଉନି ।
ସେମାନେ ପୁଷ୍ଟିକର ଖାଦ୍ୟ ଖାଇବାକୁ କହନ୍ତି ।
ସୁରବାଳା ନିଜ ଉପାର୍ଜନ କରିବାକୁ ଚେଷ୍ଟା କରିଛି ।
ମୁଢି ଭାଜିବା, ଲୋକଙ୍କ ଘରେ ବାସନ ମାଜିବା, ଘର ସଫା କରିବା ।
ସେଥିଲାଗି ବାବୁଭାୟାଙ୍କ ଘରକୁ ଯିବାକୁ ପଡେ ।
ସେମାନେ କେହି ଠିକା ଲୋକ ଚାହାନ୍ତିନି ।
ଘରେ ରହି ସବୁ କାମ କରିବ ।
ଛୁଆଙ୍କ ଘୁଅମୂତ ଠାରୁ ରୋଷେଇବାସ ଯାଏଁ ସବୁ ।
ତଥାପି ଖୋରାକି ସାଙ୍ଗେ ମାତ୍ର କେଇଟା ଟଙ୍କା ।
ସେଥିରେ କ’ଣ ପୋଷେଇବ ?ଦିନ ପରେ ଦିନ ଏମିତି ଚାଲିଛି ।
ସ୍ବାମୀ ସ୍ତ୍ରୀ ଦି’ଟା ଅଧାପେଟ ଖାଇ ଚଳେଇନେବେ କିନ୍ତୁ ପିଲାଛୁଆ ତିନିଟା ।
ତାଙ୍କ ଭୋକିଲା କାନ୍ଦ ସହିହେଉନି ।
ତାଙ୍କୁ ଏଇ ପୃଥିବୀକୁ ଅଣା ହୋଇଛି ।
ସେମାନେ ନିଜ ଇଚ୍ଛାରେ ଆସି ନାହାନ୍ତି ।
ତାଙ୍କର ଦୋଷ କ’ଣ ?
ପିଲାମାନେ ଶୋଇପଡିଲେ ଗାଲରେ ହାତ ଦେଇ ଭବିଷ୍ୟତର କଥା ଭାବି ଭାବି ସୁରବାଳା ଆଉ ବିଭୂଙ୍କର କଟି ଯାଇଛି କେତେ ରାତି ।
କିନ୍ତୁ କୌଣସି କୂଳକିନାରା ପାଇ ନାହାନ୍ତି ।
ଘରେ କଂସା, ଢାଳ ଯାହାଥିଲା ସବୁ ବିକ୍ରି ହୋଇଯାଇଛି ।
ବିକ୍ରି ହେଲା ଭଳି ଆଉ କିଛି ନାହିଁ ।
ଖାଲି ସୁର ଦେହର ମାଂସ ଛଡା ।
ଏତେ ଅନାହାରରେ ବି ସୁରବାଳାର ଦେହ ଏକେବାର ସୁକୁଟି ଯାଇନି ।
ମାଆ ହୋଇ ସେ ସନ୍ତାନମାନଙ୍କ ପାଇଁ କ’ଣ ଏଇତକ କରି ପାରିବନି ?
ଦି ଟଙ୍କିଆ ପାଞ୍ଚ ଟଙ୍କିଆ ନୋଟ ମିଶି ପ୍ରାୟ ଶହେ ଟଙ୍କା ଆଉ ଜରିଧଡିବାଲା ଝଲମଲ କରୁଥିବା ଶାଢୀ ଖଣ୍ଡେ ନେଇ ଫେରି ଆସିଲା ମାଉସୀ ।
ଟଙ୍କା ବଢେଇ ଦେଇ ମାଉସୀ କହିଲା, ଯା ଦେଇ ଆ ।
ୟା ଆଗରୁ ମୁଁ କାହାକୁ ଅଗ୍ରୀମ ଦେଇନି ।
ଏଇ ଶେଫାଳି ହେରିକା ଜାଣନ୍ତି ।
ଯା ଏଗୁଡାକ ଦେଇଆସି କାମରେ ଲାଗି ଯା ।
ଆଉ ଯେମିତି କେବେ ବି ସେ ଲୋକଟା କି ଛୁଆପିଲା ଏ ଆଡକୁ ନଆସନ୍ତି ।
କହିଦେଲି ।
ସୁରବାଳା ପୁଣି ବାହାରକୁ ଆସି ଦେଖିଲା ଗୋଟେ ଓସ୍ତଗଛମୂଳେ ଠିଆ ହୋଇଛି ବିଭୂ ।
ପାଖକୁ ଆସି ବିଭୂର ହାତକୁ ଜଡାଇ ଧରିଲା ସୁଧା ।
ପୁଅ ଦିଇଟା ମନୋହରୀ ଦୋକାନ ସାମ୍ନାରେ ଏପଟ ସେପଟ ହେଉଥିଲେ ।
ବୋଉକୁ ଦେଖି ଦୌଡି ଆସିଲେ ପାଖକୁ ।
ଟଙ୍କାତକ ବିଭୂହାତରେ ଦେଇ ସୁର କହିଲା, ବେଶିକରି ଚାଉଳ କିଣିନେବ ।
ବିଭୂ କହିଲା ଏଠିକା ହାଟରେ ଶସ୍ତା ହେବ ।
ସୁର କହିଲା, ନୂଆ ଚାଉଳରେ ପେଜଭାତ ଭଲ ହେବ ।
ପେଟ ବି ପୁରିବ ।
ଆଳୁ ଆଉ ଅଦା ଏଇଲେ ଶସ୍ତା ।
ଲୁଣ ନେବ ମନେ କରି ।
ଆଜି ଦିନଟା ପିଲାମାନେ ଅନ୍ତତଃ ଯେମିତି ଭଲକରି ଖାଆନ୍ତି ।
ସୁଧା କହିଲା, ବୋଉ ମାମୁଁ ଘରଭିତରଟା ଥରେ ଦେଖି ଆସିପାରିବୁନି ।
ଆମେ ଗୋଟେ କଥା ବି କହିବୁନି ।
ସୁର କହିଲା, ଆଜି ନୁହେଁ ।
ଆଉ ଦିନେ ।
ବିଭୂ କହିଲା, ବୋଉ ତ ଫେରି ଆସିବ ।
କେଇଟା ଦିନ କି ।
ସୁର କହିଲା, ହଁ ଫେରି ଆସିବି ।
ଛୋଟୁ ହଠାତ୍ ମୁହଁ ଫୁଲେଇ କାନ୍ଦି ଉଠିଲା ।
ସୁର କହିଲା – ୟାଙ୍କୁ କେତେଟା ଚକୋଲେଟ୍ କିଣିଦେବ ।
ସୁଧା ଭାଇର ହାତ ଧର ।
ଚକୋଲେଟ୍ କଥା ଉଚ୍ଚାରଣ ହେଉ ହେଉ ସୁଶିଲ ସଙ୍ଗେ ସଙ୍ଗେ ଗଲା ଦୋକାନ ଆଡକୁ ।
ତା ପଛେ ପଛେ ସୁଧା ଆଉ ଛୋଟୁ ।
ବିଭୂ ସାମ୍ନାରେ କେଇମୁହୂର୍ତ୍ତ ଚୁପ୍ କରି ଠିଆ ହୋଇଗଲା ସୁର ।
ତା ଶୁଖିଲା ମୁହଁରେ କୌଣସି ଭାବର ଚିହ୍ନବର୍ଣ୍ଣ ନାହିଁ ।
ଟିକେ ପରେ ସେ କହିଲା ଯାଉଚି ।
ସାବଧାନ ରହିବ ।
ରକ୍ତ ପଡିଲେ ଲୁଣପାଣି କୁଳୁକୁଞ୍ଚା କରିବ ।
ସୁର ବଦଳରେ ବିଭୂ ଆଖି ହିଁ ଛଳ ଛଳ କରୁଛି ।
ଏମିତି ବେଳାରେ କ’ଣ କହିବାକୁ ହୁଏ ତା ସେ ଜାଣିନି ।
ସେ ସାର୍ଟରେ ଆଖି ପୋଛିଲା ।
ତା ପରେ ପୁଣି ମୁହଁ ଟେକିଲା ବେଳକୁ ଦେଖିଲା ସୁରବାଳା ଫେରିଯାଇଛି ଅନେକ ବାଟ ।
ଗୋଟେ ଲେଖାଁ ଚକୋଲେଟ୍ ପାଟିରେ, ଗୋଟେ ହାତରେ ।
ଅମୃତର ସ୍ବାଦ ନେଉ ନେଉ ଡେଇଁ ଡେଇଁ ଆଗେଇ ଚାଲିଲେ ପିଲାଛୁଆ ତିନୋଟି ।
ଗୋଟେ ପାଦ ଟେକି ଟେକି ନାଚି ନାଚି ଦଉଡୁଥାନ୍ତି ।
ଏମିତି ଦଉଡା କେବଳ ପିଲମାନେ ହିଁ ଦଉଡି ପାରିବେ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment