Commit 62cd5ec0 authored by Nayan Ranjan Paul's avatar Nayan Ranjan Paul

Upload New File

parent de6de4ec
ଚେଷ୍ଟା
ଲିପିକା ମହାପାତ୍ର, କ୍ୟାଲିଫର୍ଣ୍ଣିଆ, ଆମେରିକା
ତା: ଜୁନ୍ ୨୭, ୨୦୧୩
ମୂଳ ପୃଷ୍ଠା → ପ୍ରବାସରେ ସାହିତ୍ୟ → ଗଳ୍ପ →
ଘିଅମିଶା ସିନ୍ଦୁରକୁ କପାଳରେ ଗୋଲ କରି ଲଗେଇଲା ରମେଇ ମାଁ ।
ଆଖିରେ କଜ୍ବଳ, ବେକରେ ମନ୍ଦାର ହାର, ମୁକୁଳା ଘନକେଶ ।
ମାଟି କାନ୍ଥରେ ଟଙ୍ଗା ହୋଇଥିବା ଦର୍ପଣରେ ନିଜର ପରିବର୍ତ୍ତିତ ମୁହଁଟାକୁ ପରଖି ନେଲା ।
ହଁ …. ସବୁ ଠିକ୍‌ଅଛି ।
ଆଶ୍ବସ୍ତ ହେଲା ।
ଏଥର କନା ଲୁଗାଟାକୁ ସିଧାକରି ପିନ୍ଧିଲା ।
କିଛି ମୁହୂର୍ତ୍ତ ମଧ୍ୟରେ ଲୁଗାଟା ତା’ର କଳାମୁଗୁନି ପଥର ଭଳି ଶରୀରରୁ ଅଲଗା ହେଇଯିବ ।
ପାଦ ଫାଟି ରକ୍ତ ଝରିବ ।
ମନ୍ଦାର ହାରଟା ଛିଣ୍ଡି ଦାଣ୍ଡ ଅଗଣା ସାରା ବିଛେଇ ହେଇଯିବ ।
ସବୁ ବେଠିକ୍‌ ହେଇଯିବ ।
ଅନୁଭବୀ ବେପାରି ତା’ର ପ୍ରକୃତ ଗ୍ରାହକ ଚିହ୍ନିଲା ପରି ବେଠିକ୍‌ ଭିତରୁ ଠିକ୍‌ଟା ଯିଏ ଚିହ୍ନିପାରେ ସେ ହିଁ ଜୀବନର ଆନନ୍ଦ ନିଏ ।
ଛୋଟ ହସଟେ ତା’ ମୁହଁରେ ଖେଳିଗଲା ।
ଉଲ୍ଲାସର ହସ ।
ସିନ୍ଦୁରରୁ ଶକ୍ତି ପାଏ ରମେଇ ମାଁ’ ।
ରମେଇ ବାପା ଘରଛାଡ଼ି ଚାଲିଗଲାବେଳେ ରମେଇ ମାସକର ହୋଇଥିଲା ।
ଝାଟିମାଟି ଘର, ମା’ ଆଉ ପୁଅ ।
ଗାଁ ଲୋକେ କେତେ ରକମର ଉଡ଼ାକଥା କୁହନ୍ତି ।
ରମେଇ ମାଁ ର ପିଞ୍ଜରା ଭିତରେ ସେକଥା ଭେଦ କରେନି କିମ୍ବା ସିନ୍ଦୁର ଲଗାଇଲାବେଳେ ହାତ ଥରେନି ।
ପେଟର ଭୋକ ଭୟଙ୍କର ।
କାଙ୍ଗାଳମାନେ କ’ଣ ଜାଣିବେ ।
ସେମାନଙ୍କ ପେଟ ଖାଦ୍ୟରେ ପୂର୍ଣ୍ଣ ।
କେବଳ ଦେହ ଆଉ ମନର ଭୋକ ପାଇଁ ସେମାନେ ଆତୁର ।
ପେଟର ଭୋକ ଶାଖାପ୍ରସାଖା ମେଲାଇ ରକ୍ତମାଂସର ଶରୀରଟିକୁ ଛନ୍ଦି ପକାଏ ।
ଶରୀର ଖାଲି ଛଟପଟ ହୁଏ ।
ଫୁଟୁଥିବା ଗରମ ପାଣିରେ ଜୀବନ୍ତ କଙ୍କଡ଼ା ପରି ।
ଜୀବନଟା ଭୋକ ।
ରମେଇର ଢୋଲ ଶୁଭିଲାଣି ଦାଣ୍ଡ ଅଗଣାରୁ ।
ପୋଲିଓ ବେମାରି ଯୋଗୁଁ ଗୋଡ଼ ଦିଟା ଛଚିନ୍ଦ୍ରା ଭଳିଆ ସରୁ, ହେଲେ ହାତ ଯୋଡ଼ିକ ଶକ୍ତ ଆଉ ଚଳଚଞ୍ଚଳ ।
ଖୁବ୍‌ ସୁନ୍ଦର ଢୋଲ ବଜାଏ ରମେଇ ।
ଜୀବନରେ ଅନୁଭବଗୁଡ଼ିକ ତା’ ଢୋଲର ତାଳରେ ଜୀବନ୍ତ ହୋଇ ଉଠନ୍ତି ।
ବିଷାଦ, ଶୋକ, ଆନନ୍ଦ, କ୍ରୋଧ, ପ୍ରେମ ଆଉ ଭକ୍ତି.. ଏଇତ ଜୀବନ ।
ଦେବତାମାନେ ମଧ୍ୟ ଆଗ୍ରହୀ ଏଇ ଜୀବନର ସ୍ବାଦ ଚାଖିବାକୁ ।
ରମେଇ ଢୋଲ ବଜାଏ ମାଁ କୁ ଖୁସି କରିବାକୁ ।
ମାଁ ମୁହଁରେ ହସ ଦେଖିଲେ ତାକୁ ଲାଗେ ମାଁ କାନିରେ ପୃଥିବୀଟା ଅଜାଡ଼ି ଦେଲା ।
ପୃଥିବୀ, ସିଏ ଆଉ ମାଁ ଝୁମନ୍ତି ଆନନ୍ଦରେ ।
ଜୀବନଟା ସହଜ ।
ସକାଳର କଅଁଳ ଖରାରେ ଦାଣ୍ଡ ଅଗଣାଟା ସୁନେଲୀ ଦିଶିଲାଣି ।
ରମେଇ ମାଁ ପଦାକୁ ବାହାରି ଆସିଲା ମୁଖରେ ଏକ ଅପୂର୍ବ ଠାଣିର ମୁଖାପିନ୍ଧି ।
ରମେଇର ପଙ୍ଗୁଗୋଡ଼ ଉପରେ ଚକ୍ଷୁ ମୁହୂର୍ତ୍ତେ ପାଇଁ ସ୍ଥିରକରି ଆରମ୍ଭକଲା ନୃତ୍ୟ ।
ଢୋଲର ତାଳରେ, କ୍ରୋଧର ତାଣ୍ଡବ ।
ମଝିରେ ମଝିରେ ଚିତ୍କାର କରୁଥାଏ,
‘ଗାଁରେ ଏ ବର୍ଷ ବର୍ଷା ହବନି’
‘ସ୍କୁଲଘରେ ନିଆଁ ଲାଗିଯିବ, ସାବଧାନ୍‌’
‘କୁକୁଡ଼ା କାଇଁ ?’
ବୀର ଗୁଡ଼ିଆ ପୁଅ ପବନା ଆଖିକୁ ଏ ଅପ୍ରାକୃତିକ ଦୃଶ୍ୟ ଅଛପା ରହିଲାନି ।
ଅଣ୍ଟାରେ ଗାମୁଛାଟାକୁ ଭିଡ଼ିଦେଇ ଦଉଡ଼ିଲା ପ୍ରଚାର କରି କରି, ‘ରମେଇ ମାଁ କୁ କାଳସୀ ଲାଗିଲା ହୋ, …ପୁଣି ଲାଗିଲେ.. ।’
ଦିନୁମାଷ୍ଟ୍ରେ ପିଣ୍ଡାରେ ବସି ଖବରକାଗଜ ପଢ଼ୁଥିଲେ ।
ପବନାର କଥାଟା ଗୁଳି ଭଳିଆ ଭେଦ କରିଗଲା ତାଙ୍କ କାନରେ ।
ପାଟିରୁ ଅସ୍ପଷ୍ଟ ଭାବେ ବାହାରିଗଲା,
‘କ’ଣ ଏବେ ପା ଲାଗିଥିଲେ, ପ୍ରଳୟ ଆସନ୍ନ ତା’ହେଲେ ।’
ବିସ୍ମୟ ଆଉ ଭୟର ହାଲୁକା ଝଡ଼ଟେ ଗାଁରେ ବହିଗଲା ।
ମାଇପିମାନେ ଘରଦ୍ବାର ଅଣ୍ଡାଳି ପକେଇଲେ, ଚାଉଳ ଗଣ୍ଡେ କି ନଡ଼ିଆଟିଏ ପାଇଲେ ମାଁ ଙ୍କୁ ଅର୍ପଣ କରିବେ ।
ଚମ୍ପି ଖୁଡ଼ି ନଡ଼ିଆଟେ ଧରି ଝଅଟ ଝଅଟ ପାଦ ପକେଇଲା ।
ଏଥର ମାଁ ଙ୍କୁ ସବୁକଥା କହିବ ।
ତା’ର ତେର ବର୍ଷର ଝିଅ ‘ମିତୁ’ କଥା କହିବା ବନ୍ଦ କରିଦେଇଛି ।
ଦିନଯାକ ମାଟି କାନ୍ଥକୁ ରାମ୍ପୁଥାଏ ।
ମିତୁକୁ କଥା କୁହାଇବା ପାଇଁ ଚମ୍ପି ଖୁଡ଼ିର ସବୁଚେଷ୍ଟା ମିତୁର ନଖରମ୍ପା କାନ୍ଥକୁ ଲିପୁ ଲିପୁ ମାଟିରେ ମିଶିଯାଏ ।
ଆଖିରେ ଆଖିଏ ଲୁହ ।
ଏଥର ସବୁଠୁ ଆଗ ପହଞ୍ଚି ମାଁ’ଙ୍କୁ ମନର ବ୍ୟଥା କହିବ ।
ରମେଇ ମାଁ’ର ଘରଆଗେ କ୍ରମାଗତ ଭାବେ ଭିଡ଼ ଜମିଲାଣି ।
ଭିଡ଼ ସାଙ୍ଗରେ ତାଳଦେଇ ଉଠା ଦୋକାନ ଅଧ ଡଜନେ ଖଣ୍ଡେ ଖୋଲି ଯାଇଛି ।
ନଡ଼ିଆ, ଫୁଲ, ଧୂପ ଠାରୁ ଆରମ୍ଭ କରି ଚକୁଳି ପିଠା, ତରକାରୀ ପର୍ଯ୍ୟନ୍ତ ସବୁ ମିଳିବ ।
କାନ୍ଦୁରା ପିଲାଟା ପାଇଁ ବେଲୁନ୍‌ କିଣାର ମଧ୍ୟ ବ୍ୟବସ୍ଥା ଅଛି ।
କିଏ ଜାଣେ ମାଆ କେତେ ସମୟ ରହିବେ ।
ରମେଇ ମାଁ’ର ନୃତ୍ୟ ଭୟଙ୍କର ହୋଇଉଠିଛି ।
ଭକ୍ତମାନେ ସ୍ବୟଂକୁ ମାଁ’ଙ୍କ ପାଖରେ ସମର୍ପଣ କରି ତଳେ ଲୋଟି ଯାଇଛନ୍ତି ।
ମାୟାର ସମର୍ପଣ ସତ୍ୟ ସମ୍ମୁଖରେ ।
ରମେଇ ମାଁର ମଥାର ସିନ୍ଦୁର ମୁହଁସାରା ଲେସିହୋଇ ଗାଁ ଦେବତାଙ୍କ ସିନ୍ଦୁରବୋଳା ପଥର ମୁହଁ ପରି ମନେ ହଉଛି ।
ମୁଣ୍ଡରୁ ଝାଳ ଆଉ ପାଦ ଫାଟି ରକ୍ତ, ଅଗଣା ଧୂଳିରେ ମିଶି ଯାଉଛି ।
ଭକ୍ତମାନଙ୍କର ପ୍ରଶ୍ନ ଆଉ ଉତ୍ତର ଆଶାରେ ଉତ୍କଣ୍ଠା ।
ଭିଡ଼ ଭିତରୁ ଜଣେ ପଚାରିଲା, ‘ମାଁ–ରମେଇ ବାପା ଫେରିବ ତ ?’
ଏମିତିଆ ପ୍ରଶ୍ନରେ ଛାତି କୋରି ହୋଇଯାଏ ରମେଇ ମାଁ’ର ।
ପ୍ରଶ୍ନକୁ ବାଆଁରେଇ ଦେଇ କହିଲା, ‘ବାସ୍‌ ସେତିକି ।’
ରମେଇ ମାଁ ପରଘରେ କାମ କରି ପେଟ ପୋଷିଲେ ମଧ୍ୟ, ମାଁ ପୁଅ ଅନେକ ଦିନ ଓପାସ ରୁହନ୍ତି ।
ପେଟର ଭୋକ ମାରିବା ପାଇଁ ରଘୁବାବୁଙ୍କ ବାଡ଼ିରୁ ସଜନା ଛୁଇଁ ଚୋରି କରିବାଟା ଅପରାଧ ମାନେନି ରମେଇ ମାଁ କିମ୍ବା ରାତିରେ ଉଲଗ୍ନ ହୋଇ ଶୋଇବାଟା ଅସଭ୍ୟତା ନୁହେଁ ବରଂ ଗୋଟିଏ ବୋଲି ପିନ୍ଧା ଲୁଗାକୁ ବେସିଦିନ ଟାଣି ନବାର ଚେଷ୍ଟା ।
ଚେଷ୍ଟା ଏକ ସୁନ୍ଦର ପ୍ରୟାସ ଯାହା ମଣିଷର ଆଶାକୁ ହାତମୁଠାକୁ ଆଣିବାରେ ସାହାଯ୍ୟ କରେ ।
ଅନେକ ସମୟରେ ମଣିଷଟି ମନପ୍ରାଣ ଦେଇ ଚେଷ୍ଟା କରେ ।
ହେଲେ ହାତମୁଠା ଖୋଲିଲା ବେଳକୁ ଅଧା ଖଣ୍ଡିଆ ଆଶାକୁ ଭେଟେ ।
ଦୁଃଖ ପାଏ ।
ଏଇଟା ମାୟାର ଖେଳ ।
ମଣିଷଟି ତାହା ବୁଝି ପାରେନି ।
ରମେଇ ମାଁ’ର ଆପ୍ରାଣ ଚେଷ୍ଟାରେ, ରମେଇ ବଡ଼ ହୋଇଗଲା ସିନା କିନ୍ତୁ ତା’ର ଖଣ୍ଡିଆ ଗୋଡ଼ ଦିଟା ଛିଗୁଲେଇବା ଆରମ୍ଭ କଲେ ରମେଇ ମାଁ’କୁ ।
ଆଶାର ଖଣ୍ଡିଆ ରୂପ ।
ଗ୍ରାମ ଦେବତୀ ପୁଜାରୀ ହରି ମିଶ୍ର କେତେବାର କହିଛନ୍ତି, ‘ଆଲୋ- ଟୋକାଟାକୁ ମନ୍ଦିରରେ ବସେଇ ବଡ଼ ଖଣ୍ଡିଆ ଗୋଡ଼ ଦିଟା ଦେଖାଇଲେ କିଛି ତ ମିଳିବ ।
’ ପଣ୍ଡିତଙ୍କ ଭଳି ଶ୍ରେଷ୍ଟ ଲୋକଙ୍କ କଥା ଅମାନ୍ୟ କରିବା ଅପରାଧ ।
ରମେଇ ମାଁ ସେ ଅପରାଧ କରେ ।
ପଣ୍ଡିତେ ତାତ୍ସଲ୍ୟ କରି କୁହନ୍ତି, ‘ପୂର୍ବ ପାପରୁ ଗେରସ୍ତ ଛୁ…. ପୁଅ ଛୋଟା.. ପୁଣି ବହପ ଦେଖ ।’
ପଣ୍ଡିତଙ୍କ କଥାଟା ବିରୁଡ଼ି ଭଳିଆ କାନ ପାଖରେ ଭଁ ଭଁ ହୁଏ ।
ଚୁପ୍‌ ରହେ, କିନ୍ତୁ ରମେଇକୁ ଭିକ ମାଗିବାକୁ ଛାଡ଼େନି ।
ଜୀବନଟା ପ୍ରଶ୍ନ ।
ତା’ଅନ୍ତେ ରମେଇ ବଢ଼ିବ କେମିତି ।
ପ୍ରଶ୍ନଟି ହାତୁଡ଼ି ମାରିଲା ପରି ପିଟି ହଉଥାଏ ବାରମ୍ବାର ।
ଜୀବନଟା ଅଭିନୟ ।
ଗାଁରେ ଗୀତାପାଠ ବେଳେ ଖଣ୍ଡେ ଖଣ୍ଡେ ବାକ୍ୟ ତା’ କାନରେ ପଡ଼ିଛି ।
ସ୍ବୟଂ ଭଗବାନ ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କ ସଖା ଆଉ ସାରଥି ହୋଇଥିଲେ ।
ସେଟା ଅଭିନୟ ନୁହେଁ ଆଉ କ’ଣ ?
ସେ ଅଭିନୟ କରିବ ।
ମାଁ କାଳିସୀ ଲାଗିବାର ଅଭିନୟ ।
ବଞ୍ଚିବାର ଏଇ ନୂତନ ଉପାୟଟି ଆବିଷ୍କାର କଲାପରେ ରମେଇ ମାଁ ଆଉ ପଛକୁ ଫେରି ଚାହିଁନି ।
ଗୋଧନ ଆଉ ଅନ୍ନରେ ପୂରି ଉଠିଛି ଘର ।
ରମେଇର ଭବିଷ୍ୟତ ପ୍ରଶ୍ନବାଚିରୁ ଏକ ରଙ୍ଗୀନ୍ ସତ୍ୟକୁ ଋପାନ୍ତରିତ ହୋଇଯାଇଛି ।
ଧନ୍ୟ ସେ ଅଭିନୟ ।
ଆଶ୍ଚର୍ଯ୍ୟ ସେ ଅଭିନୟ ।
ସେ ସ୍ବପ୍ନକୁ ଭୁଲିଯାଏ ।
ରମେଇର ଢୋଲ ଶବ୍ଦହୀନ ହୋଇଯାଏ ।
ଶବ୍ଦହୀନ ପୃଥିବୀ ।
ଝୁଣା ଧୂଆଁ, ଧୂପ, ଘଣ୍ଟଘଣ୍ଟା, ଝାଳ ଆଉ ରକ୍ତ ।
ରମେଇ ମାଁ’ର ଶରୀର ଦୋହଲୁଥାଏ ଯେମିତି, ପ୍ରବଳ ଝଡ଼ରେ ଗ୍ରସ୍ତ ଗଛର ଡାଳଟିଏ ଦିଗହୀନ ଭାବେ ଦୋହଲିଲା ପରି ।
ଯେକୌଣସି ମୁହୂର୍ତ୍ତରେ କଟକଟ କରି ଭାଙ୍ଗି ପଡ଼ିବାଟା ବିଚିତ୍ର ନୁହେଁ ।
ଆକାଶକୁ ଚାହିଁଲା ରମେଇ ମାଁ ।
ମଧ୍ୟାହ୍ନ ସୂର୍ଯ୍ୟ ।
ପ୍ରଖର ଖରା ।
ଶୋଷରେ ତା’ ତଣ୍ଟି ଶୁଖିଗଲା ।
ଜୀନଟା ଶୋଷ ।
ସରାରେ ସଦ୍ୟ ବଳିପଡ଼ିଥିବା କୁକୁଡ଼ାର ରକ୍ତ ।
ଢକ ଢକ କରି ପିଇଗଲା ରମେଇ ମାଁ ସେ ରକ୍ତକୁ ।
ହେଲେ ମଧ୍ୟ ଶୋଷ ମେଣ୍ଟିଲାନି ।
ଶରୀରଟା କଚାଡ଼ି ହୋଇ ଲୋଟି ପଡ଼ିଲା ଭୂମିରେ ।
ରମେଇର ହାତ ସ୍ଥିର ହୋଇଗଲା ।
ଢୋଲ ଉପରେ ।
ଭକ୍ତମାନେ ଶୂନ୍ୟେ ଶୂନ୍ୟେ ଟେକିନେଲେ ରମେଇ ମାଁ’କୁ, ଆଉ ଯତ୍ନରେ ଶୁଆଇ ଦେଲେ ଖଟିଆ ଉପରେ ।
‘ମାଆ ବୋଧେ ଦେହରୁ ବାହାରି ଗଲେ’ ଚମ୍ପି ଖୁଡ଼ି କହିଲା- ଏକ ନିରାସିଆ ସ୍ବରରେ ।
ଆଉ ଜଣେ ଭିଡ଼ ଭିତରୁ କହିଲା, ‘ଏତେ ସମୟ ତ ରହିଲେ ।’
ଗାଁ ମାଇପିମାନେ ରମେଇ ମାଁ’ର ସେବାରେ ଲାଗିଯାଇଥାନ୍ତି ।
ରମେଇ ମାଁ ଦୀର୍ଘଶ୍ବାସଟିଏ ନେଲା ।
ଆଶ୍ବସ୍ତିର ।
ନିଶ୍ବାସ ତଳୁ କହିଲା, ‘ଜୀବନଟା ଚେଷ୍ଟା ନୁହେଁ… ଚେଷ୍ଟା ହିଁ ଜୀବନ ।’
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment