Commit 67514b00 authored by Nayan Ranjan Paul's avatar Nayan Ranjan Paul

Upload New File

parent 218693af
ଗାଁ-ବିଷୟରେ ରଚନା
ପ୍ରଫୁଲ୍ଲ କୁମାର ତ୍ରିପାଠୀ
ତା: ନଭେମ୍ବର୍ ୮, ୨୦୧୧
ମୂଳ ପୃଷ୍ଠା → ପ୍ରବନ୍ଧ →
ଗାଁ ବୋଇଲେ ସେଇ ଆମ୍ବତୋଟା, ସେଇ ଭଙ୍ଗାଫଟା ପୁଆଳ ଛାଦନକରା ଘର, ଗଦା ଗଦା ମାଟି, ଅନେକ ଢିପ, ଆହୁରି ଅନେକ ଖାଲ, ଶାଗୁଆ ପାଣିର ଗୋଟିଏ ପୋଖରୀ ଆଉ ଧୂଳି ରାସ୍ତା ।
ଆବର୍ଜନା, ଗୋବର-କୁଟା, କାଦୁଅ ।
ଧେତ୍‌ ! ଚମପିନ୍ଧା କଙ୍କାଳର ଦଳ ।
କିଏ ପିଣ୍ଡାରେ ବସି କାଶୁଛି ତ କିଏ ପର୍ଚ୍ଛିରେ ଗୋଟିଏ ଛିଣ୍ଡା ବୁନ୍ଧୁଆ ଗୁନ୍ଥା ଖଟରେ ଶୋଇ କୁନ୍ଥଉଚି, କୁହୁରୁଚି ।
କେହି କହିପାରିବେ ନାଇଁ ଆଜି କି ବାର, ଆଜି କେତେ ତାରିଖ ।
ଖାଇବା ପାଇଁ ଯାହାର ଲଙ୍କା ଲୁଣ ତେନ୍ତୁଳି ଟିକିଏ ବି ଅଭାବ, ପିନ୍ଧିବା ପାଇଁ ଲେଙ୍କଡ଼ା ଖଣ୍ଡେ ବି ନାହିଁ, ଯାହାକୁ ଘୋଡ଼ାଇହେଲେ ଦୃଶ୍ୟ ହୁଏ ସେମାନଙ୍କର ସବୁ ଗୋପନୀୟ ଅଙ୍ଗ ଓ ଅବୟବ…ସୃଜନର ଯନ୍ତ୍ରମାନ…ଖଣ୍ଡ ଖଣ୍ଡ ମେଞ୍ଚା ମେଞ୍ଚା ମାଂସ, ତାରି ଭିତରର ଶିରା ପ୍ରଶିରାରେ ରକ୍ତର ଲଗାମହୀନ ଦୌଡ଼ ନାହିଁ ।
କେହି କହିପାରିବେ ନାହିଁ, ଭାରତବର୍ଷ କେବେ ସ୍ବାଧୀନ ହେଲା ।
ସେମାନଙ୍କର ଜୀବନ ସରଳ, ନିରାଡ଼ମ୍ବର ।
ହେ ବ୍ୟବସ୍ଥାପକମାନେ ! ତୁମର ଚଶମା-କାଚରେ ସେ ବଳ କାହିଁ ଯେ ତୁମେ ସେମାନଙ୍କର ଅସଲ ଚେହେରା ଦେଖିପାରିବ ? ତୁମେ ତାଙ୍କର ଭାଗବତ ଟୁଙ୍ଗୀ, ପଦ୍ମପୋଖରୀ ଓ ମନ୍ଦମଳୟ ପ୍ରବାହିତ ଆମ୍ବ ବୁରେଇ କଥା କହି କହି ବାହାର ଲୋକଙ୍କୁ ଭଣ୍ଡାଇଛ ।
ଯାହା ବାସ୍ତବ ତାକୁ ଲଙ୍ଗଳା କରି ପ୍ରକାଶ କରିବାକୁ ଡର ।
ତେଣୁ ନିଜ କାନ୍ଧରୁ ଦାୟିତ୍ବର ବୋଝ ନେଇ ଅନ୍ୟର କାନ୍ଧ ଉପରେ ଲଦି ଦେଇ, ଗୋଟିଏ ରୋମାଣ୍ଟିକ୍‌ ଭାଷା ବିନ୍ୟାସରେ ନୁଖୁରା କଥାକୁ ସାଳଙ୍କୃତ କରି ତୁମେମାନେ କହୁଚ ଯେ ସେମାନେ ନିଷ୍କପଟ, ସରଳ, ସାଧୁ, ନିରାଡ଼ମ୍ବର, ଧର୍ମପରାୟଣ !
କେହି କହିପାରିବେ ନାହିଁ ରାଜଧାନୀ କେଉଁଠି ଓ ସେଠି ଯାଇ ପହଁଞ୍ଚିବାକୁ କେତେ ସମୟ ଦରକାର ।
ଲାଜ ନାହିଁ ତୁମ ମୁହଁରେ ? ଦିନ ଦିନ ଧରି ଯୁକ୍ତି କରୁଛ ଯେ ସେମାନେ ମରୁଛନ୍ତି କିପରି… ଅନାହାର ନା ଅଳ୍ପାହାର ?
ତୁମଦ୍ବାରା ନିଯୁକ୍ତ, ପ୍ରତିପାଳିତ ଓ ପ୍ରମୋଶନ-ପ୍ରତ୍ୟାଶୀ ଡାକ୍ତର କ’ଣ ଏଇ ସାମାନ୍ୟ ଟିକିଏ କଥା ବି ଜାଣିନାହିଁ ଯେ, ଭୋକ ମଧ୍ୟ ଗୋଟିଏ ରୋଗ ଓ ଦାରିଦ୍ର୍ଯ ମଧ୍ୟ ଏକ ବ୍ୟାଧି ?
ସେମାନେ ମରନ୍ତି-ଝାଡ଼ାବାନ୍ତି/ଖଇଫୁଟା ତାତି/ଜର/କାଶ/ବାତ ।
ଚିକିତ୍ସା ଶାସ୍ତ୍ର ବୋଇଲେ ଯେ ଜମାରୁ କିଛି ବୁଝେନା, ସେ ଏଇ ସବୁ କାରଣ ଦିଏ, ନହେଲେ ଉପରକୁ ହାତ ଦେଖାଇଦିଏ ।
ହେଲେ ମୁଁ ଜାଣେ ଓ ତୁମେମାନେ ବି ଜାଣ ଯେ, ସେମାନେ ଟ୍ୟୁବରକ୍ୟୁଲୋସିସ୍‌, ପେପ୍‌ଟିକ୍‌ ଅଲ୍‌ସର୍‌, ପାରାଲିସିସ୍‌, ସେରିବ୍ରାଲ୍‌ ଇନ୍‌ଫେକ୍‌ସନ୍‌, କ୍ୟାନସର୍‌ ଓ ଟ୍ୟୁମର… ଏ ସବୁ ସହ ଲଢ଼ି ଲଢ଼ି ମରନ୍ତି ।
କେହି କହିପାରିବେ ନାହିଁ, ଭାରତକୁ କିଏ ମନେରଖିଚି ବନ୍ଧୁଗଣ ! ବ୍ୟବସ୍ଥାପକମାନେ ସରକାରୀ କର୍ମଚାରୀମାନଙ୍କର ଗୋଲାମ ହୋଇ ଓ ସରକାରୀ କର୍ମଚାରୀମାନେ ବ୍ୟବସ୍ଥାପକ, ମନ୍ତ୍ରୀ ଓ ବ୍ୟବସାୟୀମାନଙ୍କର ଗୋଲାମ ହୋଇ ସବୁ ପାଶୋରି ଦେଇଛନ୍ତି, ଭୁଲିଯାଇଛନ୍ତି ।
ମୋ ଗାଁର ଲୋକମାନେ ଆପତ୍ତି, ଅଭିଯୋଗ ଓ ପ୍ରତିବାଦ କିପରି କରିବାକୁ ହୁଏ ଜାଣନ୍ତି ନାହିଁ ।
ଚରମପତ୍ର ଓ ଧର୍ମଘଟ ନୋଟିସ କେଉଁ ଭାଷାରେ ଲେଖିବାକୁ ହୁଏ ଜାଣନ୍ତି ନାହିଁ ।
ମୋ ଗାଁରେ ଗତ ପଚାଶ କି ଶହେ ଦୁଇଶହ ବର୍ଷ ମଧ୍ୟରେ ଗୋଟିଏ ବି ଶୋଭାଯାତ୍ରା ବାହାରିନାହିଁ ।
କେହି କେବେ ଦିନେ ପ୍ଳାକାର୍ଡ଼ ଧରି ସ୍ଳୋଗାନ୍‌ ଦେଇନାହିଁ, କି କାନ୍ଥବାଡ଼ରେ ପୋଷ୍ଟର ମାରିନାହିଁ, ବିକ୍ଷୋଭ ପ୍ରଦର୍ଶନ କରିନାହିଁ, ଧାରଣା ଦେଇନାହିଁ ।
ହଁ, ମାସକୁ ଦୁଇ ଚାରିଟା କିମ୍ବା ସମୟ ପଡ଼ିଲେ ଆଠ ଦଶଟା ଶବଯାତ୍ରା ବାହାରେ ।
ତାଙ୍କ ପାଖରେ କୋକେଇ ସଜାଇବାକୁ ଫୁଲ ନାହିଁ କି କଦଳୀଗଛ ନାହିଁ ।
ରାସ୍ତାରେ ବିଞ୍ଛିବାକୁ ଖଇ ନାହିଁ କି ତମ୍ବା ପଇସା ନାହିଁ ।
ବେଳେବେଳେ ଜାଳିବାକୁ କାଠ ବି ନାହିଁ ।
ମୁଁ ଶବଯାତ୍ରାରେ ବାରମ୍ବାର ସାମିଲ ହେଉଛି ।
ଖଟ ବୋହି ବୋହି ମୋର କାନ୍ଧରେ ବିଣ୍ଡି, ଚାଲି ଚାଲି ପାଦରେ ଫୋଟକା ।
ତଥାପି ମୋର କ୍ଳାନ୍ତି ନାହିଁ ।
ମୁଁ ତୁମକୁ କିଛି ମାଗୁ ନାହିଁ ।
ଅଳି ଅର୍ଦ୍ଦଳି କରୁନାହିଁ ।
ଧମକ ଦେଉନାହିଁ କି ଘେରାଉ କରୁନାହିଁ ।
କ୍ଷୁଧାହିଁ ମୋର ପ୍ରସାଦ ।
ଶରୀରରେ ଘା’ ଓ ଗୋଦର ମୋର ଆଭୂଷଣ ।
ଡର ନାହିଁ ।
ଏମିତି ଶଙ୍କି ଯାଅ ନାହିଁ ।
ମୁଁ କେବଳ ମୋ ଗାଁ ବିଷୟରେ ଗୋଟିଏ ରଚନା ଲେଖୁଚି ।
ନୂଆକରି ଥରେ ପରୀକ୍ଷା ଦେଉଛି ।
ସ୍କୁଲରେ ପଢ଼ିଲାବେଳେ ଏଭଳି ଏକ ରଚନା ଲେଖିବାକୁ କହିଥିଲେ ଆମର ସାହିତ୍ୟ-ମାଷ୍ଟ୍ରେ ।
ମୁଁ ଲେଖିଥିଲି-ଭାରତ ଏକ ଗ୍ରାମବହୁଳ ଦେଶ ।
ଭାରତର ଅସଂଖ୍ୟ ଗ୍ରାମ ମଧ୍ୟରୁ ଆମର ଗ୍ରାମ ଅନ୍ୟତମ ।
ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସି ।
ମୋର ଗାଁ ମୋର ମା’ ତୁଲ୍ୟ ।
ଆମ୍ଭ ଗ୍ରାମର ପାଞ୍ଚଶହ ଆବାଳବୃଦ୍ଧ-ବନିତା ବାସ କରନ୍ତି ।
ଆମ୍ଭ ଗ୍ରାମର ଚତୁର୍ଦ୍ଦିଗରେ ଶସ୍ୟଶ୍ୟାମଳା କୃଷିକ୍ଷେତ୍ର ବିରାଜିତ ।
ଆମ୍ଭ ଗ୍ରାମ ପାର୍ଶ୍ବରେ କୁଳୁକୁଳୁ ନାଦ କରି ଏକ ତଟନୀ (ମିଛ କଥା, ସେଇଟା ଗୋଟେ ନାଳ, ସବୁଦିନେ ଶୁଖିଲା) ପ୍ରବାହିତା ।
ଆମ ଗ୍ରାମର ଅଧିକାଂଶ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇ ଜୀବନଯାପନ କରନ୍ତି ।
ଆମ୍ଭ ଗ୍ରାମରେ ଗୋଟିଏ ବିଦ୍ୟାଳୟ ଗୃହ, ଗୋଟିଏ ଡାକଘର, ଗୋଟିଏ ଅବସର ବିନୋଦନ କେନ୍ଦ୍ର…
ଏଭଳି ଏକ ତିନିପୃଷ୍ଠିଆ ରଚନା ଲେଖି ସେଥର ମୁଁ ପାଇଥିଲି ଦଶରୁ ସାତ ମାର୍କ-ଶ୍ରେଣୀରେ ପ୍ରଥମ ।
ସେଥର ମୋତେ ନିଜ ଟେବୁଲ କଡ଼ରେ ଠିଆକରାଇ ମୋର ପିଠି ଥାପୁଡ଼ାଇ ସାହିତ୍ୟ-ମାଷ୍ଟ୍ରେ ସମଗ୍ର ଶ୍ରେଣୀ ସମ୍ମୁଖରେ ଘୋଷଣା କରିଥିଲେ-ବାଃ, କି ଚମତ୍କାର ଭାଷା ! ଦେଖିବ, ଭବିଷ୍ୟତରେ ଇଏ ଜଣେ ବଡ଼ ସାହିତ୍ୟିକ ହେବ ।
ମାଷ୍ଟ୍ରେ ଆଜ୍ଞା !
ଆପଣ ଏଇନେ କେଉଁଠି ମୁଁ ଜାଣେନା; କିମ୍ବା ହୁଏତ ଆପଣ ଅବସର ନେଇସାରି ଏଣିକି ପ୍ରତିଦିନ ଖବରକାଗଜ-ରାଜନୀତି ଚର୍ଚ୍ଚା କରୁଥିବେ, ନହେଲେ, ତାସ୍‌ ଖେଳୁଥିବେ ।
ଆଜି ଏତେ ବର୍ଷ ପରେ ଆପଣଙ୍କୁ ମୋର ଗୋଟିଏ କଥା ପଚାରିବାର ଅଛି ।
କ’ଣ କେବଳ ଚମତ୍କାର ଭାଷା ବଳରେ କେହି ସାହିତ୍ୟିକ ହୋଇପାରେ ? ମିଛ କଥା ।
ଆପଣ ହେଲେ ମୋତେ ଦଶରୁ ସାତ ନ ଦେଇ ଶୂନ୍‌ ଦେଇଥାନ୍ତେ ! ମୋର କାନମୋଡ଼ି ମୋତେ ଦୁଇ ଚାପୁଡ଼ା ମାରିଥାଆନ୍ତେ ।
ପିରିଅଡ଼ ଶେଷ ହେବାଯାଏ ଆଣ୍ଠୁଭରା ଦେଇ ଠିଆହୋଇ ରହିବାକୁ କହିଥାନ୍ତେ ।
ତା’ ହୋଇଥିଲେ ହୁଏତ ମୁଁ ଭାଷାକୁ ପୁଞ୍ଜି ନ କରି ଅନୁଭୂତିକୁ ପୁଞ୍ଜି କରି ମୋର ସାହିତ୍ୟ-ସାଧନା ଆରମ୍ଭ କରିଥାନ୍ତି ।
କ’ଣ ଥିଲା ସେ ରଚନାରେ ?
ପୁଣି କଲେଜରେ ପ୍ରଥମବର୍ଷ ଇଂଲିଶ ସାର୍‌ କହିଲେ-‘ରାଇଟ୍‌ ଆନ୍‌ ଏସେ ଅନ୍‌ ୟୋର୍‌ ଭିଲେଜ୍‌ ।
ଲେଖିଥିଲି, ସେ ସବୁର ଇଂଲିଶ ଅନୁବାଦ କରି ବସିଲି-
ସେଥର ପାଇଲି ଦଶରୁ ଦେଢ଼ମାର୍କ ।
ମୋ ଆଡ଼କୁ ଖାତାଖଣ୍ଡିକ ଫିଙ୍ଗିଦେଇ ଇଂଲିଶ ସାର୍‌ କହିଥିଲେ- ୟୋର ଲେଙ୍ଗୁଏଜ୍‌ ଇଜ୍‌ ଡିପ୍ଳୋରେବ୍‌ଲି ପୁଅର୍‌ ।
ଏବେ ହୋଇଥିଲେ ମୁଁ କହିଥାଆନ୍ତି-ଦେଟ୍‌ ଇଜ୍‌ ନଟ୍‌ ମାଇଁ ଲେଙ୍ଗୁଏଜ୍‌, ସାର୍‌; ଦେଟ୍‌ ଇଜ୍‌ ଇଂଲିଶ୍‌, ଲେଙ୍ଗୁଏଜ୍‌ ଅଫ୍‌ ଦି ପିପଲ୍‌ ଅଫ୍‌ ଇଂଲଣ୍ଡ ।
ମାତ୍ର ସେଥିର କିଛି ନକହି ମୁଁ କାନମୁଣ୍ଡା ଆଉଁଷି ଆଉଁଷି ଚୁପ୍‌ ରହିଥିଲି ।
ଉଭୟ ଥର ଗୋଟିଏ କଥାହିଁ କହିଥିଲି ।
ଗୋଟିଏ ସେଇ ଏକା ବିଷୟରେ ହିଁ ରଚନା ଲେଖିଥିଲି ।
ଉଭୟ ରଚନା ଥିଲା ମିଛ ।
ତେଣୁ ଆଜି ପୁଣି ଥରେ ନୂଆ କରି ଏ ରଚନା ଲେଖିବାକୁ ପଡୁଛି ।
ସେଦିନର ଇଂଲିଶ ସାର୍‌ ଆଜି ମୋର ସହକର୍ମୀ ।
ପ୍ରକୃତ ଅର୍ଥରେ ମୁଁ ଜଣେ ସାହିତ୍ୟିକ ହୋଇପାରିଛି ନାହ ନାହିଁ ଜାଣେନା ।
କିନ୍ତୁ ଯଦି ହୋଇଛି, ତାହେଲେ ଇଂଲିଶ୍‌ ସାରଙ୍କ ଯୋଗୁଁ ।
ସେ ହିଁ ମୋତେ ବୁଝାଇଦେଇଥିଲେ ଯେ ସାହିତ୍ୟ ପାଇଁ ସୁନ୍ଦର ଭାଷା ଅନାବଶ୍ୟକ ।
ଯାହାସବୁ ଆଗରୁ ଦେଖି ଏକପ୍ରକାର ଧାରଣା କରିଥିଲେ, ସେସବୁ ଏବେ ଦେଖିଲେ ମୋର ସେଇ ପୂର୍ବ ଧାରଣାମାନ ବଦଳିଯାଉଛି ।
ପିଲାବେଳେ ଗାଁରେ ଥିଲି ।
ଭଲ ଲାଗୁଥିଲା ।
କୌଣସି ଆପତ୍ତି ଅଭିଯୋଗ ନଥିଲା ।
ମାତ୍ର ଏବେ ? ଏବେ ନୂଆ କରି ଗାଁ’କୁ ଦେଖି ମୋର ସବୁ ପୂର୍ବଧାରଣା ଖିନ୍‌ଭିନ୍‌ ହୋଇଯାଉଛି ।
ଗାଁ ବଦଳିଯାଇଛି ନା ମୁଁ ନିଜେ- ଠିକ୍‌କରି ବୁଝିପାରୁନାହିଁ ।
ଗାଁ ।
ଦିନବେଳେ ମାଛି ।
ରାତିବେଳେ ମଶା ।
ସବୁବେଳେ ମୁଷାଙ୍କ ଉତ୍ପାତ ।
କିନ୍ତୁ ଆଉ କ’ଣ ଅବଶିଷ୍ଟ ଅଛି ଯେ ଖାଇବେ ମୁଷାମାନେ ? ସେଠାକୁ ଯିବାକୁ ଇଚ୍ଛାହୁଏ ନାହିଁ, ମାତ୍ର ଯିବାକୁ ପଡ଼େ ।
ଏଥର ମୁଁ ସେଠି ପହଞ୍ଚିବାର ଦୁଇଟି ଘଣ୍ଟା ବି ବିତିନାହିଁ, ଦଳେ ସମବୟସୀ ଆସି ମାଗିଲେ ଚାନ୍ଦା ।
ମୁଁ ପଚାରିଲି-କେଉଁଥିପାଇଁ ?
ଛିଟକନାର ଲୁଙ୍ଗି ପିନ୍ଧିଥିବା ଓ କାନ୍ଧ ଉପରେ ଗୋଟେ ଟର୍କିସ ଟାୱାଲ ଘୋଡ଼ାଇ ହୋଇଥିବା ଯୁବକ ଜଣକ କହିଲା- ଆପଣ ତ ବାହାରେ ରହିଲେ, ଏଠିକା ଦୁଃଖ କ’ଣ ବୁଝିବେ ? ଏଠି ଆଉତ ଆଉ, ବସାଉଠା କରିବାକୁ, ତାସ୍‌ ଖେଳିବାକୁ ସୁବିଧା ଜାଗାଟିଏ ବି ନାହିଁ ।
ସେଥିପାଇଁ ଗୋଟେ ମନ୍ଦିର ଗଢୁଛୁ ।
ମୁଁ ହସିଲି ।
ପଚାରିଲି-ଆଉ ତୁମର ଦିଅଁ ?
-କେଉଁଠୁ ଗୋଟେ ନେଇଆସିବୁ ।
ମୁଁ ସେମାନଙ୍କୁ ଦଶଟି ଟଙ୍କା ଦେଲି ।
ସେମାନେ ମାନିଲେ ନାହିଁ ।
ପଚିଶ ନେବାକୁ ଜିଦ୍‌ କଲେ ।
ମୁଁ ସେମାନଙ୍କୁ ଦଶ ଉପରେ ଆହୁରି ପାଞ୍ଚଟି ଟଙ୍କା ଦେଲି ।
ସେମାନେ ଫେରିଗଲେ ।
ପରେ ଶୁଣିଲି ଯେ, ସେଇ ଯେଉଁ ଛିଟକାନାର ଲୁଙ୍ଗି ପିନ୍ଧିଥିବା ଯୁବକଟି ପାଞ୍ଚଥର ପରୀକ୍ଷା ଦେଇ ବି.ଏ. ପାଶ୍‌ କଲାପରେ, ସହରରେ କଣ ଗୋଟେ ଚାକିରି କରୁଥିଲା ।
ଜାଲ୍‌ ଟ୍ରେଜେରୀ ଚାଲାନ୍‌ କାରବାରରେ ଧରାପଡ଼ି ସସ୍‌ପେଣ୍ଡ ହୋଇ ଏବେ ଗାଁରେ ବସିଛି ।
ମଦନ ପଣ୍ଡାଙ୍କ ପୁଅ ।
ଯେଉଁ ସ୍ଥାନରେ ଆମର ଘର ଥିଲା, ଯେଉଁଠି ମୁଁ ଜନ୍ମ ହୋଇଥିଲି, ଗତଥର ଆସିଥିଲି ଯେ ତା’ର ଢାଞ୍ଚାଟା ବାରିହେଉଥିଲା; ମାତ୍ର ଏଥର ଦେଖିଲାବେଳକୁ ସେଠି ଏକ ବିରାଟ ଅମରୀ ବଣ ।
ଯେଉଁ ପୋଖରୀରେ ମୁଁ ପ୍ରତିଦିନ ଗାଧୋଉଥିଲି, ତା’ର ଆଡ଼ିରେ ଥିଲା ଏକ ବିରାଟ ବରଗଛ ।
ସେଠି ଆମେ ଦିପହର ସାରା ଛୁରର୍‌ ଧରି ଦୋଳି ଖେଳୁଥିଲୁ, ଡାହିମାଙ୍କୁଡ଼ି ଖେଳୁଥିଲୁ ।
କଚଡ଼ା ଖାଉଥିଲୁ ।
ଏଥର ଦେଖିଲାବେଳକୁ ତାହା ଏକ ସର୍ବସାଧାରଣ ପାଇଖାନା ।
ପୋଖରୀ ଆଡ଼ିରେ ଠିଆ ହେଲେ ପଙ୍କଗନ୍ଧ, ଡିମିରି ଗନ୍ଧ, ମଣିଷ ମଳଗନ୍ଧ, ମଲା ବେଙ୍ଗ ଗନ୍ଧ, ଭିଜା କାଉଁରିଆ ପଟ ଗନ୍ଧ-ନାନାଦି ଗନ୍ଧ ଭିତରେ ମାଟିର ଗନ୍ଧ, ଫୁଲର ଗନ୍ଧ, କଇଁନାଡ଼ର ଗନ୍ଧ, ଧୂପ, ଚନ୍ଦନ ଓ ଝାଳର ଗନ୍ଧ କୁଆଡ଼େ ହଜିଗଲାଣି ।
କେହି କହିପାବେ ନାହିଁ, ଉଡ଼ିଯାଇଥିବା ପକ୍ଷୀମାନଙ୍କର ଠିକଣା ।
ସ୍କୁଲର ପାଚେରି କାନ୍ଥଟା ଲୋକଙ୍କର ପରିଶ୍ରାଧାରରେ ଚିତ୍ରିତ ।
ସେ ପାଖରେ ବସ୍‌ ଅଟକେ ।
ସ୍କୁଲର ମାଷ୍ଟ୍ର ଗୋଟେ ଶାଇଲକ୍‌ ।
ଟଙ୍କାକୁ ମାସୱାରୀ ଦୁଇଅଣା ସୁଧ ନେଇ ତା’ର ଶ୍ବାସରୋଗିଣୀ ସ୍ତ୍ରୀ ପାଇଁ ସୁନା ଅଳଙ୍କାର ଗଢ଼ିବାରୁ ଫୁରସତ୍‌ ମିଳୁନାହିଁ ।
ଯେଉଁ ଶୁକ୍ରୀ କେଉଟୁଣୀଠାରୁ ମୁଁ ମୁଢ଼ିମୁଆଁ, ଉଖୁଡ଼ା, ରାଶିଲଡୁ ଓ ଚାରମଞ୍ଜି ଖଜା କିଣୁଥିଲି, ସେ ଆଜିକାଲି ବିକୁଛି କେବଳ କନ୍ଦମୂଳ ସିଝା ।
ଗାଁ ବାହାରେ ସ୍କୁଲ ପାଖରେ ଅବଶ୍ୟ ଗୋଟେ ନୂଆ ଦୋକାନ ଖୋଲିଛି ।
ସେଠି ପାନ ମିଳେ, ବିଡ଼ି, ଗୁଡ଼ାଖୁ, ଲଜେନ୍‌ସ ମିଳେ ।
ଜାଣିଲା ଚିହ୍ନିଲା ଲୋକଙ୍କୁ ଗଞ୍ଜେଇ ମିଳେ ।
ନାଳ ପାଖରେ ଗୋଟେ ଛୋଟ କୁଡ଼ିଆ ଘରେ ମଦ ମଧ୍ୟ ମିଳେ ।
ଏ ମଧ୍ୟରେ ଗାଁରେ କିଛିଟା ପରିବର୍ତ୍ତନ ହୋଇଛି ।
ନର୍ମଦାନାନ୍ମୀ ଜଣେ ଏକାକିନୀ ବିଧବା ବ୍ରାହ୍ମଣୀର ଘରେ ପ୍ରତି ରାତିରେ ‘କୃଷ୍ଣ ଗୁରୁ’ କୀର୍ତ୍ତନ ହେଉଛି ।
ସେଠି ଗାଁର ସବୁ ବିଧବା, ଛାର୍‌ରୀ ଓ ଡିଣ୍ଡା ଟୋକାଙ୍କ ଭିଡ଼ ।
ସହରରେ ଯେତେବେଳେ ସେକେଣ୍ଡ ଶୋ’ ସିନେମା ଭାଙ୍ଗେ ସେତେବେଳେ ଏଠି ଏମାନଙ୍କର କୀର୍ତ୍ତନ ମଧ୍ୟ ଭାଙ୍ଗେ ।
କୁଷ୍ଠରୋଗ ନିବାରଣ ବିଭାଗର ଜଣେ ମହାପାତ୍ର ଅଛି, ମାତ୍ର ସେ ପ୍ରକୃତରେ ଗୋଟେ ମାରୁ ।
ଏକ୍‌ଜିମା ଆଉ କୁଷ୍ଠ ମଧ୍ୟରେ ଫରକ୍‌ କ’ଣ ଜାଣେ ନାହିଁ ।
ଅଥଚ ମେଜିକ୍‌ ଲଣ୍ଠନ ପାଇଁ ଥିବା ପେଟ୍ରୋମାକ୍‌ସ ଲାଇଟ୍‌ ବିବାହ-ବ୍ରତାଦି କର୍ମରେ ଭଡ଼ାଦେଇ ପଇସା ଅସୁଲ କରେ ।
କହେ-ଏ ଅନ୍ଧକାରମୟ ଗାଁକୁ ଆଲୋକିତ କରୁଛି ମୁଁ ।
ଦୁଇବର୍ଷ ଖଣ୍ଡେ ହେବ କିଏ ଗୋଟେ ସାମଲ କି ସାସମଲ କି ବିଶ୍ବାଳ ବୋଲି ଜଣେ ନୂଆ ଲୋକ ଆସିଛି ।
ପାଖ ଗାଁରେ ସେ ଶିକ୍ଷକ ଓ ବହୁ ଭାଷା କହେ ।
ଆମ ଗାଁରେ ରହୁଚି ଓ ବେଲନାମ୍ନୀ ଗୋଟିଏ ଗଉଡୁଣୀ ଟୋକୀକୁ ‘ରଖିଚି’ ।
ଚେରହୀନ ମଣିଷଟାଏ ।
ଖରାଛୁଟିରେ ମଧ୍ୟ କୁଆଡ଼େ ବାହାରକୁ ଯାଏନାହିଁ ।
ଶମ୍ଭୁପ୍ରସାଦ ଶର୍ମା ବୋଲି ଆଉ ଜଣେ ନୂଆ ଲୋକ ମଧ୍ୟ ଆସିଛି ।
ଏଇ ଦୁଇବର୍ଷ ମଧ୍ୟରେ ଗାଁମୁଣ୍ଡରେ ଖଣ୍ଡେ ପକ୍‌କା ଘର ବି କଲାଣି ।
ସେ ବ୍ୟବସାୟ କରେ ।
ତା’ ଘର ସାମ୍ନାରେ ସବୁବେଳେ ଗୋଟେ ଦି’ଟା ସହର-ମୁହାଁ ଟ୍ରକ୍‌ ଓ ଗାଁ-ମୁହାଁ ବଳଦଗାଡ଼ି ଠିଆହୋଇଥାନ୍ତି ।
ଧାନ, ଚାଉଳ, କାଉଁରିଆ ପଟ କିଣେ ଓ ତେଲ, ସାବୁନ, ଚିନି, ଚା, ନିରୋଧ ଆଦି ବିକେ ।
ଗାଁର ଅଧିକାଂଶ ଘରୁ ଗହଣା ଓ ବାସନସବୁ ତା’ ପାଖରେ ବନ୍ଧା ପଡ଼ିଛି ।
ମୁଁ ଯୁବକମାନଙ୍କୁ ପଚାରିଲି- ଏ ଶର୍ମା କେତେ ଚାନ୍ଦା ଦେଲା ? ସେମାନଙ୍କ ମଧ୍ୟରୁ ଜଣେ କହିଲା- ଏବେ କିଛି ଦେଇନାହିଁ, ମନ୍ଦିର ତୋଳା ହେଲା ପରେ ଗୋଟେ ଦିଅଁ ଆଣିଦେବ ବୋଲି କହୁଚି ।
ଆଉଜଣେ କହିଲା-ବସ୍‌ଷ୍ଟାଣ୍ଡରୁ ଗାଁ ପର୍ଯ୍ୟନ୍ତ ରାସ୍ତାଟି କିନ୍ତୁ ସେ କରାଇଛି ।
ପୁଣି ଜଣେ କହିଲା-ତହିଁରେ ଆମର ଲାଭ କ’ଣ ? ସେ ରାସ୍ତା ତ ତା’ ଟ୍ରକ୍‌ ପାଇଁ କରିଛି ।
ମୋତେ ପୁଣି ଥରେ ହସମାଡ଼ିଲା ।
ସବୁ ଇଲ୍ଲିସିଟ୍‌ ।
ସବୁ ଅବୈଧ ।
ସବୁ ଗର୍ହିତ ।
ଗୋଟିଏ ଜାରଜ ଜୀବନ ଶୈଳୀରେ ମୋ ଗାଁର ଦିନ ଓ ରାତିମାନ ବିତିଯାଉଛି ।
ପ୍ରତି ରବିବାର ଦିନ ତ୍ରିନାଥ ମେଳା ।
ପ୍ରତି ବର୍ଷ ଭାଇଜିଉଁତିଆ, ପୋ-ଜିଉଁତିଆ, ନୂଆଁଖାଇ ଓ ପୁଷ୍‌ପୁନି ।
ଗୋଟିଏ ବିରାଟ ଅବକ୍ଷୟର ଗଳିତ ଅଙ୍ଗ ମୋର ଗାଁ ।
ସବୁ ରୁକ୍ଷ, ଶୁଖିଲା, କଣ୍ଟକିତ ।
ତଥାପି ସେମାନେ ସରଳ ନିରାଡମ୍ବର ।
ଠକ ନୁହଁନ୍ତି, ଚାଲାକ ଚତୁର ନୁହଁନ୍ତି, ଧୂର୍ତ୍ତ ନୁହଁନ୍ତି ।
ମାତ୍ର ଖାଇବା ଲାଗି ଯଥେଷ୍ଟ ଥାଇ ମଧ୍ୟ ସ୍ବେଚ୍ଛାରେ ଯେ ଅଖିଆ ରହେ ସେ ସିନା ଉପବାସ କରେ ବୋଲି କହିବା; ଖାଇବାକୁ ନ ପାଇ ଯିଏ ଭୋକରେ ରହେ ସେ କ’ଣ କରେ ?
ଯେଉଁଠି ଭିକାରୀ ସଂଖ୍ୟାହୀନ, ସେଠି ଚୋର ମିଳିବେ କାହୁଁ ? କିଏ ନେବ ଓ କାହାଠାରୁ ନେବ ? କ’ଣ ନେବ ? କାହାର ଟେଲିଫୋନ୍‌ ନମ୍ବର ହୋଇଥିଲେ କିମ୍ବା କୌଣସି କଠିନ ଶବ୍ଦର ଅର୍ଥ ହୋଇଥିଲେ ଟେଲିଫୋନ୍‌ ଡାଇରେକ୍ଟରି କିମ୍ବା ଅଭିଧାନର ପୃଷ୍ଠା ଖେଳାଇ ମୋ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଥାନ୍ତି ।
ମାତ୍ର ନା, ଏ ଯେଉଁ ସବୁ ପ୍ରଶ୍ନ ମୋ ଭିତରେ ବାରମ୍ବାର ଢେଉପରି, ହାତୁଡ଼ି ମାଡ଼ ପରି ପିଟିହେଉଛି, ତହିଁର ଉତ୍ତର ନାହିଁ-କୌଣସିଠାରେ ନାହିଁ ।
ରାତିହେଲା ।
ଆଗ ରାତି ହେଲେ ଅନେକ କୁକୁର ଭୁକୁଥିଲେ ।
ଏବେ ସବୁ ନିଃଶବ୍ଦ ।
ଗାଁରୁ କୁକୁରମାନେ ବି ଚାଲିଗଲେଣି; କାରଣ ସେମାନଙ୍କୁ ଖାଇବା ଲାଗି ଆଉ କିଛି ମିଳୁନାହିଁ ।
ମଣିଷମାନେ ହିଁ ଚାଟିଚୁଟି ସବୁ ସଫାକରି ଦେଉଛନ୍ତି ।
ସମସ୍ତେ ଚାଲି ଯାଉଛନ୍ତି ।
ପିଲାମାନେ : ପାଠ ପ‍ଢ଼ିବା ପାଇଁ, ମୂଲ ଖଟିବା ପାଇଁ ।
ବୟସ୍କମାନେ : ଚାକିରି ପାଇଁ, ମୂଲ ଖଟିବା ପାଇଁ ।
ଯୁବତୀମାନେ : ବେଶ୍ୟା ହେବା ପାଇଁ, ମୂଲ ଖଟିବା ପାଇଁ ।
ବୁଢ଼ାମାନେ : ଚିକିତ୍ସିତ ହେବା ପାଇଁ, ମୂଲ ଖଟିବା ପାଇଁ ।
ସମସ୍ତେ ଚାଲିଯାଉଛନ୍ତି ।
ଯେଉଁମାନେ ମାୟାମମତାର ବନ୍ଧନ ଟିକକ ଛିଡ଼ାଇ ପାରୁନାହିଁନ୍ତି, ସେମାନେ ଜଣେ ଜଣେ ବୁଢ଼ା ଚୌକିଦାର ।
ପୈତୃକ ଆବାସମାନଙ୍କର ଧ୍ବଂସାବିଶେଷକୁ ନିର୍ଲଜ୍ଜ ଭାବରେ ଜଗିରହିଛନ୍ତି ।
ରାତିହେଲା ।
ବସ୍ତୁତଃ ଆମ ଗାଁରେ ରାତି ହେଲା ବୋଲି ଅଧିକାଂଶ ଲୋକ ଜାଣିପାରନ୍ତି ନାହିଁ ।
ସନ୍ଧ୍ୟା ସୁଦ୍ଧା ସମସ୍ତଙ୍କର ଖିଆପିଆ ଶେଷ ।
ରାତି ଆରମ୍ଭ ହୋଇଚି କି ନ ହୋଇଚି ସମସ୍ତେ ଶୋଇପଡ଼ନ୍ତି ।
ଅନ୍ଧାର ଓ ଅନ୍ଧାରକୁ ହଟାଇବା ପାଇଁ ମୋ ଗାଁରେ ବିଜୁଳିବତି ନାହିଁ ।
କିରୋସିନି ମଧ୍ୟ ନାହିଁ ।
ଏଇ ଅନ୍ଧାର ନ ହଟିଲେ କେହି ପାଠ ପଢ଼ିବେ ନାହିଁ ।
ସ୍ତ୍ରୀମାନେ ବର୍ଷକୁ ବର୍ଷ ଛୁଆଟିଏ ଲେଖେଁ ପ୍ରସବ କରି ଚାଲିଥିବେ ।
ଲୋକମାନେ ବଳଦ ପରି ଖଟୁଥିବେ ।
ବିଧବାମାନେ ‘କୃଷ୍ଣଗୁରୁ’ ଭଜନ କରୁ କରୁ ଅବୈଧ ରତିରେ ଲିପ୍ତହେଉଥିବେ ଓ….
ହଟାଅ ଏ ଅନ୍ଧାର :
ଶୁଣୁଚ ? ଶୁଭୁଚି ?
ହେ ପଙ୍ଖା ତଳେ ବସି ତୁଳାଉଥିବା ବାବୁମାନେ !
ହେ ସାଇବମାନେ ! ହେ ଲୋକମାନେ !
ଶୁଣୁଚ ?
ଏଇ ଲାଞ୍ଚୁଆ, ରିସ୍‌ପତ୍‌ଖୋର ଲୋକମାନେ ନିଜନିଜର ନେକ୍‌ ଟାଇର ଗଣ୍ଠି ସଜାଡ଼ିବାରେ ବ୍ୟସ୍ତ-ବଧିର ଓ ଅନ୍ଧ ଓ ମୂକ ।
ମୁଁ ବରଂ ଚୁପ୍‌ ରହିବା ଭଲ ।
ଚୁପ୍‌ ରହି ଏଇ ସର୍ବଗ୍ରାସୀ ଅନ୍ଧାର ଭିତରେ ଛଟପଟ ହେବା ଭଲ ।
ଅନ୍ଧାର ଭିତରେ ହାତରେ ଗୋଟିଏ ଧାରୁଆ ଦା’ ଧରି ମୁଁ ଶମ୍ଭୁପ୍ରସାଦ ଶର୍ମା ସାମ୍ନାରେ ଠିଆ ।
ତା’ର ବିପୁଳ ଉଦରକୁ ସ୍ପର୍ଶ କରୁଚି ମୋ ଦା’ର ମୁନ ।
ସେ ଥରୁଛି ।
ଥରୁଛି ଓ କହୁଛି-କ୍ୟା ? ୟହ କ୍ୟା ?
ମୋର ଚିତ୍କାର- ନିକାଲୋ ପୈସା !
-କାହେକା ପୈସା ?
-ଚାନ୍ଦା ।
-କାହେକା ଚାନ୍ଦା ? ତୁମ ଲୋଗ୍‌ କ୍ୟା ହମ୍‌କୋ ଜୀନେ ଖାନେ ନହିଁ ଦେଗା ?
ମୋର ରଡ଼ି-ଶାଲା କୁତା ହାରାମି ।
ପ୍ରତିଦିନ ଟିକିଏ ଟିକିଏ ଅଧିକା ନେଇ ଯାହା ସବୁ ଜମେଇ କରି ରଖିଚୁ, ନିକାଲ୍‌ ସବୁ ।
କାଢ୍‌ ।
ଦେ ଜଲ୍‌ଦି ।
ଶର୍ମାର ଚିତ୍କାର-ଚୋର୍‌….ଚୋର୍‌….ପକ୍‌ଡ଼ୋ ।
ଓ ମୁଁ ଭୀରୁ ପରି ଧାଇଁ-ଧାଇଁ ଧାଇଁ….
ଅନେକ ପାଦଶବ୍ଦ-ପ୍ରଚୁର ଆଲୋକ-ଅନେକ ଛାଇ-ଘନ ଘନ ଚିତ୍କାର ।
ମୋର ନିଦ ଭାଙ୍ଗିଗଲା ।
କେବଳ ଅନ୍ଧାର ଓ ତା’ ଭିତରେ ଅନେକ ମଶା ।
କେଉଁ କୋଣରେ ମୂଷାଟିଏ କୁଟୁରୁ କୁଟୁରୁ କ’ଣ ଗୋଟେ ଖାଉଥିଲା-ଛିଣ୍ଡାଉଥିଲା, ଚିରୁଥିଲା ।
ମୋର ସତ୍ତା ଶୀତେଇଗଲା ।
କଣ କରିଥାନ୍ତି ମୁଁ ଏତେଗୁଡ଼େ ଟଙ୍କା ?
କାହିଁକି ?
କାହିଁକି ମୁଁ ତା’ଠୁଁ ସେସବୁ ଦାବି କରୁଥିଲି ?
ହଁ, ଟଙ୍କା ଦରକାର ।
ପାଣ୍ଡବର ପୁଅ ପାଇଁ ପେଣ୍ଟ କିଣାହେବ ।
ବୈକୁଣ୍ଠର ଝିଅ ବାହାହେବ ।
ଖଲିର ସ୍ତ୍ରୀ ପାଇଁ ଔଷଧ ଆସିବ ।
ଯାହାକୁ ସେମାନେ ବଥ ବୋଲି କହୁଛନ୍ତି ତାହା ପ୍ରକୃତରେ ଗୋଟେ ଟ୍ୟୁମର ।
ଏବେଠୁଁ ଚେଷ୍ଟାକଲେ ଅନ୍ତତଃ ବିଶାଖାର ସ୍ବାମୀ ବଞ୍ଚିଯିବ ଏବଂ କିଛି ନ ହେଲେ, ଆସନ୍ତାକାଲି ଯେଉଁମାନେ ମରିବେ ସେମାନଙ୍କର ଶବ ଦଗ୍‌ଧ କରିବା ପାଇଁ କାଠ କିଣା ହେବ/ହୋଇଥାନ୍ତା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment