Commit 6d37e9bc authored by Nayan Ranjan Paul's avatar Nayan Ranjan Paul

Upload New File

parent 436a2beb
ରୂପର ମୂଲ୍ୟ
ଦୟାନିଧି ମିଶ୍ର
ତା: ଜୁଲାଇ ୩୦, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ପ୍ରଥମ ପରିଚ୍ଛେଦ: ବିଦାୟ
‘ତଦ୍‌ଗଚ୍ଛ ସିଦ୍ଧୌ କୁରୁ ଦେବକାର୍ଯ୍ୟମ୍‌ ।’ (କୁମାରସମ୍ଭବମ୍‌)
ସମ୍ବଲପୁରର ପଶ୍ଚିମ ଦିଗରେ ସହରରୁ ପ୍ରାୟ ଏକମାଇଲ ଦୂରରେ ମଦଲିଆ ମୁହାଣ ।
ଏଠାରେ ଗୋଟିଏ ପ୍ରାଚୀନ ମନ୍ଦିର ଅଛି ।
କଳନାଦିନୀ ଚିତ୍ରୋତ୍ପଳା ମନ୍ଦିରର ଚରଣ ପ୍ରକ୍ଷାଳିତ କରି ଶିଳାବନ୍ଧୁର ମାର୍ଗରେ ଅଗ୍ରସର ।
ଲୋକେ କହନ୍ତି, ମନ୍ଦିରରେ ପ୍ରଚୁର ଧନରତ୍ନ ଓ ଅସ୍ତ୍ରଶସ୍ତ୍ର ଲୁକ୍କାୟିତ ଅଛି ।
ଏ ଉକ୍ତିର ସତ୍ୟତା ନିରୂପିତ କରିବାକୁ ଆମ୍ଭମାନଙ୍କର ଶକ୍ତି ନାହିଁ ।
ଆଜିଯାଏ କେହି ଏ ବିଷୟରେ ଅନୁସନ୍ଧାନ କରିନାହାଁନ୍ତି ।
ଏବଂବିଧ ପ୍ରତ୍ନତତ୍ତ୍ବ ସଂଗ୍ରହ ଓଡ଼ିଶାର ଆଧୁନିକ ଜଳବାୟୁର ପ୍ରତିକୂଳ ପରା ! ସେ ଯାହାହେଉ, ମନ୍ଦିରକୁ ନୀଳମାଧବଙ୍କ ମନ୍ଦିର ବୋଲି କହନ୍ତି ।
ଏଠାରେ ଦେବପୂଜାର କୌଣସି ଚିହ୍ନ ପରିଲକ୍ଷିତ ହୁଏ ନାହିଁ ।
ମନ୍ଦିରରେ କୌଣସି ଦେବବିଗ୍ରହ ମଧ୍ୟ ନାହିଁ ।
ମନ୍ଦିରର ଏପରି ନାମକରଣ କିପରି ହେଲା, ପୁରାତତ୍ତ୍ବ ଜିଜ୍ଞାସୁମାନଙ୍କ ଅନୁସନ୍ଧେୟ ।
ପୁଣି ଏଠାରେ କୌଣସି ନଦୀର ସଙ୍ଗମସ୍ଥଳ ନ ଥିଲେ ସୁଦ୍ଧା ସ୍ଥାନଟିର ନାମ ମଦଲିଆ ମୁହାଣ କାହିଁକି ହୋଇଅଛି ? ବୋଧହୁଏ କାଳକ୍ରମେ ସେ ନଦୀ ଲୋପ ପାଇଅଛି କିମ୍ବା ଦୁର୍ଗରକ୍ଷାର୍ଥ ସମ୍ବଲପୁରର ନରପତିମାନେ ନଦୀର ଗତିକୁ ପରିବର୍ତ୍ତିତ କରିଥିବେ ।
ନଦୀ-ସଙ୍ଗମ-ସୂଚକ ପ୍ରଶସ୍ତତା କେବଳ ମୁହାଣ ନାମର ସାର୍ଥକତା ସମ୍ପାଦନ କରୁଅଛି ।
ଜଗତରେ ବିଭବ ହିଁ ସମସ୍ତ ଆକର୍ଷଣର କେନ୍ଦ୍ର ।
ମନୁଷ୍ୟର ଦୃଷ୍ଟି ଯେପରି ଊର୍ଦ୍ଧ୍ବକୁ ଚାହିଁ ଚାହିଁ ଊର୍ଦ୍ଧ୍ବମୁଖୀ ହୋଇଗଲାଣି ।
ପ୍ରଜା ଜମିଦାରର ଅନୁସରଣ କରୁଅଛି ।
ଜମିଦାର ରାଜାର ଅନୁସରଣ କରୁଅଛି ।
କିନ୍ତୁ ଲୋକଲୋଚନ ଅଗୋଚରରେ ଯେ କେତେଶତ ପ୍ରାଣୀ ଦୁର୍ବିଷହ ଯାତନା ଭୋଗ କରୁଛନ୍ତି, ତହିଁର ଖବର ରଖୁଛି କିଏ ?
ନୀଳମାଧବଙ୍କ ମନ୍ଦିର ଅଧୁନା ଜୀର୍ଣ୍ଣ କଳେବର ।
ତାହାର ସେ ପୁରାତନ ଗୌରବ ଆଉ ନାହିଁ ।
ମନ୍ଦିରବାଟେ କେତେ ଶତ ଲୋକ ପ୍ରତିଦିନ ଯାତାୟତ କରୁଛନ୍ତି; କିନ୍ତୁ କେହି ଦିନେ ମନ୍ଦିର ଆଡ଼କୁ ମୁହଁ ଫେରାଇ ଦେଖୁ ନାହାଁନ୍ତି ।
ମନ୍ଦିରଟି ପୁରାତନର ଗୋଟିଏ ଅଂଶ, ତାହା ବର୍ତ୍ତମାନର କିଛି ନୁହେଁ ।
କିନ୍ତୁ ଏହାର ଅବସ୍ଥା ଚିରଦିନ ଏପରି ନଥିଲା ।
ଆମ୍ଭେମାନେ ଯେଉଁ ସମୟର କଥା କହୁଅଛୁଁ, ସେ ସମୟରେ ମନ୍ଦିରର ପୁରାଣ ମହିମା ଜଗତକୁ ମୁଗ୍ଧ ଓ ବିସ୍ମିତ କରୁଥିଲା ।
ବିମଳା ପ୍ରତିଦିନ ସନ୍ଧ୍ୟା ସମୟରେ ମନ୍ଦିରକୁ ଆସେ ଓ ନିଜ ମନକୁ ଗୀତ ଗାଇ ପୁଣି ଚାଲିଯାଏ ।
ସେଠାରେ ପ୍ରକୃତିର ଚାରୁ ଛବି ଦେଖି, ପ୍ରକୃତିର ସୁମଧୁର ସଙ୍ଗୀତ ଶୁଣି ସେ ସଙ୍ଗୀତମୟ ପ୍ରାଣରେ ନିଜେ ଗୀତ ଗାଏ ।
ସେ ସଙ୍ଗୀତର ତୁଳନା ଜଗତରେ ବିରଳ ।
ତାହା ମନ୍ଦାକିନୀର ସ୍ବଚ୍ଛ ସ୍ରୋତ ସଦୃଶ ଆକାଶ ବକ୍ଷରେ ମୃଦୁମନ୍ଦ ଭାବରେ ନୃତ୍ୟ କରେ ।
ଆଜି ଜ୍ୟେଷ୍ଠ ପୂର୍ଣ୍ଣିମା ।
ପୂର୍ଣ୍ଣଚନ୍ଦ୍ର ପ୍ରାଚୀ ଲଲାଟରେ ଚନ୍ଦନ ବିନ୍ଦୁରୂପେ ବିରାଜିତ ହୋଇ ସୁଧାମୟ ଜ୍ୟୋତ୍ସ୍ନାରେ ଜଗତକୁ ସିକ୍ତ କରିଛନ୍ତି ।
ଆକାଶର ସ୍ଥାନେ ସ୍ଥାନେ କ୍ଷୁଦ୍ର କ୍ଷୁଦ୍ର ମେଘଖଣ୍ଡ ।
ନଭଃପ୍ରାଙ୍ଗଣରେ ଚନ୍ଦ୍ର ଏହି ମେଘଗୁଡ଼ିକ ସଙ୍ଗେ ଲୁଚକାଳି ଖେଳ ଖେଳୁଅଛି ।
ଏପରି ଆନନ୍ଦ ଓ ନିରାନନ୍ଦର ସନ୍ଧି ସମୟରେ ଏ ନିର୍ଜନ ସ୍ଥଳରେ ବିମଳା ନୀଳମାଧବ ମନ୍ଦିରରୁ ବହିର୍ଗତ ହୋଇ ସୋପାନବଳୀ ଉପରେ ଯାଇ ବସିଲା ।
ବିମଳାର ବୟସ ପ୍ରାୟ ଚଉଦ ବର୍ଷ ହେବ ।
ପରିଧେୟ ଗୋଟିଏ ନୀଳରଙ୍ଗର ଶାଢ଼ୀ, ନାସିକାରେ ଦଣ୍ଡୀ ଏବଂ ହସ୍ତରେ ସ୍ବର୍ଣ୍ଣବଳୟ ।
ତାହାର କାନ୍ତି ଚମ୍ପକପୁଷ୍ପ ସଦୃଶ, ବେଣୀ ଅସଂଯତ ।
ନୈଶ ସମୀର ବିମଳାର କପାଳନ୍ୟସ୍ତ ଅଳକ ସଙ୍ଗେ ନୃତ୍ୟ କରି ତାହାର ମୁଖକୁ ମେଘଦ୍ବାରା ଅର୍ଦ୍ଧଲୁକ୍କାୟିତ ଚନ୍ଦ୍ରମାର କାନ୍ତିରେ ବିଭୂଷିତ କରୁଅଛି ।
ବିମଳାର ମନ ଆଜି ଚିନ୍ତାମଗ୍ନ, ମୁଖ ଗମ୍ଭୀର ।
ସେ ଯେପରି କାହାକୁ ଖୋଜୁଛି, କିନ୍ତୁ ପାଉନାହିଁ ।
ସେ ହସ୍ତୋପରେ ଗଣ୍ଡଦେଶ ନ୍ୟସ୍ତ କରି ଆକାଶର ଚନ୍ଦ୍ର ଆଡ଼କୁ ଅନାଇଲା ।
ଚନ୍ଦ୍ରର ଲୁଚକାଳି ଖେଳ ଦେଖି ଦେଖି ମନମଧ୍ୟରେ କ’ଣ ଭାବି ଗୀତ ଗାଇବାକୁ ଲାଗିଲା-
କର କିମ୍ପା ପ୍ରବଞ୍ଚନା ?
ଆହେ ଶଶଧର ସୁଧାର ଆକାର ଶୁଣ ବାରେ ମୋ ପ୍ରାର୍ଥନା ।
ସରୋବର ବକ୍ଷେ ନୀର-ଆସନେ
ଖେଳେ କୁମୁଦିନୀ ମନ୍ଦ ପବନେ,
ଲୁଚକାଳି ଖେଳେ ମାତି ଅବହେଳେ ଦେଉଛ କିମ୍ପା ଯାତନା ।
ତବ ଆଲିଙ୍ଗନ ସୁଧାନିର୍ଝର
ଅଟେ କୁମୁଦିନୀ ହୃଦସମ୍ବଳ,
କାଦମ୍ବିନୀ କୋଳେ ଲୁଚି ଅନ୍ତରାଳେ ନ ଲୁଚାଅ ସେ ଜୋଛନା ।
କରୁଛି ମିନତୀ, କୁମୁଦବନ୍ଧୁ,
ଦେଖାଅ ନିର୍ମଳେ ବଦନ ମଧୁ,
ସୁଧା-ପାରାବରେ ଭାସି ପ୍ରେମଭୋରେ ଲଭିବ ଧନୀ ସାନ୍ତ୍ବନା ।
ସ୍ବରଲହରୀ ବନ୍ଦ ହେଲା; କିନ୍ତୁ ବିମଳାର ପ୍ରାଣ ଅଧୁନା ସଙ୍ଗୀତମୟ ।
ସଙ୍ଗୀତ ବନ୍ଦ ହେଲେ ସୁଦ୍ଧା ଜଗତ ତାକୁ ସଙ୍ଗୀତମୟ ଦିଶିବାକୁ ଲାଗିଲା ।
ରଜନୀର ନିସ୍ତବ୍ଧତା କେଉଁଆଡ଼େ ଉଭେଇଗଲା ।
ଜଗତର ଅଜ୍ଞାତରେ, ନିସ୍ତବ୍ଧତାର ଅଜ୍ଞାତରେ ଧରଣୀବନ୍ଧରେ ସୁମଧୁର ସଙ୍ଗୀତରାଜ୍ୟ ପ୍ରତିଷ୍ଠିତ ହେଲା ।
ବିମଳା ଆବେଗରେ, ଉଚ୍ଛ୍ବାସରେ ଆତ୍ମବିସ୍ମୃତ ହୋଇ ନିବିଷ୍ଟଚିତ୍ତରେ ମହାନଦୀ ବକ୍ଷରେ ଜ୍ୟୋତ୍ସ୍ନାର ସୁମଧୁର ଲାସ୍ୟ ଦେଖିବାକୁ ଲାଗିଲା ।
କିନ୍ତୁ ଏ କ’ଣ ? ତା’ ମନ ଏପରି କାହିଁକି ? ଏ କାହାର ପଦଶବ୍ଦ ? ଏ କାହାର ଉଷ୍ଣ ନିଶ୍ବାସ ? ବିମଳା ପଛକୁ ଫେରି ଅନାଇଲା ।
କି ସୁନ୍ଦର ଯୁବାମୂର୍ତ୍ତି, ଯେପରି ନୀଳ ବ୍ୟୋମପଟରେ ଚିତ୍ରିତ ତରୁଣ ଅରୁଣ ମୂର୍ତ୍ତି ! ସେ ମୂର୍ତ୍ତି ଦେଖି ବିମଳା ମୁଗ୍ଧ ହୋଇଗଲା ।
ତାହାର ନୟନ ସମକ୍ଷରେ ଯେପରି ସୌନ୍ଦର୍ଯ୍ୟଭଣ୍ଡାରର ସର୍ବଶ୍ରେଷ୍ଠ ମଣି ପ୍ରତିଭାତ ହେଲା ।
ସେ ଯୁବକଙ୍କ ନିକଟକୁ ଯାଇ କମ୍ପିତ କଣ୍ଠରେ କହିଲା, ‘ଆଜିଯାଏ ତୁମର ଶାରୀରିକ ଦୁର୍ବଳତା ଯାଇନାହିଁ ।
ତା’ପରେ ପୁଣି ଏତେ ପରିଶ୍ରମ, ମୋ ରାଣ, ଦେହରେ ବଳ ହେବାଯାଏ ଆଉ ରାତିରେ ଏପରି ବୁଲ ନାହିଁ ।’
ବିମଳାର କଥା ଶୁଣି ଯୁବକର ସମଗ୍ର ଶରୀର କଣ୍ଟକିତ ହୋଇଗଲା ।
ବିମଳାର ଅଜ୍ଞାତରେ ତାଙ୍କର ନୟନକୋଣରେ ଅଶ୍ରୁକଣା ବିଲୀନ ହୋଇଗଲା ।
ସେ ତାହାର ହସ୍ତ ଧରି କହିଲେ, ‘କାହିଁକି, ବିମଳା ! ମୋର ଦେହ ତ ବେଶ୍‌ ସବଳ ହେଲାଣି ।
ଆଜି ସଞ୍ଜବେଳେ ମହାନଦୀ ଆରପାରିରେ ଗୋଟିଏ ନିଆଁହୁଳା ଦେଖାଯାଉଥିଲା ।
ସେଠାକୁ ଯାଇ ଦେଖେ ଯେ, ମରହଟ୍ଟାମାନେ ଦଳବଳ ବାନ୍ଧି ଆସିଛନ୍ତି ।
ସେଦିନ ନାନାସାହେବ ଭୋଁସ୍‌ଲା ଯେଉଁ ଅପମାନ ପାଇଥିଲେ, ତହିଁର ପ୍ରତିଶୋଧ ନେବାପାଇଁ ଏ ଆୟୋଜନ ।
ମୁଁ ଏହିକ୍ଷଣି ଦୁର୍ଗକୁ ଯାଇ ଏ ସମ୍ବାଦ ଦେବି ।’
ଯୁବକ ନୀରବ ହେଲେ ।
ଯୁବତୀଠାରୁ ଉତ୍ତର ପ୍ରତ୍ୟାଶା କରି ତା’ମୁଖକୁ ଅନାଇବାକୁ ଲାଗିଲେ ।
ଅଶ୍ରୁସିକ୍ତଲୋଚନା ବିମଳା ରୁଦ୍ଧ କଣ୍ଠରେ କହିଲା, ‘କିନ୍ତୁ ତୁମ ଦେହ ଯେ ଭଲ ହୋଇନାହିଁ ।’
ଯୁବକ କହିଲେ, ‘ଦେହ ପାଇଁ ଏତେ ଚିନ୍ତା କାହିଁକି ? ଯଦି ଦରକାର ହୁଏ, ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେବ ।’
ବିମଳାର ଜ୍ୟୋତ୍ସ୍ନା-ପ୍ରତିଫଳିତ ଅଶ୍ରୁସିକ୍ତ ଗଣ୍ଡ ପ୍ରତି ଯୁବକଙ୍କ ଦୃଷ୍ଟି ପଡ଼ିଲା ।
ତାଙ୍କ ହସ୍ତ ଶିଥିଳ ହୋଇଗଲା ।
ସେ ଆଉ ବିମଳାର ହସ୍ତ ଧରି ପାରିଲେ ନାହିଁ ।
ବିମଳା ନୀରବରେ କ୍ରନ୍ଦନ କରିବାକୁ ଲାଗିଲା ।
ଏ ସମୟରେ ଯଦି ଆକାଶର ତାରକାଖଚିତ ଚାରୁ ଚନ୍ଦ୍ରାତପ ଭାଙ୍ଗିଯାଇ ଯୁବକଙ୍କ ମସ୍ତକ ଉପରେ ପଡ଼ିଥାନ୍ତା, ତାହାହେଲେ ସେ ତିଳେମାତ୍ର ଦୁଃଖିତ ହୋଇ ନ ଥାନ୍ତେ ।
କିନ୍ତୁ ବିମଳାର ହୃଦୟର ଆବେଗ ଦେଖି ସେ ଆଉ ସମ୍ଭାଳି ପାରିଲେ ନାହିଁ ।
ତାଙ୍କ ଚକ୍ଷୁ ମଧ୍ୟ ଲୋତକପୂର୍ଣ୍ଣ ହୋଇଗଲା ।
ପରେ ବହୁ କଷ୍ଟରେ ଆତ୍ମଗୋପନ କରି କହିଲେ, ‘ଛି ବିମଳା, ଦେଶର ଶତ୍ରୁକୁ ଦାଣ୍ଡଦୁଆରେ ଦେଖି ଏପରି କଥା କହୁଛ !’
ବିମଳା ମସ୍ତକ ଉତ୍ତୋଳନ କରି ସ୍ଥିର ଦୃଷ୍ଟିରେ ଯୁବକଙ୍କ ମୁଖକୁ ଅନାଇଲା ।
ତାହାର ମୁଖର ରଙ୍ଗ ଅଧୁନା ପରିବର୍ତ୍ତିତ-ନୟନ ଅଶ୍ରୁବିମୁକ୍ତ ।
ସେ ଯୁବକଙ୍କ ହସ୍ତକୁ ବାରମ୍ବାର ଚୁମ୍ବନ କରି କହିଲା, ‘ଦେଶର କାର୍ଯ୍ୟ-ଦେବତାଙ୍କ କାର୍ଯ୍ୟ-ମୁଁ ବାଧା ଦେବି ନାହିଁ-ଯାଅ ।
କିନ୍ତୁ…’
ବିମଳାର କଣ୍ଠରୁଦ୍ଧ ହୋଇଗଲା ।
ତା’ମୁଖରୁ ଆଉ କଥା ବାହାରି ପାରିଲା ନାହିଁ ।
ଯୁବକ ସହାସ୍ୟ ବଦନରେ କହିଲେ, ‘ଯଦି ଈଶ୍ବରଙ୍କ ଇଚ୍ଛା ହୁଏ, ନିଶ୍ଚୟ ଦେଖାହେବ ।’
ଏହା କହି ସେ ବିମଳାଠାରୁ ବିଦାୟ ନେଇ ବୃକ୍ଷାନ୍ତରାଳରେ ଅଦୃଶ୍ୟ ହୋଇଗଲେ ।
ଦ୍ବିତୀୟ ପରିଚ୍ଛେଦ : ବିଶ୍ବାସଘାତକ
‘ଏତେ ରାତ୍ରିରେ, ନିର୍ଜନରେ ପରପୁରୁଷ ସଙ୍ଗେ, ଛି, ବିମଳା !’
ବିମଳା ପଛକୁ ଅନାଇ ଦେଖିଲା, ଆଉ ଜଣେ ଯୁବକ ଛିଡ଼ା ହୋଇ ତାକୁ ଏପରି କହୁଛନ୍ତି ।
ଯୁବକଙ୍କୁ ଚିହ୍ନିବା ପାଇଁ ବିମଳାର ବେଶି ବିଳମ୍ବ ହେଲା ନାହିଁ ।
ସେ ଶୈଶବରୁ ପିତୃମାତୃହୀନା ।
ସମ୍ବଲପୁର ରାଜ୍ୟର ସ୍ବାଧୀନ ନରପତି ଜୟନ୍ତ ସିଂହଙ୍କର ସେନାପତି ବୀରେଶ୍ବର ସିଂହଙ୍କର ଲାଳନ ପାଳନରେ ବର୍ଦ୍ଧିତା ହୋଇ ଭକ୍ତିଭାଜନ ପିତା ଏବଂ ସ୍ନେହମୟୀ ମାତାଙ୍କୁ ସୁଦ୍ଧା ଭୁଲିଯାଇଥିଲା ।
ବୀରେଶ୍ବର ତାହାର ପିତା ଓ ମାତା ଦୁହିଁଙ୍କ ସ୍ଥାନ ଅଧିକାର କରିଥିଲେ ।
ସେ ତାକୁ ନିଜ ଝିଅରୁ ବଳି ସ୍ନେହ କରୁଥିଲେ ।
ବିମଳା ମଧ୍ୟ ବୀରେଶ୍ବରଙ୍କ ପରିବାରକୁ ନିଜ ପରିବାର ବୋଲି ଭାବୁଥିଲା ।
ବୀରେଶ୍ବରଙ୍କର ଏକମାତ୍ର ପୁତ୍ର ଉଦିତ୍‌ପ୍ରତାପ ସିଂହଙ୍କୁ ସେ ନିଜ ଅଗ୍ରଜପ୍ରାୟେ ଭକ୍ତି କରୁଥିଲା ।
ଉଦିତ୍‌ପ୍ରତାପଙ୍କ କଥା ଶୁଣି ତାଙ୍କ ନିକଟକୁ ଯାଇ କହିଲା, ‘ଦାଦା, ବାପା ତ କହିଛନ୍ତି, ରାତିରେ କେବେ କିପରି ଏଠାକୁ ଆସୁଥିବୁ ବୋଲି ।
ମୋ ମନରେ କଷ୍ଟ ଥିଲେ ମୁଁ ଏଠାକୁ ଆସି ଗୀତ ଗାଏ-ଗୀତ ଗାଇ ଗାଇ ତାପିତ ପ୍ରାଣକୁ ଶୀତଳ କରେ ।
ତୋ ଦୁଃଖିନୀ ଭଉଣୀ ଉପରେ କାହିଁକି ରାଗୁଛୁ ?’
‘କିନ୍ତୁ ପରପୁରୁଷ ସଙ୍ଗେ !’ ଏହା କହି ଉଦିତ୍‌ପ୍ରତାପ ଜିଭ କାମୁଡ଼ି ବିମଳାର ମୁଖ ଆଡ଼କୁ ଅନାଇଲେ ।
ଲଜ୍ଜାରେ ବିମଳାର ମୁଖ ତଳକୁ ହୋଇଗଲା ।
ଉଦିତ୍‌ପ୍ରତାପ ପୁନରାୟ କହିଲେ, ‘ବିମଳା ! ତୋ ପିଲାଳିଆ ସ୍ବଭାବ କେବେ ଛାଡ଼ିଲୁ ନାହିଁ ।
ତୁ ବଡ଼ ହେଲୁଣି, ସଂସାରର ଗତିରୀତି ସବୁ ଦେଖୁଛୁ ।
ତୋର ଏ ବୟସରେ ଅନ୍ୟ ଲୋକ ସଙ୍ଗେ ନିର୍ଜନରେ କଥାବାର୍ତ୍ତା କରିବା ଠିକ୍‌ ନୁହେଁ ।’
‘କିନ୍ତୁ ପ୍ରସନ୍ନକୁମାର ଯେ ମୋର ପିଲାକାଳର ସଙ୍ଗୀ ।
ତାଙ୍କ ସଙ୍ଗେ ଏକାନ୍ତରେ କଥାବାର୍ତ୍ତା କଲେ ଦୋଷ କ’ଣ ?’
‘ସେ ତୋର ପିଲାକାଳ ସାଥୀ ହୋଇପାରନ୍ତି ।
ପିଲାବେଳେ ସେ ସବୁ ଶୋଭା ପାଉଥିଲା ।
ଆଜି ତୋର ଏ ଆଚରଣ ଶୁଣିଲେ ବାପା କ’ଣ କହିବେ ?’
‘ଛି, ଦାଦା ! ତୁ କ୍ଷତ୍ରିୟ ଯୁବକ ହୋଇ ଏପରି କହୁଛୁ ?’
‘ନା ବିମଳା, ତୁ ଏପରି କଲେ ମୋ ମନରେ କଷ୍ଟ ହେବ ।
ପ୍ରସନ୍ନକୁମାରଙ୍କ ଚରିତ୍ର ଭଲ ନୁହେଁ ।
ଅସଚ୍ଚରିତ୍ର ଲୋକଙ୍କ ସଙ୍ଗେ ତତେ ଦେଖିଲେ ମୁଁ ରାଗିବି ।’
ପ୍ରସନ୍ନକୁମାର ବିମଳାର ଅନ୍ତରଙ୍ଗ ପ୍ରତିବେଶୀ ।
ପିଲାଦିନରୁ ଦୁହେଁଯାକ ଏକାସାଙ୍ଗରେ ଖେଳୁଥିଲେ…ଦୁହେଁ ଦୁହିଁଙ୍କ ଦୁଃଖରେ ଦୁଃଖୀ ଓ ସୁଖରେ ସୁଖୀ ହେଉଥିଲେ ।
ଦୁହେଁ ଗୋଟିଏ ବୃନ୍ତର ଯୁଗଳପୁଷ୍ପ ସଦୃଶ ଶୋଭା ପାଉଥିଲେ ।
ଦୁହିଁଙ୍କ ପ୍ରାଣ ଏକ, ମନ ଏକ ।
ପ୍ରସନ୍ନକୁମାରଙ୍କ ନିନ୍ଦା ଶୁଣି ବିମଳା ମନରେ କଷ୍ଟ ହେଲା ।
ସେ ଉଦିତ୍‌ପ୍ରତାପଙ୍କ ଉଦ୍ଦେଶ୍ୟ ବୁଝିପାରିଲା ।
ଉଦିତ୍‌ପ୍ରତାପ ବିମଳାର ସୌନ୍ଦର୍ଯ୍ୟମୁଗ୍ଧ, ତା’ର ପ୍ରଣୟପ୍ରାର୍ଥୀ ।
ବିମଳା ତାଙ୍କୁ ଅନେକ ଥର ବୁଝାଇ କହିଥିଲା…ତାଙ୍କୁ ଭଗିନୀର ସ୍ନେହ, ଦୟା, ଭକ୍ତି ଅର୍ପଣ କରିଥିଲା ।
କିନ୍ତୁ ଉଦିତ୍‌ପ୍ରତାପ ତହିଁରେ ସନ୍ତୁଷ୍ଟ ନ ହୋଇ ତା’ ହୃଦୟରାଜ୍ୟର ରାଜା ହେବାକୁ ଇଚ୍ଛା କରିଥିଲେ ।
ତାଙ୍କ ଅଭିଳାଷ ସିଦ୍ଧି ପଥରେ ପ୍ରସନ୍ନକୁମାରଙ୍କୁ ପ୍ରଧାନ ଅନ୍ତରାୟ ଭାବି ତାଙ୍କ ବିରୁଦ୍ଧରେ ନାନା ମିଥ୍ୟାପ୍ରବାଦ ରଟନା କରି ବିମଳା ସଙ୍ଗେ ତାଙ୍କ ଦେଖା-ସାକ୍ଷାତ୍‌ ବନ୍ଦ କରିଦେଲେ ।
ଦଗ୍ଧହୃଦୟା ବିମଳା ମନ୍ଦିରକୁ ପ୍ରତିଦିନ ଗୀତ ଗାଇବା ଛଳରେ ଆସି ପ୍ରସନ୍ନକୁମାରଙ୍କ ସଙ୍ଗେ ଦେଖା କରିଯାଏ ।
ଏ କଥା ମଧ୍ୟ ଉଦିତ୍‌ପ୍ରତାପଙ୍କୁ ଅସହ୍ୟ ହୋଇପଡ଼ିଲା ।
ସେମାନଙ୍କର ସେ ମଧୁର ଆଳାପ, ପରସ୍ପର ହୃଦୟଦ୍ବାର ଉଦ୍‌ଘାଟନ ବନ୍ଦ କରିବା ସକାଶେ ସେ ଚେଷ୍ଟା କରିବାକୁ ଲାଗିଲେ ।
ଆଜି ତାଙ୍କ ମୁଖରୁ ଏ ଅସଙ୍ଗତ, ଅସଂଯତ କଥା ଶୁଣି ବିମଳା କହିଲା, ‘ଦାଦା, ମୁଁ ନାନା ଦୋଷରେ ଦୋଷୀ ହୋଇପାରେ; କିନ୍ତୁ ପ୍ରସନ୍ନକୁମାର ନିର୍ଦ୍ଦୋଷ ।
ମୁଁ ତାଙ୍କୁ ଭଲକରି ଜାଣେ ।
ଯଦି ମୋତେ ଭଉଣୀ ବୋଲି ସ୍ନେହ କରୁ, ଏପରି କଥା କେବେ କହିବୁ ନାହିଁ ।’
‘ମୁଁ ପୁଣି କହୁଛି ପ୍ରସନ୍ନକୁମାର ଅସଚ୍ଚରିତ୍ର ।
ବାପା ମଧ୍ୟ ଏ କଥା ଜାଣନ୍ତି ।
ବାପାଙ୍କ ଆଦେଶମତେ ମୁଁ ଏଠାକୁ ଆସିଛି ।
ଆଉ ଏଣିକି ତୁ ଘରୁ ବାହାରି ପାରିବୁ ନାହିଁ ।’
ଉଦିତ୍‌ପ୍ରତାପଙ୍କ କଥା ଶୁଣି ବିମଳା ଦଳିତା ଫଣିନୀ ସଦୃଶ କ୍ରୋଧରେ ଜର୍ଜରିତ ହୋଇଗଲା ।
ସେ ତାଙ୍କ କୂଟ ବୁଝିପାରିଲା ।
ଅବଳା ନାରୀ ତଳକୁ ମୁହଁ କରି କାନ୍ଦିବାକୁ ଲାଗିଲା ।
ବିମଳାର ଏ ଅବସ୍ଥା ଦେଖି ଉଦିତ୍‌ପ୍ରତାପଙ୍କ ନୟନକୋଣରେ ଈଷତ୍‌ ଆନନ୍ଦ-ରେଖା ଫୁଟିଉଠିଲା ।
ତାଙ୍କ ଓଷ୍ଠପ୍ରାନ୍ତରେ କୂଟିଳ ହାସ୍ୟର ଜ୍ୟୋତି ପ୍ରକଟିତ ହୋଇ ପରମୁହୂର୍ତ୍ତରେ ବିଲୀନ ହୋଇଗଲା ।
ବିମଳାକୁ ଚତୁର୍ଦ୍ଦିଗ ଘୋର ତମସାଛନ୍ନ ପ୍ରତୀତ ହେଲା ।
ସେ କମ୍ପିତ କଣ୍ଠରେ କହିଲା, ‘ଦାଦା, ତୋର ଏସବୁ କୂଟ ବୃଥା ।
ମୁଁ ତତେ ଭଗିନୀର ସର୍ବସ୍ବ ଅର୍ପଣ କରିସାରିଛି ।
ଏଥିରୁ ବେଶି ତୁ ଆଉ କିଛି ପାଇପାରିବୁ ନାହିଁ ।
ତୁ ମୋତେ ବାନ୍ଧିପାରୁ; କିନ୍ତୁ ମୋ ହୃଦୟକୁ ବାନ୍ଧିପାରିବୁ ନାହିଁ ।
ଉପରେ ଈଶ୍ବର ଅଛନ୍ତି ।’
ଏହା କହି ସେ ଦ୍ରୁତ ପଦକ୍ଷେପରେ ସେଠାରୁ ଚାଲିଗଲା ।
ବିମଳାର ଭାବ ଦେଖି ଉଦିତ୍‌ପ୍ରତାପ ପ୍ରମାଦ ଗଣିଲେ ।
ପାଳିତା କନ୍ୟାର ପୁଣି ଏତେଦୂର ଆସ୍ପର୍ଦ୍ଧା ! ହୀରାଖଣ୍ଡ ଛତ୍ରପତି ମହାରାଜଙ୍କ ସେନାପତି ପୁତ୍ରକୁ ଖାତିର କରେ ନାହିଁ ! କ୍ରୋଧରେ ତାଙ୍କ ମୁଖ ଲାଲ ହୋଇଗଲା ।
ଦଶନରେ ଅଧର ଚାପି ବିମଳାର ଏ ଆଚରଣର ପ୍ରତିଶୋଧ ନେବା ନିମନ୍ତେ ସେ ବିମଳାର ଅନୁସରଣ କଲେ ।
ତୃତୀୟ ପରିଚ୍ଛେଦ : କ୍ଷୁଦ୍ରମେଘ
‘ଶିବିରେ ପ୍ରତୀକ୍ଷା କରି ବହୁଦିନ
ଶତ୍ରୁ ଯୋଦ୍ଧେ ହୋଇଛନ୍ତି ଧୈର୍ଯ୍ୟହୀନ,
ସ୍ବଦେଶେ ବାହୁଡ଼ି ଯିବାକୁ ବାସନା-
ବଶୁଁ କରୁଛନ୍ତି ବିଜନେ ମନ୍ତ୍ରଣା ।’
(ନନ୍ଦିକେଶ୍ବରୀ)
ଏ କେତେଦିନ ହେଲା ବିମଳାର ମନରେ ଜମା ସୁଖ ନାହିଁ ।
ଉଦିତ୍‌ପ୍ରତାପଙ୍କ କଟୂକ୍ତି- ‘ତୁ ଆଉ ଘରୁ ବାହାରିପାରିବୁ ନାହିଁ’ ସର୍ବଦା କର୍ଣ୍ଣକୁହରରେ ପ୍ରତିଧ୍ବନିତ ହେଉଅଛି ।
ସରଳା ବାଳିକାର ସ୍ବାଧୀନ ମତ ଉପରେ ଏ ଅତ୍ୟାଚାର ! ବିମଳା ଉଦିତ୍‌ପ୍ରତାପଙ୍କୁ ସ୍ପଷ୍ଟରୂପେ କହିଅଛି ଯେ ସେ ତାଙ୍କ ପ୍ରଣୟକାଙ୍କ୍ଷିଣୀ, ନୁହେଁ ।
ତଥାପି ତାକୁ ଶୃଙ୍ଖଳିତ କରିବା ପାଇଁ ଏ ପ୍ରୟାସ କାହିଁକି ?
ପୂର୍ବେ ବିମଳା ନିଜ ହସ୍ତରେ ସବୁ ଗୃହକର୍ମ କରୁଥିଲା ।
କିନ୍ତୁ ଆଉ ଏଣିକି ସେ ଆଡ଼କୁ ଜମା ମନ ଗଲା ନାହିଁ ।
ତାହାର ମାନସ-ଚକ୍ଷୁ ସମକ୍ଷରେ ପ୍ରସନ୍ନକୁମାରଙ୍କ ପ୍ରେମମୟୀ ପ୍ରତିମା ଅହରହ ନୃତ୍ୟ କରିବାକୁ ଲାଗିଲା ।
ସେ ତାଙ୍କୁ ଛାଡ଼ି କିପରି ଆଉ ଅନ୍ୟ ବିଷୟ ଭାବିପାରିବ ? ତା’ର ବିମଳ ପ୍ରେମର ପ୍ରବଳ ବନ୍ୟାରେ ଶତ ଉଦିତ୍‌ପ୍ରତାପ ବାଲିବନ୍ଧ ପ୍ରାୟ ଭାସିଯିବେ ।
ପ୍ରଥମେ ପ୍ରଥମେ ବିମଳା ମନଦୁଃଖରେ ଘରକଣରେ ବସି ଭାବନା କରୁଥାଏ ।
ଭାବି ଭାବି ଲୋତକରେ ଗଣ୍ଡଦେଶ ସିକ୍ତ କରେ ।
ଭୋଜନରେ କିମ୍ବା ଶୟନରେ ତା’ର ଆଉ ଆସ୍ଥା ନାହିଁ ।
ଶରୀର ଦିନକୁ ଦିନ କୃଶ ହୋଇଗଲାଣି ।
ତାହାର ଶାରୀରିକ ଓ ମାନସିକ ପରିବର୍ତ୍ତନ ଦେଖି ପରିବାରସ୍ଥ ସମସ୍ତେ ଚିନ୍ତାକୁଳ ହୋଇପଡ଼ିଲେ ।
ତାକୁ ସାନ୍ତ୍ବନା ଦେବା ନିମନ୍ତେ ଅନେକ ଯତ୍ନ କଲେ; କିନ୍ତୁ ସେମାନଙ୍କ ସମସ୍ତ ଚେଷ୍ଟା ବ୍ୟର୍ଥ ହେଲା ।
ଗୃହ ବର୍ତ୍ତମାନ ତାହା ପକ୍ଷରେ କାରାଗାର ।
ଏ କାରାଗାରରୁ ମୁକ୍ତି ପାଇଲେ ରକ୍ଷା ।
କିଛିଦିନ ଗଲା ପରେ ଅକସ୍ମାତ୍‌ ରାଷ୍ଟ୍ର ହେଲା ଯେ ବିମଳା ନିରୁଦ୍ଦିଷ୍ଟା ହୋଇଛି ।
ସେ କେଉଁଠିକି ଗଲା, କେହି ଜାଣନ୍ତି ନାହିଁ ।
ତାକୁ ଖୋଜିବା ପାଇଁ ବୀରେଶ୍ବର ଚାରିଆଡ଼କୁ ଲୋକ ପଠାଇଲେ; କିନ୍ତୁ ବିମଳାର ସନ୍ଧାନ ମିଳିଲା ନାହିଁ ।
ରାଜ୍ୟଯାକ ଚାରିଆଡ଼େ ଚହଳ ପଡ଼ିଗଲା ।
ସମସ୍ତଙ୍କ ମୁଖରେ ବିଷାଦର କାଳିମା ।
ବୀରେଶ୍ବରଙ୍କୁ ଆଉ କିଛି ଭଲ ଲାଗୁନାହିଁ ।
ସଂସାର ତାଙ୍କୁ ବିଷମୟ ପ୍ରତୀତ ହେଉଛି ।
ବିମଳା ବିଷୟରେ ଅନେକ ଲୋକ ଅନେକ କଥା କହୁଛନ୍ତି ।
କିଏ କହେ ବିମଳା ପାଣିରେ ବୁଡ଼ି ମରିଛି ।
ତାହାର ମତ ସମର୍ଥନ କରିବା ସକାଶେ କେହି କହେ ଯେ, ସେ ବିମଳାର ମୃତ ଦେହ ଦେଖିଛି ।
ଏପରି ନାନା ମୁଖରେ ନାନା କଥା ଶୁଣାଗଲା ।
ଏ ସମ୍ବାଦ ଯାଇ ଉଦିତ୍‌ପ୍ରତାପଙ୍କ କାନରେ ପଡ଼ିଲା ।
ସେ ଅଧୁନା ସମ୍ବଲପୁର ଦୁର୍ଗରେ ଯାଇ ମରହଟ୍ଟାମାନଙ୍କ ସଙ୍ଗେ ଭୀଷଣ ଯୁଦ୍ଧରେ ପ୍ରବୃତ୍ତ ଅଛନ୍ତି ।
କ୍ରମାନ୍ବୟ ଛ’ମାସ କାଳ ମରହଟ୍ଟାମାନେ ଦୁର୍ଗ ଅଧିକାର କରିବାକୁ ଚେଷ୍ଟା କଲେ, କିନ୍ତୁ ଓଡ଼ିଆମାନଙ୍କ ବୀରତ୍ବ ସମ୍ଭାଳି ନ ପାରି ପ୍ରତିଥର ପଛଘୁଞ୍ଚା ଦେବାକୁ ବାଧ୍ୟ ହେଲେ ।
ଦୁର୍ଗ ମଧ୍ୟରେ ଆଦୌ ପ୍ରବେଶ କରିପାରିଲେ ନାହିଁ ।
ଏଆଡ଼େ ଉଦିତ୍‌ପ୍ରତାପଙ୍କର ପୂର୍ବପରି ଉତ୍ସାହ ନାହିଁ ।
ଯୁଦ୍ଧ କରିବାକୁ ତାଙ୍କୁ ଆଉ ଭଲ ଲାଗୁନାହିଁ ।
ତାଙ୍କର ଏପରି ଭାବ ଦେଖି ପ୍ରସନ୍ନକୁମାର ବ୍ୟଥିତ ହେଲେ ।
ଈର୍ଷାପରାୟଣ ହୋଇ ଉଦିତ୍‌ପ୍ରତାପ ସମରାଙ୍ଗନରେ ପ୍ରସନ୍ନକୁମାରଙ୍କ କ୍ଷତି କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଭଗବାନ ଏ ବିପଦରୁ ରକ୍ଷା କଲେ ।
ପ୍ରସନ୍ନକୁମାର ଏପରି ଦକ୍ଷତା ସହକାରେ ଯୁଦ୍ଧ କରିବାକୁ ଲାଗିଲେ ଯେ ଜୟନ୍ତ ସିଂହ ତାଙ୍କର ରଣକୌଶଳରେ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତାଙ୍କୁ ତୋରଣରକ୍ଷୀ ସୈନିକମାନଙ୍କ ଅଧିନାୟକ ପଦରେ ନିଯୁକ୍ତ କଲେ ।
ଏ ଗୁରୁଦାୟିତ୍ବ ମସ୍ତକରେ ବହନ କରି ସଂସାରର ସମସ୍ତ ଚିନ୍ତା ଭୁଲି ପ୍ରସନ୍ନକୁମାର କର୍ତ୍ତବ୍ୟପଥରେ ଅଗ୍ରସର ହେଲେ ।
କିନ୍ତୁ ପ୍ରସନ୍ନକୁମାରଙ୍କ ଉନ୍ନତି ଉଦିତ୍‌ପ୍ରତାପଙ୍କୁ ଭଲ ଲାଗିଲା ନାହିଁ ।
ପ୍ରସନ୍ନକୁମାରଙ୍କୁ ଦେଖିଲେ, କେଜାଣି କାହିଁକି, ତାଙ୍କ ମୁହଁ କ୍ରୋଧରେ ଲାଲ ହୋଇଯାଏ ।
ତାଙ୍କ ଚକ୍ଷୁରୁ ଅଗ୍ନି-ସ୍ଫୁଲିଙ୍ଗ ନିର୍ଗତ ହୁଏ ।
ଯେଉଁଦିନ ଉଦିତ୍‌ପ୍ରତାପ ବିମଳାର ନିରୁଦ୍ଦିଷ୍ଟ ହେବାର ସମ୍ବାଦ ଶୁଣିଲେ, ସେହିଦିନ ତାଙ୍କର ମୁଖ ଗମ୍ଭୀର ହୋଇଗଲା, ଯେପରି ସେ ସବୁବେଳେ କ’ଣ ଚିନ୍ତା କରୁଛନ୍ତି ।
ରଣ କୋଳାହଳ ଆଉ ତାଙ୍କ ପ୍ରାଣକୁ ନଚାଇ ପାରିଲା ନାହିଁ ।
ସେ ନୀରବରେ ନିର୍ଜନରେ ବସି ଚିନ୍ତା କରିବାକୁ ଲାଗିଲେ ।
କିଛିଦିନ ପରେ ପୁଣି ଦୁର୍ଗ ଭିତରେ ହୁରି ପଡ଼ିଗଲା, ଉଦିତ୍‌ପ୍ରତାପ ଦୁର୍ଗରେ ନାହାଁନ୍ତି ।
ସରଳ-ହୃଦୟ ପ୍ରସନ୍ନକୁମାର ଏଥିର କାରଣ କିଛି ବୁଝିପାରିଲେ ନାହିଁ ।
ଯୁଦ୍ଧ ସମୟରେ ସେନାପତି ପୁତ୍ରଙ୍କ ଈଦୃଶ ଆଚରଣ ଦେଖି ସମସ୍ତେ ବ୍ୟଥିତ ହେଲେ ।
କିନ୍ତୁ ଜଗତର ଦୁଃଖ ହେଉ ବା ସୁଖ ହେଉ, ସମସ୍ତେ ନିଜ ନିଜ କାର୍ଯ୍ୟ ନେଇ ବ୍ୟସ୍ତ ।
ମନୁଷ୍ୟ ଦେବତା ନୁହେଁ-ସମୟେ ସମୟେ ହେବାକୁ ଚେଷ୍ଟା କରିଥାଏ ମାତ୍ର ।
ସଂସାରରେ ଏହି ଦେବତ୍ବାଭିଳାଷୀ ମନୁଷ୍ୟଙ୍କ ସଂଖ୍ୟା ନିତାନ୍ତ କମ୍‌….ନାହିଁ କହିଲେ ଚଳେ ।
ପ୍ରକାଶ୍ୟରେ ହେଉ ବା ଗୋପନରେ ହେଉ, ସଭିଏଁ ନିଜ ନିଜ ସ୍ବାର୍ଥରେ ମାତିଛନ୍ତି ।
ଯେଉଁମାନେ ଏହି ନିୟମର ବହିର୍ଭୂତ ସେମାନେ ନମସ୍କାରଣୀୟ ।
ଓଡ଼ିଆମାନଙ୍କ ହସ୍ତରେ ବାରମ୍ବାର ପରାସ୍ତ ହୋଇ ମରହଟ୍ଟାମାନେ ଅତିଶୟ କାତର ହୋଇପଡ଼ିଥିଲେ ।
ଓଡ଼ିଶାକୁ ଜୟ କରିବା ସେମାନେ ଯେପରି ସହଜ ବୋଲି ଭାବିଥିଲେ, କାର୍ଯ୍ୟରେ ତହିଁର ଠିକ୍‌ ବିପରୀତ ଦେଖିବାକୁ ପାଇଲେ ।
ସ୍ବାଧୀନଜାତିକୁ ପରାଧୀନ କରିବା ସହଜ କଥା ନୁହେଁ ।
ସମ୍ବଲପୁରାଧିପତି ଅଭୟ ସିଂହଙ୍କ ହସ୍ତରେ ମରହଟ୍ଟାମାନେ ଯେ ପରାଜୟ ସ୍ବୀକାର କରିଥିଲେ, ତହିଁର ଯନ୍ତ୍ରଣା ଆଜିଯାଏ ଯାଇନାହିଁ ।
ତା’ପରେ ପୁଣି ଜୟନ୍ତ ସିଂହଙ୍କ ହସ୍ତରେ ଏ ଅପମାନ ! ନାନାସାହେବ ଭୋଁସ୍‌ଲା ଏପରି ଅବସ୍ଥାରେ କ’ଣ କରିବେ, କିଛି ଠିକ୍‌ କରିପାରିଲେ ନାହିଁ ।
ସମସ୍ତ ସାମନ୍ତମାନଙ୍କୁ ଏକତ୍ରିତ କରି ସେ ମନ୍ତ୍ରଣା କରିବାକୁ ଲାଗିଲେ ।
ଦୁର୍ଗକୁ ଅଧିକାର କରିବାର ଅନେକ ଉପାୟ ଉଦ୍ଭାବିତ ହେଲା, କିନ୍ତୁ ସେଗୁଡ଼ିକ ଅସମ୍ଭବ ଜ୍ଞାନରେ ପରିତ୍ୟକ୍ତ ହେଲା ।
ମରହଟ୍ଟା ଶିବିରରେ ବିଷାଦର ରାଜ୍ୟ ପ୍ରତିଷ୍ଠିତ ହେଲା ।
ନାନାସାହେବ ଚିନ୍ତାକୁଳ ମନରେ ଶିବିର ପରିତ୍ୟାଗ କରି ମହାନଦୀ କୂଳରେ ବିଚରଣ କରିବାକୁ ଲାଗିଲେ ।
ଜ୍ୟୋତ୍ସ୍ନାସ୍ନାତ ଲହଣ୍ଡା ପର୍ବତର ସ୍ବର୍ଗୀୟ କାନ୍ତି ତାହାଙ୍କର ଦୃଷ୍ଟିପଥାରୂଢ଼ ହେଲା ।
କି ଅଲୌକିକ ସୌନ୍ଦର୍ଯ୍ୟ ସମ୍ମୁଖରେ ସୌନ୍ଦର୍ଯ୍ୟରେ କମ୍ପମାନା କଳନାଦିନୀ ପର୍ବତ-ସ୍ରୋତସ୍ବତୀ ।
ମସ୍ତକରେ ନୀଳ ଆକାଶ, ସତେ ଯେପରି ଉପରୁ ନୀଳିମା ଥପ ଥପ ହୋଇପଡ଼ୁଛି ।
ନାନାସାହେବ ମୁଗ୍ଧ ନେତ୍ରରେ ଏ ଅପରୂପ ସୌନ୍ଦର୍ଯ୍ୟ ଦେଖିବାକୁ ଲାଗିଲେ ।
କିନ୍ତୁ ପର ମୁହୂର୍ତ୍ତରେ ସବୁ ଅନ୍ଧକାର ହୋଇଗଲା ।
ପ୍ରକୃତିର ସେ ଚାରୁଶିଳ୍ପ କେଉଁଆଡ଼େ ଉଭେଇଗଲା ।
ସେ ବିଷର୍ଣ୍ଣ ମନରେ ରୋଦନ କରିବାକୁ ଲାଗିଲେ ।
କିଛିକ୍ଷଣ ପରେ ଚକ୍ଷୁ ଉନ୍ମୀଳନ କରି ଦେଖିଲେ ଯେ ଜଣେ ଯୁବକ ମହାନଦୀ ବକ୍ଷରେ ଶିଳା ଉପରେ ବସିଛନ୍ତି ।
ଯୁବକଙ୍କ ପରିଚ୍ଛଦ ଦେଖି ତାଙ୍କୁ ଶତ୍ରୁପକ୍ଷୀୟ ଭାବି ଭୀଷଣ ଗର୍ଜନ ସହ ତାଙ୍କ ଉପରେ ଲମ୍ପ ପ୍ରଦାନ କଲେ ।
କିନ୍ତୁ ଯୁବକ ପର୍ବତପ୍ରାୟ ଅଟଳ ।
ପ୍ରତ୍ୟାକ୍ରମଣର ଚେଷ୍ଟା ମାତ୍ର ବିରହିତ ।
ସେ ନାନାସାହେବଙ୍କ ଆଡ଼କୁ ନୀରବରେ ଅଗ୍ରସର ହୋଇ ତାଙ୍କୁ ଆଲିଙ୍ଗନ ପାଶରେ ଆବଦ୍ଧ କଲେ ।
ଯୁବକଙ୍କର ଏପରି ରୀତି ଦେଖି ନାନାସାହେବ ଆଶ୍ଚର୍ଯ୍ୟାନ୍ବିତ ହୋଇଗଲେ ।
ସେମାନଙ୍କ ମଧ୍ୟରେ ଅନେକ କଥାବାର୍ତ୍ତା ହେଲା; କିନ୍ତୁ ସେ ଗୁପ୍ତ କଥାବାର୍ତ୍ତା କେହି ଶୁଣିନାହାନ୍ତି ।
ଏଣୁ ପାଠକମାନଙ୍କୁ ତାହା ଉପହାର ଦେଇ ନ ପାରି ଆମ୍ଭେମାନେ ଦୁଃଖିତ ।
କେବଳ ଲୋକଙ୍କ ମୁହଁରୁ ଶୁଣିଛୁଁ ଯେ, ସେ ଯୁବକଙ୍କ ନାମ ଉଦିତ୍‌ପ୍ରତାପ ।
ଚତୁର୍ଥ ପରିଚ୍ଛେଦ : ଘୋର ଅନ୍ଧକାର
‘ଧନ୍ୟ ସେ ପ୍ରୀତିକି ମରଣ-ଭୀତିକି
ପ୍ରୀତି ସେ ପାରଇ ଜିଣି,
ଶିରୀଷ-ମୃଦୁଳା ଲବଣୀ-ପିତୁଳା
ପ୍ରୀତି କଲା ସାହସିନୀ ।’
(କେଦାରଗୌରୀ)
‘କିନ୍ତୁ ଏ ରକ୍ତପାତରେ ତୁମ୍ଭର ଲାଭ ?’
‘ଲାଭ! ଦେଶର ଶତ୍ରୁକୁ ବିନାଶ କରି ଜନ୍ମଭୂମିର ସ୍ବାଧୀନତା ରକ୍ଷା କରିବି ।
ଏହା କ’ଣ କ୍ଷତ୍ରିୟ ବୀରର ଚରମ ଲାଭ ନୁହେଁ ?’
‘ଏପରି ଭାବିବା ମୂର୍ଖତା ଭିନ୍ନ ଆଉ କିଛି ନୁହେଁ ।
ମରହଟ୍ଟାମାନେ ଚିର ବିଜୟୀ ।
ସେମାନଙ୍କ ସଙ୍ଗେ ଯୁଦ୍ଧ କରି ପରାଜିତ ହେବ, ବରଂ ସେମାନଙ୍କୁ ସାହାଯ୍ୟ କଲେ ଜମି-ଜାଗିରି ପାଇ ବଡ଼ଲୋକ ହୋଇପାରିବ ।’
‘ସେ କି ଉଦିତ୍‌ପ୍ରତାପ ! ତୁମ ମୁହଁରେ ଏପରି କଥା ! କ୍ଷମା କରିବ ।
ମୁଁ ସେ କାର୍ଯ୍ୟ କରିପାରିବି ନାହିଁ ।
ଆଜି ସୁଦ୍ଧା ଧର୍ମ ଅଛି ।
ପୂର୍ବପରି ଆଜି ସୁଦ୍ଧା ଚନ୍ଦ୍ର ସୂର୍ଯ୍ୟ ଉଦିତ ହେଉଛନ୍ତି ।
ତୁମେ ସେ କୂଟିଳ ମନ୍ତ୍ରଣା ଛାଡ଼ ।
ଦେଶର ଶତ୍ରୁକୁ ବିନାଶ କରି ଧନ୍ୟ ହୁଅ ।’
‘ଶତ୍ରୁବିନାଶ ! ଯୁଦ୍ଧ ! ନା, ଜୟପରାଜୟର ଅନିଶ୍ଚିତ ସ୍ଥାନକୁ ଯିବା ମଧ୍ୟ ଠିକ୍‌ ନୁହେଁ ।’
‘ନା, ହେଲା ! ସେପରି କହନା ।’
ଏହା କହି ପ୍ରସନ୍ନକୁମାର ତୀକ୍ଷ୍ଣ ଦୃଷ୍ଟିରେ ଉଦିତ୍‌ପ୍ରତାପଙ୍କ ମୁଖଆଡ଼କୁ ଅନାଇବାକୁ ଲାଗିଲେ ।
କିନ୍ତୁ ଉଦିତପ୍ରତାପ ସ୍ଥିରସଂକଳ୍ପ ।
ସେ ମରହଟ୍ଟାମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ ନାହିଁ ।
ପ୍ରସନ୍ନକୁମାରଙ୍କ କଥା ଶୁଣି ତାଙ୍କର ଭ୍ରୂ-ଯୁଗଳ ଈଷତ୍‌ କୁଞ୍ଚିତ ହେଲା ।
ନୟନରୁ ବକ୍ର ଜ୍ୟୋତି ନିର୍ଗତ ହେଲା ।
ସେ କିଛି ନ କହି ବଂଶୀବାଦନ କଲେ ।
ବଂଶୀବାଦନ ସଙ୍ଗେ ସଙ୍ଗେ ବହୁସଂଖ୍ୟକ ମରହଟ୍ଟା ସୈନିକ ‘ବମ୍‌ ବମ୍‌ ମହାଦେଓ’ ରବ କରି ତୋରଣ ଆଡ଼କୁ ଧାବମାନ ହେଲେ ଓ ପ୍ରସନ୍ନକୁମାରଙ୍କୁ ଘେରି ପକାଇଲେ ।
ପ୍ରସନ୍ନକୁମାର କିଂକର୍ତ୍ତବ୍ୟବିମୂଢ଼ ହୋଇ ଏସବୁ ଦେଖିବାକୁ ଲାଗିଲେ ।
ଉଦିତ୍‌ପ୍ରତାପ ପ୍ରତିହିଂସା ସାଧନର ଉପଯୁକ୍ତ ସମୟ ପାଇ ଖଡ୍ଗ-ହସ୍ତରେ ପ୍ରସନ୍ନକୁମାରଙ୍କ ଆଡ଼କୁ ଧାବମାନ ହେଲେ ।
କିନ୍ତୁ ପ୍ରସନ୍ନକୁମାରଙ୍କ ମୁଣ୍ଡ ନ ଛିଣ୍ଡୁଣୁ ପଛରୁ କିଏ ଆସି ତାଙ୍କ ମସ୍ତକକୁ ଶରୀରରୁ ବିଚ୍ଛିନ୍ନ କଲେ ।
ସୈନିକମାନେ ବିସ୍ମୟାବିଷ୍ଟ ନେତ୍ରରେ ଦେଖିଲେ ଯେ, ଜଣେ ସନ୍ୟ୍ନାସିନୀ ଉଦିତ୍‌ପ୍ରତାପଙ୍କ ଛିନ୍ନ ମସ୍ତକକୁ ହସ୍ତରେ ଧରି କେଉଁଆଡ଼େ ଚାଲିଗଲା ।
ତାକୁ ଖୋଜିବାପାଇଁ ସେମାନେ ଅନେକ ଚେଷ୍ଟା କଲେ; କିନ୍ତୁ କୌଣସିଠାରେ ପାଇଲେ ନାହିଁ ।
ପ୍ରସନ୍ନକୁମାର ବିସ୍ମିତ, ସ୍ତମ୍ଭିତ ହୋଇ ଏହା ଦେଖିବାକୁ ଲାଗିଲେ ।
ଉଦିତ୍‌ପ୍ରତାପଙ୍କ ମସ୍ତକ ଶରୀରରୁ ବିଚ୍ୟୁତ ହେଲା ।
ସେଥି ସଙ୍ଗେ ସଙ୍ଗେ ସମ୍ବଲପୁରର ସ୍ବାଧୀନତା-ରବି ମଧ୍ୟ ଅସ୍ତମିତ ହେଲା ।
ମରହଟ୍ଟାମାନେ ଅପ୍ରତ୍ୟାଶିତ ଭାବରେ ସମଲାଈ ଫାଟକବାଟେ ଦୁର୍ଗମଧ୍ୟରେ ପ୍ରବେଶ କରି ଜୟନ୍ତ ସିଂହ ଓ ତଦୀୟ ପୁତ୍ର ମହାରାଜା ସାଏଙ୍କୁ ବନ୍ଦୀ କଲେ ।
ସମ୍ବଲପୁର ଦୁର୍ଗ ଶତ୍ରୁମାନଙ୍କ ହସ୍ତଗତ ହେଲା ।
ପ୍ରସନ୍ନକୁମାର ପ୍ରାଣପଣେ ଚେଷ୍ଟା କରି ସୁଦ୍ଧା ଦୁର୍ଗ ରକ୍ଷା କରିପାରିଲେ ନାହିଁ ।
ତାଙ୍କ ଆହତ ଶରୀର ଧରାଶୟୀ ହେଲା ।
ସମ୍ବଲପୁର ମୁଖ ବିଷାଦ-କାଳିମା ରଞ୍ଜିତ ହେଲା ।
ସ୍ବାଧୀନ ଜାତି ପରାଧୀନ ହେଲା ।
ହାୟ ଉଦିତ୍‌ପ୍ରତାପ ! ଶେଷକୁ ବିମଳାର ରୂପର ମୂଲ୍ୟ ସ୍ବରୂପ ସ୍ବଦେଶର ସ୍ବାଧୀନତା ବିକ୍ରୟ କଲ !!!
କିନ୍ତୁ ଏ ସନ୍ୟ୍ନାସିନୀ କିଏ ? ତମୋମୟୀ ରଜନୀରେ ଶ୍ମଶାନରେ ବସି କ’ଣ କରୁଛି ? ସନ୍ୟ୍ନାସିନୀ ବ୍ୟଥିତ ମନରେ, ଆକୁଳ ପ୍ରାଣରେ ଆକାଶକୁ ଅନାଇ ଗାଇବାକୁ ଲାଗିଲା :
କିମ୍ପା ଦୟାମୟ ହୋଇଣ ନିର୍ଦ୍ଦୟ
ଦେଲ ଏ ହୀନ ଜନମ,
କାନ୍ଦି କାନ୍ଦି ହରି ଗଲିଣି ତ ସରି
ପୋଡ଼ୁ ଏ ହୀନ କରମ । ୦ ।
ହେଲି ମୁଁ ସଂସାରେ
ଘୋର ଅଭିଶାପ,
ଯହିଁ ଗଲି ତହିଁ
ବିଞ୍ଚିଅଛି ପାପ;
ଜଗତର ତପ୍ତ ଲୋତକ-ପ୍ରବାହେ
ହେଉଅଛି ଭାସମାନ । ୧ ।
ଅଶାନ୍ତିର ମନ୍ତ୍ର
ପଢ଼ିଲି ଜଗତେ,
ବୁଡ଼ିଅଛି ଏବେ
ସ୍ବଦେଶ ରକତେ;
ଧିକ ମୋର ରୂପ ଧିକ ଯଉବନ
ଧିକ ମୋର ଏ ଜୀବନ । ୨ ।
ଅସାର ସଂସାର
ଅପାର ଯାତନା
ଦେଉଅଛି ମୋତେ
ବିଷମ ଲାଞ୍ଛନ;
ପ୍ରେମମୟ ହରି କରୁଣା ବିସ୍ତାରି
ପାଦପଦ୍ମେ ଦିଅ ସ୍ଥାନ । ୩ ।
ଶଶ୍ମାନକ୍ରୋଡ଼ରେ ଶାୟିତ ଯନ୍ତ୍ରଣାକାତର ପ୍ରସନ୍ନକୁମାର ଏ ସୁମଧୁର ସଙ୍ଗୀତ ଶୁଣି ମୁଗ୍ଧ ହୋଇଥିଲେ ।
ତାଙ୍କର ରୁଧିରାକ୍ତ ମୁଖରେ ହାସ୍ୟର ବିମଳ ରେଖା ଝଲସି ଦିଶିଲା ।
କେଉଁ ଅଜ୍ଞାତ ପ୍ରଦେଶରୁ ଅମୃତ ଝଙ୍କାର ଆସି ତାଙ୍କୁ ଗୋଟିଏ ମୋହମୟ ଶାନ୍ତିମୟ ରାଜ୍ୟକୁ ନେଇଗଲା ।
ସେଠାରେ ସେ ସ୍ବର୍ଗର ଚିତ୍ର ଦେଖିବାକୁ ପାଇଲେ ।
କିଏ ଯେପରି ତାଙ୍କ ନିକଟକୁ ଆସି ଚିରପରିଚିତ ବୀଣାଜିଣା ସ୍ବରରେ ତାଙ୍କୁ ଡାକି ଗୋଟିଏ ସ୍ବପ୍ନମୟ କୁଞ୍ଜରେ ତାଙ୍କୁ ବସାଇ ନିଜେ ତାଙ୍କ ନିକଟରେ ବସିଲା ।
ପ୍ରସନ୍ନକୁମାରଙ୍କ ଶରୀର ପୁଲକିତ ହୋଇଗଲା ।
ସେ ଅଲୌକିକ ସୌନ୍ଦର୍ଯ୍ୟ, ଅପ୍ସରାସମ୍ଭବ ଜ୍ୟୋତି, କିନ୍ନରକଣ୍ଠ ତାଙ୍କ ମନରେ ଯେପରି ପ୍ରାଚୀନ ସ୍ମୃତି ଅଙ୍କିତ କଲା ।
ସେ ଚକ୍ଷୁ ଖୋଲି ଦେଖିଲେ, ତାଙ୍କ ନିକଟରେ ଜଣେ ମୁକୁଳିତ କେଶପାଶା, ଗୈରିକବସନୀ, ଅନିନ୍ଦ୍ୟସୁନ୍ଦରୀ ସନ୍ୟ୍ନାସିନୀ-ମୂର୍ତ୍ତି ବସିଛନ୍ତି ।
ତାଙ୍କୁ ଦେଖି ପ୍ରସନ୍ନକୁମାରଙ୍କ ଶରୀରରେ ସିଂହ-ବିକ୍ରମ ଉଦିତ ହେଲା ।
ସେ ଗାତ୍ରୋତ୍‌ଥାନ କରି ସନ୍ୟ୍ନାସିନୀଙ୍କୁ ଆଲିଙ୍ଗନ କରି କହିଲେ, ‘ବିମଳା ! ବିମଳା…’ ଆଉ କହିପାରିଲେ ନାହିଁ ।
ତାଙ୍କ ଶରୀର ଅବସନ୍ନ ହୋଇଗଲା ।
ଶରୀରର କ୍ଷତସ୍ଥାନମାନଙ୍କରୁ ପ୍ରବଳ ବେଗରେ ରୁଧିର ବହିବାକୁ ଲାଗିଲା ।
ପ୍ରାଣହୀନ ପିଣ୍ଡ ଧରାଲୁଣ୍ଠିତ ହେଲା ।
ବିମଳା ଏହା ଦେଖି ବିକଳରେ ରୋଦନ କରିବାକୁ ଲାଗିଲା ।
ତାହାର ଜୀବନର ଧ୍ରୁବତାରା ଅସ୍ତମିତ ହେଲା ।
ସେ ଉତ୍ତରୀୟ ମଧ୍ୟରୁ ତୀକ୍ଷ୍ଣ ଛୁରିକା ବାହାର କରି ନିଜ ବକ୍ଷଦେଶରେ ବିଦ୍ଧ କଲା ।
ଯନ୍ତ୍ରଣା ପ୍ରତି ଲକ୍ଷ୍ୟ ନ କରି ରୁଧିରାକ୍ତ କଳେବରରେ ପ୍ରସନ୍ନକୁମାରଙ୍କ ରୁଧିରାକ୍ତ ଶରୀରକୁ ଆଲିଙ୍ଗନ କଲା ।
ଆହା ! ସେ ଅନ୍ତିମ ଆଲିଙ୍ଗନ…ସେ ଅନ୍ତିମ ଚୁମ୍ବନ କେତେ ପବିତ୍ର…କେତେ ମଧୁର ! ସେ ଲୋତକରେ ଅମୃତ, ରକ୍ତରେ ମନ୍ଦାକିନୀ !
ଏ ସ୍ବାର୍ଥତ୍ୟାଗର ପବିତ୍ର ତପୋବନ ହିଁ ସ୍ବର୍ଗ !
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment