Commit 72b4bc3e authored by Nayan Ranjan Paul's avatar Nayan Ranjan Paul

Upload New File

parent 98df1ccd
ଅନ୍ଧର ଅହମିକା
ନିତ୍ୟାନନ୍ଦ ମହାପାତ୍ର
ତା: ସେପ୍ଟେମ୍ବର୍ ୨୭, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ସଉରି ପାଇକରାୟ ସେମିତି ଖୁଣ୍ଟଟା ପରି ବସିଛି ।
ହୁଙ୍କୁ ନାହିଁ କି ଚଙ୍କୁ ନାହିଁ ।
ଗଲା ଦୁଇତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଛି ।
ଭୋଦୁଅ ମାସ ଶେଷ ମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ପଡ଼ିଲା ।
କି ଅକାଳ କଥା ! ଦାଣ୍ଡରେ ସୁଅ ଚାଲିଛି ।
ପୁରୁଣା ଦରମଲା ତାଳଗଛଟାଏ ତଳଆଡୁ ଫାମ୍ପରା ଧରିଥିଲା କି କ’ଣ, ଗଡ଼ି ପଡ଼ିଲା ।
ତା’ରି ଉପରେ ବାୟା ଚଢ଼େଇ ବସା, ବାଆ କଲେ ଦୋହଲୁଥାଏ, ଆଜି ତଳେ ପଡ଼ିଛି ଛିନ୍‌ଛତର୍‌ ।
ଅଣ୍ଡା କେଇଟି ଛତୁ ହୋଇଯାଇଛି ।
ଚଡ଼କ ପଡ଼ି ମିଶ୍ରଘର ନଡ଼ିଆ ଗଛଟାଏ ଜଳିଗଲା ।
ବୁଢ଼ା ପାଇକରା ଖୁଣ୍ଟଟା ପରି ଚାହିଁଛି ।
ଦମ୍ଭିଲା ବୁଢ଼ା ।
ବୟସ ଷାଠିଏ କି ପଇଁଷଠି ହେବ ।
ବୁଢ଼ା ଏବେ ବି ମଜଭୁତ୍‌ ଅଛି ।
‘ଏମିତି ଝଡ଼ କାହିଁ ଦେଖା ନଥିଲା ସାନ୍ତେ ।’
ସଦେଇ ପଖିଆ ମୁଣ୍ଡରେ ପକେଇ କହି କହି ଯାଉଥାଏ ।
‘ହଁ ଦକ୍ଷିଣା ପକେଇଲାଣି ।
ବ୍ରାହ୍ମଣ, ବରଷା, ବଢ଼ି କୁଆଡ଼େ ଛାଡ଼ି ପଳେଇବ ।’
‘ଆମ ସାହିରେ ଗଉରା, ଚେମା, ସଇତାଙ୍କ ଘର କାନ୍ଥ ସବୁ ପଡ଼ିଗଲା ।
-ଏ ଯେଉଁ ତୁଫାନ୍‌ ପିଟୁଛି ।’
ଧରମୁ ଜେନା କହିଗଲା ।
ଯାଉ ! ଏମିତି କେତେ ଯିବ ।
ପୁଣି ନୂଆ ତୋଳେଇ ନେବେ ।
କି ଘର ଯେ, କ’ଣ ଘରକୁ ଲେଖା ? ଏକା ଦିନକେ ମନ କଲେ ଦି’ ଦି’ଟା ଘର ଠିଆ ହୋଇଯିବ ।
ଘର ତ ସଉରି ପାଇକରାର ଘର, ଯାହାକୁ କହନ୍ତି ଘର ।
ଦଶ ପାଞ୍ଚଟା ଗାଁରେ ଏମିତି ଘର ଖଣ୍ଡେ କାହାରି ନଥିବ ।
ବାପ ଦାଦି ସପତ ସପତାଣି ଭୋଗ କଲେଣି, ଏଇ ଡିହ ଖଣ୍ଡିକ ।
ତା’ରି ଉପରେ କେତେଥର କାନ୍ଥ ଉଠିବଣି, କେତେ ବର୍ଷ ପରେ ବର୍ଷ ଅସୁମାରି ଛାଉଣି ସରିବଣି, କୋଉ ଅମଳରୁ କିଏ କହିବ ? ଏଇ ବର୍ଷ ସଉରି ଇଟା ପକେଇ ପକାକାନ୍ଥ ଉଠେଇଛି ।
ରୋଜଗାରିଆ ପୁଅ ।
ତା’ର କ’ଣ ହବ ? କିଛି ହବ ନାହିଁ ।
ଗାଁଟାଯାକ ଭାସିଗଲେ ବି ସେ ଥିବ ବି ତା’ ଘର ଥିବ ।
ନୂଆଘରର ନିଅଁ ଦେଲାବେଳେ ପୁଅର ମନ ମାନିଲା ନାହିଁ ପୁରୁଣା ଖଞ୍ଜାରେ ।
ପଇସା ତ ତା’ରି ।
ପୁଅ କଥା ରହିଲା ।
ଘରଟାଏ ତୋଳାଗଲା ‘ବଙ୍ଗ୍‌ଲୋ ପ୍ୟାଟର୍ଣ୍ଣ’ ରେ ।
ବୁଢ଼ାର ମନ ରଖିବା ପାଇଁ ଛଟପଟ ପାରିଛିତ୍‌ଟାଏ ବୁଲି ଆସିଲା ଖାଲି- ଆବୁରୁ ରହିବ, ମାଇପେ ଚଳପରଚଳ ହେବେ ।
ମାଟି ଘର ଯାଇ ପକା ଘର ହେଇଛି ।
ହେଲେ ଛଣ ଛିଆଣି ।
ଯୋଉ ଛପରକୁ ସେଇ ଛପର ।
ଛୋଟ ଛୋଟ ଘରଗୁଡ଼ାକ ଫଇଲାତ୍‌ ହେଉଛି ।
ଖାଲି ଯାହା ଭାଗବତ ଗାଦିଟା ଏଡ଼େ ବଡ଼ ଗୋଟାଏ ଘର ମାଡ଼ି ବସିଥିଲା, ତା ପାଇଁକି ଛୋଟ ଚୋର କୋଠରୀଟିଏ ହେଇଛି ପକାରେ ।
ଖରାତରା ପାଣି ପବନରୁ ଫାରିକିତି ।
ବୁଢ଼ା ମନେ ମନେ ମାଟି ଘରକୁ ଉଠି ଠାକୁରେ ପକାଘରେ ରହିଲେ- ଏଣିକି ତାଙ୍କ କଥା ସେ ଜାଣନ୍ତି ।
ପୁଅ ମନେ ମନେ ଏଡ଼େ ବଡ଼ ଘରଟା ଅକାରଣେ ପୁରୁଣା ଉଇଖିଆ ତାଳପତ୍ରଗୁଡ଼ାକ ମାଡ଼ି ବସିଥିଲା- ଅସନା ଅବର୍ଯ୍ୟାରୁ ରକ୍ଷା ମିଳିଲା ।
ଘର ବଢ଼ିଲା, ଘରକରଣା ବି ବଢ଼ିଲା, ତା’ ସାଙ୍ଗରେ ମାଟି କାନ୍ଥର ଛୋଟ ଠଣାଟି ମଧ୍ୟ ବଢ଼ି ବଢ଼ି ବିଶାଳ କାନ୍ଥ ଆଲମାରିର ରୂପ ନେଇଛି ।
ବୁଢ଼ୀ ଥାଆନ୍ତେ, ଯାବତ ଦିଅଁ ଦେଉଣୀଙ୍କ ଝଣ୍ଡା ତୁଳସୀ ଏକାକାର ହେଇ ପଡ଼ିଥାଏ ତା’ରି ଭିତରେ କାଇଞ୍ଚ ପେଡ଼ିଟିରେ ।
ଜର ନୂଆର, ଝାଡ଼ାଝପକା, ବାନ୍ତିଉଚ୍ଛଳା, ନଅନୁଆଣୀଠାରୁ ଆରମ୍ଭ କରି ଛୁଆଛଁଅସ୍ତା; ଚିଆଁ ଚମକା ସବୁଥିରେ ଝଣ୍ଡା ପାଣି ଟିକିଏ ।
ତା’ ସାଙ୍ଗରେ ମୁଣ୍ଡିଆ ଆଉ ମାନସିକ ।
ବୁଢ଼ୀ ନାହିଁ ।
ବୁଢ଼ୀ ଯିବାର ଆଜିକି ଦଶ ବର୍ଷ ହେଲାଣି, ତା’ ସାଙ୍ଗେ ସାଙ୍ଗେ ସେ ପେଡ଼ି ପେଟରା ବି ଯାଇଛି ।
ଶେଷରେ ଠଣାଟା ବି ଗଲା ।
କାନ୍ଥ ଆଲମାରିରେ ଅଛି- କୁଇନାଇନ୍‌, କର୍ପୂରାରିଷ୍ଟ; ଟିଞ୍ଚର ଆୟୋଡ଼ିନ୍‌, ତୁଳା, ବ୍ୟାଣ୍ଡେଜ୍‌, ସଲଫାଗୁଆନଡ଼ିନ୍‌, ଏକୁଆ ସାଇକଟିସ୍‌ ଓ ପିପରମେଣ୍ଟ ସାଙ୍ଗକୁ ଅମୃତାଞ୍ଜନ ।
ଏତକ ପୁଅ ଦେଇ ବଟେଇଛି ।
ରୋଗ ବାଧିକିରେ କାମରେ ଆସିବ ।
ଗାଁ ଯାକ ସମସ୍ତେ ଅନେଇ ବସିଥାନ୍ତି ସେଇ ଆଲମାରିକି ।
କିଏ ଆସି କହିଲା- ‘ସଉରାଇ, ଏଥର ମାଳିକା ଫଳିଲା ।
ଘାଇ ଭାଙ୍ଗିବ, ବଉଳା କୁମ୍ଭୀର ଯିବ ଠାକୁରାଣୀ ଦର୍ଶନକୁ ।
ପାଣି ଅଠେଇଶ ଫୁଟ ହେଲା ।
ବନ୍ଧରେ ଘଳି ଫୁଟିଲାଣି ବୋଲି ରଥିଆ ଦେଖି ଆସି କହୁଛି ।’
ବୁଢ଼ା ସଉରା ହସିଦେଲା ।
କହିଲା-ଯାଆରେ ଯା, ଏମନ୍ତ ଘାଇ ଭାଙ୍ଗିବ ।
ଆମ ସରକାର କ’ଣ ମିଛେଇ ବସିଛନ୍ତି- ଏଡ଼େ ଏଡ଼େ ଇଞ୍ଜିନିୟରମାନେ ଗୁନା କମ୍ପାସ ଯେ ମାପୁଛନ୍ତି- ଖାଲି ମହାଳିଆ ?
ବୁଢ଼ା ସଉରିର କିନ୍ତୁ ଛାତି ଟିକିଏ ଦବିଗଲା ।
ଘରଟାକୁ ଚାହିଁଲା ।
ନାଃ, ଗାଁଯାକ ଭାସିଯିବ ପଛେ, ଏ ଘର ଭାଙ୍ଗିବ ନାହିଁ ।
ଖୁବ୍‌ ଜୋର୍‌ରେ ଗୋଟାଏ ତୁଫାନ୍‌ ପିଟିଦେଲା ।
ବୁଢ଼ା ଉଠିପଡ଼ିଲା ।
ପୁଣି ମନକୁ କ’ଣ ଭାବି ବସିଲା ।
କିଛି ଚିନ୍ତା ନାହିଁ ଯେତେ ବଢ଼ି ଆସୁ, ସଉରି ଘରେ ପାଣି ନପଶେ ।
ଏକେ ଉଚ୍ଚ ଡିହ- ତହିଁରେ ପୁଣି ଉଚ୍ଚ ପିଣ୍ଡା ।
ପାଣି ପଶିବାକୁ ଲାଗେ ଦଣ୍ଡେ ।
ପଶିଲେ ବି ଡର ନାହିଁ, ଏ ନିଅଁକୁ ଯେତେ ବଡ଼ ବଢ଼ି ହେଉ ସହଜରେ ଟଳେଇ ପାରିବ ନାହିଁ ।
ଏ ବନ୍ଧ ଯିଏ ପକେଇଛି ସେ ଏମିତି ସେମିତି ଲୋକ ନୁହେଁ ।
ତାକୁ ମାଟି ବିଦ୍ୟା ଜଣା ଥିଲା ।
ତଥାପି ବୁଢ଼ାର ଗୋଟାଏ ଦକ-ବନ୍ଧଟା ଯେଉଁ ମୁସ୍ତରରେ କୋଉଁ ପୁରୁଷକୁ ପଡ଼ିଥିଲା- ଟିକିଏ ସେଥିରେ ହେର୍‌ଫେର୍‌ ହୋଇଛି-ପୁଅ ବୁଦ୍ଧିରେ ।
ଅଗଣାଟା ଟିକିଏନାକୁ ଦକ୍ଷିଣଶୁଳିଆ ଧରିଛି ।
ପହିଲୁ ବାଁ ପାଖକୁ ଘରଟା ଲମ୍ବ ଚୌପାଢ଼ି ପରି ଏବେ ଦାଣ୍ଡ ଦୁଆରର ଦୁଇ ପାଖରେ ସମାନ ସମାନ ଦି’ଟା ଘର ବୈଠକଖାନା ।
ବୁଢ଼ାର ମନ ଦୁଡ଼ବୁଡ଼ିଆ ଜାଣି ପୁଅ ଗୋଟାଏ ଇଞ୍ଜିନିୟର ସାଙ୍ଗକୁ ଧରି ଆଣିଥିଲା ।
ସେ କେମନ୍ତେ ବିଲାତ ଫେରତ୍‌ ।
ବିଲାତରେ ପରା ଏଇ ଏଞ୍ଜେନର୍‌ମାନେ ପାତାଳ ଫୁଟେଇ ରାସ୍ତା କରିଛନ୍ତି- ଉପରେ ନଈ ସଡ଼କ ।
ଏମାନଙ୍କୁ କ’ଣ ଅଜଣା ।
ବର୍ଷ କେଇଟାରେ ଗୋଟାଏ ରାକ୍ଷସ ଭଳି ହାବଡ଼ା ପୋଲ ଗଢ଼ି ତିଆରି ଦେଲେ ।
ଏମାନେ ସାକ୍ଷାତେ ବିଶ୍ବକର୍ମା ।
ତାଙ୍କ କାଥା କ’ଣ ଅନ୍ୟଥା ହବ ? ପୁଣି ବିଲାତରୁ ପାଠପଢ଼ି ଆସିଛନ୍ତି ।
ସେଇ ସାହେବ ଏଞ୍ଜେନର୍‌ମାନେ ତ କହିଛନ୍ତି- ବନ୍ଧ କିଛି ହେବ ନାହିଁ ।
ଆମ ସରକାର ଥାଉଁ ଥାଉଁ କଂଗ୍ରେସ ସରକାର ଥାଉଁ ଥାଉଁ ବନ୍ଧ ଭାଙ୍ଗିବ ?- କେଭେ ନୁହେଁ ।
ବୁଢ଼ା ଦମ୍ଭକରି ରହିଲା ।
‘ଆଜ୍ଞା, ବନ୍ଧ ଯଦି ଭାଙ୍ଗେ ତେବେ ଆମ ଗାଁ’ଟା ତ ସୁଅ ମୁହଁରେ ପଡ଼ିଯିବ ।
ଲୋକେ ସବୁ ପଳେଇବାକୁ ଆରମ୍ଭ କଲେଣି ।’
କିଏ ଜଣେ କହିଲା ।
‘ହଁ-’ ବୁଢ଼ା ଓଠାଟାକୁ ଲମ୍ବେଇ ଦେଇ କହିଲା- ‘ହବ ତ ହବ,ଶିଳଶିଳପୁଆ ଯଦି ଗଗନେ ଉଡ଼ିବ- ଶିମିଳି ତୁଳା କ’ଣ କହିବ- ମତେ ରଖ୍‌ ? ଯିବା ତ ଯିବା ।’
ଏତିକିବେଳେ ମହିଆ ଚମାର ଆସି କହିଲା- ‘ବନ୍ଧ ଆଉ ଥାକିବନି ବାବୁ ।
ଏଞ୍ଜନର୍‌ମାନେ ସବୁ ଯନ୍ତ୍ର ନଗେଇ ଦେଖୁଛନ୍ତି ।
ଚାଲନ୍ତୁ, ଜୀବ ଥିଲେ ସମ୍ପତ୍ତି ।’
ବୁଢ଼ା ଚିଡ଼ି ଉଠିଲା- ‘ଯାଃ ଯାଃ- ଶହସ୍ର ପୁରାଣ କାଢ଼ୁଛି ।
ମରିବାର ଥିଲେ କେହି ବଞ୍ଚେଇ ପାରିବ ନାହିଁ; କି ବଞ୍ଚିବାର ଥିଲେ କେହି ମାରି ପାରିବ ନାହିଁ ।
ଯା-ଯା-ସବୁ ପଳାଇ ଯା’ ।
ମରଣ କାଳେ ନିଦ୍ରା ଗଲେ- ଯମ କି ଛାଡ଼ିଦେବ ଭଲେ ?’
ଗାଁରେ ଶଙ୍ଖ ହୁଳୁହୁଳି ଉଚ୍ଛୁଳି ପଡ଼ିଲା ।
ହରିବୋଲ ଶବଦରେ ଆକାଶଟା ଯିମିତି ଫାଟି ପଡ଼ୁଛି ।
ବୁଢ଼ା ହସିଲା ।
ବାରମାସିଆ ମୂଲିଆଟା କଥା ନଶୁଣି ଗୋରୁଗୁଡ଼ାକ ଫିଟାଇ ଦେଲା ।
ନିଶବ୍ଦ ରାତି ।
କିଏ ଗୋଟାଏ ହୁଡ଼ି ପକେଇ ଗଲା ‘ସରକାର ବନ୍ଧ ଉପରେ ଲାଲବତି ଜଳେଇ ଦେଇ ଗଲାଣି ।
ବନ୍ଧ ଭାଙ୍ଗିଲା ହୋ, ପଳେଇ ଆସ ।
ବୁଢ଼ା ଚମକି ପଡ଼ିଲା ।
ପୁଣି ଭାବିଲା- ‘ଏଗୁଡ଼ାକ ମୂର୍ଖ ।
ନଈ ନଦେଖୁଣୁ ଲଙ୍ଗଳା ।
ଏମାନେ ବୁଡ଼ିବେ ନାହିଁ ତ ଆଉ କିଏ ବୁଡ଼ିବ ।
ସରକାର କହିଛନ୍ତି- ସରକାରୀ ଇଞ୍ଜିନିୟରମାନେ କହିଛନ୍ତି- ବନ୍ଧ ଭାଙ୍ଗିବ ନାହିଁ ।
ସମସ୍ତେ ଥୟଧର ।
କ’ଣ ନା-ବନ୍ଧ ଭାଙ୍ଗିଗଲା ।
ଭାଙ୍ଗିବା କ’ଣ ଶସ୍ତା ପଡ଼ିଛି ?
ଏଞ୍ଜିନର୍‌ କଥା ମିଛ ହୋଇଯିବ ।’
ଘରେ ବୁଢ଼ୀ ଭାଉଜ ଆଉ ଗୋଟାଏ ନିଅଁଶୀ ତେଲୁଣୀ ।
ତେଲୁଣୀ ୟେଙ୍କରି ଘରେ ଖାଏ, ରହେ- ଧାନ ଉଁସାଏ, କୁଟେ, କାଣ୍ଡେ, ବାସନ ମାଜେ, କୋଳାହଳ ଶୁଣେ ।
ସମସ୍ତଙ୍କ କହୁଥାଏ- ଚିନ୍ତା ନାହିଁ, ଆମର କ’ଣ ହବ ? ବିଲାତ ଫେରତ୍‌ ଏଞ୍ଜିନର କହିଛି, ଏଘର କିଛି ହବ ନାହିଁ ।
‘ବନ୍ଧ ଭାଙ୍ଗିଗଲା ।
ତାଳଗଛ ପ୍ରମାଣରେ ପାଣି ମାଡ଼ି ଆସୁଛି- ପଳେଇ ଚାଲ-ପଳେଇ ଚାଲ ।
ଯିଏ ଯେଉଁଠି ଅଛ ପଳେଇ ଚାଲ ।’
ବୁଢ଼ା କାନକୁ ଗୋଟେ ଗର୍ଜନ ଶୁଭିଲା ।
ଭାବିଲା-ତୁଫାନ-ତୁଫାନ ।
ମୂଲିଆଟା ଦଉଡ଼ି ଆସି କହିଲା- ‘ସତ୍ୟାନାଶ ବାବୁ, ସତ୍ୟାନାଶ ।
ଚାରିଆଡ଼େ ବଢ଼ି ପାଣି- ଦାଣ୍ଡରେ ସୁଅ ଛୁଟିଛି ।
ଆଉ ରକ୍ଷା ନାହିଁ !’ କହି ସେ ଡିଆଁଟେ ମାରିଦେଇ ଚମ୍ପଟ ।
ଏତେବେଳେକେ ବୁଢ଼ା ଟିକିଏ ହସିଲା ।
ଘର ଚାରିପଟେ ଥରେ ବୁଲି ଆସିଲା ଓ କିଛି ହବ ନାହିଁ ମୋର ! ଜବବ୍‌ର ଘର ।
ଦୋତଲା ନିଅଁ ପଡ଼ିଛି ।
କ’ଣ ହବ ?
ଘର ଭିତରକୁ ଗଲା ।
ଦେଖିଲା କଂସା ବାସନ, ଗହଣାଗାଣ୍ଠି, ଲୁଗାପଟା ସବୁ ଯେମିତି ସେମିତି ଅଛି, ବଢ଼ିପାଣି ତାକୁ ଛୁଇଁ ନାହିଁକି ଛୁଇଁବ ନାହିଁ ।
ବନ୍ଧ ଭାଙ୍ଗି ନାହିଁ କି ଭାଙ୍ଗିବ ନାହିଁ ।
ଗାଦି ଘରକୁ ଗଲା ।
ଚାହିଁଲା ।
ଧର୍ମନାବ- ଏଇ ଏକା ସତ୍ୟ ! ଏ ଥାଉଁ ଥାଉଁ ବୁଢ଼ା ଘରେ ପାଣି ପଶିବ ? ଅସମ୍ଭବ ।
ଶୋଇଲା ଘରେ କାଚ ଆଲମାରିଟାକୁ ଚାହିଁଲା ।
ଅନେକ ଔଷଧ ।
ସବୁଦିନେ ଗାଁବାଲା ମାଗି ଆସନ୍ତି ।
ଆଜି ତ କେହି ଆସିନାହାନ୍ତି ମାଗି ।
ଏଥିରୁ କେହି ତ ବଢ଼ି ମରୁଡ଼ିରୁ ରକ୍ଷାକରି ପାରିବ ନାହିଁ ।
ଯଉ ଔଷଧ ଯଉଥିପାଇଁ ।
ରେଳଗାଡ଼ି ନାଇନ୍‌ ଉପରୁ ଟଳିବ ନାହିଁ, ଜର ଔଷଧ ଝାଡ଼ାକୁ ହବ ନାହିଁ ।
କିନ୍ତୁ-କିନ୍ତୁ…
ଆଜି ଅନେକ ଦିନ ପରେ ଖୁବ୍‌ ଜୋର୍‌ରେ ମନେ ପଡ଼ିଲା-ଶରତ ବୋଉ କଥା ।
ସେ ଥିଲେ ହୁଏତ କହିଥାନ୍ତେ- ଏହି ଧଣ୍ଡା ଟିକିଏ ପାଅ- ବିପଦ ଟଳିଯିବ ।
ବୁଢ଼ା ହସିଲା ।
ଏଞ୍ଜେନର୍‌ମାନେ ତ କହିଛନ୍ତି କିଛି ହବନାହିଁ ।
ଧଣ୍ଡାଫଣ୍ଡାରୁ ଗୁଡ଼ାଏ କ’ଣ ହବ ?
ବୁଢ଼ୀ ଭାଉଜ ଆସି ତନାଘନା କଲେ, ‘କ’ଣ କରୁଛ ସଉରି ? ପାଣି ଯେ ଆସି ପିଣ୍ଡାକୁ ଲାଗିଲା ।’
‘ଏଁ-ପିଣ୍ଡାକୁ ଲାଗିଲା ?-ବାଉରିଆ କାହିଁଗଲା- ସେ ତେଲୁଣୀ ମାଇକିନିଆଟା କୁଆଡ଼େ ଗଲା ?’
‘ସେ ଦୁହେଁଯାକ ପଳେଇଗଲେଣି ।’
ବୁଢ଼ା ହସି ହସି କହିଲା- ପାଗଳ, ପାଗଳ ! ଏଞ୍ଜେନର୍‌-ବିଲାତ୍‌-ବିଲାତ ଫେରତ୍‌ ଏଞ୍ଜେନର୍‌ଙ୍କ କଥା ମିଛ ହବ ?
କହୁଁ କହୁଁ ପାଣି ମାଡ଼ି ଆସିଲା ପିଣ୍ଡା ଟପି ଘର ଭିତରକୁ ।
‘ସଉରି !’ ବୁଢ଼ୀ ଚିତ୍କାର କରି ଉଠିଲା ।
ବୁଢ଼ା ଦାଣ୍ଡକୁ ଯାଇ ବାଡ଼ିଟା ପକାଇଲା ମାପିବାକୁ- ପାଣି କେତେ ? ବୁଢ଼ାର ଦଲକ ଉଠିଲା ।
ନିଶ୍ବାସ ଶୁଖିଗଲା- ସେଇ ଥଣ୍ଡା ପବନରେ ବି ।
ବୁଢ଼ା ପୁଣି ଆସିଲା ଘର ଭିତରକୁ ।
ନାଃ, କିଛି ହବ ନାହିଁ ।
ଏ ଘରର କିଛି ହବ ନାହିଁ ।
ବିଲାତ ଫେରତ୍‌ ଏଞ୍ଜେନର୍‌ମାନେ କହିଛନ୍ତି- ଘର ଭାଙ୍ଗିବା କ’ଣ ସହଜ ପଡ଼ିଛି ?
‘ଚଢ଼ ନୂଆ’ଉ- ପିଢ଼ାକୁ ଚଢ଼ ।’
ବୁଢ଼ା ଖଟ ଉପରେ ଖଟ ପକେଇ ଦେଇ ବୁଢ଼ୀକି ଚଢ଼େଇ ଦେଲା ପିଢ଼ା ଉପରକୁ ।
ନୋଟ ବିଡ଼ାଟା ଅଣ୍ଟାରେ ମାରି ବୁଢ଼ା ବି ଯାଇ ବସିଲା ପିଢ଼ା ଉପରେ ।
ପାଣି ଆସି ଢୋ ଢୋ ବାଡ଼େଇ ହେଲା କାନ୍ଥ ଉପରେ ।
ବୁଢ଼ୀ ଚିହିଡ଼ା ଛାଡ଼ୁଥାଏ-ଗଲା-ଗଲା ସବୁ ଗଲା- କିଏ କଉଠି ଅଛ ଉଦ୍ଧାର କର ହୋ- ଆମେ ଭାସିଗଲୁଁ- ଆମେ ଭାସିଗଲୁଁ ।
ବୁଢ଼ା ତଥାପି କହୁଥାଏ- ‘ଡର ନାହିଁ-ନୂଆଉ- ଏଘର ଏଞ୍ଜେନର୍‌ ଦେଖା ଘର- ପାଣି ମାଡ଼ରେ- ହୁଙ୍କିବ ନାହିଁ ।’
ଧଡ଼ାସ୍‌କିନା କାନ୍ଥଟା ପଡ଼ିଗଲା ।
ଘର ଛପର ଅଲଗା ହୋଇଗଲା କାନ୍ଥଠୁ ।
ଆଉ ବୁଢ଼ା ସମ୍ଭାଳି ପାରିଲା ନାହିଁ- ଭୋ-ଭୋ କାନ୍ଦି ଉଠିଲା- ନୂଆ’ଉ- ମୁଁ କ’ଣ ଜାଣିଥିଲି ୟା’ ହେବ ବୋଲି ।
ଚାଳି ଖଣ୍ଡ ସୁଅରେ ଭାସି ଚାଲିଲା ।
ରାତି ପାହିଲାଣି କେତେବେଳୁ ।
ଚାରିଆଡ଼େ ଫରଚା ।
ଜଳରେ ଜଳାର୍ଣ୍ଣବ ।
ଗଛ ବୁରୁଛ କଉଠି କିମିତି ଦିଶୁଛି ।
ଜନମାନବ ଶୂନ୍ୟ ।
ବୁଢ଼ା ଦେଖିଲା ଗାଁ ମୁଣ୍ଡ ବାସୁଳେଇ ବରଗଛ ଆଗରେ ।
ଚାହୁଁ ଚାହୁଁ ଗୋଟାଏ ଡଅଁର ଚାଳଟାକୁ ଘୂରେଇ ଘୂରେଇ ବାଡ଼େଇ ଦେଲା ସେ ଗଛ କାଣ୍ଡରେ ।
ଚାଳ ଦି’ଖଣ୍ଡ ହୋଇଗଲା ।
ବୁଢ଼ା କୁଣ୍ଢେଇ ପକେଇଲା ଗଛକୁ ।
ଜାବ ପଡ଼ିଯାଇଛି ।
ଚେତାନାହିଁ ।
ବୁଢ଼ୀ କୁଆଡ଼େ ଗଲା ସେ ଜାଣେ ନାହିଁ ।
ବଢ଼ି ଛାଡ଼ିଯାଇଛି ।
ଗଛ ଉପରୁ ବୁଢ଼ା ତଳକୁ ଆସିଛି ।
ଗଛ ତଳର ମା’ ବାସୁଳେଇ କେଉଁ ପାତାଳରେ ଯାଇ ପଡ଼ିଛନ୍ତି କେହି ଜାଣନ୍ତି ନାହିଁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment