Commit b036589c authored by Nayan Ranjan Paul's avatar Nayan Ranjan Paul

Upload New File

parent d9ed0c63
ବନ୍ଦ: ୫ଟି କାହାଣୀ
ତା: ଏପ୍ରିଲ୍ ୨୫, ୨୦୧୨
ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ →
(୧)
ସୁଖିରାମ ଭାରି ଗରିବ ।
ତାର ଜମିବାଡ଼ି କିଛି ନାହିଁ ।
ଦିନ ମଜୁରି କରି ଚଳେ ସେ ।
ପ୍ରତିଦିନ ସକାଳେ ସେ ଗାଁରୁ ଚାଲି ଚାଲି ଆସି ସହର ଛକରେ ଠିଆ ହୁଏ ।
ଯାହାର ଦରକାର ସେ ଆସି ତାକୁ କାମ କରିବା ପାଇଁ ନେଇଯାଏ ।
ସେଦିନ ବନ୍ଦ ବୋଲି ତାକୁ ମାଲୁମ ବି ନଥିଲା ।
ସେ ତାର ସବୁଦିନ ଭଳି ସକାଳୁ ତା ଗାଁରୁ ଚାଲି ଆସିଛି ।
ଦେଖିଲାବେଳକୁ ଦୋକାନବଜାର ସବୁ ବନ୍ଦ ।
କରିବ କଣ? ବିଚରା ଚୁପ୍‌ଚାପ ଛକମୁଣ୍ଡ ତାରିଣୀ ମନ୍ଦିର ବାହାର ପାହାଚରେ ବସିଥିଲା ।
ମୋଟର ସାଇକେଲ୍‌ରେ ଦୁଇଜଣ ଲୋକ ଆସି ପହଞ୍ଚିଲେ ।
ଜଣକ ଆଖିରେ କଳା ଚଷମା, ଜଣକ ହାତରେ ଷ୍ଟିଲ୍‌ ବଳା ।
ଚଷମା ବାଲା ଆସି ତାକୁ କହିଲା, କାମ କରିବୁ?
-କି କାମ?
-କିଛି ଭିଡ଼ କାମ ନୁହଁ ମ! ରାସ୍ତାରେ ଟାୟାର ପକେଇ ନିଆଁ ଜାଳିବୁ, ଗାଡ଼ିମଟର ଯାଉଥିଲେ ତା ଉପରକୁ ଢେଲା ପକେଇବୁ, ଯେଉଁ ଲୋକ ସ୍କୁଟର ମଟରସାଇକେଲ୍‌ରେ ଯାଉଥିବ- ସେମାନଙ୍କୁ ବାଡ଼େଇବୁ ।
-ଏଟା କଣ କାମ?
-ସେଥିରୁ ମୋତେ କଣ ମିଳିବ? ତୋତେ ଟଙ୍କା ମିଳିବ ।
ସୁଖରାମ ଟଙ୍କା ନେଲା, ଏବଂ ତାକୁ ଯାହା କୁହାଗଲା, ତାହା କଲା ।
ରାସ୍ତାରେ ନିଆଁ ଜାଳିଲା, ସ୍କୁଟର ମୋଟରସାଇକଲ୍‌ରେ ଯାଉଥିବା ଲୋକଙ୍କୁ ବାଡ଼େଇଲା, କାର୍‌ ର କାଚ ଭାଙ୍ଗିଲା ।
କିଛି ସମୟ ଭିତରେ ପୋଲିସ ତାକୁ ଗିରଫ କରିନେଇଥିଲା ।
ଜାମିନରେ ଯିବା, ମକଦ୍ଦମା ଲଢ଼ିବା- ଏ ସବୁର କ୍ଷମତା ସୁଖିରାମର ନଥିଲା ।
ତେଣୁ ତା‘କୁ ସଜା ହୋଇଗଲା ।
ସୁଖିରାମ ପ୍ରଥମ ଥର ଜେଲ୍‌ ଗଲା ।
ଜେଲ୍‌ରେ ସୁଖିରାମ ମାଗଣା ଖାଇବାକୁ ପାଇଲା ।
ଗରମ ଭାତ, ଡାଲି ଓ ତରକାରି ।
ଜେଲ୍‌ଟା ତାକୁ ଭଲ ଲାଗିଲା ।
ସେ ଠିକ୍‌ କରିନେଲା, ଏଣିକି ସେ ଜେଲ୍‌ରେ ହିଁ ରହିବ ।
(୨)
ପ୍ରତ୍ୟେକ ଲୋକର କିଛି ନା କିଛି ଇଚ୍ଛା ଥାଏ, କିଛି ଲୋକଙ୍କର ଇଚ୍ଛାଟା ଅବ୍‌ସେସନ୍‌ ପର୍ଯ୍ୟାୟକୁ ଚାଲିଯାଏ ।
ସେତେବେଳେ ମନେହୁଏ- ଏଇଟା ନ ହେଲେ ବା ଏଇଟା ନ ପାଇଲେ ବଞ୍ଚିବାରେ କିଛି ଲାଭ ନାହିଁ ।
ତାକୁ ପାଇବା ପାଇଁ ସେମାନେ ପାଗଳ ପ୍ରାୟ ହୋଇଉଠନ୍ତି ।
ସେମିତି ଜଣେ ହେଲା ସଞ୍ଜୟ ।
ତାର ଇଚ୍ଛା: ଟେଲିଭିଜନରେ ତା ମୁହଁଟା ଦିଶନ୍ତା ।
ଯେତେବେଳେ ସେ ଟେଲିଭିଜନ ଦେଖେ, ଟିଭି ପରଦାରେ ଚାଲବୁଲ କରୁଥିବା ଚରିତ୍ର ଭିତରେ ସେ ନିଜକୁ ଖୋଜିପାଏ ।
ଟିଭିରେ ମୁହଁ ଦେଖଇବା ପାଇଁ ବହୁ ଚେଷ୍ଟା କରିଛି ସଞ୍ଜୟ ।
ଟେଲିଭିଜନ ଧାରାବାହିକରେ ଏତେ ଚରିତ୍ର, ତାକୁ ଗୋଟେ ଚରିତ୍ର ମିଳନ୍ତାନି!
ହେଲେ ତାକୁ କେହି କୌଣସି ଚରିତ୍ରରେ ଅଭିନୟ ପାଇଁ ଡାକି ନାହଁନ୍ତି ।
ଯେତେ ରିୟାଲିଟି ଶୋ ହୁଏ, ସବୁଥିରେ ସେ ଆବେଦନ କରିଛି ।
କେଉଁଥିରେ ତା‘ର ହୋଇନି ।
ଭୁବନେଶ୍ବରରେ ଟେଲିଭିଜନ ଚ୍ୟାନେଲଗୁଡ଼ିକର ଅଫିସ୍‌କୁ କମ୍‌ ଥର ଯାଇନି ସେ ।
ତାର ଏ ଅବ୍‌ସେସନ୍‌ ବିଷୟରେ ତାଙ୍କ ସାହିରେ ସମସ୍ତେ ଜାଣନ୍ତି ।
ବେଳେବେଳେ ତାକୁ ଏଥିପାଇଁ ଥଟ୍ଟା ବି କରନ୍ତି ।
ସେଦିନ ବନ୍ଦ ଥିଲା ।
ବନ୍ଦ ପୂର୍ବଦିନ ତାଙ୍କ ସାହିର ବୁଲାଦାଦା କହିଲେ- ଆବେ ସଞ୍ଜୟ, ଗୋଟେ କାମ କରିପାରିବୁ- ତୋ ମୁଁହ ଟିଭିରେ ଦେଖେଇବା ପୂରା ପକ୍କା ।
-କ‘ଣ?
ବୁଲାଦାଦା ଯାହା କାମ କହିଲା, ତାକୁ କରିବା ପାଇଁ ତା ଆତ୍ମା ଡାକୁ ନଥିଲା ।
କିନ୍ତୁ ଟିଭିରେ ମୁହଁ ଦେଖେଇବାର ଲୋଭରେ ସେ ହଁ କହିଦେଲା ।
ବନ୍ଦ ବେଳେ ନିଆଁ ଜାଳିଲା ସେ ।
ବସ୍‌ ଉପରକୁ ଟେକା ଫୋପାଡ଼ିଲା ।
ପୋଲିସ ଆସିଲା ।
ପୋଲିସ ପଛରେ ଥିଲେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ୍‌ର କ୍ୟାମେରାମ୍ୟାନ୍‌ମାନେ ।
ଅନେକଗୁଡ଼ିଏ କ୍ୟାମେରା ।
ସଞ୍ଜୟକୁ ଲାଗିଲା, ତାରି ଫଟୋ ଉଠଉଛନ୍ତି ସେମାନେ ।
ସଞ୍ଜୟ ସାମ୍ନାକୁ ଆସି ପୋଲିସ ଉପରକୁ ଟେକାପଥର ଫୋପାଡ଼ିଲା ।
ପୋଲିସ ଗୁଳି ଚଳେଇଲା ।
ଗୁଳି ବାଜିଲା ସଞ୍ଜୟ ଛାତିରେ ।
ଟଳି ପଡ଼ିଲା ସେ ।
ସାରା ଭାରତ ଦେଖିଲା ତା‘ର ମୃତ ଦେହର ଚିତ୍ର ।
(୩)
ଅଫିସରଙ୍କ କଡ଼ା ତାଗିଦ୍‌: ବନ୍ଦ ଦିନ ସମସ୍ତଙ୍କୁ ନିହାତି ଅଫିସ ଆସିବାକୁ ପଡ଼ିବ ।
ଅଫିସ୍‌ରେ ହାଜିରା ପକେଇ ତେଣିକି ଯିଏ ଯାହା କର ।
କାମ କର ନ କର କିଛି କଥା ନାହିଁ, ହାଜିରା ପକେଇବା ନିହାତି ଜରୁରି ।
ତେଣୁ ବନ୍ଦବାନ୍ଦ ଆରମ୍ଭ ହେବା ପୂର୍ବରୁ ଚଞ୍ଚଳ ଚଞ୍ଚଳ ଅଫିସ୍‌ ପହଞ୍ଚଯିବ ସମସ୍ତେ ।
ବନ୍ଦ କିଛି ନୂଆ ହେଉନି ଓଡ଼ିଶାରେ ।
ସମସ୍ତେ ଜାଣନ୍ତି ବନ୍ଦ ଦିନ ସମସ୍ତେ ଚଞ୍ଚଳ ପହଞ୍ଚନ୍ତି ।
ହାଜିରା ପକାନ୍ତି ।
ଅଳ୍ପ କିଛି ସମୟ ରହନ୍ତି ।
ତାପରେ ମଉକା ଦେଖି ଗୋଟିଏ ଗୋଟିଏ ଖସିଯାଆନ୍ତି ।
ସେଦିନ ଅଫିସ୍‌ କାମ ଦାମ କିଛି ହୁଏନି ।
ଅଫିସ୍‌ ବି ପ୍ରାୟ ଫାଙ୍କା ଥାଏ ।
ସେଇଥିପାଇଁ ବୁଦ୍ଧିରାମ ଆଜି ବଡ଼ି ସକାଳୁ ଅଫିସ୍‌ ବାହାରିଛି ।
ଆଜି ପାର୍ବତୀ ବି ନିଶ୍ଚୟ ଚଞ୍ଚଳ ଅଫିସ୍‌ ଆସିବ ।
ବହୁଦିନ ଧରି ଥାଥା ମାମା ହୋଇ ଗତକାଲି ବୁଦ୍ଧିରାମ ତାକୁ ଗୋଟେ ଲଭ୍‌ ଲେଟର ଦେଇଛି ।
ପାର୍ବତୀ ତାକୁ ପଢ଼ିଛି ଆଉ ସେ ବି ନିଶ୍ଚୟ ବୁଦ୍ଧିରାମକୁ ଲଭ୍‌ କରୁଛି ।
ନହେଲେ ଅଫିସ୍‌ ଛୁଟି ହେଲା ବେଳକୁ କାହିଁକି ତାକୁ ଚାହିଁ ମୁହଁ ଚିପି ଗୋଟେ ସ୍ମାଇଲ୍‌ ଦିଅନ୍ତା! କହନ୍ତା, କାଲି ଆସନ୍ତୁ, ଏହାର ଉତ୍ତର ଦେବି ।
ଆଜି ପାର୍ବତୀ ବି ଚଞ୍ଚଳ ଅଫିସ୍‌ ଆସିଯିବ ।
ଫାଙ୍କା ଅଫିସ୍‌ରେ ସେ ଆଉ ପାର୍ବତୀ ।
ପାର୍ବତୀ ଆଉ ସେ ।
ପାଖାପାଖି ବସି କେତେ କଥା ହେବ ।
ବୁଦ୍ଧିରାମ ଭାବୁଥିଲା, ସବୁଦିନ ଏମିତି ବନ୍ଦ ହୁଅନ୍ତା, ସବୁଦିନ ଏମିତି ଅଫିସ୍‌ଟା ଖାଲି ଥାଆନ୍ତା ।
(୪)
ବନ୍ଦ ଦିନ ସବୁ ବନ୍ଦ ।
ଦିପହରେ ଖାଇବ କ‘ଣ ସଞ୍ଜୟ? ସେ ଗୋଟେ ଜରୁରି କାମରେ ଆସିଥିଲା ଭୁବନେଶ୍ବରରେ ଗୋଟେ ଅଫିସ୍‌କୁ ।
ଅଫିସର୍‌ କହିଥିଲେ, ବନ୍ଦ ହେଲେବି ମୁଁ ତ ଆସିଥିବି ।
ସେଦିନ ଅନ୍ୟ କର୍ମଚାରୀମାନେ ଆସିବା ନ ଆସିବା ଭଳି ।
ଅଫିସ୍‌ରେ କେହି ବିଶେଷ ନଥିବେ ।
ମୁଁ ନିରୋଳାରେ ଆପଣଙ୍କ କାମଟା କରିଦେବି ।
କାମ ସରିଗଲା ଦିପହର ବେଳକୁ ।
ବାହାରକୁ ବାହାରି ଆସିଲା ସଞ୍ଜୟ ।
ସକାଳୁ ତରବରରେ ବାହାରି ଆସିଥିଲା ଯେ ବ୍ରେକ୍‌ଫାଷ୍ଟ୍‌ କରି ନଥିଲା ଠିକ୍‌ କରି ।
ଗୋଟାଏ ସାଣ୍ଡ୍‌ଉଇଚ୍‌ କୌଣସି ମତେ ପାଟିରେ ପୁରାଇ ଚାଲିଆସିଥିଲା ।
ସେତେବେଳେ କେତେ ଶୀଘ୍ର ଅଫିସ୍‌ରେ ପହଞ୍ଚିବ, ସେ ଚିନ୍ତା ।
ଏବେ କାମଟା ସରିଗଲା ପରେ ସଞ୍ଜୟ ଅନୁଭବ କଲା – ବେଶ୍ ଭୋକ ହେଲାଣି ।
ହେଲେ ଖାଇବ କ‘ଣ ସେ? ଆଖପାଖ ସବୁ ଦୋକାନ ବନ୍ଦ ।
ପାନଦୋକାନ ବନ୍ଦ ।
ବନ୍ଦ ପାଇଁ ନିଜ କାର୍‌ ଆଣିନି ସଞ୍ଜୟ ।
ଗାଡ଼ିମଟର ଚାଲୁନି ଏ ଯାଏଁ ।
ଭୋକଟା ବଢ଼ିବାକୁ ଲାଗିଲା ।
ଗୋଟିଏ ଗୋଟିଏ ଆଗକୁ ଚାଲିଲା ।
କାଳେ କିଛି ଦୋକାନ ଖୋଲା ଥିବ ।
ସାପ ଯେମିତି ପେଡ଼ି ଭିତରୁ ବାହାରି ଆସେ, ସଞ୍ଜୟର ମନେ ହେଲା ଭୋକଟା ବି ଗୋଟେ ସାପ ଭଳି ତା ପେଟ ଭିତରୁ ବାହାରକୁ ବାହାରି ଆସିବାକୁ ଚାହୁଁଛି ।
ଭୋକ ଯେ ମଣିଷକୁ ଏମିତି ଦୁର୍ବଳ ଆଉ ଅସହାୟ କରିଦିଏ – ତାହା ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ ।
ଏଇ ସମୟରେ ସେ ଦେଖିଲା – ରାସ୍ତା କଡ଼େ ଝୋପଡ଼ି ହୋଟେଲ୍‌ଟିଏ, ଅଧା ଖୋଲା ହୋଇ ରହିଛି ।
ସାଧାରଣ ଅବସ୍ଥାରେ ସଞ୍ଜୟ ଖାଇବାରେ ଯାହାକୁ ଇଂରାଜୀରେ କହନ୍ତି ଭାରି ଫସି ।
ଟିକେ ଅଳିଆ ହୋଇଥିଲେ ସେ ସେଠିକି ଯାଏନି ।
ବିଦେଶରେ ରହି ଏ ଶିକ୍ଷା ତାର ହୋଇଛି ।
ଏମିତି ରାସ୍ତା କଡ଼ ଝୋପଡ଼ି ହୋଟେଲ୍‌ରେ ଖାଇବା କଥା ସେ କେବେ ଚିନ୍ତା ବି କରି ନଥାନ୍ତା! ହେଲେ ଆଜିକାର କଥା ଅଲଗା ।
ଝୋପଡ଼ି ଦୋକାନୀକୁ ପଚାରିଲା ସଞ୍ଜୟ, ଖାଇବାକୁ ଅଛି କିଛି?
ଦୋକାନୀ ଯେତେବେଳେ କହିଲା- ଡାଲମା ଆଉ ଭାତ ହେବ, ସଞ୍ଜୟର ମନେ ହେଲା ଦୋକାନୀ ରୂପରେ ସାକ୍ଷାତ୍‌ ଭଗବାନ ତା ସାମ୍ନାରେ ଠିଆ ହୋଇ ତାକୁ ବରଦାନ ଦେଲେ ।
-ଦିଅ ।
ଗୋଟେ ସିଲ୍‌ଭର ଥାଳିରେ ଆସିଲା ବଗଡ଼ା ଭାତ ଆଉ ଡାଲମା ।
ସଞ୍ଜୟକୁ ଲାଗିଲା – ଅମୃତ ।
ଭୋକରେ ଯେ ଅଲଗା ସୁଆଦ ଅଛି – ଆଜି ପ୍ରଥମ ଥର ପାଇଁ ଅନୁଭବ କଲା ସଞ୍ଜୟ ।
(୫)
ସତ୍ୟହରି ବାବୁଙ୍କ ନେତୃତ୍ବରେ ବନ୍ଦ ହେଲା ଓଡ଼ିଶାରେ ।
ବନ୍ଦ ମାନେ ଜବରଦସ୍ତ ବନ୍ଦ ।
ତାଙ୍କ ସହକର୍ମୀମାନେ କହିଲେ ଏମିତି ଜବରଦସ୍ତ ବନ୍ଦ ଆଉ କେହି କରେଇ ପାରି ନାହାନ୍ତି ।
ସବୁ ବନ୍ଦ କରିଦେଇଛନ୍ତି ସତ୍ୟହରି ବାବୁ ।
ଦୋକାନବଜାର ଅଫିସ୍‌ପତ୍ର କଥା ଛାଡ଼ ଗାଡ଼ିମଟର ବି ସବୁ ବନ୍ଦ ।
ଶଳା ସାଇକଲ୍‌ରେ ବି ଲୋକ ଯାଇ ପାରିନାହାନ୍ତି ।
ସାଇକଲ ଚକାରୁ ପମ୍ପ ଖୋଲି ଦେଇଛନ୍ତି ସତ୍ୟହରିବାବୁଙ୍କ ଦଳର ଲୋକମାନେ ।
ସତ୍ୟହରି ବାବୁଙ୍କ ପୁଅ ପଢ଼େ ବାଙ୍ଗାଲୋରରେ ।
ନାଁ, ଓଡ଼ିଶାରେ ପଢ଼େଇବାର ଭୁଲ୍‌ ସତ୍ୟହରି ବାବୁ କେମିତି କରେଇବେ ।
ଏଠି ପାଠ ଅଛି ନା ଶାଠ ଅଛି ।
ପ୍ରତିଦିନ ଷ୍ଟ୍ରାଇକ୍‌ ।
ପାଠର ନାଁ ଗନ୍ଧ ନାହିଁ ।
ବାଙ୍ଗାରୋର୍‌ରେ ଗୋଟେ ପାଠର ଆଟ୍‌ମସ୍‌ଫିଅର ଅଛି ।
ହେଲେ ସେଦିନ ବାଙ୍ଗାଲୋରରେ ବି ହୋଇଥିଲା ବନ୍ଦ ।
ସେଇଦିନ ତାଙ୍କ ପୁଅ ବାଥରୁମ୍‌ରେ ଗିଜର ଅନ୍‌ କରୁ କରୁ ଇଲେକ୍‌ଟ୍ରିକ୍‌ ସକ୍‌ ଖାଇ ଓଲଟି ପଡ଼ିଲା ଯେ ମୁଣ୍ଡରେ ବାଜିଲା ଆଘାତ ।
ତାକୁ ବଡ଼ ହାସପାତାଳକୁ ନେବା ଦରକାର ଥିଲା ।
ହେଲେ ସେ ହାସପାତାଳ ପହଞ୍ଚି ପାରିଲାନି ।
ଆନ୍ଦୋଳନକାରୀମାନେ ତାକୁ ପହଞ୍ଚେଇ ଦେଲେନି ।
ବାଟରେ ମରିଗଲା ସତ୍ୟହରି ବାବୁଙ୍କ ପୁଅ ।
ଏ କ୍ଷଣେ ସତ୍ୟହରି ବାବୁଙ୍କ ଦୁଇଟା ହାତରେ ଦୁଇଟା ମୋବାଇଲ୍‌ ଫୋନ ।
ଗୋଟାକରେ ବଧେଇ: ଆପଣ ଏତେ ସୁନ୍ଦର ବନ୍ଦ କରେଇଛନ୍ତି, ତେଣୁ ଦଳର ହାଇକମାଣ୍ଡ ଆପଣଙ୍କୁ ବିଧାୟକ ଆସନ ପାଇଁ ଟିକଟ ଦେବା ପାଇଁ ମନସ୍ଥ କରୁଛନ୍ତି ।
ଆର ଫୋନ୍‌ଟି ବାଙ୍ଗାଲୋରରୁ: ଆପଣଙ୍କ ପୁଅ ଆଉ ନାହିଁ ।
ବନ୍ଦ ପାଇଁ ଆମ୍ବୁଲାନ୍ସ ବାଟରେ ଅଟକି ରହିଗଲା ।
ଅତିରିକ୍ତ ରକ୍ତକ୍ଷରଣ ପାଇଁ ତାର ମୃତ୍ୟୁ ହୋଇଗଲା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment