Commit b84b33c7 authored by Nayan Ranjan Paul's avatar Nayan Ranjan Paul

Upload New File

parent 42104286
ଚତୁର ବିନୋଦ କଥା
ବ୍ରଜନାଥ ବଡ଼ଜେନା
ତା: ମେ ୨୦, ୨୦୨୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
କ୍ଷେତ୍ରପାଳ ନାମକ ଏକ ଭୂମିଜ ଥିଲା ।
ସେ ଅତ୍ୟନ୍ତ ବଳବନ୍ତ ଅଟଇ ।
ତା’ ଧନୁରେ ଗୁଣ ଦେଇ ଆମଞ୍ଚନ କରିବାକୁ ସଂସାରେ କେହି ନଥିଲେ ।
ସେ ଶର ବିନ୍ଧିଲେ ମତ୍ତ ହସ୍ତୀ ପ୍ରାଣ ହରଇ ।
ସେ କ୍ଷେତ୍ରପାଳ ଅହିପୁର ନାମେ ପର୍ବତରେ ଘର କରିଥାଏ ।
ସେ ବାଟରେ ଯିବା ଆସିବା ମହାଜନମାନଙ୍କଠାରୁ ଧନରତ୍ନ ଲୁଟ କରି ନେଇ ରାଜା ସମାନ ସମ୍ପଦ କରିଥାଇ ।
ପାଞ୍ଚଶ ଲୋକ ଯାଉଥିଲେ ମୃଗ ପଲରେ ସିଂହ ପଶି ମନ୍ଥିଲା ପରି ଲୁଟ କରଇ ।
ଏରୂପେ ଅନ୍ୟାୟ କରିବାରୁ ସେ ପଥ ନଚଳିଲା ।
ବାଣିଜ୍ୟ ନଚଳିବାରୁ ମହାଜନମାନେ ବଡ଼ ଦୁଃଖ ପାଇଲେ ।
କିଛି ଜିନିଶ ନ ମିଳିବା ଯୋଗୁଁ ପ୍ରାଣୀମାନଙ୍କର କାର୍ଯ୍ୟ ଅଚଳ ହେଲା ।
ସେ ତ ମଧ୍ୟ ସ୍ଥାନ ।
ଯେଉଁ ଦିଗରେ ଅଇଲେ ସେଇ ବାଟରେ ମିଳିବ ।
ଆନ ଦିଗରେ ଆତଯାତ କରିବା ସହଜ ନୁହଇ ।
କେମନ୍ତେ ସେ ବାଟ ଗତାଗତ ହେବା ମହାଜନମାନେ ବସି ବିଚାର କଲେ, ଚାଲ କ୍ଷେତ୍ରପାଳ ସଙ୍ଗେ ଆମ୍ଭେ ପ୍ରୀତି କରିବା, ନୋହିଲେ ଚଳି ପାରିବା ନାହିଁ ।
ଏମନ୍ତେ ଦଶବିଂଶ ମହାଜନ ସଙ୍ଗ ହୋଇ ତାଠାକୁ ଯାଇ କହିଲେ ହେ କ୍ଷେତ୍ରପାଳ! ଆମ୍ଭେ ତୁମ୍ଭଠାରେ ମିଳିଲୁଁ, ତୁମ୍ଭେ ଯେଉଁରୂପେ ବୋଲିବ, ସେ ରୂପେ ଧନ ଦେବୁଁ, ଆଉ ବାଟରେ ଆମମ୍ଭ ଧନ ଲୁଟ୍‌ କରିବ ନାହିଁ ।
ଏ ରୂପେ ନାନା ଉପହାର ଦ୍ରବ୍ୟମାନ ଦେଇ କ୍ଷେତ୍ରପାଳ ସଙ୍ଗେ ପ୍ରୀତି କରିଲୁ ।
ସେ ଯେଉଁ ରୂପେ କହଇ, ସେହି ରୂପେ ଧନ ସାରଣା କରି ବାଣ୍ଟି ଦିଅନ୍ତି ।
ସେହି ଦିନୁଁ ସେ ବାଟରେ ନିର୍ଭୟରେ ଜଣେ ଦୁଇଜଣ ଆତଯାତ ହୋଇ କାରବାର କଲେ ।
କ୍ଷେତ୍ରପାଳଠାରେ ବେଳୁବେଳୁ ଅଧିକ ପ୍ରୀତି କରି ଅପୂର୍ବ ପଦାର୍ଥ ମିଳିଲେ ଆଗ ତାକୁ ଦେଇ ପଛେ ଖାଆନ୍ତି; ଭୟରେ ଇଷ୍ଟବନ୍ଧୁ ପ୍ରାଏ ତା’ଠାରେ ଭାବନା ରଖିଥାଆନ୍ତି ।
ଏହାକୁ ଦୁଷ୍ଟପ୍ରୀତି କହି ।
କଲେ ଅକାର୍ଯ୍ୟ ହୁଅଇ, ନ କଲେ ଚଳି ନ ପାରଇ, ଏ ଘେନି ଦୁଷ୍ଟଲୋକ ଥିବାଠାରେ ବାସ ନ କରିବ ।
ଯେବେ ଅନ୍ତର ହୋଇ ନ ପାରିବ, ତେବେ ଉପର ମନରେ ପ୍ରୀତି ରଖିଥିବ; ଏ ଦୁଷ୍ଟ ପ୍ରୀତି ଅଟଇ ।
ଏବେ ନିଚପ୍ରୀତି ଯେରୂପେ ତାହା କହିବା ଶୁଣ ।
ଚନ୍ଦ୍ର-ଜ୍ୟୋତି ନାମେ ଏକ ରାଜହଂସ ଥିଲା ଯେ, ସେ ଏକ ଦିନକରେ ମାନସ ସରୋବରରୁ ଗଙ୍ଗାକୁ ଆସୁଥିଲା ।
ବାଟରେ ଆସନ୍ତେ ଠାଏ ଦେଖିଲା ଏକ ଦିବ୍ୟ ପୁଷ୍କରିଣୀ ଅଛି ।
ବିଚାରିଲା, ଏଠାରେ ମୃଣାଳ ଖାଇବି ।
ଏମନ୍ତେ ସେ ଜଳରେ ପଶି ମୃଣାଳମାନ ଆହରଣ କରନ୍ତେ କୃଷପାଦ ନାମେ ଏକ ବକ ସେ ହଂସକୁ ଦେଖି ବିଚାର କରୁଛି, ଏହା ଦେହ ଏଡ଼େ ପୃଥୁଳ କାହିଁକି ହେଲା, ମୁଁ କାହିଁକି ଏଡ଼େ ଦୁର୍ବଳ ହେଲି ।
ବର୍ଣ୍ଣରେ ତ ମୁଁ ଏହାଠାରୁ ଉଜ୍ଜ୍ୱଳ, ଚକ୍ଷୁହିଁ ତ ମୋହୋର ସୁନ୍ଦର, ପକ୍ଷମାନେ ଅତି ଉତ୍ତମ, କେବଳ ଥଣ୍ଟ ବେକ ପାଦ, ଏମାନେ ଟିକିଏ ସରୁ ସରୁ ବୋଲି ଚାଲିବା ବେଳକୁ ମାନୁ ନଥିବ ।
ମୋର ଯେବେ ଏହାପରି ଦେହ ମୋଟ ହେବ, ତେବେ ଏହାଠାରୁ ପ୍ରତିସୁନ୍ଦର ହେବି, ବକମାନଙ୍କ ଉପରେ ରାଜା ପ୍ରାଏ ଦିଶିବି ।
ଏବେ ଏହା ସଙ୍ଗେ ପ୍ରୀତି କରି, ଏ ଯାହା ଖାଉଛି, ମୁଁ ତାହା ଖାଇବି ।
ଏମନ୍ତ ବିଚାର କରି ଡାକିଲା, ଆହେ ମରାଳବର, ତୁମ୍ଭେ ଏ ଦିଗେ ଆସି ଜଳକେଳି କର; ତେଣେ ବ୍ୟାଧମାନେ ଫାଶ ବସାଇଥା’ନ୍ତି, ପକ୍ଷୀମାନଙ୍କୁ ଧରି ପ୍ରାଣ ନିଅନ୍ତି, ଏବେ ସତ୍ୱର ହୋଇ ଏଣିକି ଆସ ।
ଏହା ଶୁଣି ଚନ୍ଦ୍ରଜ୍ୟୋତି ହଂସ କାତର ହେଲା ।
ବିଚାରିଲା, ଏ ବକ ବଡ଼ ଦୟାଳୁ, ପ୍ରାଣୀ ଉପକାରୀ, ବଡ଼ ସଙ୍କଟରୁ ରକ୍ଷା କଲେ, ଏବେ ମୁଁ ଏହାଙ୍କ ସଙ୍ଗେ ପ୍ରୀତି କରିବି ।
ଏମନ୍ତ ବିଚାରି କୃଶପାଦ ବକ ନିକଟକୁ ଆସି କହିଲା, ଭୋ ମହାତ୍ମା ବକରାଜ, ତୁମ୍ଭେ ବଡ଼ ଦୟାଳୁ, ମୋହର ପ୍ରାଣଦାନ ଦେଲ, ଏ ସକାଶୁଁ ତୁମ୍ଭ ମୋ ପ୍ରୀତିପଣ ହେଲା, ଏଥିରେ ଅନ୍ୟନାହିଁ ।
ବକ କହିଲା, ଏ ତୋ ମୋର ଭାଗ୍ୟ କଥା, ମାତ୍ର ମୁଁ ଯାହା ପଚାରିବି ତାହା ନିର୍ମଳ କରି କହିବ ।
ଏହା ଶୁଣି ହଂସ ବୋଇଲା ପଚାରିବା ହେଉ ।
ବକ ହକିଲା, ଆପଣ କି ଦ୍ରବ୍ୟ ଖାଅ, ମୋତେ ତାହା କହ, ମୁଁ ଖାଇବି ।
ହଂସ କହିଲା, ଆମ୍ଭେ ଯାହା ଖାଉଁ, ଏଠାରେ ସେ ପଦାର୍ଥମାନ କାହୁଁ ମିଳିବ ? କେବଳ ସୁରଗଙ୍ଗାରେ ସେ ଥାଏ ।
ଯେବେ ତୁମେ ଖାଇବାକୁ ଇଚ୍ଛା କଲ, ତେବେ ମୁଁ ଆଣି ଦେବି ।
ଏମନ୍ତ ବକ ସଙ୍ଗେ ପ୍ରୀତି କରି ହଂସ ମେଲାଣି ହୋଇ ସେଠାରୁ ଚଳିଲା ।
ଗଙ୍ଗାରେ ପ୍ରବେଶ ହୋଇ କିଛିଦିନ ବିହାର କରି ଭକ୍ଷ୍ୟ ପଦାର୍ଥମାନ ଥଣ୍ଟରେ ଧରି କୃଶପାଦ ବକଠାକୁ ଅଇଲା ।
ଦେଖିଲା, ସେହି ପୁଷ୍କରିଣୀରେ ବକ ମୀନ ଜଗିଛି, ହଂସ ତା’ ପାଶେ ପ୍ରବେଶ ହୋଇ ମାନ୍ୟ କଲା ।
କହିଲା ତୁମ୍ଭପାଇଁ ଭକ୍ଷ ପଦାର୍ଥମାନ ଆଣିଛି ।
ଏହା ପାନ କର ।
ଏମନ୍ତେ ଚଞ୍ଚୁରୁ କାଢ଼ି ତଳେ ଥୋଇ ଚିହ୍ନାଇ ଦେଲା –
ଏ ମୃଣାଳ ରସ,ଏ ପୁଷ୍କର ରସ,
ଏ କୁମୁଦ ରସ, ଏ କମଳ ମକରନ୍ଦ
ଏ କନକ ପଙ୍କ, ଏ ମୋତି ରଜକ ।
ଏ ନାମମାନ ହଂସଠାରୁ ଶୁଣି ମହା ଆନନ୍ଦ ହେଲା କୃଶପାଦ ନାମେ ବକ ।
ଏ ନିମନ୍ତେ ହରଷ ହୋଇ ସେ ରସମାନ ଖାଇଲା; ବିଚାରିଲା ଏଥର ମୁଁ ଅତି ପୃଥୁଳ ହେବି ।
ଏ ରୂପେ ହଂସ ପାଞ୍ଚ ସାତଥର ଆହାର ଆଣି ଦେଲା, ବକ ଓଷଧ ଖାଇଲା ପ୍ରାୟ ଖାଉଥାଏ ।
ଦିନକୁ ଦିନ ଦେହକୁ ଚାହିଁ ବିଚାରୁଥାଏ, ମୁଁ ତ ମୋଟ ହେଲି ନାହିଁ ।
ହେ ଜନମାନେ ! ବିଚାର କର ବକ କି ହଂସ ପ୍ରାଏ ହୁଅନ୍ତା ! ଯହୁଁ ଦେହ ନ ବଢ଼ିଲା ବିଚାରିଲା, ଏ ହଂସ ପ୍ରୀତିରୁ ମୋର କି କାର୍ଯ୍ୟ ଅଛି ! କେବଳ ପଙ୍କ, ପଥର, ଧୂଳିଗୁଡ଼ାଏ ମାତ୍ର ଖାଇଲି ।
ଏତିକି ହେଲା ଯେ, ହଂସ ଅଇଁଠା ଖାଇଲି, ଖୁଣ୍ଟା ରହିଲା ।
ବକମାନେ ଶୁଣିଲେ ନିନ୍ଦା କରିବେ, ଅଜାତି କରି ରଖିବେ, ଏବେ ହଂସକୁ ମୁଁ ଅଇଁଠା ଖୁଆଇଲେ ସିନା ହେବ ।
ଏମନ୍ତେ ହଂସ ଏକ ଦିନକରେ ପ୍ରବେଶ ହୋଇ ଥଣ୍ଟରୁ ଆହାର ତଳେ ରଖି ବକକୁ କୋଳ କଲା ।
ବକ କହିଲା, ହେ ମରାଳବର, ତୁମ୍ଭ ଦ୍ରବ୍ୟ ତ ମୁଁ ବହୁତ ଖାଇଲିଣି ।
ତୁମ୍ଭକୁ କିଛି ନ ଖୁଆଇ ପାରିଲି ।
ଏ ବଡ଼ ଅସୁନ୍ଦର ହୋଉଛି ।
ପ୍ରୀତି ଦୁଇଆଡ଼ୁ ହେଲେ ସିନା ସୁନ୍ଦର, ମୁଁ ଯାହା ଦେବି ତୁମ୍ଭେ ତାହା ପାନ କରିବ ।
ହଂସ ବୋଇଲା କାହିଁକି ନ ଖାଇବି, ତେବେ ଦିଅ ।
ବକ କହିଲା, ମୁଁ ଯାଇ ଆଣେ, ତୁମ୍ଭେ ଦଣ୍ଡେମାତ୍ର ବସ ।
ଏହା କହି ଯାଇଁ ଗାଡ଼ିଆଟାକେ ପଶି ଗେଣ୍ଡା, ଶାମୁକା, ଭେକ, ଜୋକ, ମୀନ ଏରୂପେ ମାରି ତହୁଁ ଖଣ୍ଡେ ଖଣ୍ଡେ ଖାଇ ଆଉ ଖଣ୍ଡମାନ ଥଣ୍ଟରେ ଧରି ହଂସ ପାଶେ ପ୍ରବେଶ ହେଲା ।
ଥଣ୍ଟରୁ କାଢ଼ି ତଳେ ଥୋଇ କହିଲା, ଏହା ତେବେ ପାନ କର ।
ହଂସ ସେ ଦୁର୍ଗନ୍ଧରୁ କହିଲା; ଏହା ପାନକରି ନ ପାରିବି ପରା ! ବକ କହିଲା, ଏ ତ ଉତ୍ତମ ଦ୍ରବ୍ୟ, ମୋଠାରେ ଯେବେ ସୁଖ ଥିବ ତେବେ ଭୋଜନ କରିବ ।
ହଂସ ତ ମହା ସୁଜନ, ବକ କଥାରେ ବିଶ୍ୱାସ କରି ତହୁଁ ଖଣ୍ଡେ ଖଣ୍ଡେ ଗିଳି ଦିଅନ୍ତେ ପେଟରେ ପଡ଼ି ଦେହ ମନ୍ଥି ହେଲା ।
ହଂସ ବଡ଼ ବିକଳ ହୋଇ ବାନ୍ତି କରି ପକାଇଲା ।
ମୀନ ଦୁର୍ଗନ୍ଧରେ ଅନ୍ତ ଘାଣ୍ଟି ହେଉଛି; ବକକୁ ବୋଇଲା, ମୋ ପ୍ରାଣ ଗଲା, ଏ ବିକଳ ସହି ନୋହିବ ।
ସେଠାରୁ ବକ କହିଲା, ମୁଁ ତୁମ୍ଭ ଅଇଁଠା ଖାଇଲି, ଏ ବକ କୁଳକୁ ବଡ଼ ଅସୁନ୍ଦର ହେଲା, ତୁମ୍ଭେ ମୋ ଅଇଁଠା ନ ଖାଇଲେ କି ରୂପେ ଯାଆନ୍ତ ? ଏବେ ତୁମ୍ଭ ପ୍ରୀତିରୁ ମୋର କିଛି ଫଳ ନାହିଁ ।
ବକ ଅଇଁଠା କେଡ଼େ ସୁଆଦିଆ ଏହା ତ ଜାଣିଲୁ ! ବକମାନେ ଅଇଲେ ଖୁଣ୍ଟି ପକାଇବେଟି, ଏଠାରୁ ବେଗେ ପଳା ।
ଏହା ଶୁଣି ହଂସ କାତର ହୋଇ ପ୍ରାଣ ଭୟରେ ସେଠାରୁ ପଳାଇଲା ।
ଏରୂପେ ନୀଚ ଲୋକ ସଙ୍ଗେ ପ୍ରୀତି କଲେ ଉତ୍ତମ ଲୋକ ବିପଦରେ ପଡ଼ଇ ।
ଏ ସକାଶୁଁ ନୀଚ ଲୋକ ସଙ୍ଗେ ପ୍ରୀତି ନ କରିବା ।
ଏହାକୁ ନୀଚ ପ୍ରୀତି କହଇ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment