Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
c31565ff
Commit
c31565ff
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ea6038a1
Changes
1
Show whitespace changes
Inline
Side-by-side
Showing
1 changed file
with
190 additions
and
0 deletions
+190
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_60
...lingual-corpora/odiasahitya.com/sent_odiasahitya_lekha_60
+190
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_60
0 → 100644
View file @
c31565ff
ଆଚାର୍ଯ୍ୟେ ଥିଲେ ବୋଲି
- ରାଜକିଶୋର ରାୟ
ତା: ଡିସେମ୍ବର୍ ୩୦, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ସନ୍ଧ୍ୟା ଉତ୍ତୀର୍ଣ୍ଣ ହୋଇଛି ।
ତାଳଚେରଠାରୁ ରେଳ ଲାଇନ୍ ଉପରେ ଗୋଟିଏ ପାସେଞ୍ଜର ଟ୍ରେନ୍ ଗତିକରି ଆସୁଛି ।
ଏ ଲାଇନରେ ଗାଡିର ଗତି ବଡ ମନ୍ଥର ।
ପ୍ରତି ଧୁମ ଫୁତ୍କାରର ତାଳେ ତାଳେ କେତେଗୁଡିଏ ଲୁହାର ଚକ ଲୁହା ଧାରଣା ଉପରେ ଗଡି ଆସୁଥିଲା ।
ଖଇରା ଭୁଇଁ ଉପରେ ରକ୍ତରଶ୍ମି ଝରାଇ ସୂର୍ଯ୍ୟ ତଳକୁ ଯାଉଥିଲେ ।
ଦୂର ପଲ୍ଲୀ ଭିତରେ ଗୋଟିଏ ଦୁଇଟି ଗୋଧନ ଦଳ ମାଟି ଉଡାଇ ଯାଉଥିବାର ଦୃଶ୍ୟ ଦିଶିଯାଉଥିଲା ।
ଟ୍ରେନ୍ ଭିତର କୋଠରୀ ଗୁଡିକରେ ପ୍ରଦୀପ ଜଳି ଉଠିଲାଣି ।
ଆରୋହୀମାନଙ୍କର ପୂର୍ବର ପାଉଁଶିଆ ମୁହଁ ଆଲୋକିତ ହୋଇଯାଇଛି ।
ଚିହ୍ନିଲି, ଓଡିଶାର କୌଣସି କଲେଜର ଜଣେ ବିଜ୍ଞାନ ଅଧ୍ୟାପକ, ଓଡିଶାର କୌଣସି ଗୋଟିଏ ଗଡ଼ଜାତର ଜଣେ ଦେବାନ, ଓଡ଼ିଶାର କୌଣସି ଗାନ୍ଧୀ ଆଶ୍ରମର ଜଣେ କଂଗ୍ରେସ କର୍ମୀ ଓ ଓଡ଼ିଶାର କୌଣସି ତେଲ ମିଲ୍ର ଜଣେ ପୁଞ୍ଜିପତି ମାରୁଆଡ଼ି ।
ଆରୋହୀ ଭିତରେ ଏମାନଙ୍କୁ ମୁଁ ଆଗରୁ ଚିହ୍ନିଥିଲି ।
ସେମାନଙ୍କ ସହିତ ମୁଁ ଆଳାପ କରିଥିଲି ।
ଅଚିହ୍ନା ଲୋକଙ୍କ ଭିତରେ ମାନ୍ୟବ୍ୟକ୍ତି ବୋଧହୁଏ ନ ଥିଲେ, ଗୁଣୀ ବ୍ୟକ୍ତି ବି ନଥିଲେ ।
ଯେଉଁମାନେ ଥିଲେ, ସେମାନେ ସବୁବେଳେ ନଥିଲା ପରି ଟ୍ରେନ୍ରେ ଯାତାୟାତ କରନ୍ତି ।
ଦେଖାଶୁଣା ଜୀବ ଏମାନେ; କିନ୍ତୁ କେହି କେବେ ଏମାନଙ୍କୁ ଦୃଷ୍ଟି ଦିଅନ୍ତି ନାହିଁ ।
ଆଳାପ କଥା ଦୂରେ ଥାଉ ।
ଢାଉ ରଙ୍ଗର ଆଣ୍ଠୁ ଉପରକୁ ଖଣ୍ଡେ ଖଣ୍ଡେ ଲୁଗା ପିନ୍ଧି ଚାରି ପାଞ୍ଚ ଜଣ ପୁରୁଷ ଓ ତାଙ୍କ ସଙ୍ଗେ ସେହି ଭଳି ଦେହ ଘୋଡ଼ାଇ ଆଉ ଖଣ୍ଡେ ଖଣ୍ଡେ ଢାଉ ରଙ୍ଗର ଲୁଗା ପିନ୍ଧା ପିନ୍ଧି ମାଇପି କେତେଜଣ ବସିରହିଥିଲେ; ବେଞ୍ଚ ଉପରେ ନୁହେଁ, ତଳେ ।
ଅଧପୋଡା ବିଡି, ଖଙ୍କାର, କଦଳୀ ଚୋପା, କୋବିପତ୍ର, ପାନପିକ ଓ ସର୍ବୋପରି ନାକର ତରଳ ଦ୍ରବ୍ୟ ପଦାର୍ଥ ସମନ୍ବୟରେ ଯେଉଁଠି ଗୋଟିଏ ଶଯ୍ୟା ପଡ଼ିଥିଲା, ସେଇଠି, ତା’ରି ଉପରେ ସେମାନେ ବସିଥିଲେ ।
ସେମାନେ ବଡ଼ କାକୁସ୍ଥ ଦେଖା ଯାଉଥିଲେ, ସତେ କି କେହି ତାଙ୍କୁ କରୁଣା ଦେଖାଇ ଏଡ଼େବଡ଼ ଯାନରେ ବସିବାକୁ ଆଜ୍ଞା ଦେଇଛି ।
ତାଙ୍କୁ ଦଣ୍ଡେ ମୁଁ ଚାହିଁ ରହିଥିଲି ।
ଏକ ପାଖେ ଅସ୍ତାୟମାନ ସୂର୍ଯ୍ୟର ରଶ୍ମି ସଞ୍ଚାରର ଅପୂର୍ବ ଶୋଭା, ଅନ୍ୟପାଖେ ଟ୍ରେନର ଏହି ଆରୋହୀ ଦଳ ।
ସମ୍ବଲପୁର ଲରି ଷ୍ଟାଣ୍ଡ ପାଖେ ଗଡ଼ଜାତର ଦେବାନଙ୍କ ସଙ୍ଗେ ପ୍ରଥମେ ଦେଖା ହୋଇଥିଲା ।
ସେ ମତେ ଚିହ୍ନି ନଥିଲେ, ପରେ ଚିହ୍ନିଲେ ।
ବୋଧହୁଏ କେହି ଜଣେ ସେଠାରେ ମୋର ପରିଚୟ କରାଇ ଦେଇଥିଲେ ।
ପରିଚୟ ଆଦ୍ୟପ୍ରାନ୍ତ ସୂକ୍ଷ୍ମଭାବରେ ଶେଷ ନ ହେଉଣୁ ଦେବାନ ସାହେବ ଏକପ୍ରକାର ଚିତ୍କାର କରି ଅତି ପାଖରେ ଛିଡ଼ା ହୋଇଥିବା ଜଣେ ଅଧୋବଦନା ଅଥଚ ଆଧୁନିକା ତରୁଣୀଙ୍କୁ ମତେ ଦେଖାଇ କହିଥିଲେ ।
“ଆଲୋ ଆଭା”, ଏ ଜଣେ ଲେଖକ ।
ନାଁ ବୋଧହୁଏ ଶୁଣିଥିବୁ ।
ଏ ହେଉଛନ୍ତି ଶ୍ରୀ…. ।
ତୁ ବୋଧହୁଏ ତାଙ୍କର ବହି ତୁମ କ୍ଲାସରେ ପଢୁଥିବୁ ।
ଏହିଭଳି ଲୋକଙ୍କ ସଙ୍ଗେ ଦେଖାହେବା ଭାଗ୍ୟର କଥା ।”
ମୁଁ ଲଜ୍ଜିତ ହେଲି ।
ଆଭା ସଲଜ୍ଜ ଭାବ ଦେଖାଇଲେ ।
ତାଙ୍କର ବ୍ରୀଡ଼ାଭାବ କାଟିଦେବା ପାଇଁ ମୋ ପ୍ରତି ତାଙ୍କର ମୃଦୁ “ନମସ୍କାର” ଧ୍ବନି ତାଙ୍କୁ ସାହାଯ୍ୟ କଲା; ମୋର ସଙ୍କୋଚ ଭାବ କାଟିଦେବା ପାଇଁ ମୋର “ପ୍ରତିନମସ୍କାର” ବାଣୀ ବୋଧହୁଏ ମତେ ସାହାଯ୍ୟ କଲା ।
ସମୟ ଥିଲେ ଚିନ୍ତା କରିଥାନ୍ତି, ମୋର ନାମ ସହିତ ଓଡ଼ିଶାର ବାତାବରଣ ଭିତରେ ଯେ ଗୋଟିଏ ଛୋଟ ବାୟୁମଣ୍ଡଳ ସମ୍ପୃକ୍ତ ଓ ଯାହାର ଆକୁଞ୍ଚନ ଓ ସଙ୍କୁଞ୍ଚନ ଓଡ଼ିଶାର ବହୁ କ୍ଷେତ୍ରରେ ମାର୍ଜିତ ହେଉ ବା ଆମାର୍ଜିତ ହେଉ, ଦୃଷ୍ଟ ହୁଏ, ତାହା କେତେଦୂର ଆଭାର କୁସୁମ-କୋମଳ ହୃଦୟକୁ ବିମଥିତ କରିପାରିଚି ।
କିନ୍ତୁ ସମୟ ନ ଥିଲା ।
ଲରି ଛାଡିବା ସମୟ ହୋଇଥିଲା ।
ଆଭା ବସିଲା ମହିଳାସନରେ, ଆଉ ମୁଁ ଓ ଦେବାନ୍ ବସିଲୁ ପୁରୁଷାସନରେ ।
ଭିକ୍ଷା ଯେଉଁ ଭିକ୍ଷୁକ ମାଗେ, ସେ ଯେ କାହିଁକି ଲରି ଛାଡ଼ିବା ବେଳକୁ, ଟ୍ରେନ୍ ଡବା ଭିତରେ, ପରୀକ୍ଷା ଦେଇଗଲା ବେଳକୁ, ହୋଟେଲ ଦୁଆର ମୁହଁରେ, ସିନେମା ଗୃହ ଆଗରେ ହାତ ପତେଇଦିଏ, ତାହା ବୁଝିବା ମନସ୍ତାତ୍ତ୍ବିକମାନଙ୍କ ପକ୍ଷରେ ସହଜ ହୋଇପାରେ ।
ପ୍ରାଚୁର୍ଯ୍ୟ ଓ ତୃପ୍ତି ପାଖେ ଦୈନ୍ୟ ଓ ଅଭାବ କର ପତେଇ ଯେଉଁ ଅଭିଯୋଗ ବାଢ଼େ, ସେଥିରେ ରହସ୍ୟ ଅଛି, ଗ୍ଲାନି ବି ଅଛି ।
ବସ୍ର ଚାରିଟା ଚକ ଘୂରିବାକୁ ଆରମ୍ଭ କରିଛି କି ନାହିଁ ଗୋଟିଏ ପଙ୍ଗୁ, ଦେବାନ ବାବୁଙ୍କୁ ହାତ ପତେଇ ଦେଇଛି ।
ଅଥର୍ବ ସେ, ପଡ଼ିଯିବାର ଭୟ ତାହାର ଥିଲା ।
ସେହି ଭୟକୁ ଭ୍ରୁକ୍ଷେପ ନ କରି ସେ ଦଉଡ଼ି ଦଉଡ଼ି ଯୋଡ଼ ହାତରେ ମାଗୁଥାଏ “ପଇସାଟିଏ, ଗୋଟିଏ ପଇସା- ହେ, ବାବା ।”
ଦେବାନଙ୍କ ମୁହଁରେ ବିରକ୍ତି ଓ କ୍ରୋଧର ଚିହ୍ନ ।
ଶେଷ ମୁହୂର୍ତ୍ତକୁ ସେ ଆବିଷ୍କାର କଲେ ଯେ, ଟିଫିନ ବାକ୍ସ ଆଭା ସଜାଡ଼ି ଆଣିଛି, ଅଥଚ ଷ୍ଟେଟ୍ର ପ୍ରସିଦ୍ଧ ରାଜୋଦ୍ୟାନ କୂପର ସ୍ବଚ୍ଛ ନୀର ସେ ସୋରେଇରେ ଆଣିପାରି ନାହିଁ ।
ଆଭାକୁ ସେ ସେଇଠି ଚେତେଇ ଦେଇଥିଲେ ଯେ, ବମ୍ବେ ବା କଲିକତା ଗଲେ ମଧ୍ୟ ରାଜକୂପର ଜଳ ନେବାକୁ ସେ ଭୁଲନ୍ତି ନାହିଁ ।
କାରଣ ବାଟରେ ଘାଟରେ ଯାହା ତାହା ପାଣି ପିଇବା ଅର୍ଥ ମୃତ୍ୟୁ ।
ତା’ପରେ ଏହି ପଙ୍ଗୁଭଳି ଭିଖାରୀଗୁଡ଼ାକ ସଂସ୍ରବରେ ଯେଉଁ ମାଟିପାଣି ଆସୁଛି, ତାହା ସହିତ ସୁସ୍ଥ ଜୀବ ସଂଯୋଗ ରଖିଲେ ପ୍ରାଣ ଆଉ ରହିବ ନାହିଁ ।
ଡ୍ରାଇଭର୍ ବସ୍ ଛାଡ଼ିପାରୁ ନାହିଁ ।
ଦେବାନଙ୍କର ଅସୁବିଧା ହୋଇଛି ।
ବସ୍ ବି ସେହି ଷ୍ଟେଟ୍ ଭିତରେ ଯାଏ ।
ଡ୍ରାଇଭରର ମନ ଖରାପ ।
ପ୍ରଥମେ ହାତ ଯୋଡି ସେ ଷ୍ଟିଅରିଂ ଚକ୍ରକୁ ନମସ୍କାର କରିସାରିବା ପରେ ଏ ଯେଉଁ ଦୁର୍ଯୋଗ, ସେଥିରେ ତାର ରାଗ ହେଲା ବିଚାରା ଭିଖାରୀ ଉପରେ ।
ଅକଥ୍ୟ ଭାଷାରେ ସେ କହିବାକୁ ଆରମ୍ଭ କରିଛି ।
ଦେବାନ ବାବୁ ବି ସମର୍ଥନ କଲେ ।
“ଏଗୁଡ଼ାକ ଚୋର, ବଦମାସ, ବ୍ୟବସାୟ ଖୋଲିଛନ୍ତି- ବାହାର, ବାହାର ।”
ମୋ ପାଖରେ ଦୋପଇସିଟିଏ ନ ଥିଲା ।
ଚାରଣି
– ସେତିକି ବଢେଇ ଦେଲି ।
ବସ୍ ଚାଲିଲା ।
ଆଠମଲ୍ଲିକ-
ଖରା, ଧୂଳି ଓ ଆଣ୍ଠୁଯାକି ବସି ରହିବାର କଷ୍ଟରୁ ମୁଁ ତ୍ରାହି ପାଇଲି ।
ଘନଛାୟା ତଳେ ମୁଁ ବିଶ୍ରାମ କଲି ।
ଦେଖିଲି, ମୋର ଜଣେ ଅଧ୍ୟାପକ ବନ୍ଧୁ ଆଠମଲ୍ଲିକ ବସ୍ରେ ଯାଉଛନ୍ତି ।
ଆଳାପ ହେଲା ।
ବିଜ୍ଞାନର ଅଧ୍ୟାପକ ସେ, ତେଣୁ କଥା କଥାକେ ତାଙ୍କ ତୁଣ୍ଡରୁ ବାହାରେ ଆମେରିକା-ଆମେରିକାର ସଭ୍ୟତା, ଆମେରିକାର ସ୍ଲାଇସ୍କ୍ରେପର (ନଭଶ୍ଚୁମ୍ବୀ ଅଟ୍ଟାଳିକା), ଆମେରିକାର ପୁରୁଷ ଓ ସ୍ତ୍ରୀ, ଆମେରିକାର ଉଦ୍ଭିଦ, ଆମେରିକାର ଜାନ୍ତବ, ଆମେରିକାର ଫ୍ରି ଲଭ୍ (ଶସ୍ତା ପ୍ରଣୟ) ଇତ୍ୟାଦି ।
ମତେ ସେଇଠି ସେ କହିଲେ-
“ଆଜି ଗୋଟାଏ ଆମେରିକାନ୍ ମାଗାଜିନରୁ ମୁଁ ପଢ଼ିଛି, ପୁରୁଷ ଓ ସ୍ତ୍ରୀର କେଶରାଶିରୁ ଉତ୍କୃଷ୍ଟ ବିସ୍କିଟ୍ ଓ ପାଉଁରୁଟି ତିଆରି ହୋଇପାରୁଛି ।
ତେଣୁ ନେହେରୁ ସରକାର ତଥା ମହତାବ ସରକାର (ଓଡିଶା ସରକାର ସେ କହନ୍ତି ନାହିଁ, କାରଣ ବ୍ୟକ୍ତିବିଶେଷର ନାମ ଧରିଲେ ଯେ ବ୍ୟକ୍ତିତ୍ବର ପରିସ୍ଫୁରଣ ହୁଏ, ତାହା “ଓଡିଶା” ବା “ଭାରତ” କହିବା ଦ୍ବାରା ପ୍ରକଟିତ ହେବ ନାହିଁ ।)
ନାପିତମାନଙ୍କ ଦ୍ବାରା କେଶ ସଂଗ୍ରହାଳୟ ସ୍ଥାପନ କରି ସେଥିରୁ ବିସ୍କିଟ୍ ଓ ପାଉଁରୁଟି ଆମଦାନୀ କରି ଦେଶକୁ ଖାଦ୍ୟ ସଙ୍କଟରୁ ରକ୍ଷା କରନ୍ତୁ ।”
“-ବାବୁ, କିଛି ଖାଇନି, କିଛି ଦିଅ ବାବୁ, ଭଗବାନ ଭଲ କରିବେ ।”
ବଡ଼ ପିଲାଟି ତୁଣ୍ଡରୁ ଏ କଥା ବାହାରିଛି, ସାନ ପିଲା କନାଖଣ୍ଡେ ଦେଖାଇ ଭିକ୍ଷା ଚାହୁଁଛି ।
ବିଜ୍ଞାନ ଅଧ୍ୟାପକ କେଶ ସଂଗ୍ରହ ବ୍ୟବସ୍ଥାରୁ ଏପରି ଦାନ ଦାକ୍ଷିଣ୍ୟ ଦେଖାଇବା ପାଇଁ ଆଦୌ ପ୍ରସ୍ତୁତ ନ ଥିଲେ ।
ତା’ପରେ ଦୁଇ ଭିକ୍ଷୁ ବାଳକଙ୍କର ମୁଣ୍ଡରେ କେଶର ଚିହ୍ନବର୍ଣ୍ଣ ବି ନାହିଁ ।
ରୋଗ ଓ ଖାଦ୍ୟାଭାବ, ଅଧ୍ୟାପକଙ୍କର କେଶ ସଂଗ୍ରହ ବ୍ୟବସ୍ଥାକୁ ଆଗରୁ କାର୍ଯ୍ୟକାରୀ କରିଦେଇଛି ।
ଅଧ୍ୟାପକ ଆରମ୍ଭ କଲେ-“ହୋପ୍ଲେଶ, ଏମାନଙ୍କ ଯୋଗୁଁ ଦେଶ କ୍ରମେ ଅବନତି ଆଡ଼କୁ ଯାଉଛି ।
ଆପଣ ଜାଣନ୍ତି, ଆମେରିକାରେ ଭିକ୍ଷୁକ ସମସ୍ୟା ନାହିଁ ।
ସମସ୍ତେ କର୍ମଠ, ଉପାର୍ଜନକ୍ଷମ ।
ଏମାନଙ୍କୁ କିଛି ଦେବା ଅର୍ଥ ଦେଶର ଉନ୍ନତି ଉପରେ କୁଠାରାଘାତ କରିବା ।”
ଅଧ୍ୟାପକଙ୍କଠାରୁ ନାସ୍ତିବାଣୀ ଶୁଣି ଭିଖାରୀ ଦୁଇଟି ମତେ ଚାହିଁଲେ ।
କାରଣ ଅଧ୍ୟାପକଙ୍କର ବିମୁଖଭାବ ତାଙ୍କର ଆଶା ଉପରେ କୁଠାରାଘାତ କରି ସାରିଥିଲା ।
ପାଖ ପିଜୁଳି ଦୋକାନୀକୁ ଆଠଣିଟାଏ ଭଙ୍ଗେଇବାକୁ ଦେଇ ସେଥିରୁ ଦୁଇଅଣା ଦୁହିଙ୍କୁ ମୁଁ ଦେଇଦେଲି ।
ସମୟ ହୋଇଥିଲା ।
ବସ୍କୁ ଆସିଲି ।
ଅଧ୍ୟାପକ ବନ୍ଧୁ ବିଦାୟ ଘେନି ଅନ୍ୟ ବସ୍ରେ ବସିଲେ ।
ପର ବିଶ୍ରାମସ୍ଥଳ ହେଉଛି ଅନୁଗୋଳ ।
ଯାନରୁ ଓହ୍ଲାଇ ମୁଁ ଦେଖିଲି, ଆଭା ଝାଉଁଳିବା ଭାବରେ ରହିଚି ।
ଦେବାନ ବାବୁଙ୍କର ଉପଭୋଗ ପାଇଁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ରହିଥିଲେ ବି ସେହି ରାଜୋଦ୍ୟାନର ଜଳ ଅଭାବରୁ ତାହା ଏ ପର୍ଯ୍ୟନ୍ତ ବ୍ୟବହୃତ ହୋଇ ନାହିଁ ।
ସ୍ବାସ୍ଥ୍ୟ ବିଷୟରେ ଏତେ ସତର୍କ ଥିବା ଦେବାନ୍ ବାବୁଙ୍କୁ ମୁଁ ପ୍ରଶଂସା ନ କରି ରହିପାରିଲି ନାହିଁ ।
କୌଣସି ବନ୍ଧୁଙ୍କ ଘରୁ ଭଲ ପାଣି ମଗାଇ ତାଙ୍କୁ ବ୍ୟବହାର କରିବାକୁ କହିଲି ।
ଆଭା ଯେପରି ପ୍ରାଣ ଫେରିପାଇଛି ।
ଅନିଚ୍ଛାସତ୍ତ୍ବେ ଦେବାନ୍ ବାବୁ ତାହା ଗ୍ରହଣ କରିବାକୁ ରାଜି ହେଲେ ।
ନାଲି ରାସ୍ତା ଉପରେ ମୁଁ ଟିକିଏ ପାଦ ଖେଳେଇ ଆଣୁଛି; ଶୁଣିଲି ସେହି ଚିରଶ୍ରୁତ କାକୁବାଣୀ-
“ଦିଅ ବାବୁ, ଅନ୍ଧୁଣୀ, ପୁଅ ଗେରସ୍ତ କେହି ନାହାନ୍ତି, ଦିଅ ବାବୁ ପଇସା ଅଧଲାଏ ।
ଗରିବର ଦୁଃଖ ବୁଝ ।”
ମୁଁ ଫେରି ଚାହିଁଲି ।
ଗୋଟିଏ ଅନ୍ଧୁଣୀ ବୁଢୀ ବିଖ୍ୟାତ ତୈଳବୀଜ ବ୍ୟବସାୟୀ ମାରୁଆଡ଼ିକୁ ହାତ ପତେଇ ନିଜର ଦୁଃଖ ଜଣାଉଛି ।
“-ହଟ୍ଯାଓ, କୁଛ ନେହିଁ, ଉଡ଼ିଶ୍ୟା କଙ୍ଗାଳ ଦେଶ୍ ।”
ଶେଠଜୀ ଏତକ କହି କମର ଉପର ଲୁଗାକୁ ଆଉରି ଭିଡ଼ରେ ବାନ୍ଧିଦେଲେ ।
ଅନ୍ଧୁଣୀକୁ ଅଣିଏ ପଇସା ବଢେଇ ଦେଇ ମୁଁ ଶେଠଜୀଙ୍କୁ ଦଣ୍ଡେ ଚାହିଁଲି ।
ମୋର ଏ ଦାନକୁ ଗୋଟାଏ ତାଚ୍ଛିଲ୍ୟମିଶ୍ରିତ ଚାହାଣିରେ କରୁଣାସିକ୍ତ କରି ଦୁଇ ରୁକ୍ଷ ଅଧର ଉପର ଉପରେ ଟିକିଏ ହସ ଖେଳେଇଆଣି ଶେଠଜୀ ଆବୃତ୍ତି କଲେ- ଉଡ଼ିଶ୍ୟା କଙ୍ଗାଳ ଦେଶ ।
ଟିକିଏ ଦୂରକୁ ଖଣ୍ଡିଏ ଓଡ଼ିଆ ସମ୍ବାଦପତ୍ର ଖୋଲି ଜଣେ ଟୋପିଧାରୀ ଝୁଲାହସ୍ତ କଂଗ୍ରେସକର୍ମୀ ମାହାତ୍ମା ଗାନ୍ଧିଙ୍କର ପ୍ରାୟୋପବେଶନର ବାର୍ତ୍ତା ବୋଧହୁଏ ପଢ଼ୁଥିଲେ ।
ଜଣାଯାଉଥିଲା, ଯେପରି ଅଭିନିବେଶ ଟିକିଏ ବେଶୀ ହୋଇଯାଇଛି ।
“ବାବୁ, ଅନ୍ଧୁଣୀ ବୁଢ଼ୀ, କଅଣ ଦିଅ ବାବୁ !”
ଥରେ ନୁହେଁ, ବହୁଥର ଏ ମର୍ମସିକ୍ତ ବାଣୀ କଂଗ୍ରେସକର୍ମୀଙ୍କର କାନରେ ପଡ଼ିଛି; କିନ୍ତୁ ମହାତ୍ମାଙ୍କର ଅନଶନ ସମ୍ବାଦରେ ତାଙ୍କର ମତି ଏତେ ବିହ୍ବଳ ହୋଇଛି ଯେ, ବୁଢୀର ବିଳାପ କାନକୁ ଯାଉ ନାହିଁ ।
କେତେବେଳକୁ ବିରକ୍ତିରେ ସେ କହିଲେ-
“ଓଃ, କେତେ ବକ୍ ବକ୍ କରୁଛୁ ।
ରହ, ବିଡ଼ିଟା ଲଗାଏଁ ।
କିଲୋ ବୁଢୀ, ନିତି ଯଦି ତୁ ଇମିତି ଭିଖ ମାଗିବୁ, ତେବେ ସମାଜର ସଂସ୍ଥା ରହିବ କିପରି?” ଏହା କହି କର୍ମୀ ଜଣକ ମୋ ଉପରେ ଦୃକ୍ପାତ କରି “ସମାଜ-ସଂସ୍ଥା” ଭଳି ଗୋଟାଏ ରାଜନୀତିକ ଶବ୍ଦ ଶୁଣାଇ ପାରିଛନ୍ତି ବୋଲି ଆତ୍ମତୃପ୍ତିରେ ଟିକିଏ ହସିଲେ ।
ବୁଢ଼ୀ ସେଠାରୁ ଶୂନ୍ୟହସ୍ତରେ ଫେରିଆସିଲା ।
କର୍ମୀଙ୍କର ମୁହଁରେ ବିଡ଼ିଟା ବସ୍ ରାସ୍ତାର ମୋଡ଼ ବୁଲିବା ପର୍ଯ୍ୟନ୍ତ ଅଗ୍ନିକଣା ଝରାଉଥାଏ ।
ଟ୍ରେନ୍ର ପ୍ରକୋଷ୍ଠ ଭିତରେ ଦେବାନଠାରୁ ଆରମ୍ଭ କରି ସେହି କଂଗ୍ରେସକର୍ମୀ ପର୍ଯ୍ୟନ୍ତ ମୋର ଯାତ୍ରାସଙ୍ଗୀ ରହିଛନ୍ତି ।
ଶୀତ ସନ୍ଧ୍ୟାର ଶୀତଳ ବାୟୁ କ୍ରମେ ସୁଶୀତଳ ହୋଇଯାଉଛି ।
ଟ୍ରେନର ଗତି କମିଆସିଲା ।
ବିଜ୍ଞାନ ଅଧ୍ୟାପକ ସେତେବେଳକୁ ସିଗାରେଟ୍ରେ ନିଆଁ ଧରାଇଛନ୍ତି ।
ଦେୱାନ ବାବୁ ପାଇପରେ ଅଭ୍ୟସ୍ତ ।
ତେଣୁ ତାଙ୍କ ପାଇପରୁ ସ୍ଫୁଲିଙ୍ଗ ବାହାରୁଛି ।
କର୍ମୀଙ୍କର ବିଡ଼ି ଲିଭି ନାହିଁ ।
ଗୋଟାକ ପରେ ଗୋଟାଏ ଚାଲିଛି ।
ତୈଳବୀଜ ବ୍ୟବସାୟୀ ଶେଠଜୀ ଚିଲମରେ ଖଇନ୍ ଦେଇ ଖୁଁ ଖୁଁ କରି ଟାଣି ଯାଉଛନ୍ତି ।
ଅନ୍ଧକାରର ମସୀ ତଳେ ମୋର ପ୍ରଲୁବ୍ଧ ଆତ୍ମା ଆଲୋକ ଖୋଜୁଛି ।
ମୁଁ କୃଷ୍ଣା ପ୍ରକୃତିକୁ ଚାହିଁ ରହିଥିଲି ।
ଦିଗ୍ବଳୟ ତଳେ ଗୋଟିଏ ନକ୍ଷତ୍ର ଜଳୁଥିଲା ।
ଷ୍ଟେସନ….
ସ୍ବାଭାବିକ କୋଳାହଳ ।
ଦୁଇ ମୁହୂର୍ତ୍ତ ଭିତରେ ଷ୍ଟେସନର କୋଳାହଳ ଯେପରି ସ୍ଥିର ହୋଇ ଆସିଲା ।
କିଏ ମ ? କିଏ ସେ ? କ୍ଷୀଣ କଣ୍ଠରେ କିଏ କହିଲା- “ଆଚାର୍ଯ୍ୟ”! ସେ କଣ୍ଠ ପୁଣି ସ୍ପଷ୍ଟ ଶୁଣାଗଲା-“ଆଚାର୍ଯ୍ୟ ମହାଶୟ !” ସେ ସ୍ପଷ୍ଟ କଣ୍ଠ ପୁଣି ସ୍ପଷ୍ଟତର ଶୁଣାଗଲା ।
“ଆଚାର୍ଯ୍ୟ ହରିହର” ।
ଅନ୍ୟ ଜଣେ କିଏ କହିଲା-“ଋଷିପ୍ରତିମ” ।
ମୁଣ୍ଡିଆ-
ପ୍ରଣାମ-
ମୁଣ୍ଡିଆ-
ଜୁହାର-
ପାଦଧୂଳି ଦିଅନ୍ତୁ-
ଉତ୍ତର ଶୁଭିଲା- ହଉ ବାବା, ଭଲ ଅଛ ? ଢେଙ୍କାନାଳରେ କାମ ଥିଲା, ଯାଇଥିଲି ।
ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ କହିଲି, ମୋ କଥା ପିଲାଏ ଶୁଣିଛନ୍ତି ।
ସେହି ମୋର ଶାନ୍ତି ।
ହଁ, ସତ୍ୟବାଦୀରେ ବ୍ରାହ୍ମଣେ ହଳ କଲେ ।
ମୋ ଉପରକୁ ସମସ୍ତେ ଖପ୍ପା ।
ହଉ ବାବା, ଭଲ ଅଛ ? ସୂତା କାଟୁଛ ତ ? ଗୀତା ପଢ଼ିବ ।
ଯେ ଯେଉଁ ନୀତିରେ ଯାଅ, ସେ ବୁଢ଼ା ଜନନାୟକଙ୍କୁ ମନରେ ରଖିଥିବ ।
କେଉଁ ଡବାରେ ବସିବା ? ଏଇଠି ବସିଗଲେ ହେବ ।
ସାରଙ୍ଗ, ତମେ ଟିକଟ ଆଣ ।
ଉତ୍କଳର ଚିର ପରିଚିତ ସେହି ପୁରୁଷକୁ ନ ଚିହ୍ନେ କିଏ ? ହାତରେ ଖଣ୍ଡିଏ ମାତ୍ର ଶଯ୍ୟାସନ ଝୁଲାଇ କାନ୍ଧରେ ଖଣ୍ଡିଏ ମୁଣା ରଖି ସେ ଉଠିଆସିଲେ ଆମରି ଡବା ଭିତରକୁ ।
ପ୍ରସନ୍ନ କାନ୍ତି, ଅନାଡମ୍ବର ଶୌର୍ଯ୍ୟ, ମୁଖ୍ୟରେ ସେହି ସାତ୍ତ୍ବିକ ହସ!!
“-ଆରେ ବାବା, ଏଇଠି ସବୁ ବସିଛ, ହଉ ବସ ବସ ।”
ଦେବାନଙ୍କ ପାଇପ ମୁହଁରୁ ଖସି ପଛ ଆଡ଼କୁ ଆଉଜି ଯାଉଛି ।
ଅଧ୍ୟାପକଙ୍କର ସିଗାରେଟ୍ ଝରକା ବାଟେ ତଳେ ପଡ଼ିଲାଣି ।
ମାରୁଆଡ଼ି ଚିଲମଟାକୁ ତଳେ ଗଡ଼େଇ ଦେଇଛନ୍ତି ।
ବିଚାରା କର୍ମୀଙ୍କର ଅବସ୍ଥା ସବୁଠୁଁ ଉଦ୍ବେଗଜନକ ।
ସେ କିଛିକ୍ଷଣ ନିଶ୍ଚଳ ହୋଇ ରହିଗଲେ ।
ତେଣୁ ତାଙ୍କର ଅଧରରେ ଅମାନିଆ ବିଡ଼ିଟା ଲାଗି ରହିଥିଲା ।
“କିଓ ଭାନୁଶଙ୍କର, ଧୂଆଁ ଅଭ୍ୟାସ କଲ କାହିଁକି?”
ମୁଁ ଦୂରରୁ ଦେଖୁଥାଏ, କର୍ମୀଙ୍କର ସମାଜ-ସଂସ୍ଥା ଏତିକିରେ ଭାଙ୍ଗିପଡ଼ିଲା ।
ସେ ଅସ୍ତବ୍ୟସ୍ତ ହୋଇ “ଢୁ” କରି ଗୋଟାଏ ମୁଣ୍ଡିଆ ମାରିଦେଲେ ।
ବିଜ୍ଞାନ ଅଧ୍ୟାପକ ହଠାତ୍ ଆରମ୍ଭ କରିଦେଲେ- “ଆଜ୍ଞା, ଭାରତ କଅଣ ମୌଳିକ ଶିକ୍ଷା ଯୋଜନାକୁ ଶୀଘ୍ର ଗ୍ରହଣ କରିପାରିବ?”
-“ଦାତାମାନେ, ଏ ଅନ୍ଧକୁ ଦୟାକର ।
ନିଆଶ୍ରିକ ମାଗୁଛି, ପଇସା ଅଧଲାଏ ଦିଅ ।
ଭଗବାନ ଦୟା କରିବେ ।
ଦିଅ ବାବା ।”
ଅନ୍ଧ ଗୀତ ଧରିଛି ।
ଛଳଛଳ ଆଖିରେ ଉତ୍କଳର ଋଷି ବାରଣ କଲେ-“ନାହିଁ ବାବା, ଗୀତ ବୋଲ ନାଇଁ, କଷ୍ଟ ହେବ ।
ହେଇଟି ନିଅ, କହି ଆଚାର୍ଯ୍ୟେ ଦୁଇଅଣିଟିଏ ଅନ୍ଧକୁ ବଢ଼ାଇ ଦେଲେ ।”
ସାଙ୍ଗେ ସାଙ୍ଗେ ଦେବାନ୍ କହିଲେ- “ନେ, ନୋଟଟାଏ, ଦେଖି ରଖ ।”
ଅଧ୍ୟାପକ ମନିବ୍ୟାଗରୁ ଅଣ୍ଡାଳି ଆଣିଲେ ଟଙ୍କାଟିଏ, କହିଲେ-“ନେ ଟଙ୍କାଟା; ସାଇତି କରି ରଖ ।
ଆହା! ଏମାନେ ଦରିଦ୍ରନାରାୟଣ ।
ଆମେରିକାରେ ଏମାନଙ୍କୁ ସାହାଯ୍ୟ କରିବାପାଇଁ ବହୁ ପ୍ରକାରର ପାଣ୍ଠି ରହିଛି ।”
ମାରୁଆଡ଼ି ଖୋସଣୀ ଫିଟାଇ କହିଲେ- “ଲେଓ, ଆଠ ଆନା, ହାମରା ଗୋଦାମକୁ ଗଇଲେ କିଛୁ ବେଶୀ ମିଳିବ ରେ ।”
ଶେଷରେ କର୍ମୀ ପକେଟରୁ ବାହାର କଲେ ଚାରିଅଣା ପଇସା; କହିଲେ
-“ନେ ବାବା, ନେ, ସମାଜର ସଂସ୍ଥା ରଖିବାକୁ ହେଲେ ତୁମକୁ ହିଁ ଆଗ ଦେଖିବାକୁ ହେବ ।”
ଏ ଭିତରେ ଦୁଇଟି ଷ୍ଟେସନ ପାର ହୋଇଯାଇଛି ।
ମୁଁ ଚିତ୍ରପ୍ରତିମା ଭଳି ବସି ରହିଥାଏ ।
ଦେବାନ ସାହେବ ପାଖକୁ ଆସି ମତେ ହଲେଇ ଦେଇ କହିଲେ
-“ଆପଣ କଅଣ ଦେଖୁଛନ୍ତି?”
ମୁଁ ଉତ୍ତର ଦେଲି- “ପ୍ରକୃତି ।”
ସେ ହସିଲେ; କହିଲେ- “ଅନ୍ଧକୁ କିଛି ଦେଲେ ନି?” ମୁଁ ଉତ୍ତର ଦେଲି-“ନାଁ” ।
ଦେବାନ୍ କହିଲେ “କିନ୍ତୁ ସବୁଠାରେ ମୁଁ ଦେଖିଲି ଆପଣ ଦେଇ ଆସିଛନ୍ତି ।”
ମୁଁ କହିଲି- “ହଁ, କିନ୍ତୁ ଏଠାରେ ପାରିଲି ନାହିଁ ।”
“କାରଣ?”
“-ଆଚାର୍ଯ୍ୟେ ଥିଲେ ବୋଲି…” ସେ ମୋର କାନ୍ଧ ଉପରେ ସ୍ନେହରେ ହାତ ରଖି କହିଲେ-
“ମୁଁ ଶିଖିଲି ।”
ମୁଁ ପୁଣି କହିଲି- “ମୋର ସେହି ଏକା ଉତ୍ତର; ଆଚାର୍ଯ୍ୟେ ଥିଲେ ବୋଲି….”
ଦେବାନ୍ବାବୁ ଏଥର ମତେ ଭଲ ଭାବରେ ଚାହିଁଲେ, ଆଉ କହିଲେ-
“ସତେ, ଆପଣ କବି ଭାବର ଲୋକ… ।”
ଟ୍ରେନ୍ ଚାଲିଥାଏ ।
ଦୂର ଚକ୍ରବାଳ ତଳେ ଏକାକୀ ସେହି ନକ୍ଷତ୍ରଟି ଆହୁରି ଦୀପ୍ତ ଦେଖାଯାଉଥାଏ ।
ମୁଁ ମୁହଁ ଫେରାଇ ଦେଖିଲି, ଆଭା କଅଣ ଲେଖୁଛି
-ତାର ଅଙ୍କ ଉପରେ ତାହାରି ଡାଏରିଟି ଢଳି ପଡ଼ିଥିଲା ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment