Commit c6d97d40 authored by Nayan Ranjan Paul's avatar Nayan Ranjan Paul

Upload New File

parent efbc2599
ବୁଢ଼ାଶଙ୍ଖାରି
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର
ତା: ଅକ୍ଟୋବର୍ ୧୭, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ପ୍ରାୟ ଫଗୁଣ ମାସ ଶେଷ ସରିକି, ଉଦୁଉଦିଆ ଖରାବେଳେ ବୁଢ଼ାଟିଏ ଗୋଟିଏ ଗାଁ ମଝିରେ ଯାଉଥିଲା ।
ଷାଠିଏ ବରଷର ବୁଢ଼ା, ଦାନ୍ତଗୁଡ଼ାକ ସବୁ ପଡ଼ିଗଲାଣି, ମୁଣ୍ଡବାଳ ତେଣିକି ଥାଉ, ଛାତି ବାଳଗୁଡ଼ାକ ପାଚି ଧୋବ ଫରଫର ଦିଶୁଛି ।
ବୁଢ଼ା ମୁଣ୍ଡରେ ଗୋଟିଏ ଟୋକେଇ, ଧୂଳିରେ ଆଣ୍ଠୁଯାକେ ବୁଡ଼ିଛି, ଅଷ୍ଟାଙ୍ଗ ଶରୀର ଝାଳରେ ବୁଡ଼ି ଗୋଡ଼ ବାଟେ ବହି ଯାଉଛି ।
ଗାଁ ମୁଣ୍ଡରେ ଗୋଟିଏ ଘର ।
ପକ୍କା ପିଣ୍ଡା, ସାତଶେଣିଆ ଛପର, ଯାଉଁଳି କବାଟ ।
ବୁଢ଼ା ସେହି ପିଣ୍ଡାରେ ବୋଝଟି ଥୋଇ ଦେଇ, ନଥ୍‌ କରି ବସି ପଡ଼ିଲା ।
କିଛିକ୍ଷଣି ପରେ ସେ ଘରୁ ଗୋଟିଏ ଦାସୀ ବାହାରି ଆସିଲା ।
ଦାସୀ ବୁଢ଼ାକୁ ଚିହ୍ନେ ।
ପଚାରିଲା, କିହୋ ଶଙ୍ଖାରି ପୁଅ, ଶଙ୍ଖା ଆଣିଛ କି ? ବୁଢ଼ା ଉତ୍ତର କଲା, ହଁ ।
ପୁଣି କହିଲା, ଝିଅ ଟୋପାଏ ପାଣି ଦିଅନ୍ତୁ, ବୁଢ଼ାମଣିଷ, ଖରାରେ ତଣ୍ଟି ଶୁଖି ଗଲାଣି ।
ଦାସୀ ପାଣି ଆଣିବାକୁ ଚାଲିଗଲା ।
କିଛିକ୍ଷଣ ପରେ ଲୋଟାଏ ପାଣି ଘେନି ଦାସୀ ଫେରି ଆସି ବୁଢ଼ା ପାଖରେ ଥୋଇଦେଲା ।
ବୁଢ଼ା ଉପରକୁ ଆଁ କରିଦେଇ ଢକ ଢକ କରି ଅଧଲୋଟାଏ ପାଣି ଟେକିଦେଲା ।
ପାଣି ପିଇ ସାରି ବୁଢ଼ା ଚଉରସ ନିଶ୍ବାସଟିଏ ମୁହଁ ବାଟେ ପକାଇ କହିଲା, ‘ଝିଅ, ତୋର ବଡ଼ ଧରମ ହେଲା ।’
ଦାସୀ କହିଲା, ‘ହଉ ହେଲା ତ ହେଲା ପଛକେ, ଚାଲ ବହୁ ସାଆନ୍ତାଣୀ ଡାକୁଛନ୍ତି, କିମିତିକା ଶଙ୍ଖା ଅଛି ଦେଖିବେ ।’
ବୁଢ଼ା ଟୋକେଇଟି ନେଇ ଉଠିଲା ।
ସଦର ଦରଜା ପାରି ହେଲେ ଭିତରେ ପକ୍କା ବାହାର, ସାମନାରେ ଚଉପାଢ଼ି, ବାଆଁ ପାଖକୁ ଭିତର ଆଡ଼ ଦୁଆର ।
ସେ ଦୁଆର ପାଖରେ ଓଢ଼ଣା ଦେଇ ବୋହୂଟିଏ ଛିଡ଼ା ହୋଇଥିଲା ।
ବୁଢ଼ା ଯାଇ ଟୋକେଇଟି ଥୋଇ ଛିଡ଼ା ହେଲା ।
ବୋହୂଟି ଧୀରେଧୀରେ ଦାସୀକି କହିଲା, ‘କି ଶଙ୍ଖା ଅଛି ପଚାର ମ ।’
ଦାସୀ ଟିକିଏ ମୁଖରା ।
ସେ କହିଲା, ‘ଛି ମ, ବୁଢ଼ା ମଣିଷଟାକୁ ଏତେ ଲାଜ ।
ନିଜେ ଟୋକେଇରୁ ଆସି ଦେଖୁନାହଁ ? କଥାଟା ମନକୁ ଆସିଲା ।
ବୋହୂଟି ଓଢ଼ଣା ଅଧେ ଟେକି ଦେଇ ମୁରୁକି ମୁରୁକି ହସି ହସିକା ବାହାରି ଆସି ଟୋକେଇ ପାଖରେ ଛିଡ଼ା ହେଲା ।
ବୋହୂଟିର ମୁହଁ ଦିଶିଗଲା ।
ମୁହଁଟି ଚକି କାଟି ଦେଲା ପରି ଗୋଲ୍‌ ଆଉ ଚମ୍ପାଫୁଲ ପରି ଗୋରା ।
ଚାରି ଆଙ୍ଗୁଳି ଓସାର, ନାଲି ତହିଁରେ ମୟୂରକଣ୍ଠିଆ କସ୍ତା ଖଣ୍ଡିକ ଗୋଇଠି ଯାଏ ଲମ୍ବିଛି ।
ତା’ ଭିତରେ ଦେଇ ବୋହୂଟିର କଞ୍ଚାସୁନା ପରି ଗୋରା, ଗୋଟିଏ ଚାଉଳରେ ଗଢ଼ା, ଦେହଟି ଫୁଟି ଦିଶୁଛି ।
ବୁଢ଼ାର ଆଖି ପୂରି ଉଠିଲା ।
ଏତେ ସୁନ୍ଦର, ଏଡ଼େ ନିଜର ବୋହୂଟିଏ ସେ କେବେ ଦେଖିନାହିଁ ।
ବୁଢ଼ା ଆଉ ଆଖି ଫେରାଇ ପାରିଲା ନାହିଁ ।
ଏକା ଧ୍ୟାନରେ ତାକୁ ଚାହିଁ ରହିଲା ।
ବୁଢ଼ାର ଇଚ୍ଛା କ’ଣ କହିବ ବୋଲି, କିନ୍ତୁ ପାଟିରୁ କଥା ଫୁଟିଲା ନାହିଁ ।
କେତେବେଳେକେ ବୁଢ଼ା ମୁହଁ ଫିଟାଇ କହିଲା, ‘ମା କି ଶଙ୍ଖା ନବୁ ନେ ।’
ମା’ ବୋଲି ଡାକି ଦେଲାକ୍ଷଣି ବୁଢ଼ାର ଛାତି କୁଣ୍ଢେ ମୋଟ ହୋଇଗଲା ।
ବୋହୂଟି ନାଜ ଛାଡ଼ି ଦେଇ କହିଲା, ‘ଅସ୍‌ମାନ୍‌ତାରା ଶଙ୍ଖା ଅଛି ?’ ଓଃ ଏଡ଼େ ମିଠାକଥା ।
ଏପରି କଥା ତ କେହି କହେ ନାହିଁ ।
ବୁଢ଼ାର କାନରେ ସେ ସ୍ବରଟା ଥରକୁ ଥର ବାଜିବାକୁ ଲାଗିଲା ।
ବୁଢ଼ା କହିଲା, ‘ନା, ମା, ରଙ୍ଗଝଲିରି, ବଉଳଫୁଲିଆ, ବିଛାମାଳିଆ, ଚୁନଟିପି ଏହିସବୁ ଅଛି ।
ଏହିଥିରୁ ଯାହା ନବୁ ମା, ମୁଁ ଆସ୍‌ମାନ୍‌ତାରା ତିଆରି ହେଲେ ଆଣିଦେବି ।’
ବୋହୂଟି ଦେଖି ଦେଖି ମୁଠାଏ ଶଙ୍ଖା ପସନ୍ଦ କଲା ।
ତେବେ ସେ ମୁଠାକ ହାତକୁ ହେବ କି ନାହିଁ କିଏ କହିବ ? ଏହି ସମୟରେ ‘ବୁଢ଼ା କହିଲା, ଦେ ମା, ହାତ ଦେ, ମୁଁ ଶଙ୍ଖା କଛି ଦିଏ ।’
ବୋହୂଟି ହଠାତ୍‌ ହାତ ବଢ଼ାଇ ଦେଉଛି ବା କିପରି ? ଟିକିଏ ଇତସ୍ତତଃ କଲା ।
ବୁଢ଼ା କହିଲା, ‘ମା’, ମୋତେ ନାଜ କରୁଛୁ ? ମୁଁ ପରା ତୋ ପୁଅ ।
ପୁଅକୁ ମା’ ନାଜ କରେ ନା ?”
ଦାସୀ ଏହି ସମୟରେ ଠୋ ଠୋ କରି ହସି ଦେଇ କହିଲା, ‘ବୋହୂ ସାଆନ୍ତାଣୀଏ ଆଛା ବୁଢ଼ା ପୁଅଟିଏ ପାଇଲ ଏକା, କପାଳ ତ !’ ବୋହୂଟି ପୁଣି ହସି ଦେଇ କହିଲା, ‘ଦୂର୍‌ ।’
ବୋହୂଟି ହାତ ବଢ଼ାଇଦେଲା ।
କେଡ଼େ ଟିକିଏ ଟିକି ହାତଟି ।
କେଡ଼େ ସୁନ୍ଦର ଗୋଲ ।
ଆଙ୍ଗୁଳିଗୁଡ଼ିକ ଚମ୍ପାକଢ଼ି ପରି ।
ପାପୁଲିଟି ଟୁଳ୍‌ ଟୁଳ୍‌ ହେଉଛି ।
ଶଙ୍ଖାଗୁଡ଼ିକ କି ସୁନ୍ଦର ଦିଶୁଛି ।
ଏ କ’ଣ ମଣିଷର ହାତ ? ନା, କେହି କାରିଗର ଠାକୁର ଗଢ଼ିଛି ? ସେ ହାତକୁ ବୁଢ଼ା ତା’ର ମଳିଆ, ରୁକ୍ଷ ହାତରେ ଧରିବାକୁ ସାହସ କଲା ନାହିଁ ।
ତା’ପରେ ବାଁ ହାତରେ ଥିରକରି ହାତଟି ଧରି ପରେ ଶଙ୍ଖା କିଛି କାଢ଼ିଲା ।
ଏ ହାତ, ଶଙ୍ଖାରେ କାଳେ କଟିଯିବ, ରକତ ବାହାରି ପଡ଼ିବ ଯେ ! ପୁଣି ଟିକିଏ ରହିଲା ।
ପୁଣି ଶଙ୍ଖାପଟିଏ ଆଣି ଧୀରେ ଧୀରେ ଅତି ସନ୍ତର୍ପଣରେ, ଅତି ସାବଧାନତାର ସହିତ ସେ ପଟକ କଛି ନେଲା ।
ସେ ହାତଟି ଧରିଥିବା ବେଳେ ବୁଢ଼ାର ଆନନ୍ଦର ସୀମା ରହୁ ନଥାଏ ।
ଯେପରି ତା’ର ଜୀବନର ସମସ୍ତ ସୁଖ, ସମସ୍ତ ଆଶାର ସେହିଠାରେ ତୃପ୍ତି ।
ସେ ହାତକୁ ପୁଣି ଛାଡ଼ି ଦେବାକୁ ହେଲା ।
ବୁଢ଼ା ଭାବିଲା, ମୁଁ ପ୍ରତିଦିନ ଏହିପରି ଏ ହାତରେ ଶଙ୍ଖା ପିନ୍ଧାନ୍ତି କି !
ଏହି ସମୟରେ ସେ ଘରର ସାଆନ୍ତାଣୀ ସେଠାରେ ଆସି ପହଞ୍ଚିଲେ ।
ଶାଶୁଙ୍କୁ ଦେଖି ବୋହୂଟି ଓଢ଼ଣା ଟାଣିଦେଇ ପଳାଇଲା ।
ଶାଶୁ ଦାସୀକୁ ପଚାରିଲେ, ‘‘କି’ ଲୋ, ଶଙ୍ଖା କିଣୁଥିଲୁ କି ?” ଦାସୀ କହିଲା, ‘ହଁ, ବୋହୁ ସାଆନ୍ତାଣୀ ଏହି ମୁଠାକ ନେବେ ବୋଲି କହୁଛନ୍ତି ।’
ଶାଶୁ କହିଲେ, ‘ଦାମ୍‌ କେତେ ?’
ବୁଢ଼ା-ଶଙ୍ଖାମୁଠାକ, କି ଦାମ୍‌ ?
ଶାଶୁ-ଫେର୍‌, କେତେ ଦେବି ?
ବୁଢ଼ା-ମା’ଠଉଁ ମୁଁ କ’ଣ ଦାମ୍‌ ନେବି ?
ଦାସୀ ହସି ହସି କହିଲା, ‘ସେଇ ପିଲାଟି ବୋହୂ ସାଆନ୍ତିଣୀଙ୍କ ପୁଅ ହୋଇଛି ।’
ଶାଶୁ ବି ହସିଲେ ।
ଆଛା, ଏଥର ଦାମ୍‌ ନେଇଥାଅ, ଆଉ ଥରକୁ ପଛେ ଖାଲି ଦେଇଯିବ ।
ତମେ ଗରିବ ଲୋକ ।
ବୁଢ଼ା- ନା’, ନା, ମୋ ମା’କୁ ମୁଁ ତ ଦେଇଛି; ମୁଁ ଆଉ ଦାମ୍‌ ନେବିନାହିଁ ।
ଶଙ୍ଖାମୁଠାକ ଲାଗି ମୁଁ ଗରିବ ହୋଇଯିବି ନାହିଁ ।’
ଏହା କହି ଶଙ୍ଖାରି ଶଙ୍ଖାମୁଠାକ ରଖି ଦେଇ ବୋଝଟି ଧରି ଏକାବେଳକେ ଚାଲିଗଲା ! ଆଉ ଡାକିଲେ ଶୁଣିଲା ନାହିଁ ।
ଦାସୀ ପଛରେ ଗୋଡ଼େଇ ଗୋଡ଼େଇ ଗଲା; କିନ୍ତୁ ସେ ଆଉ ଫେରି ଚାହିଁଲା ନାହିଁ ।
ସେହି ଦିନଠଉଁ ସେ ବୁଢ଼ା ଶଙ୍ଖାରି ଦୁଇଦିନେ ତିନିଦିନେ ସେ ଗାଁକୁ ଆସେ ।
ଶଙ୍ଖାଟା କ’ଣ ଗୋଟାଏ ନିତିଦିନିଆ ଦରବ ଯେ ଲୋକେ ରୋଜ କିଣିବେ ! ଅକାଳେ ସକାଳେ, ପୂନେଇ ପରବରେ ସିନା କିଏ ନୂଆ ଶଙ୍ଖା ଖୋଜେ ।
ବୁଢ଼ାଟା ଖାଲି ଘର ଘର ବୁଲି ଫେରିଯାଏ; କିନ୍ତୁ ଶଙ୍ଖା ବିକ୍ରୀ ତ ବୁଢ଼ାର ଉଦ୍ଦେଶ୍ୟ ନୁହେଁ ।
ସିଏ ଆସେ ତା’ର ସେହି ନିଜ ମା’ଟି କୁ ଦେଖିବା ପାଇଁ ।
ଯେଉଁ ଦିନ ଆସେ, କାହାରିକୁ ନ କହି ଦୁଆରଯାକେ ଚାଲିଆସେ ।
ବୋଝ ରଖିବାକୁ ହୁଏ ନାହିଁ ।
ଖାଲି ପାଟିକରି ଡାକିଦିଏ, ‘‘ନୂଆ ଶଙ୍ଖା ନବ ?” ତା’ପାଟି ଶୁଣିଲାକ୍ଷଣି ବୋହୂଟି କୁଆଡ଼େ ଥାଏ, ଆସି ଦୁଆର ପାଖରେ ଟିକିଏ ଛିଡ଼ା ହୁଏ ।
ବୁଢ଼ାଟି ଟିକିଏ ଅନାଏ, ଚାହିଁଦେଲାକ୍ଷଣି ବୁଢ଼ାର ମନ ପୂରିଉଠେ ।
ପଚାରେ, ‘‘ମା’ ଆଉ ଶଙ୍ଖା ନବୁ ?” ବୁଢ଼ାର ଇଛା କାଳେ ନବାକୁ କହିବ, ତାହେଲେ ତା’ ମା’ର ଚମ୍ଫାଫୁଲିଆ ସୁନ୍ଦର ହାତଟିରେ ସେ ଶଙ୍ଖା କିଛି ଦେବ ।
କିନ୍ତୁ ବୋହୂଟି ମୁଣ୍ଡ ହଲାଇ ଦିଏ ।
ବୁଢ଼ା ଫେରି ଚାଲିଯାଏ ।
ଦିନେ ଦିନେ ଯଦି ବୋହୂଟିର ଆସିବାକୁ ଡେରିହୁଏ, ସେ ଦାସୀଟି ହୁରି କରିଦିଏ, “ବୋହୂ ସାଆନ୍ତାଣୀଏ, ତମ ପୁଅ ଅଇଲାଣି ।’’
ବୁଢ଼ା ଦୁଇଥର ‘ନୂଆ ଶଙ୍ଖା ନେବ’ ବୋଲି ଡାକିଲାରୁ ତା’ ମା’ଟି ଆସି ଛିଡ଼ା ହୁଏ ।
ବୁଢ଼ା ଯେଉଁ ଦିନ ଆସେ, ପ୍ରାୟ ଏହି କଥା ଏହି ଅଭିନୟ ନିତିନିତି ।
ବୁଢ଼ା ଫେରିଲାବେଳକୁ ଭାବେ, ମା’ର ଆସ୍‌ମାନ୍‌ତାରା ଶଙ୍ଖା ଉପରକୁ ମନ, କେବେ ସେଥିରୁ ମୁଠାଏ ଆଣିଦେବି ।
ଶେଷରେ ଠିକ୍‌ କଲା ଆସନ୍ତା ରଜସଙ୍କ୍ରାନ୍ତି ବେଳକୁ ଯୁଆଡ଼ୁ ହେଲେ ମା’ ଲାଗି ଆସ୍‌ମାନ୍‌ତାରା ମୁଠାଏ ଆଣିବି, ମା’ ନୂଆ ଶଙ୍ଖା ନାଇବ ।
ମୋତେ ହାତ ଦେଖାଇବ ।
ମୁଁ ଶଙ୍ଖା କିଛି ଦେବି ।
ଏହା ଭାବିଲାକ୍ଷଣି ବୁଢ଼ାର ମନ ଭାରି ଉତ୍‌ଫୁଲ୍ଲ ହୋଇଯାଏ ।
ବୁଢ଼ା ରଜସଙ୍କ୍ରାନ୍ତିକୁ ଚାହିଁ ରହିଥାଏ ।
ରଜସଙ୍କ୍ରାନ୍ତିଟି ଏଥର ତା’ର ଭାରି ଆନନ୍ଦର ଦିନ, ତା’ ମା’ ଲାଗି ସେ ଆସ୍‌ମାନ୍‌ତାରା ଶଙ୍ଖା ଆଣିବ, ମା’ କେଡ଼େ ଖୁସି ହେବ ।
ବୈଶାଖ ମାସ ହେଲା ।
ବୁଢ଼ା ଲୋକ, ଏଥିରେ ଖରାରେ ରୋଜ ବାଟଚଲା, ପାଣି ପିଆ, ଦେହରେ ସହିଲା ନାହିଁ ।
ବୁଢ଼ାକୁ ଜ୍ବର ହେଲା ।
ଦେଖୁଁ ଦେଖୁଁ ଭାରି ଜ୍ବର ।
ଗୋଡ଼ ହାତ ଫୁଲିଗଲା ।
ସମସ୍ତେ କହିଲେ, ଆଉ ବଞ୍ଚିବ ନାହିଁ ।
ବୁଢ଼ାର କିନ୍ତୁ ସେ ଦିଗକୁ ଭାବନା ନାହିଁ ।
ସେ ସବୁବେଳେ ଭାବି ହେଉଥାଏ ଯେ କେଉଁ ଦିନୁ ସେ ମା’କୁ ଦେଖିବାକୁ ଯାଇନାହିଁ ।
ସେଥିପାଇଁ ମନଟା ଆଉଟି ପାଉଟି ହେଉଥାଏ ।
ଦେଖୁ ଦେଖୁ ରଜସଙ୍କ୍ରାନ୍ତି ଆସି ପାଖ ହୋଇଗଲା ।
ବୁଢ଼ା ଦୁଇମାସ ହେଲା ମା’କୁ ଦେଖିବାକୁ ଯାଇନାହିଁ ।
ଚାଲି ପାରୁଥିଲେ ଯିମିତି ହେଲେ ଦେଖି ଆସୁଥାଆନ୍ତି ।
କିନ୍ତୁ ରଜକୁ ତ ଆସ୍‌ମାନ୍‌ତାରା ଶଙ୍ଖା ମୁଠାଏ ନିଶ୍ଚୟ ଦେବାକୁ ହେବ ।
ବୁଢ଼ା ଅନେକ କଷ୍ଟରେ ଉଠି ବସି ନିଜ ହାତରେ ଶଙ୍ଖା ତିଆରି କଲା ।
ଆଉକେହି କରିଦେଲେ କାଳେ ମା’ ମନକୁ ନଆସିବ ।
ଷାଠିଏ ବର୍ଷ କାଳ ଶଙ୍ଖା ଗଢ଼ି ଗଢ଼ି ସେ ଯେତେ ହାତ ସଫେଇ ହାସଲ କରିଥିଲା, ସବୁ ସେଥିରେ ଲଗାଇଲା ।
ଦିନର କାମ ଚାରିଦିନ ଲାଗୁ ପଛକେ, କାମଟି କିମିତି ସରସ ହେଉ ।
ରଜ ଦୁଇଦିନ ଥାଇ କାମ ନିକାଶ ହେଲା ।
ମନ ଘେନି ଫଳ ।
ଏପରି ଗଢ଼ଣରେ ଶଙ୍ଖା ତା’ ଜୀବନରେ ତା’ ହାତରେ କେବେ ଉତୁରି ନାହିଁ ।
ଶଙ୍ଖା ଦେଖି ବୁଢ଼ାର ମନ ଭାରି ଖୁସି ।
ତା’ ମା’ ହାତକୁ ଏ ଶଙ୍ଖାମୁଠିକ ଖୁବ୍‌ ମାନିବ ।
ରଜ ଆଗଦିନ ପହିଲି ରଜ ।
ଆଜି ଝିଅବୋହୂ ନୂଆ ଶାଢ଼ୀ ପିନ୍ଧନ୍ତି ।
ରାତିସାରା ବୁଢ଼ାର ନିଦ ନାହିଁ ।
ସକାଳୁ ଉଠି ବୁଢ଼ା ଭାବିଲା, ମୁଁ ତ ଚାଲିପାରୁନାହିଁ, କ’ଣ କରିବି ? ଆଉ କିଏ ନେଇଗଲେ ତ ହେବନାହିଁ ।
ମା’କୁ ଢେର ଦିନୁ ଦେଖିନାହିଁ, ସତେ କ’ଣ ଏଥିରୁ ବଞ୍ଚିବି ଯେ, – ଥରେ ଦେଖିଆସେ ।
ଆଉ ମା’ର ସେହି ହାତରେ ଶଙ୍ଖା କଛି ଦେବି ।
ମା’ର ହାତଟି ମନେ ପଡ଼ିଗଲାକ୍ଷଣି ବୁଢ଼ାର ଗଦାଏ ବଳ ଆସିଲା ।
ବୁଢ଼ା ସଅଳ ସଅଳ ମୁଠାଏ ଖାଇ ଦେଇ, ଶଙ୍ଖାମୁଠିକ ଗାମୁଛାରେ ବାନ୍ଧି ବାହାରିଲା ।
ଅତି କଷ୍ଟରେ ଭଡ଼ାଏ ଭଡ଼ାଏ ପାଦ ପକାଇ ଚାଲିଥାଏ ।
ପାଞ୍ଚକୋଷ ବାଟ ପହୁଞ୍ଚିଲାବେଳକୁ ବେଳ ଗଡ଼ି ଗଲାଣି ।
ବୁଢ଼ା ଯାଇ ଯେଉଁଠାରେ ଛିଡ଼ା ହୋଇ ଡାକୁଥିଲା, ସେହିଠାରେ ଛିଡ଼ା ହେଲା ।
ମନରେ କେତେ ଆନନ୍ଦ, କେତେ ଉତ୍ସାହ ।
ଡାକିଲା, ‘ଶଙ୍ଖା ନେବ’ ? କେହି ଶୁଣିଲେ ନାହିଁ ।
ପୁଣି ଡାକିଲା, ‘ମା’ ଲୋ ! ଶଙ୍ଖା ନବୁ ପରା ? ତେବେ ବି କେହି ଆସିଲେ ନାହିଁ ।
ବୁଢ଼ା ଅଧୀର ହୋଇପଡ଼ିଲା ।
ଦୁଇଥର ଡାକି ସାରିଲାଣି, କେହି ଜବାବ ପଦେ ଦେଉନାହିଁ ।
ଥରେ ଡାକିଲେ ତ ମା’ ତାର ଆସି ଦୁଆରବନ୍ଧ ପାଖରେ ଛିଡ଼ା ହୋଇଯାଉଥିଲା ।
ପୁଣି ଡାକିଲା, ‘‘ମା’ ମୁଁ ଆସିଛି ।
ଶଙ୍ଖା ଆଣିଛି ତୋ ପାଇଁ ।
ଏଇଥର ସାଆନ୍ତାଣୀ ନିଜେ ବାହାରି ଆସିଲେ, ତାଙ୍କ ପଛେ ପଛେ ସେହି ଦାସୀ ।
ସାଆନ୍ତାଣୀଙ୍କୁ ଦେଖି ବୁଢ଼ା କହିଲା, ମୋ ମା’ କାହିଁ ? ମୁଁ ତା’ ପାଇଁ ଆସ୍‌ମାନ୍‌ତାରା ଶଙ୍ଖା ଆଣିଛି ରଜରେ ପିନ୍ଧିବ ।”
ଦାସୀ ତ ଏତେବେଳକୁ ହୁରି କମ୍ପାଇ ଦିଅନ୍ତାଣି, ସେ କିଛି କହିଲା ନାହିଁ ।
ସାଆନ୍ତାଣୀ ଧୀରେ ଧୀରେ କହିଲେ, “ନା, ଶଙ୍ଖା ଲୋଡ଼ାନାହିଁ ।”
ବୁଢ଼ା କହିଲା, “ନା, ନା, ମୁଁ ମୋ ମା’ ଲାଗି ବଡ଼ ଶରଧାରେ ଆଣିଛି ।”
ସାଆନ୍ତାଣୀ- ଯା, ଶଙ୍ଖା କେହି ନେବେ ନାହିଁ ।
ବୁଢ଼ା- ହଉ, ଶଙ୍ଖା ନନେଲେ ନାହିଁ, ମୋ ମା’କୁ ଥରେ ଡାକିଦିଅ, ମୁଁ ଦେଖିବି ।
କେଉଁ ଦିନରୁ ଦେଖିନାହିଁ ।
ସାଆନ୍ତାଣୀ – ଦେଖା ହୋଇପାରିବ ନାହିଁ ।
ବୁଢ଼ା ମୁଣ୍ଡରେ ବଜ୍ର ପଡ଼ିଲା- ‘ଦେଖା ହୋଇ ପାରିବ ନାହିଁ ।
ମୋ ମା’କୁ ମୁଁ ଥରେ ଦେଖି ପାରିବି ନାହିଁ ? ବୁଢ଼ାର ଆଖି ଛଳଛଳ ହୋଇ ଉଠିଲା ।’
ସେ କାନ୍ଦ କାନ୍ଦ ହୋଇ କହିଲା, ‘ଥରଟିଏ ଦେଖିବି, ମୁଁ ଆଉ ବଞ୍ଚିବି ନାହିଁ ।’
ସାଆନ୍ତାଣୀ ଦାସୀକୁ କହିଲେ, ‘ଯା, ବୋହୂକୁ ଡାକି ଦେ ।’
ଦାସୀ ଚାଲିଗଲା ।
କିଛିକ୍ଷଣ ପରେ ବୋହୁ ଆସି ଦୁଆର ପାଖେ ଛିଡ଼ା ହେଲା ।
ସେଇଠି ସେ ସବୁଦିନେ ଛିଡ଼ା ହୁଏ ।
ଆସିଲା ବେଳକୁ ଝୁମୁରୁଝୁମୁରୁ ହୋଇ ଚାଲିଆସେ ।
ଛିଡ଼ା ହୋଇ ବୁଢ଼ାକୁ ଚାହିଁଦିଏ ।
ତା’ର ହସହସ ମୁହଁଟି ଦେଖି ବୁଢ଼ାର ଆନନ୍ଦର ସୀମା ରହେନାହିଁ ।
ଆଜି ନିଃଶବ୍ଦରେ ଆସି ଛିଡ଼ା ହେଲା ।
ସେ ଚାରିଅଙ୍ଗୁଳି ଲେଖାଏଁ ନାଲି ଶାଢ଼ି ନାହିଁ କି କୁମ୍ଭ କିନାରୀ ଦକ୍ଷିଣୀ ପାଟ ନାହିଁ ।
ଗୋଡ଼ ଦୁଇଟା ଲଙ୍ଗଳା, ପିନ୍ଧିଛି ଖଣ୍ଡେ ଧଳା ଥାନ ଲୁଗା ।
ବୁଢ଼ାର ଦେହ ଥରି ଉଠିଲା, ମୁଣ୍ଡ ଘୁରିଗଲା ।
ବୁଢ଼ା ଆଖି ବୁଜି ପକାଇଲା ।
ପୁଣି ଚାହିଁ ଦେଲାବେଳକୁ ତା’ର ସେହି ହାତଟି ଦିଶିଲା, ହାତରେ କିଛି ନାହିଁ ।
ବୁଢ଼ା ଭୋ ଭୋ କରି ରଡ଼ିକରି ଉଠିଲା ।
ବୋହୂଟି ଫେରି ପଡ଼ି ଚାଲିଗଲା ।
ବୁଢ଼ା କହିଲା, ମା’ ମା’ ।
ବୁଢ଼ା ଆଉ କହିପାରିଲା ନାହିଁ ।
ଗାମୁଛାରୁ ତା’ର ବଡ଼ ଯତ୍ନର ବଡ଼ ଶରଧାର ଶଙ୍ଖା ମୁଠିକ ଫିଟାଇ ପକାଇ ବାହାରେ କଚାଡ଼ି ଦେଲା ।
ଶଙ୍ଖାମୁଠାକ ଯାକ ଚୁନା ହୋଇଗଲା ।
ତହୁଁ ସେ ଏକାମୁହାଁ ହୋଇ ଫେରିଚାଲିଗଲା ।
ଦାସୀ ଓ ଶାଶୁ ରଡ଼ି କରି ଉଠିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment