Commit d64a50da authored by Nayan Ranjan Paul's avatar Nayan Ranjan Paul

Upload New File

parent 55b18a31
ସ୍ବପ୍ନ ସାଗର
ଡ. ଅଭିମନ୍ୟୁ ବରାଳ, ସାକ୍ଷୀଗୋପାଳ
ତା: ଫେବୃଆରୀ ୯, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ଗାଁ ମୁଣ୍ଡରୁ ବାହାରି ଅଙ୍କାବଙ୍କା ରାସ୍ତାଟି ଯେଉଁଠି ଉତ୍ତରପଟକୁ ବୁଲିଯାଇଛି, ଠିକ୍ ସେଇଠି ପୂର୍ବପଟେ ରାସ୍ତାକୁ ଲାଗି ଗୋଟାଏ ବିରାଟ ଦଣ୍ଡା ।
ବର୍ଷାଦିନେ ଗାଁର ଗୋରୁଗାଈ ସେଇଠି ଚରନ୍ତି ।
ଦଣ୍ଡାର ଗୋଟାଏ ପଟେ ପ୍ରକାଣ୍ଡ ବରଗଛ ।
ସେହି ବରଗଛର ବଡବଡ ଓହଳରେ ଗାଁ ପିଲାମାନେ ଡାଳିମାଙ୍କୁଡି ଖେଳନ୍ତି ।
ଗାଈଆଳ ପିଲାମାନେ ଖରାବେଳେ ବରଗଛ ଛାଇରେ ଗାଈପଲକୁ ରଖି ବିଶ୍ରାମ କରନ୍ତି ।
କେତେବେଳେ କିଏ ଜଣେ ସେହି ଗଛମୂଳେ ଜହର ଖାଇ ମରିଯାଇଥିଲା ।
ସେହିଦିନୁ ଲୋକମାନେ ତାକୁ କହନ୍ତି ଜହରଖିଆ ବରଗଛ ।
ଗାଁଠାରୁ ଟିକିଏ ଦୂର ବୋଲି ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ ।
ବରଫଳ ଖାଇବାକୁ ବାହୁଡାମାନେ ଆସି ଫଡ୍ଫଡ୍ ହୋଇ ଏ ଡାଳରୁ ସେ ଡାଳ ହୁଅନ୍ତି ।
ଟିକିଏ ଅନ୍ଧାରୁଆ ହୋଇଗଲେ ଗଛ ମୂଳ ହୋଇଯାଏ ଶୂନ୍ଶାନ୍ ।
କିଏ ବା କାହିଁକି ସେଠାକୁ ଆସିବ ? ବୁଢାମାନେ କହନ୍ତି- ବେଳେ ବେଳେ ସେ ଗଛରୁ ଭୂତ ବାହାରେ ।
ଭୂତ ଭୟରେ ସଞ୍ଜ ହେଲେ ଆଉ ସେଠାକୁ କେହି ଯାଆନ୍ତିନାହିଁ ।
ମୁହଁ ଅନ୍ଧାର ହୋଇଆସିଲାଣି ।
ସେହି ଗଛ ମୂଳେ ଗଛକୁ ଆଉଜି ଏକୁଟିଆ ବସିଛି ସର ।
ଆଖି ବୁଜି ସେ ତାର ଅତୀତକୁ ଭାବିଚାଲିଛି ।
ଜଗୁ ସ୍ବାଇଁର ସେ ଏକମାତ୍ର ଝିଅ ।
ବାପ-ମା’ ନାଁ ଦେଇଥିଲେ ସରୀତା, କିନ୍ତୁ ଶ୍ରଦ୍ଧାରେ ତାକୁ ସମସ୍ତେ ଡାକନ୍ତି ସର ।
ସରକୁ ଯେତେବେଳେ ପାଞ୍ଚବର୍ଷ ମା’ କୁନ୍ତଳା ଆଖି ବୁଜିଲା ।
କ’ଣ ରୋଗ ହେଲା ଯେ, ଆଉ ସେ ଭଲ ହେଲାନି ।
ବାପ ତ ଗରିବ ଦିନ ମଜୁରିଆ, କୁଆଡୁ ବା ପଇସା ଆଣି କଟକ ନେଇ ରୋଗ ଭଲ କରିଥାନ୍ତା ? ତଥାପି ସେ ପାରୁପର୍ଯ୍ୟନ୍ତେ ଚେଷ୍ଟା କରିଛି ।
ହେଲେ ସେ ରହିଲାନି, ଗଲାବେଳେ ଏତିକି କହିଥିଲା- ‘ମୋ ଝିଅ ତୁମକୁ ଲାଗିଲା’ ।
ତାକୁ ହତାଦର କରିବନାହିଁ ‘ ।
ଜଗୁ ମଧ୍ୟ କୁନ୍ତଳାର କଥାକୁ ଅକ୍ଷରେ ଅକ୍ଷରେ ପାଳିଥିଲା ।
କରତ କଳରେ କାମ କରି ଯାହା ଆଣେ ବାପଝିଅ ଚଳିଯାଆନ୍ତି ।
ରୋଷେଇବାସରେ ସାନଭାଇର ପିଲାମାନେ ଟିକେ ସାହାଯ୍ୟ କରିଦିଅନ୍ତି ।
ଏହିଭଳି ବର୍ଷ ଗୋଟାଏ କଟିଛି କି ନାହିଁ, ଦିନେ କରତ କଳରେ ଦୁର୍ଘଟଣା ଘଟି ଜଗୁ ସେପାରିକୁ ଚାଲିଗଲା ।
ମା’ ଯାଇଥିଲା ।
ବାପ ବି ଚାଲିଗଲା ।
ବିଚାରି ସର କାନ୍ଥକୁ ଆଉଜି ଖାଲି କାନ୍ଦୁଥାଏ ।
ଫୁଲଟିଏ ଫୁଟିବା ଆଗରୁ ତାର କଢି ଯଦି ପ୍ରଚଣ୍ଡ ଆଘାତ ପାଏ- ସେ କଣ ମନ ଖୁସି ଫୁଟିପାରିବ ?
ସର ଏବେ ଏକା ।
ଦିଗହଜା ସମୁଦ୍ର ଭିତରେ ନାବିକହୀନ ନୌକା ଭଳି ସେ ଭାସିଚାଲିଛି ।
କେମିତି କୂଳରେ ଲାଗିବ କେଜାଣି ? ଆହା ! ବୋଲି କହିବାକୁ କେହି ନାହିଁ ।
ଏହାକୁ ହିଁ କହନ୍ତି ଭାଗ୍ୟର ବିଡମ୍ବନା ! ସଂସାରରେ ବାପ-ମା’ଙ୍କୁ ହରାଇଛି- ତା ପାଇଁ ସବୁ ଅନ୍ଧାର ।
ସବୁ ଶୂନ୍ୟ ।
ବାପର ଶୁଦ୍ଧିଘର ସରିଲା ।
ବନ୍ଧୁବାନ୍ଧବ, ସାହିଭାଇ ବସିଲେ ।
ସରକୁ ଦାଦିଖୁଡ଼ୀଙ୍କ ଜିମା ଦେଲେ ।
ସମସ୍ତେ ବୁଝେଇଦେଲେ- ଡାଳ ଭାଙ୍ଗିଲେ ମୂଳରେ ।
କିଛି ନ ଥିଲେ ବି ଜଗୁର ଅଧଗୁଣ୍ଠେ ଘରଡିହ ତ ଅଛି ? ଇଏ ଝିଅ ପିଲାଟା, ଅଳିଆ ଗଦା ।
ପାଞ୍ଚ ତିନି ବରଷ ଗଲେ ପର ଘରକୁ ଚାଲିଯିବ ।
ପରହାଣ୍ଡି ଧୋଇ ଖାଇବ ।
ଘରଡିହଟାକୁ ତ ତୋରି ପିଲାମାନେ ଭୋଗିବେ ।
ସର କ’ଣ ଘରଡିହ ମୁଣ୍ଡେଇନେଇଯିବ ? ଆରେ ଝିଅ କିଏ ଝିଆରୀ କିଏ ? କ’ଣ ମାଧିଆ କହୁନୁ ? ସାହିଭାଇଙ୍କ କଥାରେ ମାଧିଆ ରାଜି ହେଲା ।
ସରକୁ ନିଜ ପାଖରେ ରଖିଲା ।
ସର ରୂପରେ ଯେପରି ଗୁଣରେ ମଧ୍ୟ ସେପରି ।
ଗାଁରେ ସମସ୍ତେ ତା’ ବ୍ୟବହାରରେ ଖୁସି ।
ବାପମା’ ଛେଉଣ୍ଡ ପିଲାଟିଏ ବୋଲି ସମସ୍ତେ ତାକୁ ଶ୍ରଦ୍ଧା କରନ୍ତି ।
କାହା ଘରେ ଭଲମନ୍ଦ, ପୁନିଅଁପରବ ହେଲେ ସମସ୍ତେ ସରକୁ ଡାକନ୍ତି ।
ହେଲେ ସର ଖୁଡୀ ନ କହିଲେ ଯାଏନାହଁ ।
ଘରକୁ କିଏ ପିଠାପଣା ପଠେଇଲେ ଖୁଡୀର ମନ ହେଲେ କେବେ ଖଣ୍ଡେ ସରକୁ ଦିଏ, ନହେଲେ ନାହିଁ ।
ସର କିନ୍ତୁ ମନ ଦୁଃଖ କରେନି ।
ଗୁଣ୍ଡାଏ ଦେଲେ ଖୁନ୍ଦାଏ ମାରିବେ ।
ସମସ୍ତେ ତ ମା’ ନୁହନ୍ତି ।
ଦାଦି ମାଧିଆ ସବୁବେଳେ କାମଧନ୍ଦାରେ ଯାଏ ।
ଘରେ ସବୁ କଥା ଖୁଡୀ ବୁଝାବୁଝି କରେ ।
ସବୁବେଳେ ସେ ସର ଉପରେ ଗରଗର ହେଉଥାଏ ।
ଖୁଡୀର କଥାରେ ସର ମନେମନେ ବହୁତ କାନ୍ଦେ ।
କିନ୍ତୁ କାହାକୁ କିଛି କହେନାହିଁ ।
କହିଲେ ବା କିଏ କ’ଣ କରିବ ? ତାର ବା ଆଉ କିଏ ଅଛି ।
ସଞ୍ଜବେଳେ ଦାଦି ଘରକୁ ଆସିଲେ ସରକୁ ଡାକି ସୁବିଧା ଅସୁବିଧା କଥା ପଚାରେ ।
କିନ୍ତୁ ସର କିଛି କହେନାହିଁ ।
ଦାଦିର କଥାରେ ସ୍ନେହ ଥାଏ, ଆନ୍ତରିକତା ଥାଏ, ଯେତେହେଲେ ତ ବାପର ଭାଇ ଖୁଡୁତା ।
ଗାଁ ସେ ମୁଣ୍ଡରେ ସାଗରର ଘର ।
ଧନୀଘର ପୁଅ ସେ ।
ପାଠଶାଠ ପଢିଛି ।
ଗାଁରେ ମଧ୍ୟ ସମସ୍ତେ ତାକୁ ଖାତିର କରନ୍ତି ।
ଅଭାବ ଅସୁବିଧାରେ ସେ ସମସ୍ତଙ୍କ ପାଖରେ ଠିଆ ହୁଏ ।
ଶ୍ରାଦ୍ଧମଉଳା, ବାହାପୁଆଣୀରେ କାହାର କିଛି ଅସୁବିଧା ହେଲେ ସାଗର ଯଥା ସମ୍ଭବ ସାହାଯ୍ୟ କରିଥାଏ ।
ଗାଁରେ କାହାର ରୋଗବୈରାଗ ହେଲେ ସାଗର ଆସି ଠିଆ ହୋଇଯାଏ ।
ଡାକ୍ତରଖାନା ଯିବାଠାରୁ ଔଷଧପତ୍ର ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ସାଗର କରିଦିଏ ।
ଗାଁ ଲୋକେ କହନ୍ତି ସାଗରବାବୁ ମଣିଷ ନୁହଁନ୍ତି, ଦେବତା ।
ଜଗୁ ସ୍ବାଇଁ ଘର ସହିତ ପାରିବାରିକ ସଂପର୍କ ବହୁ ଆଗରୁ ଅଛି ।
ଜଗୁର ସ୍ତ୍ରୀ କୁନ୍ତଳା ସାଗରର ଦୂର ସଂପର୍କୀୟ ପିଉସୀ ଲାଗେ ।
ସାଗର ବେଳେବେଳେ ସର ଘରଆଡେ ବୁଲିଆସେ ।
ଭଲବନ୍ଦ ବୁଝେ ।
ସର ସାଙ୍ଗରେ ହସଖୁସି ହୁଏ, ଥଟାମଜା କରେ, ପୁଣି ତା ଘରକୁ ଚାଲିଯାଏ ।
ଖୁଡୀର ଟାଉଁଟାଉଁ କଥାରେ ସେ ଯେତିକି ଆଘାତ ପାଇଥାଏ – ସାଗର ଭାଇ ସାଙ୍ଗେ କଥାବାର୍ତ୍ତା ହେଲେ ସେତକ ଭୁଲିଯାଏ ।
ସର ମାମୁଁ ଘରେ କେହି ନ ଥିଲେ ବୋଲି କୁନ୍ତଳା ମରିବା ପରେ ସାଗର ଘରୁ ସରକୁ ପ୍ରଥମାଷ୍ଟମୀ ଦିଅନ୍ତି ।
ରଜ ଦୋଳପୂର୍ଣ୍ଣମୀରେ ବି କାଟନ୍ତି ନାହିଁ ।
ମାମୁଁ ଘର ନାହିଁ ବୋଲି ସର କେବେ ଭାବିନାହିଁ ।
ରଜ, କୁଆଁର ପୁନେଇଁ, ଖୁଦୁରୁକୁଣୀରେ ଗାଁ ଝିଅମାନେ କେତେ ମଜା କରନ୍ତି ।
ଚାନ୍ଦାଭେଦା କରି ଭୋଜିଭାତ କରନ୍ତି ।
ସର ସେଥିରେ ଭାଗ ନେଇପାରେନାହିଁ ।
ଖୁଡୀ ତ ପଇସାଟିଏ ଦେବନି ଇଏ କାହିଁକି ସେଠିକି ଯିବ ? ସାଗର ଜାଣିବା ପରେ ଗାଁ ପିଲାଙ୍କୁ ସର ଭାଗର ଚାନ୍ଦାଟା ଦେଇଦିଏ ।
ଏକଥା ଖୁଡୀ ଜାଣେନି ।
ଗାଁ ଝିଅ ମାନେ କହନ୍ତି ସରଦେଇ କ’ଣ ବା ଦବ ? ତା’ର କିଏ ଅଛି ? ସେ ସେମିତି ଆମ ପାଖେ ବସିଲେ କାହିଁରେ କ’ଣ ।
ଘରର ଯାବତୀୟ କାମ କରେ ସର ।
ଖୁଡୀ ପାନ ଖିଲେ କଳରେ ଜାକି ଖାଲି ଟହଲ ମାରୁଥାଏ ।
ଗାଁ ମାଇପିଙ୍କ ସଙ୍ଗେ ଖୁସିଗପ କରେ ।
ସର ଯଦି କେବେ ଦାଣ୍ଡ ଦୁଆରେ ଟିକେ ଠିଆ ହୋଇଯାଏ ଖୁଡୀ ଟାଉଁଟାଉଁ କରି କହେ – ଭୁଆଷୁଣୀ ଝିଅଟା କ’ଣ ବା ଏଠି ଠିଆ ହୋଇଛୁ ? ସର କିଛି ନ କହି ଘର ଭିତରକୁ ଚାଲିଆସେ ।
ଗୁହାଳ ଗୋବର, ଲିପାପୋଛା ସବୁ କାମ କରେ ।
ସମସ୍ତେ ଖାଇପିଇ ଶୋଇଲେ କ’ଣ ଦି’ଟା ଖାଇଦେଇ ସର ଶୋଇବାକୁ ଯାଏ ।
ଦାଦି ଯେତେବେଳେ ପଚାରେ – ମା’ ସର କିଛି ଅସୁବିଧା ହେଉନି ତ ? ଆଲୋ ମା’ ଖାଇଲୁଣି ? ସେତେବେଳେ କ’ଣ ଗୋଟାଏ କହି ଖୁଡୀ କଥାଟାକୁ ଅନ୍ୟଆଡେ ନେଇଯାଏ ।
ସର ଆଖିର ଲୁହ ଆଖିରେ ମରେ ।
ଓଷାପୂନିଅଁରେ ସାଗର ସର ଘରକୁ ଆସେ ।
ପଇସାପତ୍ର ଦର୍କାର ଥିଲେ ଦେଇଯାଏ ।
ପର୍ବପର୍ବାଣୀରେ ସରକୁ ନିଜ ଘରକୁ ମଧ୍ୟ ଡାକି ନିଏ ।
ଅନ୍ୟ କାହା କଥା ହେଲେ ଖୁଡୀ ହୁଏତ କ’ଣ କହନ୍ତା ।
କିନ୍ତୁ ସାଗରକୁ କିଛି କହିପାରେନାହିଁ ।
ସର ତାଙ୍କ ଘରକୁ ଯାଏ ।
ଖୁଡୀ ତାଗିଦ କରି କହିଥାଏ – ସଞ୍ଜବେଳକୁ ଛାଡିଦେବ ।
କେତେବେଳେ କେମିତି ଶାଢୀ ଖଣ୍ଡେ ସରକୁ ସାଗର ଦେଇଥାଏ, ଖୁଡୀ କିନ୍ତୁ ସେ ଖଣ୍ଡକୁ ପିନ୍ଧି ପୁରୁଣା ଖଣ୍ଡେ ସରକୁ ଦେଇଦିଏ ।
ସର କିନ୍ତୁ କିଛି ଭାବେନି ।
ଖୁଡୀ ଦେଇଛି ବୋଲି ଖୁସି ହୁଏ ।
ଦିଲୁ ଠିକାଦାର ।
କୋଉଠାର କେଜାଣି ? ଗାଁରେ ଆସ୍ଥାନ ଜମେଇଛି, ବହୁତ ପଇସା ବାଲା ସେ ।
ଗାଁରେ ତାକୁ ସମସ୍ତେ ଡରନ୍ତି ।
ଲୋକମାନଙ୍କୁ ଚଢା ସୁଧରେ ଟଙ୍କା କରଜ ଦିଏ ।
ସୁଧ ଠିକ୍ ବେଳେ ନ ଦେଲେ କ’ଣ ବୋଲି କ’ଣ କରିଦିଏ ।
ଶେଷକୁ ଜମିବାଡ଼ି, ଘରଦ୍ବାର ସବୁ ନେଇଯାଏ ।
ତା ଜାଲରେ ଯିଏ ଥରେ ପଡିଛି ମୁକୁଳିବା କଷ୍ଟ ।
ମାଧିଆ ତାଠାରୁ କିଛି ଟଙ୍କା ଆଣିଥିଲା ଘର ତୋଳିବାକୁ ।
ଇନ୍ଦିରା ଆବାସ ଟଙ୍କା ମିଳିଲେ ଦେଇଦେବାକୁ ଭାବିଥିଲା ।
କିନ୍ତୁ ଇନ୍ଦିରା ଆବାସ ବିଲ୍ ମିଳିଲାନି ।
ଟଙ୍କାଟା ଫେରାଇବା ସମ୍ଭବ ହେଲାନି ।
ଦିନେ ମାଧିଆକୁ ଦିଲୁ ଠିକାଦାର ଟଙ୍କା ମାଗିଲା ।
ମାଧିଆ ବହୁତ ନଇଁ ନମସ୍ତି ହୋଇ କହିଲା – ବାବୁ ଟଙ୍କା ମିଳିନି ।
ସରକାରୀ ଘର କଥା ।
ଆମ ସରପଞ୍ଚ ବାବୁ କହୁଥିଲେ ଏବେ ମିଳିଯିବ ।
ମୁଁ ପାଇଲା ମାତ୍ରେ ଆଗ ଆପଣଙ୍କୁ ଦେଇଦେବି ।
କ’ଣ କରିବି ଆଜ୍ଞା, ଆପଣ ଚାହିଁ ନ ଥିଲେ ଘର ଖଣ୍ଡକ ହୋଇପାରି ନ ଥାନ୍ତା ।
ଟଙ୍କା ମାଗିବାକୁ କେତେଥର ଠିକାଦାର ମାଧିଆ ଘରକୁ ଯାଇଛି ।
ମାଧିଆ ଝିଆରୀ ସରକୁ ସେ ଦେଖିଛି ।
ଗରିବ ଘରର ଝିଅ ହେଲେ କ’ଣ ହେଲା ଗୋଟିଏ ଚାଉଳରେ ଗଢା ।
ଖତଗଦାରେ ପଦ୍ମ ! ଠିକାଦାରକୁ ଦେଖିଲେ ସର ଭିତରକୁ ଚାଲିଯାଏ ସତ କିନ୍ତୁ ଠିକାଦାରର ପାପ ଆଖି ସତେ ଯେମିତି ସର ପାଖେ ଥାଏ ।
ଦିନେ ଠିକାଦାର ସରର ଖୁଡ଼ୀକୁ କହିଲା – କିଲୋ ବନି, ମାଧିଆ ତ ଟଙ୍କା ଦେଲାନି ।
ନିଜ ଲୋକ ବୋଲି କିଛି କହିପାରୁନି ।
ଟଙ୍କା ବା ସେ କୋଉଠୁ ଦେବ ? ଜମିବାଡି ତ କିଛି ନାହିଁ ।
ବରଂ କାମଧନ୍ଦା କରି ପଇସାଟା ଶୁଝୁ ।
ଏଇ ସରକୁ ଟିକେ ମୋ ଅଫିସ ଆଡେ ଛାଡୁନୁ ।
ଘର ଟିକେ ଝାଡୁ କରିଦେବ, ଛୋଟମୋଟ କାମ ଯାହା ଥିବ କରିଦେଇଆସିବ ।
ସେଥିପାଇଁ ମୁଁ କ’ଣ କିଛି ଦେବିନି ? କିଛି ନ ଦେଲେ ତୁମ ଟଙ୍କାଟା ଧୀରେ ଧୀରେ ଶୁଝିଯିବ ।
ବନି ମନକୁ ଠିକାଦାର କଥାଟା ପାଇଗଲା ।
ସେ କହିଲା – ଠିକ୍ ଅଛି ବାବୁ, ତା ଦାଦି ଆସିଲେ ଟିକିଏ ପଚାରି କାଲିଆଡକୁ ପଠାଇବି ।
ଠିକାଦାର କହିଲା – ହଁ ପାଞ୍ଚଟା ବେଳକୁ ପଠାଇବୁ ।
ଘରକାମ କରି ମୁଠାଏ ଖାଇଦେଇଆସିବ ।
ଯଦି ନ ଆସିପାରିବ – ତେବେ କ’ଣ ଘର ଅଭାବ ଅଛି ? ରାତିରେ ରହିଯିବ ।
କେତେ ଲୋକ ତ ରହୁଛନ୍ତି ।
ତାର କ’ଣ ଅସୁବିଧା ? ଠିକାଦାର ହସିହସି କହିଲା ।
ଠିକାଦାରର କଥାଗୁଡାକ ସର ଦେହରେ ଛୁରୀ ଭୂଷିଲା ଭଳି ଲାଗୁଥିଲା ।
ସର ମୁଣ୍ଡରେ ବଜ୍ର ପଡିଲା ।
ସର ଠିକ୍ ବୁଝିପାରିଲା ଖୁଡୀର ମନ୍ଦ ଉଦ୍ଦେଶ୍ୟ ।
ଠିକାଦାରର ପାପ ଲାଳସାର ଗନ୍ଧ ବେଶ୍ ବାରିହୋଇଯାଉଥିଲା ।
ରାତି ପାହି ସକାଳ ହେଲା ।
କିନ୍ତୁ ସର ଆଖିକୁ ଯେମିତି ଘନ ଅନ୍ଧାର ମାଡ଼ିଆସୁଥାଏ ।
କ’ଣ କରିବ ସେ, କାହାକୁ କହିବ ତା ଦୁଃଖ ? ସାଗର ଭାଇ କଟକ ଯାଇଛନ୍ତି ।
କୋଉ ଗୋଟେ ରୋଗୀ କଥା ବୁଝିବାକୁ ।
ସେ ହେଲେ ଗାଁରେ ଥାଆନ୍ତେ କି ! ସଞ୍ଜ ହେବା ଆଗରୁ ଖୁଡୀ ଠିକାଦାରର କାମ କରିବାକୁ ତାଗିଦ କଲା ।
ବହୁତ ବାଧ୍ୟ କଲା ।
ସର କିନ୍ତୁ ଦେହ ଖରାପ ଥିବାର ବାହାନା କରି ଘୋଡିହୋଇ ଶୋଇଲା ।
ଖୁଡିକୁ ନେହୁରା ହୋଇ କହିଲା – ମୋ ଦେହ ଆଜି ଭୀଷଣ ଖରାପ, ତୁ ଖବର ଦେଇଦେ, ମୁଁ କାଲିକୁ ଯିବି ।
ସକାଳ ହେଲା ।
ସୂର୍ଯ୍ୟ ଉଇଁଲେ ।
ସର କିନ୍ତୁ ଦେଖୁଥିଲା, ଭୀଷଣ କୁହୁଡିରେ କେମିତି ଲୁଚିଯାଉଛି ସୂର୍ଯ୍ୟର ଛବି ।
ତା ପାଇଁ ଆଜି ପରୀକ୍ଷାର ଦିନ ।
କାଲି ସିନା ଦେହ ଖରାପର ବାହାନା କରି ରହିଗଲା ହେଲେ ଆଜି କ’ଣ କହିବ ? ଖୁଡୀ ଆଜି ଯେମିତି ହେଲେ ସରକୁ ପଠାଇବ ।
ଠିକାଦାର କାଲି ଧମକ ଦେଇଛି – ଏଥର ନ ଗଲେ ଟାଣିଟାଣି ନେବ ।
ଦୁଇଦିନ ହେଲାଣି ସାଗର ଭାଇଙ୍କର ଦେଖାନାହିଁ ।
କାହାକୁ କହିବ ସେ ମନ କଥା ।
ବେଳ ଦି’ଘଡି ଅଛି ଖୁଡୀର ତାଗିଦ – ଶିଘ୍ର ବାହାର , ଠିକାଦାର ଘରକୁ ଯିବୁ ।
ନହେଲେ ଠିକାଦାର ଆଜି ରାଗିବ ।
କାମ କରିବାକୁ ତା’ର କେହି ନାହିଁ ।
ଆମକୁ ଯେମିତି ହେଲେ ତାର ଋଣ ଶୁଝିବାକୁ ହବ ।
ସର ସବୁ ଶୁଣି ନୀରବ ରହିଲା ।
ଗୋଡହାତ ଧୋଇବାକୁ ବାଡିପଟ ଗାଡିଆକୁ ଗଲା ସର ।
ଖୁଡୀ କହୁଥାଏ – ଗୋଡହାତ ଧୋଇ ଶୀଘ୍ର ଆ ।
ସଞ୍ଜ ନଇଁ ଆସୁଥାଏ ।
ଆଗକୁ ପଛକୁ ଚାହିଁ ସର ଏକମୁହାଁ ଚାଲିଲା ।
କେତେବେଳେ ସେ ଆସି ଜହରଖିଆ ବରଗଛ ମୂଳେ ପହଁଞ୍ଚି ଯାଇଛି ତାକୁ ଜଣାନାହିଁ ।
ଲଥକିନା ସେଇ ବରଗଛ ମୂଳେ ବସିପଡିଲା ।
ବରଗଛକୁ ଆଉଜି ଆଖି ବୁଜିଦେଲା ସେ ।
ଆଖିରୁ ତାର ବହିଯାଉଥାଏ ଧାର ଧାର ଲୁହ ।
ରାତି ମାଡି ଆସିଲାଣି ।
ଏଠି ପରା ଭୂତ ବାହାରନ୍ତି ।
ଭୂତ ଆସି ମୋତେ ମାରିଦିଅନ୍ତା ନି ! ସମସ୍ତେ ତ ମଲେ, ମୁଁ ଏକା ଜୀଇଁ କାହିଁକି ହନ୍ତସନ୍ତ ହେଉଛି ।
ଏ ହୀନିମାନିଆ ଜୀବନ ମୋର ଯାଉନି କାହିଁକି ? ଦଉଡି ଦେବି ? ନାଁ ମୋ ଦାଦିର ବଦନାମ ହେବ ।
କିଛି ସ୍ଥିର କରିପାରୁନି ସେ ।
ଜୁଳୁଜୁଳା ପୋକଗୁଡାକ ଚିକ୍ଚିକ୍ କରି ବୁଲୁଛନ୍ତି ।
ବାଦୁଡିଗୁଡାକର ଚେଁ ଚାଁ ଫଡ୍ଫାଡ୍ ଶବ୍ଦ ନିର୍ଜନ ରାତିକୁ ଗମ୍ଭୀର କରିଦେଉଛି ।
ବରଗଛ ଫାଙ୍କରେ ଜହ୍ନ ଆଲୁଅ ପଡି ସୁନ୍ଦର ଗାଲିଚା ଭଳି ଦେଖାଯାଉଛି ।
ହଠାତ୍ କାହାର ହାତ ସର ମୁଣ୍ଡରେ ଲାଗିଲା ।
ଚମକିପଡିଲା ସର ।
ଚିତ୍କାର କଲା – ନାଁ ନାଁ ମୁଁ ସେଠାକୁ ଯିବିନି ।
ମରିଯିବି ପଛେ ଯିବିନି ।
ତୁ କୁଆଡେ ଯିବୁନି ସର ।
ତୁ ମୋ ସାଙ୍ଗରେ ଯିବୁ ଆମ ଘରକୁ ।
କିଏ ସାଗର ଭାଇ ?
ହଁ ମୁଁ ତୋ ସାଗର ଭାଇ ।
ଅତଳ ଜଳରେ ବୁଡିଯାଉଥିବା ଲୋକ ସାହାରା ଟିକେ ପାଇଗଲା ଯେପରି ।
ସାଗର ଛାତିରେ ମୁଣ୍ଡ ରଖି କଇଁକଇଁ ହୋଇ କାନ୍ଦିଉଠିଲା ସର ।
ସାଗର ସରର ମୁଣ୍ଡକୁ ଆଉଁଷିଦେଉଦେଉ କହିଲା – କଟକରୁ ଆସି ସବୁ ଶୁଣି ତୋତେ ଖୋଜିଖୋଜି ଆସି ଏଠି ପହଞ୍ଚିଲି ।
ଯାହା ହେଉ ପଛେ କିଛି ଅଘଟଣ ଘଟିବା ପୂର୍ବରୁ ତତେ ପାଇଗଲି ।
କାଲିକି ସେମାନଙ୍କ ଖବର ବୁଝାଯିବ ।
ଆଜିଠାରୁ ସବୁଦିନ ପାଇଁ ତୁ ମୋର ହୋଇ ଆମ ଘରେ ରହିବୁ ।
ସାଗର ଛାତିରେ ମୁଣ୍ଡ ରଖି କାନ୍ଦୁଥିଲା ସର ।
ଆଖିରୁ ତାର ଅପସରିଯାଉଥିଲା କଳାବାଦଲ ।
ସର ଦେଖୁଥିଲା ଏକ ନୂଆ ସ୍ବପ୍ନ .. ସାଗର ବକ୍ଷରେ ଶୋଇରହି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment