Commit dc3e638e authored by Nayan Ranjan Paul's avatar Nayan Ranjan Paul

Upload New File

parent e3444482
ଜୀବନ ତଥ୍ୟ
ଜୀବନ ତଥ୍ୟର ଲକ୍ଷ୍ୟ
ପିତାମାତା ତଥା ଶିଶୁର ଯତ୍ନ ନେଉଥିବା ଅନ୍ୟ ଲୋକ ମାନଙ୍କୁ ଶିଶୁର ଜୀବନର ସୁରକ୍ଷା ଓ ବିକାଶ ପାଇଁ ତଥ୍ୟ ଯୋଗାଇବା ଏହି ଜୀବନ ତଥ୍ୟ ବହିର ଲକ୍ଷ୍ୟ ।
ସମସ୍ତେ ଯେପରି ହି ତଥ୍ୟକୁ ବୁଝିବେ ଏବଂ କାମରେ ଲଗାଇବା ଆଗେଇ ଆସିବେ ।
ତାହା ନିଶ୍ଚିତ କରିବା ହିଁ ସବୁଠାରୁ ବଡ ଆହ୍ଵାନ ।
ବିଜ୍ଞାନ ଜାଣିନଥିବା ସାଧାରଣ ଲୋକ ଏଗୁଡ଼ିକୁ ବୁଝି କାମରେ ଲଗାଇବା ପାଇଁ ତଥ୍ୟ ଗୁଡିକୁ ଅତି ସରଲା ଭାଷାରେ ଉପସ୍ଥାପନା କରାଯାଇଛି ।
ସ୍ୱାସ୍ଥ୍ୟକର୍ମୀ, ଶିକ୍ଷକ, ଛାତ୍ର, ସରକାରୀ, ବେତାର ପ୍ରଚାରକ, ସାମ୍ବାଦିକ, ଗୋଷ୍ଠୀ, କର୍ମୀ ଧାର୍ମିକ ନେତା ଏବଂ ଅନ୍ୟ ସବୁ ଶ୍ରେଣୀର ଲୋକ - ଯୁବକ ଓ ବୃଦ୍ଧ, ପରିବାରର ସଦସ୍ୟ, ସାଙ୍ଗସାଥୀ, ପଡୋଶୀ, ପୁରୁଷ, ମହିଳା ଓ ଛୋଟପିଲା - ସମସ୍ତ ଜୀବନ ତଥ୍ୟରେ ଥିବା ବାର୍ତ୍ତାର ପ୍ରସାର ଦିଗରେ ସାହାଯ୍ୟ କରିପାରିବେ ।
ଜୀବନ ତଥ୍ୟର ରୂପରେଖ
ଶିଶୁର ରୋଗ ଓ ମୃତ୍ୟୁର ମୁଖ୍ୟ କାରଣର ତଥ୍ୟ ଦିଆଯାଇଛି ।
ଏଥିରେ ସମସ୍ୟାର ପରିସର ଏବଂ ସେ ବିଷୟରେ ପଦକ୍ଷେପ ନେବାର ଆବଶ୍ୟକତା ଉପରେ ସଂକ୍ଷିପ୍ତ ଆଲୋଚନା ରହିଛି ।
କାମରେ ସାମିଲ ହେବା ପାଇଁ ଲୋକ ମାନଙ୍କୁ ପ୍ରେରଣା ଯୋଗାଇବା ଓ ଏହି ସୂଚନାର ବହୁଳ ପ୍ରସାର କରାଇବା ପାଇଁ ସେମାନଙ୍କୁ ଆଗ୍ରହୀ କରାଇବା ଏହାର ମୂଳ ଲକ୍ଷ୍ୟ ।
ରାଜାନୈତିକ ନେତା ଓ ଗଣ ମାଧ୍ୟମକୁ ପ୍ରଭାବିତ କରିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ ।
ମୁଖ୍ୟ ସନ୍ଦେଶ ପିତାମାତା ଓ ଶିଶୁର ଯତ୍ନ ନେଉଥିବା ଅନ୍ୟ ମାନଙ୍କ ପାଇଁ ଉଦ୍ଦିଷ୍ଟ ।
ଏଥିରେ ପିଲା ମାନଙ୍କୁ ସୁରକ୍ଷା ଦେବା ଦିଗରେ ଆବଶ୍ୟକ ସୂଚନା ରହିଛି ।
ମୁଖ୍ୟ ସନ୍ଦେଶ ଗୁଡିକ ସ୍ପଷ୍ଟ, ସଂକ୍ଷିପ୍ତ ଏବଂ ପ୍ରୟୋଗାତ୍ମକ ।
ତେଣୁ ଲୋକ ମାନେ ଏହାକୁ ସହଜରେ ବୁଝିପାରିବେ ଏବଂ ଏଥିରେ ଥିବା ପରାମର୍ଶ ଅନୁସାର କାମ କରିପାରିବେ ।
ଏହି ସନ୍ଦେଶ ଗୁଡିକ ବିଭିନ୍ନ ଉପାୟରେ ବ୍ୟାପକ ଭାବରେ ସଞ୍ଚାରିତ ହେବା ଜରୁରୀ ।
ସହାୟକ ସୂଚନା ହେଉଛି ମୁଖ୍ୟ ସନ୍ଦେଶର ବିସ୍ତୃତ ରୂପ ।
ଏଥିରେ ଅଧିକ ତଥ୍ୟ ଏବଂ ପରାମର୍ଶ ରହିଛି ।
ବିଶେଷ କରି ସ୍ୱାସ୍ଥ୍ୟକର୍ମୀ ଏବଂ ଅଧିକ ଜାଣିବାକୁ ଆଗ୍ରହୀ ବ୍ୟକ୍ତିଙ୍କ ପାଇଁ ଏଗୁଡିକ ଉପଯୋଗୀ ।
ଶିଶୁର ଯତ୍ନ ନେଉଥିବା ବ୍ୟକ୍ତିଙ୍କ ପ୍ରଶ୍ନର ଉତ୍ତର ଦେବା ପାଇଁ ମଧ୍ୟ ଏହା ଉଦ୍ଦିଷ୍ଟ ।
ଜୀବନ ତଥ୍ୟର ମୂଳ ସନ୍ଦେଶ
ଦୁଇଟି ସନ୍ତାନ ମଧ୍ୟରେ ଅତିକମରେ ଦୁଇବର୍ଷ ବ୍ୟବଧାନ, ୧୮ ବର୍ଷ ପୂର୍ବରୁ ଓ ୩୫ ବର୍ଷ ପରେ ଏବଂ ମୋଟରେ ୪ରୁ ଅଧିକ ଗର୍ଭଧାରଣ ନକଲେ ଉଭୟ ମହିଳା ଓ ଶିଶୁର ସ୍ୱାସ୍ଥ୍ୟ ଭଲ ରହିବ ।
ପ୍ରତି ଗର୍ଭବତୀ ମହିଳା ପ୍ରସବ ପୂର୍ବ ଯତ୍ନ ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖା କରିବା ଏବଂ ପ୍ରସବ ସମୟରେ ପ୍ରଶିକ୍ଷିତ ସହାୟକଙ୍କ ସାହାଯ୍ୟ ନେବା ଜରୁରୀ ।
ସବୁ ଗର୍ଭବତୀ ମହିଳା ଓ ତାଙ୍କ ପରିବାରର ଲୋକେ ଗର୍ଭଧାରଣ ସମୟରେ ଦେଖାଯାଉଥିବା ବିପଦ ସଙ୍କେତ ଗୁଡିକୁ ଜାଣିବା ଏବଂ ସେଥିପ୍ରତି ସଜାଗ ରହି ଉପଯୁକ୍ତ ସାହାଯ୍ୟ ପାଇଁ ପ୍ରସ୍ତୁତ ଥିବା ଦରକାର ।
ଜନ୍ମହେବା ସମୟରୁ ଶିଶୁ ଶିଖିଥାଏ ।
ସେମାନେ ଉତ୍ତମ ଖାଦ୍ୟ ଓ ସ୍ଵାସ୍ଥ୍ୟର ଯତ୍ନ ସହ ଧ୍ୟାନ, ସ୍ନେହ ଓ ଉଦ୍ଦୀପନା ପାଇଲେ ତାଙ୍କର ବୃଦ୍ଧି ଓ ଶିକ୍ଷା ବେଶ୍ ଶୀଘ୍ର ହୋଇଥାଏ ।
ନିରୀକ୍ଷଣ କରିବା ଓ ମନର କଥା ପ୍ରକାଶ କରିବା, ଖେଳିବା ଏବଂ ପରଖିବା ପାଇଁ ପିଲାଙ୍କୁ ଉତ୍ସାହିତ କଲେ ତାହା ତାଙ୍କର ଶିକ୍ଷା, ସାମାଜିକ, ଶାରୀରିକ ତଥା ବୌଦ୍ଧିକ ବିକାଶର ସାହାଯ୍ୟ କରେ ।
ଶିଶୁ ପାଇଁ ଜନ୍ମରୁ ଛଅ ମାସ ଯାଏ କେବଳ ମା ’କ୍ଷୀର ହିଁ ଉପଯୁକ୍ତ ଖାଦ୍ୟ ଓ ପାନୀୟ ।
ଛଅ ମାସ ପରେ ତା’ର ମା’କ୍ଷୀର ସହ ଅନ୍ୟ ଖାଦ୍ୟ ଦରକାର ହୋଇଥାଏ ।
ମହିଳା ଗର୍ଭବତୀ ଥିବା ସମୟରେ ଏବଂ ଶିଶୁର ପ୍ରଥମ ଦୁଇ ବର୍ଷରେ ଖାଦ୍ୟ ପୃଷ୍ଟିକର ନହେଲେ ସାରା ଜୀବନ ପାଇଁ ଶିଶୁର ମାନସିକ ଓ ଶାରୀରିକ ବିକାଶ ଧିମେଇଯାଏ ।
ଜନ୍ମରୁ ଦୁଇବର୍ଷ ଯାଏଁ ପ୍ରତି ମାସରେ ଶିଶୁର ଓଜନ ନେବା ଦରକାର ।
କୌଣସି ଦୁଇ ମାସ ଭିତରେ ଓଜନ ନବଢିଲେ ପିଲାର କିଛି ଅସୁବିଧା ଥିବା କଥା ଜଣାଯାଏ ।
ଜନ୍ମର ବର୍ଷକ ଭିତରେ ପ୍ରତି ଶିଶୁ କେତେ ଗୁଡିଏ ପ୍ରତିରୋଧୀ ଟୀକା ନେବା ଦରକାର ।
ଏହା ଦୁର୍ବଳ ବୃଦ୍ଧି, ଅକ୍ଷମତା ବା ମୃତ୍ୟୁ ଘଟାଉଥିବା କେତେ ରୋଗ ବିରୁଦ୍ଧରେ ପିଲାକୁ ପ୍ରତିରୋଧକ୍ଷମ କରିଥାଏ ।
ପ୍ରତ୍ୟକ ମହିଳା ଶିଶୁଧାରଣ ବୟସରେ ଧନୁଷ୍ଟଙ୍କାର ରୋଗର ପ୍ରତିରୋଧକ୍ଷମ ରହିବା ଦରକାର ।
ଏପରିକି ମହିଳା ଜଣକ ପୂର୍ବରୁ ପ୍ରତିଷେଧକ ନେଇଥିଲେ ମଧ୍ୟ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ସହିତ ପରାମର୍ଶ କରିବା ଉଚିତ ।
ତରଳ ଝାଡା ହେଉଥିବା ଶିଶୁକୁ ଯଥେଷ୍ଟ ପରିମାଣରେ ମା’କ୍ଷୀର, ଫଳରସ, ଓ.ଆର.ଏସ୍. ପାନୀୟ ପରି ଉପଯୁକ୍ତ ତରଳ ଦେବା ଆବଶ୍ୟକ ।
ତରଳ ଝାଡାରେ ରକ୍ତ ପଡୁଥିଲେ କିମ୍ବା ଖୁବ୍ ବେଶୀ ଥର ବା ଅତି ପାଣିଆ ଝାଡା ହେଉଥିଲେ ଶିଶୁ ପ୍ରତି ବିପଦ ରହିଥାଏ ।
ତେଣୁ ତାକୁ ଉପଯୁକ୍ତ ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ପାଖର ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଯିବା ଜରୁରୀ ।
ଅଧିକାଂଶ ଶିଶୁ ଥଣ୍ଡା ବା କାଶରୁ ଆପେ ଆପେ ଭଲ ହୋଇଯାଆନ୍ତି ।
କିନ୍ତୁ କାଶ ସହ ଶିଶୁଟି ଜୋରରେ ନିଶ୍ଵାସ ନେଉଥିଲେ ବା ନିଶ୍ଵାସ ନେବାରେ ଅସୁବିଧା ହେଉଥିଲେ ଶିଶୁ ପ୍ରତି ବିପଦ ଥିବା ସୂଚାଏ ।
ତେଣୁ ତାକୁ ଚିକିତ୍ସା ପାଇଁ ସାଙ୍ଗେ ସାଙ୍ଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଯିବା ଜରୁରୀ ।
ଅନେକ ରୋଗ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଅଭ୍ୟାସ ସାହାଯ୍ୟରେ ରୋକାଯାଇ ପାରିବ ।
ପାଇଖାନା ସଫା ରଖିବା, ଝାଡା ବସିବା ପରେ ପାଇଖାନାରେ ପାଣି ବା ପାଉଁଶ ପକାଇବା, ପାଇଖାନାରୁ ଫେରିବା ପରେ ଏବଂ ଖାଇବା ଆଗରୁ ସାବୁନରେ ଭଲ କରି ହାତ ଢୋଇବା, ସୁରକ୍ଷିତ ଉତ୍ସରୁ ପାଣି ବ୍ୟବହାର କରିବା ଏବଂ ଖାଦ୍ୟ ଓ ପାଣିକୁ ସଫା ରଖିବା ଏଭଳି ଅଭ୍ୟାସର କିଛି ଉଦାହରଣ ।
ମଶା କାମୁଡାରୁ ମେଲେରିଆ ବ୍ୟାପିଥାଏ ।
ଏହା ଘାତକ ମଧ୍ୟ ହୋଇପାରେ ।
ମେଲେରିଆ ପ୍ରବଣ ଅଞ୍ଚଳରେ ଗ୍ରହଣୀୟ କୀଟନାଶକଯୁକ୍ତ ମଶାରୀ ବ୍ୟବହାର କରିବା ଉଚିତ ।
କୌଣସି ଶିଶୁକୁ ଜ୍ଵର ହେଲେ ପ୍ରଶିକ୍ଷିତ ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ଵାରା ପରୀକ୍ଷା କରାଇନେବା ଉଚିତ ।
ଗର୍ଭବତୀ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶରେ ମେଲେରିଆ ଔଷଧ ଖାଇବା ଉଚିତ ।
ଏଡସ ଗୋଟିଏ ଘାତକ ରୋଗ, କିନ୍ତୁ ତା’ର ପ୍ରତିରୋଧ କରାଯାଇପାରିବ ।
ଏଡସ ଭୂତାଣୁ (ଏଚ.ଆଇ.ଭି) ଅସୁରକ୍ଷିତ (ବିନା କଣ୍ଡୋମରେ) ଯୌନକ୍ରିୟା, ଅପରୀକ୍ଷିତ ରକ୍ତ ଗ୍ରହଣ ଏବଂ ନିଶାଦ୍ରବ୍ୟ ନେଉଥିବା ସିରିଞ୍ଜ ଓ ଛୁଞ୍ଚି ଆଦି ମାଧ୍ୟମରେ ବ୍ୟାପିଥାଏ ।
ଗର୍ଭଧାରଣ, ପ୍ରସବ ବା ସ୍ତନ୍ୟପାନ ସମୟରେ ସଂକ୍ରମିତ ମହିଳା ଠାରୁ ଏହା ତା’ର ଶିଶୁ ଦେହକୁ ବ୍ୟାପିପାରେ ।
ତେଣୁ ସମସ୍ତେ ଏଚ.ଆଇ.ଭି / ଏଡସ ଏବଂ ତା’ର ପ୍ରତିରୋଧ ବିଷୟରେ ଜାଣିବା ଆବଶ୍ୟକ ।
ସୁରକ୍ଷିତ (କଣ୍ଡୋମ ସହିତ) ଯୌନକ୍ରିୟା ଦ୍ଵାରା ଏହାର ସଂକ୍ରମଣକୁ ଅନେକ କମାଯାଇ ପାରିବ ।
ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟର ସୁରକ୍ଷା ତଥା ନିଜ ପିଲାଙ୍କୁ ସଂକ୍ରମଣରୁ ରକ୍ଷା କରିବାର ଉପାୟ ବିଷୟରେ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନେବା ଉଚିତ ।
ବାପାମାଆ ଓ ତତ୍ତ୍ଵାବଧାରକମାନେ ଛୋଟ ପିଲାଙ୍କ ଉପରେ ଲକ୍ଷ୍ୟ ରଖିଲେ ଏବଂ ପିଲାଙ୍କର ପରିବେଶକୁ ନିରାପଦ ରଖିଲେ ଅନେକ ଗୁରୁତର ଦୁର୍ଘଟଣା ରୋକାଯାଇ ପାରିବ ।
ବିପର୍ଯ୍ୟୟ ବା ଜରୁରୀ ଅବସ୍ଥାରେ ଶିଶୁମାନେ ମିଳିମିଳା ଟିକା ଏବଂ ପରିପୂରକ ସହ ମୌଳିକ ସ୍ୱାସ୍ଥ୍ୟସେବା ପାଇବା ଉଚିତ ।
ମାନସିକ ଚାପରେ ଥିବା ଶିଶୁମାନେ ସବୁବେଳେ ତାଙ୍କର ବାପାମାଆ କିମ୍ବା ଅନ୍ୟ ପରିଚିତ ବୟସ୍କଙ୍କର ସାଙ୍ଗରେ ରହିବା ଉଚିତ ।
ଏହି ସମୟରେ ସ୍ତନ୍ୟପାନ ତାଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ ।
ଜୀବନ ତଥ୍ୟର ସଞ୍ଚାର ପାଇଁ ଦିଗ୍ ଦର୍ଶନ
ଜନସାଧାରଣଙ୍କୁ କେବଳ ସୂଚନା ଜଣାଇଦେଲେଟକୁ ସଞ୍ଚାର କୁହାଯାଇ ପାରିବନାହିଁ ।
ଏଥିପାଇଁ ଜନସାଧାରଣଙ୍କ କଥା ଶୁଣିବା , ସେମାନେ ବୁଝିପାରିବା ଭଳି ମଜାଦାର ଉପାୟରେ ଉପାୟରେ ସୂଚନା ଆଦାନପ୍ରଦାନ କରିବା ଏବଂ ଜୀବନ ପାଇଁ ଏହାର ଯଥାର୍ଥତା ବୁଝାଇବା ଦରକାର ।
ଜୀବନ ତଥ୍ୟର ସଞ୍ଚାରଣ ପାଇଁ ପାରସ୍ପରିକ କ୍ରିୟା ଏବଂ ଏକ ଦ୍ଵିମୁଖୀ ପ୍ରକ୍ରିୟା ଦରକାର ।
ସେଥିରେ ଭାବର ଆଦାନପ୍ରଦାନ ଏବଂ ଜ୍ଞାନ , ମତ ଓ ଅନୁଭୂତିର ବିନିମୟ ହେବା ଜରୁରୀ ।
ସେହି ପ୍ରକ୍ରିୟାରେ ସାହାଯ୍ୟ କରିବା ହେଉଛି ଏହି ମାର୍ଗଦର୍ଶିକାଟିର ଲକ୍ଷ୍ୟ ।
ଯତ୍ନକାରୀଙ୍କ ପାଖରେ ପହଞ୍ଚିବା
ବାପାମା’ ତଥା ବଡ ଭାଇ ଭଉଣୀ ଏବଂ ପରିବାରର ଅନ୍ୟମାନଙ୍କ ପରି ଯତ୍ନକାରୀମାନେ ହେଉଛନ୍ତି ଜୀବନ ତଥ୍ୟ ସୂଚନାର ପ୍ରାଥମିକ ଲକ୍ଷ୍ୟ ।
ସେମାନଙ୍କ ପାଖକୁ ବ୍ୟକ୍ତିଗତ ତଥା ଗଣମାଧ୍ୟମ ବାଟ ନେଇ ପହଞ୍ଚି ହେବ ।
ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବା ଲୋକମାନେ ଭଲ ସଞ୍ଚାରକ ହୋଇପାରିବେ ।
କୌଣସି ସ୍ୱାସ୍ଥ୍ୟକର୍ମୀ , ଶିକ୍ଷକ , ସରକାରୀ ସଂପ୍ରସାରଣ କର୍ମୀ , ଧାର୍ମିକ ଓ ଗୋଷ୍ଠୀ ନେତା , ଯୁବ ଓ ମହିଳା ଦଳ ବେସରକାରୀ ସଂସ୍ଥାର ସଭ୍ୟ , ନିଯୁକ୍ତିଦାତା , ବ୍ୟବସାୟୀ ବ୍ୟକ୍ତି , ଶ୍ରମିକ ସଂଗଠନର ସଭ୍ୟ , ସାମାଜିକ କର୍ମୀ , ଚିତ୍ରକର ବା ମନୋରଞ୍ଜକ ଏଭଳି ସଞ୍ଚାରକ ହୋଇପାରନ୍ତି ।
ସଞ୍ଚାରଣକୁ ପ୍ରଭାବିତ କରୁଥିବା କେତେକ କଥା
ନୂଆ ତଥ୍ୟ କିପରି ଓ କେଉଁଠୁ ଆସିଲା ଏବଂ କିଏ ଦେଲା , ତାହା ଜନସାଧାରଣଙ୍କ ଉପରେ ପ୍ରଭାବ ପକାଇଥାଏ ।
ସେଥିରୁ ହିଁ ଏହି ସୂଚନା ଉପରେ ଲୋକ କାମ କରିବେ କି ନାହିଁ ଜଣାପଡେ ।
ସାଧାରଣତଃ ସେମାନେ ସୂଚନାଟିକୁ ବିଶ୍ଵାସ କରନ୍ତି , ଯଦି :
ବିଭିନ୍ନ ଉତ୍ସରୁ ବାରମ୍ବାର ଏକା କଥା ଶୁଣନ୍ତି
କଥାଟି କହୁଥିବା ଲୋକକୁ ସେମାନେ ଭଲ ଭାବରେ ଜାଣିଥା’ନ୍ତି ଏବଂ ବିଶ୍ଵାସ କରୁଥା’ନ୍ତି
ଏହା ତାଙ୍କ ପରିବାରକୁ କିପରି ସାହାଯ୍ୟ କରିବା ତାହା ବୁଝନ୍ତି
ଏହା ସେମାନେ ବୁଝିପାରୁଥିବା ଭାଷାରେ କୁହାଯାଏ
ଆଲୋଚନା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଏ ଏବଂ କେତେବେଳେ , କିପରି ଓ କ’ଣ କରିବେ ଆଦି ପ୍ରଶ୍ନ ପଚାରି ଆଲୋଚନା ମାଧ୍ୟମରେ ବୁଝନ୍ତି
ସନ୍ଦେଶଗୁଡିକର ଅନୁବାଦ ଓ ଉପଯୋଗ କରିବା
ଜୀବନ ତଥ୍ୟର ଆନ୍ତର୍ଜାତିକ ସଂସ୍କରଣରେ ଦିଆଯାଇଥିବା ସନ୍ଦେଶଗୁଡିକୁ ଅନୁବାଦ କରିବା ଏବଂ ଅନେକ କ୍ଷେତ୍ରରେ ସ୍ଥାନୀୟ ପରିସ୍ଥିତି ତଥା ପ୍ରଥା ଅନୁସାରେ ଉପଯୋଗ କରିବା ଜରୁରୀ ।
ଏହା କରିବା ସମୟରେ ଛାପିବା ଓ ପ୍ରଚାର କରିବା ଆଗରୁ ଲେଖାକୁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଦେଖାଇ ସେଗୁଡିକର ସଠିକତା ପରଖିନେବା ଜରୁରୀ ।
ପ୍ରଭାବଶାଳୀ ସଞ୍ଚାର
ସଞ୍ଚାରଣର ଅନେକଗୁଡିଏ ବାଟ ଅଛି ।
କିନ୍ତୁ ଗୋଷ୍ଠୀ ଭିତରେ , ବ୍ୟକ୍ତିଗତ ସ୍ତରରେ , ରାଜନୈତିକ ନେତାଙ୍କୁ ବୁଝାଇବା ଦିଗରେ ବା ଗଣମାଧ୍ୟମରେ ପ୍ରକାଶ କରିବା ପାଇଁ ସନ୍ଦେଶ ପ୍ରସ୍ତୁତ କରୁଥିଲେ ବି ଏହାର ମୂଳ ନିୟମଟି ଏକା ।
ଜୀବନ ତଥ୍ୟର ସୂଚନା କାହା ପାଇଁ ଦରକାର ପ୍ରଥମେ ତାହା ନିଜେ ଜାଣିବା ଜରୁରୀ ।
ସେମାନଙ୍କ ଜୀବନ ଶୈଳୀ , ଭାଷା , ପ୍ରଥା ଓ ବୁଝିବାର ସ୍ତର ବିଷୟରେ ଜାଣନ୍ତୁ ।
ଏହା ଅଧିକ ପ୍ରାସଙ୍ଗିକ , ସହଜରେ ବୁଝି ହେଉଥିବା ଏବଂ ଅଧିକ ଗ୍ରହଣୀୟ ତଥା କାର୍ଯ୍ୟକ୍ଷମା ହୋଇପାରିବା ଭଳି ସନ୍ଦେଶଗୁଡିକୁ ବାଛିବାରେ ସାହାଯ୍ୟ କରିବ ।
ସନ୍ଦେଶଗୁଡିକର ଅନୁବାଦ କରିବା ସମୟରେ ସାଧାରଣ ଲୋକଟିଏ ବୁଝିପାରିବା ପରି ସରଲା ଭାଷାରେ ଲେଖିବା ଜରୁରୀ ।
ସନ୍ଦେଶରେ ଅଯଥା ଗୁଡାଏ କାମ ବା ବୈଷୟିକ ତଥ୍ୟ ନରହିବା ଭଲ ।
ଜୀବନ ତଥ୍ୟରେ ଦିଆଯାଇଥିବା ପରୀକ୍ଷିତ ସୂଚନାଗୁଡିକୁ ହିଁ ରଖନ୍ତୁ ।
କିଛି ନୂଆ ସନ୍ଦେଶ ଦେଉଥିଲେ ତା’ର ସଠିକତା ପରୀକ୍ଷା କରିନେବା ଉଚିତ ।
ଲୋକମାନେ ସୂଚନାକୁ ବୁଝିପାରୁଛନ୍ତି ଏବଂ ତାକୁ କାମରେ ଲଗାଇବାର ବାଟ ଜାଣିପାରୁଛନ୍ତି ବୋଲି ନିଶ୍ଚିତ ହୁଅନ୍ତୁ ।
ଏହା ଗୋଷ୍ଠୀ ଭିତରେ , ବାପାମା’ ତଥା ଯତ୍ନକାରୀମାନଙ୍କ ସହ ଆଲୋଚନା ମାଧ୍ୟମରେ କରାଯାଇପାରେ ।
ସେମାନଙ୍କୁ ପ୍ରଶ୍ନ କରି ଚାହୁଁଥିବା ସନ୍ଦେଶଗୁଡିକ ସେମାନେ କେତେଦୂର ବୁଝିଛନ୍ତି ତାହା ପ୍ରଶ୍ନ ଓ ଆଲୋଚନା ମାଧ୍ୟମରେ ଜାଣିହେବ ।
ସନ୍ଦେଶଗୁଡିକ କାମରେ ଲାଗିପାରିବା କି ନାହିଁ ତାହା ଆଲୋଚନା କରିବା ପାଇଁ ଉତ୍ସାହିତ କରିବା ଦରକାର ।
ସେମାନଙ୍କ ମତାମତ ନେଇ ସନ୍ଦେଶ ଓ ଚିତ୍ରଗୁଡ଼ିକୁ ଦରକାର ଅନୁସାରେ ବଦଳାଇ ଦିଅନ୍ତୁ ।
ସନ୍ଦେଶଗୁଡିକୁ ଜନସାଧାରଣଙ୍କ ଜୀବନ ସହିତ ଯୋଡନ୍ତୁ ।
ଜୀବନ ତଥ୍ୟର ସ୍ଥାନୀୟ ଉଦାହରଣ ଦେଇ ସନ୍ଦେଶଗୁଡିକୁ ମଜାଦାର ଏବଂ ଅର୍ଥପୂର୍ଣ୍ଣ କରିବାର ବାଟ ଖୋଜନ୍ତୁ ।
ଠିକ ଲୋକଙ୍କ ପାଖରେ ପହଞ୍ଚି ପାରିଲା ପରି ସଞ୍ଚାର ମାଧ୍ୟମ ଓ ଗଣମାଧ୍ୟମ ବାଛନ୍ତୁ ।
କେବଳ ଗୋଟିଏ ମାଧ୍ୟମର ବ୍ୟବହାର ନକରି ମିଳୁଥିବା ମାଧ୍ୟମଗୁଡିକୁ ଯଥା ସମ୍ଭବ ବ୍ୟବହାର କରନ୍ତୁ ।
ବିଭିନ୍ନ ଧାରା ଓ ମାଧ୍ୟମକୁ ଏକାଠି ମିଶାଇ ବ୍ୟବହାର କଲେ ଜନସାଧାରଣ ଗୋଟିଏ ସନ୍ଦେଶକୁ ବାରମ୍ବାର ଏବଂ ବିଭିନ୍ନ ରୂପରେ ପାଇବେ ।
ତଳ ମାଧ୍ୟମଗୁଡିକୁ ଏକାଠି ବ୍ୟବହାର କରିହେବ :
ସଞ୍ଚାରଣର ଅଚଳ ଅବସ୍ଥା
ସ୍ୱାସ୍ଥ୍ୟ ସନ୍ଦେଶ ପ୍ରଚାର କରିବାର ଚେଷ୍ଟାରେ ବେଳେ ବେଳେ ଚାହୁଁଥିବା ଫଳାଫଳ ମିଳିପାରେନାହିଁ ।
ଏହି ସମସ୍ୟାର ସମାଧାନ ପାଇଁ ସଞ୍ଚାରକ ମୂଳରୁ ସତର୍କ ହେବା ଜରୁରୀ ।
ସେ ସ୍ଥାନୀୟ ଜନସାଧାରଣଙ୍କ ବ୍ୟବହାର , ଜୀବନଶୈଳୀକୁ ପ୍ରଭାବିତ କରୁଥିବା ମନୋଭାବ , ବିଶ୍ଵାସ ଏବଂ ସାମାଜିକ କାରଣ ବୁଝିବା ଆବଶ୍ୟକ ।
ସେଗୁଡିକ ହୁଏତ ଲୋକଙ୍କ ଭିତରେ ପରିବର୍ତ୍ତନ ଆଣିବାରେ ବାଧା ସୃଷ୍ଟି କରୁଥିବ ।
ସଞ୍ଚାରଣ ମାଧ୍ୟମ ଶକ୍ତିଶାଳୀ ନ ଥିଲେ ସନ୍ଦେଶ କେବଳ ଅଳ୍ପକିଛି ଲୋକଙ୍କ ପାଖରେ ପହଞ୍ଚିପାରେ ।
ଉଦାହରଣ : ଖବରକାଗଜ ବା ପ୍ରଚାରପତ୍ର ପରି କେବଳ ଛପା ମାଧ୍ୟମରେ ବ୍ୟବହାର କଲେ ପଢି ପାରୁଥିବା ଲୋକ ହିଁ ଜାଣିପାରିବେ , କିନ୍ତୁ ନିରକ୍ଷରମାନେ ଏହା ଜାଣିପାରିବେ ନାହିଁ ।
ସେହିପରି ରେଡିଓ , ଦୂରଦର୍ଶନ ପରି ମାଧ୍ୟମ ବ୍ୟବହାର କଲେ ଯାହାଙ୍କ ପାଖରେ ଏ ସୁବିଧା ନାହିଁ ସେମାନେ ଏଥିରୁ ବଞ୍ଚିତ ହେବେ ।
ସମାଧାନ : ଯେତେଦୂର ସମ୍ଭବ ବିଭିନ୍ନ ମାଧ୍ୟମ ମିଶାଇ ଲୋକଙ୍କ ପାଖରେ ସୂଚନା ପହଞ୍ଚାନ୍ତୁ ଏବଂ ବ୍ୟକ୍ତି – ବ୍ୟକ୍ତି ସଞ୍ଚାର ମାଧ୍ୟମରେ ସନ୍ଦେଶଗୁଡିକ ବାରମ୍ବାର ଦୋହରାନ୍ତୁ ।
ଲୋକଙ୍କ ପାଖରେ ଅଧିକ ପହଞ୍ଚି ପାରୁଥିବା ଏବଂ ତାଙ୍କ ପାଇଁ ବେଶୀ ବିଶ୍ଵାସନୀୟ ହେଉଥିବା ସଂଚାର ମାଧ୍ୟମଗୁଡିକୁ ଖୋଜି ବାହାର କରିବାକୁ ଚେଷ୍ଟା କରନ୍ତୁ ।
ଜନସାଧାରଣଙ୍କ ପାଖରେ ସନ୍ଦେଶଗୁଡିକ ପହଞ୍ଚୁଥିବ , କିନ୍ତୁ ସେମାନେ ତାହା ବୁଝୁ ନଥିବେ ।
ଉଦାହରଣ : ସନ୍ଦେଶରେ ବୈଷୟିକ ଶବ୍ଦର ବ୍ୟବହାର , ଭୁଲ ଭାଷା ବା ଉପଭାଷାରେ ବର୍ଣ୍ଣନା ।
ସମାଧାନ : ସନ୍ଦେଶକୁ ଅନୁବାଦ କରିବା ସମୟରେ ସାଧାରଣ ଶବ୍ଦ ଓ ଅଣବୈଷୟିକ ଭାଷାର ବ୍ୟବହାର କରିବା ଉଚିତ ।
ସାଧାରଣ ଲୋକ ଏହାକୁ ବୁଝିପାରୁଛନ୍ତି କି ନାହିଁ ମଝିରେ ମଝିରେ ତାହା ପରୀକ୍ଷା କରିନେବା ଜରୁରୀ ।
ଲୋକମାନେ ସନ୍ଦେଶଟି ଜାଣିବା ପରେ ଏହାକୁ ଠିକ୍ ଅର୍ଥରେ ନବୁଝି ଭୁଲ ଭାବରେ ବ୍ୟବହାର କରନ୍ତି ।
ଗଣମାଧ୍ୟମ : ରେଡିଓ , ଦୂରଦର୍ଶନ , ଖବରକାଗଜ ଏବଂ ଚିତ୍ର ବହି
କ୍ଷୁଦ୍ରମାଧ୍ୟମ : ଚିତ୍ରମାଳା , ଅଡିଓ କ୍ୟାସେଟ , ପ୍ରଚାରପତ୍ର , ତଥ୍ୟପୁସ୍ତିକା , ଭିଡିଓ , ସ୍ଲାଇଡ , ଚାର୍ଟ , ଟି – ଶାର୍ଟ , ପଦକ ଏବଂ ଡାକବାଜି ଯନ୍ତ୍ରରେ ଘୋଷଣା
ବ୍ୟକ୍ତି – ବ୍ୟକ୍ତି ମାଧ୍ୟମ : ସ୍ୱାସ୍ଥ୍ୟକର୍ମୀ , ଧାର୍ମିକ ବା ଗୋଷ୍ଠୀ ନେତା , ମହିଳା ଓ ଯୁବ ସଂଗଠନ , ଉନ୍ନୟନ କର୍ମୀ ଏବଂ ସରକାରୀ ଅଧିକାରୀ
ଏହାକୁ ଦୃଢତର କରିବା ପାଇଁ ପୁନରାବୃତ୍ତି କରନ୍ତୁ ।
ଉଦାହରଣ : ମା’ ମାନଙ୍କୁ ଓ.ଆର.ଏସ୍. ର ବ୍ୟବହାର ବିଷୟରେ ଶିଖାଇଥାଏ ।
ସେମାନେ ଭୁଲରେ ଏହାକୁ ଅଧିକ ପାଣିଆ କରିଦେଲେ ସେଥିରୁ କିଛି ଲାଭ ମିଳେ ନାହିଁ ।
ସେହିପରି ଏଥିରେ ପାଣି ଅଂଶ କମ ହୋଇଗଲେ ଏହି ଘୋଳ ବିପଦଜନକ ହୋଇଥାଏ ।
ସମାଧାନ : କୌଣସି ନୂଆ କୌଶଳ ଶିଖାଇବା ସମୟରେ ଯଥେଷ୍ଟ ପ୍ରଶିକ୍ଷଣ ଦେବା ସହ ନିର୍ଦ୍ଧିଷ୍ଟ ସମୟ ବ୍ୟବଧାନରେ ସେଥିରେ ହେଉଥିବା ଭୁଲ ବା ସମସ୍ୟାକୁ ଦେଖିବା ଦରକାର ।
ଆବଶ୍ୟକ ହେଲେ ଅଧିକ ସହାୟତା ବା ସନ୍ଦେଶ ଦେବା ଜରୁରୀ ।
ଜନସାଧାରଣ କୌଣସି ସୂଚନା ପାଇବା ପରେ ବୁଝିଥିଲେ ମଧ୍ୟ କାମରେ ଲଗାନ୍ତି ନାହିଁ ।
କାରଣ ଏହା ବର୍ତ୍ତମାନର ମନୋଭାବ ଏବଂ ବିଶ୍ଵାସର ବିରୋଧୀ ।
ଉଦାହରଣ : ତରଳ ଝାଡା ହେଉଥିବା ସମୟରେ ଶିଶୁକୁ ନିୟମିତ ଖାଦ୍ୟ ଖୁଆଇବା ପାଇଁ ମା’ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥାଏ ।
କିନ୍ତୁ ସେମାନେ ତାହା କରନ୍ତି ନାହିଁ ।
କାରଣ ସାଧାରଣ ଭାବରେ ବିଶ୍ଵାସ ରହିଛି ଯେ ତରଳ ଝାଡା ହେଉଥିଲେ ପେଟକୁ ବିଶ୍ରାମ ଦେବା ଦରକାର ।
ସମାଧାନ : ସନ୍ଦେଶଗୁଡିକୁ ଏପରି ପ୍ରସ୍ତୁତ କରିବା ଦରକାର ଯେପରି ତାହା କାହା ମନରେ ଆଘାତ ନଦେଇ ସମ୍ବେଦନଶୀଳ ବାଟରେ କ୍ଷତିକାରକ ଭୁଲ ବିଶ୍ଵାସକୁ ଦୂରେଇ ଦେବ ।
ଜନସାଧାରଣ ନୂଆ ସୂଚନାକୁ ଗ୍ରହଣ କରିବା ସହ ବୁଝିପାରନ୍ତି , କିନ୍ତୁ ଦାରିଦ୍ର୍ୟ , ମୌଳିକ ସେବାର ଅଭାବ ପରି କେତେକ କାରଣକୁ ତାହାକୁ କାମରେ ଲଗାଇପାରନ୍ତି ନାହିଁ ।
ଉଦାହରଣ : ଗଣମାଧ୍ୟମରେ ପ୍ରଚାର ଯୋଗୁ ଗୋଷ୍ଠୀ ଭିତରେ ଓ.ଆର.ଏସ୍. ପ୍ୟାକେଟରେ ଚାହିଦା ବଢିଲା ।
କିନ୍ତୁ ଯଦି ପ୍ୟାକେଟର ଦାମ ବେଶ୍ ଅଧିକ ହୁଏ ବା ପାଖ ଅଞ୍ଚଳରେ ଏହା ମିଳେନାହିଁ , ଗଣମାଧ୍ୟମରେ ପ୍ରଚାର ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥର କୌଣସି ମୂଲ୍ୟ ରହିବ ନାହିଁ ।
ସମାଧାନ : କୌଣସି ସେବା ବା ଜିନିଷ ବିଷୟରେ ଗଣମାଧ୍ୟମରେ ପ୍ରଚାର କରିବା ପୂର୍ବରୁ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ସେସବୁ ପାଖରେ ଓ ସହଜରେ ମିଳିବାର ବ୍ୟବସ୍ଥା କରାଇବା ଆବଶ୍ୟକ ।
ଗଣମାଧ୍ୟମରେ ସଞ୍ଚାରଣ
କୌଣସି ଗୋଟିଏ ସୂଚନାକୁ ବହୁତ ଲୋକଙ୍କ ପାଖରେ ପହଞ୍ଚାଇବା ଏବଂ ତାକୁ ବାରମ୍ବାର ଦୋହରାଇବା ପାଇଁ ରେଡିଓ , ଖବରକାଗଜ ଏବଂ ଦୂରଦର୍ଶନ ଗୋଟିଏ ଗୋଟିଏ ଭଲ ମାଧ୍ୟମ ।
ପୁନରାବୃତ୍ତି ମନେ ରଖାଇବାର ଗୋଟିଏ ଭଲ ଉପାୟ ।
ତେଣୁ କୌଣସି ସନ୍ଦେଶକୁ ବିଭିନ୍ନ ମାଧ୍ୟମରେ ବାରମ୍ବାର ପ୍ରଚାର କଲେ ଲୋକେ ଏହାକୁ ଗ୍ରହଣ କରିବା ସହ କାମରେ ମଧ୍ୟ ଲଗାଇବେ ।
ଏହି ସୂଚନାଗୁଡିକୁ ସାକ୍ଷାତକାର , ଲେଖା , ଆଲୋଚନା , ରେଡିଓ ବା ଦୂରଦର୍ଶନରେ ନାଟକ , କଣ୍ଢେଇନାଚ , କୌତିକିଆ ନାଚ , ଗୀତ , କୁଇଜ୍ ପ୍ରତିଯୋଗୀତା ଏବଂ କଲ୍ ଇନ୍ ବା ଫୋନ୍ କରନ୍ତୁ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଚାର କରାଯାଇ ପାରିବ ।
ସ୍ଵାକ୍ଷରତା ହାର ଅଧିକ ଥିବା ସ୍ଥାନରେ ଖବରକାଗଜ ଓ ପତ୍ରିକାରେ ଲେଖିଲେ ତାହା ଫଳପ୍ରଦ ହୋଇଥାଏ ।
ସ୍ଵାକ୍ଷରତା ହାର କମ୍ ଥିବା ଅଞ୍ଚଳରେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଅନ୍ୟ ମାଧ୍ୟମ ସବୁ ବ୍ୟବହାର କରିବା ଉଚିତ୍ ।
କେତେକ ପରିସ୍ଥିତିରେ ଚିତ୍ରକଥା ଓ ଚିତ୍ର ବ୍ୟବହାର କରି ଉଭୟ ପିଲା ଓ ବୟସ୍କ ଲୋକଙ୍କୁ ଆକର୍ଷିତ କରାଯାଇପାରେ ।
ରେଡିଓ ଓ ଦୂରଦର୍ଶନରେ ପ୍ରସାରିତ ସନ୍ଦେଶଗୁଡିକ ଯେଉଁମାନଙ୍କ ପାଇଁ ଉଦ୍ଦିଷ୍ଟ ସେମାନେ ଏହାକୁ ଶୁଣୁଥିବା ବା ଦେଖୁଥିବା ସମୟରେ ପ୍ରସାରଣ କରିବା ପ୍ରତି ଧ୍ୟାନ ଦେବା ଜରୁରୀ ।
ଖାଲି ସମୟରେ ପ୍ରସାରିତ ହେଉଥିବା ମାଗଣା ସାର୍ବଜନୀନ ସେବା ଘୋଷଣାକୁ କେବଳ ବ୍ୟବହାର କରିବା ଉଚିତ ନୁହେଁ ।
ଲୋକପ୍ରିୟ କାର୍ଯ୍ୟକ୍ରମ ସମୟରେ ପ୍ରସାରିତ ହେଲେ ଅଧିକ ଲୋକଙ୍କ ପାଖରେ ସନ୍ଦେଶ ପହଞ୍ଚି ପାରିବ ।
ରେଡିଓ ବା ଦୂରଦର୍ଶନ ରେ କାର୍ଯ୍ୟକ୍ରମ ପ୍ରଯୋଜକଙ୍କ ସହ ଆଲୋଚନା କରି ତାଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମର ସଞ୍ଚାଳକଙ୍କ ସହ ଆଲୋଚନା କରି ମଧ୍ୟ ଏହି ବିଷୟଗୁଡିକୁ ତାଙ୍କ ଆଲୋଚନାରେ ସାମିଲ କରାଯାଇ ପାରିବ ।
ଗଣମାଧ୍ୟମର କାର୍ଯ୍ୟକ୍ରମରେ ବିଭିନ୍ନ ସମ୍ମାନନୀୟ ଏବଂ ସମାଜରେ ଗ୍ରହଣୀୟ ବ୍ୟକ୍ତିବିଶେଷଙ୍କୁ ନେଇ ସନ୍ଦେଶଗୁଡିକର ସଞ୍ଚାରଣ ଓ ପୁନରାବୃତ୍ତି କରିବା ଉଚିତ୍ ।
ବ୍ୟକ୍ତି – ବ୍ୟକ୍ତି ସଞ୍ଚାରଣ
ଗଣମାଧ୍ୟମରୁ ଜାନୁଥିବା କିଛି ନୂଆ ସୂଚନାକୁ ଅଧିକାଂଶ ଲୋକ ସହଜରେ ଗ୍ରହଣ କରିପାରନ୍ତି ନାହିଁ ।
ସେଥିପାଇଁ ତାଙ୍କର ବିଶ୍ୱାସଯୋଗ୍ୟ କୌଣସି ବ୍ୟକ୍ତିଙ୍କ ସହ ଆଲୋଚନା କରିବାକୁ ଚାହାନ୍ତି ।
ତେଣୁ ଉଭୟ ଗଣମାଧ୍ୟମ ଓ ବ୍ୟକ୍ତି – ବ୍ୟକ୍ତି ସଞ୍ଚାରଣ ମାଧ୍ୟମରେ ଜନସାଧାରଣଙ୍କୁ ନୂଆ ସ୍ୱାସ୍ଥ୍ୟ ସମ୍ପର୍କିତ ଚଳଣିକୁ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା ଆବଶ୍ୟକ ।
ଜଣ ଜଣ କରି ବୁଝାଇବା କାମଟି ପାଣିକଳ ପାଖରେ , ଖେଳାଳିମାନଙ୍କ ଭିତରେ , ପରିବାର ତଥା ବନ୍ଧୁବର୍ଗରେ ଆଲୋଚନା ସମୟରେ ବା ଶ୍ରେଣୀଗୃହ , ସ୍ୱାସ୍ଥ୍ୟ କ୍ଲିନିକ୍ , ଗୋଷ୍ଠୀ ସଭା , ମହିଳା ସମିତି ସଭ୍ୟ , ପ୍ରୌଢଶିକ୍ଷା କେନ୍ଦ୍ର ଆଦି ଯେ କୌଣସି ସ୍ଥାନରେ କରାଯାଇପାରିବ ।
ଏହି ଭଳି ଜଣ ଜଣ କରି ଆଲୋଚନା କରିବା ଫଳରେ ମନରେ ଆସୁଥିବା ସନ୍ଦେହ ଓ ପ୍ରଶ୍ନ ସବୁର ସମାଧାନ ସହଜରେ ହୋଇପାରେ ଏବଂ କେହି ଏହାକୁ ବିରୋଧ କରୁଥିବାର କାରଣ ତଥା ତା’ର ସମାଧାନ ମଧ୍ୟ ବାହାରିଥାଏ ।
ସୂଚନା , କାମ ଓ ବିଶ୍ଳେଷଣର ଚକ୍ରକୁ ଆଧାର କରି ପ୍ରଭାବଶାଳୀ ଶିକ୍ଷଣ ରୂପ ନିଏ ।
କୌଣସି ସମସ୍ୟାକୁ ସକ୍ରିୟ ଭାବରେ ଚିହ୍ନଟ କରି , ସମାଧାନର ବାଟ ଖୋଜି ଏବଂ ଫଳାଫଳର ଅନୁଶୀଳନ କରି ସ୍ଯାନସାଧାରଣ ସବୁଠାରୁ ଅଧିକ ଶିଖନ୍ତି ।
ତେଣୁ ଜୀବନ ତଥ୍ୟର ସନ୍ଦେଶଗୁଡିକ ଅଂଶଗ୍ରହଣକାରୀଙ୍କୁ ଏକ ସକ୍ରିୟ ଭୂମିକା ନେବାର ସୁଯୋଗ ଦେବା ଦରକାର ।
ଆଲୋଚନା କୌଣସି ବ୍ୟକ୍ତିଗତ ବା ଦଳର ମୁଖ୍ୟ ସମସ୍ୟାରୁ ଆରମ୍ଭ କରନ୍ତୁ ।
ଆଗରୁ ଜଣାଥିବା ବିଷୟରୁ ଆରମ୍ଭ କରି ମୁଖ୍ୟ ବିଷୟ ଉପରେ ଜୋର ଦିଅନ୍ତୁ ।
ବୈଷୟିକ ବା ବୈଜ୍ଞାନିକ ଭାଷା ବ୍ୟବହାର କରନ୍ତୁ ନାହିଁ ।
ଜନସାଧାରଣଙ୍କୁ ସେହି ବିଷୟରେ ପ୍ରଶ୍ନ ପଚାରିବାକୁ ଉତ୍ସାହିତ କରନ୍ତୁ ।
ସମସ୍ୟାର କାରଣ ତଥା ସେମାନଙ୍କର ସମ୍ବାବ୍ୟ ସମାଧାନ ବିଷୟରେ ଆଲୋଚନାକୁ ଠିକ୍ ଦିଗରେ ପରିଚାଳିତ କରନ୍ତୁ ।
ମନେରଖନ୍ତୁ ଯେ ସଞ୍ଚାରଣରେ କହିବା ପରି ଶୁଣିବା ମଧ୍ୟ ବେଶ୍ ଜରୁରୀ ।
ଶୁଣିବା ଦ୍ଵାରା ପରାମର୍ଶ ଦିଆଯାଉଥିବା କାମକୁ ଲୋକମାନେ କାହିଁକି କରୁଛନ୍ତି ବା କରୁନାହାନ୍ତି ଆପଣ ଜାଣିପାରିବେ ।
ସ୍ୱାସ୍ଥ୍ୟ ସନ୍ଦେଶ ଉପରେ କାମ ନକରିବା ପାଇଁ କେତେକ ଆଦେଖା କାରଣ ଉପରେ କିଛି ସାମୟିକ ପଦକ୍ଷେପ ନେବାକୁ ହେବ ।
ଅନ୍ୟର ମତାମତ , ଜ୍ଞାନ ଏବଂ ବଦଳିପାରିବାର ସାମର୍ଥ୍ୟକୁ ସମ୍ମାନର ସହ ଗ୍ରହଣ କରନ୍ତୁ ।
ପରିସ୍ଥିତିରେ ପଡିଲେ ଲୋକେ ଶିଖନ୍ତି ଏବଂ ଏହା ତାଙ୍କର ଆତ୍ମବିଶ୍ଵାସ ବଢାଇଥାଏ ।
ସେମାନେ ବୁଝିପାରିଲେ ଓ ସମ୍ମାନ ପାଇଲେ କାମ କରିବାକୁ ଆଗେଇ ଆସନ୍ତି ।
ସମସ୍ୟାର ସମାଧାନ ପାଇଁ ବ୍ୟକ୍ତି ବିଶେଷ ବା ଦଳକୁ ସହଯୋଗ କରନ୍ତୁ ।
କାର୍ଯ୍ୟକ୍ରମର ଅଗ୍ରଗତିର ତଦାରଖ କରିବା , ଫଳାଫଳର ଆକଳନ କରିବା ଆଦି କାମରେ ସାହାଯ୍ୟ କରନ୍ତୁ ।
ଦରକାର ଅନୁସାରେ କାର୍ଯ୍ୟକ୍ରମକୁ ବଦଳାନ୍ତୁ ବା ଅଧିକ କାମର ବ୍ୟବସ୍ଥା କରନ୍ତୁ ।
ସୂଚନାରୁ କାମ
ଜୀବନ ତଥ୍ୟର ଲକ୍ଷ୍ୟ ହେଉଛି ପିଲାମାନଙ୍କର ରୋଗ ଓ ମୃତ୍ୟୁକୁ କମାଇବା ।
ଏଥିରେ ଥିବା ସନ୍ଦେଶକୁ କାମରେ ଲଗାଇବାକୁ ହେଲେ ଲୋକମାନଙ୍କ କାର୍ଯ୍ୟଧାରାରେ କିଛି ମୌଳିକ ପରିବର୍ତ୍ତନ ଆଣିବା ଦରକାର ହୋଇପାରେ ।
ମଣିଷର ସାମାଜିକ ଆଚାର ବ୍ୟବହାର ସାଧାରଣତଃ କିଛି ଗଭୀର ବିଶ୍ଵାସ ଓ ସାଂସ୍କୃତିକ ମୂଲ୍ୟବୋଧ ଉପରେ ଆଧାରିତ ହୋଇଥାଏ ।
ଚାଲିଚଳଣରେ ପରିବର୍ତ୍ତନ ଆଣିବା ପାଇଁ ଆତ୍ମବିଶ୍ଵାସ ଓ ସାହସ
ଆବଶ୍ୟକ ।
ବୁଝିନଥିବାରୁ , ପ୍ରେରଣାର ଅଭାବରୁ ବା ସମସ୍ୟାର ସମାଧାନ ଦିଗରେ ଆଗ୍ରହ ବା ସାମର୍ଥ୍ୟ ନଥିବାରୁ କିଛି ନୂଆ କଥାକୁ ଜନସାଧାରଣ ବିରୋଧ କରିପାରନ୍ତି ।
ସମସ୍ୟା ବିଷୟରେ ଅଜ୍ଞତାରୁ ବାହାରି ପରିସ୍ଥିତିକୁ ବୁଝିବା ଏବଂ ଉପଯୁକ୍ତ ପଦକ୍ଷେପ ନେବାର ବିଭିନ୍ନ ପାଦ ପୂର୍ବ ପୃଷ୍ଠାର ସାରଣୀରେ ଦେଖାଯାଇଛି ।
ଜୀବନ ତଥ୍ୟର ସନ୍ଦେଶକୁ ସବୁଆଡେ ପହଞ୍ଚାଇବା ଦିଗରେ ଆପଣଙ୍କ ସହଯୋଗ ପାଇଁ ଧନ୍ୟବାଦ ।
ଜୀବନ ତଥ୍ୟ – ଅଭିଜ୍ଞତାରୁ ଶିକ୍ଷା ଗୋଟିଏ ବ୍ୟବହାର ଉପଯୋଗୀ ପ୍ରକାଶନ ।
ଏହା ଜୀବନ ତଥ୍ୟର ପୂର୍ବ ଦୁଇଟି ସଂସ୍କରଣକୁ ବ୍ୟବହାର କରି ବିଭିନ୍ନ କ୍ଷେତ୍ରରେ ଅନୁଭୂତିର ସମୀକ୍ଷା କରିଛି ।
ଇଂରାଜୀ ଓ ଅନ୍ୟ କେତେ ଭାଷାରେ ଏହି ପୁସ୍ତକ ବିନାମୂଲ୍ୟରେ ମିଳେ ।
ଏଥିପାଇଁ ନିକଟସ୍ଥ ୟୁନିସେଫ୍ କାର୍ଯ୍ୟାଳୟ ବା ନିଉୟର୍କ ଠାରେ ଥିବା ୟୁନିସେଫ୍ ର ମୁଖ୍ୟ କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment