Commit e1016c95 authored by Nayan Ranjan Paul's avatar Nayan Ranjan Paul

Upload New File

parent 88dd978a
ବୟସର ଦୁଃଖ
ରବି କାନୁନ୍‌ଗୋ
ତା: ଅକ୍ଟୋବର୍ ୧୩, ୨୦୦୯
ମୂଳ ପୃଷ୍ଠା → ଗଳ୍ପ →
ଜାତିସଂଘ ଉଦ୍ଦ୍ୟେଶିକାରେ ଆଉ ଗୋଟିଏ ପଦ ଯୋଡାଯାଇଥିଲେ ବିଶ୍ବ ଲୋକସଂଖ୍ୟାର ପାଖାପାଖି ଅଧେ, ଅର୍ଥାତ୍ ପୁରୁଷ ଜାତି ଉପକାର ପାଇଥାନ୍ତେ ।
ତାହା ହେଲା, ନିଜ ରୂପ ଆକର୍ଷଣୀୟ ଦେଖାଯିବା ମଧ୍ୟ ଏକ ମାନବାଧିକାର ।
ବିଶ୍ବ ସମତା ପ୍ରତିଷ୍ଠା ଦିଗରେ ଏହା ଅନ୍ତତଃ ଏକ ପଦକ୍ଷେପ ତ ହୋଇଥାନ୍ତା ।
ସନ୍ଧି-କୂଟନୀତି-ଯୁଦ୍ଧ-ଶାନ୍ତି ଭିନ୍ନ ନୂଆ କିଛି ରୋମାଣ୍ଟିକ୍ ଧାରଣା ପୁରୁଷ ଜାତି ପାଇଁ ସୃଷ୍ଟି ହେବାର ସମ୍ଭାବନା ଥାଆନ୍ତା ।
ବିଶ୍ବର ଅବସ୍ଥା ଯାହା ଥାଉ ନା କାହିଁକି, ବାକି ଆଠ’ଣା ନାରୀମାନେ ନୈଷ୍ଠିକ ଭାବେ ତାହା ପାଳନ କରିବାର ପ୍ରାକୃତିକ ଅଧିକାର ପାଇଛନ୍ତି ।
ବାବୁ ଚନ୍ଦ୍ରକାନ୍ତ ମୌକିଲ୍ ।
ଦେଖିବାକୁ ବେଶ୍ ସୁନ୍ଦର ।
ସ୍ତ୍ରୀ ମନୋରମାଙ୍କ କଥା ନ କହିଲେ ଚଳିବ ।
ଦେବୀ ଭାଷାରେ, ଯଥା କାର୍ତ୍ତିକେୟସ୍ୟ ବ୍ରହ୍ମା ନନ୍ଦିନୀ ବା ଦି’ଜଣଯାକ ଯେମିତି ଫିଲଟର୍ ଉଇଲ୍‌ସ୍ ସିଗାରେଟ କମ୍ପାନୀର ବିଜ୍ଞାପନ- ମେଡ୍ ଫର୍ ଇଚ୍ ଅଦର୍ ପରି ।
କାନ୍ତ ଥରେ ଟୁର୍‌ରୁ ଫେରି ବ୍ୟାଗ୍ ବ୍ରିଫ୍‌କେଶ୍ ଫୋପାଡି ତରବର ହୋଇ ଅଫିସ୍ ପଳାଇଲେ ।
ଜିନିଷପତ୍ର କାଢି ସଜାଡିବା ବେଳକୁ ରମା ଏମିତି କିଛି ଦ୍ରବ୍ୟ ଦେଖିଲେ ଯାହା ତାଙ୍କୁ ନିହାତି ଅସଙ୍ଗତ ଲାଗିଲା ।
ଆଇବ୍ରୋ ପେନ୍‌ସିଲ, ଟୁଇଜର୍ ଓ ଲିପ୍ଷ୍ଟିକ୍ ।
ସ୍ବାମୀଙ୍କୁ ଏ ପ୍ରକାର ସନ୍ଦେହ ସେ କେବେ କରି ନ ଥିଲେ ।
ବାହାଘର ଏଗାର ବର୍ଷ ହେଲାଣି ।
ପୁଅର ଚତୁର୍ଥ ଶ୍ରେଣୀ ।
ରମାଙ୍କ ପଞ୍ଜରା ଭିତରଟା ଅଜାଣତରେ ଥରିଉଠିଲା ।
ପରିବା ଭାବେ ସାରୁ ଓଲୁଅ ଇତ୍ୟାଦିକୁ ପଛେ ବିଶ୍ବାସ କରିହେବ କିନ୍ତୁ ପୁରୁଷ ମନ ଯେ ଭୋଦେଇ ବଉଦ; ଢାଳିଦେଲା ତ ସବୁ ଭାସିଗଲା, ଉଡିଗଲା ତ ଠିଆ ମରୁଡି ।
ସେଇଥି ସକାଶେ ବଡପୁରୁଷ କହିଛନ୍ତି- ନର ମାୟା ନାରାୟଣଙ୍କୁ ଅଗୋଚର ।
ପୁରୁଷର ବିତ୍ତ ବା ବରବାଦୀ ଜାଣିବା ହୁଏତ ଅସମ୍ଭବ ହୋଇପାରେ, ମାତ୍ର ଦୁଶ୍ଚରିତ୍ର ଠଉରେଇବା ମାମଲାରେ ନାରୀ ନିଜେ ଏକ ଚବିଶଘଣ୍ଟିଆ ଭ୍ରାମ୍ୟମାଣ ପରୀକ୍ଷାଗାର ।
ଆଉ ବଡ ପରୀକ୍ଷା କଥା ଦୂରକୁ ଥାଉ; ସ୍ବାମୀ ପୁଅ କି ଝିଅ କାହା ସହ ଘଷିନେଷି ହୋଇଥିଲେ, ସେମାନେ ସାର୍ଟ ବା ଗଞ୍ଜି ଶୁଂଘି ଜାଣିପାରନ୍ତି ।
ଏଣିକି ରମାଙ୍କ ମନକୁ ଆସିଯାଉଥାଏ, ପୁରୁଷ ମନ ଯେ ଭ୍ରମର ପ୍ରାୟ ।
ନିଜକୁ ସିଏ ତତ୍‌କ୍ଷଣାତ୍ ବୁଝେଇଦିଅନ୍ତି ।
ହ୍ୟାତ୍, ଯିଏ ଶାଳୀମାନଙ୍କ ସହିତ ଦେଢ଼ଶୁର ପରି ହୁଅନ୍ତି ତାଙ୍କର ପୁଣି ଏତେ ସାହାସ ଆସିବ କୋଉଠୁ ? ପଚାରି ଦେବେ କି ? ପୁଣି ମନ କହେ – ବୋକୀ ଲୋ, କେହି କଣ ଏମିତି କଥାରେ ସତ କହନ୍ତି ଯେ, ତତେ ସେ କହିବେ ? କୁଆଡ଼େ ପୁରୁଷ ମାନି ଯାଏ, କ୍ଷମା ମାଗେ, ହଲପ କରି କହେ – ଆଉ ସେମିତିକା ଭୁଲ କରିବନି ! ଫୁଃ, ଏଗୁଡ଼ାକୁ ସବୁ ବହି କଥା ।
ପଢ଼ିଲେ ଭଲ ଲାଗେ ।
ହେଲେ ରକ୍ତମାଂସର ଜୀବନ କିନ୍ତୁ ଏତେ ନାଟକ ସମ୍ଭାଳିବାକୁ ପ୍ରସ୍ତୁତ ହୁଏନା ।
ଏମିତିକା ମନଛନ୍ଦା ଜଞ୍ଜାଳରୁ ରମାଙ୍କୁ ନିସ୍ତାର ମିଳୁ ନ ଥାଏ ଯେମିତି ।
ଘଟଣା ସତ ହୋଇଥିଲେ ବି ମନ କହୁଥାଏ ବିଶ୍ବାସ କରନା ଲୋ, ମରିଯିବୁ ।
ବରଂ ଉଚିତ୍ ହେବ, ସନ୍ଦେହ ବୋଲି ଭାବି ବଞ୍ଚିଯା ।
ସେଇ ମନ ପୁଣି ଟାଣିଭିଡ଼ି ନେଇଯାଏ ତାକୁ ନିଷିଦ୍ଧ ଓ ଗହନ ଇଲାକାକୁ, ପ୍ରମାଣ ପରେ ପ୍ରମାଣ ଉଣ୍ଡାଳିବାକୁ ।
ତାଙ୍କ ପ୍ରେମ ପାଇଁ ମୁଁ ହିଁ ଅନନ୍ୟ ଓ ଶ୍ରେଷ୍ଠ ପରି ଯୁକ୍ତି ସପକ୍ଷରେ ନାରୀ ଯେଉଁ ବଳୟଟି ତିଆରି କରି ତହିଁରେ କାହାରି ଅନୁପ୍ରବେଶ ଅସମ୍ଭବ ବୋଲି ଭାବି ରହିଥାଏ ଏବଂ ତାହା ପରଖିବା କଦାପି ସମ୍ଭବ ହେଉ ନ ଥିବାରୁ, ଭାଗ୍ୟହୀନର ପ୍ରତିରକ୍ଷା ମଧ୍ୟ ସେହିପରି ବେଅକଲ ଅନୁମାନ ଉପରେ ନିର୍ଭର କରି ରହିଥାଏ ।
ଭାଙ୍ଗି ନ ଯିବା ପର୍ଯ୍ୟନ୍ତ, ଭୁଶୁଡ଼ି ନ ଯିବା ପର୍ଯ୍ୟନ୍ତ ପ୍ରେମ କଣ ବା ଫିସାଦି କଣ, ତୁ କେମିତି ଜାଣିବୁ, ଲୋ ହୁଣ୍ଡି ?
ମନେ ପଡ଼େ, ତା କେଶରୁ କେଉଁଠି ଗୋଟେ ଅଧେ ପାଚିଯାଇଥିବା ଚନ୍ଦ୍ରକାନ୍ତଙ୍କୁ କାହିଁକି ଦେଖାଯାଉଥିଲା ?
ସେ ତାଙ୍କୁ ଡାଇଙ୍ଗ୍ କରିବାକୁ କହୁଥିଲେ ତା’ହେଲେ ଏଇଥି ସକାଶେ ?
ପୁରୁଷଗୁଡ଼ାଙ୍କର ସବୁ ବେଷ୍ଟ ଦରକାର ନା ?
ଅଇଁଠା ଚାଟିଲା ବେଳେ ସତରେ ଯେମିତି ସେଇଆ ମିଳୁଥାଏ !
ଯଦିଓ ପରକୀୟା ପାଠ ତୁଲେଇବାରେ ପୁରୁଷମାନେ ଧୂର୍ତ୍ତ ଓ ଧୁରନ୍ଧର, କିନ୍ତୁ ଚନ୍ଦ୍ରକାନ୍ତଙ୍କର ନୈଷାବରଣରେ ଟିକେ ବି ତୃଟି ନ ଥାଏ ।
ଇଏ କେମିତି ସମ୍ଭବ ?
ରମାଙ୍କୁ ଅଥୟ ଲାଗୁଥାଏ ।
ଏତେ କଥା ଭାବିବାକୁ ମନ ହେଉ ନଥାଏ, କିନ୍ତୁ ଭୁଲିବାକୁ ଭୟ ବି ଲାଗୁଥାଏ ।
ବୈବାହିକ ଜୀବନକୁ ମ୍ୟୁନିସିପାଲ୍‌ଟି ନର୍ଦ୍ଦମାରେ ପକାଇବାକୁ ଚାହୁଁ ନ ଥିବା ଯେ କୌଣସି ବିଚାରସିଦ୍ଧ ମଧ୍ୟବିତ୍ତ ନାରୀ ପରି ଠାକୁରଠାକୁରାଣୀଙ୍କୁ ମାନସିକ ଯାଚିବା ଛଡ଼ା ମନୋରମା ନିଜ ବ୍ୟବହାରରେ ଖାସ କୌଣସି ପରିବର୍ତ୍ତନ କରିପାରିଲେ ନାହିଁ ।
ସ୍ବାମୀଙ୍କ ଉପରେ ଯଥା ସମ୍ଭବ ନିଘା ରଖିଲେ ।
ଏଣିକି ସେ ଦେଖୁଥିଲେ ଯେ କାନ୍ତ ସେଭିଙ୍ଗ୍ ହେଲାବେଳେ ପାଟିରେ ପବନ ପୁରାଇ ଗାଲ ଫୁଲାନ୍ତି ।
ବୁଲେଇ ବଙ୍କେଇ ଆଇନାରେ ମୁହଁ ଦେଖନ୍ତି ।
କି ସୁନ୍ଦର ହେଜ ଲାଇନ ପରି ବଢ଼ିଥିବା ନିଶ ହଳକ କ୍ରମେ କ୍ରମେ ପତଳାରୁ ପତଳା ଏବଂ ପ୍ରସ୍ଥ କ୍ଷୀଣ ହୋଇ ପ୍ରାୟ ଅଧଇଞ୍ଚ ବହଳରୁ ଦେଢ଼-ଦି ସୁତା ସାଇଜ ହୋଇଗଲା ।
କାହିଁକି ବା, ଆଉ କାହା ବରାଦରେ ତୁମେ ମୋ ପ୍ରିୟ ମୁହଁର ମାନଚିତ୍ର ବଦଳାଇବ ? ଏତିକି ପଚାରିବାକୁ ମନ ଉବୁକା ମାରିଥିଲେ ସୁଦ୍ଧା ରମାଙ୍କର ସାହାସ କୁଳୋଉ ନ ଥାଏ ।
ଦିନେ ସନ୍ଧ୍ୟାରେ ଏକ ବାହାଘର ଭୋଜିକୁ ଯିବାର ପ୍ରସ୍ତୁତିରେ କାନ୍ତ କହିଲେ, ହେ ଶୁଣୁଚ ? ମୋ ଟୁର୍ କିଟ୍‌ରୁ ଆଇବ୍ରୋ ପେନ୍‌ସିଲ୍‌ଟା ଆଣିଲ ।
କଣ ହବ ?
ନିଶ ବହୁତ ପାଚି ଗଲାଣି ।
ଟିକେ ଘଷି ଦବା ।
ଟୁଇଜର ?
ଗୋଟେ ଅଧେ ଧଳା ଦେଖି ସିନା ଓପାଡ଼ିଦେଉଥିଲି ।
ଏବେ ଅସଂଖ୍ୟ ।
ଟୁଇଜର ବେଶି ବ୍ୟବହାର କଲେ ଡାକ୍ତର ପାଖକୁ ଯିବାକୁ ପଡ଼ିବ ।
ଆଉ ଲିପ୍‌ଷ୍ଟିକ ?
ତୁମେ ନେଇନ କି ? ରୋଜ୍ କଲର୍‌ର ।
ଏକଦମ୍ ମିଶିଯିବ ତୁମ ଓଠ ସହିତ ।
ସେଇଥିପାଇଁ ତ ଆଣିଥିଲି ।
ବହୁତ ଦାମିକା ।
ଦୁଇ ଶହ କେତେ ଟଙ୍କା, ଆଜି ଲଗା, ପ୍ଲିଜ୍ ।
ତୁମେ ସେଇଟା ମୋ ପାଇଁ ଆଣିଥିଲ ? ସତ କହିଲ ।
ମନୋରମା ସ୍ବାମୀଙ୍କ ମୁହଁକୁ ଚାହିଁ ରହିଗଲେ ।
ଇସ୍ କେତେ ଭଲ ମଣିଷଟେ ବିରୁଦ୍ଧରେ ମୁଁ କି ପାପ କଥାସବୁ ନ ଭାବିଚି ଟି ! ମନ ହେଉଥିଲା, ସେଇଠି ତାଙ୍କ କୋଳରେ ଓଜାଡ଼ିହୋଇ ପଡ଼ିବାକୁ ।
ପୁଅ ବଦମାସ ଡ୍ରେସ୍ପଟା ହୋଇ ସେଇଠି ଆସି ନାଚିଲା, ‘ଶୀଘ୍ର ଯିବା’ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment