Commit e56ed65b authored by Nayan Ranjan Paul's avatar Nayan Ranjan Paul

Upload New File

parent b84b33c7
ପରଦା ତଳେ
କିଶୋରୀ ଚରଣ ଦାସ
ତା: ମେ ୭, ୨୦୧୯
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ରୂପେଲି ପରଦାରେ ଫୁଟି ଉଠିଲା କେତେ ରକମର ଛବି-କେତେ ହସକାନ୍ଦର ଅସରନ୍ତି କଥା ।
ଭିକାରୁଣୀ ରୂପରେ କେତେ ରୂପସୀ ‘ତାରକା’ଙ୍କ ରକ୍ତିମ ଅଧରରେ ଖେଳିଗଲା ମନ ଭୁଲାଣିଆ ହସ, କଣ୍ଠରୁ ବାହାରିଲା ସ୍ୱରର ଝଙ୍କାର, କଜଳ-କଳା ଆଖିରୁ ଝରି ପଡ଼ିଲା ବୁକୁଫଟା ଲୁହର ଧାର ।
ଭିକାରୀ ରାଜଦ୍ୱାରରେ ଗାଇଲା ବାଦ୍ୟ ସମ୍ବଳିତ ଭଜନ ।
ଗରିବ ହୋଇ ମଧ୍ୟ, ତାର ସରଳ ଜୀବନ କିପରି ବିତିଗଲା ସୁନ୍ଦର, ମଧୁର ଭାବରେ, ସଂସାରରେ ଦୁଷ୍ଟ ଲୋକଙ୍କର ଶତ ଯାତନା ଏଡ଼ିଦେଇ-ଶେଷରେ କିପରି ହେଲା ସତ୍ୟର ଜୟ-ଧର୍ମର ଜୟ-ଏ ସବୁର ନିଖୁଣ ଛବି ଫୁଟିଉଠିଥିଲା ସେହି ବଡ଼ ସିନେମା ଘରର ଶୁଭ୍ର ପରଦା ଉପରେ ।
କରତାଳି ନାଦରେ ପୂରି ଉଠିଲା ପ୍ରେକ୍ଷାଗୃହ ।
କ୍ରମେ ଆଲୁଅ ଲିଭିଗଲା ଓ ଗୋଟି ଗୋଟି ଦର୍ଶକ ସବୁ ଚାଲି ଆସିଲେ ବାହାରକୁ ।
ସମସ୍ତଙ୍କ ମୁହଁରେ ଗୋଟାଏ କଥା-‘ଚମତ୍କାର’ Marvellous ।
ଚକୋଲେଟ୍‌ ରଙ୍ଗର ମରିସ କାରରେ ବିଲାତି ପୋଷା କୁକୁରଟିଏ ଅପେକ୍ଷା କରିଥିଲା ନିର୍ମଳ ବାବୁଙ୍କ ପାଇଁ ।
ନିର୍ମଳବାବୁ ପଦାକୁ ବାହାରି ଆସି କାଶ୍ମିରୀ ଶାଲ୍‌ଟି ଆଡ଼େଇ ଦେଇ, ତାଙ୍କ ହାତ ମଣିବନ୍ଧରେ ଥିବା ସୁନା ଘଣ୍ଟାଟି ଦେଖି କହି ଉଠିଲେ-‘ By jove ! ସାଢ଼େ ଦଶ ବାଜିଲାଣି ।’
ସଙ୍ଗେ ସଙ୍ଗେ ସେ ଯାଇ ବସିଲେ କାରର ମଖମଲ କୁସନ ଉପରେ ।
ଇଲେକ୍‌ଟ୍ରିକ୍‌ ହର୍ଣ୍ଣ୍‌ ପିଁ ପିଁ ହୋଇ ବାଜି ଉଠିଲା ଓ ଗାଡ଼ି ଚାଲିଲା ବଡ଼ ସହରର ପିଚୁ ଢଳା ରାସ୍ତା ଉପରେ ।
ବାହାରେ ପଉଷ ମାସର କଲିଜା ଥରା ଶୀତ ।
କଳା ରାତି ସାଙ୍ଗରେ କୁହୁଡ଼ି ମିଶିଯାଇ କିଛି ବାରି ହେଉ ନ ଥାଏ ।
ହେମାଳିଆ ପବନରେ ଥରି ଯାଉଥାଏ ଆକାଶ ଧରଣୀ ।
ସବୁଜ ପତରରୁ କାକର ଥୋପା ଥୋପା ହୋଇ ଝରି ପଡ଼ୁଥାଏ, ତରୁଣର ନିରାଶ ପ୍ରାଣର କ୍ରନ୍ଦନ ପରି ।
କିନ୍ତୁ ସେ ବାହାରର ସଂସାର ସହିତ ନିର୍ମଳ ବାବୁଙ୍କ ସମ୍ପର୍କ କ’ଣ ? ରୂପେଲି ପରଦାର ରୂପେଲି ଛବି ଦେଖିଲାବେଳେ ପରଦା ତଳେ କଣ ଅଛି ତା କିଏ କେବେ ଭାବେ କି ?
ଗୋଟାଏ ଛକରେ ଗାଡ଼ି ବୁଲାଇଲା ବେଳେ ମଟରର head light ପଡ଼ିଲା ଗୋଟାଏ କଦାକାର ଜୀବ ଉପରେ ।
ସେ ହେଉଛି ମଣିଷ-କିନ୍ତୁ ଗଛ ତଳର ମଣିଷ-ସଭ୍ୟ, ସୁନ୍ଦର ସମାଜର ରୂପେଲି ପରଦାର ତଳେ କେଉଁ ଅନ୍ଧାରି କୋଣରେ ।
ଆଖିରେ ତାର ବିଭତ୍ସ ଦୃଶ୍ୟ ।
ଅପରିଷ୍କାର କୁତ୍ସିତ ମୁହଁରେ ତାର ଯୁଗଯୁଗର ଆବର୍ଜନା ସତେ ଯେପରି ଠୁଳ ହୋଇ ରହିଛି ।
ସାତ ଜାଗାରେ ଚିରା କୁରୁତା ଉପରୁ ଫୁଟିଉଠୁଛି କଦର୍ଯ୍ୟ କଳା ଚମଡ଼ାର ଅଂଶ, ଯାହାକୁ ଦେଖିଲେ ବିକାର ଜାତ ହେବ ।
ତାର ସେ ରୂପ ଦେଖି ନିର୍ମଳ ବାବୁ ଭାବିଲେ-‘ସିନେମା ଛବିରେ ତ ଏପରି ଭିକାରୀର ରୂପ ନଥିଲା !
ଏହାର ରୂପରେ ତ ନାହିଁ ସରଳ, ଉନ୍ନତ ପ୍ରାଣର ଚିହ୍ନ-ତା’ ବଦଳରେ ହୁଏତ ଅଛି ହତ୍ୟା, ମହାମାରୀର ବିଭୀଷିକା !!
ନାଃ-ଏ ଗୋଟାଏ ମଣିଷ ନାମଧାରୀ ଅସ୍ୱାଭାବିକ ଜନ୍ତୁ, ଏହା ମନେ ମନେ କହି ନିର୍ମଳ ବାବୁ ଦ୍ୱିଗୁଣ ବେଗରେ କାର୍‌ ଚଳାଇବାକୁ ଲାଗିଲେ ।
କାର୍‌ ଆସି ଛିଡ଼ା ହେଲା ‘ନିର୍ମଳ ଭବନ’ର portico ରେ ।
ପୋଷାକଧାରୀ ଚପରାଶି ସଲାମ କରି ସଙ୍ଗେ ସଙ୍ଗେ ଗାଡ଼ିର କବାଟ ଫିଟାଇ ଦେଲା ।
ନିର୍ମଳ ବାବୁ ବାହାରି ଆସିଲେ ବିଲାତି କୁକୁରଟି ସାଙ୍ଗରେ ଧରି ।
ରାତିର କଳା ଅନ୍ଧାର, କୁହୁଡ଼ି ଓ ଶୀତୁଆ ପବନକୁ ପଛରେ ପକେଇ ଦେଇ ସେ ଚାଲିଗଲେ ତାଙ୍କର ବିଜୁଳିଆଲୁଅ ଦିଆ ଘରକୁ ।
Spring ଦିଆ ଗଦି ପଡ଼ିଥାଏ ଚିକ୍‌କଣ କଳା ପଲଙ୍କ ଉପରେ ।
ତା ଉପରେ ଧୋବ ଫରଫର ଚାଦର ।
ତା’ ଉପରେ ଫୁଲ କାମକରା ତକିଆ ଦିଓଟି, ଗୋଟିକରେ ନିର୍ମଳବାବୁ ଓ ଅନ୍ୟଟିରେ ତାଙ୍କ ନବ ପରିଣୀତା ପତ୍ନୀ ସରସୀ ।
ଖିଆପିଆ ସାରି ସେହି କୋମଳ ଶଯ୍ୟାରେ, ସରସୀର ଗଳା ବେଷ୍ଟନ କରି ନିର୍ମଳ ବାବୁ ଭାବିଲେ ‘ ସଂସାରଟା କେତେ ମଧୁର କେତେ ସରସ, କେତେ ସ୍ୱପ୍ନମୟ ସତେ !!
ଠିକ୍‌ ସେହି ସମୟରେ କୃଷ୍ଣ ପକ୍ଷର ଜହ୍ନ ଉଇଁ ଆସିଥିଲା ଦିଗ୍‌ବଧୂର କୋଳରୁ ଓ ସେହି ଫିକା ଆଲୁଅ ମଝିରେ ରାଜପଥରେ ଛିଡ଼ା ହୋଇଥିଲେ ତିନୋଟି ପ୍ରାଣୀ ।
କୁହୁଡ଼ି କାକର, ପବନ ପାଣିରେ ଅସ୍ଥି ମଜ୍ଜା ତାଙ୍କର ଥରି ଯାଉଥିଲା-ଶରୀର ପଙ୍ଗୁ ଓ ଅସଜ ହୋଇ ପଡ଼ିଥିଲା, କିନ୍ତୁ ପେଟ ଭିତରେ ଭୋକର ନିଆଁ ଜଳୁଥିଲା ଦୁଇଗୁଣ ବେଗରେ ।
ତାଙ୍କ ଭିତରୁ ଜଣେ ପୁରୁଷ, ଜଣେ ସ୍ତ୍ରୀ ଓ ଜଣେ ବାଳକ ।
ପୁରୁଷ କହିଲା-‘କିଲୋ, ଆଜି ଖାଇବାକୁ ଅଛି ନା ? ମୋ କପାଳରେ ଆଉ ଭିକ ଜୁଟିବ ନାହିଁ, ଆଉ ତୁ ଯଦି ନ ଆଣିବୁ-
‘ମୁଁ ମାଇପିଟା କଣ ଆଣିବି-ଯାହା ଦି’ଟା ଆଣିଥିଲା ତା’ତ ଟୋକାଟା ଖାଇ ଦେଲା-ଆଉ ମୋ ପାଖରେ କଣ ଅଛି ? ପିଲାଟା ପାଟି କରି ଉଠିଲା-‘ନାଇଁ ମୁଁ ଖାଇନାହିଁ, ମିଛ କହୁଛି- ସେ ନିଜେ’ ।
ପୁରୁଷ ଗର୍ଜି ଉଠି କହିଲା-ଶାଳୀ ମୋତେ ଏମିତି ଭଣ୍ଡଉଛୁ ସବୁ ଦିନେ ।
ଆଜିକୁ ତିନିଦିନ ହେଲା ମୁଁ ଓପାସରେ ଅଛି-ଆଉ ତୁ ମଜାରେ ଖାଉଛୁ ନା ? ବଦମାସ-ଶାଳୀ-
ମାଇପିଟା ଦୁଇ ହାତ ପଛକୁ ଘୁଞ୍ଚିଯାଇ ପାଟି’ କରି ଉଠିଲା-
‘ନାଇଁ ଲୋ, ମୁଁ ଖାଇନାହିଁ ସତ କହୁଛି, ସତ ।
ତା’ କଥା ସରିବା ଆଗରୁ ପୁରୁଷର କଦାକାର ହାତ ଥରି ଥରି ବାଜିଲା ସ୍ତ୍ରୀର ଶୁଖିଲା ପାଉଁଶିଆ ମୁହଁ ଉପରେ ।
ଅବଶ ଦେହରେ ମାଡ଼ ସମ୍ଭାଳି ନ ପାରି ସେ ପଡ଼ିଗଲା ରାସ୍ତା କଡ଼ରେ ।
ପାଖରେ ଥିବା ପଥରରେ କପାଳଟା ବାଡ଼େଇ ହୋଇ ଗଲା-ଝରି ପଡ଼ିଲା ନାଲି ରକତର ଧାର ।
ଧଳା ଚାନ୍ଦିନୀର କୋଳରେ ନାଲି ରକତ ଦିଶିଲା ଉଜ୍ଜ୍ୱଳ, ଶୋଭନୀୟ !!
ପିଲାଟା ଚେଁଚେଁଇ ଉଠିଲା ଗଭୀର ନୈଶ୍ୟ ନିସ୍ତବ୍‌ଧତା ଭେଦ କରି ।
ତା ଆରଦିନ ସକାଳେ ମଧୁର ସ୍ୱପ୍ନର ସଂସାରରୁ ଉଠି ନିର୍ମଳ ବାବୁ ଶୁଣିଲେ ତାଙ୍କର ଚାକରଠାରୁ ଯେ ଗୋଟାଏ ଭିକାରୁଣି ମରି ପଡ଼ିଛି ରାସ୍ତାକଡ଼ରେ ।
କିଏ ମାରିଛି କିଛି ଜଣା ପଡ଼ିନାହିଁ ।
ନିର୍ମଳ ବାବୁଙ୍କର ମନେ ପଡ଼ିଗଲା କାଲି ରାତିରେ ଦେଖିଥିବା କଦାକାର ଭିକାରୀର ବିକୃତ ମୁହଁ ।
ସେ ଭାବିଲେ “ ଓଃ କି ଅସଭ୍ୟ, କୁତ୍ସିତ, ବଦମାସ ଲୋକ ଜଣେ ଜଣେ ଥାଆନ୍ତି ପୃଥିବୀରେ ।”
ଖାଇପିଇ ସାରିଲା ପରେ ରେଡିଓର ସଙ୍ଗୀତ ମୂର୍ଚ୍ଛନା ଶୁଣୁ ଶୁଣୁ ତାଙ୍କୁ କିଏ ଜଣେ କହିଲା ଯେ, ଖୁନୀ ଧରା ପଡ଼ିଛି ଓ ସେ ହେଉଛି ଜଣେ ଭିକାରୀ ।
ତାକୁ ଖୁନୀ ବୋଲି କହିଦେଲା ଗୋଟାଏ ବାର ବରଷର ପିଲା ।
ନିର୍ମଳ ବାବୁ ଯୁଗପତ୍‌ ପ୍ରସନ୍ନ ଓ ଆଶ୍ଚର୍ଯ୍ୟ ହୋଇ ‘ହୁଁ’ ଟିଏ ମାରି ପୁଣି ସଙ୍ଗୀତ ଝଙ୍କାରରେ ଢାଳି ଦେଲେ ତାଙ୍କର ମନ ।
ସନ୍ଧ୍ୟା ନହେଉଣୁ ନିର୍ମଳ ବାବୁ ଦେଖିଲେ ତାଙ୍କ ଦାଣ୍ଡ ଆଡ଼େ ଦୁଇଜଣ ପୁଲିସ ଗୋଟାଏ ଲୋକକୁ ଧରି ନେଉଛନ୍ତି ହାଜତକୁ-ଆଉ ସେ ଲୋକଟା ହେଉଛି ସେହି କାଲି ରାତିର କଦାକାର ମଣିଷ ।
ପଚାରିଲାରୁ ବୁଝିଲେ ଯେ, ସେ ସେହି ଭିକାରୁଣୀକୁ ମାରିଥିବା ଦୋଷରେ ଧରା ହୋଇ ଯାଉଛି ।
ସେ ମନେ ମନେ ଭାବିଲେ-ଓଃ କି କୁତ୍ସିତ କଦର୍ଯ୍ୟ ଲୋକ ! ବିଶ୍ୱବିଧାତାଙ୍କ ଗୋଟାଏ କିମ୍ବୂତ କିମାକାର ସୃଷ୍ଟି !!
ତାଙ୍କ ଭାବନା ସୁଅରେ ବାଧାଦେଇ ଶଶାଙ୍କ ବାବୁ ପହଞ୍ଚିଗଲେ, କହିଲେ “ କିହେ, କାଲି ସିନେମା ଦେଖିବାକୁ ଯାଇଥିଲ ପରା! କିପରି ଲାଗିଲା !”
ଖୁବ୍‌ ଭଲ-‘ବିଶେଷତଃ ଭିକାରୀ ପାର୍ଟଟା ହୋଇଥିଲା ବଡ଼ artstic ଓ true to life’
“ଚାଲ, ଆଜି ଆଉଥରେ ଯିବ ମୋ ସାଙ୍ଗରେ”
‘ହଉ’
ପାଞ୍ଚ ମିନିଟ ପରେ ସୌଖୀନ କାର୍‌ରେ ଦୁଇ ଜଣ ଯାକ ଚାଲିଗଲେ ରୂପେଲି ପରଦାରେ କେଉଁ ଭିକାରୀର ଛବି ଦେଖିବାକୁ ।
୧୯୪୨ ମସିହାରେ ସେତେବେଳର ବହୁଳ ପ୍ରସାରିତ ପତ୍ରିକା ‘ନବୀନ’ରେ ପ୍ରକାଶିତ ଏହି ଗଳ୍ପଟି ଲେଖକଙ୍କର ପ୍ରଥମ ପ୍ରକାଶିତ ଗଳ୍ପ ।
ସେତେବେଳେ ଲେଖକଙ୍କୁ ମାତ୍ର ୧୮ବର୍ଷ ହୋଇଥିଲା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment