Commit f0f6efaf authored by Nayan Ranjan Paul's avatar Nayan Ranjan Paul

Upload New File

parent 02ff1ebc
କବିତା / ଥ୍ରିଲର୍
ନିବେଦିତା ଜେନା, ରାଉରକେଲା
ତା: ମେ ୧୯, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଅଣୁ ଗଳ୍ପ →
ଶ୍ରାବଣର ଏକ ମଖମଲି ଅପରାହ୍ନ ।
ମଝିରେ ମଝିରେ ମେଘ ଗର୍ଜି ଘୋଷଣା କରୁଥାଏ ବର୍ଷାର ଆଗମନୀକୁ ।
ରଜତର ରୁମ୍ ଭିତରକୁ ଝଲ୍‌କା ଝଲ୍‌କା ବିଜୁଳିର ଉଜ୍ଜ୍ବଳତା ଧସେଇପଶୁଥାଏ ।
ରଜତ ପୁଣି ଗୋଟାଏ ଜବରଦସ୍ତ ଦମ୍ ଟାଣି ସିଗାରେଟ୍ ଧୂଆଁକୁ କୁଣ୍ଡଳୀ ଆକାରରେ ଛାଡ଼ିଲା ଓ ସେହି ଧୂଆଁ ମଧ୍ୟରେ ଶ୍ରାବଣୀର ନିରାବରଣ ଶରୀରକୁ ଦେଖି ଶିହରିଉଠିଲା ।
ଆଜିର ସ୍ବପ୍ନିଳ ସନ୍ଧ୍ୟାକୁ ତୁଛ କରିଦେବାକୁ ଆଦୌ ଇଚ୍ଛା ନ ଥିଲା ରଙ୍ଗୀନ୍ ମିଜାଜୀ ରଜତର ।
ଝିପ୍ଝିପ୍ ବର୍ଷା ସାଙ୍ଗକୁ ହାତରେ ସୁରା ଓ ବାହୁରେ ଶ୍ରାବଣୀ ।
ଆଃ…, ରଜତର ତଣ୍ଟି ଶୁଖିଗଲା ।
ହ୍ବିସ୍କୀର ଦ୍ବିତୀୟ ପେଗ୍‌ରେ ଓଠ ଲଗାଇଲା ସେ ।
ଯଦିଓ ଖୁବ୍ ନାରୀସକ୍ତ ରଜତ କିନ୍ତୁ ସ୍ବାସ୍ଥ୍ୟସଚେତନ ମଧ୍ୟ ।
ତେଣୁ ସେ ନିଜର ସୁନ୍ଦର ଶରୀର ଓ ବାକ୍ଚାତୁର୍ଯ୍ୟକୁ ଆୟୁଧ କରି ବନିଶୀ ପକାଏ ଘରୋଇ ପୋଖରୀଗୁଡ଼ିକରେ ।
ବେଶ୍ କିଛି ଦିନ ହେବ ତା ନଜର ପଡ଼ିଛି ଶ୍ରାବଣୀ ଉପରେ ।
ଶ୍ରାବଣୀ, ଇଞ୍ଜିନିୟର ଇନ୍ଦ୍ରଜିତ୍ ଦାସଙ୍କ ସହଧର୍ମିଣୀ ।
ସେ କବିତାକୁ ଭଲ ପାଆନ୍ତି ଓ କବିଙ୍କୁ ପ୍ରଚୁର ସମ୍ମାନ କରିନ୍ତି ବୋଲି ଇନ୍ଦ୍ରଜିତ୍ କିଛି ଦିନ ତଳେ ଜୋର୍ କରି ଧରିନେଇଥିଲେ ସାଥୀ ଇଞ୍ଜିନିୟର ତଥା କବି ରଜତଙ୍କୁ ।
ପ୍ରଥମ ଦେଖାରେ ହିଁ ରଜତର ପରଖିଲା ଆଖି ଶ୍ରାବଣୀକୁ ଚିହ୍ନିନେଇଥିଲା ।
ଛଳଛଳ କଳକଳ ପାହାଡ଼ୀ ଝରଣା ଭଳି ଚପଳ ଓ ସ୍ବଚ୍ଛ ଶ୍ରାବଣୀକୁ କବିତା ଶୁଣେଇ ସହଜରେ ବଶ କରିନେଇହେବ ବୋଲି ମନେ ହୋଇଥିଲା ତା’ର ।
ସୁଯୋଗ ବି ଆସି ପହଞ୍ଚିଥିଲା ଶୀଘ୍ର ।
ଇନ୍ଦ୍ରଜିତ୍ କିଛି ଦିନ ପାଇଁ କମ୍ପାନୀ ତରଫରୁ ଟୁର୍‌ରେ ଯାଇଥିଲା ।
ମଦ ପିଉପିଉ ରଜତ ଭାବିଲା, ଏ ସନ୍ଧ୍ୟାକୁ ବେଶ୍ ଉପଭୋଗ କରାଯାଇପାରିବ ଶ୍ରାବଣୀର ସାନ୍ନିଧ୍ୟରେ ।
ବାହାରେ ଝିପ୍ଝିପ୍ ବର୍ଷା ।
ଶ୍ରାବଣୀ ବୋର୍ ହେଉଥିଲା ଖାଲି ଟିଭି ଦେଖିଦେଖି ।
ଏତେ ଜଲଦି ଶୋଇବାର ଅଭ୍ୟାସ ତା’ର ନାହିଁ ।
ଭୋକ ବି ଲାଗି ନ ଥିଲା ।
ସମୟ କାଟିବାକୁ ସେ ବହି ଥାକରୁ ‘ମେଘଦୂତମ୍’ ଆଣି ପଢୁଥିଲା ।
ଠକ୍ଠକ୍ ଶବ୍ଦରେ କବାଟ ଖୋଲି ସେ ଦେଖେ ତ- କବି ରଜତ ।
ଶ୍ରାବଣୀ ଖୁସି ହୋଇଗଲା, ଆଃ, ଆଜିର ସନ୍ଧ୍ୟାଟା କବିତା ଓ ଚା’ ସହ ଖୁବ୍ ସୁନ୍ଦର ଭାବେ କଟିଯିବ ତ! ଶ୍ରାବଣୀ ରୋଷେଇ ଘରକୁ ଚା’ କରିବାକୁ ଗଲା ।
ରଜତ ମଧ୍ୟ ତା’ ପଛେପଛେ ଯାଇ ହାଜର ।
ରଜତର ଆଖି ଅଲଗା ଲାଗୁଥିଲା, କେମିତି ଗୋଟେ ।
ତାକୁ ଦେଖି ନିଜ ଆଖିକୁ ବିଶ୍ବାସ କରିପାରିଲାନି ଶ୍ରାବଣୀ ।
ଅବିଶ୍ବାସ ଓ ଦୁଃଖରେ ସ୍ତବ୍ଧ ହୋଇଗଲା ।
ରଜତ କିନ୍ତୁ ତା’ର ନିରବତାକୁ ସମ୍ମତିର ଲକ୍ଷଣ ମନେ କରି ଆହୁରି ଆଗେଇଲା ।
ନିଜକୁ ରକ୍ଷା କରିବାର ଅନ୍ୟ ଉପାୟ ନ ପାଇ ଶ୍ରାବଣୀ ଚା’ ସସ୍‌ପେନ୍‌ ଉଞ୍ଚେଇଲା…. ।
ବର୍ଷାର ବେଗ ବଢ଼ିବଢ଼ି ଚାଲିଥାଏ ।
ରଜତ ଛକରେ ଠିଆ ହୋଇଥାଏ ।
ବାଁ ପଟ ମୁଣ୍ଡର ଫୁଲା ଜାଗାରେ ହାତ ମାରି ଦେଖିଲା, ଏବେ ବି ବେଦନା ଅଛି ।
ସସ୍‌ପେନ୍‌ ମାଡ଼ ଖାଇ ଶ୍ରାବଣୀ ଘରୁ ପଳାଇଆସିଲା ବେଳେ ତାକୁ ପଛରୁ ଶୁଭୁଥିଲା- ମୋ ବେଡ୍‌ରୁମ୍‌ରେ ପଶିବାର ସ୍ବପ୍ନ କ’ଣ ଦେଖୁଛନ୍ତି, ମୋ ଡ୍ରଇଂ ରୁମ୍‌ରେ ମଧ୍ୟ ବସିବାର ଯୋଗ୍ୟତା ଆପଣଙ୍କର ନାହିଁ ।
ଶବ୍ଦଗୁଡ଼ାକର ପ୍ରତିଧ୍ବନୀ ସେ ପର୍ଯ୍ୟନ୍ତ ତା’ ଛାତିରେ ବାଡ଼େଇହେଉଥିଲା ।
ଘର ବାହାରେ ଗାଡ଼ି ରାତିସାରା ଠିଆ ହୋଇରହିଥିଲେ ଲୋକେ ସନ୍ଦେହ କରିପାରନ୍ତି ଭାବି ରଜତ ଗାଡ଼ି ନେଇ ନ ଥିଲା ।
ହେଲେ ସନ୍ଧ୍ୟାପରେ ବର୍ଷାର ପ୍ରକୋପ ଏତେ ବଢ଼ିଯିବ ବୋଲି କିଏ ଜାଣିଥିଲା ।
ରାସ୍ତାଘାଟ ଏବେ ଶୂନ୍ଶାନ୍ ।
ଟେମ୍ପୋ କିମ୍ବା ଟାକ୍ସି ଦୂରେ ଥାଉ, ରିକ୍ସାଟିଏର ମଧ୍ୟ ଦେଖାଦର୍ଶନ ନାହିଁ ।
ଘରକୁ କେମିତି ଯିବ ଚାଲିଚାଲି !
ପରିସ୍ଥିତିରୁ ମୁକୁଳିବାର ନୂଆ କିଛି ଯୋଜନା କରୁକରୁ ଆରପଟରୁ ଗୋଟେ କାର୍ ଆସୁଥିବାର ଦେଖାଗଲା ।
ରଜତର ହାତ ତା’ ଅଜାଣତରେ ଲିଫ୍ଟ୍ ମାଗିବା ଭଙ୍ଗୀରେ ଉପରକୁ ଉଠିଗଲା ।
କାର୍ ରହିଲା ତା’ ପାଖରେ ।
ପଛପାଖ ଦରଜା ଖୋଲିଦେଲେ ଜଣେ ମହିଳା ।
ଅବଶ୍ୟ ମେକ୍ଅପ୍‌ରେ ହେଉ କିମ୍ବା ଆଲୋକର ସ୍ବଳ୍ପତାରେ, ବୟସ କିମ୍ବା ସୌନ୍ଦର୍ଯ୍ୟ କିଛି ଠିକ୍‌ରେ ଜଣା ପଡୁ ନ ଥିଲା ।
କାଳବିଳମ୍ବ ନ କରି କାର୍ ଭିତରକୁ ଲମ୍ଫ ଦେବା ପ୍ରାୟ ପଶିଗଲା ରଜତ ।
ସମ୍ଭ୍ରାନ୍ତ ମହିଳାଙ୍କ ନିମନ୍ତ୍ରଣ ଏଡ଼ାଇ ନ ପାରି ରଜତ ତାଙ୍କ ସହ ଗଲା ତାଙ୍କ ଘରକୁ ।
ଖୁବ୍ ସୁଦୃଶ୍ୟ ତଥା ନିରୋଳା ଅଟ୍ଟାଳିକା ।
ଭବ୍ୟ ଡ୍ରଇଂରୁମ୍ ପାର ହୋଇ ବିଳାସମୟ ଶୟନ କକ୍ଷକୁ ତାଙ୍କୁ ନେଇଗଲେ ଭଦ୍ର ମହିଳା ।
ସମାନ୍ୟ କଥୋପକଥନ ମଧ୍ୟରେ ଅତ୍ୟନ୍ତ ଘନିଷ୍ଠ ହୋଇଆସିଲେ ସେ ।
ଶୟନ କକ୍ଷରେ ଥିବା ବାର୍‌ରୁ ଦୁଇଟି ଗ୍ଲାସ୍‌ରେ ମଦ ଢ଼ାଳି ଗୋଟିଏ ରଜତ ଉଦ୍ଦେଶ୍ୟରେ ବଢ଼ାଇଦେଲେ ।
ରଜତ ଓଠରେ ଗ୍ଲାସ୍ ଲଗଉଲଗଉ ତା’ ମନ ଭିତରକୁ ଶ୍ରାବଣ ରାତିକୁ ନେଇ ଗୋଟେ କବିତାର ପଦଟିଏ ଆସିଗଲା ।
କିନ୍ତୁ କବିତା-ବୀତସ୍ପୃହ ଭଦ୍ରମହିଳା ବାଥରୁମ୍କୁ ଚାଲିଗଲେ ଫ୍ରେସ୍ ହେବାକୁ ।
ଝର୍କା ବାହାରର ବର୍ଷାକୁ ଉପଭୋଗ କରୁକରୁ ରଜତ ମନେ ପକାଇଲା ଶ୍ରାବଣୀକୁ ।
ତାକୁ ହଠାତ୍ ସବୁ କିଛି କେମିତି ଗୋଟେ ଖାଲି ଖାଲି ଲାଗିଲା ।
ଏହାପରେ ଘଟିଥିବା ଘଟଣା ସବୁ ରଜତର ଭାବନା ପରିଧିର ବାହାରେ ଥିଲା ।
ବାଥ୍‌ରୁମ୍‌ରୁ ସ୍ବଳ୍ପ ପୋଷାକରେ ଫେରିଆସିଲେ ସେହି ମହିଳା ।
ତା’ପରେ ତାଙ୍କ ବୟସ ଓ ମେଦ କ୍ରମଶଃ ରଜତ ଆଖି ଆଗରେ ସ୍ପଷ୍ଟ ହୋଇଉଠିଲା ।
ସେ ସ୍ବପ୍ନପୁରୀ ଏବେ ତାକୁ ପ୍ରେତପୁରୀ ମନେ ହେଲା ।
ରଜତ ସେଠାରୁ ଧାଇଁ ପଳେଇବାକୁ ଚାହିଁ ବିଫଳ ହେଲା ।
ତାକୁ ଜୋର୍ କରି ଅଟକାଇ ଧରି ମହିଳା ଦରଜା ବନ୍ଦ କରିଦେଲେ ।
ବାହାରେ ରାତି ସାରା ଭୀଷଣ ବର୍ଷା ।
ସେ ବର୍ଷା ରାତିସାରା କମିବାର ନାମ ନେଲାନି ।
ରଜତ ଶ୍ରାବଣୀ ସହ ଯାହା ଯାହା ଘଟନା ଘଟେଇବାକୁ ଚାହୁଁଥିଲା; ସେଇ ନିବୁଜ କୋଠରିରେ ସବୁ ଗୋଟିକ ପରେ ଗୋଟିଏ ଘଟିଚାଲିଥିଲା ।
ତଫାତ୍ କେବଳ ଏତିକି ଯେ, ରଜତ ନିଜ ଭୂମିକାରେ ଅବତୀର୍ଣ୍ଣ ନ ହୋଇ ଶ୍ରାବଣୀର ଭୂମିକାରେ ଥିଲା ।
ସକାଳ ହେଲା ।
ଧର୍ଷିତା ନାରୀର କୋହ ପରି ଆକାଶରେ ମେଘ ଖଣ୍ଡମାନ ଆହୁରି ଗୁମୁରୁଥିଲେ ।
ନାଲି କାର୍‌ଟି ରଜତକୁ ତା’ ଘର ପାଖରେ ଛାଡ଼ିଦେଇ କେତେବେଳୁ ଯାଇସାରିଥିଲା ।
ରଜତ ଗେଟ୍ ଆଗରେ ଠିଆ ହୋଇ ଆକାଶରୁ ଚାହିଁଚାହିଁ ଭାବୁଥିଲା- ଶ୍ରାବଣ ରାତିକୁ ନେଇ କେବଳ କବିତା କାହିଁକି, ଭଲ ଥ୍ରିଲର୍ ବି ଲେଖାଯାଇପାରେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment