Commit f394f6a7 authored by Nayan Ranjan Paul's avatar Nayan Ranjan Paul

Upload New File

parent c31565ff
ଶିକାର
- ଭଗବତୀ ଚରଣ ପାଣିଗ୍ରାହୀ
ତା: ଅକ୍ଟୋବର୍ ୨୫, ୨୦୧୧
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ସେ ଅଞ୍ଚଳରେ ଘିନୁଆର ନାମ ବିଖ୍ୟାତ ।
ଶିକାରୀ ହିସାବରେ ଜଣା ।
ତା’ର ପ୍ରଥମ ଅସ୍ତ୍ର ନିଜର ହାତ ତିଆରି ଧନୁଶର ।
ସେ ତୀର ମାରିଲା ବେଳେ ଚିତ୍‌ ହୋଇ ଶୋଇପଡ଼େ, ବାଁ ପାଦଟି ଧନୁରେ ଲଗାଇ ଦେଇ କାନ ପର୍ଯ୍ୟନ୍ତ ତୀରଟି ଟାଣି ନେଇ ଛାଡ଼ିଦିଏ ।
ମାଇଲିଏ ଦୂରରୁ ତୀର ମାରି ସେ ଲାଖ ବିନ୍ଧିପାରେ ।
ଏଇ ଧନୁଶର ସାହାଯ୍ୟରେ ସେ ହରିଣ, ସମ୍ବର, ବାରହା, ଭାଲୁ ମାରିଛି ଅଗଣନ; ଚତାବାଘ ବି ମାରିଛି ଅନେକ ।
କିନ୍ତୁ ମହାବଳ ମାରିଛି ମୋଟେ ଦୁଇଟି ।
ମହାବଳ ଦୁଇଟି ମାରି ସେ ଡେପୁଟି କମିଶନ୍ଙ୍କଠାରୁ ବେଶ୍‌ ପୁରସ୍କାର ପାଇଛି ମଧ୍ୟ ।
ସେଦିନ ଭୋରରୁ ସେ ଏକ ଅଦ୍ଭୁତ ଶିକାର ନେଇ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ।
ଗୋଟିଏ କାନ୍ଧରେ ତା’ର ଧନୁଟି ଝୁଲିଛି, ହାତରେ ଦି’ତିନିଟା ତୀର, ଆଉ କାନ୍ଧରେ ଟାଙ୍ଗିଆଟି ପଡ଼ିଛି ।
ଘିନୁଆକୁ ଏ ବେଶରେ ଦେଖି ଅର୍ଦ୍ଦଳି ପଚାରିଲା- ‘କିରେ, ଆଜି କି ଶିକାର ଆଣିବୁ ?’
ଘିନୁଆ ସଙ୍ଗେ ତା’ର ଭଲ ଜଣାଶୁଣା ।
ତା’ର ବକ୍‌ସିସର ଅଂଶୀଦାର ସେ କେତେଥର ହୋଇଛି ।
ଉତ୍ତରରେ ଘିନୁଆ ତା’ ମଇଳା ଦାନ୍ତ ଦୁଇଧାଡ଼ି କେବଳ ଦେଖାଇଲା ।
ସେ ହସିଲା କି ଖେଁକିଲା ଜାଣିବାର ଉପାୟ ନାହିଁ ।
ପ୍ରକୃତରେ ହସ ବୋଲି ଯାହାକୁ କୁହାଯାଏ, ଘିନୁଆ ଠାରେ ତାହା କେହି କେବେ ଦେଖି ନାହିଁ ।
ବେଳେବେଳେ ସେ ଏହିପରି ଦାନ୍ତ ଦେଖାଏ ।
ତାହା ହସ ନୁହେଁ କି କାନ୍ଦ ନୁହେଁ- କେବଳ ଦାନ୍ତ ଦେଖା ।
ଅର୍ଦ୍ଦଳି ପଚାରିଲା, ‘କି ବେ, କି ଶିକାର ଆଣିଚୁ ?’
ଘିନୁଆ ତାହାର ଗାମୁଛାରେ ବନ୍ଧା ହୋଇଥିବା ଗୋଟିଏ ପଦାର୍ଥକୁ ଦେଖାଇ କହିଲା ଯେ ସେ ଆଜି ଏକ ମସ୍ତ ଜାନୁଆର ଶିକାର କରିଛି ।
ଅର୍ଦ୍ଦଳି ପଚାରିଲା, ‘ବାଘ’ ?
ଘିନୁଆ ମୁଣ୍ଡ ହଲାଇ ନାହିଁ ଜଣାଇଲା ।
‘ତେବେ କ’ଣ, ଚିତା… ଭାଲୁ…ବାର୍‌ହା.. ?’
ଘିନୁଆ କେବଳ ମୁଣ୍ଡ ହଲାଇଗଲା ।
‘ଆଉ ତେବେ କ’ଣ ବେ ?’
ଗୋଳମାଳ ଶୁଣି ସାହେବ ବଙ୍ଗଳା ଭିତରୁ ବାହାରି ଆସିଲେ ।
ଘିନୁଆ ମୁଣ୍ଡିଆମାରି ସାହେବଙ୍କୁ ସେହିପରି ଦାନ୍ତ ଦେଖାଇଲା ।
ସାହେବ ଶିକାରର ଚେହେରାକୁ ଦେଖିବାକୁ ଔତ୍ସୁକ୍ୟ ପ୍ରକାଶ କରିବାରୁ ଘିନୁଆ ଗାମୁଛା ଭିତରୁ ବାହାରକରି ସାହେବଙ୍କ ପାଦ ତଳେ ଥୋଇଲା ଗୋଟିଏ ସଜକଟା ମଣିଷ ମୁଣ୍ଡ ।
ସାହେବ ଚମକି ପଡ଼ି ପାହୁଣ୍ଡେ ହୁଇ ପାହୁଣ୍ଡେ ପଛେଇଗଲେ ।
ଘିନୁଆ ହାତ ବଢ଼ାଇ ମାଗିଲା, ‘ସାହେବ, ବକ୍‌ସିସ୍‌ ।’
କିଛିକ୍ଷଣ ପରେ ମନକୁ ସମ୍ଭାଳିନେଇ ସାହେବ ଘିନୁଆକୁ ବକ୍‌ସିସ୍‌ ପାଇଁ ଅପେକ୍ଷା କରିବାକୁ ଇସାରା କଲେ ଏବଂ ଭିତରକୁ ଯାଇ ଫୋନ୍‌ ଦ୍ବାରା ସଶସ୍ତ୍ର ପୋଲିସ ଫୌଜ ଡକାଇଲେ ।
ଏହା ବ୍ୟତୀତ ଘିନୁଆକୁ ଜବତ୍‌ କରିବାର ଉପାୟ ନାହିଁ ।
ଦେହରେ ତା’ର ଗୋଟାଏ ଅସୁରର ବଳ ।
ହାତରେ ପୁଣି ତା’ର ଧନୁଶର ଓ ଟାଙ୍ଗିଆ ରହିଛି ।
ଯେତେବେଳେ ହାତକଡ଼ି ଗୋଡ଼କଡ଼ି ପିନ୍ଧି ଘିନୁଅକୁ ହାଜତରେ ରହିବାକୁ ହେଲା, ସେ କିଛି ବୁଝିପାରିଲା ନାହିଁ ।
ତାକୁ ଏପରି ଭାବରେ ଅଟକାଇ ରଖିବାର ମତଲବ କ’ଣ ? ସୁବିଧା ପାଇଲେ ସେ କାହାରି କହାରିକୁ ଏ ବିଷୟରେ ପଚାରେ ।
କିଏ କହେ ତା’ର ଫାଶୀ ହେବ, କିଏ କହେ ସେ ଯିବ କଳାପାଣି ।
କାହିଁକି ? ସେ ଏମିତି କି ଅପରାଧ କରିଛି କି ? କିଛି ବୁଝି ନପାରି ସେମାନଙ୍କ କଥାକୁ ସେ ବିଶ୍ବାସ କରିପାରିନାହିଁ ।
ଶେଷରେ ଦିନେ ଡେପୁଟି କମିଶନର ପରିଦର୍ଶନ କରିବାକୁ ଆସିଥିଲେ ।
ସେ ତାଙ୍କୁ ହିଁ ସବୁ ହାଲ୍‌ ପଚାରିଲା ।
ସେ କହିଲେ ଯେ ପୂର୍ବରୁ ସେ ବାଘ, ଭାଲୁ ମାରୁଥିଲା ବୋଲି ସଙ୍ଗେ ସଙ୍ଗେ ବକ୍‌ସିସ୍‌ ପାଉଥିଲା ।
ଏବେ ମାରିଛି ମଣିଷ ।
ଏଥର କି ବକ୍‌ସିସ୍‌ ପାଇବ ତାହା ପାଞ୍ଚ, ଛ’ଜଣ ତ ଫେର ବୁଝିବିଚାରି ଠିକ୍‌ କରିବେ ।
ଏହି କଥାଟା ହିଁ ଘିନୁଆ ମନକୁ ମାନିଲା ।
ଯେଉଁଦିନ ତା’ର ବିଚାର ହେଲା, ଘିନୁଆ ମନେ ମନେ ଭାବିଲା, ସେଦିନ ତାକୁ ବକ୍‌ସିସ୍‌ ମିଳିବ ।
ସେ ଉତ୍ସାହିତ ହୋଇ ଜଜ୍‌ଙ୍କ ଆଗରେ ସବୁ ବିବରଣ କହିବାକୁ ଲାଗିଲା ।
ସେ ଯେ ଗୋବିନ୍ଦ ସର୍ଦାରକୁ ହାଣିଲା, ସେଥିପାଇଁ ତାକୁ କମ୍‌ କଷ୍ଟ କରିବାକୁ ପଡ଼ିନାହିଁ ।
ଆଉ ଅନେକ ଲୋକ ତାକୁ ମାରିବାକୁ ଛକିଥିଲେ, କିନ୍ତୁ କେହି ପାରିନଥିଲେ ।
ଗୋବିନ୍ଦ ସରଦାର, ଯେ ସବୁବେଳେ ମଟରରେ ଯିବାଆସିବା କରେ ।
ସେ ତା’ର ଧନ ସମ୍ପତ୍ତି କମେଇଛି ଅନ୍ୟ ସମସ୍ତଙ୍କୁ ଲୁଟିକରି ।
ବଡ଼ ସଇତାନ ଲୋକ ଥିଲା ସେ ।
କେତେ ଲୋକଙ୍କୁ ସେ ମାରିଛି, କେତେ ଲୋକଙ୍କୁ ଉଚ୍ଛନ୍ନ କରିଛି, କେତେ ସ୍ତ୍ରୀ ଲୋକଙ୍କର ଇଜ୍ଜତ ନେଇଛି, ତାହାର ଠିକଣା ନାହିଁ ।
ଘିନୁଆର ସବୁ ଜମିବାଡ଼ି ମଧ୍ୟ ନେଇ ନିଜର କରିଛି ।
ସେଦିନ ସନ୍ଧ୍ୟାରେ ଘିନୁଆର ସ୍ତ୍ରୀ ଉପରେ ଅତ୍ୟାଚାର କରିବାକୁ ବସିଥିଲା ।
ଏତେବଡ଼ ବହପ ! ଘିନୁଆକୁ ଦେଖି ମଟରରେ ପଳାଉଥିଲା ।
ତା’ ହାବୁଡ଼ରୁ ଖସି ଚାଲିଯିବ ! ତା’ର ମଟର ଚକକୁ ତୀର ମାରି ଘିନୁଆ ମଟରକୁ ଅଚଳ କରିଦେଲା ।
ତା’ପରେ ଟାଙ୍ଗିଆରେ ତା’ର ମୁଣ୍ଡଟି କାଟିଦେଇ ସିଧା ଦୌଡ଼ିଲା, ରାତାରାତି ବଣ ଜଙ୍ଗଲ ଭିତରେ ଦେଇ ।
ତିରିଶ ମାଇଲ୍‌ ରାସ୍ତା ଏକା ନିଶ୍ବାସକେ ଦୌଡ଼ି, ସେ ଡେପୁଟି କମିଶନରଙ୍କ ବଙ୍ଗଳା ପାଖରେ ହାଜର ହେଲା ।
ଗୋବିନ୍ଦ ସର୍ଦାର ସାମାନ୍ୟ ଲୋକ ନୁହେଁ ।
ହାତରେ ତା’ର ଥାଏ ସବୁବେଳେ ବନ୍ଧୁକ ।
ବାଘ ଭାଲୁଙ୍କ ଅପେକ୍ଷା ଲୋକେ ତାକୁ ବେଶୀ ଭୟ କରନ୍ତି ।
ବାଘ-ଭାଲୁଙ୍କ ଅପେକ୍ଷା ସେ ଲୋକଙ୍କର କ୍ଷତିକରେ ଢେର ବେଶୀ ।
ତାକୁ ମାରିବା ପାଇଁ ଘିନୁଆ କମ୍‌ ସାହସ ଓ ବିଚକ୍ଷଣତା ଖର୍ଚ୍ଚ କରିନାହିଁ ।
କିଛି ବର୍ଷ ତଳେ ମେଳିଆ ଝପଟ ସିଂର ମୁଣ୍ଡ କାଟିଥିବାରୁ ସାହେବ ଡୋରାକୁ ପାଁଶ ଟଙ୍କା ବକ୍‌ସିସ୍‌ ଦେଇଥିଲା ।
ଝପଟ ସିଂ ତ ଏକରକମର ଭଲ ଲୋକ ଥିଲା ।
ସେ ସ୍ତ୍ରୀଲୋକଙ୍କ ଇଜ୍ଜତ ନେଇ ନାହିଁ କି କାହାରି ଜମିବାଡ଼ି ଦଖଲ କରି ନାହିଁ ।
ସେ କେବଳ ଖଜଣାଖାନା ଲୁଟି କରିଥିଲା, ଆଉ କେତେଜଣ ସିପାହିଙ୍କୁ ମାରିଥିଲା ।
ଗୋବିନ୍ଦ ସର୍ଦାର କିନ୍ତୁ ବଡ଼ ଭୟଙ୍କର ଲୋକ ।
ତାକୁ ମାରିଥିବାରୁ ଘିନୁଆକୁ ଅଧିକ ବକ୍‌ସିସ୍‌ ମିଳିବା ଉଚିତ୍‌ ।
ଘିନୁଆର ଗଳ୍ପ ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ ।
ଜଜ୍‌ ସାହେବ ହସି ହସି କହିଲେ, ‘ହଁ ଉପଯୁକ୍ତ ବକ୍‌ସିସ୍‌ ଦିଆଯିବ ।’
ସରକାରୀ ଓକିଲ କହିଲେ, ‘ତତେ ଏଠାକୁ ଖାସ୍ ଅଣାଯାଇଛି ବକ୍‌ସିସ୍‌ ଦିଆଯିବା ଲାଗି ।’
ଘିନୁଆ ଏହାକୁ ପରିହାସ ନମଣି ସତ ବୋଲି ମନେକଲା ।
କାରଣ ହସ କୌତୁକ, ଥଟ୍ଟା ପରିହାସ ସେ ଜାଣେନାହିଁ ।
ତା’ର ଯେ ନିତାନ୍ତ ନିପଟ ରସଶୂନ୍ୟ ପ୍ରକୃତି ।
ଶେଷରେ ରାୟ ଦିଆଗଲା – ପ୍ରାଣଦଣ୍ଡ ।
ଘିନୁଆ ଏହାର କୌଣସି ଅର୍ଥ ବୁଝିଲା ନାହିଁ ।
ପୁଣି ଜେଲ୍‌କୁ ଫେରାଇ ତାକୁ ବୁଝାଇ ଦିଆଗଲା ଯେ, ତା’ର ବକ୍‌ସିସ୍‌ ପାଇବାର ଦିନ ଆସୁଛି ।
ଘିନୁଆ ସେ ପର୍ଯ୍ୟନ୍ତ ବୁଝିଲାନାହିଁ ଯେ ସେ ଜଣେ ଅପରାଧୀ ଓ ସେଥିଲାଗି ତାକୁ ପ୍ରାଣଦଣ୍ଡ ଆଦେଶ ହୋଇଛି ।
ଝପଟ ସିଂକୁ ମାରିବା ଓ ଗୋବିନ୍ଦ ସର୍ଦାରଙ୍କୁ ମାରିବା ଯେ ଏକାକଥା ନୁହେଁ, ତାହା ସେ ବୁଝିବ କାହୁଁ ? ସେ ଜାଣିଲା ନାହିଁ ଯେ ଗୋଟିଏ ଗୌରବର ବିଷୟ, ଅନ୍ୟଟି ଦୋଷାବହ ! ଆଇନର ସୂକ୍ଷ୍ମ ଜାଲ ଭିତରେ ପଶିବାକୁ ତା’ର ମୁଣ୍ଡ ନାହିଁ ।
ସେ ଯେ ବଣୁଆ ସାନ୍ତାଳ !
ସେ ମନେ ମନେ ଭାବେ, ଡୋରା ପାଁଶ ଟଙ୍କା ପାଇଛି ଝପଟ ସିଂକୁ ମାରି ।
ସେଥିରୁ ବେଶି ନଦେଲେ କାହିଁକି ନେବ ? ସବୁ ଫେରାଇଦେଇ କହିବ, ‘କିଛି ନ ଦିଅ ପଛେ ସାହେବ, ଡୋରା ଠାରୁ ବେଶୀ ପାଇବାର ମୋର ହକ୍‌ ।’
ଜେଲ୍‌ରେ ଅନ୍ଧାରିଆ ନିର୍ଜନ ଗୁମ୍ଫାରେ ରହି ସେ କେତେ କ’ଣ ଭାବେ ।
କଥାବାର୍ତ୍ତା କରିବାକୁ ସେ କାହାରିକି ଦେଖେ ନାହିଁ ।
କଥାବାର୍ତ୍ତା କରିବାକୁ ବି ତା’ର ଆଗ୍ରହ ନଥାଏ ।
କେବଳ ବକ୍‌ସିସ୍‌ ପାଇ ଘରକୁ ଫେରିବାକୁ ତା’ର ମନ ଛଟପଟ ହେଉଥାଏ ।
ଶେଷରେ ତା’ର ଫାଶୀର ଦିନ ଆସିଲା ।
ତାକୁ ପଚରାଗଲା, ତା’ର ଶେଷରେ କ’ଣ ଦରକାର ।
ସେ କହିଲୋ, ‘ମୋର ବକ୍‌ସିସ୍‌ ।’
‘ଆଚ୍ଛା, ବକ୍‌ସିସ୍‌ ପାଇବୁ ଆ’ କହି ତାକୁ ନେଇଗଲେ ।
ମୁଣ୍ଡରେ ତା’ର ଗୋଟିଏ କଳାକନାର ଖୋଳ ପିନ୍ଧାଇ ଦିଆଗଲା ।
ଘିନୁଆ ମନେ ମନେ ବିଚାରିଲା – ଆଖିରେ ଅନ୍ଧ ପୋଟଳି ଦେଇ ହାତରେ ତା’ର ସୁନାରୂପା ଢାଳି ଦିଆଯିବ ।
ସରକାର ଘରର କେତେ ଫନ୍ଦିଫିକର, କାଇଦା କଟକଣା ଅଛି, ଖାଲି ସିମିତି କ’ଣ ବକ୍‌ସିସ୍‌ ଦିଆଯିବ ?
ସେ ଘରକୁ ଫେରି ସବୁ ଦେଖାଇବ ।
କି ଖୁସି ହେବ ସ୍ତ୍ରୀ ତା’ର ସେ ସବୁ ଦେଖି ! ଭଲ ଘରଦ୍ବାର କରି, ଜମିବାଡ଼ି ଚଷି ସେ ସୁଖରେ ରହିବ ।
ଆଉ ତ ଗୋବିନ୍ଦ ସର୍ଦାର ନାହିଁ ଯେ ସବୁ ଲୁଟିକରି ନେବ ।
ହଠାତ୍‌ କ’ଣ ଗୋଟିଏ ଆସି ତା’ ବେକରେ ବାଜିଲା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment