Commit 1b73a95e authored by Nayan Ranjan Paul's avatar Nayan Ranjan Paul

Upload New File

parent 097b3ed3
ଓଡ଼ିଆରେ ଓଡ଼ିଆ : ଆମେ ଅଣଓଡ଼ିଆ
ନୀଳାମ୍ବର ବିଶ୍ବାଳ
ତା: ମାର୍ଚ୍ଚ୍ ୧୫, ୨୦୧୧
ମୂଳ ପୃଷ୍ଠା → ଭାଷା ଓ ସାହିତ୍ୟ ଆଲୋଚନା →
ସାରା ଭାରତରେ ଦୁଇ ପ୍ରକାରର ସରକାରୀ କର୍ମଚାରୀ- ଥୋକେ ରାଜ୍ୟ ସରକାରଙ୍କର, ଆଉ ଥୋକେ କେନ୍ଦ୍ର ସରକାରଙ୍କର ।
ଭାରତ ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଭାରତୀୟ କର୍ମଚାରୀ ଚୟନ ଆୟୋଗ(ଏସ୍‌ଏସ୍‌ସି) ବାଛନ୍ତି ।
ସେହିପରି ଓଡ଼ିଶା ସରକାରଙ୍କ ଉଚ୍ଚବର୍ଗର କର୍ମଚାରୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍ସି) ଏବଂ ନିମ୍ନବର୍ଗର କର୍ମଚାରୀଙ୍କୁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ(ଷ୍ଟାଫ୍ ସିଲେକ୍ସନ କମିଶନ୍) ଚୟନ କରିଥାନ୍ତି ।
ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀମାନେ ମଧ୍ୟ ରଜ୍ୟସରକାରଙ୍କ ଅଧୀନରେ କାମ କରନ୍ତି ।
ତେଣୁ ଆମ ରାଜ୍ୟସରକାରଙ୍କର ଦୁଇ କିସମର ପ୍ରଶାସନିକ ଅଧିକାରୀ ଅଛନ୍ତି ।
ଉଚ୍ଚବର୍ଗର ପ୍ରଶାସକଗଣ ହେଲେ ଭାରତୀୟ ପ୍ରଶାସନିକ ସେବା(ଆଇ.ଏ.ଏସ୍) ଅଧିକାରୀ, ନିମ୍ନବର୍ଗର ପ୍ରଶାସକଗଣ ହେଲେ ଓଡ଼ିଶା ପ୍ରଶାସନିକ ସେବା(ଓ.ଏ.ଏସ୍) ଅଧିକାରୀ ।
ଉଭୟ ଚାକିରି ଚୟନ ପାଇଁ ସର୍ବନିମ୍ନ ଯୋଗ୍ୟତା ହେଉଛି ସ୍ନାତକ ।
ଉଭୟ ଚାକିରି ସକାଶେ ପ୍ରଥମେ ବଛାବଛି ପରୀକ୍ଷା, ତାପରେ ଲିଖିତ ଓ ମୌଖିକ ପରୀକ୍ଷା ହୁଏ ।
ଆଇ.ଏ.ଏସ୍ ପରୀକ୍ଷାର ଢାଞ୍ଚା ଏବେ ବଦଳି, ବଛାବଛି ପରୀକ୍ଷାରେ ତାର୍କିକ ଦକ୍ଷତା(Aptitude) ପରୀକ୍ଷଣ ବ୍ୟବସ୍ଥା ହୋଇଛି ।
ସେହି ଅନୁସାରେ ଓ.ଏ.ଏସ୍ ପରୀକ୍ଷାର ଢାଞ୍ଚା ମଧ୍ୟ ବଦଳିବାକୁ ଯାଉଛି ।
ଗୋଟିଏ ପ୍ରକାର ପ୍ରସ୍ତୁତିରେ ଜଣେ ପ୍ରାର୍ଥୀ ଊଭୟ ଆଇଏଏସ୍ ଏବଂ ଓଏଏସ୍ ପରୀକ୍ଷା ଦେଇପାରିବ ।
ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ ।
ଅନ୍ୟ ରାଜ୍ୟରେ ଏହି ଢାଞ୍ଚା ଅନେକ ଦିନରୁ ପ୍ରଚଳିତ ହୋଇସାରିଛି ।
ମାତ୍ର ଓଡ଼ିଶାରେ ଡେରିରେ ହେଲା –ତାହା ପୁଣି ବିକୃତ ଭାବରେ ।
ଆଇଏଏସ୍ ଏବଂ ଆମ ଓଏଏସ୍ ପରୀକ୍ଷା ମଧ୍ୟରେ ଥିବା ଫରକ ହେଲା – ଆଇଏସ୍ ପରୀକ୍ଷାରେ କେବଳ ଇଂରାଜୀକୁ ଛାଡ଼ି ଜଣେ ପ୍ରାର୍ଥୀ ଅନ୍ୟ ସମସ୍ତ ବିଷୟରେ ଯେକୌଣସି ଅନୁସୂଚିତ ପ୍ରାନ୍ତୀୟ ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ ।
ଅର୍ଥାତ ନିଜର ଇଚ୍ଛା ଅନୁସାରେ ପରୀକ୍ଷାର୍ଥୀ ହିନ୍ଦୀ, ବଙ୍ଗଳା, ଓଡ଼ିଆ, ତେଲଗୁ, ତାମିଲ, ଇଂରାଜୀ, ମରାଠି ଆଦି ଯେକୌଣସି ଭଷା ମାଧ୍ୟମରେ ପରୀକ୍ଷା ଦେଇପାରିବ ।
ତେଣୁ ଅନ୍ୟ ରାଜ୍ୟର ପ୍ରାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ଆଇଏଏସ୍ ତଥା ଏସ୍‌ଏସ୍‌ସି ପରୀକ୍ଷା ଦେଊଛନ୍ତି – ସେସବୁ ରାଜ୍ୟର ପ୍ରଶାସନିକ ସେବା ଠାରୁ କିରାଣି ପର୍ଯ୍ୟନ୍ତ ସବୁ ପରୀକ୍ଷାରେ ପରୀକ୍ଷାର୍ଥୀ ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଛନ୍ତି ।
ମାତ୍ର ଓଡ଼ିଶା ହେଉଛି ଏକ ମାତ୍ର ରାଜ୍ୟ, ଯେଉଁଠି ଓଏଏସ୍ ଠାରୁ କିରାଣି ପର୍ଯ୍ୟନ୍ତ ସମସ୍ତ ଚୟନ ଇଂରାଜୀ ମାଧ୍ୟମରେ ହୁଏ ।
ଓଡ଼ିଆ ମାଧ୍ୟମରେ ପରୀକ୍ଷା ଦେବାର ସୁଯୋଗ ଏଠାରେ ନାହିଁ ।
ବହୁ ପୂର୍ବରୁ ଆଇଏଏସ୍ ପରୀକ୍ଷା ମଧ୍ୟ କେବଳ ଇଂରାଜୀ ମାଧ୍ୟମରେ ହେଉଥିଲା ।
ସେତେବେଳେ ଓଡ଼ିଆ ପିଲାଏ ଆନୁପାତିକ ସଫଳତା ମଧ୍ୟ ପାଉଥିଲେ ।
ଏପରିକି ଅଶୀ ଦଶକରେ ବର୍ଷକୁ ୧୫/୨୦ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହେଉଥିଲେ ।
ଏହି ସଫଳତା ସର୍ବଭାରତୀୟ ହାର ତୁଳନାରେ ଭଲ ଥିଲା ।
ଯେବେଠାରୁ ପ୍ରାନ୍ତୀୟ ଭଷା ମାଧ୍ୟମରେ ଆଇଏଏସ୍ ପରୀକ୍ଷା କରାଗଲା, ସେହିଦିନଠାରୁ ଓଡ଼ିଶାର ସଫଳତା ନିମ୍ନଗାମୀ ହେଲା ।
ଏବେ ଓଡ଼ିଶାର ସଫଳତା ଏକ ଅଙ୍କରେ ସୀମିତ ରହୁଛି ।
ବର୍ଷେ ବର୍ଷେ ଜଣେ ଦୁଇଜଣ ପାଉଛନ୍ତି ।
୨୦୦୬ ମସିହାରୁ ଷ୍ଟାଫ୍ ସିଲେକ୍ସନ କମିଶନ୍ ଜରିଆରେ ସବୁ ସର୍ବଭାରତୀୟ ଚାକିରି ଯୋଗାଣ ସଂସ୍ଥାରେ ମାତୃଭାଷା ମାଧ୍ୟମରେ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଉଥିବା ଅନ୍ୟ ରାଜ୍ୟର ପିଲାଏ ଏଣିକି ବାଜିମାତ୍ କରିବେ- ଓଡ଼ିଆ ପିଲାଏ ଭକୁଆ ହୋଇ ରହିବେ ।
ଏବେ ବିଚାରିବାର ବେଳ ଆସିଛି ।
ପରିସଂଖ୍ୟାନ ଏହିଯେ, ଓଡ଼ିଶାର ସମସ୍ତ ପରୀକ୍ଷାର୍ଥୀ କେବଳ ଇଂରାଜୀରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ଦେଉଛନ୍ତି; ମାତ୍ର ଅନ୍ୟ ରାଜ୍ୟର ୯୦ ଶତାଂଶ ପିଲା ନିଜ ମାତୃଭାଷା ମାଧ୍ୟମରେ ପରୀକ୍ଷା ଦେଊଛନ୍ତି ଏବଂ ସଫଳ ହେଉଛନ୍ତି ।
ଓଡ଼ିଆ ପିଲାଏ ଲେଖନ୍ତି ଇଂରାଜୀରେ ଏବଂ ସେମାନଙ୍କ ଖାତା ଦେଖନ୍ତି ଅଣଓଡ଼ିଆମାନେ ।
ଯେଉଁ ପ୍ରାର୍ଥୀ ନିଜ ଭାଷାରେ ଲେଖୁଛି, ତା’ ଖାତା ସେହି ଭାଷାଭାଷୀ ପରୀକ୍ଷକ ଦେଖନ୍ତି ।
ଏପରିକି ଆଇଏଏସ୍ ସାକ୍ଷାତକାର ପରୀକ୍ଷାରେ ପ୍ରାନ୍ତୀୟ ଭାଷା ମାଧ୍ୟମ ପିଲାଙ୍କୁ ସେହି ଭାଷାଭାଷୀ ବିଶାରଦଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ରବୋର୍ଡ ପରୀକ୍ଷା କରନ୍ତି ।
ଓଡ଼ିଆ ପିଲାଙ୍କ ସକାଶେ ଓଡ଼ିଅ ବିଶାରଦଙ୍କ ସ୍ବତନ୍ତ୍ର ବୋର୍ଡ ମଧ୍ୟ ଥଏ; ମାତ୍ର କେହି ଓଡ଼ିଆ ପିଲା ଓଡ଼ିଆରେ ଇଣ୍ଟର୍‌ଭ୍ୟୁ ଦିଅନ୍ତିନାହିଁ ।
ଏଭଳି ପରିସ୍ଥିତିରେ ଓଡ଼ିଶାର ପ୍ରାର୍ଥୀ ଅଣଓଡ଼ିଆଙ୍କ ସହିତ ପ୍ରତିଯୋଗିତା କରି ପାରିବ କି ?
ଅନ୍ୟ ଏକ ଗୁରୁତର କଥା ଏହିଯେ, ଓଡ଼ିଆ ମାଧ୍ୟମରେ ଆଇଏଏସ୍ ତଥା ଅନ୍ୟାନ୍ୟ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷା ତଥା ସାକ୍ଷାତକାର ଦେଇହେବ- ଏକଥା ଆମର ବଡ଼ବଡ଼ିଆ ବୃନ୍ଦ ପ୍ରାୟତଃ ଜାଣନ୍ତି ନାହିଁ ।
ଯଦି ଜାଣିଥା’ନ୍ତେ, ତେବେ ଆଇଏଏସ୍ ଓଡ଼ିଆ ମାଧ୍ୟମରେ ଦେବାର ସୁଯୋଗ ଥିବାବେଳେ – ଓଡ଼ିଶା ମୁଲକର ସାମାନ୍ୟ କିରାଣି ଚାକିରି ପାଇଁ ଇଂରାଜୀ ମାଧ୍ୟମର ବାଧ୍ୟବାଧକତାକୁ ସ୍ବାଭିମାନୀ ଓଡ଼ିଆ କ‘ଣ ବରଦାସ୍ତ କରନ୍ତେ ? ବରିଷ୍ଠ ପଦାଧିକାରୀ ତଥା ଲୋକପ୍ରତିନିଧିଗଣ ଏବେ ଏବେ ଜାଣୁଛନ୍ତି ଓ ଓଏଏସ୍ ପରୀକ୍ଷାରେ ଓଡ଼ିଆ ମାଧ୍ୟମର ସୁଯୋଗ ଦେବା ପାଇଁ ଚିନ୍ତା କରୁଛନ୍ତି ।
ଏବେ ଆଉ ଏକ କଥା ମନକୁ ଆସୁଛି ।
ଆମ ସ୍କୁଲ୍କ୍ କଲେଜରେ ଏବର ଓଡ଼ିଆ ପଢ଼ାପଢ଼ିର ଅବସ୍ଥା ଯାହା, ଆମର ଓଡ଼ିଅ ପିଲାଏ ଓଡ଼ିଆ ମାଧ୍ୟମରେ ଠିକ୍ ଠିକ୍ ଲେଖି ପାରିବେ ତ ? ଯେଉଁ ପ୍ରଦେଶରେ ପ୍ରାଦେଶିକ ପରୀକ୍ଷା ଗୁଡ଼ିକ ଇଂରାଜୀ ମାଧ୍ୟମରେ ହୁଏ, ସେହି ପ୍ରଦେଶର ପିଲା ଓଡ଼ିଆରେ ଲେଖିବାକୁ କାହିଁକି ମନ ବଳେଇବ ?
ସାଧୁ ସାବଧାନ୍ ! ଓଡ଼ିଆ ଜାତିର ନାତିଟୋକାର ଭବିଷ୍ୟତ ଅନ୍ଧାର ହୋଇ ଆସିଲାଣି- ସେ ପ୍ରଶ୍ନ ପୁଚ୍ଛିବା ଆରମ୍ଭ କଲାଣି ।
ହେ! ବଡ଼ବଡ଼ିଆ ଓଡ଼ିଆ ! ଆମକୁ ଏମିତି ନିକମା କଲ କାହିଁକି ? ଏମିତି ଅଣଓଡ଼ିଆମି ଆଉ କେତେଦିନ ? ଏହି ପ୍ରଶ୍ନର ଉତ୍ତର ଖୋଜିବା ଚାଲନ୍ତୁ ।
ଖାଲି କାରଣ ଜାଣି କି’ ଲାଭ – ନିରାକରଣ ଖୋଜିବା ମଧ୍ୟ ଆବଶ୍ୟକ ।
ସମସ୍ୟା ସମାଧାନର ଏକମାତ୍ର ପନ୍ଥା – ଓଡ଼ିଆ ଭଷାକୁ ଜୀବିକା ସହିତ ଯୋଡ଼ିବା ।
ଏ କଥା ଗୁଞ୍ଜରିତ ହେଲାଣି ।
ଓଡ଼ିଶାର ସମସ୍ତ ଚାକିରି ପାଇଁ ବଛାବଛି ପରୀକ୍ଷା ଇଂରାଜୀ ଏବଂ ଓଡ଼ିଆରେ ହେଉ ।
ପରୀକ୍ଷାରେ ଓଡ଼ିଆ ମାଧ୍ୟମ ପରୀକ୍ଷାର୍ଥୀଙ୍କ ଅର୍ଜିତ ନମ୍ବରର କୋଡ଼ିଏ ପ୍ରତିଶତ ଅଧିକ ଅନୁକମ୍ପା ଭିତ୍ତିରେ ଦିଆଯାଇ ଯୋଗ୍ୟତା ତାଲିକା ଗୃହୀତ ହେଉ ।
ଦେଖିବେ, ଅଳ୍ପ ଦିନରେ ଆମ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଓଡ଼ିଆ ଓଡ଼ିଆ ବାସ୍ନା ମହମହ ମହକିବ ।
ଅନ୍ୟ ରାଜ୍ୟର ପିଲାଙ୍କପରି ଆମ ପିଲା ମଧ୍ୟ ମାତୃଭଷା ମାଧ୍ୟମରେ ସର୍ବଭାରତୀୟ ଚାକିରି ପାଇଁ ପରୀକ୍ଷାରେ କୃତକାର୍ଯ୍ୟ ହେବେ ।
କଥାଟା ଏତେ ସହଜ ନୁହେଁ – ଅସାଧ୍ୟ ମଧ୍ୟ ନୁହେଁ ।
ସବୁ ଠିକ୍ଠିକ୍ ଚାଲୁ – ରାଜନୈତିକ ଇଛାଶକ୍ତିର ଜୟ ହେଉ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment