Commit 273b9f30 authored by Nayan Ranjan Paul's avatar Nayan Ranjan Paul

Upload New File

parent fb061f52
ନିସ୍ତରଙ୍ଗ
ଆଶୋକ ଚନ୍ଦନ
ତା: ଅଗଷ୍ଟ୍ ୭, ୨୦୧୫
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ମିତା ! ବୋଧହୁଏ କାନ୍ଦି ପକାଇଥାନ୍ତା କିମ୍ବା ମନକୁ ମନ ହସିଥାନ୍ତା ।
ଅଥଚ ସେ କାନ୍ଦିଲାନି କି ହସିଲାନି ।
ବେଶ୍‌ କିଛିଦିନ ହେଲା ସେ ହସ ଓ କାନ୍ଦର ପାର୍ଥକ୍ୟ ଭୁଲିଯାଇଛି ।
ବରଂ ସେ ଅପରିଷ୍କାର ଅଗଣା ମଝିରେ ଖୁଣ୍ଟ ଭଳି ଛିଡ଼ା ହୋଇ ଆକାଶକୁ ଚାହିଁ ରହିଲା ।
ଚାହିଁ ଚାହିଁ ଆଖିମାନ କ୍ଳାନ୍ତ ହୋଇ ପଡ଼ିଲେ ।
ତା’ପରେ ସେ ଘର ଭିତରକୁ ଦୌଡ଼ି ଦୌଡ଼ି ପଳାଇଲା, ଯେପରି ତାକୁ କିଏ ଅଜାଣତରେ ଛୁଇଁ ଦେଇଛି ।
ଆକାଶ କିମ୍ବା ପବନ ।
ଶୀତଋତୁ ଯିବାପରେ ପୁଣି ଏକ ଭିନ୍ନ ପବନ ବହିବା ଆରମ୍ଭ କଲାଣି ।
ଗତବର୍ଷ ଠିକ୍‌ ଏହି ସମୟରେ ସେ ଅଗଣାରେ କେତୋଟି ଫୁଲ ଚାରା ପୋତିଥିଲା ।
ଚାରାଗୁଡ଼ିକରେ ଖୁବ୍‌ ଯତ୍ନରେ ପାଣି ଢାଳିଥିଲା ।
ଅଥଚ କିଛିଦିନ ପରେ କଅଁଳି ଆସୁଥିବା ପତ୍ରମାନେ ଆପେ ଝଡ଼ିଗଲେ ।
ଆଜି ସେଇ ଶୁଖିଲା ଗଛମାନଙ୍କୁ ହିଂସ୍ର ଭାବରେ ଉପାଡ଼ି ପକାଇବା ପରେ ହିଁ ସେ ହଠାତ୍‌ ଅନ୍ୟମନସ୍କା ହୋଇ ପଡ଼ିଥିଲା ।
ଏଇଘରେ ଚାରାଟିଏ ପୋତିଲେ ଝାଉଁଳି ଯାଉଛି ।
ହୁଏତ ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସବୁକିଛି ଜଳିଯିବ ।
ଘର ଭିତରେ କିନ୍ତୁ ମିତା ସତକୁ ସତ କାନ୍ଦି ପକାଇଲା ।
ଘରମାନେ କେତୋଟି କାନ୍ଥ ଓ ଗୋଟିଏ ଛାତ ବୋଲି ମାନିବାକୁ ସେ ପ୍ରସ୍ତୁତ ନୁହେଁ ।
ଆଉ ଟିକିଏ ପରେ ଏ ଘରର ସମସ୍ତ ଅଭିଶପ୍ତ ମଣିଷ ଫେରି ଆସିବେ ।
ତା ବୋଉ, ପାଞ୍ଚୋଟି ଭାଇ ଭଉଣୀ, ବାପା ଓ ତା’ର ଦୂର ସମ୍ପର୍କୀୟ କୁମୁଦ ଭାଇ ।
ତା’ପରେ ପୁଣି ସବୁକିଛି ପାରମ୍ପାରିକ ।
କଳି, କୋଳାହଳ ।
ସନ୍ଧ୍ୟା ବିତିଯିବା ପରେ ସମସ୍ତେ ଜାକି ଜୁକି ହୋଇ ଦୁଇଟି କୋଠରି ଭିତରେ ଶୋଇପଡ଼ିବେ ।
ସମବେତ ନିଶ୍ୱାସ, ପ୍ରଶ୍ୱାସ ।
ରାତିସାରା ମିତା ଚାହିଁ ରହିବ ଛାତର ଛିତ୍ରମାନଙ୍କୁ ଦେଇ ଆକାଶକୁ ।
ତା’ର ପରିଚିତ ନକ୍ଷତ୍ରକୁ, ସେଇ ନୀଳ ନକ୍ଷତ୍ରଟି ମିଟି ମିଟି କରି ଚାହିଁ ରହିଥିବ ତାକୁ ।
ହୁଏତ କିଛି କହିବା ପାଇଁ , ହୁଏତ କିଛି ଶୁଣିବା ପାଇଁ ।
କେତେବେଳେ ସେ ନକ୍ଷତ୍ରକୁ ଆହତ କରିଦେବ ପୁଳାଏ ଭସା ମେଘ ।
କିମ୍ବା ମିତାର ଆଖିକୁ ବନ୍ଦ କରିଦେବ କେଇବୁନ୍ଦା ଲୁହ ।
ସହରକୁ ଚାକିରି ଖୋଜିବା ପାଇଁ କୁମୁଦ ଭାଇ ଆସିବା ଦିନଠୁ ମିତା ବୋଉ ପାଖରେ ଶୋଉଛି ।
ସେ ଏଠାକୁ ଆସିବା ଆଗରୁ ତାଙ୍କ ନାଆଁ ବା ପରିବାର ସମ୍ପର୍କରେ ମିତା କିଛି ଶୁଣି ନ ଥିଲା ।
ବେଶ୍‌ ଡେଙ୍ଗା ହୋଇ ଶ୍ୟାମଳ ବର୍ଣ୍ଣର ପଚିଶ ବର୍ଷର ଯୁବକ କୁମୁଦ ଭାଇ ।
ତାଙ୍କୁ ପ୍ରଥମ ଥର ଦେଖିବାବେଳେ ମିତା ଡରି ଯାଇଥିଲା ।
ତାଙ୍କର ଦୁଇଟି ଚିଲାଆଖି ଯେମିତି ସବୁବେଳେ କିଛି ଗୋଟାଏ ଝାମ୍ପି ନେବାକୁ ଅପେକ୍ଷା କରିଛି ।
ପ୍ରଥମେ ଭୟ, ତା’ପରେ ସଙ୍କୋଚ ।
ପାଖ କୋଠରିରେ କୁମୁଦ ଭାଇ ନିଶ୍ଚିନ୍ତରେ ଶୋଇ ହୁଏତ କୌଣସି ସୁଖ ସ୍ୱପ୍ନ ଦେଖୁଥିବେ, ଚାକିରି, କୋଠା, ପତ୍ନୀ, ସନ୍ତାନ ।
ଅଥଚ ବୋଉର ଧଇଁକାଶ ଯୋଗୁଁ ମିତା ରାତିସାରା ଅନିଦ୍ରା ।
ଏ କୋଠରିର ଛାତର ଛିଦ୍ରମାନଙ୍କ ଦେଇ ଅନେକ ନକ୍ଷତ୍ର ଦୃଶ୍ୟମାନ କେବଳ ସେଇ ପରିଚିତ ନୀଳ ନକ୍ଷତ୍ର ବ୍ୟତୀତ ।
ଦୁଇ କୋଠରୀର ମଣିଷମାନେ ସକାଳ ହେଲେ ଝାଡ଼ି ଝୁଡ଼ି ହୋଇ ବାହାରିବେ ଓ କାଉ କୁକୁଡ଼ାଙ୍କ କୋଳାହଳକୁ ବଳିଯିବ ସେମାନଙ୍କ ପାଟିତୁଣ୍ଡ ।
ବାପା ଅପରିଷ୍କାର ଅଗଣାରେ ଦଉଡ଼ି ଖଟ ଉପରେ ବସି ପଢ଼ିବେ ପୁରୁଣା ଖବର କାଗଜ ।
ଅସନା ପୃଷ୍ଠାମାନଙ୍କରେ ତାଙ୍କର ଆଖିଦୁଇଟି ସ୍ଥିର ଥିବ ଓ ସେଇ ଅବସ୍ଥାରେ ବୋଉର ଅବିରତ ଗାଳି, ପ୍ରଶ୍ନ, ଦାବି ପ୍ରତିବାଦର ଉତ୍ତର ଦେଉଥିବେ ।
ଭାଇ ଭଉଣୀମାନେ ବାରଣ୍ଡାରେ ଘୋଷିବା ଆରମ୍ଭ କରିଦେବେ ପଣିକିଆ ।
କୋଳାହଳରେ ଫାଟି ପଡ଼ିବ ଘର ।
ମିତା ସେହି ମଣିଷମାନଙ୍କୁ ସହ୍ୟ କରିପାରେ ନାହିଁ ।
ସେ ଛାଟିପିଟି ହୋଇ ପଳାଇଯାଏ ବାଡ଼ିପଟକୁ ।
ସେଇଠି ସାମାନ୍ୟ ସାନ୍ତ୍ୱନା ।
ତାଙ୍କ ଘରକୁ ଲାଗି ଏକାଟିଆ ଗୋଟିଏ ଘର ।
ବାଡ଼ ଆର କଡ଼ ଘରେ ସେ ଘରକୁ ଘେରିଥିବା ସୁସଜ୍ଜିତ ବଗିଚା ।
ଘର ଚୁନବୋଳା ସଫା କାନ୍ଥ ।
ପ୍ରଶସ୍ତ ବାରଣ୍ଡାରେ ଏକା ଏକା ଇଜି ଚେୟାର୍‌ରେ ବସିଥିବା ଜଣେ ଚିହ୍ନା ଲୋକ ।
ଗୋଟିଏ ଝାପ୍ସା ମୁହଁ ।
ଝାପ୍ସା ଝାପ୍ସା ଚିହ୍ନା ।
କେବଳ ଦୂର ଦେଖାରୁ ।
ମିତା ପ୍ରଥମେ ସେ ଘରକୁ ଦେଖି ଭାବିଥିଲା ତାଙ୍କ ନିଜ ଘରକୁ ବି ସେମିତି ସଜାଇବ ।
କିନ୍ତୁ ଏ ଘର ମଣିଷମାନଙ୍କ ନିଶ୍ୱାସରେ ଫୁଲ ଗଛର ଚାରାଟିଏ ବି ଜଳିଯିବ ।
କୁମୁଦ ଭାଇ ଆସିବା ଦିନଠୁଁ ମିତାକୁ ନିଜ ଘରେ ବି ସଙ୍କୁଚିତ ଲାଗୁଛି ।
ତାଙ୍କର ଦୁଇଟି ଭୋକିଲା ଆଖି ସବୁବେଳେ ଯେପରି ତାକୁ ନିରେଖି ରଖିଛି ।
ପ୍ରଥମେ ସେ ଭାବିଥିଲା ତାଙ୍କୁ ସିଧାସଳଖ କହିଦେବ, କିନ୍ତୁ ତା ପାଟିରେ ଶବ୍ଦ ସ୍ଫୁରିବା ଆଗରୁ ଆଖିଏ ଲୁହ ଭର୍ତ୍ତି ହୋଇଗଲା ।
କୁମୁଦ ଭାଇ ଜାଣି ଜାଣି ବାରମ୍ବାର ଭୁଲ କରୁଛନ୍ତି ।
ଦିନ ଦଶଟାବେଳେ ସେ ଖାଇପାଇ ବାହାରକୁ ନଯିବା ଯାଏ ମିତା ଗାଧୋଇ ବି ପରୁନି ।
ବାଥ୍‌ରୁମ୍‌ ନାମରେ ତାଙ୍କର ଯେଉଁ ବାଉଁଶ ତାଟି ଘେରା ସନ୍ତସନ୍ତିଆ କୋଠରୀ, ସେଥିରେ ଦ୍ୱାରଟିଏ ବି ନାହିଁ ।
ସେ ବାଥ୍‌ରୁମ୍‌ରେ ଥିଲାବେଳେ ବାହାରୁ ଖଣ୍ଡିଏ ଅଖାରେ ପର୍ଦ୍ଦା ଟାଣିଦିଏ ।
ତିନିତିନି ଥର କିଛି ନଜାଣିଲା ପରି ଆସି ପୁଣି ଜିଭ କାମୁଡ଼ି ଚାଲି ଯାଇଛନ୍ତି ।
ତା’ଠାରୁ ସେ କ’ଣ ଚାହାଁନ୍ତି ମିତା ବୁଝିପାରେନି ।
ଚାକିରି ପାଇଲେ ସେ କୁଆଡ଼େ ମିତା ପାଇଁ ଖଣ୍ଡିଏ ଶାଢ଼ି କିଣିଦେବେ ।
କୁମୁଦ ଭାଇଙ୍କ ମିଛ ପ୍ରତିଶ୍ରୁତିକୁ ମନେ ପକାଇ ମିତା ହସିଲା, ବୋଧହୁଏ ବେକାର କୁମୁଦ ଭାଇଙ୍କ ପ୍ରତି ସହାନୁଭୂତିରେ ।
ମିତା ଠିକ୍‌ କରି ଜାଣେନା, କୁମୁଦ ଭାଇ ତା’ର କେତେ ଦୂରର ଭାଇ ।
ବୋଧହୁଏ ଦିନ ଦଶଟା ହେବ ।
ମିତା ପ୍ରଥମେ ଆକାଶ, ତା’ପରେ ଦିଗ୍‌ବଳୟ ଓ ଶେଷରେ ପାଖ ଘର ବଗିଚାକୁ ଚାହିଁ ସ୍ଥିର ହୋଇଗଲା ।
ସେହି ଘରେ ସେ ଏକା ରହନ୍ତି ।
ସେଠି କୌଣସି କୋଳାହଳ ନାହିଁ ।
ତାଙ୍କ ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟେ ।
ମିତାର ମନ ଇର୍ଷାରେ ଜଳି ଉଠୁଥିଲା ।
ଜଣେ ଅନାତ୍ମୀୟଙ୍କୁ ବା ସେ କାହିଁକି ଇର୍ଷା କରିବ, କେଉଁ ଅଧିକାରରେ ? ଅଥଚ ଏକ ବିଚିତ୍ର ଉତ୍ତେଜନାରେ ମୂକ ବଧିର ପରି ସେପାଖ ଘରର ବଗିଚା ଓ ଧଳା କାନ୍ଥକୁ ଚାହିଁ ବିତାଇ ଦେଲା ସମଗ୍ର ଖରାବେଳ ।
ସନ୍ଧ୍ୟା ହେଲେ ଏଇ ଘର କୋଳାହଳରେ କମ୍ପିଉଠେ ।
କିନ୍ତୁ ମିତା ଅନୁଭବ କରେ, ସେ ଯେମିତି ଏକା, ଅନ୍ୟ କାହାରି କଥା ତାକୁ ଶୁଭେ ନାହିଁ ବା ତା ପାଟିରେ ଶବ୍ଦଟିଏ ବି ସ୍ଫୁରେ ନାହିଁ ।
ସନ୍ଧ୍ୟାବେଳେ ତା ଛାତି ତଳେ ସୃଷ୍ଟି ହେଉଥିବା ଲଘୁଚାପର ଏକମାତ୍ର କାରଣ, ତା ଆଖି ଆଗରୁ ଧିରେ ଧିରେ ଉଭେଇ ଯାଉଥିବା ସାମ୍ନାଘର କାନ୍ଥ ଓ ବଗିଚା ।
ବାଧ୍ୟ ହୋଇ ପରାଜିତ ଆଖିମାନେ ଫେରି ଆସନ୍ତି ପତା ତଳର ନିରାପତ୍ତାକୁ ।
ଆଜି ମିତା ଆଖିରେ ନିଦ ନାହିଁ ।
ଜାକିଜୁକି ହୋଇ ତା’ର ଭାଇ ଭଉଣୀମାନେ ସମସ୍ତେ ଶୋଇପଡ଼ିଛନ୍ତି ।
ଛାତର ଛିଦ୍ରମାନଙ୍କ ଦେଇ ସେ ଚେଷ୍ଟା କରୁଥିଲା ତା’ର ପରିଚିତ ନକ୍ଷତ୍ରକୁ ଖୋଜିବାକୁ ।
ଅଥଚ ଏ କୋଠରିକୁ ସେ ନକ୍ଷତ୍ର ଦେଖାଯିବ ନାହିଁ ।
ଅନ୍ୟ କୋଠରିରେ କୁମୁଦ ଭାଇ ।
ସେଇଠୁ ହୁଏତ ପରିଷ୍କାର ଦିଶିବ ସେ ନକ୍ଷତ୍ରଟି ।
ହଠାତ୍‌ ମିତା ଚମକି ପଡ଼ିଲା, ପାଖ ଶେଯରେ ତା’ର ବୋଉ ।
ଏ ଯାଏ ଶୋଇନି ।
ବୋଉ ଅନ୍ଧାରରେ ହାତ ବଢ଼ାଇ ତା ମୁଣ୍ଡକୁ ସାଉଁଳି ଦେଲା ।
ବୋଉ ।
ଶୋଇନୁ ?
ନା, ନିଦ ନାହିଁ ।
ବୋଉ ପୁଣି ଅନ୍ଧାରେ ନୀରବ ହୋଇଗଲା ।
ମିତା ମନକୁ ମନ ଭାବିଲା, ତାଙ୍କ ପଡ଼ୋଶୀଙ୍କ ଘର ପରି ଘରଟିଏ ହେଲେ, ସେ କେତେ ସୁନ୍ଦର କରି ସଜାନ୍ତା ।
ଅଥଚ…. ତା ମୁହଁରୁ ଅଗତ୍ୟା ଖସିପଡ଼ିଲା, ବୋଉ ଆମର ଭଲ ଘରଟିଏ ଦରକାର, ନୁହେଁ ?
ବୋଧହୁଏ ତା ବୋଉ ଚମକି ପଡ଼ିଲେ ।
ଅନ୍ଧାରରେ ତାଙ୍କର କରୁଣ ହସ ।
ତୁ ଆଉ ଏ ଘରେ କେତେଦିନ କି’ଲୋ ? ଆମ ସମସ୍ତଙ୍କୁ ଛାଡ଼ି ତୁ ତ ଅନ୍ୟଘରକୁ ଚାଲିଯିବୁ ।
ମିତା ଚୁପ୍‌ ହୋଇଗଲା ।
ଅନ୍ୟଘର, ଅନ୍ୟ ମଣିଷ କଥା ସେ କଳ୍ପନା ବି କରି ନାହିଁ ।
ଅନ୍ୟଘର – ତାଙ୍କ ପଡ଼ୋଶୀ ଘର ପରି ସଫା ସୁତୁରା ବଗିଚା ଘେରା ଘରଟିଏ ହୋଇଥିବ ଏବଂ ତା’ର ପ୍ରଶସ୍ତ ବାରଣ୍ଡାରେ ଇଜି ଚେୟାରରେ ଝୁଲୁଥିବ ଅନ୍ୟ ମଣିଷଟିଏ, ଯାହା ହାତ ଲାଗିଲେ ଶୁଖିଲା ଗଛରେ ଫୁଲ ଫୁଟି ଉଠିବ ।
ବୋଉ ମନରେ ଏକ ଅଭୁତ ଶିହରଣ ହେଲା- ହୁଏତ କାନ୍ଦି ପକାଇବ ବା ହସି ଉଠିବ ।
ବୋଉ ବୋଧହୁଏ ମିଛ କହୁଛି ।
ଏ ଘରର ଅସନା କାନ୍ଥମାନଙ୍କର ପରିଧିରୁ ମୁକୁଳିବା ଅସମ୍ଭବ ।
ଏ ଘରର ମଣିଷମାନଙ୍କ ନିଶ୍ୱାସରେ ସେ’ ବି ଜଳିଯିବ ।
ଶୋଇପଡ଼ିଲା ମିତା ।
ସକାଳୁ ଏତେ କୋଳାହଳ ।
କୋଳାହଳ ନୁଆ ନୁହେଁ ।
ତଥାପି ଏ କୋଳାହଳ ଭିନ୍ନ ।
ସେ ଶେଯ ଛାଡ଼ି ବାହାରକୁ ଦେଖିଲା, ତାଙ୍କ ପଡ଼ୋଶୀ ଘର ସାମ୍ନାରେ ଭୀଷଣ ଭିଡ଼ ।
କେଜାଣି କାହିଁକି ? ମିତା ବୋଉକୁ ଆଶ୍ଚର୍ଯ୍ୟ ହୋଇ ପଚାରିଲା ।
ବୋଉ ମୁହଁର କୋଣସି ଭାବ ନାହିଁ ।
ସେ ସାମାନ୍ୟତମ ଆବେଗ ପ୍ରକାଶ ନକରି କହିଲା, ସମୀର ବାବୁ ଆତ୍ମହତ୍ୟା କରିଛନ୍ତି ।
ସେ ଘରର ସେଇ ପରିଚିତ ଲୋକ ଆଉ ଏକା ଏକା ଇଜି ଚେୟାରରେ ବସିବେନି ।
ହୁଏତ ତାଙ୍କ ବଗିଚାରେ ସମସ୍ତ ଫୁଲଗଛ ଧିରେ ଧିରେ ମରିଯିବେ ।
ସଫା କାନ୍ଥରେ ଶିଉଳି ଲାଗିଯିବ ।
ମିତା ନିଜ ଆବେଗ ସମ୍ଭାଳି ପାରିଲାନି ।
ସେ ମୁହଁ ଟେକି ଆକାଶକୁ ଚାହିଁଲା, କିନ୍ତୁ ତା ଆଖି ସାମ୍ନାରେ ଭିନ୍ନ ଆକାଶଟିଏ ।
ଗୋଟିଏ ପଟେ ବୋଉ ଓ ଅନ୍ୟପଟେ କୁମୁଦ ଭାଇ ତା ସାମ୍ନାରେ ଖଣ୍ଡିଏ ଦାମୀ ନୀଳ ଶାଢ଼ୀ ଖୋଲି ଧରିଛନ୍ତି ।
କୁମୁଦ ଭାଇ ନୂଆ ଚାକିରି ପାଇଛନ୍ତି ।
ମିତା କିନ୍ତୁ ଆଦୌ ଖୁସି ହୋଇପାରୁ ନ ଥିଲା ।
ହୁଏତ ତା ବୋଉ ଓ କୁମୁଦ ଭାଇ ତାକୁ ଧରିବା ପାଇଁ ନୂଆ ଜାଲଟିଏ ମେଲାଇ ଧରିଛନ୍ତି ।
କିମ୍ବା ଭିନ୍ନ ଆକାଶଟିଏ, ମିତା ଆଖିରେ ଲୁହ ଭର୍ତ୍ତି ହୋଇ ଯାଇଥିଲା ।
ହୁଏତ ସେଥିପାଇଁ ସେ ସେହି ଭିନ୍ନ ଆକାଶରୁ ତା’ର ପରିଚିତ ନକ୍ଷତ୍ରକୁ ଖୋଜି ପାଉ ନ ଥିଲା ।
ମିତା ସେମିତି ନିର୍ବାକ୍‌ ।
କାହା କଥା ଶୁଣିପାରୁ ନାହିଁ କିମ୍ବା ତା ପାଟିରୁ ଶବ୍ଦଟିଏ ବି ସ୍ଫୁରୁ ନାହିଁ ।
ଯେମିତି ଅଥର୍ବ, ହୁଏତ ଖୁଣ୍ଟଟିଏ ବା ତା ପାଦରେ ଚେର ଲାଗିଯାଇଛି ।
ବୋଧହୁଏ ମିତା କାନ୍ଦି ପକାଇବ କିମ୍ବା ହସି ପକାଇବ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment