Commit 7f197eff authored by Nayan Ranjan Paul's avatar Nayan Ranjan Paul

Upload New File

parent a98b4c30
ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ସରକାରୀ ତତ୍ପରତା : ସ୍ବତନ୍ତ୍ର କମିଟି ଗଠନ
- ଓଡ଼ିଆସାହିତ୍ୟ ପ୍ରେସ୍‌
ତା: ଜାନୁଆରୀ ୩୧, ୨୦୧୩
ମୂଳ ପୃଷ୍ଠା → ପ୍ରଚ୍ଛଦ →
ଭୁବନେଶ୍ବର: ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ନେଇ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।
ବିଗତ କିଛି ବର୍ଷ ଧରି ବିଭିନ୍ନ ବେସରକାରୀ ସାରସ୍ବତ ସଂସ୍ଥା ଓ ସଙ୍ଗଠନ ଏ ପ୍ରସଙ୍ଗରେ ବିଭିନ୍ନ ଉଦ୍ୟମ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏ ବାବଦରେ କିଛି କରି ନଥିଲେ ।
୨୦୧୨ ମାର୍ଚ୍ଚରେ ରାଜ୍ୟସଭାରେ ଏନେଇ ପ୍ରଶ୍ନ ଉଠିବା ପରେ, କେନ୍ଦ୍ର ସଂସ୍କୃତି ବିଭାଗ ଏ ବାବଦରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରସ୍ତାବ ଦିଆଯାଇ ନାହିଁ ବୋଲି ସୂଚନା ଦିଆଯାଇଥିଲା ।
ଓଡ଼ିଆ ପ୍ରତି ରାଜ୍ୟ ସରକାରଙ୍କ ଅନାଗ୍ରହକୁ ଦେଖି ସେତେବେଳେ ଅନେକ ବେସରକାରୀ ସଙ୍ଗଠନ ଓ ସାରସ୍ବତ ଅନୁଷ୍ଠାନ କ୍ଷୋଭ ପ୍ରକଟ କରିଥିଲେ ଏବଂ ଓଡ଼ିଆ ଭାଷାକୁ ଯଥାଯୋଗ୍ୟ ମାନ୍ୟତା ମିଳିବା ନେଇ ଉଦ୍ୟମ ଆରମ୍ଭ କରିଥିଲେ ।
ଏହି କ୍ରମରେ ବହୁବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସଂସ୍କୃତି ବିଭାଗ ସଚେତନ ହୋଇଛି ।
ନିକଟରେ ବିଭାଗୀୟ ମନ୍ତ୍ରୀ ମହେଶ୍ବର ମହାନ୍ତି ଏକ ବୈଠକ ଡାକି ଏ ବାବଦରେ ସମୀକ୍ଷା କରିବା ସହ, ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ଏକ ଉଚ୍ଚସ୍ତରୀୟ କମିଟି ଗଢ଼ିଛନ୍ତି ।
ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଅମୀୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଗଠିତ ଏହି କମିଟିକୁ ‘ଭାଷା’ ଦାୟିତ୍ବ ନ୍ୟସ୍ତ କରାଯାଇଛି ।
ଓଡ଼ିଆକୁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦେବା ପାଇଁ ଯେଉଁ ତଥ୍ୟ ପ୍ରମାଣର ପ୍ରୟୋଜନ ରହିଛି, କମିଟି ସେସବୁକୁ ସଂଗ୍ରହ ଓ ସମ୍ପାଦନା କରିବ ।
ଏଯାବତ୍‌ ଓଡ଼ିଆ ଭାଷା ପ୍ରତିଷ୍ଠାନ ସମେତ ଅନ୍ୟ ସରକାରୀ ଓ ବେସରକାରୀ ସଙ୍ଗଠନମାନେ ଓଡ଼ିଆ ଭାଷାର ପ୍ରାଚୀନତା, ମୌଳିକତା, ଧାରାବାହିକତା ସମ୍ପର୍କରେ ଯେତିକି ତଥ୍ୟ ପ୍ରମାଣ ଯୋଗାଡ଼ କରିଛନ୍ତି, ସେ ସବୁକୁ କମିଟି ଏକତ୍ର କରାଇ କାମରେ ଲଗାଇବ ।
ଏକମାସ ମଧ୍ୟରେ ଏହି କମିଟି ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବ ।
ରିପୋର୍ଟ ପ୍ରସ୍ତୁତ ପରେ ରାଜ୍ୟ ସଂସ୍କୃତି ବିଭାଗ କେନ୍ଦ୍ର ସରକାରଙ୍କ ନିକଟରେ ଏହାକୁ ଉପସ୍ଥାପନ କରି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ ଦାବି କରିବ ।
ଏହି କମିଟିରେ ଭାଷାବିତ୍‌ ତଥା ସାହିତ୍ୟିକ ଡ.ଦେବୀ ପ୍ରସନ୍ନ ପଟ୍ଟନାୟକ, ସାତକଡ଼ି ହୋତା, ବସନ୍ତ କୁମାର ପଣ୍ଡା, ଡ.କୈଳାସ ଚନ୍ଦ୍ର ଟିକାୟତରାୟ, ରାଜକିଶୋର ମିଶ୍ର, ଯତୀନ୍‌ ନାୟକ ପ୍ରମୁଖ ସଦସ୍ୟ ଥିବାବେଳେ ଓଡ଼ିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀର ସଚିବଙ୍କୁ ଯଥାକ୍ରମେ ଆବାହକ ଓ ସହଆବାହକ ରଖାଯାଇଛି ।
ସଂସ୍କୃତି ବିଶ୍ବବିଦ୍ୟାଳୟ ଓ ଭାଷା ପ୍ରତିଷ୍ଠାନ ମିଶି, କମିଟିର ଯାବତୀୟ କାମ ତଦାରଖ କରିବେ ଏବଂ ଆର୍ଥିକ ସହାୟତା ଯୋଗାଇବେ ବୋଲି ଜଣା ପଡ଼ିଛି ।
ଇତି ମଧ୍ୟରେ କମିଟି ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିସାରିଛି ।
ଭାରତର ସମ୍ବିଧାନ-ସ୍ବୀକୃତି ୨୨ଟି ଭାଷା ଭିତରୁ ମାତ୍ର ଚାରିଟିକୁ ଏଯାବତ୍‌ ମିଳିଛି ଶାସ୍ତ୍ରୀୟ ମାନ୍ୟତା ।
ସେଗୁଡ଼ିକ ହେଉଛି ତାମିଲ୍‌, ସଂସ୍କୃତ, କନ୍ନଡ଼ ଓ ତେଲୁଗୁ ।
ମାଲୟାଲମ୍‌ ଏବେ ଚେଷ୍ଟା ଜାରି ରଖିଛି ଏହି ମାନ୍ୟତା ପାଇବା ପାଇଁ ।
କୌଣସି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବା ପାଇଁ କେତେଗୁଡ଼ିଏ ଯୋଗ୍ୟତା ସର୍ତ୍ତ ରହିଛି ।
ସେଗୁଡ଼ିକ ମଧ୍ୟରେ ଭାଷାଟି ଅତି କମ୍‌ରେ ୧୫ ଶହରୁ ୨ ହଜାର ବର୍ଷର ପୁରୁଣା ହୋଇଥିବା ସହ ଏହାର ସାଂସ୍କୃତିକ ଲିଖିତ ଇତିହାସ ଥିବ ।
ଭାଷାର ସାହିତ୍ୟିକ ପରମ୍ପରା ମୌଳିକ ହୋଇଥିବ ।
ଭାଷାଟି ମୌଳିକ ହୋଇଥିବ ଏବଂ ଅନ୍ୟ କୌଣସି ଭାଷା ଦ୍ବାରା ବହୁଳ ଭାବେ ପ୍ରଭାବିତ ହୋଇ ନଥିବ ।
ଭାଷାର ଧାରାବାହିକତା କେବେ କେଉଁଠି କ୍ଷୂର୍ଣ୍ଣ ନହୋଇ ବଜାୟ ରହିଆସିଥିବ ।
ଭାଷାର ଐତିହ୍ୟ ଥିବ ଏବଂ ସ୍ବାଧୀନ ଭାବେ ଏହା ତିଷ୍ଠି ରହିଥିବ ।
ଯୋଗ୍ୟତାର ଉପରୋକ୍ତ ମାପଦଣ୍ଡ ପ୍ରାୟତଃ ପୂରଣ କରୁଛି ଓଡ଼ିଆ ଭାଷା ।
କେବଳ କେନ୍ଦ୍ର ସଂସ୍କୃତି ବିଭାଗର ଭାଷା କମିଟି ଆଗରେ ସପ୍ରମାଣ ଦୃଢ଼ ଦାବି ଉପସ୍ଥାପନ କରାଯିବା ଦରକାର ।
ଥରେ ମାନ୍ୟତା ମିଳିଗଲେ, ଓଡ଼ିଆ ଭାଷା କେବଳ ସାରା ଦେଶର ଗର୍ବ ଓ ଗୌରବ ହେବ ନାହିଁ, ଭାଷାର ଉନ୍ନୟନ ଓ ପ୍ରଚାରପ୍ରସାର ପାଇଁ ମଧ୍ୟ କେନ୍ଦ୍ରରୁ ଅଧିକରୁ ଅଧିକ ଆର୍ଥିକ ଅନୁଦାନ ମିଳିଚାଲିବ ।
ଦେଶର ସର୍ବପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା ନିଜ ଭାଷାକୁ ମାନ୍ୟତା ଦେଇ, ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଆଜିଯାଏ ପଛୁଆ ରହିବା ଏକ ବିଡ଼ମ୍ବନା ।
ତେଣୁ ସରକାରୀ ଉଦ୍ୟମକୁ ଫଳପ୍ରଦ କରିବା ଦିଗରେ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment