Commit 8407a2db authored by Nayan Ranjan Paul's avatar Nayan Ranjan Paul

Upload New File

parent 71911034
ମନ୍ଦାରଗଡ଼ର ମମତାମୟୀ
ରାଜେନ୍ଦ୍ର ପ୍ରସାଦ ଦାଶ
ତା: ଜାନୁଆରୀ ୪, ୨୦୧୬
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଅଧ୍ୟାପକ ସୁମନ୍ତ ମହାନ୍ତି ମନ୍ଦାରଗଡ଼ର ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ରଙ୍କ ବାଟଘର ତକ୍ତପୋଷ ଉପରେ ନିଘୋଡ଼ ନିଦରୁ ଉଠିପଡ଼ିଲା ।
କ’ଣ ଗୋତେ ବିକଟାଳ ରଡ଼ି ଶୁଣିଥିବାପରି ଲାଗିଲା ।
ଆରପଟ ଖଟରେ ଶ୍ରୀଚନ୍ଦନ ମଧ୍ୟ ବସିପଡ଼ିଲା ପରି ତାକୁ ଦିଶିଗଲା ।
ଘନ ଘନ ବିଜୁଳି ।
ଘଡ଼ଘଡ଼ି ।
ସାଇଁ ସାଇଁ ପବନ ! କିଟି କିଟି ଅନ୍ଧାର ।
ସକାଳୁ ପ୍ରାୟ ଦୁଇଶ କିଲୋମିଟର ଆସିଚି ।
ପ୍ରତାପପୁର କଲେଜ୍‌ର ମୁଖ୍ୟ ଅତିଥି ।
ଖାଲି କଥା ଦେଇଥିଲା ବୋଲି ସେ ସକାଳୁ ଭୁବନେଶ୍ୱର ଛାଡ଼ିଥିଲା, ଯଦିଓ ଜାଣିଥିଲା ଯେକୌଣସି ମୁହୂର୍ତ୍ତରେ ଝଡ଼ଟା ଆସିଯିବ ।
ପ୍ରତାପପୁର ଆଉ ସତର କିଲୋମିଟର ଅଛି, ଗାଡ଼ିଟା ବିଗିଡ଼ିଗଲା ।
ସେ ଓ ଡ୍ରାଇଭର୍‌ ବର୍ଷା ଭିତରେ ଗାଡ଼ିଟା ଠେଲି ଠେଲି ଅଧକିଲୋମିଟର ନେଲା ପରେ ଅଟକିବାକୁ ବାଧ୍ୟ ହେଲେ ।
ରାସ୍ତାଟା କଟିଯାଇଥିଲା ।
ହାତେ ଗହୀର ଦିହାତ ଚଉଡ଼ାରେ ଘୁ ଘୁ ହୋଇ ପାଣିସୁଅ ଛୁଟୁଥିଲା ।
ତିନ୍ତିବୁଡ଼ି ସାହାଯ୍ୟ ସନ୍ଧାନରେ ଦେଢ଼ କିଲୋମିଟର ଚାଲି ମନ୍ଦାରଗଡ଼ର ଶ୍ରୀଚନ୍ଦନ ଦୁଆରେ ଛିଡ଼ା ହୋଇଥିଲା ।
ସାମନ୍ତ ଶ୍ରୀଚନ୍ଦନ ରାୟ ମହାପାତ୍ର ।
ତ୍ରିପଣ୍ଡ କଳା ।
ଠିଆ ଠିଆ ଟାଆଁସା ବାଳ, ଚିତାବାଘ ଆଖିପରି ସ୍ଥିର, ଗଭୀର ଜଳନ୍ତା ଦିଇଟା ଆଖି ।
ବାଘୁଆ ନିଶ ମେଦବର୍ଜିତ ସୁଗଠିତ ସୁଠାମ ବୃଷସ୍କନ୍ଧ ଶାଳପ୍ରାଂସ ଭୁଜ ପୁରୁଷର୍ଷଭ ।
କଣ୍ଠସ୍ୱର ବଜ୍ର ନିର୍ଘୋଷ ।
ମିତବାକ୍‌ ।
ପଦେ ଦିପଦ କଥାରେ ଏମନ୍ତ ପାଗରେ ସୁମନ୍ତର ଘରୁ ଗୋଡ଼ କାଢିବାର ହେତୁ, ରାସ୍ତାର କଦର୍ଥନା ଓ ଏବର ଅସହାୟତା ବୁଝି ଦିଇଟା ମଜ୍‌ବୁତ୍‌ ମୋଟା ତାକ୍‌ଡ଼ା ତିନିଜଣ ଭେଣ୍ଡା ଓ ଗୋଟେ ଟର୍ଚ୍ଚ ଯୋଗାଡ଼ କରି ଗାଡ଼ିଟାକୁ ଉଦ୍ଧାର କରି ବାହାର ଅଗଣାରେ ପହଞ୍ଚାଇଥିଲେ ।
ରାତି ନଅଟା ।
ଜଣକୁ ପ୍ରତାପପୁର ପଠେଇ ଦେଇଛି ।
ଆଜି ଆଉ କି ସଭା ? ଆପଣ ବରଂ ରାତିଟା ଏଇଠି ରହନ୍ତୁ ।
ସୁମନ୍ତ ଅଗତ୍ୟା ରାଜି ହୋଇଥିଲା ।
ରାତିରେ ରୁଟି କୁକୁଡ଼ା ।
ତକ୍ତପୋଷ ଉପରେ ମୋଟା ନଡ଼ିଆକତା ଗଦି ।
ତା ଉପରେ ମଖମଲି ତୋଷକ ।
ସୁମନ୍ତକୁ ଖଣ୍ଡେ ହଳଦିଆ ଦୋସୂତି ଘୋଡ଼ିହେବା ବଢ଼େଇ ଦଉ ଦଉ ଶ୍ରୀଚନ୍ଦନ କହିଲେ,
ରାତିବିକାଳି କାଳେ ଡରିବେ ।
ଅନୁମତି ହେଲେ ମୁଁ ସେପଟେ ଖଟଟାରେ ଶୋଇବି ।
ସୁମନ୍ତ ଆଶର୍ଯ୍ୟ ।
କି ଅଦ୍ଭୁତ ଲୋକ ।
ବଳେପଶା ଅତିଥିର ଅନୁମତି ଲୋଡ଼ୁଛନ୍ତି ! କହିଲା ,
ମୋର ଡରଭୟ ନାହିଁ ଆଜ୍ଞା
ଭୂତପ୍ରେତ ?
ହସି ଉଠିଥିଲା ସୁମନ୍ତ ।
ଭୂତପ୍ରେତ ଯଦିବା କେବେ ଥିଲେ ଆଉ ନାହାଁନ୍ତି ।
ସବୁଗୁରା ମଣିଷ ହୋଇଯାଇଚନ୍ତି ।
ନହେଲେ ଏତେ ହାଉଯାଉ ହୁଅନ୍ତେ କିମିତି ?
ଆପଣଙ୍କ କଥାକୁ ତାରିଫ୍‌ କଲେବି ମତେ କହିବାକୁ ହଉଛି ଯେ, ଭୂତ ସତରେ ଅଛନ୍ତି ।
ଆଜି ହୁଏତ ଆପଣ ଜାଣିବେ ।
ଜାଣିବି ନା ଦେଖିବି ? ସେମାନେ କ’ଣ ଏଇଘରେ ଚଳପ୍ରଚଳ ହଉଚନ୍ତି ? ଶ୍ରୀଚନ୍ଦନଙ୍କ ଆଖି ଦି’ଟା ଆହୁରି ଜଳି ଉଠିଲା,
ମତେ ବା ଏ ଘରର ଲୋକଙ୍କୁ ପହଳରେ ବି ଭୂତ କହିବା ଶୋଭା ପାଇଲା ନାହିଁ ମହାଶୟ ।
ଛାଡ଼ନ୍ତୁ ଆପଣ ନୂଆ ଲୋକ ।
ଏ ଘର ନୁହେଁ ।
ଏଇ ଗାଁରେ ।
ସବୁଦିନେ ନୁହେଁ ।
ବର୍ଷରେ ଥରେ ।
ଦଶବର୍ଷ ହେଲା ।
ଶ୍ରାବଣ ଅମାବାସ୍ୟା ରାତିରେ ।
ସୁମନ୍ତ ଅନୁତପ୍ତ ହେଲେ ବି ଭୂତ ସ୍ୱୀକାର କରିବାକୁ ନାରାଜ ।
ପଚାରିଲା,
କେଉଁ ବିଦେହୀ ଆତ୍ମା ।
ମନେ ହେଉଛି ଆପଣ ପ୍ରେତତ୍ତ୍ୱରେ ଅବଗ୍ରାହୀ ।
ତଥାପି ଏପରି ପ୍ରଗଳ୍ଭ କାହିଁକି ? କେବଳ ମୁଁ ନୁହେଁ ।
ଏ ଖଣ୍ଡମଣ୍ଡଳରେ ସମସ୍ତେ ଜଣନ୍ତି ।
ଆମ ସାନ ସାଆନ୍ତାଣୀ ।
ଏପରି ମମତାମୟୀ କମ୍‌ ଥିବେ ।
ଦୁର୍ଘଟଣାରେ ଦଶବର୍ଷ ତଳେ କାଳ ହୋଇଗଲା , ଶ୍ରାବଣ ଅମାବାସ୍ୟା ଉପରଓଳି ।
ସେଇ ରାତିରେ ସେ ଆଉ ଗୋଟିଏ ପ୍ରାଣି ଦେହରେ ଆବିର୍ଭୂତା ହେଲେ ।
ସେଇ ଆରମ୍ଭ ।
ୟା ଭିତରେ ନାନା ଗୁଣିଗାରେଡ଼ି, ମନ୍ତ୍ର ଯନ୍ତ୍ର,ଶାନ୍ତି-ସ୍ୱସ୍ଥ୍ୟୟନ , ପୁଜା-ଅର୍ଚ୍ଚନା, ଯାଗଯଜ୍ଞ କରାଯାଇଛି ।
ଏଇଟା ଦଶମ ବର୍ଷ ।
ଅନେକଙ୍କର ବିଶ୍ୱାସ ଯେ, ଦଶବର୍ଷରେ ପ୍ରେତଯୋନିରୁ ମୁକ୍ତି ସମ୍ଭବ ।
ଆଉ ହୁଏତ ତାଙ୍କର ଆବିର୍ଭାବ ହେବନାହିଁ ।
ତଥାପି ମହାଶୟ, ହନୁମାନ ଚାଳିଶା ଆବୃତ୍ତି କରୁଛି ।
ଅନୁରୋଧ , ଆବୃତ୍ତିର ଅନୁସରଣ କରିବା ହେବେ ।
ଶ୍ରୀଚନ୍ଦନ ହନୁମାନ ଚାଳିଶା ଗାଇଲେ ।
ତାଙ୍କ ପଛେ ପଛେ ସୁମନ୍ତ ।
“ ଭୂତ ପିଚାଶ ନିକଟ ନେହିଁ ଆୱେ, ମହାବୀର ଜବ ନାମ ଶୁନାୟେ ।”
ପଦଟି ଆଉଡେଇଲା ବେଳେ ସୁମନ୍ତ ଏକ ପରମ ନିଶ୍ଚିନ୍ତତା ଅନୁଭବ କଲା ।
ପରେ ପରେ କ୍ଳାନ୍ତ ଅବସନ୍ନ ସୁମନ୍ତ ପ୍ରାୟ ସାଙ୍ଗେ ସାଙ୍ଗେ ଶୋଇପଡ଼ିଲା ।
ଶବ୍ଦଟା ଶୁଣି ଉଠିପଡ଼ି ସୁମନ୍ତ ଟର୍ଚ୍ଚଟା ଟିପିଦେଲା ବେଳକୁ ଶ୍ରୀଚନ୍ଦନ କହିଲେ ;
ଅଧ୍ୟାପକ ମହାଶୟ, ଆଜି ଶ୍ରାବଣ ଅମାବାସ୍ୟା ମନେ ଅଛି ? ଆମର ସବୁ ପ୍ରଚେଷ୍ଟା ବ୍ୟର୍ଥ ହୋଇଛି ।
ସାଆନ୍ତାଣୀ ପ୍ରେତ ଯୋନିରେ ହିଁ ଅଛନ୍ତି ।
ଶ୍ରୀଚନ୍ଦନ ମହାଶୟ, ଆପଣତ ଏଇ ମାତ୍ର ଉଠିଲେ ।
ଜାଣିଲେ କିପରି ?
ସୁମନ୍ତବାବୁ, ଆପଣ କାହିଁକି ଉଠିପଡ଼ିଲେ ?
କ’ଣ ଗୋଟେ ବିକଟାଳ ଶବ୍ଦ ଶୁଣିଲାପରି ଲାଗିଲା ।
ବିକଟାଳ ! ମତେ ତ ବିକଳ କ୍ରନ୍ଦନ ପରି ଶୁଭିଲା ।
ଶୁଭେ ।
ଆଉ ଟିକକ ପରେ ଶୁଣିବେ ।
ବିରାମହୀନ ଆକୁଳ କ୍ରନ୍ଦନ ।
ନାନା ସ୍ୱରଗ୍ରାମରେ ।
ସମୁଦ୍ରର ପାଣି ଗୋଟିଏ ଆବର୍ତ୍ତରେ ରସାତଳଗାମୀ ହେଲେ ବା ପୃଥିବୀର ସବୁ ପବନ ଗୋଟିଏ ରନ୍ଧ୍ରରୁ ବିନିର୍ଗତ ହେଲେ କିପରି ଶୁଭନ୍ତା ସୁମନ୍ତ ବାବୁ ?
ବୁଝିପାରିଲେ ନାଇଁ ଆଜ୍ଞା ।
ସୁମନ୍ତ ସତରେ ବୁଝିପାରୁ ନଥିଲା ।
ଭାବୁଥିଲା – କି କଳ୍ପନାରେ ବାବା ! କି ଭାଷା ! କିନ୍ତୁ ତା’ ପାଇଁ ଅସଲ ପ୍ରହେଳିକା ସେଇ ମମତାମୟୀଟି ।
ଦୁର୍ଘଟଣାରେ ମଲେ ।
କି ଦୁର୍ଘଟଣା ? ପ୍ରେତ କାହିଁକି ହେଲେ ? ପୁଣି କୋଉ ପ୍ରାଣୀଟିକୀ ଆଦରିଚନ୍ତି ? ସେଇ ନିର୍ଦ୍ଦିଷ୍ଟ ପ୍ରାଣିଟି କ’ଣ ଦଶବର୍ଷ ହେଲା ବଞ୍ଚିଚି ? ତା ପ୍ରଶ୍ନ ଶୁଣିଲାପରି ଶ୍ରୀଚନ୍ଦନ କହି ଚାଲିଲେ ,
ସାନ ସାଆନ୍ତାଣୀ ପଚିଶ ବର୍ଷରେ ବିଧବା ହେଲେ ।
ସତୀ ହେବାକୁ ଚାହୁଁଥିଲେ ।
ଦଶବର୍ଷର ଏକାମାତ୍ର ପୁଅଟି ପାଇଁ ବଞ୍ଚିଲେ ।
ପୁଅ ଯୋଗ୍ୟ ହୋଇ ବିଦେଶ ଗଲେ ।
ସେଠାରେ ଘର ସଂସାର କରି ରହିଲେ ।
ସାଆନ୍ତାଣୀ ଆରମ୍ଭରୁ ଦିଅରକୁ ବହୁତ ସ୍ନେହ କରୁଥିଲେ ।
ପୁଅ ନ ଫେରିବାରେ ଆହୁରି ବେଶୀ ସ୍ନେହ କଲେ ।
କ’ଣ କିମିତି ହେଇଗଲା ! ସାଆନ୍ତାଣୀ ଗର୍ଭବତୀ ହେଇଗଲେ ।
ଗୋଟେ କାହାକୁ ଡକେଇ ଗର୍ଭନଷ୍ଟ କରାଇବାରେ ପ୍ରଚୁର ରକ୍ତଶ୍ରାବ ହେଲା ।
ମରିଗଲେ ।
ଆମେ ସବୁ କୁଳକୁଟୁମ୍ବ ଲାଜରୁ ଚୁପ୍‌ଚାପ୍‌ ଶବସତ୍କାର କରିଦେଲୁ ।
ସେଇ ରାତିରେ ସାରସଟିଏ ମଶାଣିର ଓସ୍ତଗଛରେ ବସି ବିଳାପ କରିବାରେ ଲାଗିଲା ।
ବାସ୍‌ ଖାଲି ରାତିଟା ।
ସକାଳୁ ନଥିଲା ।
ପ୍ରତିବର୍ଷ ଶ୍ରାବଣ ଅମାବାସ୍ୟାରେ ଏପରି ଘଟିଲା ।
ସାରସ ଡାକ ଶୁଣିଛନ୍ତି ଆଜ୍ଞା ? ତୁରୀପରି ! ତୁର୍‌ ତୁର୍‌ ତୁର୍‌ ତୁରର୍‌ ।
ସାଆନ୍ତାଣି-ସାରସଟା କିନ୍ତୁ ମଣିଷ ପରି ବାହୁନେ ।
ଅବଶ୍ୟ ଭୟଙ୍କର ବଡ଼ପାଟିରେ ।
କ’ଣ ସେଇ ଏକା ସାରସ ?
ନାଇଁ ଆଜ୍ଞା ।
ପ୍ରତିବର୍ଷ ଗୋଟିଏ ନୂଆ ସାରସ ବୋଧହୁଏ ।
ଦି ତିନିବର୍ଷ ଆମେ ବାଣୁଆ ଲଗେଇଲୁ ।
ଚାରି ଚାରିଟା ସାରସ ମରାହେଲେଣି ।
ସାରସ ଦେଖିଛନ୍ତି ଆଜ୍ଞା ? ମଣିଷ ଉଞ୍ଚା ବିରାଟ ପକ୍ଷୀ ।
ଲମ୍ବା ଲମ୍ବା ନାଲିଗୋଡ଼ ।
ମୁଣ୍ଡ ଓ ପାଖକୁ ଲାଗିଥିବା ବେକ ବି ନାଲି ।
ନାଲି ପଗଡ଼ି ପିନ୍ଧିଥିବା ମଣିଷ ଯେମମିତି ! ଆଶ୍ଚର୍ଯ୍ୟ କଥା କ’ଣ କହିବି ଆଜ୍ଞା, ଆମେ ଯଉଗୁରାଙ୍କୁ ମରେଇଲୁଣି ସବୁଗୁଡ଼ାଙ୍କ ଥଣ୍ଟ ବକଟେ ବକଟେ ।
ବେକମୁଣ୍ଡ ମିଶାମିଶି ।
ଢିମାଢିମା ଗୋଲ ଆଖି ।
ପେଚାପରି ମୁହଁ, ଅବିକଳ ମଣିଷ ପରି ।
ଦେଖିଲେ ଡର ମାଡ଼େ ।
ସୁମନ୍ତ ମନରେ ନାନା ପ୍ରଶ୍ନ ।
ସାରସମାନେ ଯୋଡ଼ିବାନ୍ଧି ରହନ୍ତି ।
ଜଳା ଭୂମିରେ ବସା ବାନ୍ଧନ୍ତି ।
ଭୁଲ ବୁଝିଛନ୍ତି ଶ୍ରୀଚନ୍ଦନ ।
ଆଉ କି ଚଢ଼େଇ ହେଇଥିବ ।
ଅମାବାସ୍ୟା ଦିନ ଚଢ଼େଇଦଳ ଏଇ ବାଟଦେଇ ଉଡ଼ିଯାଉଥିବେ ।
ଗୋଟିଏ ଦଳଛଡ଼ା ହେଇ ଅଟକି ଯାଇଥିବ ।
କହିଲା ।
ଆଉ କୋଉ ଚଢେଇ ହେଇଥିବ ଆଜ୍ଞା ।
ସାରସ ଗଛରେ ରହେନା ।
ଏକୁଟିଆ ବି ନୁହେଁ ।
ସୁମନ୍ତ ବାବୁ ! ସାରସ ଚିହ୍ନିବାରେ ଆମର ଭୁଲ୍‌ ହେବ? ଆମ ପାଟରେ ଭେଳା ଭେଳା ସାରସ ଆଜ୍ଞା ।
ଅନ୍ୟ ଚଢ଼େଇ ନୁହେଁ, ସାଆନ୍ତାଣୀ ଗୋଟେ ବେଯୋଡ଼ ସାରସ ବାଛି ବିଜେ ହୋଇ ପଡ଼ୁଛନ୍ତି ।
ଭାରି ଭଲ ଗାଉଥିଲେ ସିଏ ।
କେତେଥର ମୁଁ ନିଜେ ଦୂରରୁ ଶୁଣିଛି, ଗୋପାଳକୃଷ୍ଣଙ୍କ ‘‘ସାର ସଜ ସାରସ ଲପନାରେ ’’ ।
ଦିଅରର ନାଆଁ ମଧ୍ୟ ସାରଙ୍ଗ ।
ଯୋଉଥିରେ ହେଉ, ସାଆନ୍ତାଣୀ ଜାଣିଶୁଣି ଏଇ ଚଢ଼େଇଟିକୁ ବାଛିଛନ୍ତି ।
ସୁମନ୍ତ କହିବାକୁ ବାହାରୁଥିଲା ଯେ, ‘ ସାରସ ଲପନା’ ର ସାରସାଟା ଚଢେଇ ନୁହଁ , ଫୁଲ ।
ପଦ୍ମଫୁଲ ।
ମାତ୍ର ତା’ର ମନେ ପଡ଼ିଗଲା, ସାରସ ଓ ସାରଙ୍ଗ ଉଭୟ ଶବ୍ଦ ପଦ୍ମ ଓ ରାଜହଂସ ପାଇଁ ମଧ୍ୟ ପ୍ରଯୁଜ୍ୟ ।
ଠିକ୍‌ ସେତିକିବେଳକୁ ତାକୁ ଲାଗିଲା, ଚାରିଆଡ଼େ ଗୋତେ ଅଦ୍ଭୁତ ସ୍ତବ୍‌ଧତା ଛାଇଯାଉଛି ।
ମେଘ, ପବନ, ବିଜୁଳି ସବୁ ଯେମିତି ହଠାତ୍‌ ବନ୍ଦ ହେଇଯାଇଚି ।
ସେଇ ନିମିଷକର ଅଖଣ୍ଡ ନିରନ୍ଧ୍ର ସ୍ତବ୍‌ଧତାକୁ ଚୂର୍‌ମାର କରି ଗୋଟେ କ୍ରମବର୍ଦ୍ଧିଷ୍ଣୂ ବିଳାପ ଧ୍ୱନି ଦିଗବିଦିଗ ବ୍ୟାପିଗଲା- ଆଁ ଆଁ ଆ ଆ ।
ହଠାତ୍‌ ଆଉ ଗୋଟେ ଶବ୍ଦ ।
ଗୁଳି ।
ଶ୍ରୀଚନ୍ଦନ ଖଟରୁ ଡେଇଁପଡ଼ି ଦଉଡ଼ିଲେ ।
ପଛେ ପଛେ ସୁମନ୍ତ ।
ଆଗରେ ବିରାଟ ଓସ୍ତଗଛ ।
ଚଢ଼େଇ ଡେଣାର ଫଡ଼ଫଡ଼ ସାଙ୍ଗକୁ ଗୋଟିଏ ମଣିଷର ଗଁ ଗଁ ଶବ୍ଦ ।
ସୁମନ୍ତ ଟର୍ଚ୍ଚଟା ଜାଳିଲା ।
ସବୁ ଶବ୍ଦ ବନ୍ଦ ହୋଇଗଲା ।
ଓସ୍ତମୂଳେ ଗୋଟେ ବିରାଟ ଚଢ଼େଇ ।
ତା ତଳେ ମଣିଷଟିଏ ।
ମଣିଷଟିଏ ଚିତ୍‌ହୋଇ ପଡ଼ିଛି ।
ତା ମୁହଁ ଉପରେ ଚଢ଼େଇ ମୁହଁ ।
ଦେହ ଉପରେ ଚଢ଼େଇ ଦେହ ।
ଗୋଡ଼ ଉପରେ ଚଢ଼େଇର ଗୋଡ଼ ।
ଚଢ଼େଇ ଡେଣା ଦି’ଟା ତେର୍ଚ୍ଛେଇ ଯାଇ ମଣିଷଟାକୁ ଆବୋରି ପକେଇଚି ।
ଉଭୟ ରକ୍ତ ଜୁଡ଼ୁବୁଡ଼ୁ ।
ଖଣ୍ଡେ ଦୂରରେ ଗୋଟେ ଶକ୍ତିଶାଳୀ ରାଇଫଲ୍‌ ।
ସୁମନ୍ତ ଅନୁମାନ କଲା ଯେ, ଲୋକଟା ଚଢ଼େଇ ମାରିବାକୁ ରାଇଫଲ୍‌ ଫୁଟେଇଚି ।
ଚଢ଼େଇଟା ଖସି ପଡ଼ିଚି ଠିକ୍‌ ତା’ରି ଉପରେ ।
ଚଢ଼େଇ ମରିଚି ଗୁଳିରେ ।
ଲୋକଟା ମରିଚି ଗଛ ଶିଅରେ ମୁଣ୍ଡ ପିଟିହେଇ ।
ଶ୍ରୀଚନ୍ଦନ ଆଗେଇଯାଇ ଚଢ଼େଇ ଡେଣାଟା ଆଡ଼େଇଦେଇ ଚିତ୍କାର କରିଉଠିଲେ ସାରଙ୍ଗ !
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment