Commit 8d11ba30 authored by Nayan Ranjan Paul's avatar Nayan Ranjan Paul

Upload New File

parent 22309e96
ଛାଇ ଆଲୁଅ
ସ୍ନେହଲତା ନାୟକ, ରାଉରକେଲା
ତା: ମାର୍ଚ୍ଚ୍ ୫, ୨୦୧୧
ମୂଳ ପୃଷ୍ଠା → ଗଳ୍ପ → ଆଧୁନିକ →
ବତାସୀ ଠେକିଟାକୁ ଖଜୁରୀ ଗଛରୁ ଓହ୍ଲାଇ ଖୁବ୍ ସନ୍ତର୍ପଣରେ ତଳକୁ ଆସିଲା ।
ସଜ ତାଡ଼ି ପିଇବାକୁ ଢେର ଗରାଖ ।
ହାଁ କରି ଉପରକୁ ଅନେଇ ଠିଆ ହେଇଛନ୍ତି କେତେବେଳୁ ।
ଗରାଖଙ୍କ ଭିତରେ ଧନୀ, ଗରିବ, ଦୀନମଜୁରିଆଙ୍କଠୁ ଆରମ୍ଭ କରି ନେତାଙ୍କ ଚେଲାଚାମୁଣ୍ଡା ଆଉ ତାଙ୍କ ଛୁଆମାନେ ବି ଅଛନ୍ତି ।
ଏଇ ଇଲେକ୍ସନ୍ ସମୟରେ ଗରାଖଙ୍କ ସଂଖ୍ୟା ବଢ଼ିଯାଏ ।
ଗାଁ ଗଣ୍ଡାରେ ଯଦିଓ ଦେଶୀ ମାଲ ଅଧିକ ପରିମାଣରେ ବିକ୍ରୀ ତଥାପି ତାଡ଼ିର ଆଦର କମିନାହିଁ ।
ଆଜି ଠାକୁରାଣୀ ଛକରେ ମିଟିଙ୍ଗ ଅଛି ଆମ୍ବଚି଼ହ୍ନ ବାଲାଙ୍କର ।
ଦଶଟା ଖଜୁରୀ ଗଛରୁ ତାଡ଼ି ସଂଗ୍ରହ କରିଛି ସେ ।
ବାସୀ ସହ ମିଶେଇ ବିକିଯିବ ।
ଯେଉଁ ଗିଲାସକୁ ଦଶଟଙ୍କା ନିଏ ଆଜି ସେଇଟା ଡବଲରେ ଯିବ ।
ଅତିକମ୍ରେ ଦି’ ହଜାର ପାଇବ ।
ରାସ୍ତା କଡ଼େ କଡ଼େ ଖଜୁରୀ ଗଛ ଭର୍ତ୍ତି ।
ସେ ଖଜୁରୀ ରସ ନେଲାବେଳେ ପିଞ୍ଛା ବି କାଟିନିଏ ।
ସେଥିରେ କୁସୁମୀ ଝାଡୁ ଆଦି କ’ଣ କ’ଣ ବନାଏ ।
ତା’ ବାଦେ ବାଉଁଶରେ ନାଳିଆ, କୁଲା, ପାଛିଆ ବୁଣେ ।
ଏଇଥିରୁ ଗୁଜୁରାଣ ମେଣ୍ଟାନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ ।
ବତାସୀର ବାପ ହାଡ଼ିଆ କୋଉ କାଳରୁ ମଲାଣି ।
ମାଆ ତ ଆହୁରି ଆଗରୁ ଯାଇଥିଲା ।
ସାଆନ୍ତରାବାବୁ ଘର ତା’ ବାପାକୁ ଏଇ ଜାଗାଖଣ୍ଡକ ଦେଇଥିଲେ ।
ଗାଁର ଶେଷ ମୁଣ୍ଡରେ ଆମ୍ବ, ଜାମୁ, ବରଗଛ, ଆହୁରି କେତେଟା ଜଣାଶୁଣା ଗଛ ।
ସେଇ ଭିତରେ ବଡ଼ ବଡ଼ ଚାଳିଆ ଦି’ଖଣ୍ଡ ତାଙ୍କର ।
ଗୋଟାକରେ ଛେଳି, ଜାଳକୁଟା, ଖଜୁରୀ ପିଞ୍ଛା, ଚୁଲୀ ଚଉକା, ଆରଟିରେ ସେମାନେ ଶୁଆବସା କରନ୍ତି ।
ଖରାଦିନ ରାତିଟା ବାହାରେ ବିତେ ।
ଫର୍ଚ୍ଚା ଜହ୍ନ ଆଲୁଅରେ କୁସୁମୀ ସବୁ କାମ କରିନିଏ ।
ତାଙ୍କର ହାତ ପଙ୍ଖା ଲୋଡ଼ା ହୁଏନାହିଁ ।
ବଢ଼ିଆ ସୁଲୁସୁଲିଆ ପବନ ପୋଖରୀ ଆଡୁ ହୁଲୁହୁଲୁ ହେଇ ମାଡ଼ିଆସେ ।
ଆଉ ଶୀତ ମାସର ଦିନଟା ବିତେ ଖରାରେ ।
ଚାଳିଆ ଆଗକୁ ଆଉ ଗୋଟେ ଚୁଲୀ ବିଛେଇ କୁସୁମୀ ସେଇଠି ରୋଷେଇବାସ କରେ ।
ଗୋବରରେ ପୂରା ଦାଣ୍ଡଟାକୁ ଲିପିଦେଇଥାଏ ।
ସେଇ ନରମ ଉଷୁମ ଖରାରେ ସମସ୍ତଙ୍କର ଖାଇବାପିଇବା କାମ ହୋଇଯାଏ ।
ବର୍ଷା ଦିନରେ ଯାହା ଖାଲି ଚାଳିଆ ଭିତରେ ରନ୍ଧାବଢ଼ା ହୁଏ ।
ଘର ବାହାରେ ଦି’ଖଣ୍ଡ ଦଉଡ଼ିଆ ଖଟ ।
ଗରାଖ ସେଇ ଖଟରେ ବସନ୍ତି ।
ବଡ଼ ବଡ଼ ସିଲ୍ଭର୍ ଗ୍ଲାସ୍ରେ ତାଡ଼ି ପିଅନ୍ତି ।
ପରସ୍ପରକୁ ଅଶ୍ରାବ୍ୟ ଭାଷାରେ ଗାଳିଫଜିତ୍ କରନ୍ତି ।
ଯେତେବେଳେ ନିଶାଟା ଗାଢ଼ ହୁଏ କିଏ କାହାକୁ କୁଣ୍ଢୋଉଥାଏ, ଗେଲ କରୁଥାଏ ତ ପୁଣି କେତେବେଳେ ମାଡ଼ପିଟ୍ ଲହୁଲୁହାଣ ।
ଏ ସବୁକୁ ଦେଖିଦେଖି ବତାସୀର ଦିହ ପଥର ହେଇଯାଇଛି ସିନା କୁସୁମୀ ସେଇ ସମୟରେ ଘରୁ ବାହେରେନି ।
ସେ ତା’ର ତିନି ଛୁଆଙ୍କୁ ନେଇ ଭିତରେ ବସିଥାଏ ।
ସୋଲା, ରାଗ ମଟର, ମୁଢ଼ି ଓ କଞ୍ଚାଲଙ୍କା ସବୁ ଜିନିଷ ବତାସୀ ପାଖରେ ଥୋଇଦେଇଥାଏ ଆଗରୁ ।
ବଡ଼ପୁଅ ଝିଅ ଦି’ଟା ଗାଁ ସ୍କୁଲରେ ପାଠ ପଢୁଛନ୍ତି ।
ସାନଟି ମା’ କ୍ଷୀର ଛାଡ଼ିନି ।
ବତାସୀ ସିନା ତାଡ଼ି ବିକୁଛି ହେଲେ କୁସୁମୀର ସ୍ବପ୍ନ ଅସରନ୍ତି ।
ବାହାରେ ହୋ’ହାଲ୍ଲା ଚାଲିଥିବା ବେଳେ ସେ ତା’ର ଚାଳିଆ ଭିତରେ ବସି ବୁଣୁଥାଏ ସ୍ବପ୍ନର ବୁଢ଼ିଆଣୀ ଜାଲ ।
ତା’ ପିଲାଏ ବଡ଼ ହେବେ ।
ପାଠ ଦି’ଅକ୍ଷର ପଢ଼ି ସାଆନ୍ତରାବାବୁ ଘର ଛୁଆଙ୍କ ଭଳି ବଡ଼ ବଡ଼ ଅଫିସ୍ରେ ଚାକିରୀ କରିବେ ।
ସହରରୁ ଚାରିଚକବାଲା ଗାଡ଼ି ଚଢ଼ି ଆସିବେ ।
ସେ ନିଇତି ନୂଆ ନୂଆ ଶାଢ଼ୀ ପିନ୍ଧି ଗାଁ ଭିତରକୁ ଯିବ ।
ଗାଁ ମାଇପେ ସବୁ ତାକୁ ଘେରିଯାଇ ପଚାରିବେ- ତୋ’ ପୁଅ ଆଣିଛି କିଲୋ ଏ ଶାଢ଼ୀ, ଢେରେ ଟଙ୍କା ପଡ଼ିଥିବ ।
ସେ ତା’ ପୁଅଙ୍କ ସାଙ୍ଗରେ ଗାଡ଼ିରେ ବସି ସହରକୁ ଯିବ ।
ଏ ଚାଳିଆ ଦି’ଖଣ୍ଡକୁ ଭାଙ୍ଗି କୋଠା ଘର ପାଞ୍ଚ ବଖରା ବନେଇବ ।
ଗୋଟାକରେ ସେ ଓ ବତାସୀ ଆଉ ତିନିଟାରେ ପୁଅଝିଅ, ଗୋଟିଏରେ କୁଣିଆ ବନ୍ଧୁବାନ୍ଧବ ବସାଉଠା କରିବେ ।
ଏଇମିତି ଭାବୁଭାବୁ ରାତି ମାଡ଼ିଆସେ ।
ଗରାଖ ଫେରିଯାନ୍ତି ଆପଣା ବାଟରେ ।
ବେଳେବେଳେ କିଏ କିଏ ପଡ଼ିଥାନ୍ତି ସେଇ ଦଉଡ଼ିଆ ଖଟରେ ନହେଲେ ତଳେ ରାତି ଅଧଯାଏ, ବିଳିବିଳେଇ ହଉଥାନ୍ତି ।
ନେତାଙ୍କୁ, ଶ୍ବଶୁର ଘରକୁ, ପୁଅ ମାଇକିନାଙ୍କୁ ଶୋଧୁଥାନ୍ତି କାନ ନ ଶୁଣିଲା ଭଳିଆ ଭାଷାରେ ।
ବତାସୀ ଭାରରେ ତାଡି ଠେକିଗୁଡ଼ାକ ବୋହିଆଣି ବାହାରୁ ଡାକ ପକେଇଲା- ଏ କୁସୁମୀ ! ଆଣ ଲୋ ପାଣି ଢାଳେ ।
ଓଃ କି ଗରମ, ଚଇତରୁ ଏତେ ତାତି, ଆହୁରି ଦିନକାଳ ଅଛି ।
ଉଚ୍ଛୁଣି ସୁଲୁସୁଲୁ ପବନରେ ଦିହମନ ଉଲୁସିଯାଉଥାନ୍ତା ।
ଦକ୍ଷିଣା ବାଆ କାଇଁ ? ଗମଗମ ଝାଳ ବାହାରୁଛି ଦିହରୁ…. କୁସୁମୀ ପାଣି ଢାଳେ ଆଣି ଥୋଇଲା ।
କହିଲା- ପଖାଳ ବାଢ଼ିଦେମି ? ଆଜି ନବା ମା ଆସିଥିଲା ।
ଶିଳା ଶୁଖୁଆ ଅଧାକେଜି ରଖିଚି ତା’ଠୁ ।
ବଡ଼ି, ଶୁଖୁଆପୋଡ଼ା ନଗେଇ ପଖାଳ ଖାଇଦିଅ ।
ଗରାଖ ଆଇଲେ ଆଉ ତର ସହିବନି…. ।
ଦେଖୁନ ଗାଡ଼ିଗୁଡ଼ାକ କେମିତି ଘାଉଁଘାଉଁ ହେଇ ଘୂରୁଛନ୍ତି ।
– ହଁ.. ଇଲେକ୍ସନ୍ ବଜାର, ଘୂରିବେନି! ଦିନକୁଦିନ ଦଳ, ଚି଼ହ୍ନ ସବୁ ବଢ଼ିଚାଲିଛି ।
ସମସ୍ତଙ୍କୁ ହଁ ହାଁ ମାରିଚାଲିବା କଥା ।
ଆମଠୁ ସବୁ ତଳବାଲା ପିଉଛନ୍ତି ।
ଆଜି ତ ଠାକୁରାଣୀ ଛକରେ ଆମ୍ବଚି଼ହ୍ନ ବାଲାଙ୍କର ମିଟିଙ୍ଗ୍ ଅଛି ।
ଆଲୋ କୁସୁମୀ ଆମ ଆମ୍ବ ଗଛରେ କେତେ ବଉଳ, କଷି ଭର୍ତ୍ତି ହେଇଛି ଲୋ ।
ଏସନ ଢେରେ ଆମ୍ବ ଫଳିବ ।
– ସେ କଥା କ’ଣ କହିହବ ।
ଆମ୍ବ ପାଚିବାକୁ କେତେ ବାଧା ।
ବଇଶାଖୀ ଝଡ଼ ବତାସ ଆଗକୁ ଅଛି, କୁହୁଡ଼ିରେ ତ ଅଧା ଜଳିଗଲା ।
ଏଇନେ କଷି ବାହାରୁଛି ।
ପାଚିବାକୁ ଆଉରି କେତେ ବାଟ ।
– ହଉ ତୁ ଛାଡ଼ ସେ କଥା ।
ଶୁଖୁଆ ଯେବେ କିଣିଚୁ ଭାଜିଦେ ।
ତାଡ଼ି ସାଙ୍ଗରେ ଶୁଖୁଆ ଜମିବ ।
ମୁଁ ଆଉ ପାଞ୍ଚଟଙ୍କା ଲେଖାଏଁ ଅଧିକା ନେମି ।
କୁସୁମୀ ସଞ୍ଜ ସଳିତା ଜାଳିଲା ବେଳକୁ ଠାକୁରାଣୀ ଛକ ଖାଲି ଉଠୁଥିଲା ପଡ଼ୁଥିଲା ।
ବତାସୀ ଠେକିରେ ଟୋପାଟେ ହେଲେ ତାଡ଼ି ନାହିଁ ।
ସବୁ ତା’ଉପରେ ଗରମ ।
ଯଦି ତାଡ଼ି ନାଇଁ, ଯା… ଦେଶୀ ମାଲ୍ କୋଉଠୁଁ ଆଣେ ।
ବତାସୀ ଟିକେ ଏପାଖସେପାଖ ହେଲା, ଦେଶୀ ମାଲ୍ ଉପରେ ଏବେ ଟିକେ କଟକଣା ।
ପୁଲିସ୍ ଲାଗ୍ଲାଗ୍ ଦି’ତିନିଥର ଚଢ଼ଉ କଲାପରେ ନନ୍ଦିଆର ପଛପଟିଆ କାରବାର ବନ୍ଦ ।
ଦେଶୀ ମାଲ, ତାଡ଼ି, ଭାଙ୍ଗ ଗଞ୍ଜେଇ ନହେଲେ କି ମିଟିଙ୍ଗ୍ ହୋ…. ଲୋକେ ନାକ ଛିଞ୍ଚାଡ଼ି ସଭା ଜାଗା ଛାଡ଼ି ବତାସୀ ଚାଳିଆ ଆଗରେ ଭିଡ଼ ଜମେଇଲେ ।
କୁସୁମୀ ଆଗରୁ ସବୁବେଳେ ବତାସୀକୁ କହିଛି- ଏ ତାଡ଼ି ବିକା ଧନ୍ଦା ଛାଡ଼ିଦିଅ ।
ସାଆନ୍ତରାବାବୁ ଘରେ ପଛେ ମଜୁରୀ ଖଟ, ଏ ଝାମେଲାରେ ପଡ଼ନା ।
ମୋ କଥା ଛାଡ଼ ।
ଝିଅଟା ଆମର ବଡ଼ ହେଲାଣି ।
ନିଶାଡିଗୁଡ଼ାଙ୍କର ହୋସ୍ ରହୁନି ।
କେତେବେଳେ କ’ଣ କରିବସିବେ ।
ବତାସୀ ତାକୁ ହାଙ୍କେ- ମୋର ଏଇ ଧନ୍ଦା ଢେର ଭଲ ।
କାହିଁକି କା’ ଘରେ ମୁଣ୍ଡ ବିକିମି ? ତୁ ତ ଝାଡୁଫାଡୁ ବାନ୍ଧୁଛୁ ।
ଏ ବେପାରରେ ବି ଦି’ପଇସା ବାହାରୁଛି ।
ଏତେ ଆଗକୁ କାହିଁକି ଭାବୁଛୁ ।
ଝିଅଟା ଭୂଇଁରୁ ବାହାରିନି ।
ପନ୍ଦର ବର୍ଷ ଆଗକୁ ମାଡ଼ି ଯାଉଛୁ ।
ଆଜି ତାଡ଼ି ସରିଗଲାଣି ବୋଲି କେତେ ଗାଳିଫଜିତ୍ ଖାଇଲାଣି ବତାସୀ ।
ଯେତକ ପିଇଛନ୍ତି କେହି ହୋସ୍ରେ ନାହାନ୍ତି ।
ଆଉ ଗୋଟେ ଦଳର ନେତାଙ୍କ ମାଆଭଉଣୀ, ଚଉଦପୁରୁଷଙ୍କୁ ଦୁନିଆ ପ୍ରକାର ଅକଥା କହି ଗାଳି ଦେଉଛନ୍ତି ।
ବତାସୀ ପଛପଟ ଦୁଆର ଦେଇ ନନ୍ଦିଆ ଦୋକାନରେ ପହଞ୍ଚିଲା ।
ଆଗପଟେ ନ ଯାଇ ଟିକେ ବୁଲାଣିରେ ଯାଇ ପଛପଟେ ଢୁକିଲା ।
ଡବଲ ଦାମ୍ ଦେଇ ଗୋଟେ ବେରେଲ୍ ଭର୍ତ୍ତି ମଦ ଧରି ଦୌଡ଼ିଲା ଘର ଆଡ଼େ ।
ୟାକୁ ଆଜି ଚାରିଗୁଣାରେ ବିକିବ ।
ଇଛୁଣି ସମସ୍ତଙ୍କ ପକେଟ ଗରମ ।
ଯାହାକୁ ଯାହା ମାଗିଲେ ମିଳିବ ।
ତା’ର ତ ଦଳଫଳ ନାହିଁ ।
ସମସ୍ତଙ୍କୁ ଆଜ୍ଞା ହଜୁର୍ କରି ଦି’ପଇସା କମେଇଲେ ଗଲା ।
ଆଉ ଦି’ଦିନପରେ ଡ଼ଙ୍ଗା ଚିହ୍ନ ବାଲାଙ୍କର ମିଟିଙ୍ଗ୍ ।
ଏଇନେ ଭଲ କରି କମେଇଲେ ବରଷା ଚାରି ମାସକୁ ଆଉ ଝାମେଲା ନ ଥିବ ।
ବତାସୀ ବାଡ଼ିପଟ ଦୁଆର ଦେଇ ଘର ଭିତରେ ପଶିଲା ।
ଦାଣ୍ଡରେ ଲୋକେ ହୋହୋ ହଉଛନ୍ତି ।
ବଗୁଲିଆ ଟୋକା ପିତେଇ ଗାଁ ର ଜଣେ ସାଆନ୍ତଙ୍କୁ କୁଣ୍ଢେଇ ଗୀତ ଗାଉଛି , ମୋ ରଙ୍ଗବତୀ ଲୋ ରଙ୍ଗବତୀ , ଆମ୍ବଚି଼ହ୍ନରେ ତୁ ଭୋଅଟ ଦେବୁ ଲୋ ଡଙ୍ଗାକୁ ମାରିବୁ କାତି ।
କୁସୁମୀ ଛୁଆଙ୍କୁ ଧରି କୋଣରେ ପଶିଛି ।
ତା’ଛାତି ଖାଲି ଦାଉଁଦାଉଁ ପଡୁଛି ।
ଆଜି କ’ଣ ଏଇ ଚାଳିଆ ଭିତରେ ପ୍ରଳୟ ହେବ କି ? ବତାସୀ ମଦ ବେରେଲ ଓ ଗ୍ଲାସ୍ ଧରି ବାହାରକୁ ବାହାରିଗଲା ।
ଥାଳିରେ ଥାଳିଏ ରାଗ ମଟର ଭଜା ପୁଅ ଆଣି ଥୋଇଦେଲା ତା’ପାଖରେ ।
ବେରେଲ୍ଟା ଯାକ ମଦ ନିମିଷିକ ଭିତରେ ଖତମ୍ ।
ପେଟେ ପେଟେ ପିଇ ନଗେନ୍ ଭାଇ ଜିନ୍ଦାବାଦ୍ କହି ଲୋକେ ଚାଲିଲେ ମିଟିଙ୍ଗ୍ ପାଖକୁ ।
ବତାସୀର ଟଙ୍କା ବାକ୍ସ ପୁରା ଫୁଲ୍ ।
ଜିନିଷ ପତ୍ର ଉଠାଉଠି କରିସାରିଲା ବେଳକୁ ଦୁଆର ଖୋଲି ବାହାରକୁ ଆସିଲା କୁସୁମୀ ।
ଖଟ ତଳେ ଉପରେ ଆହୁରି ତିନିଚାରିଟା ଗଡୁଛନ୍ତି ।
କିଏ କିଏ ଅସଭ୍ୟ ଭାଷାରେ ବିଳିବିଳେଉଛନ୍ତି ।
ଗୋଟେ ତ ଆଉ ଗୋଟେ ନିଶାଡିକୁ ତା’ ମାଇକିନା ଭାବି ଟଣାଓଟରା କରୁଛି ।
ଛି- ଏ ମର୍ଦ୍ଦଗୁଡ଼ାକ କ’ଣ ହଉଛନ୍ତି ଲୋ ମା ।
ନିଶା ପିଇବ ବୋଲି ଇମିତି ହବ… ଘରଭିତରକୁ ପଶିଆସି କୁସୁମୀ କହିଲା ବତାସୀକୁ ।
-ଏ… ତୁ ଚୁପ୍ଚାପ୍ ରହ ।
ବାହାରକୁ ବାହାରେନା ।
ଏଇଠି ଗଣ୍ଡେ ଫୁଟାଇଦେ ।
ଯାଉ ଆଉ ପନ୍ଦର ଦିନ ।
ସବୁ ଥଣ୍ଡା ପଡ଼ିଲେ ଯାଇ ବାହାରେ ରୋଷେଇ କରିବୁ ।
ଦିନରେ ବଳିଥିବା ତିନି ଚାରୋଟି ଶୁଖୁଆକୁ ପୋଇ ସାରୁ ପକେଇ ଝୋଳ କଲା କୁସୁମୀ ।
ଗରମ ଭାତ ତରକାରୀ ବାପଛୁଆ ଚାରିଜଣଙ୍କୁ ବାଢ଼ିଦେଲା ।
ବାସନତକ ଘରର ଗୋଟେ କୋଣରେ ଥୋଇଦେଲା ।
ସକାଳେ କୂଅରୁ ପାଣି କାଢ଼ି ମାଜିବ ।
ବାହାରେ ଏ ଯାଏଁ ବି ଘୋଘୋ ଶବ୍ଦ, ଗାଳିଫଜିତ୍ ।
ଆଉ ଥରେ ଥରେ ମାଲ୍ ପିଇବାକୁ ଲୋକେ ତାଙ୍କ ଦୁଆର ବାଡ଼େଇବାଡ଼େଇ ଫେରିଗଲେଣି ।
ଛୁଆମାନଙ୍କୁ ଧରି ବତାସୀ ଓ କୁସୁମୀ ଭିତରୁ ଛିଟିକିଣି ଦେଇ ଶୋଇଗଲେ ନିଘୋଡ଼ ନିଦରେ ।
ଟୋକା ତିନିଚାରିଟା ତଥାପି ଗଡୁଛନ୍ତି ସେଇଠି ।
କୁଆ କା’ କରିବା ଆଗରୁ ନିଦ ଭାଙ୍ଗିଲା କୁସୁମୀର ।
ଅଣ୍ଡାଳିପକେଇଲା ବିଛଣାକୁ ।
ଏଁ ଝିଅଟା କୁଆଡ଼େ ଗଲା ? ଏଇଠି ତ ଶୋଇଥିଲା ।
ଧଡ଼ପଡ଼ ହେଇ ଉଠିଲାବେଳକୁ ଦେଖିଲା ବାଡି ଦୁଆର ଠିଆ ମେଲା ।
ତା ଛାତିରେ ଖାଲି ହାତୁଡି ପାହାର, ସେ ବତାସୀକୁ ହଲାଇଦେଲା ଜୋର୍ରେ ।
ନିଦ ମଳ ମଳ ଆଖିରେ ଉଠି ବସିଲା ବତାସୀ ।
– କ’ଣ ହେଲା ଇମିତି ଚିଲ୍ଲଉଚୁ କାହିଁକି ?
– ଝିଅ ତ ଘରେ ନାହିଁ ।
– ଝିଅ ଘରେ ନାଇଁ ? କୁଆଡ଼େ ଗଲା ? ଏଇ ଝାଡ଼ାଝପଟ ଲାଗି ଯାଇଥିବ ବାଡିଆଡ଼େ, ଏଇଥିରେ ବ୍ୟସ୍ତ ହେଉଛୁ ! ବତାସୀ କୁସୁମୀର ହାତଧରି ଘର ଚାରିପଟେ ଅଣ୍ଡାଳିଲା ।
କ’ଣ ପୋଖରୀ ଆଡ଼େ ପଳେଇଲା କି ? ଆକାଶ ଫର୍ଚ୍ଚା ଦିଶିଲାଣି ।
ଦିହେଁ ଦି’ଦିଗକୁ ଖେଦିଗଲେ ।
ତୋଟାର ଶେଷ ମୁଣ୍ଡରେ ଝିଅକୁ ଦେଖିଲା କୁସୁମୀ ।
ତା’ପାଟିରେ ଲୁଗା ବିଣ୍ଡା ।
ଦିହରେ କପଡ଼ା ନାହିଁ ।
ନ ବର୍ଷର ଛୁଆକୁ….
ଆହା କି ଚାଣ୍ଡାଳ କାମ….. ଝିଅକୁ କୁଣ୍ଢେଇଧରି ବଡ଼ ପାଟିକଲା କୁସୁମୀ ।
ଦଉଡ଼ିଆସିଲା ବତାସୀ ।
ଝିଅର ନିଃଶ୍ବାସ ଟିକେ ଟିକେ ଚାଲିଛି ।
କୁସୁମୀ ତା’ଲୁଗା କାନି ଘୋଡ଼େଇ ଝିଅକୁ ଘରଯାଏ ଟେକିଆଣିଲା ।
ଡାକ୍ତରଖାନାକୁ ବାହାରିଲା ବେଳକୁ ଦୁଆର ମୁହଁରେ ପୋଲିସ ।
– ତୁ ବତାସୀ ନା, ଚାଲ ଥାନାକୁ ।
ମଦରେ କ’ଣ ମିଶେଇ ବିକିଛୁ ।
ରାତିସାରା ଲୋକେ ଡାକ୍ତରଖାନାକୁ ଧାଡ଼ି ଲଗେଇଛନ୍ତି ।
ଚୋରା ମଦ କାରବାର କରୁଛୁ ନା, ତୋ ମଜ୍ଜା ଛଡ଼େଇବି ଆଜି, ଥାନା ବଡ଼ବାବୁ ଧମକେଇଲେ ବତାସୀକୁ…. ।
କୁସୁମୀ ତାଙ୍କ ଗୋଡ଼ ତଳେ ଛୁଆକୁ ଗଡ଼େଇ ଦେଇ ଭେଁଭେଁ ହୋଇ କାନ୍ଦିଲା…. ବାବୁ ମୋ ଝିଅକୁ ବଞ୍ଚାନ୍ତୁ ।
– ତାହେଲେ ଏଇଠି ଦିଇଟା କେସ୍ ।
ପୋଲିସ୍ ବାପ ମାଆ ଛୁଆ ତିନିଜଣଙ୍କୁ ଗାଡ଼ିରେ ବସାଇ ନେଇଯାଇଥିଲା ବେଳେ ଆଉ ଦି’ପୁଅ ଗାଡ଼ି ପଛେ ପଛେ ଦଉଡୁଥିଲେ ଅଣନିଃଶ୍ବାସୀ ହେଇ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment