Commit bf03441f authored by Nayan Ranjan Paul's avatar Nayan Ranjan Paul

Upload New File

parent 5bda514a
ସିସିଫସ୍‌
- ଅମିୟବାଳା ପଟ୍ଟନାୟକ
ତା: ଜୁଲାଇ ୪, ୨୦୧୨
ମୂଳ ପୃଷ୍ଠା → ପ୍ରତିବେଶୀ ସାହିତ୍ୟ (ଅନୁବାଦ) →
ମୂଳ ବଙ୍ଗଳା ରଚନା – ବିମଳ ମିତ୍ର
ସେଦିନ ମୁଁ ବସିଥିଲି ଜବଲପୁରର ଗୋଟାଏ ଡାକ ବଙ୍ଗଳାରେ ! ପ୍ରକୃତରେ ସେ ସ୍ଥାନଟା ଅସଲ ଜବଲପୁର ନଥିଲା ।
ବରଂ ଥିଲା ହାଓବାଗ-ଜବଲପୁରରେ ଏବେ ସେ ଡାକ ବଙ୍ଗଳାର ଚେହେରା କେମିତି ଦେଖାଯାଉଥିବା କେଜାଣି ?
କିନ୍ତୁ ମୁଁ ଯେତେବେଳେ ସେଠାକାର ଡାକ ବଙ୍ଗଳାକୁ ଯାଉଥିଲି, ତା’ର କମ୍ପାଉଣ୍ଡ୍‌ ଭିତରେ ପଚିଶ-ତିରିଶଟି ଆମ୍ବଗଛ ଥିଲା, ଥିଲା ତିନୋଟି ମେହେବାନି ଗଛ ଏବଂ ଥିଲା ସାତୋଟି ଅଶ୍ବସ୍ଥ ଗଛ ! ଦିନରେ ମଧ୍ୟ ସ୍ଥାନଟି ଅନ୍ଧକାରରେ ଆଚ୍ଛାଦିତ ହୋଇ ରହୁଥିଲା ।
ଡାକବଙ୍ଗଳାଟି ଥିଲା ଗୋଟାଏ ବିରାଟ ହତା ଭିତରେ ।
ଏହି ବଡ଼ ବଡ଼ ଗଛଗୁଡ଼ିକ ଛଡ଼ା ଆଉ କିଛି ଫୁଲର କିଆରୀ ମଧ୍ୟ ସେଠି ଥିଲା ।
ଥିଲା କେତୋଟି ଗୋଲାପ ଫୁଲର ଏବଂ କିଛି ସିଜନ୍‌ ଫ୍ଲାୱାରର ବେଢ଼ା ।
ତେବେ ଆବଶ୍ୟକ ଲୋକବାକ ଅଭାବରୁ ଫୁଲଗୁଡ଼ିକର କେହି ଯତ୍ନ ନେଉ ନଥିଲେ ଭଲ ଭାବରେ ।
ପ୍ରତି ମାସରେ ପ୍ରାୟ ଥରେ ଦୁଇଥର ମତେ ଏଇ ଡାକ ବଙ୍ଗଳାକୁ ସରକାରୀ କାର୍ଯ୍ୟରେ ଯିବାକୁ ପଡ଼ୁଥିଲା ।
ଭୋର ଭୋରରୁ ନ୍ୟାରୋଗଜ୍‌ ଟ୍ରେନ୍‌ଟା ମତେ ନେଇ ସେଠାରେ ପହଞ୍ଚାଇ ଦେଉଥିଲା ! ଡାକ ବଙ୍ଗଳାରେ ଜିନିଷପତ୍ରଗୁଡ଼ିକ ଫୋପାଡ଼ି ଦେଇ ମୁଁ ଟାଉନ୍‌ ଭିତରେ ଥିବା ମୋ ଅଫିସ୍‌କୁ ଚାଲି ଯାଉଥିଲି ।
ପୁଣି ଦୁଇଘଣ୍ଟା ପରେ ଅଫିସ୍‌ କାମ ସାରି ଫେରିଆସି ବସୁଥିଲି ବଙ୍ଗଳା ବାରଣ୍ଡାରେ ଏବଂ ଫୁଲଗଛଗୁଡ଼ିକୁ ଅନାଇ ରହୁଥିଲି ।
ସେହି ଡାକ ବଙ୍ଗଳାଟିରେ ଦୁଇଟି ବଡ଼ ବଡ଼ କୋଠରୀ ଥିଲା, ସାମନାରେ ଥିଲା ଖପରୁଲି ଛାଉଣି ଦିଆ ଲମ୍ବା ବାରଣ୍ଡା ।
ମୁଁ ଆରାମ ଚେୟାରଟା ଟାଣି ଆଣି ସେଠାରେ ବସିଯାଉଥିଲି ।
ଅଫିସ୍‌ କାମ ବ୍ୟତୀତ ମୋର ଆଉ ସେଠି ବିଶେଷ କାର୍ଯ୍ୟ ନଥିଲା ।
ମୁଁ ସେମିତି ଭାବରେ ବସୁଥିଲି ଅନେକ ରାତି ପର୍ଯ୍ୟନ୍ତ! ଦୁନିଚାନ୍ଦ ଆସି ନୈଶ ଭୋଜନ ଦେଇଯାଉଥିଲା ଏବଂ ମୁଁ ଖାଇପିଇ ଶୋଇ ପଡ଼ୁଥିଲି ! ପ୍ରାୟ ପ୍ରତିମାସ ଏଇ ଅଫିସ୍‌ରେ ମତେ ଦିନେ ଦୁଇଦିନ ରହି କାମ କରିବାକୁ ପଡ଼ୁଥିଲା ଏବଂ ତା’ପରେ ମୁଁ ଫେରି ଆସୁଥିଲି ମୋର ପ୍ରିୟ ସହର ବିଳାସପୁରକୁ ।
ମୁଁ ସେଦିନ ମଧ୍ୟ ସେମିତି ଆନମନା ଭାବରେ ସେହି ବଙ୍ଗଳା ବାରଣ୍ଡାରେ ବସିଥିଲି ।
ବାହାରେ ସମ୍ପୂର୍ଣ୍ଣ ନହେଲେ ମଧ୍ୟ ଅନ୍ଧକାରର ରାଜତ୍ବ ।
ହତା ମଧ୍ୟରେ ଦୁଇ ତିନୋଟି ବତୀଖୁଣ୍ଟ ଥିଲେ ମଧ୍ୟ ଶୀତଦିନର ପ୍ରବଳ କୁହୁଡ଼ି ପାଇଁ ଆଲୋକଗୁଡ଼ିକ ଖୁବ୍‌ ନିଷ୍ପ୍ରଭ ଦିଶୁଥିଲେ ।
ଦରକାର ମୁତାବକ କିଛି ମାଛ ଆଉ ଅଣ୍ଡା ଆଣିବା ପାଇଁ ଦୁନିଚାନ୍ଦକୁ ମୁଁ କିଛି ଟଙ୍କା ଦେଇ ବଜାରକୁ ପଠାଇଥିଲି ।
ସେଗୁଡ଼ିକ ଆଣିବା ପରେ ସେ ରୋଷେଇ କରିବା ଏବଂ ଯଥାରୀତି ରାତ୍ରିଭୋଜନ ପରଷିବା- ଏହାହିଁ ଥିଲା ସେ ରାତିର କାର୍ଯ୍ୟକ୍ରମ ।
ମୁଁ ସେମିତି ସେହି ବାରଣ୍ଡାରେ ବସି ବସି କେତେ ଆକାଶ ପାତାଳ ଚିନ୍ତା କରୁଥିଲି ।
ହଠାତ୍‌ ଭୟରେ ଚମକିପଡ଼ି ଦଶହାତ ପଛେଇଯାଇ ବିକଳରେ ଚିତ୍କାର କରି ଡାକିଲି ଦୁନିଚାନ୍ଦ … ଦୁନିଚାନ୍ଦ !
ଆଖି ସାମନାରେ ଏକ ବିରାଟକାୟ ସାପ ନିଃଶବ୍ଦରେ ଫୁଲ ବଗିଚା ପାରିହୋଇ ମୋ ଆଡ଼କୁ ଲକ୍ଷ୍ୟକରି ଆଗେଇ ଆସୁଥିଲା ।
ଦୁନିଚାନ୍ଦ ରହିବା ଆଉଟ୍‌ ହାଉସ୍‌ଟା ମୁଁ ରହୁଥିବା ବଙ୍ଗଳାଠାରୁ ଦୂରରେ ବିପରୀତ ଦିଗରେ ।
ସେଠାରେ ରହୁଥାନ୍ତି ଦୁନିଚାନ୍ଦ ଆଉ ତା’ର ସ୍ତ୍ରୀ ! ଆଉ ସେଠାରେ ରହନ୍ତି ବଙ୍ଗଳାର ମେହେନ୍ତର ! ତେବେ ସବୁବେଳେ ଆସି ଏଠାରେ ରହୁଥିଲେ ମଧ୍ୟ ମୁଁ ସେପଟକୁ କେବେ ଯାଇନି ।
ମୋ ପରି ଭଦ୍ରଲୋକକୁ ସେଠାକୁ ଯିବାର ଆବଶ୍ୟକତା ମଧ୍ୟ ପଡ଼ିନି ! ଏ ଭିତରେ ମୁଁ ଚିତ୍କାର କରି ଲୋକ ଡାକିଲାବେଳକୁ ସାପଟି ମୋ ଶୋଇବା ଘର ଭିତରକୁ ପଶିଯାଇଥିଲା ।
ଆଉ ତା’ପରର କଥା ଭାବି ମୁଁ ଭିତରେ ଭିତରେ ଥରି ଉଠୁଥିଲି !
ସାପଟା ସେତେବେଳେ ତା’ର ଫାଳିକିଆ ଜିଭକୁ ହଲାଇ ମୋ ଆଡ଼କୁ ମାଡ଼ି ମାଡ଼ି ଆସୁଥିଲା ଏବଂ ମୁଁ ଆହୁରି ଜୋରରେ ଜୋରରେ ଚିତ୍କାର କରି ଡାକୁଥିଲି ଦୁନିଚାନ୍ଦ…. ଦୁନିଚାନ୍ଦ ! କିନ୍ତୁ ସୌଭାଗ୍ୟକ୍ରମେ ଦୁନିଚାନ୍ଦ ମୋ ଡାକ ଶୁଣି ନଥିଲା ସିନା, ଭଗବାନ ମୋ ଡାକ ଶୁଣି ପାରିଥିଲେ ।
ଦୁନିଚାନ୍ଦ ଏତେ ଶୀଘ୍ର ଫେରିଆସିବା କଥା ନଥିଲେ ମଧ୍ୟ କାହିଁକି କେଜାଣି ଦୌଡ଼ି ଦୌଡ଼ି ଆସି ମୋ ନିକଟରେ ପହଞ୍ଚି ଯାଇଥିଲା ।
ମୁଁ ବିକଳରେ କହିଥିଲି- ମୋ ଶୋଇବା ଘରେ ଗୋଟାଏ ବଡ଼ ସାପ ପଶିଯାଇଛି ଦୁନିଚାନ୍ଦ, ତମେ ଶୀଘ୍ର ଯାଇ ଗୋଟାଏ ବଡ଼ ଠେଙ୍ଗା ନେଇଆସ !
ଦୁନିଚାନ୍ଦ କୁଆଡ଼ୁ ଗୋଟାଏ ବଡ଼ ଠେଙ୍ଗା ଧରି ଆସି ଘର ଭିତରକୁ ଟିକିଏ ଉଙ୍କିମାରି ଦେଖିଲା ଏବଂ ଥମିଗଲା ।
ମୋ ପାଖକୁ ଆସି କହିଲା, ଆରେ ଏ ତ ଏଜରା ମେମ୍‌ସାହେବଙ୍କ ସାପ ! ତା’ପରେ ସେ ଠେଙ୍ଗାଟିକୁ କାନ୍ଥରେ ଆଉଜାଇ ଦେଇ ବାରଣ୍ଡାରେ ଆସି ନିଶ୍ଚିନ୍ତରେ ଛିଡ଼ା ହେଲା ।
ସାପଟି ଘର ଭିତରେ ପଶିଯାଇଥିବା କଥା ଯେମିତି ସେ ସମ୍ପୂର୍ଣ୍ଣ ଭାବେ ପାଶୋରି ପକାଇଥିଲା ।
ମୁଁ ଆଶ୍ଚର୍ଯ୍ୟରେ ତାକୁ ଚାହିଁ ରହିଥିଲି ।
ଏଜରା ମେମ୍‌ସାହେବଙ୍କ ସାପର କ’ଣ ବିଷ ନାହିଁ ? ସେ କ’ଣ ମଣିଷଙ୍କୁ କାମୁଡ଼େ ନାହିଁ ? ତାକୁ ନେଇ ଭାବିବାର କ’ଣ କିଛି କାରଣ ନାହିଁ ? ତା’ଛଡ଼ା ଏଇ ଏଜରା ମେମ୍‌ସାହେବ ଟି ବା କିଏ ?
ଦୁନିଚାନ୍ଦ ମୋ ପାଖକୁ ଆସି କହିଲା- ଆପଣ ଟିକିଏ ଅପେକ୍ଷା କରନ୍ତୁ ! ମୁଁ ଯାଇ ତାଙ୍କୁ ଡାକି ଆଣୁଚି !
ଦୁନିଚାନ୍ଦ ବଗିଚା ଆଡ଼କୁ ଆଗେଇ ଯାଉଥିଲା ।
ମୁଁ ପୁଣିଥରେ ଦୁନିଚାନ୍ଦକୁ ଡାକିଲି…. କହିଲି-ଆରେ ତମେ କୁଆଡ଼େ ଯାଉଚ ? ତମର ଏ ମେମ୍‌ସାହେବଙ୍କ ଘର କୋଉଁଠି ?
ଦୁନିଚାନ୍ଦ ଯାଉ ଯାଉ ଉତ୍ତର ଦେଲା- ଆରେ ହଜୁର, ଏଇ ପାଖ ଘର…. ଏଇ ସତର ନମ୍ବର କୋଠିଟା ତାଙ୍କର ! ମୁଁ ଖାଲି ଯିବି ଆଉ ଆସିବି !
ଏତେ ବର୍ଷ ହେଲା ମୁଁ ଜବଲପୁର ଆସୁଛି…. ଏଇ ରେଷ୍ଟ ହାଉସ୍‌ରେ ରହୁଛି ।
ବହୁତ ସମୟ ଏଇ ବାରଣ୍ଡାରେ ମଧ୍ୟ ବସୁଛି…. ଅଥଚ କୌଣସି ଦିନ ଏଇ ବିରାଟ ସାପର ସାମନା ସାମନି ହୋଇନି ।
ଆଉ ଏଇ ବିରାଟ ସାପକୁ ପୋଷିଥିବା ସତର ନମ୍ବର କୋଠିର ଏଜରା ମେମ୍‌ସାହେବଙ୍କ କଥା ମଧ୍ୟ ତ ଶୁଣିନି ! ନାରୀମାନେ ଯେ ସାପକୁ ମଧ୍ୟ ପୋଷିପାରନ୍ତି- ଏ କଥା ଆଜି ନୂଆ କରି ଜାଣିଲି ।
ଦୁନିଚାନ୍ଦଙ୍କ ସହ ଏଜରା ମେମସାହେବ ମଧ୍ୟ ଆସୁଥିଲେ ।
ମେଦବହୁଳ ପୃଥୁଳାକାୟା ନାରୀ ।
ବୋଧହୁଏ ବୟସ ସତୁରୀ ପାଖାପାଖି ହେବ ! ଦେହରେ ଢିଲା ଗାଉନ ।
ଘରେ ଯେମିତି ଅବସ୍ଥାରେ ଥିଲେ ସେମିତି ହିଁ ଚାଲି ଆସିଛନ୍ତି ! ଜୋତା କି ଟୋପି ମଧ୍ୟ ପିନ୍ଧିନାହାନ୍ତି ।
ସତେ ଯେମିତି ତାଙ୍କର କୁନି ପୁଅଟି ହଜିଯାଇଛି- ଏମିତି ଅସ୍ତବ୍ୟସ୍ତ ଭାବରେ ସେ ମୋର ଶୋଇବା ଘରେ ପ୍ରବେଶ କଲେ ! ଆଉ ବଡ଼ ନରମ ଗଳାରେ ଡାକିଲେ- ସିସି… ସିସି… ମାଇଁ ଡାର୍ଲିଂ ।
ମେମ୍‌ସାହେବଙ୍କ ସହିତ ତାଙ୍କର ଚାକର-ବାକର ଏବଂ ଆୟା ମଧ୍ୟ ଚାଲି ଆସିଥିଲେ ! ସେ ମତେ ଦେଖୁଦେଖୁ ପାଗଳ ପରି ପଚାରି ଉଠିଲେ- ସିସି କାଇଁ ? ସେ କେଉଁଠି ଅଛି ବାବା ?
ଦୁନିଚାନ୍ଦ ତାଙ୍କୁ ଘର ଭିତରକୁ ନିର୍ଦ୍ଦେଶ କରି ଦେଖାଇଦେଲେ ।
ମେମ୍‌ସାହେବ ନିର୍ଭୟରେ ଘର ଭିତରକୁ ପଶିଗଲେ ଏବଂ ଛୁଆକୁ ଡାକିଲା ପରି ଡାକିଲେ ସିସି… ସିସି ମାଇଁ ଡାର୍ଲିଂ ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ମିସେସ୍‌ ଏଜରାଙ୍କ ସହିତ ଆସିଥିବା ତାଙ୍କ ପରିଚାରକମାନେ ମଧ୍ୟ ମୋର କୋଠରୀ ଭିତରକୁ ପଶିଗଲେ ଏବଂ ସମସ୍ତେ ମିଶି ସେହି ସାପକୁ ଧରିବାରେ ସକ୍ଷମ ହେଲେ ।
ଗୋଟାଏ ଲୋକ ସାପଟିକୁ କାନ୍ଧ ଉପରକୁ ଉଠାଇ ନେଲା ଏବଂ ସାପଟି ମଧ୍ୟ ବେଶ୍‌ ଆରାମରେ ଲୋକଟିର କାନ୍ଧରେ ମୁହଁଟିକୁ ଉଠାଇ ବସି ରହିଲା ।
ତା’ପରେ ଆରମ୍ଭ ହେଲା ତାଙ୍କର ଫେରିବାର ପର୍ବ ! ସାପ ଧରିଥିବା ସେହି ଲୋକଟିର ପଛେ ପଛେ ପ୍ରଥମେ ଏଜରା ମେମ୍‌ସାହେବ ଏବଂ ଅନ୍ୟମାନେ ଶୋଭାଯାତ୍ରା କଲାପରି ଚାଲୁଚାଲୁ ସାପଟିକୁ ଡାକୁଥିଲେ …. ସିସି…. ମାଇଁ…. ଡାର୍ଲିଂ !
ଯାଉ ଯାଉ ତାଙ୍କର ବୋଧେ ମୋ କଥା ମନେ ପଡ଼ିଯାଇଥିଲା-
ଅଧାରାସ୍ତାରୁ ସେ ପୁଣି ମୋ ନିକଟକୁ ଫେରିଆସି କହିଲେ- ଆପଣଙ୍କୁ ବହୁତ ଧନ୍ୟବାଦ ବାବା, ସେ ଅନ୍ୟ କେଉଁଠିକୁ ଚାଲିଯାଇଥିଲେ, ମୁଁ ତାକୁ ଖୋଜି ଖୋଜି ପାଇ ନଥାନ୍ତି ।
ହି ଇଜ୍‌ ସୋ ନଟି- କହୁ କହୁ ସେ ସାପଟି ନିକଟକୁ ମୁହଁନେଇ ଚୁମା ଖାଇଲେ ।
ମୁଁ ପରମ ଆଶ୍ଚର୍ଯ୍ୟରେ ଏହି ଅଦ୍ଭୁତପୂର୍ବ ଦୃଶ୍ୟ ଦେଖିବାରେ ଲାଗିଥିଲି ।
ମିସେସ୍‌ ଏଜରା ପୁଣି ମୋ ପାଖକୁ ଫେରି ଆସିଲେ ।
ତାଙ୍କର ବୋଧହୁଏ ମନେହେଲା ମତେ ସେ ଯଥେଷ୍ଟ କୃତଜ୍ଞତା ଜ୍ଞାପନ କରିନାହାନ୍ତି ।
କହିଲେ- ହ୍ବାଟ୍‌ କେନ୍‌ ଆଇ ଡୁ ଫର ୟୁ, ବାବା ।
ମୁଁ ଆପଣଙ୍କ ପାଇଁ କ’ଣ କରିପାରିବି ? ମୁଁ ଉତ୍ତର ଦେଲି- ନା ନା ମୋ ପାଇଁ ଆପଣଙ୍କୁ କିଛି ବି କରିବାକୁ ପଡ଼ିବ ନାହିଁ ।
ସେ ପୁଣି ମତେ ପଚାରିଲେ- ଆର୍‌ ୟୁ ଏ ରେଲୱେ ଏମ୍ପ୍ଲୋୟୀ ।
ତୁମି କି ରେଲୱେ…! ମିସେସ୍‌ ଏଜ୍‌ରାଙ୍କର ବୋଧହୁଏ ଧାରଣା ଥିଲା କେବଳ ରେଲୱେ ଏମ୍ପ୍ଲୋୟୀମାନେ ଏହି ଡାକବଙ୍ଗଳାରେ ରହନ୍ତି ।
ସେ ଅନୁରୋଧ କଲା ଭଙ୍ଗୀରେ କହିଲେ- ଆପଣ କାଲି ଦୟାକରି ମୋ ସହିତ ଲଞ୍ଚ ଖାଇବାକୁ ଆମ ଘରକୁ ଆସିବେ ? ଅବଶ୍ୟ ସେଥିପାଇଁ ଯଦି ଆପଣଙ୍କର କୌଣସି ଆପତ୍ତି ନଥାଏ- କହୁକହୁ ସେ ପୁଣି ସିସି… ସିସି ମାଇଁ ଡାର୍ଲିଂ ଡାକି ଚାଲିଗଲେ ।
ମୋର ସମ୍ପୂର୍ଣ୍ଣ ମନେ ଅଛି ସେଦିନ ରାତିରେ ଡାକବଙ୍ଗଳାର ସେହି କୋଠରୀରେ ମୁଁ ଭଲଭାବେ ଶୋଇ ପାରି ନଥିଲି ।
ଦୁନିଚାନ୍ଦ ମତେ ସାନ୍ତ୍ବନା ଦେବା ସ୍ବରରେ କହିଥିଲା, ସେଇଟା ପୋଷା ସାପ ହଜୁର ! ସେ ମାରିବ ନାହିଁ, ଆପଣ ମିଛଟାରେ ଖାଲି ଡରିଯାଉଛନ୍ତି ।
ତଥାପି ମୁଁ କହିଥିଲି- ନା ଏହାପରେ ମୁଁ ଆଉ ତମର ଏ ଡାକବଙ୍ଗଳାରେ ରହିବି ନାହିଁ ।
କିନ୍ତୁ ମୁଁ ଏଠାରେ ନ ରହିଲେ ଦୁନିଚାନ୍ଦର ହିଁ କ୍ଷତି ! ମୋ ପାଇଁ ଜିନିଷ ଆଣିଲାବେଳେ ବଜାରରୁ ତାକୁ ଯେଉଁ ଉପୁରି ଦି ପଇସା ମିଳୁଥିଲା ତାହା ଆଉ ମିଳିବ ନାହିଁ ।
ଦୁନିଚାନ୍ଦ ଯେତେ ପୋଷାସାପ ବୋଲି କହିଲେ ମଧ୍ୟ ମୋ ମନରୁ ଭୟ ମୋଟେ ଯାଉ ନଥିଲା ।
ସାପ କ’ଣ କେବେ ପୋଷାମାନେ ? ସାପକୁ କ’ଣ କେହି ଘରେ ପୋଷିପାରେ ?
ସେଦିନ ଖାଇବା ବେଳକୁ ଅନେକ ରାତି ହୋଇଯାଇଥିଲା ।
ସେଥିପାଇଁ କଥାବାର୍ତ୍ତା ଆଉ ବେଶି ଆଗେଇଲା ନାହିଁ ।
ଦୁନିଚାନ୍ଦ ମଧ୍ୟ ମୋ ସହିତ ଆଉ କଥା ନହୋଇ ଅଇଁଠା ବାସନତକ ଉଠାଇ ନେଇ ଭିତରକୁ ଚାଲିଯାଇଥିଲା ।
ତା’ପରଦିନ ଭୋରରୁ ଲୋକଟିଏ ଚିଠିଟିଏ ଧରି ଆସି ମୋ ନିକଟରେ ପହଞ୍ଚିଲା ।
ଚିଠିଟିକୁ ଲେଖିଥିଲେ ନିଜେ ଏଜ୍‌ରା ମେମ୍‌ସାହେବ ।
ଲେଖିଥିଲେ- କାଲି ଆପଣଙ୍କୁ ଭଲଭାବେ ଥ୍ୟାଙ୍କସ୍‌ ଦେଇପାରିନାହିଁ ।
ମୁଁ ସେତେବେଳେ ଖୁବ୍‌ ଏଜିଟେଟେଡ଼ ଥିଲି ।
ସିସିକୁ ଯେ ଆପଣ ବଞ୍ଚାଇ ଦେଇଛନ୍ତି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି ପୁଣିଥରେ ।
ହି ଇଜ୍‌ ମାଇଁ ସୋ ନାଇସ ଡାର୍ଲିଂ ।
ଆଜି ଯଦି ଆପଣ ଲଞ୍ଚ ଖାଇବାକୁ ମୋ ଘରକୁ ଆସନ୍ତି ତେବେ ମୁଁ ଖୁବ୍‌ ଖୁସି ହେବି;- ୟୁୟୋର୍‌ସ ଟ୍ରୁଲି- ମିସେସ୍‌ ଏଜ୍‌ରା !
ଚିଠିର ଉତ୍ତରରେ ମୁଁ ପତ୍ର ବାହକକୁ ଜଣାଇ ଦେଇଥିଲି ମୁଁ ତାଙ୍କ ସହିତ ଆଜି ଲଞ୍ଚ ଖାଇବି ।
ସେଥିପାଇଁ ଦୁନିଚାନ୍ଦକୁ ଦ୍ବିପହର ପାଇଁ ଭୋଜନ ବ୍ୟବସ୍ଥା କରିବାକୁ ମନା ମଧ୍ୟ କରି ଦେଇଥିଲେ ।
ଅଫିସ୍‌ କାମସାରି ମୁଁ ସିଧାଯାଇ ପହଞ୍ଚିଲି ଏଜ୍‌ରା ମେମ୍‌ସାହେବଙ୍କ ଘରେ ! ଘରଟା ଖୋଜିବା ପାଇଁ ମତେ ବିଶେଷ କଷ୍ଟ ହୋଇ ନଥିଲା ।
ତାଙ୍କ ଘରଟି ଡାକବଙ୍ଗଳାକୁ ଲାଗି ରହିଥିଲା ।
ଏଜ୍‌ରା ମେମ୍‌ସାହେବଙ୍କ ଘରଟି ମଧ୍ୟ ଡାକବଙ୍ଗଳା-ପରି ବିରାଟ ଥିଲା ।
ବିରାଟ କମ୍ପାଉଣ୍ଡ ।
ମିସେସ୍‌ ଏଜ୍‌ରା ସତୁରୀ ବର୍ଷର ବୃଦ୍ଧା ହେଲେ କ’ଣ ହେଲା ତାଙ୍କୁ ପରିବେଷ୍ଟନ କରି ବହୁ ଚାକର ଖାନସମା ରହୁଥିଲେ ।
ମିସେସ୍‌ ଏଜ୍‌ରା ତାଙ୍କର ପ୍ରକାଣ୍ଡକାୟ ଦେହକୁ ବୋହି ବୋହି ମୋ ପାଖକୁ ଆସି କହିଲେ- ଗୁଡ଼୍‌ ମର୍ଣ୍ଣିଂ ତା’ପରେ ପୁଣି କହିଲେ- କ’ଣ ତ ଆପଣଙ୍କର ନା ?
ଆଳାପ ପରିଚୟ ହେବା ପରେ ଗୋଟାଏ ସୋଫାରେ ମତେ ବସାଇ ଆଉ ଗୋଟାଏ ପାଖରେ ସେ ବସିଲେ ।
ଖାଇବା ପିଇବା ଆୟୋଜନ ଖୁବ୍‌ ବଡ଼ ଭାବେ କରାଯାଇଥିଲା ।
ଖାଉ ଖାଉ ସେ ଅନେକ କଥା କହୁଥିଲେ ।
ସେ ସବୁ କଥା ଥିଲା ତାଙ୍କ ନିଜ ଜୀବନର କଥା ! ତାଙ୍କର ସ୍ବାମୀଙ୍କର କଥା ! ଏକଦା ମିଷ୍ଟର ଏଜ୍‌ରା ଥିଲେ ଜଣେ ଦକ୍ଷ ଶିକାରୀ ! ସେ ସାରା ଭାରତ ବୁଲି ବୁଲି ବାଘ-ଭାଲୁ କୁମ୍ଭୀର, ହରିଣ ଶିକାର କରୁଥିଲେ ଏବଂ ତାର ପ୍ରମାଣ ମଧ୍ୟ ଦିଆଲରେ ଚମଡ଼ା ହୋଇ ଟଙ୍ଗା ଯାଇଥିଲା ।
-ନିଅନ୍ତୁ ଏଇ ରୋଷ୍ଟ୍‌ ଟା ଭଲଲାଗିବ…. ଖାଇନିଅନ୍ତୁ…. ମିଷ୍ଟର
-ମିଷ୍ଟର ମିତ୍ର- ମୁଁ ଉତ୍ତର ଦେଇଥିଲି ।
ବୋଧେ ବୟସାଧିକ୍ୟ ପାଇଁ ବୃଦ୍ଧା ମଝିରେ ମଝିରେ ମୋ ନାଁ ଟିକୁ ଭୁଲି ଯାଉଥିଲେ ।
ଏପରିକି ଗପଗୁଡ଼ିକ କହୁକହୁ ବହୁ ନାମ ସ୍ଥାନ ଓ ବର୍ଷ ମଧ୍ୟ ଭୁଲି ଯାଉଥିଲେ !
-ଆପଣ କାଲି ମୋର ଯେଉଁ ଉପକାର କରିଛନ୍ତି….. ତା’ ପାଇଁ ମୁଁ ସତରେ ଆପଣଙ୍କ ନିକଟରେ ଋଣୀ ।
ଆପଣ ଜାଣନ୍ତି ନାହିଁ, ଏଇ ସିସି ଆଗରୁ ବଡ଼ ଦୁଷ୍ଟ ଥିଲା ।
ଆଗରୁ ସେ ଖାଲି ମିଲ୍କ(ଦୁଧ) ଖାଇ ରହୁଥିଲା, ସ୍ୟାଟିସ୍‌ଫାୟେଡ଼ ବି ହେଉଥିଲା ।
କିନ୍ତୁ ଏବେ ଦେଖୁଛି ସେ ଆଉ ଦୁଧ ଖାଇବାକୁ ଚାହୁଁନାହିଁ ।
ଏଠି ଏହି ରେଷ୍ଟହାଉସ୍‌ ହତାରେ ଅନେକ ଫ୍ରଗ୍‌ ଅଛନ୍ତି…. ସେମାନେ ବେଳେ ବେଳେ ଡାକ ପକାନ୍ତି ଏବଂ ଇଏ ଯାଏ ସେମାନଙ୍କୁ ! ମୁଁ କିନ୍ତୁ ୟେକୁ କେବଳ ମିଲ୍କ ଖୁଆଇ ରଖିବାକୁ ଚାହେଁ ।
ଡ୍ରଇଂରୁମ୍‌ ସାମନା ଦିଆଲରେ ମିଷ୍ଟର ଏଜ୍‌ରାଙ୍କର ଏକ ବିରାଟ ଅୟେଲ ପେଣ୍ଟିଂ ଟଙ୍ଗା ହୋଇଥିଲା ।
ଦାଢ଼ି ନିଶ ଭର୍ତ୍ତି ସୁନ୍ଦର ମୁହଁ ।
ପୁରୁଷ ପୁରୁଷ ଚେହେରା ।
ଏକଦା ଇହୁଦୀମାନଙ୍କ ସମାଜରେ ତାଙ୍କର ପ୍ରତିପତ୍ତି ଓ ସମ୍ମାନ ଥିଲା ।
ସେ ବ୍ୟବସାୟ କରି ପ୍ରଚୁର ଟଙ୍କା ଉପାର୍ଜନ କରୁଥିଲେ ।
ସେ ବ୍ୟବସାୟ ଥିଲା ପୁଣି ମଦ ବ୍ୟବସାୟ ।
ଅନାୟାସରେ ଲାଇସେନସ୍‌ ପାଇ ସେ ଅନେକଗୁଡ଼ିଏ ମଦ ଦୋକାନ ଖୋଲିଥିଲେ ! ମଦ ଦୋକାନ ଚଳାଇବା ପାଇଁ ସାଧାରଣତଃ ବେଶୀ ଲୋକ ଦରକାର ହୁଅନ୍ତି ନାହିଁ ।
ଫଳରେ ତାଙ୍କୁ ପ୍ରଚୁର ସମୟ ମିଳୁଥିଲା ଏବଂ ଏହି ଅବସର ସମୟ କାଟିବା ପାଇଁ ସେ ବେଳେବେଳେ ଜଙ୍ଗଲକୁ ଯାଉଥିଲେ, ମୁଁ ମଧ୍ୟ ତାଙ୍କ ସହିତ ଶିକାର କରିବାକୁ ଯାଉଥିଲି ।
କ୍ୟାମ୍ପ କରି ଆମେ ରାତିରେ ବି ଜଙ୍ଗଲ ଭିତରେ ରହୁଥିଲୁ ।
ଦେଖନ୍ତୁ ନା କି ଚମତ୍କାର ଚେହେରା ଥିଲା ମିଷ୍ଟର ଏଜ୍‌ରାଙ୍କର ।
ଏଡ଼େ ସୁନ୍ଦର ଚେହେରା ଆପଣ କେଉଁଠି ବି ପାଇବେ ନାହିଁ ଆମ ଇହୁଦୀ କମ୍ୟୁନିଟିରେ ।
ମୁଁ କ’ଣ ଠିକ୍‌ କଥା କହୁନାହିଁ ?
ମୁଁ ଉତ୍ତର ଦେଲି- ହଁ ଆପଣ ଠିକ୍‌ କଥା କହୁଛନ୍ତି !
ମତେ ସେ ଖୁବ୍‌ ଭଲ ପାଉଥିଲେ ! ଉଇ ୱେର ଏ ହାପି କପଲ ! ଜାଣନ୍ତି ଏଠିକାର ସମସ୍ତେ ଆମକୁ ଇର୍ଷା କରୁଥିଲେ… ହିଂସା କରୁଥିଲେ !
ଏଇ ଦେଖନ୍ତୁ ଏଇ ଛବିଟି ତାଙ୍କର ୟଙ୍ଗ ଏଜ୍‌ର ! ଦେଖୁଛନ୍ତି କେମିତି ଚମତ୍କାର ଚେହେରା ।
ଏମିତି ହଜ୍‌ବ୍ୟାଣ୍ଡ୍‌ ସବୁବେଳେ ସବୁ ନାରୀଙ୍କୁ ମିଳେନାହିଁ ମିଷ୍ଟର ମିତ୍ର !
ଖାଇବା ପିଇବା ସରି ଆସୁଥିଲା, ଆଉ ଏ ସମସ୍ତ ସମୟ ବୁଢ଼ୀ କେବଳ ଅନବରତ ବକ୍‌ ବକ୍‌ କରି ଚାଲିଥିଲେ ।
ତା’ପରେ ସେ ମତେ ନେଇଯାଇଥିଲେ ତାଙ୍କର ଐଶ୍ବର୍ଯ୍ୟ ଦେଖାଇବା ପାଇଁ ।
ସଜା ଯାଇଥିବା ଧାଡ଼ି ଧାଡ଼ି କୋଠରୀ ଗୁଡ଼ିକରେ କେବଳ ମିଷ୍ଟର ଓ ମିସେସ୍‌ ଏଜ୍‌ରାଙ୍କର ଯଗ୍ମ ଫଟୋ ବହୁ ଭଙ୍ଗୀରେ ରଖାଯାଇଥିଲା ।
ତାଙ୍କର ଦାମ୍ପତ୍ୟଜୀବନ ହୁଏତ ଥିଲା ଖୁବ୍‌ ରୋମାଣ୍ଟିକ୍‌ ।
ଶେଷରେ ଆମେ ଆଉ ଗୋଟିଏ କୋଠରୀ ପହଞ୍ଚିଲୁ ସେଇଟା ଥିଲା ସିସି… ଡାର୍ଲିଂ କୋଠରୀ ! ସେଠି ସିସି ଗୋଟାଏ ଡବଲ ବେଡ଼ରେ ଶୁଏ ! ଘରସାରା ବୁଲୁଥାଏ ।
ତା’ ପାଇଁ ବିଛଣା ଚାଦର ସୋଫା ବ୍ୟତୀତ ଗୋଟାଏ ବଡ଼ କାଚର କେସ୍‌ଟିଏ ମଧ୍ୟ ଥିଲା ।
ସେତେବେଳେ ସିସି ବୋଧହୁଏ ଶୋଇଥିଲା ।
ତା’ ଦେହର ଅର୍ଦ୍ଧେକ ଅଂଶ ଥିଲା କାଚକେସ୍‌ରେ, ଆଉ ଅର୍ଦ୍ଧେକ ଥିଲା ବିଛଣା ଉପରେ !
-ଏ ଘର ଭିତରକୁ ଆସନ୍ତୁ…. ଡରନ୍ତୁ ନାହିଁ ! ସେ କାହାକୁ କାମୁଡ଼େ ନାହିଁ ! ବଡ଼ ଭଲ ମୋର ଏଇ ସିସି ଡାର୍ଲିଂ ।
ମିସେସ୍‌ ଏଜ୍‌ରା ସାପଟି ନିକଟକୁ ଗଲେ, ସିସି ଆଡ଼କୁ ହାତ ବଢ଼ାଇ ଆଦର କଲେ ଏବଂ ତା’ ମୁହଁରେ ମୁହଁ ଲଗାଇ ପୁଣିଥରେ ଚୁମା ଦେଲେ !
ସେତେବେଳେକୁ ଭୟରେ… ଘୃଣାରେ ମୋ ଦେହ ଶିହରି ଉଠୁଥିଲା ।
ମୁଁ କହିଲି- ମୁଁ ଏଥର ତାହାହେଲେ ଆସେ ମିସେସ୍‌ ଏଜ୍‌ରା !
ବୁଢ଼ୀ ବଡ଼ ଉତ୍ସୁକତାର ସହ କହିଲେ- କିନ୍ତୁ ଆପଣତ ଏ ପର୍ଯ୍ୟନ୍ତ ମୋର ଆଲ୍‌ବମ ଦେଖି ନାହାନ୍ତି ।
ଆସନ୍ତୁ….. ଆସନ୍ତୁ ମୁଁ ଆପଣଙ୍କୁ ମୋର ଆଲ୍‌ବମ ଦେଖାଇବି !
ସେଦିନ ବାଧ୍ୟହୋଇ ଶେଷ ପର୍ଯ୍ୟନ୍ତ ମୁଁ ତାଙ୍କର ଆଲ୍‌ବମ ଦେଖିଲି ! ଆଲ୍‌ବମ ଭିତରେ ମଧ୍ୟ ସିସିର ଫଟୋ ଥିଲା ।
ତା’ର ନାନା ଭଙ୍ଗୀରେ ଫଟୋ ମଧ୍ୟ ଉଠାଯାଇଥିଲା ।
ବୁଢ଼ୀ ଫଟୋ ଦେଖୁ ଦେଖୁ ସିସି ସମ୍ପର୍କରେ ଅନେକ ପ୍ରଶଂସାସୂଚକ ଶବ୍ଦ ପ୍ରୟୋଗ କରୁଥିଲେ ।
ହେଲେ ମୋ କାନରେ ମୁଣ୍ଡରେ ଆଉ କିଛି କଥା ପଶୁ ନଥିଲା ।
ହଠାତ୍‌ ବୁଢ଼ୀ ପଚାରିଲେ-କହନ୍ତୁ ତ ? ମୁଁ ଏହାର ନାମ ସିସି ରଖିଛି କାହିଁକି ? ତା’ପରେ ସେ ନିଜ ତରଫରୁ ହିଁ ଉତ୍ତର ଦେଲେ- ଆପଣ ସିସିଫସ୍‌ର ନାମ ଶୁଣିଛନ୍ତି ? ଗ୍ରୀକ୍‌ ମାଇଥୋଲୋଜିର ସିସିଫସ୍‌ ! ସିସିଫସ୍‌ ମର୍ତ୍ତ୍ୟକୁ ଆସିଥିଲେ ଦେବତାମାନଙ୍କ ଅଭିଶାପରେ ଶାନ୍ତି ଭୋଗ କରିବା ପାଇଁ ! ତାଙ୍କର ପାପର ଶାସ୍ତି….. ଅନ୍ୟାୟ ଶାସ୍ତି !
ସେ ଶାସ୍ତିଥିଲା- ସେ ଗୋଟାଏ ପ୍ରକାଣ୍ଡ ପଥରକୁ ସେ ପାହାଡ଼ର ଶୀର୍ଷ ଦେଶରେ ରଖିବାକୁ ଚେଷ୍ଟା କରିବେ, ଏବଂ ସେ ପଥରଟା….. ବାରମ୍ବାର ତଳକୁ ଖସି ପଡ଼ୁଥିବ ।
ଏହା ହିଁ ଶାସ୍ତି- ଏ କାହାଣୀଟିକୁ ମୁଁ ଛୋଟବେଳେ ପଢ଼ିଥିଲି ।
-ତେବେ ମୋର କ’ଣ ମନେହୁଏ ଜାଣନ୍ତି ମିଷ୍ଟର ମିତ୍ର- ଏ ହେଉଛି ସେଇ ସିସିଫସ୍‌ !
-ଆପଣ କାହିଁକି ଏମିତି ଭାବୁଛନ୍ତି ?
-ପୂର୍ବ ଜନ୍ମରେ ଇଏ କେବେବି ସାପହୋଇ ଜନ୍ମି ନଥିଲା ।
ନିଶ୍ଚୟ କାହାର ଅଭିଶାପରେ ସାପ ହୋଇ ଏବେ ଜନ୍ମ ହୋଇଛି ! ଜାଣନ୍ତି ଇଏ ମୋ କଥା କେତେ ବୁଝେ ।
ମୁଁ ଶୋଇବାକୁ କହିଲେ ସେ ଶୋଇପଡ଼େ, ଖାଇବାକୁ କହିଲେ ଖାଇ ପକାଏ ।
ଗାଳି ଦେଲେ ମଧ୍ୟ ମୁଣ୍ଡ ତଳକୁ କରି ଶୁଣେ ! – ଆଉ ଦିନେ ଆପଣ ଆସିଲେ- ମୁଁ ଏହାର ସବୁ କଥା ଆପଣଙ୍କୁ କହିବି !
-ତେବେ ଆପଣ କେଉଁଠାରୁ ପାଇଲେ ଏ ସିସିଫସ୍‌କୁ ?
-ସେ ଏକ ମଜାର ହିଷ୍ଟ୍ରି, ମିଷ୍ଟର ମିତ୍ର ! ଲର୍ଡ଼ ଜେହୋବାଇ ୟାକୁ ପଠାଇ ଦେଇଥିଲେ, କିନ୍ତୁ ସେସବୁ କଥା ମୁଁ ଆଉ ଦିନେ ଆପଣଙ୍କୁ କହିବି !
ବୋଧହୁଏ ଆକଣ୍ଠ ଭୋଜନ ପରେ ସେଦିନ ସେ କ୍ଲାନ୍ତ ହୋଇ ପଡ଼ିଥିଲେ ।
ମୁଁ ମଧ୍ୟ ସେଦିନ ସେଠାରେ ଆଉ ବେଶୀ ସମୟ ରହିବା ପାଇଁ ଚାହୁଁ ନଥିଲି ! ଆସିବା ବେଳେ ମିସେସ୍‌ ଏଜରା କହିଥିଲେ- ଆପଣ ଆଉଦିନେ ନିଶ୍ଚୟ ଆସିବେ ମିଷ୍ଟର ମିତ୍ର ! ମୁଁ ବହୁ କାହାଣୀ ଆପଣଙ୍କୁ କହିବି !
ତା’ପରେ ମୁଁ ଡାକବଙ୍ଗଳାକୁ ଫେରି ଦୀର୍ଘ ସମୟ ପାଇଁ ବିଶ୍ରାମ ନେଇଥିଲି ।
ସେତେବେଳେ ମୁଁ କିନ୍ତୁ ଜାଣି ନଥିଲି ଏହି ନାରୀ ଦିନେ ମୋ ଗପର ବଡ଼ ଚରିତ୍ରଟିଏ ହୋଇ ଲେଖାହେବ ବୋଲି ।
ଉପରବେଳା ଦୁନିଚାନ୍ଦ ମତେ ମୋର କୋଠରୀରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ, କହିଲେ କେତେବେଳେ ଆସିଲେ ? ରାତିରେ ଏଠି ଖାଇବେ ତ ? ନା ପୁଣି ଡିନର ଖାଇବାକୁ ତାଙ୍କୁ ଘରକୁ ଯିବେ !
-ନା ମୁଁ ଏଠି ଖାଇବି ।
-ତାଙ୍କ ଘରେ ପୁଣି ଥରେ ସାପକୁ ଦେଖିଲେ ନା !
-ହଁ ଦେଖିଲି ତ…. ତେବେ ସେ କଥା ପଚାରୁଛ କାହିଁକି ?
-ନା ସେ ସାପକୁ ସମସ୍ତଙ୍କୁ ମେମ୍‌ସାହେବ ଦେଖାନ୍ତି ତ ! ଆପଣ ଜାଣନ୍ତି ତ ଏଇ ସାପଟା ତାଙ୍କ ସ୍ବାମୀ ଏଜ୍‌ରା ସାହେବଙ୍କୁ ଗିଳି ଖାଇଦେଇଥିଲା ।
କଥାଟାକୁ ଶୁଣି ମୁଁ ଯେମିତି ସ୍ତବ୍ଧ ହୋଇ ଯାଇଥିଲି !
ଦୁନିଚାନ୍ଦ ପୁଣି କହିଲେ, ହଁ ସେ ଜଙ୍ଗଲକୁ ଶିକାର କରିବା ପାଇଁ ଯାଇଥିଲେ ଏବଂ ସେଠାରେ ହିଁ ଏହି ସାପଟି ତାଙ୍କୁ ଗିଳି ଖାଇଦେଇଥିଲା ।
ତା’ପରେ ସମସ୍ତେ ମିସେସ୍‌ ଏଜ୍‌ରାଙ୍କୁ ଅନେକ ପ୍ରକାର ବୁଝାଇଥିଲେ ସାପଟିକୁ ମାରି ଫୋପାଡ଼ିଦେବା ପାଇଁ ।
କିନ୍ତୁ ମେମ୍‌ ସାହେବ କାହା କଥା ଶୁଣି ନଥିଲେ ।
କାହିଁକି କେଜାଣି ସାପଟିକୁ ଏବେ ନିଜେ ପୋଷିଛନ୍ତି ।
ଖୁଆଇ ପିଆଇ ରଖିଛନ୍ତି ।
ତା’ ପାଇଁ ମାସକୁ ମାସ ମୁଠା ମୁଠା ଟଙ୍କା ଖର୍ଚ୍ଚ କରୁଛନ୍ତି ! ଆଉ ସବୁଠାରୁ ଆଶ୍ଚର୍ଯ୍ୟ କଥା କ’ଣ ଜାଣନ୍ତି ସାର୍‌, ସେହି ସାପଟି ସହିତ ବୁଢ଼ୀ ଏକତ୍ର ଗୋଟାଏ ବିଛଣାରେ ଶୁଅନ୍ତି ମଧ୍ୟ ।
ମୁଁ ହତ୍‌ବାକ୍‌ ହୋଇ ଦୁନିଚାନ୍ଦର ମୁହଁକୁ ଚାହିଁ ରହିଥିଲି ! ଭାବିଥିଲି ପୁଣି ଥରେ ଯାଇ ମେମ୍‌ ସାହେବଙ୍କୁ ଦେଖା କରିବି, କିନ୍ତୁ ଆଉ ଯିବା ସମ୍ଭବ ହୋଇ ନଥିଲା ।
ଏକଥା ଶୁଣିବାକୁ ମଧ୍ୟ ମତେ ଭଲ ଲାଗୁ ନଥିଲା ।
ମିସେସ୍‌ ଏଜ୍‌ରା କାହିଁକି ଏମିତି ଅଦ୍ଭୁତ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି ।
ତା’ପରେ ପୁଣିଥରେ ସେହି ଘଟଣା ପରେ ମୁଁ ଜବଲପୁର ଯାଇଥିଲି ଏବଂ ଶୁଣିଲି କିଛିଦିନ ଆଗରୁ ଏଜରା ହାର୍ଟ୍‌ ଫେଲ୍‌ କରି ମରିଯାଇଛନ୍ତି ! ତେବେ ସେ……. ?
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment