Commit c6df9147 authored by Nayan Ranjan Paul's avatar Nayan Ranjan Paul

Upload New File

parent 08a05ef8
ଧର୍ମନିରପେକ୍ଷ ରାଜନୀତି
ମହାପାତ୍ର ନୀଳମଣି ସାହୁ
ତା: ଏପ୍ରିଲ୍ ୨୫, ୨୦୧୯
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଗୋଟିଏ ବାପର ଥିଲେ ତିନିପୁଅ ।
ସେମାନେ ସବୁ ବଡ଼ ହୋଇଗଲେ ।
ବାହାହେଲେ ।
ଘରକୁ ଆସିଲେ ତିନିବୋହୂ ।
ତିନି ବୋହୂଙ୍କର ମଧ୍ୟ ଗୋଟିଏ ଗୋଟିଏ ପିଲା ଜନ୍ମ ହେଲେ ।
କ୍ରମେ ଘରଟି ହୋଇଗଲା ଗୋଟିଏ ଏକାନ୍ନବର୍ତ୍ତୀ ପରିବାର ।
ସବୁ ଭାଇଙ୍କ ଭିତରେ ସାଧାରଣ ଭାବେ ସ୍ନେହ ସୌହାର୍ଦ୍ଦ୍ୟ ଥିଲା ।
ବୋହୂମାନେ ମଧ୍ୟ ମିଳିମିଶି ଚଳୁଥିଲେ ।
ସୌଭାଗ୍ୟର କଥା ଯେ- ପରିବାରଟିରେ କୌଣସି ମନୋମାଳିନ୍ୟ ନଥିଲା ।
କିନ୍ତୁ ତିନିଭାଇ ଧର୍ମରେ ହିନ୍ଦୁ ହେଲେ ବି ପ୍ରତ୍ୟେକେ ନିଜ ନିଜ ମତାନୁସାରେ ଧର୍ମ ପାଳୁଥିଲେ ।
ବଡ଼ଭାଇ ଥିଲେ ପରମ ବୈଷ୍ଣବ ।
ମଥାରେ ତିଳକ, ବେକରେ ତୁଳସୀମାଳି, ବାଁ ହାତରେ ତମ୍ବା କଡ଼ା ଓ ପାଞ୍ଚଆଙ୍ଗୁଳିରେ ରାମ ଓ କୃଷ୍ଣଙ୍କ ନାମ ଖୋଦିତ ତମ୍ବା ମୁଦି ।
ତାଙ୍କ ଠାକୁର ଘର ଅଲଗା ।
ସେଠି ରାମାଭିଷେକ ଫଟୋ ରଖି ପୂଜା କରାଯାଏ ।
ଶାଳଗ୍ରାମ ପୁଜା ହୁଏ ଓ ହନୁମାନଜୀଙ୍କର ଫଟୋକୁ ମଧ୍ୟ ପୁଷ୍ପ ତୁଳସୀ ଦେଇ ପୁଜା କରାଯାଏ ।
ପ୍ରତିଦିନ କର୍ପୂର ଆଳତି ହୁଏ ଓ ତିଳକଲାଗି ହୁଏ ।
କ୍ଷୀରୀ, ଖେଚୁଡ଼ି ଡାଲମା, ପିଠା, ପଣା ଭୋଗହୁଏ ।
ସବାସାନ ପୁଅ ଶାକ୍ତମତରେ ପୁଜା ଉପାସନା କରନ୍ତି ।
ତାଙ୍କର ଠାକୁରଘର ଅଲଗା ।
ସେ ରୁଦ୍ରାକ୍ଷ ମାଳା ଓ ରକ୍ତଚନ୍ଦନ ମାଳା ପିନ୍ଧିଥାନ୍ତି ।
ଦେହଯାକ ଚନ୍ଦନରେ ଓଁ ହ୍ଲିଂ କ୍ଲୀଂ ଛପା ହୋଇଥାଏ ।
ସେ ନାଲିପାଟ ପିନ୍ଧନ୍ତି ।
ଠାକୁରଘରେ ଶାୟିତ ଶିବଙ୍କ ଉପରେ ଉଲ୍ଲଗ୍ନା, ଆଲୁଳାୟିତା କେଶ, ଭୟଙ୍କରୀ କାଳୀ ହାତେ ଜିଭ କାଢ଼ି ଠିଆ ହୋଇଥିବାର ଏକ ଫଟୋ ପୂଜାହୁଏ ।
ମହିଷାମର୍ଦ୍ଦିନୀ ଦୁର୍ଗା ଓ ବ୍ୟାଘ୍ରବାହିନୀ ମଙ୍ଗଳା ଠାକୁରାଣୀଙ୍କ ଫଟୋ ମଧ୍ୟ ପୂଜାହୁଏ ।
ତାଙ୍କ ପାଖେ ମନ୍ଦାର ଫୁଲ ସଜାହୋଇଥାଏ ଏବଂ ପ୍ରତିଦିନ ମାଛମାଂସ ତରକାରି ସହ ଦିନେ ଦିନେ ସାମାନ୍ୟ ମଦ ମଧ୍ୟ ଭୋଗ ହୁଏ ।
ମାତ୍ର ମଝିଆଁ ଭାଇଙ୍କର କୌଣସି ସ୍ୱତନ୍ତ୍ର ମତ ନଥିଲା କି ତାଙ୍କର ସେ ଆଡ଼କୁ ମନ ନଥିଲା ।
ସେଥିପାଇଁ ତାଙ୍କର ସ୍ୱତନ୍ତ୍ର ଠାକୁର ଘର ନ ଥିଲା ।
କିନ୍ତୁ ତାଙ୍କର ଥିଲା ଏକ ସ୍ୱତନ୍ତ୍ର ବୈଠକ ଘର ।
ସେ ବୈଠକ ଘରେ ସେ ସବୁ ଦେବଦେବୀଙ୍କର ଫଟୋ ରଖିଥିଲେ ।
ବୁଦ୍ଧ ଓ ଯିଶୁଖ୍ରିଷ୍ଟଙ୍କ ଫଟୋ ବି ରଖିଥିଲେ ।
ପବିତ୍ର କୋରାନ୍‌ର କେତେକ ମନ୍ତ୍ର ମଧ୍ୟ ଫଟୋ ବନ୍ଧାଇ କରି ରଖିଥିଲେ ।
ମୋଟ ଉପରେ ସେ କାନ୍ଥଯାକ ସବୁ ଦେବଦେବୀ ଓ ସାଧୁସନ୍ଥ ବାବାଜି ବେଷ୍ଣବମାନଙ୍କ ଫଟୋ ଟଙ୍ଗା ହୋଇଥିଲା ।
ମଝିଆ ଭାଇ କାହାକୁ ପୂଜାଧ୍ୱଜା କରୁ ନଥିଲେ ।
ମାତ୍ର ସବୁ ଫଟୋରେ ସବୁଦିନ ଲାଗି ନାଇଲନ୍‌ ଫାଇବର୍‌ ନିର୍ମିତ ବିଭିନ୍ନ ରଙ୍ଗର କୃତ୍ରିମ ଫୁଲର ମାଳା ଲମ୍ବିଥିଲା ।
ହଁ-ମୁଁ କହିବାକୁ ଭୁଲିଯାଇଛି ଯେ, ମଝିଆଁ ଭାଇ ରାଜନୀତି କରୁଥିଲେ ଓ ଦୁଇଥର ଚେୟାର୍‌ମେନ୍‌ ହେଲାପରେ ଓ ମାତ୍ର ଥରେ ଭୋଟରେ ହାରିଗଲା ପରେ ଏବେ ଗୋଟିଏ ଧର୍ମ-ନିରପେକ୍ଷ ରାଜନୈତିକ ଦଳର ନେତା ରୂପେ ଏମ୍‌. ଏଲ. ଏ. ହୋଇଛନ୍ତି ।
ତେଣୁ ସେ ତାଙ୍କର ବୈଠକଖାନାଟିକୁ ମନେକରନ୍ତି ଏକ ଧର୍ମ-ନିରପେକ୍ଷ ଉପାସନା ଗୃହ ।
କାରଣ ସେ ଗୋଟିଏ ଗୃହରେ ରାସଲୀଳା ପ୍ରମତ୍ତ ଶ୍ରୀକୃଷ୍ଣଙ୍କ ସହିତ କ୍ରୁଶବିଦ୍ଧ ଯିଶୁଖ୍ରୀଷ୍ଟ ଓ ଧ୍ୟାନରତ ବୁଦ୍ଧଙ୍କ ସହିତ ଉଲଗ୍ନ ମହାବୀରଙ୍କୁ ଏକ ଧର୍ମନିରପେକ୍ଷ ସୂତ୍ରରେ ବାନ୍ଧି ରଖିଛନ୍ତି ।
ଏଥିପାଇଁ ରାଜନୀତିକ ନେତା ମଝିଆଁଭାଇ ଖୁବ୍‌ ଗର୍ବ ମଧ୍ୟ ଅନୁଭବ କରୁଥିଲେ ଏବଂ ସେଥିପାଇଁ ସବୁ ଧର୍ମ ଓ ସମ୍ପ୍ରଦାୟର ଭୋଟଦାତାମାନେ ତାଙ୍କ ବୈଠକ ଖାନାରେ ଆସି ରୁଣ୍ଡ ହେଉଥିଲେ ।
କିନ୍ତୁ ସେ ଘରେ କେବେ ଗୀତା, ଭାଗବତ, ଚଣ୍ଡୀ, ବାଇବେଲ୍‌, କୋରାନ୍‌ ଆଦି ପାଠ ହେଉ ନ ଥିଲା ।
ଦିନକର କଥା! ସେଦିନ ବଡ଼ଭାଇ ତାଙ୍କର କେତେକ ବୈଷ୍ଣବ ବନ୍ଧୁଙ୍କୁ ସଂକୀର୍ତ୍ତନ ଓ ପ୍ରସାଦସେବନ ପାଇଁ ନିମନ୍ତ୍ରଣ କରିଥିଲେ ଏବଂ ଠିକ୍‌ ସେହିଦିନ ସାନଭାଇ ତାଙ୍କର କେତେକ ଶାକ୍ତ ବନ୍ଧୁଙ୍କୁ ଚଣ୍ଡୀପାଠ ଓ ପ୍ରସାଦ ସେବନ ଲାଗି ନିମନ୍ତ୍ରଣ କରିଥିଲେ ଏବଂ ସେହିଦିନ ମଧ୍ୟ ମଝିଆଁଭାଇ ଆସନ୍ତା ନିର୍ବାଚନ ଲାଗି ପ୍ରସ୍ତୁତି ପାଇଁ ତାଙ୍କର କେତେଜଣ ମିନିନେତା ବନ୍ଧୁଙ୍କୁ ତାଙ୍କ ଗୃହରେ ଆଲୋଚନା ଓ ଭୋଜନ ଲାଗି ନିମନ୍ତ୍ରଣ କରିଥିଲେ ।
କିନ୍ତୁ ବର୍ତ୍ତମାନ ଦୁଇଭାଇଙ୍କ ଭିତରେ ଆମିଷ ନିରାମିଷ ରନ୍ଧନ ଲାଗି ବିବାଦ ଦେଖାଦେଲା ।
ବୈଷ୍ଣବ ଉପାସକ ବଡ଼ଭାଇ କହିଲେ- “ମୁଁ ଆଜି ଭାଗବତ ପାରାୟଣ ଓ ସଂକୀର୍ତ୍ତନ ଲାଗି ବୈଷ୍ଣବ ଭାଇମାନଙ୍କୁ ପ୍ରସାଦ ସେବନ କରାଇବି ।
ତେଣୁ ଆମଘରେ ଆଜି ନିରାମିଷ ରନ୍ଧାହେବ ।
” ଶାକ୍ତ ଉପାସକ ସାନଭାଇ କହିଲେ- “ଆଜି ମୁଁ ମୋର ଶାକ୍ତ ଭାଇମାନଙ୍କୁ ଚଣ୍ଡୀପାଠ ପାଇଁ ଓ ଆମିଷପ୍ରସାଦ ସେବନ ପାଇଁ ଡାକିଛି ।
ତେଣୁ ନିଶ୍ଚୟ ମାଛ ତରକାରି ହେବ ।
କାରଣ ମାଛମାଂସ ନ ଥିଲେ କାଳୀମାତା ସେ ତରକାରୀ ଚାହିଁବେ ନାହିଁ ।”
ରାଜନୈତିକ ନେତା ମଝିଆଭାଇ ଏକଥା ଶୁଣୁଥିଲେ ଚୁପ୍‌ ହୋଇ ।
କିଛି କ୍ଷଣ ପରେ ସାମାନ୍ୟ ମୁରୁକି ହସି ବଡ଼ଭାଇ ଓ ସନଭାଇଙ୍କ ଉଦ୍ଦେଶ୍ୟରେ କହିଲେ- “ଠିକ୍‌ ଅଛି ।
ଏଇ ସାମାନ୍ୟ କଥା ନେଇ ଆମର ଏକ ଏକନ୍ନବର୍ତ୍ତୀ ପରିବାରରେ ବିଭେଦ ସୃଷ୍ଟି ହେବ? ତା’ ହେଲେ-ଆମେ ଆମର ଏଇ ମହାନ୍‌ ଦେଶ ଭାରତକୁ ଏକାଠି ରଖିବା କିପରି? ତୁମେମାନେ ଗୋଟେ କଥା କର ।
ସବୁ ପରିବା, ଡାଲି ଓ ମାଛ କି ମାଂସ ଏକାଠି ମିଶାଇ ଗୋଟେ ଘାଣ୍ଟ ବା ଜନ୍ତାଳ କରି ରାନ୍ଧ ।
ଶେଷରେ ଗରମମସଲା ପକାଇ ଯେଝା ଠାକୁରମାନଙ୍କ ପାଖେ ଭୋଗ ଲଗାଅ ।
କେବଳ-ବୈଷ୍ଣବ ପୂଜାଗୃହରେ ଯେଉଁ ତରକାରି ଭୋଗ ଲଗାଇବ ସେଥିରୁ ପରିବାତକ କାଢ଼ିଦେବ ।
ବାସ୍‌-ଦୁଇଭାଇଙ୍କ କଥା ରହିଲା ।
ଏବେ ସେଇ ଘାଣ୍ଟ ବା ଜନ୍ତାଳ ତରକାରି ମୋର ରାଜନୀତିକ ବନ୍ଧୁମାନଙ୍କୁ ଖାଇବାକୁ ଦିଅ ।
ଆମ ଧର୍ମନିରପେକ୍ଷ ନେତେମାନେ ସବୁକୁ ଏକାଠି ମିଶାଇ ଖାଇଦେବୁ ।
ଆମର କିଛି ବାଛବିଚାର ନାହିଁ ।
ବୁଝିଲ ।”
ପାଠକେ! ଏବେ ଆପଣମାନେ ସବୁକଥାର ମର୍ମ ବୁଝିଲେ ତ?
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment