Commit fe78581d authored by Nayan Ranjan Paul's avatar Nayan Ranjan Paul

Upload New File

parent 0f90282a
ଆଡ଼ମ୍ବର
ମୃତ୍ୟୁଞ୍ଜୟ ରଥ
ତା: ମେ ୫, ୨୦୧୮
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ଆଡ଼ମ୍ବରପ୍ରିୟତା ଏ ଯୁଗର ଗୋଟିଏ ଲକ୍ଷଣ ।
କି ରାଜନୀତି, କି ଧର୍ମନୀତି, କି ସମାଜନୀତି, ସର୍ବତ୍ର କିଛି ହେଲେ ଆଡ଼ମ୍ବର ରହିଅଛି ।
ସମସ୍ତଙ୍କ ଦୃଷ୍ଟିଟା ଯେପରିକି ବାହାରେ ପଡ଼ୁଅଛି ।
ବାହାରର ଉନ୍ନତିରେ ସମସ୍ତେ ପ୍ରବୃତ୍ତ ।
ନୀଚ ଉଚ୍ଚପଦସ୍ଥଠାରୁ ପ୍ରଥମେ ବାହ୍ୟ ବିଷୟ କେବଳ ଅନୁକରଣ କରୁଅଛି ।
ବହିର୍ବସ୍ତୁ ଅନୁକରଣରେ କାହାର ବି ଦିବ୍ୟଦୃଷ୍ଟି ନାହିଁ ।
କିନ୍ତୁ ଏହିପରି ବାହାର ଦୃଷ୍ଟିରେ ଭିତରର କି ଦୁରବସ୍ଥା ହେଉଅଛି, ତାହା ଲୋକେ ଚକ୍ଷୁ ଥାଇ ସୁଦ୍ଧା ପ୍ରତ୍ୟକ୍ଷ କରିପାରୁ ନାହାନ୍ତି ।
ମନ ଏହି ଆଡ଼ମ୍ବର ସ୍ରୋତରେ ସଦା ଭାସମାନ ହୋଇ ବେଳେ ବେଳେ ମୂଳ ବା ଆଶ୍ରୟସ୍ଥଳରେ ବିଚ୍ୟୁତ ହୋଇ ଯାଉଅଛି ।
ଯେ କୌଣସି ବିଷୟରେ ବିଚାର କଲେ, ଦେଖାଯିବ, ମୂଳ ଦୃଢ଼ ନ ଥିଲେ ସମଗ୍ର ବସ୍ତୁଟି କଦାପି ସ୍ଥିର ହୋଇ ରହିପାରିବ ନାହିଁ ।
ସମସ୍ତେ ଯଦି ଏହି ସ୍ରୋତରେ ଭାସି ମୂଳକୁ ଅବହେଳି ଯାନ୍ତି, ତାହାହେଲେ ପରିଣାମ ଅଧଃପତନ ବିନା ଆଉ କଅଣ ହୋଇପାରେ ?
ଲୋକେ ଏହି ଛଳନାର ବଶବର୍ତ୍ତୀ ହୋଇ ପ୍ରକୃତ କଥା ପ୍ରାୟ ଗୋପନ କରିଥାନ୍ତି ।
ଫଳତଃ ଏହି ଛଳନାରୁ ମିଥ୍ୟାପ୍ରଚାର ଏବଂ ପ୍ରତାରଣା ସମାଜରେ ବୃଦ୍ଧି ଲାଭ କରେ ।
ଯେ ଯାହା ଥାଏ, ସେ ତଦପେକ୍ଷା ଆପଣାକୁ ବଡ଼ ବୋଲି ଦେଖାଇ ହେଲେ, ଲାଭ ଅପେକ୍ଷା କ୍ଷତି ଅଧିକ ।
ବାହାବା ନେବା କିମ୍ବା କେବଳ ପଦପ୍ରାପ୍ତିରେ ଦୃଷ୍ଟି ରହିଲେ ଆଉ ତଦୁପଯୁକ୍ତ ଯୋଗ୍ୟତା ଉପାର୍ଜନରେ ଲୋକଙ୍କର ମନ ବଳେ ନାହିଁ ।
କେବଳ ଉପରେ ଉପରେ ଭାସିଲେ ରତ୍ନଲାଭ ଅସମ୍ଭବ ।
ଆଉ ଯାହା ଅଭ୍ୟନ୍ତର ପ୍ରଦେଶରୁ ଆସି ନାହିଁ, ତାହା ସ୍ଥାୟୀ ବା ଦୃଢ଼ ନୁହେଁ ଏବଂ ତଦ୍ଦ୍ୱାରା କୌଣସି କାର୍ଯ୍ୟ ସୁସାଧିତ ହୋଇ ନ ପାରେ ।
ଲୋକମାନଙ୍କର ଦୃଷ୍ଟି ଆଗେ ପଦାର୍ଥର ବାହାରେ ପଡ଼େ ; ପଛେ ତାହାର ଭିତରେ- ଗୋଟିଏ ଜାତି ଅପର ସଭ୍ୟତର ଜାତିଠାରୁ କେବଳ ବହିର୍ବିଷୟ ଆଗେ ଅନୁକରମ କରେ ।
କିନ୍ତୁ ଅଭ୍ୟନ୍ତର ସମାନ ବା ଏକ ନ ହେଲେ ବାହାରକୁ ସଦୃଶ କରିବା ସୁସଙ୍ଗତ ନୁହେ ।
ଆଡ଼ମ୍ବରପ୍ରିୟତା ଦ୍ୱାରା ଏହି ଅନୁକୃତି ପରତନ୍ତ୍ରତା ଗତି କ୍ରମେ ସମାଜରେ ପ୍ରବେଶ କରିଅଛି ।
କ୍ରିୟାନୁରୂପ ଆଡ଼ମ୍ବର ଆବଶ୍ୟକ ।
କିନ୍ତୁ ଲଘୁକ୍ରିୟହୋଇ ଆପଣାକୁ ସୀମାତିରିକ୍ତ ପ୍ରଖ୍ୟାପନ କରିବା କଦାପି ଭଲ ନୁହେ ।
ଚାକଚକ୍ୟପ୍ରିୟତା ହେତୁରୁ ଆମ୍ଭେମାନେ ଅନେକ ମସୟରେ ଦ୍ରବ୍ୟର ପ୍ରକୃତ ମହତ୍ୱ ବୁଝିପାରୁ ନାହିଁ ।
ଏହାର ଦୃଷ୍ଟାନ୍ତ ବହୁଳଭାବରେ ଆମ୍ଭମାନଙ୍କର ନିତ୍ୟ ପ୍ରତ୍ୟକ୍ଷୀଭୂତ ହେଉଅଛି ।
ଅନେକ ସ୍ଥାୟୀ ଦେଶୀୟ ଦ୍ରବ୍ୟ ପରିବର୍ତ୍ତରେ ସଦୃଶ୍ୟ ବୈଦେଶିକ ଦ୍ରବ୍ୟ ବ୍ୟବହାରରର ବାହୁଲ୍ୟ କ’ଣ ତନ୍ମମଧ୍ୟରେ ଗୋଟିଏ ପ୍ରଧାନ ନୁହେଁ ?
ଦେଶୀୟ ଦ୍ରବ୍ୟ ଉପଯୋଗୀ ନ ହେଲେ ତାହାକୁ ଉନ୍ନତ ଏବଂ ଯୁଗଜନୋଚିତ କରିବା ଉଚିତ ।
କିନ୍ତୁ ଆମ୍ଭମାନଙ୍କର ବିକୃତ ରୁଚି ତେଣିକି ଅଗ୍ରସର ନ ହୋଇ ମନୋହର ବୈଦେଶିକ ଦ୍ରବ୍ୟ ପ୍ରତି ଧାବିତ ।
ଫଳତଃ ଏହି ଆପାତ-ମଧୁର ଚାକଚକ୍ୟପ୍ରିୟତାର ପରିଣାମ କିପରି ଭୟଙ୍କର ଏବଂ ଅଶୁଭପ୍ରଦ, ତାହା ଚିନ୍ତାଶୀଳ ବ୍ୟକ୍ତିମାତ୍ରକେ ପ୍ରତ୍ୟକ୍ଷ କରି ପାରିବେ ।
ଛଳନା ଯୋଗୁଁ ଧର୍ମର ମଧ୍ୟ ଉନ୍ନତି ହୋଇପାରୁ ନାହିଁ ।
ଶିଖା ତିଳକାଦି ଧାରଣ ଯଥାର୍ଥ ଧର୍ମ ନୁହେଁ ।
ଅନ୍ତର ଶୁଦ୍ଧ ଥିଲେ କୌଣସି ପ୍ରକାର ବାହ୍ୟ ଆଡ଼ମ୍ବର ବା ଛଳନା ସ୍ପର୍ଶ କରିପାରେ ନାହିଁ ।
ବାହ୍ୟ ଆଡ଼ମ୍ବରରେ ଅଧିକାଂଶ ସମୟ ନଷ୍ଟକରି ବର୍ତ୍ତମାନ ଆମ୍ଭମାନଙ୍କର ଉପରଟି ଚିକ୍‌କଣ, କିନ୍ତୁ କଳୁଷିତ ଏବଂ କୀଟଦଂଷ୍ଟ ଭିତରଟି ।
ଐନ୍ଦ୍ରଜାଲିକ ପରି ପ୍ରକୃତିକୁ ଅନ୍ୟ ପ୍ରକାର ପ୍ରଦର୍ଶନ କରିବା କଦାପି ଭଲ ନୁହେଁ ।
ପ୍ରାଣ ସର୍ବଦା ନୂତନ ଲଭିବା ପାଇଁ ବ୍ୟାକୁଳ, ହୀନଗୌରବ ପୁରାତନରେ ଆଉ ତାହାର ତୃପ୍ତି ହୁଏ ନାହିଁ, କିନ୍ତୁ ଏହି ମାନସନିହିତ ବାସନାକୁ ଅବଶ୍ୟ ଆଡ଼ମ୍ୱର ବୋଲାଯିବ ନାହିଁ ।
ଉଲ୍ଲିଖିତ ପ୍ରସଙ୍ଗ ବ୍ୟତୀତ ଆଧୁନିକ ରୀତିନୀତି ମଧ୍ୟ କିଞ୍ଚିତ୍‌ ଛଳନାଯୁକ୍ତ ।
ସାହିତ୍ୟ ସମ୍ବନ୍ଧରେ ମଧ୍ୟ ଆଲୋଚନା କଲେ ଦେଖାଯିବ, ତାହା ଘୋର ଛଳନାବୃତ ।
ଆଜିକାଲି ସାହିତ୍ୟ-କ୍ଷେତ୍ରରେ ବିଶେଷତଃ ଉପନ୍ୟାସ ପ୍ରହସନାଦିର ସଂଖ୍ୟା ଯେପରି ବୃଦ୍ଧି ଲାଭ କରୁଅଛି, ସେଥିରୁ ସ୍ପଷ୍ଟ ପ୍ରତୀତି ହେଉଅଛି ଯେ, ଲୋକେ ସୁଲଭ କଳ୍ପନାରାଜ୍ୟରେ ବିଚରଣ କରିବାକୁ ଉଦ୍ୟତ ।
ପ୍ରାଚୀନ ଆର୍ଯ୍ୟମାନେ ଗଣିତ, ଜ୍ୟୋତିଷ, ଦର୍ଶନ, ନ୍ୟାୟ, ସ୍ମୃତି ପ୍ରଭୃତି ଚିନ୍ତା ଓ ଗବେଷଣାସାଧ୍ୟ ଜଟିଳ ଶାସ୍ତ୍ର ପ୍ରଣୟନରେ ଅଧିକ ନିବିଷ୍ଟ ଥାଇ ତହିଁର ପୁଷ୍ଟିସାଧନ କରୁଥିଲେ, କିନ୍ତୁ ବର୍ତ୍ତମାନ ତାଦୃଶ କଠିନ ଶ୍ରମସାଧ୍ୟ ତତ୍ତ୍ୱଚିନ୍ତା ପ୍ରାୟ ନାହିଁ ।
ରଚକବୃନ୍ଦ ସ୍ୱୀୟ ରଚନାକୁ ଭାଷାରେ ଚାକଚକ୍ୟଶାଳୀ କରିବା ବିଷୟରେ ସମଧିକ ଯତ୍ନବାନ୍‌ ।
ଲେଖାରେ ସାରବତ୍ତା ଥାଉ ବା ନ ଥାଉ, ବାକ୍ୟଗୁଡ଼ିକ ଆପାତତଃ ଶ୍ରୁତିମଧୁର ଏବଂ ସାଧାରଣ ଚିତ୍ତରଞ୍ଜକ ହେଲେ ଉଦ୍ଦେଶ୍ୟ ସିଦ୍ଧ ହେଲା ।
ଏପରି ଆହାର୍ଯ୍ୟକାରିତା ଦ୍ୱାରା କଣ ସାହିତ୍ୟର ନିଃସର୍ଗ ଲାବଣ୍ୟ ନଷ୍ଟ ହେଉନାହିଁ ? ଯେଉଁ ସାହିତ୍ୟରେ ସତ୍ୟକଥା ବା ବିଶ୍ୱଜନୀନ ବିଷୟ ଯେତେ ଅଧିକ ଥାଏ, ତାହା ତେତେ ଅଧିକ କାଳ ସ୍ଥାୟୀ ।
ବାକ୍‌ଛଟାପୂର୍ଣ୍ଣ ସାହିତ୍ୟ କଦାପି ଚିରସ୍ଥାୟୀ ହେବ ନାହିଁ ।
ପ୍ରସ୍ତର ଏବଂ ତଦୁପରି କୃତ ରଞ୍ଜନକାର୍ଯ୍ୟ ମଧ୍ୟରେ ଯେପରି ସମ୍ବନ୍ଧ, ସ୍ଥାୟୀ ସାହିତ୍ୟ ଏବଂ ବାକ୍‌ଛଟା ମଧ୍ୟରେ ସେହିପରି ।
ପ୍ରସ୍ତରର ରଙ୍ଗ ତାହାର ସୌନ୍ଦର୍ଯ୍ୟ ବୃଦ୍ଧିରେ ସାହାଯ୍ୟ କରେ ସତ୍ୟ ; ମାତ୍ର ସ୍ଥାୟିତ୍ୱ ସମ୍ବନ୍ଧରେ ତାହାର କିଛିମାତ୍ର ଶକ୍ତି ନାହିଁ ।
ଯାହା ମୂଳରୁ ସୁନ୍ଦର ନୁହଁ, ତାହାକୁ କ୍ରିୟାଦ୍ୱାରା ସୁନ୍ଦର କରିବାକୁ ଗଲେ ସୁଦ୍ଧା ନୈସର୍ଗିକ ସୌନ୍ଦର୍ଯ୍ୟଶାଳୀ ହୋଇ ନ ପାରେ, କିନ୍ତୁ ସମସ୍ତେ ଏହି ନିଃସର୍ଗ ସୌନ୍ଦର୍ଯ୍ୟର ପକ୍ଷପାତୀ ।
ଅତଏବ ସମସ୍ତଙ୍କର ବାହ୍ୟ ଚାକଚକ୍ୟ ଆଡ଼କୁ ଦୃଷ୍ଟି ନ ଦେଇ ଅନ୍ତଃସାର ପ୍ରତି ଦୃଷ୍ଟିଦେବା ଉଚିତ ।
ଛଳନାକୁ ମନୋମଧ୍ୟରୁ ଶୀଘ୍ର ଦୂରକରିବା ବୁଦ୍ଧିମାନ୍‌ର ସର୍ବଥା କର୍ତ୍ତବ୍ୟ ।
‘ଆଡ଼ମ୍ବର’ ଲେଖକଙ୍କର ଏକ ବହୁ ଚର୍ଚ୍ଚିତ ପ୍ରବନ୍ଧ ।
ଲେଖକ ଏଥିରେ ସରଳ ଓ ପାଣ୍ଡିତ୍ୟପୂର୍ଣ୍ଣ ଭାଷାରେ ବାହ୍ୟ ଆଡ଼ମ୍ବରର ଅସାରତା ଦର୍ଶାଇ ସମାଜକୁ ନୂତନ ଦିଗ ଦର୍ଶନ ଦେବାପାଇଁ ପ୍ରୟାସ କରିଛନ୍ତି ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment