Commit 425dddf4 authored by Nayan Ranjan Paul's avatar Nayan Ranjan Paul

Upload New File

parent 1ad25f21
ଚଢ଼େଇ
ଗୋପୀନାଥ ମହାନ୍ତି
ତା: ଜୁଲାଇ ୨୯, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବୈଶାଖର ଆରମ୍ଭ ।
ଦିନ ସାଢ଼େ ତିନିଟାବେଳ ।
ଢଳିଲା ଖରା ବି ଜଳୁଛି ।
ସାମ୍ନାରେ ବାଁ’କୁ ଦୋ’ଟି କୃଷ୍ଣଚୂଡ଼ା ଗଛ, ଇଟା ବର୍ଣ୍ଣର ଫୁଲ ଲଦି ହୋଇଛି, ମଝିରେ ମଝିରେ ଅଳ୍ପ ପୁଳିଏ ଗୁଜୁରା ଗୁଜୁରା ପତ୍ର ।
ଡାହାଣକୁ ପ୍ରକାର ପ୍ରକାର ନାଲିଫୁଲରେ ଛାଉଣି ହୋଇ ବୁଗେନ୍‌ଭିଲିଆ ଗଛଗୁଡ଼ିଏ, ଲାଗୁଛି ସେସବୁ ବି ଜଳୁଛି ।
ଶଙ୍କର ମିଶ୍ର ଅନ୍ୟମନସ୍କ ହୋଇ ଚାହିଁ ରହିଥିଲେ, ଅନୁଭବ କରୁଥିଲେ ଯେପରିକି ନିଆଁ ଲାଗିଛି; ସବୁ ଖାଲି ଜଳୁଛି ।
ଓଃ! କି ବିଭୀଷିକା ।
ହଠାତ୍ ମନେପଡ଼ିଗଲା, ସେଇ ଛୋଟ ଚଢ଼େଇଟି କାହିଁ? ତା’ କଥା ମନେପଡ଼ିଲା ମାତ୍ରେ ଖରା ତା’ରି ଉପରେ ସତେ ଯେପରି ଢାଙ୍କି ହୋଇଗଲା ।
ଶୀତଳ ପାତଳ ଛାଇ ସୁଲୁସୁଲିଆ ପବନ ଦେହରେ ବାଜିଲା, ଶୁଭିଲା ପାହାଡ଼ି ଝରଣାରୁ ଦୁଲୁଦୁଲୁ ଶବ୍ଦ, ଉପରେ ଡେଙ୍ଗା ଗଛମାନଙ୍କ ଉପରେ ହାଲୁକା ଶାଗୁଆ ଚାନ୍ଦୁଆରେ କାନ୍ଧି କାନ୍ଧି ନାଲିଫୁଲ ସଜା ହୋଇଛି ।
ସ୍ଥାନେ ସ୍ଥାନେ ଉଜ୍ଜ୍ବଳ ନାଲି ଲତା- ପଳାଶ ଫୁଲର ଦୋଳି ତଳକୁ ଓହଳିଛି, ଆଗରେ ଏପାଖରୁ ସେପାଖ ସେପାଖରୁ ଏପାଖ ହୋଇ ଉଡ଼ି ବୁଲୁଛି ସେଇ ସାନ ଚଢ଼େଇଟି ।
ଥଣ୍ଟଟି ନାଲି, ଦେହଟି ଚିକ୍କଣ ଇନ୍ଦ୍ରନୀଳ ବର୍ଣ୍ଣର, ଉଡ଼ିଲାବେଳେ ଦିଶେ ସେହି କଳାବର୍ଣ୍ଣର ଝଲକ ।
ହଠାତ୍ ଚଢ଼େଇଟି କୁଆଡ଼େ ହଜିଯାଏ, ପୁଣି ଦିଶେ ।
ପୁଣି ହଜେ ।
ଏ ଦିନେ ତା’ର ସେହି ବର୍ଣ୍ଣ ।
ବର୍ଷାଦିନେ ବର୍ଷା ଥମି ଥିଲାବେଳେ ହଠାତ୍ କେଉଁଠି ସେ ହାବୁଡ଼େ, ସେତେବେଳେ ସେ ଉଡ଼ନ୍ତା ଟିକି ଇନ୍ଦ୍ରଧନୁଟିଏ ।
ଦେହଟି ସେହି ବର୍ଣ୍ଣର ।
ଶୀତଦିନେ ଯେତେବେଳେ ଦିନର ଆଲୁଅ ଦିଶୁଥାଏ ମ୍ଳାନ, ସେତେବେଳେ ତା’ଦେହର ବର୍ଣ୍ଣ ଉଜ୍ଜ୍ବଳ ରକ୍ତ-କାଇଁଚ ବର୍ଣ୍ଣ ପରି ।
ଯେତେବେଳେ ସେ ଦିଶେ, ସେତେବେଳେ ଉପୁଜାଏ ତାଙ୍କର କୁତୁହଳ, ବିସ୍ମୟ ଓ ଆନନ୍ଦ ।
ସେ ବସେ ନାହିଁ, ଶବ୍ଦ କରେ ନାହିଁ, ଏପାଖୁ ସେପାଖ ଉଡ଼ିଯାଇ କୁଆଡ଼େ ଅନ୍ତର୍ହିତ ହୋଇଯାଏ ।
କିନ୍ତୁ ସେ ଲୁଚିଗଲା ପରେ ବହୁତ ବେଳଯାକେ ଶଙ୍କର ମିଶ୍ରଙ୍କୁ ଲାଗୁଥାଏ ଯେପରି କି ସେ ଏକ ନୂଆ ଜୀବନରେ ଅଲଗା ପୃଥିବୀରେ ଅଲଗା ଅନୁଭୂତି ଭିତରେ ଅଛନ୍ତି, ଏଠି ତାଙ୍କ ପାଇଁ ସବୁ ଆନନ୍ଦମୟ ।
ସେହି ବିଚିତ୍ର ଅନୁଭୂତି ତାଙ୍କ ଚେତନାକୁ ଆଚ୍ଛନ୍ନ କରି ରହେ କିଛିଦିନ ପର୍ଯ୍ୟନ୍ତ, ସେତେବେଳେ ନିତିଦିନର ଅଭ୍ୟସ୍ତ ଜୀବନ ବିତାଇଲା ବେଳେ ଚାଉଁ ଚାଉଁ ଲାଗୁଥାଏ, ଲାଗୁଥାଏ ଯେ ତାଙ୍କ ଚାରିପାଖେ ଏ ଯେଉଁ ସଂସ୍କାର, ଏଠି ତାଙ୍କର ଯାହା ଯାହା ଇନ୍ଦ୍ରିୟ ଅନୁଭୂତି ୟେ ବାସ୍ତବାନ ।
ଏଠି ସେ ଖାଲି ସ୍ବପ୍ନ ଦେଖୁଛନ୍ତି ଓ ଏସବୁ ମିଛିମିଛିକିଆ ଓ ତାଙ୍କର ଜାଗ୍ରତ ବାସ୍ତବ ଅନୁଭୂତି ଆଉ କିଛି? ପୁଣି କିଛିଦିନ ଗଲେ ସେଭଳି ଦ୍ବିଧା ଓ ପ୍ରଶ୍ନର ଅବକାଶ କି ଆଉ ଆସେ ନାହିଁ, ଜୀବନ ତା’ର ସାଧାରଣ ଗତିରେ ଚାଲିଥାଏ ।
କିନ୍ତୁ ଯେତେବେଳେ ତାଙ୍କର କୌଣସି ବିଷୟରେ ସମସ୍ୟା ଜଞ୍ଜାଳ ମନସ୍ତାପ କି ଦୁଃଖ ବଳାଏ, ନୈରାଶ୍ୟ ମାଡ଼ିବସେ, ଲାଗୁଥାଏ ସତେ ଯେପରିକି ଆଲୁଅର ଶେଷ ଧାସକୁ ଲିଭାଇ ଦେବାକୁ ଚାରିଆଡ଼ୁ ଘୋଟି ଆସିଲାଣି ମେଘ ଅନ୍ଧାର ।
ସେତେବଳେ ହଠାତ୍ ପୁଣି କେମିତି ତେଜି ଉଠେ ଆଶା ଓ ବିଶ୍ବାସ, ଲାଗେ ସବୁ ସମସ୍ୟା ଦୂର ହୋଇଯିବ ।
ମନ ଭିତରେ ଲୁଚି ଲୁଚି ରହିଥାଏ ଉତ୍‌ପ୍ରେକ୍ଷା ଯେ ପୁଣି ସେହି ବିସ୍ମୟକର ଆନନ୍ଦର ମୁହୂର୍ତ୍ତଟି ଆସି ପହଞ୍ଚିବ ଯେତେବେଳେ ତାଙ୍କ ଆଗରେ ସେହି ଚଢ଼େଇଟି ଉଡ଼ୁଥିବାର ସେ ଦେଖିବେ, ସେ ପୁଣି ଅନ୍ୟ କେଉଁ ସ୍ଥାନ, ଅନ୍ୟ କେଉଁ ବେଳ ।
ତା’ପରେ ସତକୁ ସତ ସେ କେବେ କେଉଁଠି ଦିଶିଯାଏ ।
ଶଙ୍କର ମିଶ୍ର ମନେ ମନେ ପଛକୁ ଚାହିଁ ସ୍ମରଣ କରୁଥା’ନ୍ତି ଅତୀତରେ କେବେ ଓ କେଉଁ କେଉଁ ସ୍ଥାନରେ ସେ ସେହି ସୁନ୍ଦର ଚଢ଼େଇଟିକୁ ଭେଟିଥିଲେ ।
ସେ ତ ସାଧାରଣ ନୁହେଁ କି ସବୁଠିଁ ମିଳେ ନାହିଁ ।
ଦିଶେ ଲୋକାଳୟ ନ ଥିବା ଅଗନାଗ୍ନି ବଣରେ, ନତୁବା ଜଙ୍ଗଲରୁ ଉଡ଼ି ଆସିଥିବା ସେହି ବିଚିତ୍ର ଚଢ଼େଇଟି ଅନ୍ୟ କେଉଁଠି ତୋଟା ଅରମା ବାଟରେ ହଠାତ୍ ହାବୋଡ଼ିଯାଏ, ତା’ପରେ ଲୁଚିଯାଏ, ତା’ ବି କେବେ କ୍ବଚିତ୍‌ ।
ଚାରିଆଡ଼ ନିର୍ଜନ ଓ ଚୁପ୍‌ଚାପ୍ ଥିଲାବେଳେ ହିଁ ସେ ଦିଶେ, ସେଠି ସେତେବେଳେ ଅନ୍ୟ ଜନ୍ତୁ କି ଚଢ଼େଇ ବି ଦିଶନ୍ତି ନାହିଁ ।
କିନ୍ତୁ କେବେ ଦେଖିଥିଲେ? ଶଙ୍କର ମିଶ୍ର ସ୍ମରଣ କରିବାକୁ ମନେ ମନେ କ୍ଲାନ୍ତିକର ପରିଶ୍ରମ କରୁଥା’ନ୍ତି; ତାଙ୍କୁ ହେଲାଣି ବୟସ ତେସ୍ତରି, ଏକଦା ବଳିଷ୍ଠ ଅତି କର୍ମଠ ଶରୀର ବାରମ୍ବାର ବ୍ୟାଧିର ଆଘାତରେ କ୍ଷୟ ହୋଇଗଲାଣି କ୍ଷୀଣ, ଦୁର୍ବଳ, ଅପାରଗ ।
ଏକଦା ନାନା ଜଟିଳ ସମସ୍ୟାକୁ ଆଗ୍ରହରେ ଅନାୟାସରେ ଖୋଲି ଖୋଲି ଦେଖିପାରୁଥିବା ମନ ଟିକିଏ ମାନସିକ ପରିଶ୍ରମ କରିବାକୁ ପଛେଇଯାଏ, ଅଳ୍ପ ଭାବୁ ଭାବୁ କ୍ଳାନ୍ତ ହୋଇଯାଏ, ସ୍ମରଣ ଶକ୍ତି ଦୁର୍ବଳ ଓ ଟଳମଳ ଅଙ୍ଗେ ଲିଭାଇଥିବା କେତେକଥା ବି ମନେପଡ଼େ ନାହିଁ ।
ଶଙ୍କର ମିଶ୍ର କେତେବେଳେ ଭାବନ୍ତି- ‘‘ଏଇଆ? ନା ତା’ ବି ନୁହେଁ ପରା?….ହଁ ହଁ ଏଇଆ – ନା ନୁହେଁ, ମନେ ପଡ଼ୁନାହିଁ ।’’
ବିଚାର ବାଟ ଛାଡ଼ନ୍ତି, ଚେଇଁ ଚେଇଁ ସ୍ବପ୍ନରେ ବୁଡ଼ନ୍ତି, ତହିଁରୁ ନିଜ ଅତୀତର ଜୀବନ ଅନୁଭୂତିରୁ ଯାହା କିଛି ଭାସି ଭାସି ଉଠେ ।
କେବେ ଦେଖିଥିବା ସେହି ଛୋଟ ଚଢ଼େଇଟିକୁ ଆଶ୍ରା କରି ମନେ ମନେ ଟାଣ କରି ମୁଠେଇ ଧରି ସେ ସେହିପରି ସ୍ବପ୍ନିଳ ଧ୍ୟାନରେ ମଜ୍ଜି ରହିଲେ ଓ ଅତୀତକୁ ହେଜିଲେ; କେବେ କେଉଁ ସ୍ଥାନରେ କି ପରିବେଶରେ ସେ ତା’କୁ ଦେଖିଥିଲେ ।
ଗୋଟିଏ ସ୍ଥାନ ପରେ ଅନ୍ୟ ସ୍ଥାନ, ନିଜ ଜୀବନର ନାନା ସମୟର ନାନା ଚିତ୍ର, ସବୁ ଉଏଁ ଆଉ ନିଭିଯାଏ, ଧ୍ରୁବ ହୋଇ ଆଗେ ଆଗେ ଦୂରରେ ଦିଶୁଥାଏ ସେହି ଚଢ଼େଇଟି ।
ଦିଶିଗଲା କେତେ କେତେ ଦୃଶ୍ୟ, ଅନୁଭବ ହେଲା କେତେ କେତେ ସ୍ମୃତି, ସୁଖର, ଦୁଃଖର, ପ୍ରକାର ପ୍ରକାର ଭାବର ଉଚ୍ଛ୍ବାସ ତେଜି ଉଠିଲା, ଯେମିତି ଅକଳନ ଜଳବିସ୍ତୃତି ଉପରେ ଢେଉଟିମାନ, ପୁଣି ଦବିଗଲା, ହଜିଗଲା; ପୁଣି ଉଭେଇଗଲା, କେତେ ଭାବ କେତେ ରସ କେତେ ସ୍ବରର ସଙ୍ଗୀତ ଝଙ୍କାରି ଉଠିଲା, ପୁଣି ତୁନି ହେଲା, ସବୁ ଶୂନ୍‌ଶାନ୍, ପୁଣି କେବେ କେଉଁଠି ତାକୁ ଦେଖିଥିଲି- ଭାବୁ ଭାବୁ ଆଶା ଆବେଗ କଅଁଳିଲା; ମନେପଡ଼ିଲା ଅନ୍ୟ ଦିନର ସ୍ମୃତି ।
ତା’ ସଙ୍ଗେ ସଙ୍ଗେ ଶଙ୍କର ମିଶ୍ର ଦେଖିଗଲେ ନିଜ ଯୌବନ ଦିନଠୁଁ ପ୍ରୌଢ଼ତ୍ବ ଓ ବାର୍ଧକ୍ୟ ପର୍ଯ୍ୟନ୍ତ ନାନା ଅବସ୍ଥା; ଯେତେବେଳେ କେଉଁଠି ହେଲେ ସେ ଚଢ଼େଇକି ଦେଖିଥିଲେ ।
ମନେପଡ଼ିଲା; ପ୍ରଥମେ ଦେଖା ଆଦ୍ୟ ଯୌବନରେ ।
ଆଦ୍ୟ ଯୌବନ ସଙ୍ଗେ ସଙ୍ଗେ ଦେହରେ ଆସିଥିଲା ସ୍ବାସ୍ଥ୍ୟ ଓ ବଳର ଜୁଆର; କ୍ରମେ କ୍ରମେ ଫୁଲି ଫୁଲି ବଢ଼ି ବଢ଼ି ଉଠିଲା; ଯେମିତି ସେ ଦେଖି ଆସିଥିଲେ ପିଲାଦିନଠୁଁ ପୁରୀର ସମୁଦ୍ର କୂଳରେ ଜୁଆର ମାଡ଼େ ।
ତେଜୀୟାନ୍ ହୋଇ ବଢ଼ି ଚାଲିଲା ଯୌବନ, କେତେ ବଳିଷ୍ଠ କର୍ମଠ ହେଲା ତାଙ୍କ ଶରୀର ।
ମନରେ ସେତେବେଳେ କି ଶକ୍ତି, କି ପ୍ରଫୁଲ୍ଲତା, କି ସାହସ, କି ତେଜ, କି ଆଶା, କି ସ୍ବପ୍ନ ।
ସେହିପରି ବିତିଗଲା ପ୍ରୌଢ଼ତ୍ବ, ସତେ ଯେପରି ସେ ଚିରଯୁବା ।
କାହାରିକି ଭୟ ନଥିଲା, କୌଣସି ପ୍ରତିବନ୍ଧକକୁ ହଟୁ ନ ଥିଲେ, ପରିଶ୍ରମ କରିପାରୁଥିଲେ ଅକ୍ଳାନ୍ତ ଭାବେ, ସବୁବେଳେ ଆଶା ବିଶ୍ବାସ ଅତୁଟ ରହିଥାଏ ।
କେବେ ସେ ଜୁଆର ଭଟ୍ଟା ପଡ଼ିଲା ଜଣାପଡ଼ିଲା ନାହିଁ, ଧୀରେ ଧୀରେ ପାହାଚେ ପାହାଚେ ତଳକୁ ତଳକୁ ।
ସେତେବେଳେ ବି କେବେ କେଉଁଠି ସେ ଚଢ଼େଇକି ଦେଖିଥିଲେ ।
ତା’ପରେ ପାହାଡ଼ି ଝରଣାର ବଢ଼ି ଯେମିତି ଛାଡ଼ିଯାଏ, ପଥର ଓ ବାଲି ଉପରେ ଛାଡ଼ିଯାଏ ପାଣି ଚବଚବ ସରୁ ଧାରଟିଏ; ସେ ବି କ୍ରମେ ଶୁଖିଯିବ ପରା – ସେମିତି ଆସିଲା ଏ ବେଳ; ଯେପରିକି ମଳିନ କ୍ଳାନ୍ତ ସୂର୍ଯ୍ୟାସ୍ତ; ଆଉ-‘‘କାହାର ଏ ହାଡ଼ ଚମମୟ କ୍ଷୀଣ ଦେହ ।
ସରୁ ସରୁ ହାତଗୋଡ଼, ସତେ ଅବା ନିର୍ଜୀବ, ପିଣ୍ଡାଟା ଅଛି ଖାଲି ମୁଠାଏ ଖାଇବାକୁ ଓ ବ୍ୟାଧି ଦୁର୍ବଳତା ଅକ୍ଷମତାର କଷ୍ଟ ଭୋଗିବାକୁ ।
ଜିଭଟା ତଥାପି ସୁଆଦ ବାରିପାରେ ଓ ଲୋଡ଼େ ସେତିକି; କିଏ ଏଇଟା?’’ ଶଙ୍କର ମିଶ୍ର ଭାବୁଥିଲେ ।
ଭାବୁଥିଲେ – ଏଇ କ’ଣ ମୁଁ, ଶଙ୍କର ମିଶ୍ର? ମୁହଁରେ ହସ ନ ଥାଏ, କେବେଠୁଁ ମୁଁ ହସିନାହିଁଟି! ଆଗେ ପରା ହସର କୁହାଟ ଛାଡ଼ୁଥିଲି ।
କୌଣସି ବସ୍ତୁକୁ ବିଷୟକୁ ଆଗ୍ରହ ନାହିଁ, ସ୍ପୃହା ନାହିଁ, ସମସ୍ତିଙ୍କ ଠୁଁ ଆଡ଼େଇ ଏକୁଟିଆ ନିଜକୁ ନିଜେ ଘେନି ଆମ୍ବିଳା ମୁହଁ କରି ବିଷର୍ଣ୍ଣ ହୋଇ ସମୟ ଟାଳି ଯିବାକୁ ମନ ଡାକୁଛି ।
ନିଜକୁ ଭାବୁଛି ଏକୁଟିଆ ଅସହାୟ ଅଥର୍ବ ବୁଢ଼ାଟିଏ, ସତେ ତ! କିଏ ବୁଢ଼ାଟା ମୋ ଆଗରେ? ନା-ନା-ନା, ୟେ ମୁଁ ନୁହେଁ, ମୁଁ ତ ଶଙ୍କର ମିଶ୍ର, ଆଶା ଉଦ୍ଦୀପନା ବଳ ସାହସ ହସ ଆନନ୍ଦର ଭଣ୍ଡାର ।
ସବୁ ଭିନେ ଠିକଣାରେ ଖୋଜୁଛୁ ବୁଢ଼ା, ଏଠି ସେ ନାହିଁ, ଏଠି ମୁଁ, ମୁଁ ଶଙ୍କର ମିଶ୍ର, ତୁ ଯା’, ଯା’, ଯା’,-
ଶେଷଥର କେବେ ସେ ଚଢ଼େଇକି ଦେଖିଥିଲିଟି? କାଲି ପରି ଲାଗୁଛି ।
ହଁ; ସାତ ବର୍ଷ ହେଲାଣି ପରା ।
ସେଥର କହିଲେ ନୀଳମାଧବ ଦେଖି ଯାଉ ଯାଉ ନୟାଗଡ଼ ଭିତରେ ଠାଏ ନିଛାଟିଆ ଜଙ୍ଗଲରେ ।
କାର୍‌ଟା ରଖାହୋଇଥିଲା ଡାକବଙ୍ଗଳା ହତାରେ ଓ ମୁଁ ସେପାଖ ବଣରେ ଏକୁଟିଅ ବୁଲି ବୁଲି ଏଣେତେଣେ ଉଣ୍ଡୁଥିଲି, ଦିନ ଚାରିଟା ବାଜିଥିବ ।
କିନ୍ତୁ ସେ ସେଠିକା ବାସିନ୍ଦା ନୁହେଁ, ନିଶ୍ଚୟ ଉଡ଼ି ଉଡ଼ି ଆସିଥିବ ବାଲିଗୁଡ଼ା ମାଳ ଅଭ୍ୟନ୍ତରରୁ ଦଶପଲ୍ଲା ଅରଣ୍ୟ ବାଟେ ।
ସେଇପଟେ ତା’ ଘର ଓ ଦକ୍ଷିଣରେ ଉତ୍ତରରେ ଯେତେ ଯେତେ ଉଚ୍ଚ ପର୍ବତମାଳ ଅଛି ସେଠି ।
ପୁଣି ମୁଁ ଯିବି ସେଇସବୁ ମାଳକୁ ।
ମୁଁ ସେଠି ଯେତେ ଯେଉଁଠି ପ୍ରକାର ପ୍ରକାର ମୂଲ୍ୟବାନ୍ ଧାତୁ ଦ୍ରବ୍ୟର ଖଣି ଖୋଜି ଖୋଜି ସନ୍ଧାନ କରିଥିଲି ସେ କାମ କ’ଣ ପୂରା ସରିଲାଣି? ଆହୁରି ବହୁତ ବାକି ଅଛି ଯେ ।
ପୁଣି ଯିବି ସେହି କାମରେ, ସେଇଠି ଅଗନାଗ୍ନି ବନସ୍ତ ଭିତରେ ହାବୁଡ଼ି ପୁଣି ସେହି ଚଢ଼େଇ, ଶାଳଗଛ ମୂଳେ ନିଃଶବ୍ଦ ନିଷ୍ପନ୍ଦ ହୋଇ ମୁଁ ଠିଆ ହୋଇ ରହିଯିବି ।
ବେଳେବେଳେ ବଣୁଆ ହାତୀ ଯେମିତି ଠିଆ ହୋଇଯାଏ ଓ ତାଳକୁ ଦେଖି ପାହାଡ଼ ଚଢ଼ାର କ୍ଲାନ୍ତି ଭୁଲିବି, ମୋର ଝାଳ ସରସର ମୁହଁରେ ବାଜୁଥିବ ସୁଲୁସୁଲିଆ ପବନ ।
କୁରେଇ ଫୁଲର ବାସ୍ନାରେ ଭାରି ଭାରି, ଆଉ କେତେ ସଜ କେଡ଼େ ଶୀତଳ ।
ସାଙ୍ଗର ଲୋକେ? ସେ ତ କେତେ ପଛରେ ଧଇଁସଇଁ ହୋଇ ଆସୁଥିଲେ, କେବେ କିଏ ଚାଲିପାରିଛି ମୋ ସଙ୍ଗରେ ପାଦ ପକାଇ?
ଦିଶୁଥାଏ, ଢେଉ ପରି ପାହାଡ଼ମାଳ ।
ପାହାଡ଼ ଉପରେ ପାହାଡ଼; ତା’ ଉପରେ ତା’ ଉପରେ ବିମାନ ପରି ଖଞ୍ଜା ହୋଇଛି ।
ମନରେ ଗୋଟାଏ ଉଲ୍ଲାସର ତାତି ।
ଆଁ’ଟିଏ କରି ବୁଢ଼ା ଶଙ୍କର ମିଶ୍ର ଦାଣ୍ଡ ପିଣ୍ଡାରେ ଚୌକିରେ ବସି କାନ୍ଥକୁ ଆଉଜି ଢୁଳେଇ ପଡ଼ିଥିଲେ ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment