Commit 9ff12e12 authored by Nayan Ranjan Paul's avatar Nayan Ranjan Paul

Upload New File

parent 6506c3e2
ଘାସ
ରାଜକିଶୋର ପଟ୍ଟନାୟକ
ତା: ଜାନୁଆରୀ ୨୯, ୨୦୧୩
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
କୁଆଁର ପୁନେଇଁ ତିଆସି ଦିନ- ଦୁଇ ଘଡ଼ି ଅନ୍ଧାର ।
ଏକୁଟିଆ କଟକ ମଙ୍ଗଳବାଗ ଫାଣ୍ଡିରୁ ଚାଲି ଚାଲି ଆସୁଥିଲି ।
ରାସ୍ତା ସେତେ ଚହଳ ନ ଥିଲା ।
ଦଣ୍ଡେ ପହରେ ଛାଡ଼ି ଗୋଟିଏ ଯୋଡ଼ିଏ ମଣିଷ କି ସାଇକେଲ ।
ଖଣ୍ଡେ ଦୂର ଗଲା ପରେ ଗୋଟିଏ ଦୋ’ଛକି ପାଖରେ ପିଲାଟିଏ ଠିଆ ହୋଇ ରହିଥିବାର ଦେଖିଲି ।
ଖଣ୍ଡେ ଛୋଟ ଲୁଗା ଆଉ ଖଣ୍ଡେ ଧୂଳିଆ ଗେଞ୍ଜି ।
ପିଲାଟିର ଉଚ୍ଚ ଅଢ଼େଇ ହାତ ଯାଏ ହେବ ।
ମୋ ଆସିବା ପରେ ସେ ବି ଚାଲିବା ପାଇଁ ଆରମ୍ଭ କଲା ।
ଦୁଇ ହାତ ହଲେଇ ହଲେଇ ଚାଲୁଥାଏ ।
ଶୀତ ଦିନ-ସକାଳେ ରୁମ ଟାଙ୍କି ଉଠୁଥିଲେ ଯେମିତି ଲୋକ ଦୁଇ ଡେଣା ଖୁବ୍‌ ଜୋରରେ ହଲେଇ ହଲେଇ ଚାଲେ ।
ପିଲାଟିର ଖୋଜଗୁଡ଼ିକ ଛୋଟ ।
ସେଥିପାଇଁ ମଝିରେ ମଝିରେ ଧାଇଁଲା ପରି ଚାଲୁଥାଏ ।
ଯେ କୌଣସି ପ୍ରକାରରେ ଲାଗି ଲାଗି ରହିବା ପାଇଁ ତାହାର ଚେଷ୍ଟା ।
ଟକଳାର ପାଟିକୁ ଭୁଜାଭୁଜି ଦି’ଟା ସବୁବେଳେ ଦରକାର ହେଲା ପରି ପଦେ କ’ଣ ଗପିବା ପାଇଁ ତାହାକୁ ପଚାରିଲି; ‘‘କିରେ ପିଲା କୁଆଡ଼େ ଯାଇଥିଲୁ ?’’
‘‘ଆଉ ଯିବି କୁଆଡ଼େ ?’’ ସାହସ ପାଇ ସେ ଉତ୍କଣ୍ଠିତ ଗଳାରେ କହିଲା, ‘‘ଆଗରେ ନିମସାଇ ଯାଏ ମୁଁ ଯିବି- ତମେ କ’ଣ ଏଇଠି ରହିବ ?’’
ଭାରି ବ୍ୟସ୍ତ ତାହାର ମନର ଭାବ ଆଉ ତୁଣ୍ଡର ସ୍ବର ।
କହିଲି, ‘‘ଡର ମାଡୁଛି ?’’
ଅନ୍ଧାର ଭିତରେ ଏହି ଡର କଥା ଶୁଣି ସେ ଚମକିପଡ଼ିଲା ପରି ହୋଇ ମୋ ପାଖକୁ ଘୁଞ୍ଚିଆସିଲା ।
‘‘ହଁ, ଡର ମାଡ଼ୁଛି ।’’
ତାହାର ଛୋଟିଆ ଛୋଟିଆ ଆଖି ଦୁଇଟି ଡରରେ ନରମି ଯାଇଥାଏ ।
ତାହାକୁ ସାହାସ ଦେବା ପାଇଁ ତାହା ଆଡ଼କୁ ହାତଟି ବଢ଼େଇ ଦେଲି ।
ଡରରୁ ନିଜକୁ ରକ୍ଷା କରିବା ପାଇଁ ସେ ହାତଟି ଧରି ଚାଲିଲା-ତଥାପି ଶଙ୍କି ଶଙ୍କି ହେଉଥାଏ ।
ଦମ୍ଭ ଦେବା ପାଇଁ କହିଲି, ‘‘ତୋର ଘର ଏଇଠି କଟକରେ ,ତେବେ ବି ତୋର ଡର !’’
ଭାରି ତ୍ରସ୍ତ ଗଳାରେ କହିଲା, ‘ବାବୁ, ଜାଣ ନାହିଁ ? ଏଇ ଯେଉଁ ପଠାଣ କବର ରହିଲା, ସେଠି କିଏ ଗୋଟାଏ ଅଛି଼-ଢେଲାମାରେ ।
ତାହାର ପିଠି ଥାପୁଡ଼ାଇ କହିଲି, ‘ନାହିଁ, ମୁଁ ଆସେ ଆଉ ଯାଏ, କେବେ କିଛି ଦେଖି ନାହିଁ ତ !’
ସେ ପ୍ରତିବାଦ କରି କହିଲା, ‘ନାହିଁ ବାବୁ, ସାନ ପିଲାଙ୍କୁ ମାରେ ।
ଥରେ ମୁଁ ଆସୁଥିଲି-ମୋ ଗୋଡ଼ରେ ଗୋଟିଏ ଢେଲା ବାଜିଲା ।
ସେହି ଦିନୁଁ ମୁଁ ଆଉ ଏକା ଆସେ ନାହିଁ ।
କିଏ ଆସୁଥିଲେ ତାହାରି ସାଙ୍ଗରେ ଚାଲି ଚାଲି ମୁଁ ସେହି କବରଟା ଟପିଯାଏ ।’
ଦେଖିଲି ତାହାରି ମନରୁ ଡରକୁ ବାହାର କରିହେବ ନାହିଁ ।
କୁସଂସ୍କାର ଲୋକର ରକ୍ତ ସାଙ୍ଗରେ ମିଶି ରହିଲା ପରି ଡର ତାହାରି ମନରେ ଆସ୍ଥାନ ଜମେଇ ରହିଗଲାଣି ।
ପିଠି ଥାପୁଡ଼ାଇକରି ପଚାରିଲି, ‘ତୋର ନାଁ ?’
‘ମୋ ନା ଲିଙ୍ଗା, ତମେ ଆମ ବାଆକୁ ଚିହ୍ନିଥିବ-ଯୋଗୀ ମହାରଣା ।’
ମୋର ମୁହଁରେ ଯେତିକି ଆଶ୍ଚର୍ଯ୍ୟ ହେବାର ଚିହ୍ନ ଦିଶୁଥିଲା, ତାହାର ମନରେ ଠିକ୍‌ ସେତିକି ଉକୁଟି ଉଠିଥିଲା ।
ସେ ପୁଣି ଆରମ୍ଭ କଲା, ‘ଆମ ବାଆ ଛାନ୍ଦରେ ସରସ ।
ସେ କିଛି କାମ ଦାମ କରେ ନାହିଁ ।
ସବୁବେଳେ ସେଇଥିରେ ଲାଗିଥାଏ ।
ବନା ପହିଲିମାନ ତାହାକୁ ଡକାଏ ।
ଆମ ବାଆକୁ କେହି ଛାନ୍ଦରେ ପାରନ୍ତି ନାହିଁ ।
ସେ କପ୍‌ ଆଣିଛି ।’
ପଚାରିଲି, ‘କିରେ, ବାଆ ତୋର ଦିନକୁ କେତେ ମଜୁରୀ ପାଏ ?’
ଲିଙ୍ଗା କହିଲା, ‘ହେଁ, ମଜୁରୀ ! ସେ ମୋଟେ କାମକୁ ଯାଏ ନାହିଁ, ମୁଁ ପରା ଛ’ମାସ ହେଲାଣି କାମ ଶିଖୁଛି ।
ଏହି ପନ୍ଦର ଦିନ ହେବ ଦିନକୁ ସାତ ପଇସା ମୂଲ ପାଉଛି ।
ବାଆ ମୋଟେ କାମକୁ ଗଲା ନାହିଁ ।
ଏ ସାଲ ଘର ଛପର ହୋଇ ନଥିଲା ଯେ, କାନ୍ଥ ସବୁ ପଡ଼ିଯାଇଛି ।’
ଦେଖିଲି, ସେ ବି ଜଣେ କବି ।
ବଢ଼େଇ ଘରେ ଯେ କବି କି ଶିଳ୍ପୀ ନ ଥିବେ, ଏହି ଧାରଣା ଦୂର ହେଲା ।
ଆଉ ବି ଜାଣିଲି ଏହି ଅଭାବଗ୍ରସ୍ତ ପରିବାରଟି ଯୋଗୀ ମହାରଣାର ଖିଆଲରେ ଚାପି ହୋଇ ରୁନ୍ଧି ହୋଇଯିବ ।
ପ୍ରତି କବି-ସେ ବଡ଼ ଘରେ ଥାଉ, କି ଗରିବ ଘରେ ଥାଉ, ଏହି ଖିଆଲ ପଛରେ ଅଣନିଶ୍ବାସୀ ହୋଇ ଧାଉଁଥାଏ ।
ମୁଁ କହିଲି, ‘‘କପ୍‌ଗୁଡ଼ାକ ରଖିଛି କାହିଁକି ? ବିକି ଦଉ ନାହିଁ ?’’
ଲିଙ୍ଗା କହିଲା, ପହିଲିମାନ ଗାଳିଦେବ ।
ସେଗୁଡ଼ାକ ରଖିବାପାଇଁ ଦେଇଛି, ହେଲେ ଗୋଟାଏ ଚିଜ ତ ? ସେଗୁଡ଼ାକ ଚାନ୍ଦି-କେତେ ପଇସା ହୋଇଥିବ !
ତାହାରି କଥାରେ ଭୋଳ ଥିଲା ପରି କହିଲା, ‘ସେଗୁଡ଼ା ଏବେ ପେଟରା ଭିତରେ ରଖିଛୁଁ ।
ପଦାରେ ଥିଲା ଯେ, ଉଇ ଲାଗି ତାହାର ବଇଠି ସବୁ ଖାଇଗଲେ- ବାଆ ଆମର ପୁଣି ବଇଠି ତିଆରି କରିଛି ନୂଆ କରି ।’
ଏହିସବୁ କଥା-ପ୍ରତିକଥା ତାହାର ଦାରିଦ୍ୟ୍ର ଆଉ ମନର ସରଳତା ଷୋଳ ଅଣାରେ ଦେଖାଉଥିଲେ ।
ପଚାରିଲି, ‘ଆଜି କେତେବେଳେ ଖାଇଥିଲୁ ?’
କହିଲା- ‘ସକାଳେ ତୋରାଣି ପିଇ ଯାଇଥିଲି, ଆଉ କିଛି ଖାଇନାହିଁ ।
ଘରେ ଗଲେ- ଆଜି କ’ଣ ଥିବ କି ନ ଥିବ କେଜାଣି ?’
ଦିନଯାକ ଖାଇନାହିଁ ।
ଅଣଛପରା ଦଦରା ଘରେ ପହୁଞ୍ଚିଲେ ଭାତ ଅଛି କି ନାହିଁ ସେଥିରେ ସନ୍ଦେହ ଅଛି ।
ତଥାପି ତାହାର ମନ ଅଚଞ୍ଚଳ ।
ମୋ’ଠାରୁ ହାତେ ଛୋଟ ।
ବୟସର ଅଧା ହେବ ।
ଦୁଇହାତ ଛାତି ଉପରେ ଛକ କରି ପକାଇଛି-ଶୀତରୁ ଟିକିଏ ରିଆତି ପାଇବ ବୋଲି ।
ତାହାରି ପାଖରେ ଗରମ ପଞ୍ଜାବୀ ପିନ୍ଧା ପୂରା ପେଟରେ ନିଶ୍ଚିନ୍ତ ମନରେ ଯେତେବେଳେ ଚାଲୁଥିଲି, ମନ ଭିତରେ ମତେ କିଏ କେତେ କାଇଲି ଦେଉଥିଲା ।
ଏଇ ମନର ଆଶା ଆକାଙ୍କ୍ଷାକୁ ଏତେ ବଡ଼ ଦୁନିଆ ଛୋଟ ଦିଶୁଛି ।
ତଥାପି ଶାନ୍ତି ନାହିଁ, କିନ୍ତୁ ସେଇଠି ପିଲାଟିଏ ଖାଲି ପେଟରେ ଫୁଙ୍ଗା ଦେହରେ ଦିନଯାକ ହାଡ଼ଭଙ୍ଗା ପରିଶ୍ରମ କରି ଆଠ ଘଣ୍ଟାର ମୂଲ ସାତଟି ପଇସା ନେଇ ଘରକୁ ଫେରୁଛି, ତା’ର ବାପା ବୋଉକୁ ଢୋକ ଦେବ ବୋଲି ।
ହାତରେ ଅଧାପୋଡ଼ା ସିଗାରେଟ୍‌ ଟା ଥିଲା ।
ସେଇଟା ଫୋପଡ଼ି ଦେଲି- ତାହାରି ମନ ପାଖରେ ଏଇ ଆମର କଲେଜପଢ଼ୁଆ ବାବୁଆନି କେତେ ଛୋଟ କେତେ ହୀନ !
ପକେଟ୍‌ରେ ହାତ ମାଇଲି ।
ନ’ପଇସା ପଡ଼ିଥିଲା ଆଉ ଗୋଟିଏ ଟଙ୍କା-ଟଙ୍କାଟି ଦେବା ପାଇଁ ଭାବିଲି ।
ମନ କୁଣ୍ଠିତ ହେଲା ।
ନଅଟି ପଇସାରୁ ଅଣିଟିଏ କାଡ଼ି ତାହାକୁ ଦେଇ କହିଲି, ନେଇଯା ଭୁଜା ଖାଇବୁ ।
ସନ୍ଦେହମିଶା ଆଖିରେ ଚାହିଁ ସେ ନେଲା ।
ଆଗରେ ଖଣ୍ଡେ ଦୂରରେ ନିମସାଇ ।
ପଠାଣ କବର ବହୁତ ପଛରେ ରହିଲାଣି ।
ରାସ୍ତା ଏଣିକି ଏଣିକି ଗହଳିଆ ହେଲାଣି ।
ଲିଙ୍ଗାର ଭୟ ଚାଲିଗଲାଣି ।
ଏପଟକୁ ସେପଟ କଥାଭାଷା କରି କରି ଚାଲିଛି ।
ଭାବିଲି ତାହାର ବାପା ଛାନ୍ଦ ବୋଲିବାରେ ସରସ ହେବ ବୋଲି ମୂଲ ମଜୁରୀ ଛାଡ଼ିଲା ।
ଆମର କଲେଜ ବାବୁମାନେ ବହି ଭଲକରି ପଢ଼ିବେ ବୋଲି କେତେ ମାଉଁସ ଶୁଖେଇ ଦିଅନ୍ତି ।
ଯୋଗୀ ମହାରଣାକୁ ଦେଖିବା ପାଇଁ ଇଚ୍ଛା ହେଲା ।
ପୁଅ କିନ୍ତୁ ତାହାର ଘରକୁ ମତେ ନବାପାଇଁ ନାରାଜ ।
ସେ ଭାବୁଥିଲା, କାଳେ ତାହାର ବାପାକୁ ମୁଁ ‘ଲିଙ୍ଗା ପାଖରେ ଚାରି ପଇସା ଅଛି’ ବୋଲି କହିଦେବି ।
ବାପା ତାହାଠାରୁ ଛଡ଼େଇ ନେଇଯିବ ।
ସେ ମତେ ଖାସ୍‌ ଭୁଲାଉଥାଏ-‘ଆମ ଘର ଗଳିରେ କେତେ ବାଟ ହେବ ।
ବାଆ ଘରେ ନ ଥିବ-ମୁଁ ଘରକୁ ଏଇଲାଗେ ଯିବି ନାହିଁ ।’
ବାପା ପାଇଁ ପାଞ୍ଚଟା ପଇସା ଦେଇ କହିଲି ଲିଙ୍ଗାକୁ ସେହି କଥା କହିଦେବା ପାଇଁ ।
ସେ ତରଙ୍ଗ ତରଙ୍ଗ ହୋଇ ଚାହୁଁଥାଏ ।
କାଳେ କିଏ ଦେଖି ଦେଇଥିବ ।
ମୁଁ ବୁଝି ପାରୁଥାଏ ଯେ, ସେ ବାପାକୁ ଏହି କଥା କିଛି କହିବି ନାହିଁ ।
ତାହାର ଘର ପାଖ ହୋଇଗଲା ।
ସେ ହଠାତ୍‌ କହିଲା, ’ବାବୁ, ଆମର ଘର ଏଇ ଗଳି ଭିତରେ-ମୁଁ ଯାଉଛି’ କହି, ହରିଆରେ ! ଡାକ ମାରି ମାରି ଦଉଡ଼ି ଚାଲିଲା ।
ମୁଁ ଆସିଲି- ଏକା ଏକା ରାସ୍ତା ପାଖରେ ଗାଈଟିଏ ଛିଡ଼ା ହୋଇ ଚରୁଥାଏ ।
ଠାଏ ଠାଏ ଘାସଅଛି ।
କଅଁଳ ଦୁବଘାସ କେତେଥର ଏମିତି ଗୋରୁର ପାକୁଳି ଭିତରେ ନିଶ୍ଚିହ୍ନ ହୋଇ ମିଳେଇ ଯାଇଛି, ତଥାପି ସେ ତ ମରି ନାହିଁ ।
ବାଟ କରରେ ଥାଇ ସୁଦ୍ଧା ଏତେ ଲୋକର ଯିବାଆସିବାର ଧାସ, ଗାଈଗୋରୁଙ୍କ ପାଟି ତାହାକୁ ପୋଛି ଦେଇ ପାରିନାହିଁ ।
ତାହାହେଲେ ମଣିଷ ଜାତି କାହିଁକି ଟଳିବ ? ଏହି ଅଭାବ ଭିତରେ ବଢ଼େଇ ପିଲାଟି କାହିଁକି ହଟିଯିବ ? ସେ ବି ମନରେ ଆଶା ନେଇ ବାଟ ଚାଲିଛି ।
ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ତଥାପି ମନଭିତରେ, କଥାରେ ଏହି ଖିଅ ସବୁ ଅଡ଼ୁଆ ଧରି ରହୁଥିଲା ।
ଘାସ ଜୀବନରେ ଯାହା ସତ, ମଣିଷ ଜୀବନରେ କ’ଣ ସେଇଆ ଅବିକଳ ସତ ହୋଇପାରେ ?
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment