Commit e96ec9b4 authored by Nayan Ranjan Paul's avatar Nayan Ranjan Paul

Upload New File

parent 5de0dcfd
କବିତାରେ ବିଷୟ ବିଚାର
- ଗୋବିନ୍ଦ ତ୍ରିପାଠୀ
ତା: ମେ ୨୬, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
କବି କଳ୍ପିତ ବିଷୟରେ ନିଜର ପୂର୍ଣ୍ଣ ବିଶ୍ବାସ ସମ୍ବନ୍ଧେ ଆମ୍ଭମାନଙ୍କ ମନରେ ଯଦି ଧ୍ରୁବ ଧାରଣ ଆଣିପାରେ, ତା’ହେଲେ ଯେକୌଣସି ଉପସଂହାରରେ ଉପନୀତ ହେଉପଛକେ, ସେଥିରେ ବିଶେଷ କିଛି ଯାଏଆସେ ନାହିଁ ।
କବିର ଧର୍ମ ବଡ଼ କଥା ନୁହେଁ, କିନ୍ତୁ ସେହି ଧର୍ମ ସମ୍ବନ୍ଧରେ ତା’ଦ୍ବାରା ବିଶ୍ବାସ ଓ ଅନୁରାଗ କବିତାର ପ୍ରଧାନ ଆଲୋଚ୍ୟ ବିଷୟ ।
ଏଇ ହେଲା ବିଲାତରେ ଜଣେ ଆଧୁନିକ ଖ୍ୟାତନାମା ସମାଲୋଚକ (Drank Water)ଙ୍କର ମତ ।
ମୋର ବିଶ୍ବାସ, କବିତାର ସମାଲୋଚନା କରିବାକୁ ଗଲାବେଳେ ଏହି ସତ୍ୟଟି ପ୍ରତ୍ୟେକ ସମାଲୋଚକ ମନେରଖିବା ଉଚିତ୍‌ ।
କବିକୁ ଧରି ବାନ୍ଧି ତୁମର ନିଜ ମତକୁ ଟାଣିଆଣିବା ଏବଂ ତୁମ୍ଭର ନିଜର ମତ ଓ ରୁଚି ଅନୁସାରେ କବିତାର ସମାଲୋଚନା କରିବା, କେତେଜଣ ସିଦ୍ଧହସ୍ତ ଆଲୋଚକଙ୍କ ପକ୍ଷରେ ସମ୍ଭବ ଓ ସୁନ୍ଦର ହୋଇପାରେ, କିନ୍ତୁ ସେଭଳି ବ୍ୟକ୍ତି ଅଛନ୍ତି କେତେ ଜଣ ?
ବର୍ତ୍ତମାନ ଓଡ଼ିଆ ସାହିତ୍ୟରେ ଏହି ରୂପରେ ସମାଲୋଚନାର ବିଶେଷ ପ୍ରାଦୁର୍ଭାବ ।
କେତେକଙ୍କ ମନରେ ଯେଉଁ କବିତା ବା ଲେଖାରେ ‘ଧ୍ବଂସ’, ‘ପ୍ରଳୟ’, ‘ସାମାଜିକ ବିପ୍ଳବ’ ଏବଂ ‘ଅନ୍ଧବିଶ୍ବାସର ସଂସ୍କାର ନିମନ୍ତେ ଉଚ୍ଛୃଙ୍ଖଳ ଆହ୍ବାନ’ ନାହିଁ- ତାହା କବିତା ନୁହେଁ ।
ପୁଣି ଆଉ କେତେକ କହନ୍ତି, ଯାହା ପୁରାତନ, ଯାହା ପରମ୍ପରାଗତ କବି ଜୀବନର ଅବଲମ୍ବନ, ତାହା ହିଁ କବିତା ।
ଏ ଧାରଣା ଯେ ଭ୍ରାନ୍ତ- ତାହାର ପ୍ରକୃଷ୍ଟ ପ୍ରମାଣ ସାହିତ୍ୟକମାନେ ପାଇବେ, ସମ୍ପାଦକମାନଙ୍କର ସତ୍ୟର ଗୋପନ ନିମନ୍ତେ ଉଦ୍‌ଭ୍ରାନ୍ତ ପ୍ରଚେଷ୍ଟାରେ ଏବଂ ସହଜବୋଧ ସରଳ ଶବ୍ଦାବଳୀ ଭାଙ୍ଗିରୁଜି ସେଥିରୁ ଗୋଟାଏ ଅପ୍ରାକୃତ ଅର୍ଥ ବାହାର କରିବାରେ ।
ମୁଁ ଜାଣେ ମୋର ଏକଥା ମିଥ୍ୟା ବୋଲି ଅନେକ ଚିତ୍କାର କରି ଉଠିବେ, କାରଣ ଅପ୍ରିୟ ସତ୍ୟ କାହାକୁ ଭଲଲାଗେ ? ଓଡ଼ିଆ ସାହିତ୍ୟ ଅନୁନ୍ନତ, ଏ ଅନୁନ୍ନତ ଅବସ୍ଥାରେ ମଧ୍ୟ ଜାତିଗତ, ଦଳଗତ ଓ ରାଜକୀୟ ମତଭେଦଜନିତ ବିଦ୍ବେଷ ଏତେ ବେଶୀ ପରିମାଣରେ ସାହିତ୍ୟର ଅଙ୍ଗକୁ ଛିନ୍ନଭିନ୍ନ କରିପକାଇଛି ଯେ, ତାହାର ସର୍ବାଙ୍ଗସୁନ୍ଦର ସମ୍ପ୍ରସାରଣ ଅଯଥା ବ୍ୟାହତ ହୋଇପଡ଼ିଅଛି ।
‘ସାହିତ୍ୟ’ ସାର୍ବଜନୀନ ।
ଏଥିରେ ବ୍ୟକ୍ତିଗତ ବିଶ୍ବାସ, ରୁଚି ଓ ମତର ଯଥେଷ୍ଟ ସ୍ଥାନ ଅଛି ।
ବିଶ୍ବସଂସାରକୁ ଦୁଇ ବାହୁ ଟେକି ହୃଦୟକୁ ଟାଣିନେବା ବିଷୟରେ, ସାହିତ୍ୟ ଏକା ସକ୍ଷମ ।
ବିଭିନ୍ନ ଦେଶରେ, ବିଭିନ୍ନ ଯୁଗରେ ଏକ ସମୟର ସାହିତ୍ୟକୁ ନିନ୍ଦା କରିବା ନିମନ୍ତେ ଯେ ସବୁ ଚେଷ୍ଟା କରାଯାଇଛି, ତାହାର ପରିମାଣ ହୋଇଛି- ଜଳ ବୁଦ୍‌ବୁଦ୍‌ ପରି ।
ଯଥେଷ୍ଟ ବାଗ୍‌ବିତଣ୍ଡା, ଅପର୍ଯ୍ୟାପ୍ତ ନିନ୍ଦା-ଦୁର୍ନାମ ପରେ ମଧ୍ୟ ମିଲ୍‌ଟନ୍‌, ପୋପ୍‌, ଗ୍ରେ, ବାଇରନ୍‌, ସେଲି, କିଟସ୍‌, ସ୍ବିନବର୍ଣ୍ଣ, ରସେଟି ବର୍ତ୍ତମାନ ଇଂରାଜୀ ସାହିତ୍ୟରେ ଶ୍ରେଷ୍ଠ କବିପଂକ୍ତି ।
ଜନ୍‌ସନ୍‌ ରାଜନୈତିକ ମତଭେଦ ହେତୁରୁ ମିଲ୍‌ଟନ୍‌ଙ୍କର କବିତ୍ବକୁ କୁତ୍ସା କରିଥିଲେ ।
ଜେଫ୍ରେ ଓ ଅନ୍ୟାନ୍ୟ ସମାଲୋଚକମାନେ ରୁଚିଭେଦ ହେତୁରୁ ୱାର୍ଡ଼ସ୍‌ୱାର୍ଥ ଓ ସେଲି ପ୍ରଭୃତି କବିମାନଙ୍କୁ କବି ଆଖ୍ୟା ଦେବାକୁ କୁଣ୍ଠିତ ହେଉଥିଲେ ।
ତଥାପି ଭବିତବ୍ୟ ଯାହାର ଯାହା ପାଉଣା ତାକୁ ତାହା ଦେଇସାରିଛି ।
ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀଙ୍କ ଦ୍ବାରା ଏହି ପ୍ରବନ୍ଧଟି ବେଶ୍ କିଛି ବର୍ଷ ପୂର୍ବେ ଲେଖାଯାଇଥିଲେ ସୁଦ୍ଧା ଏହି ଲେଖାର ଗୁରୁତ୍ବ ଆଜି ମଧ୍ୟ ରହିଛି ।
ତେଣୁ ଏହି ପ୍ରବନ୍ଧଟି ପାଠକମାନଙ୍କ ପାଇଁ ପ୍ରକାଶିତ ହୋଇଛି ।
ବିଷୟ ନେଇ କବିର ତୁଳନା ହୋଇପାରେ ନାହିଁ ।
ବ୍ୟକ୍ତିମାତ୍ରକେ ଭିନ୍ନ ମତ, ଭିନ୍ନ ମାନସିକ ଅବସ୍ଥା ।
କେହି ସମାଜର କୁସଂସ୍କାରରେ କବିତ୍ବର ପ୍ରେରଣା ପାଉଛନ୍ତି; କେହି ଆଧ୍ୟାତ୍ମିକ ପ୍ରେମରେ, କେହି ଆଧିଭୌତିକ ପ୍ରେମରେ, କେହି ପ୍ରକୃତିର ବାହ୍ୟ ସୌନ୍ଦର୍ଯ୍ୟରେ, କେହି ବା ପ୍ରକୃତିର ଆଭ୍ୟନ୍ତରିଣ ପାରମାର୍ଥିକ ତତ୍ତ୍ବରେ ନିଜ ନିଜ କବି ଜୀବନର ଉନ୍ନେଷ ଅନୁଭବ କରୁଅଛନ୍ତି ।
ବିଷୟ-କବିତାରେ ଅବାନ୍ତର ।
ଶିଳ୍ପୀ କେବଳ ଶିଳାରେ ନିଜର ସୌନ୍ଦର୍ଯ୍ୟବୋଧ କଳାଜ୍ଞାନ ଦେଖାଏ ନାହିଁ ।
କେହି ଶିଳାରେ, କେହି କାଷ୍ଠ ଖଣ୍ଡରେ, କେହି ଧାତବ ପଦାର୍ଥରେ, କେହି କାଗଜରେ ।
ଦେଖିବାର କଥା, ଗୃହୀତ ଉପାଦାନରେ ଶିଳ୍ପୀ ନିଜର କଳ୍ପିତ ଭାବ ବିକାଶ କରିବାକୁ କେତେଦୂର କ୍ଷମ ହୋଇଅଛି ।
କେବଳ ବିଷୟ ନେଇ କବିତାର ସମାଲୋଚନା କଲେ ପୃଥିବୀର କବି ଶ୍ରେଣୀର ଅର୍ଦ୍ଧେକଙ୍କୁ ରସାତଳକୁ ଯିବାକୁ ପଡ଼ିବ ।
ସେଲି ତାଙ୍କର ରାଜନୈତିକ ଓ ସାମାଜିକ ମତରେ ପୂର୍ଣ୍ଣ ବିପ୍ଳବବାଦୀ ।
ଯଦି ମହାତ୍ମାଗାନ୍ଧୀଙ୍କର ଶିକ୍ଷା ଓ ଦୀକ୍ଷା ଆମ୍ଭମାନଙ୍କ ଦୃଷ୍ଟିରେ ଗ୍ରହଣୀୟ ହୁଏ, ତା’ହେଲେ ସେଲିଙ୍କର କବିତା ତା’ଠାରୁ ଆହୁରି ବେଶୀ ଭୟପ୍ରଦ ହେବା ଉଚିତ୍‌ ।
ତଥାପି ଆମ୍ଭମାନଙ୍କ ଦେଶର କେତେଜଣ ନରମପନ୍ଥୀ ସେଲିଙ୍କର କବିତାକୁ ଆକ୍ଷେପ କରିବାକୁ ସାହାସୀ ହେବେ ? ବର୍ଣ୍ଣାଡ଼ ଶ’ଙ୍କର କବିତା ସ୍ଥାନେ ସ୍ଥାନେ ବଡ଼ ଅଶ୍ଳୀଳ, ବଡ଼ ଅଧୀର ଏବଂ ବଡ଼ ଅସମ୍ଭ୍ରାନ୍ତ ।
କିନ୍ତୁ କହିବା ନିଷ୍ପ୍ରୟୋଜନ-ତାଙ୍କର ସେହି କବିତା ମଧ୍ୟରୁ ଅନେକେ ଇଂରାଜୀ ସାହିତ୍ୟର ଶ୍ରେଷ୍ଠ କବିତା ଭାବେ ଗୃହୀତ ।
ଆନାଶେଲ ଫ୍ରାଁ ଓ ରୋମା ରୋଲାଁ ନିଜେ ନିଜେ ବଡ଼ ସାଧୁ-ହୃଦୟ, ଋଷିପ୍ରାଣ, କବି ଓ ଔପନ୍ୟାସିକ ।
ସେମାନଙ୍କର ନୈତିକ ଜୀବନ ସମ୍ବନ୍ଧରେ ଆକ୍ଷେପ କରିବାର ବ୍ୟକ୍ତି ବଡ଼ କମ୍‌ ।
ତଥାପି ଯେଉଁମାନେ ଥାୟା ଓ ଜନ୍‌ କ୍ରିଷ୍ଟୋଫର୍‌ ପଢ଼ିଥିବେ, ସେମାନେ ଦେଖିଥିବେ ତା’ର ମଧ୍ୟରେ କି ଉଲ୍ଲଂଘ ସୁବ୍ୟକ୍ତ ଅଶ୍ଳୀଳତା, ପାଶବିକ ପ୍ରେମ ଉପଭୋଗର ଜଘନ୍ୟ ଚିତ୍ର ସ୍ଥାନ ପାଇଛି ! ତଥାପି ଆମର ହାମ୍‌ବଡ଼ା ନୈତିକମାନେ କହିପାରିବେ କି ଏହି ଦୁଇଜଣ ଅକବି, ଅଶିଳ୍ପୀ ?
କାବ୍ୟର ବିଷୟ ଯାହାହେଉ, ସେହି ବିଷୟରେ ଉଦ୍‌ବୋଧର ସମ୍ପ୍ରସାରଣ ଓ ସମ୍ପ୍ରସାରଣରେ ହିଁ ପ୍ରକୃତ କବିତ୍ବ ଶକ୍ତି ।
କବିତାର ବିଷୟ ‘ଯୌବନ’ର ଅବାଧ ଭୋଗେଚ୍ଛା ହୋଇପାରେ ।
ଅରୁଣ ଆଲୋକରେ ସାମାଜିକ କୁପ୍ରଥା ଓ ଅଜ୍ଞାନର ଉଚ୍ଛେଦ ସାଧନ ହୋଇପାରେ, କୃଷ୍ଣଲୀଳା ହୋଇପାରେ ବା ଚନ୍ଦ୍ରଭାନୁର ପ୍ରଣୟ କାହାଣୀ ହୋଇପାରେ, ତା’ସହିତ ସମାଲୋଚନାର ସମ୍ବନ୍ଧ ନାହିଁ, ତାକୁ ଧରି ସମାଲୋଚକ କବିତାକୁ ବାଜେ ବା ଅପାଠ୍ୟ ଆଖ୍ୟା ଦେଇପାରିବେ ନାହିଁ ।
ଦେଖିବାକୁ ହେବ ଶିଳ୍ପୀର ସୁବିଧାରେ କି କି ଶିଳ୍ପ ସାମଗ୍ରୀ ଉପସ୍ଥିତ ଥିଲା ଏବଂ ସେହି ସାମଗ୍ରୀର ବ୍ୟବହାରରେ କବି କେତେଦୂର ହସ୍ତନୈପୁଣ୍ୟ, କଳାକୁଶଳତା ଦେଖାଇ ପାରିଛନ୍ତି ।
ଗ୍ରୀସ୍‌ ଏବଂ ଇତାଲିର ଶିଳ୍ପୀମାନେ ବଡ଼ ବଡ଼ ପ୍ରସ୍ତର ଖଣ୍ଡର ସାହାଯ୍ୟରେ କୋଣାର୍କ ମନ୍ଦିର ବା ପିରାମିଡ଼ ନିର୍ମାଣ କରିପାରି ନାହାଁନ୍ତି ବୋଲି ସେମାନଙ୍କୁ ଶିଳ୍ପୀ ଶ୍ରେଣୀରୁ ଅନ୍ତରିତ କରିବା ଧୀହୀନତାର ପରିଚୟ ମାତ୍ର ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment