Commit fb15a432 authored by Nayan Ranjan Paul's avatar Nayan Ranjan Paul

Upload New File

parent 9ff12e12
ଓଡ଼ିଆ ସାହିତ୍ୟର ପରମ୍ପରା
କାଳିନ୍ଦି ଚରଣ ପାଣିଗ୍ରାହୀ
ତା: ଡିସେମ୍ବର୍ ୨୭, ୨୦୧୨
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
କଥାରେ ଅଛି, ‘‘ମନ ଫୁଲାଣିଆ ଗୀତ ଗାଏ ।’’
ମନ ଖୁସି ଥିଲାବେଳେ ଗୀତ ବୋଲାଯାଏ- ସାହିତ୍ୟ ଲେଖା ହୁଏ ।
ମନ ଖୁସି ରହେ କେଉଁ ଅବସ୍ଥାରେ ? ଯେତେବେଳେ ତାହା ସୁସ୍ଥ ସବଳ ନିର୍ମଳ ।
ଦେହ ସୁସ୍ଥ ଥିଲାବେଳେ ମନ ସୁସ୍ଥ ରହେ ।
ଦେହ ସୁସ୍ଥ ରହେ ଯେତେବେଳେ ସମାଜରେ ଅନ୍ନବସ୍ତ୍ରର ଅଭାବ ନ ଥାଏ ।
ସେତିକିବେଳେ ମନକୁ ଭାବିବାକୁ ଫୁରସତ୍‌ ମିଳେ ଯଥେଷ୍ଟ, ପୁଣି ସେ ଭାବନାକୁ ସାହିତ୍ୟରେ ରୂପରେଖ ଦେବା ପାଇଁ ଦେହ ମଧ୍ୟ ଥାଏ ସବଳ ।
ସମାଜରେ ଏହି ଅବସ୍ଥା ଆଣିବା ହେଲା ଉତ୍‌କୃଷ୍ଟ ଶାସନର କାମ ।
କର୍ମୀ, ଶ୍ରମିକମାନଙ୍କ ମନ ଖୁସିକରିବାକୁ, ବିଶ୍ରାମ ଦେବାକୁ, ଖେଳ କୌତୁକରେ ଦେହ ମନକୁ ତାଜା ରଖିବାକୁ, ଦେଶେ ଦେଶେ ଆଜି କେତେ ପ୍ରକାର ବନ୍ଦୋବସ୍ତ ହେଉଛି ଓ ସ୍ବାସ୍ଥ୍ୟ ନିବାସମାନ ଗଢ଼ା ଯାଉଛି ।
ତାହା ଫଳରେ ଦେହ ମନର ଫୁର୍ତ୍ତି ବଢ଼ି ଆହୁରି କାମ କରିବାକୁ ଉତ୍ସାହ ମିଳୁଛି ।
ସବୁ ଯୁଗରେ ସାହିତ୍ୟ ହେଲା ସମାଜର ଦର୍ପଣ ।
ସାହିତ୍ୟ ଭିତରେ ଆମେ ସମାଜର ମୁହ ଦେଖୁଁ ।
ସମାଜ ଉଚ୍ଚ ସ୍ତରରେ ଥିବାବେଳେ, ଉଚ୍ଚ ସାହିତ୍ୟର ସୃଷ୍ଟି ହୁଏ ।
ଏହିଭଳି ଅବସ୍ଥାରେ ଓଡ଼ିଆ ସାହିତ୍ୟର ଜନ୍ମ ଆଉ ଉନ୍ନତି ।
ସେତେବେଳେ ଓଡ଼ିଶାରେ ରାଜତ୍ବ କରୁଥାନ୍ତି, ଆଦର୍ଶ ସମ୍ରାଟ କପିଳେନ୍ଦ୍ର ଦେବ ।
ମହାନ୍‌ ସଂସ୍କୃତ ସାହିତ୍ୟର ଗଣ୍ଡି ଭିତରୁ ଉତୁରି ସେତିକିବେଳେ ଓଡ଼ିଆ ସାହିତ୍ୟ ତାହାର ନିଜ ରୂପ ପ୍ରକଟ କଲା ।
ଶୂଦ୍ରମୁନି ସାରଳା ଦାସ ବଜାଇଲେ ତାହାର ପ୍ରଥମ ଡିଣ୍ଡିମ; କପିଳେନ୍ଦ୍ରଙ୍କ ସମୟର ଆଦର୍ଶ ସମାଜର ଦର୍ପଣକୁ ସେ ଟେକି ଧରିଲେ ।
ତାଙ୍କର ‘ଚଣ୍ଡୀପୁରାଣ’ ‘ବିଲଙ୍କା ରାମାୟଣ’ ଭଳି ଆଉ କେତେଗୁଡ଼ିଏ ଗ୍ରନ୍ଥ ଭିତରେ ‘ସାରଳା ମହାଭାରତ’ ଆଜି ବି ସେହି ଦର୍ପଣ ଧରି ଆମ ଆଗରେ ଠିଆ ହୋଇଛି ।
ତାହାରି ଭିତରେ ଓଡ଼ିଆ ଜାତୀୟତାର ପ୍ରାଣ ପ୍ରତିଷ୍ଠା ହେଲା, ଆଉ ଏହି ‘‘ଜମ୍ବୁଦ୍ବୀପେ ଭ୍ରତଖଣ୍ଡେ ଓଡ଼୍ରାଷ୍ଟ୍ର ମଣ୍ଡଳ’’ ରେ ଗୋଟିଏ ସ୍ବତନ୍ତ୍ର ଭାଷା ପୁଣି ସ୍ବତନ୍ତ୍ର ସାହିତ୍ୟର ହେଲା ଆବିର୍ଭାବ ।
ଏହା ଭିତରେ କେତେ ବୀର ସୈନିକ ଖଣ୍ଡା ଧାରରେ ଗୋଦାବରୀଠାରୁ ଗଙ୍ଗା ପର୍ଯ୍ୟନ୍ତ ଯୁଦ୍ଧ ଜୟ କରି ସାମ୍ରାଜ୍ୟ ବିସ୍ତାର କଲେ ।
କେତେ ଶିଳ୍ପୀ ନିହାଣ ମୁନରେ ପଥର ଖୋଳି ଅଦ୍‌ଭୁତ ଦେଉଳ ଗଢ଼ିଲେ ।
ଆଉରି କେତେ କବି ଲେଖନ ମୁନରେ ସାହିତ୍ୟ ରଚନା କରି ଏହି ଭୂମିଖଣ୍ଡର ଜୟ ଜୟ କଲେ ।
କିନ୍ତୁ ‘‘ଏହି ଉଡ଼୍ରାଷ୍ଟ୍ର ମଣ୍ଡଳ’’ ଯେ ଜମ୍ବୁଦ୍ବୀପ ଭ୍ରତଖଣ୍ଡଠାରୁ ନିଆରା ନୁହେଁ, ସେ କଥା କବି ପାଶୋରି ନାହାନ୍ତି ।
ବରଂ ମହାଭାରତର ବୀରମାନେ ଯେ ଓଡ଼ିଶାର ବୀର, ପୁଣ୍ୟ ଭୂମି ଭାରତରେ ଓଡ଼ିଶା ଯେ ଏକ ଶ୍ରେଷ୍ଠ ତୀର୍ଥ, ସେହି ଚିତ୍ର ସେ ଆମ ଆଗରେ ଧରିଛନ୍ତି :-
‘‘କଳିମଳ ବିଧ୍ବଂସିନୀ କୋଟି ଦେବୀପୂଜା
ପ୍ରମାଣ ମାତ୍ରେ ଖଣ୍ଡଇ କପିଳେଶ ରାଜା ।’’
ଓଡ଼ିଶାର ଘରେ ଘରେ ଯେଉଁ ମହାଭାରତର ପୂଜାପାଠ, ତାହାରି ଆରମ୍ଭରେ ଶାରଳା ଠାକୁରାଣୀଙ୍କ ବର୍ଣ୍ଣନା ଭିତରେ କପିଳେନ୍ଦ୍ର ରାଜାଙ୍କ ମଧ୍ୟ ସ୍ଥାନ ଦିଆଯାଇଛି ।
ଆପଣାକୁ ଜନ୍ମମୂର୍ଖ ବୋଲି ବାରମ୍ବାର ପରିଚୟ କରାଇ କେବଳ ସାରଳାଙ୍କ କୃପାରୁ ସେ ମହାଭାରତ ଲେଖିଥିବା କଥା ପ୍ରକାଶ କରିଛନ୍ତି ।
କବିଙ୍କର ଏହି ସ୍ବୀକୃତି ଭିତରେ ବହୁତ ନିଗୂଢ଼ କଥା ଅଛି ।
‘‘ଶୁଣ ସୁଜ୍ଞ ଜନେ କରି ଏକ ଚିତ୍ତ
ଜନ୍ମରୁ ମୂରୁଖ ମୁହିଁ ନୁହଇଁ ପଣ୍ଡିତ ।
ସୁପ୍ରସନ୍ନେ ଆଜ୍ଞା ମୋତେ ଦେଲେ ଶାକାମ୍ବରୀ
ଲଭ ତୁ ବିଳାସ ମହାଭାରତ ବିସ୍ତାରି ।’’
ଆଗରୁ ଭାଷା ଥିଲା ଦେବଭାଷା, ସାହିତ୍ୟ ଥିଲା ସଂସ୍କୃତ, ଆଉ ତାହାର ଚର୍ଚ୍ଚା କରୁଥିଲେ ବ୍ରାହ୍ମଣ ପଣ୍ଡିତମାନେ ।
ମାତ୍ର ପୈଶାଚିକ ଭାଷା ଓଡ଼ିଆକୁ ଯେବେ ତା’ର ଅବନତି ଘଟିଲା, ତାହାର କବି ଲେଖକ ତେବେ କିଏ ? ନିଶ୍ଚୟ ସେ ମୂର୍ଖ ଶୂଦ୍ର-କୁଳର ।
ଅଳ୍ପ କେତେ ଜଣ ସଂସ୍କୃତ-ପଣ୍ଡିତ-ଗୋଷ୍ଠୀର ବିଳାସ-ଆସନରୁ ଖସି ଆସି ବାଗ୍‌ଦେବୀ ମୂର୍ଖ ନିରକ୍ଷର ଶୂଦ୍ର ଅଛୁଆଁ ସାଧାରଣ ମଣିଷ ସମାଜ ଭିତରେ ଆପଣା ମହିମା ବାଣ୍ଟି ଦେବାକୁ ଇଚ୍ଛାକଲେ ।
ତେଣୁ ତାଙ୍କର ପୂଜକ ମଧ୍ୟ ସେଇ ଶ୍ରେଣୀରୁ ବାହାରିଲେ ।
ବ୍ରାହ୍ମଣ ପୁରୋହିତ ଆଉ ଲୋଡ଼ା ହେଲେ ନାହିଁ ।
ଓଡ଼ିଆ ସାହିତ୍ୟର ଜନ୍ମ ବୃତ୍ତାନ୍ତ ଭିତରେ ଏଇ ତଥ୍ୟଟିକୁ ପାସୋରି ଦେଇ ହେବ ନାହିଁ ।
କାହିଁକି ନା, ସେତିକି ବେଳୁଁ ସଂସ୍କୃତର ଏକଛତ୍ର ରାଜତନ୍ତ୍ର ଓଡ଼ିଆ ସାହିତ୍ୟର ଗଣତନ୍ତ୍ର ଭିତରେ ଲୁଚିଯିବା ପାଇଁ ଆରମ୍ଭ କଲା ।
ଯେଉଁ ଭାଷାକୁ ଏ ଅଞ୍ଚଳର ମୂର୍ଖ ପଣ୍ଡିତ, ସ୍ତ୍ରୀ ପୁରୁଷ, ପିଲା ବୁଢ଼ା ସମସ୍ତେ କହନ୍ତି, ସମସ୍ତେ ବୁଝନ୍ତି, ସେ ଭାଷା ହେଲା ସାହିତ୍ୟର ସମ୍ପତ୍ତି ।
ଆଉ ସେ ସମ୍ପତ୍ତିର ପ୍ରଥମ ମାଲିକ ହେଲେ ଶୂଦ୍ରମୁନି ସାରଳା ଦାସ ।
ଆକୁମାରୀ ହିମାଳୟ ଆମର ଏଇ ଅତି ପୂରାଣ-ପବିତ୍ର ଭାରତବର୍ଷ ବିଶ୍ବ ସଭ୍ୟତାର ଆଲୋକଧାରୀ ହୋଇ ସେ ଚିର ବିଦ୍ୟମାନ ।
ହଜାର ହଜାର ବର୍ଷ ଆଗରୁ ସେଇ ଭାରତୁ କବୀଶ୍ବର ବ୍ୟାସଦେବ ମହାଭାରତ ରୂପରେ ଦେଖିଥିଲେ, ପୁଣି ଦେଖାଇଥିଲେ ।
ତାଙ୍କଠାରୁ ବଡ଼ ନାମକରଣ ଏ ଦେଶର କେହି କରିନାହିଁ ।
ସାରଳା ଦାସ ସେଇ ଭାରତକୁ ମହାନ୍‌ କରି ବାଣ୍ଟିଲେ ଓଡ଼ିଶାର ଘରେ ଘରେ ।
ମହାଭାରତକୁ ପରିଚୟ କରାଇଲେ ଓଡ଼ିଶାର ପୁରପଲ୍ଲୀରେ ।
ଓଡ଼ିଶା ଭୂଖଣ୍ଡର ସଂଯୋଗ ସ୍ଥାପନ କଲେ, ଋଷିଜନବନ୍ଦିତ ମହାଭାରତ ସହିତ ।
ଆଜି ଶହ ଶହ ବର୍ଷ ପରେ ସେହି ପ୍ରେରଣା ହିଁ ଆମକୁ ଉଦ୍‌ବୋଧନ ଦିଏ ।
ଆତ୍ମା ଭିତରେ ପରମାତ୍ମା, ଏକ ଭିତରେ ବହୁ, ପୁଣି ବହୁ ଭିତରେ ଏକର ଦର୍ଶନ, ଓଡ଼ିଶା ଭିତରେ ଭାରତ-ପୁଣି ଭାରତ ଭିତରେ ଓଡ଼ିଶାକୁ ଦେଖିବା ହେଲା ଓଡ଼ିଆ ମହାଭାରତର କବି ଶୂଦ୍ରମୁନି ସାରଳା ଦାସଙ୍କର ସାଧନା ।
ସେଇ ସାଧନା ହିଁ ଆମର ପୁଣ୍ୟ ପରମ୍ପରା ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment